STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ମାଦଳ

ମାଦଳ

5 mins
265


ସିଂହିଦୁଆରୁ ଗଳିମୁଣ୍ଡ ଯାଏ ପହଞ୍ଚିଲା ଭିତରେ ଭେଟନ୍ତି ଅନେକ ହସ ହସ ଆପଣାର ଭାରିଚିହ୍ନା ମୁହଁ ଟି ମାନ ।ଆଇଚୁ ।ହଉ ହଉ ଯା ।କହୁଥାନ୍ତି ।ସେଇଠୁ ଆରମ୍ଭ ।

_ଆଲୋ କଟକିଆଣୀ, କୋଉଦିନ ଆଇଲୁ ।

_ଇଆଡେ ଶୁଣୁ ,ଆ ଏଇଠି ବସ ଟିକେ ମ,କଣ ସବୁ ଖବର ।

_ଡଲିଆ ଆମର ଭଲ ଅଛି ଟି ? ଆଉ ଜୋଇଁ ଆମର ?

_କୋଉ ଯାଏ ପଢିଲୁଣି ? ଦଶମ ପାସ କଲୁଣିଟି ? "।

ଏ ପ୍ରଶ୍ନ ର ଉତ୍ତର କେବଳ ପାସ ଓ ଫେଲ ଭିତରେ ସୀମିତ ।ତା ଠୁ ବେଶୀ ଅଦରକାରୀ ।

_ ଦେହ ପା ସବୁ ଭଲଟି? ତୋ ମା ଜେଜ ସବୁ ଭଲ ଟି ?

_ ଆସେ ବା, ଯିବୁ ତ ।ବସୁନୁ ଟିକେ ।

_ ଆ ଖାଇବୁ ।ତୁ ପରା ଭଜାମାଛ ଖାଇବାକୁ ଭଲ ପାଉ ।ଆ ଗୁଣ୍ଡେ ଖୋଇଦିଏ ।

ସ୍ନେହବୋଳା କଥା ସବୁ ଇଡି ଯାଉଥାଏ ସାହି ଆରମ୍ଭ ରୁ ଯେ ଘରଯାଏ ।

ସିପ ସାମୁକା ମୁଠା ମୁଠା ।କେତେ ପ୍ରକାର, କେତେ ରଙ୍ଗର ।

କ'ଣ ତମ ବୋଉ ପରି ପନ୍ତି ପାଇ ପାଇ ଗଳି ମୁଣ୍ଡ ରୁ ଘରକୁ ଆସିବାକୁ ଘଡିଏ ଲାଗୁଛି କିଅ ଝିଅ ?ଆସ ଆସ ।ମାମୁଁ ଅନେଇଛନ୍ତି ପରା ତେଣେ ,ଖାଇବସିବ ଆସ ।

ସାହି ମଝିରେ ମାମୁଁ ଘର ।ଦି' ପଟକୁ ଲମ୍ବିଥିବା ସବୁଘରେ ମାମୁଁ, ମାଇଁ, ଅଜା, ଆଇ, ଭଉଣୀ, ଭାଇ ।ପିଣ୍ଢାକୁ ପିଣ୍ଢା ଲାଗି ଲାଗି ।ସବୁ ପିଣ୍ଢା ରେ ଡାହାଣକୁ ହଂସିଆଟେ ବାମକୁ ଖୋଲାଠଣା ଝରକାଟେ ।ସମସ୍ତଙ୍କ ଛାତ ଗୋଟିଏ ମିଶିକି ଗୋଟିଏ ।ଘରକୁ ଘର ଯିବାକୁ ଦାଣ୍ଡ କୁ ଓଲ୍ହାଇବା ଦରକାର ପଡେନି ।ଛାତରୁ ଛାତକୁ ଯ,ନହେଲେ ପିଣ୍ଢା ରୁ ପିଣ୍ଢା କୁ ।ଅଗଣା କୁ ଅଗଣା ଲାଗିଛି ।ପୁରା ମେଲା ।ବାରିପଟେ ଯା ଆସ ।ବରପାଲି ପାଇଖାନା ପଛ ସଜନା, ଆମ୍ବ ,କରଞ୍ଜ ,ପଣସ, ପୋଲାଙ୍ଗ,କରମଙ୍ଗା, ନଡିଆ, କାମିନୀ, ଡାଳିମ୍ବ, ଚାଉଳିଆ ଗଛ ଘେରରେ ।ଦାଣ୍ଡ ପଟ ମୁନିସିପାଲିଟି କଳରୁ ଘଣ୍ଟା ଦେଖି ପାଣିବୁହା ଆଉ ମଝିଅଗଣାର ଟିୱେଲ କି ବାମ୍ଫିକୂଅ ଟେ ସଦାବେଳକୁ ।ମେଲା ରେ ମାଟିଚୁଲି, କଡକୁ ଶିଳ ଶିଳପୁଆ, ଘୋରଣା ଡେରା ।ପଛକୁ ଖଡିକା, ଛାଞ୍ଚୁଣୀ ।ହରେକ ରକମ ଚଢେଇ ସହ ନାଗ, ଢମଣା ଆତଯାତ ସ୍ବଚ୍ଛନ୍ଦରେ ।ପିତଳ ଗିନାରେ ହଳଦୀ ପକା ଗିନେ ଖିର ବାରିପଟେ ନୀତି ଜଚା ।ପାତାଳ ଗରୁଡ ,ବେଲ ଗଛ ଦିଟା ସହ ଟଗର, ମନ୍ଦାର, କନିଅର, କଖାରୁ ଲଟା ।ବେଶୀ ହେଲେ ଜୁଇ କି ମଲ୍ଲୀରୁ ମୁଠେ ମଝିମେଲାକୁ ।ଦାଣ୍ଡ ପଟେ ତ ଉଚ୍ଚ ପିଣ୍ଢା ତଳକୁ ଥାକେ ପାହାଚ, ଆଉ ପାହାଚ ତଳକୁ ବିରାଟ ନଳା ।କଳା ଝରଣା ପରି କଳକଳ ।ଯାହା ପଡିବ ଭସେଇନବ, ତାର ବି ଠିକଣା ସମୁଦ୍ର ।କେତେ ପିଲେ ସେଇଠି ବସି ସକାଳ ପାଇଟି ସାରୁ ସାରୁ ଘୁମେଇପଡି ଲଥ୍ । ପଙ୍କ ଲଟପଟେ ଦି ଚାରି ହାତ ଦୂରୁ ଉଦ୍ଧାର ହୁଅନ୍ତି ଘୁଅ ସରସର ଦେହରେ ।କୁକୁର ପିଲା ତ ଦଶ ଥର ପଡନ୍ତି ।ମେଲା ମୁହାଁ ହେତୁ ଯା ଆସ ସାଇକଲ ବି ଅସାବଧାନେ ସ୍ବପତିତ ହୋଇ ବିକଳ ହନ୍ତି ।କିନ୍ତୁ ସେଇ ନଳା ଉଝଳା ଦିନ ସବୁ ମାଇପେ ଓଢଣା ଫାଙ୍କ ଦେଇ ବାହାରେ ।କାହାର କାନଫୁଲ, ନାକଫୁଲ, କାହାର ଝରାଝୁମ୍ପା କି ମୁଦି, ଅଣ୍ଟା ସୂତା ମିଳେ ସାତତଳ ପଙ୍କତଳୁ ସାଇତା ଦରବ ପରି ।

ଆମ ଦାଣ୍ଡ ପଟ ପିଣ୍ଢାରେ ପଟ୍ଟଚିତ୍ର ନୃସିଂହନାରାୟଣ,ମୁଷିମାମୁଁ ଘରେ ମଙ୍ଗଳା,ଛୋଟା ମାମୁଁ ଘରେ ନାରାୟଣୀ, ଅନ୍ତ ମାମୁଁ ଘରେ ଭଗବତୀ, ଦେଉଳକରଣେ ଙ୍କ ଘରେ ମହାବୀର, ମଝିମାଆ ବାପ ଘରେ କଲ୍ଯାଣୀ,କାଳିଆ ଘରେ ଅନନ୍ତବାସୁଦେବ ଆମ ସାହିକୁ ଏକାଠି ରଖି ଘଣ୍ଟ ଘୋଡେଇଥାନ୍ତି ।

ବାବୁଲି ବୋଉ ଆଉ ବିପରଭାଇନା ଙ୍କ ଘର ସ୍ପେସାଲ ଇଟିଲି, ଚପ, ସିଙ୍ଗଡା, ପିଆଜି, ଦକ୍ଷିଣୀବରା, ଦି ପ୍ରକାର ଗଞ୍ଜାମ ଛୁଙ୍କ ତରକାରୀ, ଗୋଟେ ଧଳା ଗୋଟେ ଲାଲି ଆଉ ଘୋଟା ଲଙ୍କା ରଙ୍ଗ ଗୋଟେ ଜହର ରାଗ ଢଙ୍କପାଣି ତରକାରୀ ହେଲା ଆମ ସାହିର ସୁଆଦିଆ ବାସ୍ନା ।

ସବୁ ପର୍ବ, ସବୁ ଦରବରେ ଏକାଠି ।ଏମୁଣ୍ଡୁ ସେମୁଣ୍ଡ ଗୋଟିଏ ଘର ଯେମିତି ।ମଝି ସାହିରେ ରଜ, କୁଆଁର ପୁନେଇଁକୁ ଖଟ ପକେଇ ନିଜ ପିଲେ,ନିଜେ ଚିତ୍ରାଳୟ, ନିଜ ନିର୍ଦ୍ଦେଶନା ନା ପୌରାଣିକ ବହିର ଅଭିନୟ ।ପୁରା ସାହିରେ ସମସ୍ତଙ୍କ ଦୁଆର ମୁକୁଳା, ଦୁଆରଦିଆ ସଂସ୍କୃତି ନାହିଁ ।ଯାହାର ଟିକେ ସ୍ବଚ୍ଛଳ ତାଙ୍କର ଆଜବେଷ୍ଟସ ଆଗପଟ ବା ବେଶୀରୁ ବେଶୀ ପଛପଟ ଦିବଖରାର ଏକତାଲା ଟେ । ଆଗ ପଟ କିନ୍ତୁ ସମସ୍ତଙ୍କର ନୁଆଣିଆ ଚାଳ ।ଗୋଟିଏ ପରିବାର ହେଇଚଳନ୍ତି, ପଡ ଅପଡ ଲାଗିଥାଏ ।ଜଗନ୍ନାଥେ ଚାହିଁଥାନ୍ତି ।

ଏ ସଭିଁଙ୍କ ସହ ଆଉ ପଲେ ବି ଏକାଠି ଚଳପ୍ରଚଳ ହେଉଥାନ୍ତି ଅବାଧ ।ନାଲାମୁହାଁ ପାତି ,ପିଲାକବଚା ଧରି ଥରକେ ଦଶରୁ ତିରିଶି ସେପାରେ ।ଏକ,ଦୁଇ, ତିନି..... ତମେ ଗଣୁଥିବ ସିଏ ଯାଉଥିବେ ।ତାଙ୍କୁ ନେଇ ଆମ ସାହି ଯାକ ଗପ ଘରେ ଘରେ ନେସା ।କାହା ଜନମ ଛୁଆ ହଳଦୀ କଳା ନଗେଇ କୁଲାରେ ଖରା ପୁଁ ଥିଲା, କାଖେଇ ନେଇଗଲାଣି ତ କାହା ସାହାଣମେଲା ଥାକରୁ ସବୁ ଖାଦ୍ଯ ଦରବ ଶେଷ ତ କାହା ମୁଣ୍ଡ ରୁ ନିଖଉଙ୍କୁଣି ଅଗରେ ବଛା କାମ ବି ୟାଙ୍କର ।ଗଳିମୁଣ୍ଡ ଠି ଥିବା ମଶାଣି ମହାବୀର ତାଙ୍କ ଦଳପତି, ତାଙ୍କ ମାଲିକ ।ତେଣୁ ସେମାନଙ୍କ ଲାଞ୍ଜ ରେ କେହି ହାତ ମାରନ୍ତିନି ।ଏକ ରକମ ସେମାନେ ବି ଘର ଲୋକ ।ପଞାଟେ ଏପାଖ ସେପାଖ ନଦିଶିଲେ ଖାଲି ଖାଲିଆ ଲାଗେ ।

ସେଦିନ ରବିବାର ହେଇଥାଏ ।ସକାଳୁ ଉଠି ଏଇ ଆମ ପାତି ପଲ ଧାଡିମାରି ଚାଲିଥାନ୍ତି ।ସବୁଆଡେ ସବୁ ସବୁଦିନିଆ ସାଧାରଣ ସ୍ଥିତିରେ ଗତି କରୁଥାଏ, ହଠାତ୍ ଚେଁ ଚେଁ ଚେଁ ଶବ୍ଦ ରେ କାନ ଅତଡା ପଡିଲା ।ହେଲା କ'ଣ ବୋଲି ସମସ୍ତେ ଯେଝା ପିଣ୍ଢା କୁ ବାହାରି ଆସି ଦେଖନ୍ତି ଗୋଟେ ଚିଆଁ ମାଙ୍କଡ ଏଇ ଏବେ ନୂଆ କରି ଲାଗିଥିବା ବିଦ୍ଯୁତ୍ ତାର,କେବୁଲୁ ତାର, ସାମ ଆଣ୍ଟିନା ଗୋଲେଇ ଛତା ମଝାମଝି ଟାଙ୍ଗିହେଇକି ଥରଥର ଝୁଲୁଛି । ହାଇପାୱାର କରେଣ୍ଟ ମାରିଦେଇଛି ।ଓଃ ।ଆଉ ସବୁ ତକ ତାକୁ ଦୁରେଇ ଦୁରେଇ ଘେରି ବସିଛନ୍ତି ସତ କିନ୍ତୁ ଲୁହ ବୋଲ ମାନୁନି ।ତହିଁରେ ଗୋଟିଏ ଦିଟି ମାଙ୍କଡ ଖାଲି ବିକଳ ହେଇ କୁଦୁଥାନ୍ତି ଏ ଚାଳରୁ ସେ ଚାଳ , ବୋଧେ ତାର ଅତି ପ୍ରିୟ କିଏ ।ହୋଇପାରେ " ମାଆ " ।

ମାଆ ମାନଙ୍କର ବିକଳ ବୋଧେ ସବୁ କାଳେ ଗୋଟିଏ ।

ଲୋକେ ଇଲେଟ୍ରିଅଫିସ ରେ ଖବର ଦେଇ ସେମାନେ ଆସି ଲାଇନ କାଟି କଣ ସବୁ କଲାବେଳକୁ ତା କାମ ବଢିଯାଇଥାଏ ।ସିଏ ଲଥ୍ କି ଖସିପଡିଲା ତଳେ ।ଦଳକ ଘେରା ମାଙ୍କଡ ମାନେ ତାଙ୍କ ଉତ୍ପାତିଆ ମାଙ୍କଡାମୀ ସବୁ ପାଶୋରି ପୁରାଦିନ ଭୋକଶୋଷରେ ସେମିତି ବସିଥାନ୍ତି ,ଈଡୁଥାନ୍ତି ନୀରବେ ଲୁହଧାର ।ସାହି ରେ ବି କା' ଘରେ ଚୁଲିରୁ ବିଲେଇ ଉଠି ନଥାଏ ।ବାଡଭାଇ ସବୁ ଏକାଠି ହେଇ ହିଞଳଜେଗାରେ ଗାତ କରି ସସମ୍ମାନେ ତାର ଶୁଦ୍ଧିକ୍ରିୟା ସାରିଲେ ।

ମହାବୀରିଙ୍କ ଠି ସାହିବାଲାଏ ଭୋଖରାଗ ଲଗି କଲେ ଏମାନଙ୍କ ସୁରକ୍ଷା ନେଇ ।ଏଇନେ ସେଇ ତାର ସିନା ସେ ମାଙ୍କଡ ପିଲାଠି ଲାଗିଲା, ଆଉ କାହାଠି ନ ଲାଗିଥାନ୍ତି କିଏ କହନ୍ତା ।ରିଷ୍ଟ କଟିଲା ।


ସୋମବାର ସକାଳୁ ଭୁବନେଶ୍ବର ଅଫିସ୍ ପାଇଁ ବାହାରିଲି ।ମନଟା ଖରାପ ଲାଗୁଥାଏ ।ସକାଳୁ ଗୋଟେ ବି ମାଙ୍କଡ ସେଦିନ ଦିଶୁ ନଥାନ୍ତି ।ଭାରି ଗୁମ ସୁମ ଥାଏ ସାହି ।ସମସ୍ତେ ସମସ୍ତଙ୍କୁ ଚାହୁଁ ଥାନ୍ତି ହେଲେ କଥା ସ୍ପୁରୁ ନଥାଏ ।

ବସ ଚାଲିଲା ।କଳ୍ପନା ରେ ଓଲ୍ହେଇ ରାମମନ୍ଦିର ଛକ ପାଇଁ ଟାଉନ ବସ ଧରିବାକୁ ରାସ୍ତା ପାରିହେଉଛି, ନଜର ପଡିଲା ଜଣେ ଷାଠିଏ ସରିକି ବୟସ ହବ ବୃଦ୍ଧ ଧଳା କାମିଜି ଧୋତି ପିନ୍ଧି ଥାନ୍ତି ।ବାପା ବାପା ପରି ଲାଗିଲେ ।ବୈଶାଖ ମାସ ,ହଂସା ଉଡା ଖରା ,ମୁଣ୍ଡ ଫାଟିଯାଉଥାଏ ।ଏତେ ଖରା ରେ କୁଆଡେ କୋଉ କାମରେ ଏ ଭଦ୍ର ବ୍ଯକ୍ତି ଆସିଥାନ୍ତି ଭାବୁଥାଏ ।ସେ ବି ବୋଧେ କୁଆଡେ ଯିବାକୁ ବସ ଆସିବାକୁ ଚାହିଁ ଥାନ୍ତି କି କ'ଣ ।ରାସ୍ତା ରେ ନଜର ।ସେପଟୁ ମୋ ବସ ଆସିଲା ।ମୁଁ ହାତ ଦେଖେଇ ଆଗଉଛି ଦେଖିଲି ସେ ଭଦ୍ର ବ୍ଯକ୍ତି ମୋ ଠୁ ଛ ହାତେ ଛାଡିକି ଗଛ କାଟିଲା ପରି ଧଡାସ କି ମାଟିଉପରେ ଖସି ପଡିଲେ ।ମୋର ଗୋଟେ ପାଦ ତେଣେ ବସ ପାହାଚରେ ।କଣ୍ଡକ୍‌ଟର ଚିଲଉଛି ଚଡ୍ ଚଡ୍ ।ଚଢିଗଲି ସିନା ଦୋଷୀ ଦୋଷୀ ଖାଲି ଲାଗିଲା ।ପାପଭାରଟା ଗୋଡେଇଲା ।ବସଟା ସେଇଠି ଠିଆ ହେଲା ଟିକେ ସମୟ କାଳେ ଆଉ କିଏ ଚଢିବ ବୋଲି ।ଏ ଭିତରେ ଅଫିସ୍ ରୁ ଦି ଥର ଫୋନ୍ ଆସିଲାଣି ଡେରୀ କଲିଣି ବୋଲି ।ଯାନବାହନ କି ମନ, ଶରୀର କୌଣସି ତ୍ରୁଟି ପାଇଁ ସମୟ ଦାୟୀ ନୁହେଁ, ତମେ ଉଡିକି ଆସ ,ଘୋଡା ଚଢିକି ଆସ ସମୟ ରେ ପହଞ୍ଚିବ ନହେଲେ ତମେ ଠକ ନିଶ୍ଚିତ ।

ବସ ର ଅଣଓସାର ଝରକାରୁ ନଇଁ ଅପରାଧ ବୋଧ ଓଜନରେ ଅନେଇଦେଖିଲି ସିଏ ସେମିତି ସେଇଠି ପଡିଥାନ୍ତି ।ତାଙ୍କ ଚାରିପଟେ ଏତେ ଲୋକ ଚାଲବୁଲ କିନ୍ତୁ ବେଖାତିର୍ ।କେହି ଚାହୁଁ ବି ନଥାନ୍ତି, ଉଠେଇବା, ସେବା କରିବା, ଚେତାଫେରାଇବା, ତ ଦୂରର କଥା ।

"ଏମିତି କେମିତି ମଣିଷ ସବୁ " ଭାବୁ ଭାବୁ ବସ ଛାଡିଦେଲା ପେଁ କିନା ହର୍ଣ୍ଣ ବଜେଇ ।

ମୁଁ କୋଉ ଭଲଟେ ଯେ, ମୁଁ ସିନା ଖାଲି ଭାବିଲି ।ଆଉ କଲି କଣ ? ମାଙ୍କଡଙ୍କ ଠୁ ବି ହୀନ ।

ଚଳମାନ ବସ ଟିରେ ମତେ କିନ୍ତୁ ଲାଗୁଥିଲା ମାଦଳ ପରି ,ଯାହାର ହାତ ନାହିଁ କି ଗୋଡ ନାହିଁ ।ଯାହା ଖାଲି ଜଳଜଳ କି ଚାହୁଁଛି ।



Rate this content
Log in

Similar oriya story from Action