Debaki Behera

Abstract Classics

4.3  

Debaki Behera

Abstract Classics

ll ଆଗମନ ll

ll ଆଗମନ ll

7 mins
224



ଆଶ୍ଵିନ ମାସ । ତା ସହ ଶରତର ସକାଳ । ପୂରୁବ ଦିଗରେ ଉଦୀୟମାନ ସୂର୍ଯ୍ୟଙ୍କର ଆଗମନ । ପତ୍ରର ଉପରେ କାକର ବିନ୍ଦୁ ଓ ତା ଉପରେ ସୂର୍ଯ୍ୟଙ୍କର ରଶ୍ମି ପଡି ତାହା ମୋତି ଭଳି ପ୍ରତୀୟମାନ ହେଉଛି । ଏଇଟା କଲିକତା ସହର ।ଗଙ୍ଗାନଦୀ ତଟରୁ ସୂର୍ଯ୍ୟୋଦୟର ଦୃଶ୍ୟ ଅତ୍ୟନ୍ତ ମନୋରମ । ପୀଠରେ ମା ଦୂର୍ଗାଙ୍କର ନବଦିନାତ୍ମକ ପୂଜାର ପ୍ରାରମ୍ଭ । ଶୁଭମ ବାଲକୋନୀ ରେ ଛିଡା ହୋଇ ଏହି ସବୁ ଦୃଶ୍ୟକୁ ଉପଭୋଗ କରୁଥାଏ । ଆଃ କି ସୁନ୍ଦର ଶୋଭାରାଶୀ ସ୍ୱତଃ ପ୍ରବୃତ୍ତ ଭାବେ ମୁଖରୁ ବାହାରି ଆସେ । ଗତ ଦୁଇ ଦିନ ପରେ ସେ ଆଜି ଶାନ୍ତି ରେ ଏପରି ସକାଳର ଆନନ୍ଦ ନେଇପାରୁଛି । ସେ ଏଇ ଦୁଇଦିନ ହେଲା ଭୁବନେଶ୍ୱରରୁ କଲିକତା ବଦଳି ହୋଇ ଆସିଛି । ସେ ପେସାରେ ଜଣେ ସିଭିଲ ଇଞ୍ଜିନିଅର । ଓଡିଶାରୁ ଆସି କଲିକତାର ଫ୍ଲାଟ ରେ ଜିନିଷ ସଜାଡୁ ସଜାଡୁ ତାର ବ୍ୟସ୍ତତା ଭିତରେ ଦୁଇଦିନ ବିତିଗଲାଣି । ନା ସେ କଲିକତା ସହର ଏବେ ଯାଏଁ ବୁଲିପାରିଛି ନା ନିଜେ ବି ଟିକେ ଶାନ୍ତିରେ ସୋଇପାରିଛି । ଆଜି ରବିବାର । ତେଣୁ ଶୁଭମ ନିଷ୍ପତି ନେଲା କି ଆଜି ଯାହା ବି ହେଉ ଆଜିକାର ଦିନକୁ ସେ ମନଭରି ଉପଭୋଗ କରିବ । କଲିକତାରେ ଦୂର୍ଗା ପୂଜା ପ୍ରସିଦ୍ଧ । ପୂଜା ମଣ୍ଡପ ଗୁଡିକ ଅତି ସୁନ୍ଦର ସୁନ୍ଦର ତୋରଣରେ ସଜା ଯାଉ ଅଛି । ସେ ଆଜି ବୁଲିକି ସବୁ ଦେଖିବ । ମାଆ ଦୂର୍ଗା ଯେହେତୁ ଧରଣୀ ପୃଷ୍ଠ କୁ ଆଗମନ କରିବେ । ପାପୀ ମାନଙ୍କର ସଂହାର କରି ଧରଣୀକୁ ପାପ ମୁକ୍ତ କରେଇବେ । ଶୁଭମ ଏମିତି କଥା ସବୁ ଭାବି କରି ଗାଧୋଇବାକୁ ଗଲା । ଗାଧୋଇସାରି ଆସି ପ୍ୟାଣ୍ଟ ସାର୍ଟ ପିନ୍ଧି ବଜାର ବୁଲିବାକୁ ବାହାରିଗଲା । ଫ୍ଲାଟ ତଳକୁ ଆସି ଏକ ରିକ୍ସା ଟିଏ ନେବାକୁ ଚାହିଁଲା । ରିକ୍ସା ଵାଲାକୁ କହିଲା କି ଭାଇ ମୋତେ ପ୍ରଥମେ କଲିକତାରେ ପ୍ରସିଦ୍ଧ ଦକ୍ଷିଣ କାଳୀ ମନ୍ଦିରକୁ ନେଇଚାଲ । ସେଠୁ ଆସିଲେ ମୋତେ କଲିକତା ସହରର କିଛି ଜାଗା ବୁଲେଇକି ଦେଖେଇଦେବ। ରିକ୍ସାଵାଲା ଶୁଭମ କଥାନୁସାରେ ଦକ୍ଷିଣକାଳୀ ଅଭିମୁଖେ ଯାତ୍ରା କଲା । ଶୁଭମ ରିକ୍ସାରୁ ଓହ୍ଲେଇ ମନ୍ଦିର ଭିତରକୁ ପ୍ରବେଶ କଲା । ପାହାଚ ତଳେ ଜୋତାଟିକୁ କାଢି ମାତାଙ୍କ ଦର୍ଶନାଥେ ଭିତରକୁ ଗଲା । କିଛି ସମୟ ପରେ ମାତାଙ୍କ ଦର୍ଶନ ସାରି ଏକ ପ୍ରସନ୍ନତାପୂର୍ବକ ବଦନରେ ମନ୍ଦିର ଭିତରୁ ଆସିଲା । ମନ୍ଦିର ବାହାରେ ଜୋତାଟିକୁ ପିନ୍ଧୁଥିଲା ଠିକ ଏଇ ସମୟରେ ପଛପଟୁ ଏକ ଅତି ଆପଣାର ଚିହ୍ନା ସ୍ୱରଟିଏ ଭାସି ଆସିଲା । ଶୁଭମ ପଛକୁ ବୁଲି ଚାହିଁଲା ଆରେ ଏ ତ ପୂଜା ତା ପୂଜା, ଓଃ ମୁଁ ଏ କଣ ଭାବୁଛି। ସେ ବର୍ତମାନ ଅନ୍ୟ କାହାର ସ୍ତ୍ରୀ । ମଥାରେ ତାର ଅନ୍ୟ ନାଁରେ ପିନ୍ଧିଥିବା ସିନ୍ଦୁର । ମୁଁ ଏମିତି କେମିତି ଭାବି ପାରିଲି । ପୂଜା ଧୀର ସ୍ୱରରେ କହିଲା :- ଶୁଭମ କଣ ତୁମେ ମୋତେ ଚିହ୍ନିପାରୁନ? ଏମିତି ଏକ ଲୟରେ ଚାହିଁ ରହିଛ ଅଜଣା ଲୋକଟେ ପରି? ଶୁଭମ :- ହଁ, ନା.... ହଁ ଚିହ୍ନି ପାରୁଛି । ହେଲେ ତୁ ଏଠି? ତୋତେ ହଠାତ ଦେଖି ଏତେ ବର୍ଷ ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି ।

ପୂଜା :-ଆରେ ମୋର ଶାଶୂଘର ପରା ଏଇ କଲିକତାରେ । କିନ୍ତୁ ତୁମେ ଏଠି କେମିତି?

ଶୁଭମ :- ମୋର ଏଠିକୁ ବଦଳି ହେଇଯାଇଛି । ଏଇ ଗତ ଦୁଇଦିନ ହେଲା । ଆଉ ତୁ ଏକା ତୋ ସହ ତୋ ଶାଶୁଘରୁ କେହି ଆସିନାହାନ୍ତି? ମନ୍ଦିର ଆସିଥିଲୁ ବୋଧେ? 

ପୂଜାଟିକେ ନିରବ ରହି କଥାକୁ ଭୁଲେଇବାକୁ ଚେଷ୍ଟା କଲା ।

ଆଉ ଶୁଭମ ତୁମେ ଖବର କଣ ମାଆ, ପିଙ୍କି, ରିଙ୍କି କେମିତି ଅଛନ୍ତି? ଆଉ ତୁମେ ବାହା ହେଲଣି ନା ନାହିଁ? :-ପୂଜା ପଚାରିଲା ।

ଶୁଭମ :-ହଁ ସମସ୍ତେ ଭଲ ଅଛନ୍ତି । ଆଉ ରହିଲା ବାହାଘର କଥା ଜୀବନରେ ତୁମ ଜାଗା କେହି ନେଇପାରିବେନାହିଁ । ତୁମେ ଆଜି ବି ମୋ ମନ ମନ୍ଦିରରେ ଦେବୀ ଟିଏ ଭଳି ପୂଜା ପାଉଅଛ । ମୁଁ ହତଭାଗା ତୁମକୁ ପାଇପାରିଲି ନାହିଁ । ଅତୀତ ଟି ସବୁବେଳେ କଷ୍ଟ ଦାୟକ ନହେଲେ ଆମେ କେବେବି ଏମିତି ଅଲଗା ହୋଇନଥାନ୍ତୁ ।

(ଶୁଭମ ଆଉ ପୂଜା ଏକ ପ୍ରସ୍ତର ନିର୍ମିତ ଚୌକି ଉପରେ ଯାଇ ବସିଲେ । )

ପୂଜା :- ତୁମେ ସବୁ ଜାଣିଛ ଶୁଭମ, ମୁଁ କଣ କରିପାରିଥାନ୍ତି କୁହ ତ?

ଶୁଭମ :- ଆରେ ନା ନା ମୁଁ ତୁମକୁ କେବେ ଦୋଷ ଦେଇନି କି ଦେବିନି ତୁମ ଜାଗାରେ ମୁଁ ଥିଲେ ହୁଏତ ସେତିକି କରିପାରିନଥାନ୍ତି । ତୁମେ ତ ମୋର ଏବଂ ମୋ ପରିବାର ର ଖୁସି ଚାହୁଁଥିଲ।

ପୂଜା :- ହଁ ଶୁଭମ, ମୁଁ ଜାଣିଥିଲି ମୋ ବାପା ବହୁତ ଜିଦିଆ । ସେ ତାଙ୍କ ଜିଦ୍ଦି ପାଇଁ କିଛି ବି କରିପାରିଥାନ୍ତେ । ତେଣୁ ତ ସେ ମୋ ସାମ୍ନାରେ ଏଭଳି ପ୍ରସ୍ତାବ ରଖିଥିଲେ । ଆମ ସମ୍ପର୍କ ବିଷୟରେ ଜାଣିଲା ପରେ ସେ ତୁମକୁ କଲେଜ ରୁ ବାହାର କରିଦେବାକୁ ସବୁ ବ୍ୟବସ୍ଥା କରିସାରିଥିଲେ । ଆଉ ମୁଁ ତୁମ ଘର ପରିସ୍ଥିତି ବହୁତ ଭଲସେ ଜାଣିଥିଲି ତୁମେ ବହୁତ କଷ୍ଟ କରି ଇଞ୍ଜିନିଅରିଂ ପଢ଼ୁଥିଲ। ଶେଷ ବର୍ଷ ଥିଲା ତୁମ ପଢାର । ସେତ ଯାହା ଅଲଗା କଥା ବାପା ତୁମକୁ ଜୀବନରୁ ମାରିଦେବାକୁ ବି ଯୋଜନା କରିଥିଲେ । ମୁଁ ତୁମ ମୃତ୍ୟ ର କାରଣ ହୁଏ ଏ କଥା କେବେ ବି ମୁଁ ସାହିପାରିନଥାନ୍ତି ।ମୁଁ ଜାଣିଥିଲି ମୋ ବାପା ପକ୍ଷେ କିଛି ଅସମ୍ଭବ ନୁହଁ । ତେଣୁ ବାପାଦେଇଥିବା ପ୍ରସ୍ତାବ ରେ ମୁଁ ରାଜି ହୋଇଯାଇଥିଲି । ତାଙ୍କ ପସନ୍ଦର ପୁଅକୁ ମୁଁ ବାହାହେଲେ ସେ ତୁମର କିଛି କ୍ଷତି କରିବେନି ବୋଲି ମୋତେ କଥା ଦେଇଥିଲେ । ପ୍ରିୟାଂଶୁ ତାଙ୍କ ସାଙ୍ଗର ପୁଅ ଥିଲା ।

ଶୁଭମ :-ଛାଡ ସେ ଅତୀତ କଥା । ପ୍ରିୟାଂଶୁ କେମିତିକା ପିଲା? ସେ ତୋତେ ଖୁସିରେ ରଖୁଛି ତ?

ମୋ ବାପା ଯେଉଁଭଳି ଲୋକ ଆଉ ତାଙ୍କ ସାଙ୍ଗ ମାନେ କେବେ ବି ଭଲ ହୋଇଥିବେ ତୁମେ ଭାବିପାରୂଛ ଏତିକି କହି ପୂଜା ନିରବ ହୋଇଯାଇଥିଲା ।

(ଠିକ ଏଇ ସମୟରେ ରିକ୍ସାଵାଲା ଟି ଡାକ ଛାଡିଲା ବାବୁ ମନ୍ଦିର ବୁଲାସାରିଲେଣି ଆସନ୍ତୁ ଯିବା )

ଶୁଭମ :-ହଁ ହଁ ଯାଉଛି ।

ଶୁଭମ ଏତିକି କହି କଡ଼କୁ ଚାହିଁଲା ବେଳକୁ ପୂଜା ତା ପାଖରେ ଆଉ ନାହିଁ । ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏଇଠି ବସିଥିଲା କୁଆଡେ ଅନ୍ତର୍ଧ୍ୟାନ ହେଇଗଲା । ତାକୁ କିଛି ସମୟ ଏଣେ ତେଣେ ଖୋଜି ଖୋଜି ନ ପାଇ ଫ୍ଲାଟ କୁ ଫେରିବାକୁ ନିଷ୍ପତି ନେଲା । ରିକ୍ସା ଵାଲା ପାଖକୁ ଆସି କହିଲା ଭାଇ ମୋତେ ଫ୍ଲାଟ କୁ ନେଇଚାଲ ।

ରିକ୍ସା ଵାଲା :-ହେଲେ ବାବୁ ଆପଣ ତ କଲିକତା ବଜାର ବୁଲି ଦେଖିବାକୁ କହୁଥିଲେ।

ଶୁଭମ :-ନାହିଁ ଭାଇ ଆଉ ଇଛା ନାହିଁ, ମୋତେ ଫ୍ଲାଟକୁ ନେଇଚାଲ ।

ରିକ୍ସା ଵାଲା ଶୁଭମ କୁ ଆଣି ଫ୍ଲାଟ ପାଖରେ ଛାଡି ଦେଇଚାଲିଗଲା । ଶୁଭମ ତା ରୁମ କୁ ଯାଇ ଡୋର ଖୋଲିବାକୁ ଯାଉଥିଲା ବେଳେ ଦେଖିଲା ଯେ ଗୋଟେ ଲଫାପା ଟିଏ ଦୁଆର ମୁହଁ ରେ ପଡିଛି । ସେ ସେଇଟିକୁ ଉଠେଇକି ଉପରୁ ବୁଲେଇକି ଦେଖିଲା । କାହାରି ନା ଲେଖା ନଥିଲା । ସେ ଏଠି ନୂଆ ତାକୁ କେହିବି ଜାଣନ୍ତିନି କିନ୍ତୁ ତାକୁ ପତ୍ର କିଏ ଦେଲା ଏମିତି ଭାବି ଭାବି ଦୁଆର ଖୋଲି ଲଫାପା ଟିକୁ ଟେବୁଲ ଉପରେ ରଖିଦେଲା । ଆଉ ଖଟ ଉପରେ ଯାଇ ଶୋଇପଡ଼ିଲା ।

ହଠାତ କାହାର କରୁଣ ଚିତ୍କାର ଶୁଣି ସେ ଝାଳ ବୁଡୁ ବୁଡୁ ହୋଇ ଉଠି ବସିପଡିଲା । ସେଇ ସ୍ବପ୍ନ ଯାହାକୁ ସେ ଦୀର୍ଘ ଦୁଇମାସ ଧରି ପ୍ରତିଦିନ ଦେଖିଆସୁଛି । କିଏ ଜଣେ ନିଆଁରେ ଜଳି ଯାଉଛି ଆଉ ବଂଚେଇବା ପାଇଁ ତାକୁ ଡାକ ଛାଡୁଛି । ହେଲେ କିଏ ସିଏ? ଶୁଭମ କିଛି ବୁଝିପାରିଲାନି । ଏମିତିରେ ଚାରିଦିନ ବିତିଗଲା । ଶୁଭମ ସହ ଏଠି କିଛି ଠିକ ନଥିଲା । ସେ କାହାର ଉପସ୍ଥିତି ତା ଘର ଭିତରେ ଅନୁଭବ କରିପାରୁଥିଲା । ମାଆ ଦୂର୍ଗାଙ୍କର ଅଷ୍ଟମୀ ପୂଜା ଆଜି । ଶୁଭମ ପୂଜା ଦେଖିସାରି ରୁମକୁ ଫେରିଲା । ଆଉ ଶୋଇବାକୁ ଗଲା । ଯେମିତି ତାକୁ ଟିକେ ନିଦ ଆସିଯାଇଛି ସେ ସେଇ ସ୍ବପ୍ନ ଆଉ ଥରେ ଦେଖିଲା । କିନ୍ତୁ ଏଥର ସେ ସେହିଁ ମହିଳାକୁ ସ୍ପଷ୍ଟ ଦେଖିପାରୁଥିଲା ହେଲେ ବଞ୍ଚାଇପାରିଲାଣି । ହଠାତ ଶୁଭମ ଉଠି ବସି ପଡିଲା । ଓଃ କି ଭୟାନକ ସ୍ବପ୍ନ । ଏମିତି କେବେ ହୋଇନପାରେ । ସେ ଏତିକି ଚିନ୍ତା କରି ଖଟ ରୁ ଓହ୍ଲେଇ ବାକୁ ଯିବା ବେଳେ ତା ହାତରେ ସେ ଲଫାପା ଟି ଲାଗିଲା । ଆରେ ଏ ଲଫାପା! ୟାକୁ ତ ମୁଁ ଟେବୁଲ ଉପରେ ରଖିଥିଲି । ଏଠାକୁ କେମିତି ଆସିଲା । ସେ ସେଇ ଲଫାପା ଟିକୁ ଖୋଲିଲା । ସେଥିରେ ଏକ ଫୋଟୋ ଥିଲା ତା ସହ ଏକ ପତ୍ର । ସେ ସେଇ ପତ୍ର ଟିକୁ ଖୋଲିଲା ଏବଂ ସେଥିରେ ଗୋଟିଏ ଜାଗାର ଠିକଣା ସହ ସେଠାକୁ ଯିବାକୁ ଅନୁରୋଧ କରା ଯାଇଥିଲା । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ସେଇ ଚିଠି ଟି ଶୁଭମ ପାଇଁ ଥିଲା କାରଣ ସେଥିରେ ପ୍ରିୟ ଶୁଭମ ଲେଖଥିଲା । ଶୁଭମ ନବମୀ ଦିନ ସକାଳୁ ସେଇ ଠିକଣାର ସନ୍ଧାନରେ ବାହାରିଗଲା । ଏକ ସୁନ୍ଦର ବଙ୍ଗଳା ନିକଟରେ ଯାଇ ପହଁଚିଲା । ଠିକଣାଟି ସେଇ ଘରର ଥିଲା । ସେ ଧୀରେ କରି ଗେଟ ଟି ଖୋଲି ଭିତରକୁ ଯିବାକୁ ଉଦ୍ୟତ ହେଲା । ଠିକ ଏଇ ସମୟରେ ଏକ କୁନି ପିଲାର କୁଆଁ କୁଆଁ ଡାକ ତା କାନକୁ ଶୁଭିଲା । ସେ ସେଇ ଶବ୍ଦ ଅଭିମୁଖେ ଦୌଡିଲା । ଆଉ ଭିତରେ ଯାହା ଦେଖିଲା ତା ହୋସ ଉଡ଼ିଗଲା । ଚାରି ପାଞ୍ଚ ମାସର କୁନି ଝିଅଟିଏ । ଚାରିଆଡେ ହୁତୁ ହୁତୁ ହୋଇ ନିଆଁ ଜଳୁଛି । ଯେମିତି ଲାଗୁଥିଲା କିଏ ଜାଣିଶୁଣି ତାକୁ ନିଆଁ ମଝିରେ ରଖିଦେଇଛି । ଶୁଭମ ଏଣେ ତେଣେ ଚାହିଁଲା କାହାରିକୁ ବି ସେ ଦେଖିବାକୁ ପାଇଲା ନାହିଁ । ତେଣୁ ନିଆଁ ଭିତରକୁ ଯାଇ କୁନି ଝିଅଟିକୁ ନିଆଁ ଭିତରୁ ଟେକି ଆଣିଲା । ଯାହା ହେଉ କୁନି ଝିଅଟିର କିଛି ବି କ୍ଷତି ହୋଇନଥିଲା । ସେ ଏଣେ ତେଣେ ଯାଇ ଦେଖିଲା କାଳେ କିଏ କେଉଁଠାରେ ଥିବ । ହେଲେ ସେ କାହାରିକୁ ଦେଖିବାକୁ ପାଇଲା ନାହିଁ । ଏଣେ ତେଣେ ଘର ଭିତରେ ବୁଲୁ ବୁଲୁ ଗୋଟିଏ କାନ୍ଥରେ ସେ ଫୁଲମାଳ ଟଙ୍ଗା ହୋଇଥିବା ଫୋଟୋଟିକୁ ଦେଖିଲା । ତାର ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ । ସେଇଟି ତା ପୂଜାର ଫୋଟୋ ଥିଲା । ଆଉ ଏଇ କୁନି ଝିଅଟି ତା ଝିଅ ଥିଲା । ଯାହାକୁ କି ଶୁଭମ ବଂଚାଉ ପୂଜା ଏଇଟା ଚାହୁଁ ଥିଲା । ହେଲେ ତା ଶାଶୂଘର ଲୋକେ ସବୁ କାହାନ୍ତି? କଣ ପୂଜା ସହ କିଛି ଅଘଟଣ ଘଟିଥିଲା? ହୁଏତ ସେ ଦେଖିଥିବା ସ୍ବପ୍ନ ସତ ଥିଲା । ପୂଜାକୁ ଅତି ନିର୍ମମ ଭାବେ ତିନିଜଣ ମିଶି ଜଳାଉଥିବାର ଚିତ୍ର ସେ ତା ସ୍ବପ୍ନରେ ଦେଖିସାରିଥିଲା । କିନ୍ତୁ ଦୁଃଖର ବିଷୟ ସେଇଟା ସ୍ବପ୍ନ ନୁହଁ ସତ ଥିଲା ଯାହା ପୂଜା ତାକୁ ଜଣେଇବାକୁ ଚାହୁଁଥିଲା । ସେ କୁନି ଝିଅଟିକୁ ଧରି ତା ଫ୍ଲାଟକୁ ଫେରିଲା । ତା ପାଇଁ ବାଟରୁ କିଛି ପୋଷାକ, ଖାଦ୍ୟସାମଗ୍ରୀ, ଝୁଲଣ ଓ ଖେଳନା ଧରି ଆସିଥିଲା । କୁନି ଝିଅଟିକୁ ବୋତଲ ରେ ଗୋଳେଇ କିଛି ଖାଦ୍ୟ ଖୁଆଇ ଶୁଆଇଦେଲା । ଏବଂ ସେ ମଧ୍ୟ ତା ଝୁଲଣ ପାଖରେ ମୁଣ୍ଡ ଦେଇ ଶୋଇଗଲା । ତହିଁ ଆରଦିନ ଦଶମୀ ତିଥି । ମାଆ ଦୂର୍ଗାଙ୍କର ଦଶମୀ ପୂଜା । ଶୁଭମ ନିଦରୁ ଉଠି ମୁହଁ ଧୋଇଲା । କେତେ ଦିନ ପରେ ବିନା ସ୍ବପ୍ନରେ ସେ ଶାନ୍ତିରେ ସୋଇପାରିଥିଲା । ସେ ବାଲକୋନୀ ଆଡକୁ ଆଜିକାର ପେପରଟି ଧରି ପଢି ପଢି ଯିବାକୁ ବାହାରିଲା । ହଠାତ ତା ପାଦଟି ଅଟକିଗଲା । ପେପରର ମୁଖ୍ୟ ନିୟୁଜ ଥିଲା କାଲି ରାତିରେ ବିଶିଷ୍ଟ ଶିଳ୍ପପତି ଘରେ ନିଆଁ ଲାଗି ବାପା ମାଆ ପୁଅ ଜିଅନ୍ତା ଦଗ୍ଧ । ହୁଏତ ତାଙ୍କର କୁନି ଝିଅଟି ବି ସେଇ ନିଆଁରେ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତିକି ପଢ଼ିସାରି ଶୁଭମ ପ୍ରଥମେ ଝୁଲଣ ପାଖକୁ ଧାଇଁଲା ଆଉ କୁନି ଝିଅକୁ କୋଳକୁ ଉଠେଇନେଇ ତାକୁ ବହୁତ ଗେଲ କରିପକେଇଲା । ତାକୁ କୋଳରେ ଧରି ବାଲକୋନୀକୁ ଆସିଲା । ଚାରିଆଡେ ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନିରେ ଧରା ଫାଟି ପଡୁଛି । ପାଖ ପୂଜା ମଣ୍ଡପରୁ ମାଆ ଦୂର୍ଗା ଯେପରି ଜୀବନ୍ତ ଭଳି ଦୃଶ୍ୟମାନ ହେଲେ । ଶୁଭମ କୁନି ଝିଅକୁ କୋଳରେ ଧରି କହିଲା ସତରେ ତୋ ମାଆ ଜଣେ ଦେବୀ ଥିଲା । ତା ସ୍ନେହ, ମମତାର ପଟାନ୍ତର ନାହିଁ । ପାପୀମାନଙ୍କୁ ସଂହାର କରି ତୋତେ ସବୁଦିନ ପାଇଁ ସୁରକ୍ଷିତ କରିଦେଇଗଲା । ତୁ ଆଜିଠୁ ମୋ ଝିଅ ଦୂର୍ଗା । ମାଆ ଦୂର୍ଗା ମୋ ଘରକୁ ଆଜିର ଦିନରେ ଆଗମନ । ପୂଜା ତୁମେ ଏବେ ଶାନ୍ତିରେ ଯାଇପାର ମୁଁ ତୁମ ଝିଅକୁ ମୋ ଜୀବନଠାରୁ ଅଧିକା ସ୍ନେହ ଦେଇ ପାଳିବି । ଇଏ ପରା ମୋ ମାଆ । ଯିଏ ମୋର ଏଇ ଶୂନ୍ୟ ଘରକୁ ଆଜିର ଦିନରେ ଆଗମନ କରିଅଛି ।



Rate this content
Log in

Similar oriya story from Abstract