ମା ଓ ମମତା
ମା ଓ ମମତା
ଜନ୍ମଭୂମି ମା ଓ ଜନ୍ମଦାତ୍ରୀର ମମତା ବିଷୟରେ ପଡ଼ିଲେ ଦେହରେ ଏକ ଅପୂର୍ବ ଶିହରଣ ଜାଗ୍ରତ ହୁଏ।ଯେମିତି ମୁଁ ଏକ ଅପୂର୍ବ ଦୁନିଆରେ ଘୂରି ବୁଲୁଛି ନା ,ଅଛି ଅବଶୋଷ ନା,କିଛି ବାଧା,ବିଘ୍ନ!!! ମନ ଆପେ ଆପେ ଗର୍ବ ଓ ଭକ୍ତିରେ ପୂରି ଉଠେ।
ମାଆ.ଜନ୍ମରୁ ମା'ବୋଲି ଜନ୍ମଦାତ୍ରୀ ଙ୍କୁ ବୁଝିଲେ ଆମେ!!! ମାଆ ବୋଲି ଜାଣିଲେ ତାକୁ ଯିଏ, ଆମକୁ ଦଶ ମାସ ନିଜ ଗର୍ଭରେ ଧାରଣ କରି ନିଜର ବୁକୁଚିରି ଅମୃତ ନିମିତ୍ତ ଦୁଗ୍ଧ କୁ ପାନ କରାଇ ଦୁନିଆ ରେ ପରିଣତ କରିଛି ମନୁଷ୍ୟ ରୂପରେ... ପରିଚିତ କରାଇଛି;ଏହି ସ୍ୱାର୍ଥପର ଦୁନିଆକୁ!! ମା' ଶବ୍ଦକୁ ବର୍ଣ୍ଣନା କରିବା ଓ ତାର ମମତାର ମୂଲ୍ୟକୁ କଳନା କରିବା ଅତ୍ୟନ୍ତ କଷ୍ଟକର; ଯାହାପାଇଁ ଏହି ଦୁନିଆରେ ମୋର ପରିଚୟ!! ଯାହାପାଇଁ ମୋର ଅସ୍ଥିତ୍ଵ!!ତାର ସ୍ନେହ,ତ୍ୟାଗ,ପ୍ରେମ,ମମତା ଓ ଯତ୍ନର ମୂଲ୍ୟକୁ ତୁଳନା କରିବା କଷ୍ଟସାଧ୍ୟ:ପ୍ରେମର ମନ୍ଦିରରେ ଅମାପ ସ୍ନେହ,ତ୍ୟାଗ,ଦୟାର ପଣତରେ ଯେଉଁ ମା' ଆମକୁ ଦଶମାସ ଗର୍ଭକଷ୍ଟ ସହି ଜନ୍ମ ଦିଏ।ନ ଖାଇ ,ନ ପିଇ ବାଇ ଚଢ଼େଇ ପରି କଳା କୌଶଳରେ ନିର୍ଭୟ ପଣତରେ ଅଭୟ ଢ଼ାଙ୍କୁଣୀ ଘୋଡାଇ ରଖି ଛୋଟରୁ ବଡ କରେ।ରକ୍ତକୁ ପାଣିକରି ବାଲ୍ୟ,କୈଶୋର ଓ ଯୌବନରେ ପଦାର୍ପଣ କରାଇ ଶିକ୍ଷା,ଦୀକ୍ଷା,ଆଦର୍ଶ ଦେଇ ସମାଜରେ ପ୍ରତିଷ୍ଠିତ କରାଏ।ସକାଳ ସୂର୍ଯ୍ୟୋଦୟରୁ ରାତ୍ରିର ଶେଷ ପର୍ଯ୍ୟନ୍ତ ତାର ଆମପ୍ରତି କେବେ କର୍ତ୍ତବ୍ୟ ସାରେନା କେବଳ ଆମ ଖୁସି ଓ ମଙ୍ଗଳ ପାଇଁ ଚିନ୍ତା କରୁଥିବା ଜୀବନ୍ତ ଠାକୁରାଣୀ କେବଳ ଆମ ମା'!!ତାର ମମତାର ମୂଲ୍ୟ ଓ ସଂଜ୍ଞା ନିରୂପଣ କରିବା ଓ ବୁଝିବା ସହଜ ନୁହେଁ..ଯିଏ ଆମକୁ ପରିଚିତ କରାଇଛି; ଏହି ସ୍ୱାର୍ଥପର ଦୁନିଆକୁ!!ଯେଉଁ ଦୁନିଆ ହିଂସ୍ର, ଅହଙ୍କାର, ସ୍ୱାର୍ଥପରତା ବହ୍ନ୍ନି ରେ ସର୍ବଦା ଜଳୁଅଛି। କିନ୍ତୁ ସେହି ବହ୍ନ୍ନିରେ ମଧ୍ୟ ତୁଷାର ର ଆନନ୍ଦ ଭଳି ସେତେବେଳେ ଅନୁଭୂତ ହୁଏ, ଯେତେବେଳେ ଆମେ ଚର୍ଚ୍ଚା କରୁ ମାଟି ମା' ଉପରେ। ଏବେ ଅନେକ ପ୍ରଶ୍ନ ଉଠୁଥିବ "ମାଟି ମା....... ପୁଣି ଇଏ ମାଟି ମା କିଏ?" କିନ୍ତୁ ଏ ଅଶିକ୍ଷିତ ସମାଜ ବିଦ୍ୟାରେ ଶିକ୍ଷିତ ହେଲେ ମଧ୍ଯ ଜ୍ଞାନ ଓ ବୁଦ୍ଧିରେ ବିଜୟ କରିପାରିଲାନାହିଁ । ଭୁଲିଗଲା ତାର ମାଟି ମା' କୁ ଯିଏ ତାକୁ ଏବେବି ନିଜ କୋଳରେ ପାଳନ କରୁଛି ମୌଳିକ ଆବଶ୍ୟକତା ପୂରଣ କରି!!! ଯିଏ ଏବେବି ଏତେ ହିଂସା ଏତେ କଷ୍ଟ ଏ ଅମାନୁଷିକ ମନୁଷ୍ୟ ମାନଙ୍କଠାରୁ ପାଇ ମଧ୍ୟ ତାଙ୍କୁ ନିଜର ସନ୍ତାନ ରୂପେ ମମତା ,ସ୍ନେହ ଓ ପ୍ରେମର ଭରିଦେଉଛି। ଯାହାର ଛାତି ରେ ମନୁଷ୍ୟ ଏତେ କୁଠାରାଘାତ କରି ମଧ୍ୟ ତା ସନ୍ତାନ କୁ ନିଜ କୋଳରେ ଖେଳିବାକୁ ଆଜ୍ଞା ଦେଉଛି।ସେ ହେଉଛି ମାଟି ମା' !!!ଯିଏ ନିଜ ଭଲ ପାଇବା ଓ ମମତା କୁ ସିନା କହିପାରୁ ନାହି କିନ୍ତୁ ତାର ସହନଶୀଳତା ଓ ତାର ସ୍ନେହ ଦ୍ଵାରା ଏହି ବିଶ୍ଵକୁ ଏକ ପରିବାର ରୂପେ ବାନ୍ଧି ରଖିଛି। ମାଟି ମା' ଯାହାର ଅନ୍ୟ ନାମ ସ୍ୱର୍ଗପୁର କହିଲେ ଅତ୍ୟୁକ୍ତି ହେବ ନାହିଁ ବା ତାର ସେହି ଆନନ୍ଦ ଦାୟକ କୋଳ ଆମ ପାଇଁ ଅତି ନିଜର। ତାର ପାଣି,ପବନ,ଫଳ ଦ୍ଵାରା ଆମକୁ ବଞ୍ଚିବାର ରାହା ପ୍ରଦାନ କରିଛି। ଯିଏ ଆମକୁ ଏକ ନୂଆ ଆଶା ଓ ନୂଆ ଜୀବନ ପ୍ରଦାନ କରିଛି। ତେଣୁ ମାଟି ମା' ର ସେହି ଅନନ୍ୟ ତ୍ୟାଗ ଓ ଅଗାଢ ପ୍ରେମକୁ ଅଶେଷ ଅଶେଷ ପ୍ରଣାମ ଜଣାଉଛି ।
ଅନେକ ଦିନ ହେବ ମୋ ଗାଁକୁ ଯାଇନି,,,,,ତଥାପି ତାର ମାଟି,ପବନ ଯେମିତି ମୋତେ ବାରମ୍ବାର ହାତ ଠାରି ଡାକୁଛି... ମୋ ଗାଁ ମାଟିର ରାସ୍ତା ଯେମିତି ନିସ୍ତବ୍ଧ ହୋଇ କାହାକୁ ଅପେକ୍ଷା କରିଛି ।ତାର ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ରାସ୍ତା ଆଉ ଭାର୍ଗବୀ ନଦୀର କୁଳୁ କୁଳୁ ନାଦ ଓ ସୁଲୁ ସୁଲୁ ପବନର ସ୍ପର୍ଶ ଯେମିତି ଶରୀରକୁ ଶିହରଣ ସୃଷ୍ଟି କରେ ଯେଉଁଠି କଟିଛି ମୋର ଶୈଶବ ଯାହାର ପାଣି ପବନରେ ମୁଁ ଗଢା.. ଯାହାର ତୁଠ ପଥର କଥା କହେ; ଆଉ ପବନ ଗୀତ ଗାଏ।ଗାଇଆଳ ଟୋକାଙ୍କ ବଂଶୀ ବାଦନ ଆଉ ନଦୀ ବନ୍ଧରେ ଧାଡ଼ି ଧାଡ଼ି ହୋଇ ଆସୁଥିବା ନବ ବଧୂଙ୍କ କାଖର କଳସୀରେ ଜଳ ଧରି ଗମନ...ଆଉ ଶୀତଦିନେ ଥୁରୁ ଥିରୁ ହୋଇ ଆସୁଥିବା ଆଦ୍ରବସ୍ତ୍ର ପିନ୍ଧା ଲଳନାଙ୍କଦୃଶ୍ୟ ଅତ୍ୟନ୍ତ ମଧୁର ପୂର୍ଣ୍ଣ!!!!ଯେଉଁଠି ମୋ ବୋଉ,ବାପା ଅଛନ୍ତି।ସେମାନଙ୍କ ସ୍ନେହ, ଶ୍ରଦ୍ଧା ପଡିଶା ଲୋକଙ୍କ ସ୍ନେହ ଆଜିବି ମନେପଡିଲେ ଆଖିର କେଉଁ ଉଦ୍ଭୃତ କୋଣରୁ ଲୁହ ଝରି ଆସେ କଣ, ବା କରିହେବ? ଝିଅ ଜନ୍ମ ପାଇଛି ଯେତେବେଳେ....। ଛାଡ.....ଛାଡ ସେହି କଥା ତାର ସେହି କୋଳରେ ମୋର ଏ ଶେଷ ଜୀବନ ଟି କେମିତି ଖୁସି ରେ କଟିଯାଉ ସେଥିପାଇଁ ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ କୋଟି କୋଟି ଅନୁରୋଧ କରୁଛି।
