STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ମାଆ ଓ ମମତା

ମାଆ ଓ ମମତା

3 mins
190


   ଉଦୁଉଦିଆ ଖରା ବେଳଟା। ଜଳନ୍ତା ନିଆଁର

ସେକ ପରି ଲାଗୁଛି ଦେହକୁ। ତତଲା ଝାଞ୍ଜି ପବନ

ବେଳେ ବେଳେ ବହି ଆସି ଗଦେଇ ଦେଉଛି ଅଗଣାରେ ଶୁଖିଲା ପତର ଛିଡା଼ ଜରି ଟୁକୁରା କାଗଜ

ଏମିତି କେତେ କଣ, ପୁଣି ତା ସାଥୀରେ ଧୂଳି ବାଲି

ଘର ଚାରିପାଖ ଅସନା କରି ପକାଉଛି। ଏ ଅଳିଆ

ଆବର୍ଜନା ସଫା କରିବାକୁ ଓଳିଏ ସମୟ ଯିବ।

    ରାସ୍ତା ଖାଁ ଖାଁ, ଯିବା ଆସିବାକୁ ଲୋକ ନାହିଁ।

ଏ ପ୍ରଖର ଖରାକୁ ଦେଖି ସବୁ ହୁସିଆର।

    ବାଡି଼ ପଟ ଆମ୍ଵ ଗଛ ମୂଳରେ ତନ୍ମୟ ଆଉ

ତାର କେଇଟା ସାଙ୍ଗ। ଖରାକୁ ତାଙ୍କର ଜମାରୁ

ଖାତିର ନାହିଁ। ପବନ ବହିଲେ ଖସି ପଡୁଛି ଭୁଟ୍

ଭାଟ୍ ପାଚିଲା ଆମ୍ଵ। ଗୋଟାଇ ନେଇ ସବୁ ବାଦୁଡି଼

ପରି ଚୁସି ଯାନ୍ତି ସେମାନେ। ଟାକୁଟାକୁ ଫିଙ୍ଗି ଦିଅନ୍ତି ଇଆଡେ ସିଆଡେ।

    ତନ୍ମୟ... ତନ୍ମୟ..., ଡାକ ଶୁଭିଲା। ଜଣେ

କହିଲା... ଏୟ୍, ତନ୍ମୟ ତୋ ବାପା ଡାକୁଛନ୍ତି, ଯା

ଆମେ ପଳାଉଛୁ, ସେ ଆସିଲେ ଆମର ଦମା ନିକାଲି ଦେବେ। ସବୁ ଦୌଡି଼ ପଳାଇଲେ।

     ତନ୍ମୟ ବି ଘରକୁ ଆସୁଥାଏ ଅତି ସତର୍କରେ,

କାଳେ ବାପା ତାର ବାଡେଇବେ ତାକୁ। ତେଣୁ

ଅପରାଧୀ ପରି ଡରି ଡରି ପାହୁଣ୍ଡ ପକାଉ ଥାଏ

ଆଗକୁ...

   ଏ କଣ...ତା ବାପ ତ ବାରଣ୍ଡାର ତକ୍ତପୋସ୍

ଉପରେ ବସିଛନ୍ତି। ଭଲା ଅଡୁଆରେ ପଡି଼ଲା ସେ।

କୁଆଡେ ଯିବ ସେ, ତାକୁ ଲାଗୁଥାଏ ବାଘ ହାବୁଡ଼ରେ ପଡି ଗଲା ପରି। ସେ ଜାଣେ ତା' ବାପାଙ୍କ ରାଗ।

ମନେ ମନେ ଭାବୁଥାଏ ବାପା ତ ରାଗିଲେ ନିଆଁ।

କେମିତି କଣ କରି ମୁକୁଳିବ ଆଜି।

    ତନ୍ମୟ ପଞ୍ଚମ ପାସ କରି ଏଥର ଷଷ୍ଠକୁ ଯିବ।

ଚାଷୀ ଘର ପିଲା। ଭାରି ଅଝଟ ଆଉ ଦୁଷ୍ଟ। ପାଠ' ଠୁ ତା ବସ୍ତାନି ବେଶି। କିନ୍ତୁ ଭାରି ଚତୁର। ବାପା ମାଆର ଆଖିରେ ଧୂଳି ଘରୁ ଖସି ଯିବାରେ ଧୂରନ୍ଧର।

    ବାପା ଏଣେ ରାଗରେ ପଞ୍ଚମ। ହାତରେ ପାଞ୍ଚଣ

ବାଡି଼। ବାଡେଇଲେ ସେ ଆଖି ବୁଜି ବାଡାନ୍ତି। ତେଣିକି ପିଠି ଫାଟୁ କି ମୁଣ୍ଡ ଫାଟି ରକ୍ତ ଝରୁ।

     ଏମିତି ମାଡ଼ ସେ ଦି ତି ଥର ଖାଇଛି। ହେଲେ

କଣ ହେବ ସେ ନଛୋଡବନ୍ଧା। ମାଡ଼ ଖାଇ ବହେ

ସକେଇ ସକେଇ କାନ୍ଦେ, ପୁଣି କିଛି ସମୟ ପରେ

ଯେଇ କୁ ସେଇ। ସୁଧୁରିବାର ଲକ୍ଷଣ ଦେଖିବାକୁ

ମିଳେନି। 

     ବାପା ତାର ତାଗିଦ୍ କରି ଦେଇଥିଲେ। ଏ

ଖରାବେଳରେ ଜମାରୁ ପଦାକୁ ଗୋଡ଼ କାଢିବୁନି

ବୋଲି, ସେ କଣ ମାନିବା ପିଲା ଯେ ମାନିବ...।

    ମୁଣ୍ଡ ପୋତି ତନ୍ମୟ ଘର ପାଖ ହେବା ବେଳକୁ

ମାଆ ତା ବାହାରି ଆସିଲା କବାଟ ମେଲି। ବାପା

ତାକୁ ଧରି ପିଟିବା ଆଗରୁ ସେ ଦୌଡି ଯାଇ ମାଆକୁ ଜାବୁଡି ଧରିଲା, ତା ପଣତ ଭିତରେ ଲୁଚି ଗଲା।

    କେଜାଣି କଣ ହେଲା। ବାପା ତାର ଆଉ ତାକୁ ବାଡେଇଲେନି କେବଳ ରାଗରେ ଗର୍ଜି କହିଲେ

ଆଉ କେବେ ଏମିତି ଯାଇଥିବୁ ତୋ ଗୋଡ଼ ଦୁଇଟା

ଭାଙ୍ଗି ଦେବି। ଚାଲି ପାରିବୁ ନା ଯିବୁ।

     ମାଆ ତାକୁ ଘର ଭିତରକୁ ନେଇ ଗଲା, ଥଣ୍ଡା

ପାଣିରେ ମିଝି ବାହାରେ ହାତ ଗୋଡ଼ ତାର ଧୋଇ

ଦେଲା। ତା ପଣତରେ ମୁହଁ ପୋଛୁ ପୋଛୁ ମାଆ

କହିଲା... ଦେଖ୍ ନା, ମୁହଁଟା ତୋର କେମିତିକା କଳାକାଠ ପଡିଗଲାଣି। କେଡେ ସୁନ୍ଦରିଆ ମୁହଁଟା।

ଡଉଲଡାଉଲ ଚେହେରା, ରାଜାଘର ଛୁଆ ପରି।

ମୋ ବାପାଟା ପରା, ମୋ ଧନ। ଆ..କହି ମାଆ

ନେଇ ଗଲା ଖଟକୁ। ଏବେ ଶୋଇ ପଡ଼,ମୁଁ ତୋତେ ଏଇ ଦହି ସରବତ ପିଆଇ ଦେଉଛି।

    ମାଆ କୋଳରେ ବସି ତନ୍ମୟ ଢକ ଢକ କରି

ଏକ ଗ୍ଲାସ୍ ଦହି ସରବତ ପିଇ ଦେଲା। ବିଛଣାରେ

ଗଡି଼ ପଡି଼ଲା ଶୋଇବ ବୋଲି ଆଖି ବୁଜିଲା। ତାର

ଆଖିକୁ ନିଦ ଆସିଲା ନାହିଁ।

     ମନେ ମନେ ଭାବିଲା ବାପା ତ ଠିକ୍ କହୁଛନ୍ତି।

ସେ ମାନୁନି, ଦୁଷ୍ଟ ହେଉଛି। ଆଉ ତାର ମାଆ କେତେ ଭଲ। କେତେ ଗେଲ କଲା। ସବୁଦିନ ତ ମାଆ ତାକୁ ଏମିତି ଗେଲ କରେ କିନ୍ତୁ ଆଜି ତାକୁ ତାର ସେ ଗେଲ ସ୍ନେହ ବୋଳା କଥା କୋଳରେ ବସାଇ ସରବତ ଖୁଆଇବା ସବୁ ଏତେ ଭଲ ଲାଗିଲା କେମିତି ଗୋଟିଏ ଅତି ଭଲ, ହୃଦୟକୁ ତାର ତରଳ କରି ଦେଲା ପରି ଲାଗିଲା। ସତରେ ସାର୍ ତାଙ୍କର ଶ୍ରେଣୀରେ ବୁଝାଉ ଥିଲେ ମାଆ ଆଉ ମାଆର ମମତା ସାରା ଜଗତରେ ନାହିଁ। ମାଆର ମମତା ଅମୃତମୟ।

ମାଆ ହିଁ ସାହା ଭରସା। ଆଜି ବାପଙ୍କଠାରୁ ମାଡ଼

ଖାଇବା ନିଶ୍ଚିତ ଥିଲା। ମାଆ ପାଇଁ ସେ ରକ୍ଷା ପାଇଲା।

    ନିଜକୁ ନିଜେ ଦୋଷୀ ମନେ କଲା। ବାପା

ବୁଝାଉଛନ୍ତି। ସେ ନ ବୁଝି ଅଝଟ ଦୁଷ୍ଟ ହେଉଛି ବୋଲି ତ ମାଡ଼ ଖାଉଛି। ତା ବାପା ବି ବହୁତ ଭଲ। ତାର ଭଲ ପାଇଁ ବୁଝାଉଛନ୍ତି। ପଢିବାକୁ କହୁଛନ୍ତ।

    ମାଆର ଆଖି ଲୁହ ତାକୁ ଭଲ ଲାଗିଲା ନାହିଁ,

ଯେତେବେଳେ ସେ ସରବତ ପିଉଥିଲା ସେ ଦେଖିଥିଲା ତା ମାଆ ଆଖିରେ ଲୁହ। ତା କଥା ଭାବି ନିଶ୍ଚୟ କାନ୍ଦିଛି। ସେ ମାଆକୁ ତାର ଦୁଃଖ ଦେଲା।

କି ପୁଅ ସେ...ନିଜକୁ ନିଜେ କହି ହେଲା ମନେ ମନେ।

    ଏଣିକି ତନ୍ମୟ ଦୃଢ ସଂକଳ୍ପ କଲା, ସେ ଭଲ

ହେବ, ସଭିଏଁ କହିବେ ଯେମିତି ତାକୁ ସୁନା ପିଲା।

ସତରେ ମାଆ ଓ ମମତା ନିଆରା। ସେ ମମତାରେ

ତନ୍ମୟ ପରି ଦୁଷ୍ଟ ବି ବଦିଳି ଯାଇ ପାରେ...

     ମାଆ ଆସି ତା ପାଖରେ ବସି ତାକୁ ଆଉଁସି

ଦେଉଥିଲା, ଶୋଇ ଯାଇଛି ଭାବି ହାତରେ ଛୁଇଁ

ପପି ଦେଲା। ତନ୍ମୟ ଆଖିରୁ ଝରି ଝଲା ଲୁହ,

ସେ ଲୁହ ନ ଥିଲା ଥିଲା ମାଆର ମମତା...।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract