ଲୁଗା ଗଣ୍ଠିଲି
ଲୁଗା ଗଣ୍ଠିଲି


ବାରମାସୀ ଦଣ୍ଡାରେ କିଏ ଜଣେ ପଡିଛି ଚାକୁଣ୍ଡା ଗଛ ମୂଳରେ । ଲୋକଙ୍କ ମଧ୍ୟରେ ହାଉଯାଉ । ଖରାଦିନ ଉପର ବେଳା ପାଞ୍ଚଟା ପରେ ନହେଲେ ଘରୁ ବାହାରି ହେଉ ନାହିଁ। ସମସ୍ତଙ୍କର କୁହାକୁହି ମଧ୍ଯରେ ବାରମାସୀ ଦଣ୍ଡା ଆଡକୁ ଦୌଡିଲି । ଯାଇ ଦେଖେ'ତ - ଚାକୁଣ୍ଡା ଗଛ ମୂଳରେ ଲୁଗା ଗଣ୍ଠିଲିଟି ମୁଣ୍ଡରେ ଦେଇ ଚିର ନିଦ୍ରାରେ ଶୋଇ ଯାଇଛି ବାଞ୍ଛାରଙ୍ଗଣୀ ।
ବାଞ୍ଛାରଙ୍ଗଣୀ କିଏ ? ସେମିତି କିଛି ନାମ ଜାଦିଆ ଲୋକ ନୁହେଁ । ସ୍ବାଧୀନତା ସଂଗ୍ରାମୀ କିମ୍ବା ଆଜିର ନେତା ନୁହେଁ । ଯେ କି ଦେଶ ଜାତି ପାଇଁ ବଳିଦାନ ଦେଇଛି । ବଦାନ୍ୟ ବ୍ୟକ୍ତି ଅଥବା ସାମାଜିକ କାର୍ଯ୍ୟକର୍ତ୍ତା ନୁହେଁ । ସେ ଏସବୁ ମଧ୍ୟରୁ କିଏ ନୁହେଁ । ଜଣେ ସାଧାରଣ ବ୍ଯକ୍ତି । ଅସାଧାରଣ ବ୍ଯକ୍ତିତ୍ବ । ସେ ତାର ଜୀବନ କାଳ ମଧ୍ୟରେ ଦେଶ ଜାତି ପାଇଁ କିଛି କରି ନାହିଁ ସତ.... କିନ୍ତୁ ଜୀବନ ଯୁଦ୍ଧରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟ ଚାଖଣ୍ଡକ ପାଇଁ ଲଢେଇ କରିଛି ।
ରାଙ୍କୁଡା ଗ୍ରାମ ପଞ୍ଚାୟତର ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ହେଉଛି ବାଞ୍ଛାରଙ୍ଗଣୀ । ଏତେ ବଡ ପଞ୍ଚାୟତରୁ ପ୍ରତିଦିନ ସଂସାରରୁ କିଏ ଯାଉଛି ଅଥବା ସଂସାରକୁ କିଏ ଆସୁଛି...... ତାର ହିସାବ ସେ ପରିବାରର ଲୋକେ କିମ୍ବା ସାହିପଡ଼ିଶା ରଖନ୍ତି । ଚାକୁଣ୍ଡା ଗଛ ମୂଳରେ ବାଞ୍ଛାରଙ୍ଗଣୀ କୁ ଦେଖି କିଏ କେତେ ପ୍ରକାରର କଥା କହିଲେ.... । ହେଲେ ଶେଷରେ କହିଲେ - "ବାଞ୍ଛା ସଂସାର ଛାଡ଼ି ଚାଲି ଗଲାନି ଯେ ତରିଗଲା" । ବାଞ୍ଛାକୁ କିଏ ଜାଣନ୍ତୁ ବା ନ ଜାଣନ୍ତୁ ...... ଗଣ୍ଠିଲି ଧରି ଲୁଗା ବିକୁଥିବା ବାଞ୍ଛାକୁ କିନ୍ତୁ ଦଶ ବାର ଖଣ୍ଡ ପଲ୍ଲୀ ଗ୍ରାମର ଲୋକେ ନିଶ୍ଚିତ ଜାଣନ୍ତି ! ! !
ବାଞ୍ଛାରଙ୍ଗଣୀର ପରିବାର କହିଲେ - ଚାରି ଭାଇମାନଙ୍କ ମଧ୍ଯରୁ ବାଞ୍ଛାନିଧି ସାହୁ ଅନ୍ୟତମ । ସାନ ଭାଇ ହରି ସାହୁ , ମଝିଆ ଭାଇ ଅମର ଓ ଅମୂଲ୍ୟ ସବୁଠାରୁ ବଡ ବାଞ୍ଛାନିଧି । ଅଭାବି ପରିବାର ମଧ୍ଯରେ ବାଞ୍ଛାନିଧି ସର୍ବଦା ଜର୍ଜରିତ । ରାତି ଚାରିଟାରୁ ଅନ୍ଧାରୁ ଅନ୍ଧାରୁ ଉଠି ନିଜର ନିତ୍ୟ କର୍ମ ସାରି ପଖାଳ ଗଣ୍ଡେ ପେଟରେ ପକେଇ ଦେଇ ବାହାରି ଯାଏ ଯେ ଗାଈ ଗୋଠ ଫେରନ୍ତା କୁ ଘର ବାହୁଡ଼େ । ବେଳେ ବେଳେ ମଧ୍ୟ ରାତି ହୋଇଯାଏ ।
ଲୁଣି, ଲଣ୍ଡାବାଦୁ, ଅଳସୁ, କମସର ଗଡ ଏମିତି ଦଶ ବାର ଖଣ୍ଡ ଗ୍ରାମରେ ଗଣ୍ଠିଲି ଧରି ଲୁଗା ବେପାର କରେ । ଚୂଡା ମୁଢି ଗଣ୍ଡେ ଯାହା ଘରୁ ନେଇ ଥାଏ ଦିନବେଳା ଭୋଜନରେ ଚଳିଯାଏ । ନତୁବା କିଏ ଯଦି ଦ୍ବିପ୍ରହର ବେଳେ ଖାଇବାକୁ ଦିଏ ସେଥିରେ ଦିନ ଚାଲିଯାଏ । ସ୍ବାମୀ ସ୍ତ୍ରୀ ସୁତା କାଟି ତନ୍ତରେ ଲୁଗା ବୁଣନ୍ତି । ସେ ବୁଣା ଲୁଗାକୁ ନେଇ ବିକ୍ରି କରେ । ସେତେବେଳେ ବୁଣା ଲୁଗାର ଭାରି ଚାହିଦା ଥାଏ । ସମୟ ପରିବର୍ତ୍ତନ ହେଲା ଲୋକମାନଙ୍କର ରୁଚି ପରିବର୍ତ୍ତନ ହେଲା । ସୁତା କାଟି ଲୁଗା ବୁଣିବା ପରିଶ୍ରମର ଫଳ ମିଳିଲା ନାହିଁ । ତା'ପରେ ବୁଣା ଲୁଗା ପ୍ରତି ଆଗଭଳି ଆଉ ଲୋକମାନଙ୍କ ଆଦର ରହିଲା ନାହିଁ ।
ସିଲ୍ କି, ଚିକ୍ ମିକ୍, କାଞ୍ଚିବରମ୍, ଚୁମକି ଶାଢୀ ପ୍ରତି ଲୋକମାନଙ୍କର ଆଦର ବଢିଲା । ସାନଭାଇ ହରି ସାହୁ ଗ୍ରାମରେ କରିଛି ଲୁଗା ଦୋକାନ । ବ୍ରହ୍ମପୁର ଓ କଟକରୁ ସେ ଲୁଗା ଆଣୁଛି । ତା ଦୋକାନରୁ ଲୁଗା ନେଇ ଗଣ୍ଠିଲି କରି ସକାଳୁ ବାହାରି ପଡେ ବିକିବାକୁ । ପ୍ରତିଦିନ ଦୂରଦୂରାନ୍ତର ଗ୍ରାମକୁ ଯାଇ ବ୍ୟବସାୟ କରେ । ସେଥିରୁ ଯାହା ଦି ପଇସା ଲାଭ ମିଳେ ସେଥିରେ ସେ ପରିବାର ପ୍ରତିପୋଷଣ କରେ ।
ପରିବାର କହିଲେ ସ୍ତ୍ରୀ ଭାନୁବତୀ ପୁଅ ଶଙ୍କର ଓ ଝିଅ କୁନି । ଚାରି ଜଣକୁ ନେଇ ପରିବାର । ଗାଁ ମଝିରେ ଘର । ଏ ପଟ ପଡିଶାଘର ବୈରାଗୀ ସାହୁ ତ ସେପଟ ପଡିଶା ଘର ବାବନ ସାହୁ । ପୈତୃକ ସମ୍ପତ୍ତି ଭିତରେ ଚାରିମାଣ ଜମି ଓ ରହିବା ପାଇଁ ଏ ଚାଳ ଘରଟି ଭାଗରେ ପଡିଥିଲା । ପଡିଶା ଘର ବାବନ ସାହୁ ଚାଲିଯିବା ପରେ ତାର ଘରଟି ତାର ଝିଅ ବିକି ଦେବ ବୋଲି କହିଲା । ଛୋଟିଆ ଘରଟି ବାଞ୍ଛା ଭାଗରେ ପଡିଥିଲା ବାବନ ଘରଟି କିଣି ମିଶାଇ ଦେଲେ ଘରଟି ବଡ ହେବ, ଭାବି ତାର ଘରଟି କଣିଦେଲା ।
ଗଲା ସନ ଶୀତ ମାସରେ ଘର ପୋଡ଼ି ହେଲା । ସାହିର ସବୁ ଘର ଗୁଡିକ ପୋଡି ଧନଜୀବନ ନଷ୍ଟ ହେଲା । ବାଞ୍ଛାରଙ୍ଗଣୀ ବା ସେଥିରୁ ବାଦ୍ ପଡିବ କୁଆଡୁ । ଜୀବନ କାଳ ମଧ୍ୟରେ ଲୁଗା ବିକି ଯାହା ଦୁଇ ପଇସା ସଞ୍ଚୟ କରିଥିଲା । ଘରଟିକୁ ସଜାଡ଼ିବା ଓ ଟାଇଲ ଛପର କରିବାରେ ସବୁ ସରିଗଲା । ସମୟ ବଦଳିବା ସହିତ ବୟସ ମଧ୍ୟ ବଢିଥାଏ । ଗତ କାଲିର କଥା ଆଜିକୁ ନ ଥାଏ । ପିଲା ମାନେ ଛୋଟ ଥିଲେ ଧିରେ ଧିରେ ବଡ ହେଲେଣି । ଅଭାବି ମନଟା ବେଳକୁ ବେଳ ଆହୁରି ଅଭାବ କରି ଦେଉଛି ।
ଝିଅ ବିଭା ହେବାକୁ ବାହାରିଲାଣି । ଏପଟେ ପୁଅକୁ ଅଧିକ ପାଠ ନ ପଢାଇ ପାରିବାରୁ ବେକାର ହୋଇ ବୁଲିଲାଣି । କାହାର କଥା ସେ ଏବେ ମାନିବାକୁ ନାରାଜ । ଝିଅଟିକୁ ଆଗ ବିବାହର କରିବାକୁ ପଡିବ । ଝିଅଟି ସେତେ ସୁନ୍ଦର ନ ହୋଇ ଥିବାରୁ ଠିକ୍ ରେ ବର ପାତ୍ର ଟେ ମିଳି ପାରୁନାହିଁ । ଯେଉଁ ପ୍ରସ୍ତାବଟି ଠିକ୍ ହେଉଛି ସେ ଚଢା ଯୌତୁକ ଦାବି କରୁଛନ୍ତି । ଲୁଗା ବେପାରରୁ ଯାହା ଦି ପଇସା ମିଳୁଥିଲା । ସେଥିରେ ଘର ଖର୍ଚ୍ଚ ବନ୍ଧୁ ବାନ୍ଧବ ବିବାହ ବ୍ରତ ଜାନି ଯାତ୍ରା ତା ପରେ ପିଲାମାନଙ୍କ ପାଠ ପଢାରେ ସରିଛି । ଏତେ ଯୌତୁକ କହିଲେ କେଉଁଠୁ ଦେବ ?
ପୂର୍ବ ପୁରୁଷଙ୍କର ପୈତୃକ ଜମି ବାଞ୍ଛାନିଧି ଭାଗରେ ଚାରି ମାଣ ପଡିଥିଲା। ସେହି ଚାରି ମାଣରୁ ଦୁଇ ମାଣ ବିକି ଝିଅକୁ ଶାଶୁଘର ଛାଡିଲା। ପୁଅ ବେକାର ହୋଇ ବୁଲିଲା । ଘରେ ସବୁଦିନ କଳି କଜିଆ । ପୁଅ ଏକ ପଟିଆ ଲଗାଇଲା - "ମୋତେ ଚାକିରୀ କରିବାକୁ ଟଙ୍କା ଦିଅ" । ବାଞ୍ଛାନିଧି ପାଖରେ ଆଉ ଟଙ୍କା କୁଆଡୁ ଆସିବ ? ସେଥିପାଇଁ ପ୍ରତିଦିନ ବାପ ପୁଅ ମଧ୍ୟରେ ଗଣ୍ଡଗୋଳ । ଶେଷରେ ବାଞ୍ଛାନିଧି ପୈତୃକ ସମ୍ପତ୍ତିର ଆଉ ଯେଉଁ ଜମି ଦୁଇ ମାଣ ଥିଲା ତାକୁ ବିକିଦେଲା । ପୁଅ ଟଙ୍କା ନେଇ କୋରାପୁଟରେ ପ୍ରାଇମେରୀ ସ୍କୁଲରେ ଚାକିରୀ ପାଇଲା ।
ପୁଅ ଚାକିରୀ ପାଇବାର ବର୍ଷେ ପରେ ବିବାହ କରିବାକୁ ମନସ୍ଥ କଲା । ଗାଁ ପାଖ ପିଲା ଦିନର ସାଙ୍ଗ ନରହରି ସାହୁର ଝିଅ ସହିତ ବୋହୁ କରିବାକୁ ଠିକ୍ କଲା । ପାଠ ପଢିବା ବେଳର ସାଙ୍ଗ ନରହରି । ଅଭାବ ମଧ୍ୟରେ ଦୁଇ ଯାକ ଗତି କରିଛନ୍ତି । ଅଭାବି ଘରୁ ଝିଅଟି ଆଣିଲେ ସେ ଦୁଃଖ କଷ୍ଟ କ'ଣ ଜାଣି ପାରିବ ? ଏହି ମନୋବୃତ୍ତି ନେଇ ବୋହୁ କଲା କିନ୍ତୁ ଫଳ ଓଲଟା ।
ନୂଆ ନୂଆ ଆସିଥିବାରୁ ବୋହୁ ! ବାପା ମାଆଙ୍କୁ ସାଥିରେ ନେଇ ଯିବାକୁ ଯିଦ୍ କଲା । ବୁଢା ବୁଢୀ ମଧ୍ୟ ପୁଅ ବୋହୁ ଙ୍କ ସାଥିରେ କୋରାପୁଟ ଚାଲିଗଲେ । ପ୍ରଥମେ ପ୍ରଥମେ ବୋହୁ.... ଶାଶୁ ଶ୍ବଶୁରଙ୍କର ବହୁତ ସେବା ଶୁଶ୍ରୁଷା କଲା । ଧିରେ ଧିରେ ପୁଅ ବୋହୁ ଙ୍କର ମନ ପରିବର୍ତ୍ତନ ହେବାରେ ଲାଗିଲା । ଶାଶୁ ବୋହୁରେ... ମୋଟେ ପଡିଲା ନାହିଁ । ବୁଢୀ ବୁଢାକୁ ସବୁ କଥା କହେ । ପୁଅ ବୋହୁ ଙ୍କର... ଏଥର ବୁଢା ପ୍ରତି ମଧ୍ଯ ମନୋଭାବ ଭଲ ରହିଲା ନାହିଁ । ବୋହୁ ଦିନେ କହୁ କହୁ କହିଦେଲା । ଗାଁ ର ଘରଟି ବିକ୍ରି କରି ଏଠାରେ ଗୋଟିଏ ଘର କିଣିବା । ବୁଢା ବାଞ୍ଛାରଙ୍ଗଣୀ ଏ କଥାଟା ସହଜରେ ହଜମ କରି ପାରିଲା ନାହିଁ । ବୋହୁ କିନ୍ତୁ ଦେଖେଇ ଶିଖେଇ କଥା କଥାକେ ପ୍ରସଙ୍ଗ ବୁଲେଇ ବଙ୍କେଇ ଗାଁ ଘର ବିକିବା ଆଡକୁ କଥାଟା ଟାଣି ଆଣେ । କଥାରେ ଅଛି - "ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି" । ବୁଢାବୁଢୀ ଗାଁ ଘର ବିକ୍ରି କରିବା ଚିନ୍ତାରେ ଭାଙ୍ଗି ପଡିଲେ ।
ପୂର୍ବ ପୁରୁଷଙ୍କର ଜମି ଚାରି ମାଣ ଝିଅକୁ ବିଭା ଦେବାରେ ଓ ପୁଅକୁ ଚାକିରୀ କରିବାରେ ବିକ୍ରି କରିଦେଲା । ପୈତୃକ ସମ୍ପତ୍ତି ବୋଲି ଆଉ କ'ଣ ଅଛି । ଜନ୍ମ ମାଟି ବୋଲି ଯାହା ଡିହ ଖଣ୍ଡିକ ପଡିଛି । ଯଦି ତାକୁ ବିକ୍ରି କରିଦେବ.... ସମୟ ଅସମୟରେ ରହିବି କେଉଁଠି ? ଅବା ଗାଁ ବୋଲି ଆଉ ରହିଲା କ'ଣ ? ବୋହୁ କିନ୍ତୁ ନଛୋଡବନ୍ଧା । ବୋହୁ କହିଲେ - ଆମେ ସମସ୍ତେ ତ ଏଠାରେ ରହିଲେ.... ଆଉ ଗାଁ ଘରଟି କ' ଣ ହେବ ? ବାଞ୍ଛାନିଧି ଦିନେ ଗୁରୁ ଗାମ୍ଭୀର୍ଯ୍ୟ ସୁଲଭ ଢଙ୍ଗରେ କହିଲେ..... ବୋହୁ ! ସେ ଘରଟି ମୋର କେତେ ପୂର୍ବ ପୁରୁଷଙ୍କର । ତୁମରି ଭଳି କେତେ ବୋହୁ... ସେହି ଘର ଅଗଣାରେ ଥିବା ଚଉରା ମୂଳରେ ବୃନ୍ଦାବତୀଙ୍କ ଠାରେ ସଞ୍ଜବତି ଦେଇଛନ୍ତି । ସେ ଘରଟା ବିକ୍ରି କରି ଦେଲେ କେତେ ଟଙ୍କା ହେବ ଯେ ? ? ?
ପୁଅ ବୋହୁ ଙ୍କର ଯିଦ୍ ବଢିବାରେ ଲାଗିଲା । ବୁଢାବୁଢୀ ପୁଅ ବୋହୁ ଙ୍କର କଥା ସହି ନ ପାରି ଭିଟା ମାଟିକୁ ଫେରି ଆସିଲେ । କୋରାପୁଟରେ ଥିବା ବେଳେ ବୁଢୀର ସ୍ବାସ୍ଥ୍ୟ ଟିକେ ଭଲ ନ ଥିଲା । ଗାଁ କୁ ଆସିବା ପରେ ରୋଗଟା ବଢିଲା । ବୁଢୀ ଗାଁ କୁ ଆସି ବେଶୀ ଅସୁସ୍ଥତା ଅନୁଭବ କଲା । ପୁଅକୁ ଜଣାଇବାକୁ ବାରଣ କଲା । ଅଳ୍ପ ଦିନ ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ବୁଢୀ ଆରପାରିକୁ ଚାଲିଗଲା । ବାଞ୍ଛାନିଧି ଜୀବନର ସାଥୀକୁ ହରାଇ ଏକୁଟିଆ ହୋଇଗଲା । ତଥାପି ଜୀବନ ଯୁଦ୍ଧରେ ଲଢିବାକୁ ପ୍ରୟାସ କଲା ।
ପୁଣି ଲୁଗା ଗଣ୍ଠିଲି ଧରି ଗାଁ କୁ ଗାଁ ବିକିବାକୁ ବାହାରି ପଡିଲା । ପୂର୍ବ ଭଳି ଭୋରରୁ ବାହାରି ପଡେ କିନ୍ତୁ ଯେତେବେଳେ ମନ ହୁଏ ଫେରି ଆସେ । ପୂର୍ବ ଭଳି ଲୋଭ ମୋହ ରଖିଲା ନାହିଁ । ଜୀବନଟିକୁ ନିଃସଙ୍ଗ ଅନୁଭବ କଲା । ସକାଳୁ ଉଠି ନଳକୂପରୁ ଗରାରେ ପାଣି ଆଣି କାଠ ଚୁଲି ଲଗାଇ କ'ଣ ଦି' ଟା ଫୁଟାଇ ଖାଇଦିଏ । ସେଥିରୁ ମଧ୍ୟ ରାତି ରଖିଥାଏ, ରାତିରେ ଆସିଲେ ଖାଏ । ଗୋଟିଏ ଓଳି ରୋଷେଇ କଲେ ଦୁଇ ଓଳି ଚଳିଯାଏ ।
ଦୀର୍ଘଦିନ ଧରି ବ୍ୟବସାୟ କରୁଥିବା ଲୋକଙ୍କ ସହିତ ଘନିଷ୍ଠତା ହୋଇ ଯାଇଥାଏ ବାଞ୍ଛାରଙ୍ଗଣୀର । ଲୋକେ ଗ୍ରାମର ଜଣେ ସଦସ୍ୟ ଭାବରେ ଦେଖନ୍ତି । ବୁଢା ବାଞ୍ଛାନିଧି ମଧ୍ୟ ନାତି ନାତୁଣୀଙ୍କ ସାଥିରେ ପିଲା ପରି ଖେଳେ... ବ୍ୟବହାର କରେ । ଗାଁ ର ଭୋଜି ଭାତ ପୁନିଅ ପରବରେ ସବୁ ଗାଁ ରେ ଲୋଡନ୍ତି ବାଞ୍ଛାନିଧି କୁ । ବୁଢା ମଧ୍ଯ ସମସ୍ତଙ୍କୁ ଉଚିତ୍ ପରାମର୍ଶ ଦିଏ ଏବଂ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାଏ ।
ବେଳେ ବେଳେ ସ୍ବାସ୍ଥ୍ୟ ଭଲ ନ ରହିଲେ ସାହି ପଡିଶା ପୁଅ ପାଖକୁ ପଳାଇ ଯିବାକୁ ପରାମର୍ଶ ଦିଅନ୍ତି । ଗାଁ ରେ ରହୁ ନ ଥିବାରୁ ବାଞ୍ଛାନିଧି ବାର୍ଧକ୍ୟ ଭତ୍ତାରୁ ବଞ୍ଚିତ । ଲୁଗା ବେପାରରୁ ଯାହା ମିଳେ ତେଲ ଲୁଣ ଖର୍ଚ୍ଚ କରେ । ଝିଅ ବେଳେ ବେଳେ ଦେଖି ଆସେ । ନାତି ନାତୁଣୀଙ୍କ ପାଇଁ ଡ୍ରେସ୍ କରିବୁ କହି ଝିଅକୁ କିଛି ଟଙ୍କା ଦେଇଦିଏ । ସଂଘର୍ଷମୟ ଜୀବନ ।
ସଂସାରରେ ଅନେକ କଷ୍ଟ ଅନେକ ଯନ୍ତ୍ରଣା । ବାଞ୍ଛାରଙ୍ଗଣୀ ସେ କଷ୍ଟ ଯନ୍ତ୍ରଣାକୁ ସହ୍ୟ କରି ଆଜି ଅଶି ବୟସରେ ମଧ୍ୟ ଲୁଗା ଗଣ୍ଠିଲି ଧରି ବେପାର କରିବାକୁ ବାହାରି ପଡିଛି । ଆଜି ବୁଢା ସମସ୍ତଙ୍କର ଆଦରର ପାତ୍ର । କିଏ ଡାକୁଛି ବୁଢା ଅଜା ତ... କିଏ ଡାକୁଛି ବୁଢା ବାପା..... ପୁଣି କିଏ ଡାକନ୍ତି ଗଣ୍ଠିଲି ବୁଢା । ପୁଅ ବୋହୁ ନ ପଚାରିଲେ କଣ ହେଲା.... ଆଜିର ଦିନରେ ବୁଢାର ସମସ୍ତେ ପୁଅବୋହୂ ।
ବୁଢା ଖରାବେଳ ଟାରେ ଲୁଗା ବିକି ବୋଧହୁଏ ଘରକୁ ଫେରୁଥିଲା। ଦେହରେ ଖରା ଗଲାନାହିଁ । ଚାକୁଣ୍ଡା ଗଛ ମୂଳରେ ଲୁଗା ଗଣ୍ଠିଲିଟି ମୁଣ୍ଡରେ ଦେଇ ଶୋଇ ପଡିଲା । ଆଉ ସେ ନିଦ୍ରା ହୋଇଗଲା ଚିରନିଦ୍ରା । ଗାଈ ଗୋଠ ଧରି ଫେରୁଥିବା ଗାଈଆଳିଆ ପିଲାମାନେ କଥା ହେଉଥିଲେ - "ଆଃ... ବୁଢାଟା ଚାଲିଗଲା" । ଲୋକମାନଙ୍କର ସୁଅ ଛୁଟିଲା ଦେଖିବା ପାଇଁ ବାରମାସୀ ଦଣ୍ଡାକୁ । କିଛି ସମୟ ପରେ "ରାମ ନାମ ସତ୍ୟ ହେ.... ଶୁଣା ଯାଉଥିଲା । ସବୁଦିନ ପରି ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲେ । ପ୍ରତିଦିନ ପରି ନାତିଆର ଗଣ୍ଠିଲି ବୁଢା ଡାକ ଆଉ ଶୁଭିଲା ନାହିଁ । ଅନ୍ଧାରରେ ଝିଅ କୁନି ..... ବାପାକୁ ବାହୁନି ବାହୁନି କାନ୍ଦୁଥିବାର ଦୂରରୁ ଶୁଭୁଥିଲା ।