ମାଙ୍କଡ଼ ଓ ମାଙ୍କିଡି ମାଉସୀ
ମାଙ୍କଡ଼ ଓ ମାଙ୍କିଡି ମାଉସୀ
"ମାଙ୍କିଡ଼ୀ ମାଉସୀ" ନାଁଟା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।
ନଖିପୁର ବ୍ଲକ'ର ଜେମାପୁର ଗାଁରେ ମୋର ନୂଆ କରି ପୋଷ୍ଟିଙ୍ଗ ହୋଇଥାଏ ।
ଜାଗାଟା ପାହାଡିଆ, ଜଙ୍ଗଲ, ଆଦିବାସୀ ଅଧ୍ୟୁଷିତ ମ୍ୟାଲେରିଆ ପ୍ରବଣ ଅଞ୍ଚଳ; ତା ଉପରେ ପୁଣି ମାଓବାଦୀଙ୍କ ଭୟ । ପରିବାର ଓ ସାଙ୍ଗମାନେ ମନାକରୁଥିଲେ ଜଏନ କରିବାକୁ, ହେଲେ ସରକାରୀ ଚାକିରୀ ଛାଡିବାର ଦୁଃସାହାସ କରିପାରିଲିନି । ଧରାଧରି କରି ଅନ୍ୟ କେଉଁଠି ପୋଷ୍ଟିଙ୍ଗ କରାଇବାର କ୍ଷମତା ବି ନଥିଲା ମୋର ।
ଦୀର୍ଘ ୧୬ ଘଣ୍ଟାର ବସ୍ ଯାତ୍ରାପରେ ପହଂଚିଲି ମୋ ଲକ୍ଷ୍ୟସ୍ଥଳରେ । ଅଫିସ ହତାଭିତରେ ଗୋଟେ ପୁରୁଣା କ୍ୱାଟରରେ ମୋ ରହିବା ବ୍ୟବସ୍ଥା ହୋଇଥିଲା । ସାଙ୍ଗରେ ନେଇଥିବା ବେଡ଼ ହୋଲ୍ଡର ତପ୍ତପୋଷ ଖଟରେ ବିଛାଇଲି ଓ ମଶାରୀ ଲଗାଇଦେଇ ଟିକେ ନିଶ୍ଚିତ ହେଲି ।
ପାଖରେ ଠିଆ ହୋଇଥିବା ସହକର୍ମୀ ରାଘବ ବାବୁ କହିଲେ, "ଦିନରେ ୧୦/୧୨ ଘଣ୍ଟା ଏଠି ପାୱାର ରହେନା । କିରାସିନି,ମହମବତୀ,ଏମର୍ଜେନ୍ସି ଲାଇଟ ରଖିବେ ପାଖରେ । ଆପଣଙ୍କୁ ରୋଷେଇ ଆସେ ନା ଅନ୍ୟ ବ୍ୟବସ୍ଥା କରିବେ ? "
"ଏଠି ହୋଟେଲ ବା ମେସ୍ ନାହିଁ ?"
ମୋ କଥା ଶୁଣି ରାଘବ ବାବୁ ହସିଦେଇ କହିଲେ, "ଏ ଛୋଟିଆ ଜାଗାରେ ସେ ସୁବିଧା କେଉଁଠୁ ଆସିବ ?ସ୍କୁଲ ପାଖରେ ଗୋଟେ ଚା/ଜଳଖିଆ ଦୋକାନ, ଗୋଟେ ତେଜେ ରାତି ଓ ଗୋଟାଏ ସାଇକେଲ/ମଟରସାଇକେଲ ରିପେୟାର ଦୋକାନ ଯାହା ଅଛି ।
ଅନ୍ୟ ସବୁ ଜିନିଷ ପାଇଁ ୫ କିଲୋମିଟର ଯିବାକୁ ପଡିବ । ତେବେ ମାଙ୍କିଡି ମାଉସୀକୁ ଟଙ୍କା ଦେଲେ ସେ ଆପଣଙ୍କ ପାଇଁ ରୋଷେଇ କରିଦେବ । "
ନାଁ ଟା ଶୁଣି ଆଖାଡୁଆ ଓ ହସ ମାଡ଼ିଲା । ତଥାପି ସେ ହିଁ ମୋର ଭବିଷ୍ୟତ ଦିନ ପାଇଁ ଅନ୍ନପୁର୍ଣ୍ଣା ଭାବି ଚୁପ୍ ରହିଲି ।
ଅଫିସ ହତାକୁ ଲାଗି ଗୋଟେ ଚାଳଘରେ ରହୁଥିଲା ମାଙ୍କିଡ଼ୀ ମାଉସୀ ଓରଫ ନୁଖୁରି ମାଉସୀ ।
ବିଧବା ସ୍ତ୍ରୀ ଲୋକଟି,ସଂସାରରେ ଏକୁଟିଆ ।
ରାଘବ ବାବୁ ତାକୁ ଡାକି ଆଣିଲେ । ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ମୋତେ ଅନାଇ ଜୁହାର ହେଲା ।
ବୟସ ପ୍ରାୟ ୫୫ /୬୦ ହେବ । ପତଳା ନହାକା ଚେହେରା, ମୁଣ୍ଡରେ କେରାଏ ଧଳା ଚୁଟି ଯାହା ବନ୍ଧା ନହୋଇ ଅଯତ୍ନରେ ଝୁଲୁଥାଏ ।
"ନୂଆ ବାବୁଙ୍କ ପାଇଁ ରୋଷଇବାସ କରିଦେବୁ । "
ମୋତେ ଏକ ତୀକ୍ଷ୍ଣ ଦୃଷ୍ଟରେ ଚାହିଁ କହିଲା, "ଘର ଓ ବାସନ ସଫା ଅଲଗା ପଇସା ଦେବ । ଦୁଇଓଳି ରାନ୍ଧିବି । ରବିବାର ସକାଳ ଓଳି ଆସିବିନି । ମୋର ଛୁଟି ସେଦିନ । ପାଆଁଶ ଟଙ୍କା ଆଡ଼ଭାନ୍ସ ଜିନିଷ ପାଇଁ । "
ମୁଁ କିଛି ପଚାରିବା ଆଗରୁ,ରାଘବ କହିଉଠିଲା, "ରବିବାର ଦିନ ସକାଳୁଆ ସାପ୍ତାହିକ ହାଟ । ବୁଢ଼ୀ ସେଦିନ ପରିବା ଓ ବରା, ପିଆଜି ବିକେ । "
ମୁରୁକି ହସି ସମ୍ମତ୍ତି ଜଣାଇ, ପାଞ୍ଚ ଶହ ଟଙ୍କା ବଢ଼ାଇଦେଇ କହିଲି," ଏବେ ରାତି ପାଇଁ କିଛି ବ୍ୟବସ୍ଥା ଜଲଦି କର । ବହୁତ ଭୋକ ହେଲାଣି । "
ରାତି ଆଠଟା ବେଳକୁ ନୁଖୁରୀ ମାଉସୀ ଭାତ,କାନ୍ଦୁଲ ଡାଲି, ଝୁଡ଼ଙ୍ଗ ଛୁଇଁ ଆଳୁ ଭଜା ଆଣି ଦେଇଗଲା । ଅମୃତ ଭଳି ଲାଗୁଥିଲା ମୋ ଅବଶ ଦେହ ଓ ଭୋକିଲା ପେଟକୁ ସେ ଖାଇବା । ଇଛାଥାଇ ବି ପଚାରିପାରିଲି ନାହିଁ ଯେ ତାକୁ ମାଙ୍କିଡି ମାଉସୀ କାହିଁକି ସମ୍ବୋଧନ କରାଯାଏ ।
ଗଭୀର ନିଦରେ ଶୋଇପଡିଲି । ସ୍ୱପ୍ନରେ ଦେଖୁଥିଲି ନୁଖୁରୀ ମାଉସୀ ଓରଫ ମାଙ୍କିଡି ମାଉସୀ ମୋ ମୁଣ୍ଡ ସାଉଁଳୋଉ ଦେଉଛି । ହାଠାତ୍ ନିଦ ଭାଙ୍ଗିଗଲା । ଛୋଟ ବେଳେ ବୋଉକୁ ହରାଇଥିଲି । ଆଇ ମୋତେ ପାଳି ପୋଷି ବଡ଼ କରିଥିଲେ । ନୁଖୁରୀ ମାଉସୀଙ୍କ ଚେହେରା ଅନେକାଂଶରେ ଆଇ ର ଚେହେରା ସହ ମିଶୁଥିଲା । ସେଇ ପତଳା ଚେହେରା ଓ ଝୋଟ ଭଳି ଚୁଟି । ମନରେ ଏକ ଅନୁରକ୍ତି ଭାବନା ଜାଗିଉଠୁଥିଲା ।
ପରଦିନ ଅଫିସ କାମରେ ବ୍ୟସ୍ତ ରହିଲି । ତା ପରଦିନ ରବିବାର । ସେଦିନ ସକାଳ ଓଳି ମାଉସୀ ଆସିବନି । ତେଣୁ ନିତ୍ୟକର୍ମ ସାରି ସାପ୍ତାହିକ ହାଟକୁ ଚାଲିଲି । ଛକରେ ଦେଖାହେଲେ ରାଘବ ବାବୁ । ମୋତେ ସୁବିଧା ହେଲା ହାଟ ଭିତରେ ନୁଖୁରୀ ମାଉସୀକୁ ପାଇବା ପାଇଁ । ବେଶ ଭିଡ଼ ଜମିଥିଲା ମାଉସୀଙ୍କ ପାଖରେ । ବରା,ପିଆଜି,ଲଙ୍କା ଚପ୍ ଓ ଗୁଲଗୁଲା ବେପାର ସାଙ୍ଗକୁ କଞ୍ଚା ଲଙ୍କା ବିକୁଥିଲା ମାଉସୀ ।
ଗୋଟେ କଳା ମୁହାଁ ହନୁ ମାଙ୍କଡ଼କୁ ମାଉସୀ ପାଖରେ ବସିଥିବାର ଦେଖି, ଆଶ୍ଚର୍ଯ୍ୟ ହୋଇ ପଚାରିଲି, " ଏଇଟା କଣ ତାଙ୍କର ପୋଷା ମାଙ୍କଡ଼ ?"
ହସିଦେଇ ରାଘବ ବାବୁ କହିଲେ, "ସେଇଥିପାଇଁ ଲୋକେ ତାକୁ ମାଙ୍କିଡ଼ୀ ମାଉସୀ ବୋଲି ଡାକନ୍ତି । ମାଙ୍କଡଟା ସବୁଦିନ ଗଛରୁ ଓଳ୍ହାଇ ବୁଢ଼ୀ ହାତରୁ ଭାତ ଡାଲି,ପରିବା ଆଦି ଖାଏ,ପାଣି ପିଏ । ବୁଢ଼ୀ ମୁଣ୍ଡରୁ ଉଙ୍କୁଣୀ ବାଛେ । କିଏ ଯଦି ବୁଢ଼ୀ ଦିହରେ ହାତ ଦିଏ, ତାକୁ କାମୁଡିବାକୁ ଦାନ୍ତ ଦେଖାଏ । ହାଟ ପାଳି ଦିନ ଏ ମାଙ୍କଡ଼ କେଉଁଠି ଥାଏ କେଜାଣି, ସିଧା ଆସି ହାଜର ହୋଇଯାଏ ଓ ଚୁପ୍ କିନା ବୁଢ଼ୀ ପାଖରେ ବସେ । ଦେଖୁନାହାନ୍ତି କେମିତି ସୁନାପିଲା ଭଳି ବସିଛି ? କେହି ଯଦି ଏ ମାଙ୍କଡ଼କୁ ଧରିବାକୁ ବା ବାନ୍ଧିବାକୁ ଚେଷ୍ଟା କରେ, ବୁଢ଼ୀ ଛୁରୀ ପନିକି ଧରି ଗୋଡାଏ । ଦେଖୁନାହାନ୍ତି ,କିଛି ଲୋକ ମାଙ୍କଡ଼କୁ ହନୁମାନ ଅବତାର ଭାବି ପଇସା ପକାଉଛନ୍ତି । ସେଇ ପଇସାରେ ବୁଢ଼ୀ ମାଙ୍କଡ଼ ପାଇଁ ଫଳ କିଣେ । "
ମଣିଷ ଓ ପଶୁ ଭିତରେ ଥିବା ଏ ଅଦ୍ଭୁତ ବିଶ୍ବାସ ଓ ବନ୍ଧନକୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେଲି ।
ସହର, ବଜାରରେ ମାଙ୍କଡ଼କୁ ଚେନ୍ ରେ ବାନ୍ଧି ଖେଳ ଦେଖାଇ ଟଙ୍କା ରୋଜଗାର କରୁଥିବା ମଣିଷ, ଅଥବା ମାଙ୍କଡ଼କୁ ମାରି ପଇସା କମାଉଥିବା କେଳା କିମ୍ବା ମାଙ୍କଡ଼କୁ ପିଞ୍ଜରା ଭିତରେ ରଖି ତା ଉପରେ ବିଭିନ୍ନ ନୂଆ ଔଷଧର ପ୍ରତିକ୍ରିୟା ପରୀକ୍ଷା ନିରୀକ୍ଷା / ଗବେଷଣା କରୁଥିବା ଡାକ୍ତର / ବୈଜ୍ଞାନିକ ଓ ମାଙ୍କିଡ଼ୀ ମାଉସୀଙ୍କ ଭିତରେ ଢେର ଫରକ ଥିଲା ଭଳି ଲାଗିଲା ମୋତେ । ସବୁ ମଣିଷଙ୍କର ହୃଦୟ ଥାଏ; ହେଲେ ମଣିଷପଣିଆ ଲୁପ୍ତପ୍ରାୟ ଆଜିର ଦୁନିଆରେ ନୁଖୁରୀ ମାଉସୀ ଭଳି ହୃଦୟବତୀ ମହିଳା କେତେଜଣ ଅଛନ୍ତି ?
"ମାଉସୀ ଭଲ ଅଛ ? ପିଆଜି, ବରା କୋଡିଏ ଟଙ୍କାର ଦିଅ । "କହି କୋଡିଏ ଟଙ୍କାର ନୋଟ ବଢ଼ାଇ ଦେଲି । ଗୋଟେ ପତ୍ର ଠୋଲାରେ ବୁଢ଼ୀ ମୋତ ପିଆଜି, ବରା ଦେଇ, ବାକି ଦଶ ଟଙ୍କା ବଢ଼ାଇ ଦେଲା ।
"ଦଶ ଟଙ୍କା ତମ ମାଙ୍କଡ଼ ପାଇଁ ରଖ । ଆଜି ୟା ପାଇଁ ତମର ଭଲ ରୋଜଗାର ହେଉଛି । "
ଟିକିଏ ବିରକ୍ତି ଭରା ସ୍ୱରରେ ନୁଖୁରୀ ମାଉସୀ କହିଉଠିଲା, "ମାଙ୍କଡ଼ କାହାକୁ କହୁଛ ବାବୁ ? ଆଉ କେବେ କହିବନି । ବାରମ୍ବାର ଇନ୍ଦିରା ଆବାସ ପାଇଁ ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ଆଜିଯାଏଁ ଘର ଖଣ୍ଡେ ମୋର ହେଲାଣି । ସେଇ ଲୋକ ଗୁଡାକ ମାଙ୍କଡ଼ । ବି ପି ଏଲ ଖାତା ଥାଇ ବି ମୋତେ ପୁରା ରାସନ ଦେଉନଥିବା ଓ ମୋ ବିଧବା ପେନସନରୁ କିଛି ଟଙ୍କା ଲାଞ୍ଚ ଭାବେ କାଟୁଥିବା ତମ ଅଫିସ ଲୋକ ମାଙ୍କଡ଼ । ହାଟର ଏଇ ଜାଗା ଖଣ୍ଡେରେ ବସିବା ପାଇଁ ହପ୍ତା/ବଟି ଦାବି କରୁଥିବା ଗୁଣ୍ଡା ହିଁ ମାଙ୍କଡ଼ । ମୋ ଦେହ ଖରାପ ହେଲେ ମୋତେ ପଚାରୁ ନଥିବା ସାହିପଡ଼ିଶା ଲୋକେ ମାଙ୍କଡ଼ । ଭୋଟ ପାଇଲା ପରେ ଆଉ ମୋ ଦୁଆର ମୁହଁ ମାଡୁ ନଥିବା ସେଇ ପୋଡାମୁହାଁ ନେତା ଗୁଡାକ ମାଙ୍କଡ଼ । "
ଟିକେ ଦମ୍ ନେଲା ବୁଢ଼ୀ । ଆଖି ଛଳ ଛଳ ହୋଇଗଲା ତାର । "ମୋ କଥାକୁ ଦିହକୁ ନବନି ବାବୁ । ମୁରୁଖ ନିଆଶ୍ରୀ ବୁଢ଼ୀଟେ ମୁଁ । ପଶୁଟେ ହେଲେ ବି ଇୟେ ମୋ ମନକଥା ବୁଝେ । ଚୁପ୍ କିନା ପାଖରେ ବସି ଗେଲ ହୁଏ ଓ ମୋତେ ଗେଲ କରେ । ଦିନେ ହେଲେ କାହାର କ୍ଷତି କରିନି । ମୋତେ ଲାଗେ ଭଗବାନ ମୋ ବରକୁ ୟା’ରି ଦେହରେ ଯେମିତି ପଠାଇଛନ୍ତି । "
ଦୁଃଖ ଓ ଅନୁଶୋଚନା ରେ ମ୍ରିୟମାଣ ହୋଇପଡୁଥିଲି ମୁଁ । "କାଲି ଅଫିସ ଆସ, ତୁମର ସବୁ କାମ ମୁଁ କରାଇଦେବି । ଦରକାର ପଡିଲେ ତୁମକୁ ନେଇ କଲେକ୍ଟରଙ୍କ ପାଖକୁ ଯିବି । ଆଛା, ତମ ବରଙ୍କ ନାଁ କଣ ଥିଲା ?"
ନିଜ ପିନ୍ଧା ମସିଆ ଶାଢ଼ୀର କାନିଟାକୁ ନିଜ ମୁହଁ ପାଖକୁ ଆଣି, ମାଙ୍କଡ଼ ଆଡ଼କୁ ଆଙ୍ଗୁଠି ଦେଖାଇ ଲାଜ ଲାଜ ହୋଇ କହିଲା, " ୟାରି ନାଁ; ରାମଙ୍କ ପାଖରେ ବସିଥିବା ଲାଙ୍ଗୁଡ଼ ଥିବା ଭଗବାନ । ଗେରସ୍ତ ନାଁ କ’ଣ ମୁହଁରେ ଧରନ୍ତି ?"
ଫଟ୍ କିନା ମୋ ମୁହଁରୁ ବାହାରି ପଡ଼ିଲା, "ହନୁମାନ ?"
ମୁଣ୍ଡ ଟୁଙ୍ଗାରୁ ଥିଲା ନୁଖୁରୀ ମାଉସୀ । ଭିଡ଼ ଅଧିକ ଜମା ହେଉଥିଲେ, ମାଙ୍କଡ଼ ପାଖରେ...ଓଃ, ଭୁଲ କହିଦେଲି, ଭିଡ଼ ଜମୁଥିଲା ହନୁମାନଙ୍କ ପାଖରେ । ସ୍ମିତ ହସଭରା ମୁହଁରେ ନୁଖୁରୀ ମାଉସୀ ମୋତେ ଲାଗୁଥିଲେ ଜଣେ ଅଦ୍ଵିତୀୟ ମହିଳା ଆଉ ତାଙ୍କ ପାଖରେ ବସିଥିବା ହନୁ ଲାଗୁଥିଲା ଏକ ଅବତାର । ତେବେ ସେ ଅବତାର ମଣିଷ ଅଥବା ଦେବତା, ତା'ର ଉତ୍ତର ଖୋଜୁଥିଲି ମୁଁ ।