Arjuni charan Behera

Classics Others

3  

Arjuni charan Behera

Classics Others

ମାଆ ଜୟଚଣ୍ଡୀ

ମାଆ ଜୟଚଣ୍ଡୀ

4 mins
156


ଯାଜପୁର ଜିଲ୍ଲାର ପୂର୍ବ ଦିଗରେ ଶେଷ ପଞ୍ଚାୟତ କୟାଁ l କୟାଁ ସୀମାକୁ ପୂର୍ବପଟେ ସାଳନ୍ଦୀ ନଦୀ l ଉତ୍ତର ପଟେ ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି l ଏ ନଦୀ ସବୁ ପାରି ହେଲେ ସେପଟକୁ ଭଦ୍ରକ ଜିଲ୍ଲା l ଏହା ଏକ ବିସ୍ତୃତ ଅଞ୍ଚଳ l ଚୋଉ ଦିଗରେ ବଡ଼ ବଡ଼ ଦିଗନ୍ତ ବିସ୍ତାରୀ ଭେଡ଼ା l ଏହି ଭେଡ଼ା ମଧ୍ୟରେ ଇଟାପଡ଼ା, ମଲ୍ଲୀପୁର, କେଳାଙ୍ଗ, ଗୁଣ୍ଠୁଣିପଡ଼ା, ଇଚ୍ଛାପୁର,ଦରଭା,ସଇମାଡ଼ ଇତ୍ୟାଦି ଗ୍ରାମମାନ ଅବସ୍ଥିତ l ଗ୍ରାମ ଗୁଡ଼ିକ ପରସ୍ପର ଠାରୁ ଭେଡ଼ା ମଧ୍ୟରେ ବହୁଦୂରରେ ଅବସ୍ଥିତ l ଏ ଭେଡ଼ା ଗୁଡ଼ିକ ଭିତରେ ବାଉତରା,ଘଇତା ମାରିପାଟ ବହୁ ଜଣାଶୁଣା l ପୂର୍ବେ ଏହି ଆଖି ପାଉନଥିବା ଭେଡ଼ା ମଧ୍ୟ ଦେଇ ଲୋକେ ଚାଲି ଚାଲି ଆଖଣ୍ଡଳ ମଣିଙ୍କ ଦର୍ଶନରେ ଯାଉଥିଲେ l ସାଳନ୍ଦୀନଦୀ ଘାଟ କୟାଁ ଗୋଲା ନିକଟରୁ ଦିଗବଳୟରେ ଆଖଣ୍ଡଳମଣିଙ୍କ  ମନ୍ଦିରର ଚୁଡ଼ା ପରିଦୃଶ୍ୟ ହେଉଥିଲା l ଏ ଅଞ୍ଚଳ ବୈତରଣୀ, ବ୍ରାହ୍ମଣୀ, ଖର ସ୍ରୋତା ଏବଂ ଏହାର ଶାଖା ନଦୀ ମାନଙ୍କ ତ୍ରିକୋଣଭୂମୀ ଅଞ୍ଚଳ ହୋଇ ଥିବା ହେତୁ ପ୍ରତି ବର୍ଷ ଏ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ହୁଏ l ଏଣୁ ଗ୍ରାମଗୁଡ଼ିକ ଗୋଟିଏ ଗୋଟିଏ ବଡ଼ କୁଦ ଉପରେ ପ୍ରତିଷ୍ଠିତ l ଗ୍ରାମଗୁଡ଼ିକ ଭେଡ଼ା ମଧ୍ୟରେ ସମୁଦ୍ର ଭିତରେ ଗୋଟିଏ ଗୋଟିଏ ଦ୍ୱୀପ ଭଳି ପ୍ରତୀୟମାନ ହୁଏ l ଏହି ଭେଡ଼ା ଅଞ୍ଚଳ ମଲ୍କି ପୁର ଗାଁ ନିକଟରେ ବିଜେ କରିଛନ୍ତି ରହସ୍ୟମୟୀ ମାଆ ଶ୍ରୀ ଜୟଚଣ୍ଡୀ l

କୟାଁଗୋଲା 10/12 କିଲୋମିଟର ଆଗରୁ ପଡ଼େ ମଙ୍ଗଳପୁର ବଜାର l ଆଖ ପାଖର ପ୍ରାୟ 5/6 ଟି ପଞ୍ଚାୟତର ଲୋକେ ମଙ୍ଗଳପୁର ବଜାର ଉପରେ ନିର୍ଭର କରି ଚଳନ୍ତି l ଥରେ 2002 ମସିହାରେ ଘଟଣା କ୍ରମେ ମଙ୍ଗଳପୁର ଏଲ୍ଲାହାବାଦ ବ୍ୟାଙ୍କର  ରିଲିଫ କାର୍ଯ୍ୟରେ ଯାଇଆମେ ପହଞ୍ଚିଲୁ ମଲ୍ଲିପୁର ଗ୍ରାମର ଶ୍ରୀପଣ୍ଡାବାବୁଙ୍କ ଘରେ l ଭଦ୍ରଲୋକ ଆମ ବ୍ୟାଙ୍କର ଜଣେଗ୍ରାହକ ଓ କଲିକତାରେ ଶିକ୍ଷକତା କରନ୍ତି l ପଣ୍ଡାବାବୁଙ୍କ ପରିବାର ମା' ଜୟଚଣ୍ଡୀଙ୍କ ପୂଜକ l ସେ ପର୍ଯ୍ୟନ୍ତ କିଛି ଜାଣି ନଥିବା ମାଆଙ୍କ ବିଷୟରେ ବହୁ ଅଲୌକିକ କଥା ତାଙ୍କଠୁଁ ଶୁଣିଲୁ ଏବଂ ପରେ ଅନୁସନ୍ଧାନ କରି ମାଆଙ୍କ ଏଠାରେ ଆବିର୍ଭାବ, ଅବସ୍ଥାନ ଓ ମହିମା ବିଷୟ ଅବଗତ ହେଲୁ l ମାଆଙ୍କ ଇତିହାସ ଥିଲା ଏହିପରି l ମା' ଜୟଚଣ୍ଡୀଙ୍କ ପୀଠ ମଲ୍ଲିପୁର ଗ୍ରାମ ନିକଟରେ ବୈତରଣୀ- ସାଳନ୍ଦୀର ତ୍ରିକୋଣ ଭୂମି ଅଞ୍ଚଳରେ ଅବସ୍ଥିତ l ବିରଜା ଓ ଆଖଣ୍ଡଳମଣି ପୀଠର ଠିକ ମଧ୍ୟବର୍ତ୍ତୀ ଅଞ୍ଚଳ l ମା' ଜୟଚଣ୍ଡୀ ଥିଲେ ଖୋର୍ଦ୍ଧା ରଥିପୁର ଗଡ଼ର ଅଧିଷ୍ଠାତ୍ରୀ ଦେବୀ l ଗଜପତିଙ୍କ ଅଧୀନ ଏହି ଗଡ଼ର ଶାସନକର୍ତ୍ତା ଥିଲେ ଚୌଧୁରୀ ଝାମ୍ପୁଲା ସିଂହ l ପ୍ରାୟ ଅଠରଶ ମସିହାର କଥା l ଖୋର୍ଦ୍ଧା ଗଜପତି ଝାମ୍ପୁଲା ସିଂଙ୍କୁ ଆଦେଶ ଦେଲେ ତୁମେ ଯାଜପୁରର ତଳିଆ ଅଞ୍ଚଳକୁ ଯାଇ ତୁମର ରାଜ୍ୟ ସ୍ଥାପନ କର l ଝାମ୍ପୁଲା ମାଆ ଜୟଚଣ୍ଡୀଙ୍କୁ ବହୁତ ଭକ୍ତି କରୁଥିଲେ l ସେ ରାଜ୍ୟ ସ୍ଥାପନପାଇଁ ଆସିଲା ବେଳେ ସୈନ୍ୟସାମନ୍ତ,ପାରିଷଦ ମାନଙ୍କ ସହିତ ସାଥିରେ ଦେବୀଙ୍କୁ ନେଇଆସି ମଙ୍ଗଳପୁର ନିକଟବର୍ତ୍ତୀ ଦୁବକଣ ଠାରେ ସ୍ଥାପନା କରି ବସତି ସ୍ଥାପନ କଲେ l ସେ ସ୍ଥାନଟି ବୈତରଣୀ-ଗେଙ୍ଗୁଟି ନଦୀର ସଙ୍ଗମସ୍ଥଳ ନିକଟବର୍ତ୍ତୀ l ତାଙ୍କ ରାଜ୍ୟର ସୀମା କନିକାରାଜ୍ୟ ସୀମା ପର୍ଯ୍ୟନ୍ତ ବ୍ୟାପ୍ତଥିଲା l କାଳକ୍ରମେ କନିକା ରାଜାଙ୍କ ଲୋଲୁପ ଦୃଷ୍ଟି ତାଙ୍କ ରାଜ୍ୟ ଉପରେ ପଡ଼ିଲା l ସେ କେତେକ ଅଞ୍ଚଳକୁ ଜବରଦସ୍ତ ମାଡ଼ିବସିଲେ l ତାଙ୍କ କବଳରୁ ନିଜର ରାଜ୍ୟକୁ ଉଦ୍ଧାର କରିବାକୁ ଝାମ୍ପୁଲା କନିକାରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣାକଲେ ଏବଂ ଦୁଇରାଜ୍ୟ ମଧ୍ୟରେ ଘମାଘୋଟ ଯୁଦ୍ଧଲାଗିଲା l ଝାମ୍ପୁଲା ଯୁଦ୍ଧ ଜୟ ପାଇଁ, ମାଆଙ୍କୁ ପ୍ରାର୍ଥନା କଲେ l ସ୍ୱପ୍ନାଦେଶ ଦେଇ, ମାଆ ତାଙ୍କୁ ଅଭୟ ଦେଲେ ଓ ସାଙ୍ଗରେ ଯୁଦ୍ଧକୁ ଯିବାକୁ କହିଲେ l ଯୁଦ୍ଧରେ ଝାମ୍ପୁଲା ଜିତି ଶେଷରେ ଦୁଇ ରାଜ୍ୟ ମଧ୍ୟରେ ପଥର ଗଡ଼ା ସନ୍ଧି ସ୍ଵାକ୍ଷରହେଲା l ପଥରଗଡ଼ା ଏବେକା କେନ୍ଦ୍ରାପଡ଼ା ଜିଲ୍ଲାର ନିଶ୍ଚିତପଥରଗଡ଼ା ଗ୍ରାମ ରୂପେ ପରିଚିତ l ଶୁଣା ଯାଏ, ସେଠାରେ ଏହି ଯୁଦ୍ଧ ଓ ସନ୍ଧି ବିଷୟ ଏକ ଶିଳାଲେଖରେ ଉତ୍କୀର୍ଣ୍ଣ ହୋଇ ରହିଛି l ଦୁଇ ରାଜ୍ୟ ମଧ୍ୟରେ ଏ ଲଢ଼େଇ କଥା ଲୋକ ମୁଖରେ ଶୁଣାଯାଏ :-

   ଖପରା ତାତିଲା, ଝାମ୍ପୁଲା ମାତିଲା 

      ବୟାଙ୍ଗ ପଡ଼ିଲା ହୁରି l

   ଆଉ ଯଦି ବେଳ ଟିକିଏ ଥାଆନ୍ତା 

      କନିକା ଥାଆନ୍ତା ତଡ଼ି ll

ବୟାଙ୍ଗ ବୈତରଣୀ ନଦୀର ତଟବର୍ତ୍ତୀ ଏକ ଗ୍ରାମ ଯେଉଁଠି ଏହି ଯୁଦ୍ଧ ହୋଇଥିଲା l ମାଆଙ୍କ ଆଶିର୍ବାଦରୁ ଝାମ୍ପୁଲା ଏହି ଯୁଦ୍ଧରେ ଜୟ ଯୁକ୍ତ ହୋଇ ଥିବାରୁ କ୍ରମେ ଦେବୀଙ୍କ ନାମ ହେଲା ଜୟଚଣ୍ଡୀ l ନିଜ ଉଆସରେ ରଖି ପୂଜା କରୁଥିବା ଦେବୀଙ୍କୁ ଝାମ୍ପୁଲା ମଲ୍ଲିପୁର ଗ୍ରାମ ନିକଟରେ ଏକ ମନ୍ଦିର ତୋଳାଇ ସ୍ଥାପନ କଲେ ଏବଂ ମଲ୍ଲୀପୁର ଗ୍ରାମର ଶ୍ରୀ ମାନପଣ୍ଡାଙ୍କୁ ମାଆଙ୍କ ପୂଜକଭାବରେ ନିୟୋଜିତ କଲେ l ସେହି ପଣ୍ଡା ବଂଶଧର ମାନେ ପୁରୁଷାନୁକ୍ରମେ ମାଆଙ୍କର ପୂଜକ ରହିଆସିଛନ୍ତି l ମାନ ପଣ୍ଡାଙ୍କୁ ଦେବୀ ନିଜର ବାପା ବୋଲି ମାନ୍ୟ କରୁଥିଲେ l ଦେବୀ ମନ୍ଦିର ନିକଟବର୍ତ୍ତୀ ଗୋଟିଏ ବର ଗଛରେ ଝିଅଟିଏ ହୋଇ ଦୋଳି ଖେଳନ୍ତି ଓ ବାଟରେ ଶାଢ଼ୀ ଵାଲା,ଚୁଡ଼ିଵାଲା ଗଲେ ଶାଢ଼ୀ ଓ ଚୁଡ଼ି କିଣି ପିନ୍ଧନ୍ତି ଓ ମୋ ବାପା ମାନ ପଣ୍ଡା ଠାରୁ ପଇସା ନେଇଯିବ ବୋଲି କୁହନ୍ତି l ମାନ ପଣ୍ଡା ଓ ମା'ଜୟଚଣ୍ଡୀ ଦିବ୍ୟ ଭକ୍ତି ଡୋରରେ ବାନ୍ଧି ହୋଇ ଯାଇଥିଲେ l ସେଥିପାଇଁ ଲୋକକଥା ଅଛି :-

"ମାନ ପଣ୍ଡାର ଇଛା, ନାଁ ଜୟଚଣ୍ଡୀର ଇଚ୍ଛା"l

ଦେବୀ ଜୟଚଣ୍ଡୀ ଏବେ ପ୍ରଚାର ପ୍ରସାର ଫଳରେ ପୂର୍ବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମାନ୍ୟ ହୋଇଛନ୍ତି l ଏ ଅଞ୍ଚଳର ପ୍ରଖ୍ୟାତବ୍ୟକ୍ତିତ୍ୱ ସ୍ବର୍ଗତ ବୈଷ୍ଣବ ଚରଣ ପରିଡ଼ା ଓ ସ୍ଥାନୀୟ ସୁହୃଦ ବ୍ୟକ୍ତି ମାନଙ୍କ ସହଯୋଗରେ ମାଆଙ୍କର ନୂତନ ମନ୍ଦିର ନିର୍ମାଣ ହୋଇଛି l ଦେବୀଙ୍କ ପୀଠରେ ଶାରଦୀୟ ଓ ଚୈତ୍ର ନବରାତ୍ର ଆନନ୍ଦଉଲ୍ଲାସ ମଧ୍ୟରେ, ମହା ସମାରୋହରେ ପାଳିତହୋଇ ଆସୁଛି l ଏଠିକାର ସ୍ୱତନ୍ତ୍ରପର୍ବ ସାବିତ୍ରୀ ଅମାବାସ୍ୟା ଦିନ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତହୁଏ ଓ ଏଥିପାଇଁ ପୀଠରେ ପ୍ରବଳ ଜନ ସମାଗମ ହୁଏ l ଫାଲ୍ଗୁନ ଶୁକ୍ଳ ସପ୍ତମୀ ଠାରୁ ପାଞ୍ଚଦିନ ଧରି ମାଆ ଜୟଚଣ୍ଡୀଙ୍କ ପୀଠରେ ବିଶ୍ବ ଶାନ୍ତି ମହା ଯଜ୍ଞ ସମାରୋହ ସହକାରେ ଅନୁଷ୍ଠିତ ହେଉଛି l ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ଯଜ୍ଞ ମଣ୍ଡପ ନିର୍ମାଣ କରା ହୋଇଛି l ମହାଦେବୀ ମା'ଜୟଚଣ୍ଡୀ ଏବେ ଏ ସମସ୍ତ ଅଞ୍ଚଳର କଲ୍ୟାଣ କାରିଣୀ ମାଆଭାବେ ଶ୍ରଦ୍ଧାଳୁଙ୍କ ହୃଦୟ ରାଜ୍ୟରେ ଆସୀନ ହୋଇଛନ୍ତି l ଓଡ଼ିଶାର ବହୁଅଞ୍ଚଳରେ ଏମିତି ବହୁ ଐତିହାସିକ କୀର୍ତ୍ତି ରହିଛି ଯାହା ଲୋକଲୋଚନ ଆଢୁଆଳରେ ରହି ଯାଇଛି l କୁଆଁସ ମଙ୍ଗଳା, ଜାଡୁଆ ମଙ୍ଗଳା କଂସାଳ ନାକାଳୀ ଭଳି ଐତିହାସିକ ପୀଠ ସମୁହ ଏହି ଅଞ୍ଚଳରେ ରହିଛି l ଏସବୁ ପୀଠ ବିଷୟରେ ବିଶଦ ଗବେଷଣାର ଆବଶ୍ୟକତା ରହିଛି l

      ଜୟ ମାଆ ଜୟଚଣ୍ଡୀ

      ମାଆଲୋ କରୁଣାମୟୀ

   ଅନ୍ତର ମୋର ପୂଜା ବେଦୀ ହେଉ 

      ତୁମ ନିରାଜନା ପାଇଁ l

        


Rate this content
Log in

Similar oriya story from Classics