ମାଆ ଗୋ
ମାଆ ଗୋ
ଆମ ସ୍ବର୍ଗଦ୍ବାର ଏକ ବାସନ ଦୋକାନରେ ନୂଆ ପିଲାଟିଏ ଏବେ ଏବେ କାମ ଶିଖୁଛି । ଦିନକର କଥା । ମାଲିକ ତା'ର ଘରକୁ ଖରାବେଳିଆ ଖାଇବାକୁ ଗଲେ ତାକୁ ଦୋକାନ ଦାୟିତ୍ୱ ଦେଇ । ସେ ସହଳ ଝଅଟ କି କଣ ଦିଟା ପଖାଳତୋରାଣି କୁ ଆଳୁ ପୋଡା ମଡେଇ ଚାଲିଆସିଥିଲା ସକାଳୁ ଯେ ଏ ଯାଏ ଗଲାଣି । ବୋଉ ଟା ଠିକ୍ କହେ .... ପଖାଳ ପାଣି ଗଣ୍ଡେ ବହୁତ ଜୋର ଦିଏ ଭୁଜକୁ, ପିଣ୍ଡ ରେ ପ୍ରାଣକୁ ଚେର ଭଳିଆ ଭିଡି ଧରେ .... ଜମାରୁ ଯିଆକୁ ଦିଏ କି, ନା ।
ତଥାପି ଡହଳ ବିକଳ ଲାଗିଲାଣି, ରୋଗିଣୀ ମା' ଟା ତେଣେ କଣ ଜୋଡେ ଫୁଟେଇ ଦେଇ ଚାହିଁ ଥବ ତା ବାଟକୁ । କୋଉ ଘରେ ବହୁତୁ ଥାଏ ଯେ ସେଇ ଟୁକୁ ଟୁକା । ବଡ ପଣତ ସିନା ଚଉଦିଗକୁ, ନିଅଣ୍ଟିଆ ପଣତ ତ ଟଣାଓଟରା । ଜୀରା ଧାପେ ହେଲେ ବାସିଲା ତୁଅଣ ମୁନ୍ଦେ, ନୋଇଲେ ବି କିଏ ଖୋଜେ ଯେ ।
ଏଇ ଦୋକାନୀ ବାବୁ ଜଣକ ଘରେ ମା' ବାସନ ଖଟେ, କଣା ଟିଣା ବାସନ ତାଙ୍କରି ଦୟାରୁ ଆମ ହାଣ୍ଡିଶାଳେ ଗଡେ । ଶାଳ କଣ ବା ' .... ଚଉଠିଆ ଚାଳିଆ ଟେ ତ ଆଉ । ମା ' କୁହାବୋଲା କରି ତାଙ୍କ ଦୋକାନ କାମରେ ମତେ ରଖେଇଛି, ପ୍ରଥମ ମାସ । ଦିହଜାରେ ଦେବେ କହିଛନ୍ତି ଦରମା ଗଣ୍ଡାକୁ । ହଉ ସେଇ ଢେର୍ । ଶହେ ଦେଖିଲେ ବା ଆଖି ମେଲିଯାଏ । ମା ' କଇଚି ମନ ଲଗେଇ ଖଟିବୁ, ବାବୁ କୁ ଠାକୁର ଜାଣିବୁ ।
ସେଇଦିନୁ ସେଇ ଦୋକାନକୁ ଦେଉଳ ମଣିଛି, ସମୁଦ୍ର କୁଳିଆ ଜଗନ୍ନାଥିଆ କୁ ଦେଖିବାକୁ କାହିଁ କେତେ ଦୂରୁ ସଭିଏଁ ଆସନ୍ତି । ଲୁଣି ଲୁହକୁ ଅହର୍ନିଶି ବାଲୁକା ଛାତିରେ ପିଟୁଥିବା ଲହଡି କୁ ଦେଖିବାକୁ ସଂଜ ଢଳିଲେ ମେଳା ଲାଗେ ବିଚ୍ ରେ । ସେଇ ଯାହା ବିକାକିଣା ର ବେଳା ।
ବାବୁ ଖାଇକି ଆହୁରି ଆସିନାହାନ୍ତି, ମନେ ମନେ ବିନୁ ଭାବୁଥାଏ କିଏ ଗୋଟେ କିଣିବାକୁ କଣ ଆସନ୍ତାନି .... ସିଏ ଜିନିଷ ଦେଖେଇ, ବୁଝେଇ କହି ଜିନିଷ ବିକନ୍ତା .... ମାଲିକ ତା ଉପରେ ଖୁସି ହୁଅନ୍ତା,ମନ ଲଗେଇ ଖଟନ୍ତା, ମା କୁ ଭଲରେ ରଖନ୍ତା । ଠିକ୍ ଏତିକି ବେଳକୁ କିଏ ଗୋଟେ ଦୋକାନରେ ଚଢିଲା, ବିନୁ ତତ୍ପରତା ଦେଖେଇଲା ।
_ ଆଜ୍ଞା କଣ ଦେଖେଇବି?କଣ ନେବେ କହୁନାହାନ୍ତି ।
_ ନା ନା ,ଏଇ ଆମି ଏକ୍ଟୁ ଦେକ୍ଚି ।
_ ଓ ଡେକଚି ।ହ୍ଉ ଆଜ୍ଞା ଦେଖଉଚି ।
ଝାଡି ଝାଡି କପଡାରେ କମକୂଟ ଡେକଚି ଟେ ଆଣି ଦେଖେଇଲା ।
_ ଏଇଟା ଆଜ୍ଞା ଭଲ ଜିନିଷ, ଜମା ଭାଙ୍ଗିବନି କି ଚେପା ହବନି, ଥରକେ ଅଧା ସେରେ ଚାଉଳ ଧରିବ ।ବହୁତ ଭାତ ହବ ।
_ ଠିକ୍ ଆଛେ । ରଖୋ ।ଆମି ଖାଲି ଡେକ୍ଚି ।
_ ଏଇଟା ନୁହଁ? ଆଉ ଟିକେ ଅଲଗା ପକାର, ହୟ୍ଉ ଅଛି ଆଜ୍ଞା ଅଛି ।ସବୁ ପକାର ଅଛି, ଦେଖନ୍ତୁ, ଦେଖଉଛି।
ଗୋଟି ଗୋଟି କି ସବୁ ଡେକଚି ସବୁ ଥାକରୁ କାଢୁଛି, ପୋଛୁଛି, ଦେଖୁଛି, ଫେରସ୍ତ ରଖୁଛି ।ଅଧଘଣ୍ଟା ହେଲାଣି, ବିଜାର ଲାଗିଲାଣି... ଲୋକଟା ଖାଲି କହୁଛି ଡେକ୍ଚି, ଡେକ୍ଚି । କି କଥା । ମୁଣ୍ଡ କୁ ପିତ ଉଠିଲାଣି ତେଣେ ଭୋକରେ ,ଶେଷକୁ କହିଲା ଆମର ଆଉ ଡେକିଚି ନାହିଁ, ଆଉ କୋଉ ଦୋକାନ ରେ ଦେଖ ।
ପୁଣି ସେଇ ଉତ୍ତର
_ ଆରେ ବାବା , ଆମି ଏକ୍ଟୁ ଦେକ୍ଚି ଖାଲି, କିଛୁ ଚାଇନା ।
ଚିଡି ତ ଗଲା ଆଉ । ଦେଲା ଗୋଟେ ପେଲା ସେ ଗରାଖକୁ କି, ସିଏ ଗଳି ପଡି ହଲ୍ଲା କଲା ।
_ ମା ଗୋ ,ମା ଗୋ ।
ଇଏ କଣ ବୁଝିଲା, ହାତ ବଢେଇ ଟେକି ଝାଡି ଟୁଲୁ ଟା ଟାଣି ଆଣି ବସେଇ ପାଣି ଗିଲାସେ ହାତରେ ଦେଇ କହିଲା
_ ମଗ ନବଟି,ଆଉ ସେ ତ ବେଳୁ ଡେକଚି ଡେକଚି କାଇଁ ହଉଥିଲ?
ହାଅଁ କରି ଚାହିଁଛି ଗରାଖ, ସେତିକି ବେଳକୁ ମାଲିକ ଆସି ସବୁ ଶୁଣି ହସି ହସି ବେଦମ ।
ତା ପର ଦିନଠୁ ମାଲିକ ତା ନାଁ ଏଇ ପାଖ ସ୍କୁଲ ରେ ଲେଖେଇଦେଇ ମନ ଲଗେଇ ପଢିବାକୁ କହିଛନ୍ତି ।ଦଶମ ସରିଲେ ଦୋକାନ ଆସିବ ମା କୁ କହି ତା ଦରମା ବଢେଇଛନ୍ତି । ସବୁ ପଢା ଖରଚ ସିଏ ବୋହିବେ ଜାଣି ମା ଖୁସି, ହେଲେ ବନୁକୁ ମାଡି ମାଡି ପଡୁଥାଏ । ସିଏ ତ ଓଲା କାମ କଲା ପୁଣି ପୁରଷ୍କାର କାଇଁ । ମାଲିକ ବୁଝେଇଦେଲେ, ତାର କାମ କରିବାର ମନ ଓ ପରିଶ୍ରମ ରେ ସିଏ ଖୁସି ।ଆଉ ଏଇ ଓଲା ପଣ ଟା ପାଠ ପଢିଲେ, ଶିଖିଲେ କମେ ।
ଏବେ ସିଏ ମନ ଦେଇ ପଢୁଛି ।
ଜୀବନ ବେଳେ ବେଳେ ଏକ ଖେଳ,ବକିଏ ମୁକୁଳିଯାଏ କିଏ ଫସିରହେ । କାହାକୁ ପୁଣି କଣ୍ଟକ ମୟ ଜୀବନ ବି ବାଟ ଦେଖାଏ ଆଗକୁ । ବାଛିବାର କାମ ଟି ତୁମର
ତାହା ହିଁ ସ୍ଥିର କରେ , କିଏ ବୁଡବକ ଆଉ କିଏ
ଖେଳାଳୀ ।।
