Bismita Sahoo

Classics

4.6  

Bismita Sahoo

Classics

ଲାଜକୁଳୀଲତା

ଲାଜକୁଳୀଲତା

3 mins
473


ଆଜି ବିଦ୍ୟାଳୟର ବାର୍ଷିକ ଉତ୍ସବ। ବିଭିନ୍ନ ପ୍ରକାରର ନାଚଗୀତର ଆୟୋଜନ କରାଯାଇଛି। ତା ମଧ୍ୟରେ ପ୍ରମୂଖ ଆକର୍ଷଣ ହେଉଛି ହିପ୍ ହପ୍ ଓ ଓଡ଼ିଶୀର ଫ୍ୟୁଜନ୍। ଓଡ଼ିଶୀର ମୁଖ୍ୟ ନୃତ୍ୟଶିଳ୍ପୀ ହିସାବରେ ଶିବିକା ଓ ହିପହପରେ ସିମ୍ରନ ଅଭିନୟ କରୁଛନ୍ତି। ଯେହେତୁ ଫ୍ୟୁଜନ୍ ନୃତ୍ୟ ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ଭାବ ରହିବା ସ୍ୱାଭାବିକ। ନୃତ୍ୟଗୁରୁଙ୍କ ବାରମ୍ବାର ତାଗିଦ କାହାର ଯେପରି ଭୁଲ ନହୁଏ। ନା ନାଚରେ, ନା ଅଙ୍ଗଭଙ୍ଗୀରେ ନା ମୁହଁର ହାବ ଭାବରେ। 

 

ଦୁଇଦଳ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ଅଭ୍ୟାସ କରିଛନ୍ତି। ହିପହପର ମୁଖ୍ୟ ନୃତ୍ୟଶିଳ୍ପୀ ଖୁବ ଜିଦଖୋର। କାମରେ ପୁରା ପକ୍କା। ହେଲେ ଓଡିଶୀର ମୁଖ୍ୟ ନୃତ୍ୟଶିଳ୍ପୀ ଶିବିକା ଟିକିଏ ଛୁଇମୁଇଁ ଝିଅଟିଏ। ପୁରା ଲାଜକୁଳୀ ଲତା। ଅନ୍ୟର ମୃଦୁ ଆଘାତରେ ବି ଝାଉଁଳି ପଡ଼େ। ଅତ୍ୟାଧିକ କୋମଳ। ନୃତ୍ୟ ଅଭ୍ୟାସ କଲାବେଳେ ଅଣ୍ଟାରେ ଗୋଟିଏ ରୁମାଲ ଖୋସିଥିବ। ଝାଳ ବାହାରିଲା ମାନେ ତତ୍କ୍ଷଣାତ ପୋଛି ଦେଉଥିବ। ପ୍ରତି ପାଞ୍ଚ ମିନିଟରେ ଥରେ ଗ୍ଲୁକୋଜ ପିଉଥିବ। ସେଥିପାଇଁ ବିଦ୍ୟାଳୟକୁ ଆସିବା ସମୟରେ ତା ସାଙ୍ଗରେ ଗ୍ଲୁକୋଜ ପ୍ୟାକେଟ ଓ କିଛି କମଳା ନିଶ୍ଚୟ ଆଣେ। ତା ଭାଷାରେ ଏସବୁ ହେଉଛି ଏନର୍ଜି ଟନିକ। ଯାହାଦ୍ୱାରା ତାର ନୃତ୍ୟ କରିବାର ସାମର୍ଥ୍ୟ ବଢ଼େ। 


  ଏଇ ଗଲା ଶନିବାରର ଘଟଣା। ନୃତ୍ୟଅଭ୍ୟାସ କରୁଥିବା ସମୟରେ ଭୁଲରେ ଜଣେ ପ୍ରତିଯୋଗୀ ଶିବିକାର ପାଦକୁ ମାଡିଦେଲା। ଓଃ ମା! ଏହା କହି ସେ ତଳେ ବସି ପଡ଼ିଲା। ବ୍ୟସ୍ତ ହେଇ ଗୁରୁଜୀ ଦୌଡ଼ି ଆସିଲେ। କିନ୍ତୁ ଏ କଣ! ଶିବିକାର ପାଦ ତ କିଛି ହେଇନି। ନା ଫୁଲିଛି, ନା ମଳିଚମ ଛିଣ୍ଡିଛି, ନା ଚମଡ଼ା କଳା ପଡ଼ିଛି। ତଥାପି ଶିବିକା ବାରମ୍ବାର ପାଦର ଅଙ୍ଗୁଳିଗୁଡିକୁ ସାଉଁଳୁଥାଏ। ତା ପାଦରେ ତୁରନ୍ତ ବରଫ ଘଷାଗଲା ଓ ମୁଭ ମାଲିସ କଲା ପରେ ସେ ତା ବସିବା ଜାଗାରୁ ଉଠିଲା, କିନ୍ତୁ ଆଜି ଆଉ ନୃତ୍ୟ ଅଭ୍ୟାସ କରିବନି ବୋଲି ରୋକଠୋକ ମନା କରିଦେଲା। ତା ପଅରଦିନ ବି ପାଦର ଆଙ୍ଗୁଠି କାଟୁଛି କହି ଅଭ୍ୟାସକୁ ଆସିଲାନି। 


   ଜଣେ ଦକ୍ଷ ନୃତ୍ୟଶିଳ୍ପୀ ବୋଲି ତାର ଯେତେସବୁ ଫେଚେକାମୀ ନୃତ୍ୟଗୁରୁ ବରଦାସ୍ତ କରୁଥିଲେ। ନୃତ୍ୟଅଭ୍ୟାସ ଲଗାତାର ତିନିଦିନ ହେଲା ବନ୍ଦ ହେଲାଣି। ଆସନ୍ତା ରବିବାର ଦିନ ବାର୍ଷିକ ଉତ୍ସବ। ସାରଙ୍କର ମୁଣ୍ଡ କିଛି କାମ କରୁନଥିଲା। ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ 'ଫ୍ୟୁଜନ୍ ନୃତ୍ୟ' ଏପରି ଅବହେଳାର ଶିକାର ହେଉ ସେ ଚାହୁଁନଥିଲେ। 


  -ସେ ଲାଜକୁଳୀ ଲତାକୁ କୁହ, ଜଲଦି ଆସି ନୃତ୍ୟ ଅଭ୍ୟାସ କରିବ। ନଚେତ ତା ନାଁ ନାଚରୁ କାଟିଦେବି। 


ସାର ଖାଲି ରାଗରେ କମ୍ପୁଥାନ୍ତି। ତା ଗୁରୁଙ୍କର ଏପରି ରୁଦ୍ର ରୂପ ଦେଖି ଶିବିକା ଶେଷରେ ନୃତ୍ୟରେ ଯୋଗ ଦେଲା। ଏମିତି ଦେଖିଲେ ଏସବୁ ଶିବିକାର ଭୁଲ ନୁହେଁ। ଗୋଟିଏ ଝିଅ ବୋଲି ପିଲାଦିନୁ ଅତି ଗେହ୍ଲାରେ ସେ ବଢ଼ି ଆସିଛି। ପିମ୍ପୁଡ଼ିଟିଏ କାମୁଡ଼ିଲେ ବି ଦି ଦିନ ଯାଏ ସମସ୍ତଙ୍କୁ ଦେଖାଉଥିବ। ଦେଖ ପିମ୍ପୁଡ଼ି କାମୁଡ଼ି କେମିତି ନାଲିଆ କରିଦେଇଛି। ତା ସହିତ ଆଖିରୁ ଗଙ୍ଗା ଯମୁନା ବହୁଥିବ। 


 ଆଜି ସମସ୍ତଙ୍କ ପ୍ରତୀକ୍ଷାର ଅବସାନ କରେଇ ବାର୍ଷିକ ଉତ୍ସବ ଉପନୀତ ହେଇଛି। ପିଲାମାନେ ଭଳିକି ଭଳି ରଙ୍ଗୀନ ପୋଷାକ ପିନ୍ଧି ପ୍ରଜାପତି ସମ ବିଦ୍ୟାଳୟ ପ୍ରାଙ୍ଗଣରେ ଉଡ଼ି ବୁଲୁଛନ୍ତି। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପ୍ରଧାନଶିକ୍ଷକଙ୍କ ସହିତ ଆସନ ଅଳଙ୍କୃତ କରି ସାରିଲେଣି। ପ୍ରଥମେ ଗଣେଶ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହେଲା। ତା ପରେ ଦେଶାତ୍ମବୋଧକ ନୃତ୍ୟ, ରାଜସ୍ଥାନୀ,ଗୁଜୁରାଟୀ,ଆସାମୀ ଭାଷାର ପାରମ୍ପରିକ ନୃତ୍ୟ, ସମ୍ବଲପୁରୀ ଲୋକ ନୃତ୍ୟ, ଓଡ଼ିଆ ଓ ହିନ୍ଦୀ ପୁରୁଣା ସିନେମା ଗୀତ ଆଧାରରେ ନୃତ୍ୟ, କିଛି ସଦ୍ୟ ମୁକ୍ତିପ୍ରାପ୍ତ ଚଳଚିତ୍ରର ନୃତ୍ୟ, ସାଲସା, ବ୍ୟାଲ୍ଲେ, ଟ୍ୟାଙ୍ଗୋ, ଏରିଅଲ ପରି ବିଦେଶୀ ନୃତ୍ୟ ଏପରି ଗୋଟିଏ ପରେ ଗୋଟିଏ ନୃତ୍ୟରେ ପିଲାମାନେ ସଭିଙ୍କ ମନକୁ ମୋହି ଦେଉଥାନ୍ତି। କରତାଳିରେ ବିଦ୍ୟାଳୟ ପ୍ରାଙ୍ଗଣ ଫାଟି ପଡୁଥାଏ। 


  ଏହାପରେ ଆଜିର ଉତ୍ସବର ମୁଖ୍ୟ ଆକର୍ଷଣ ଫ୍ୟୁଜନ୍ ନୃତ୍ୟର ପାଳି। ନୃତ୍ୟଗୁରୁ ବାରମ୍ବାର ପିଲାଙ୍କୁ ଭଲ ଭାବରେ ପ୍ରଦର୍ଶନ କରିବେ ବୋଲି ବୁଝାଉଥାନ୍ତି। ସବୁ ନୃତ୍ୟଶିଳ୍ପୀ ଷ୍ଟେଜରେ ପହଞ୍ଚିଲେ। ଗୀତର ତାଳେ ତାଳେ ପିଲାମାନେ ଏତେ ସୁନ୍ଦର ନାଚିଲେ ଯେ ଦର୍ଶକଙ୍କ ସହିତ ଅତିଥିଗଣ ମଧ୍ୟ ନିଜ ଆସନରୁ ଉଠି ତାଳି ମାରିବାରେ ବ୍ୟସ୍ତ ରହିଲେ। ଶିବିକା ଓ ସିମ୍ରନ ଦୁଇ ଜଣଙ୍କ ଦଳର ଅଭିନୟ ସାରା ପ୍ରେକ୍ଷାଳୟକୁ ଅଭିଭୂତ କରିଦେଇଥିଲା। ସଭିଏଁ ଏକା ସାଙ୍ଗରେ 'ୱାନସ୍ ମୋର୍' , 'ୱାନସ୍ ମୋର୍' ବୋଲି ଚିଲ୍ଲେଇଲେ।


     ଏହା ବିଦ୍ୟାଳୟର ନିୟମ ବାହାରେ ଥିଲେ ବି ଦର୍ଶକ ଓ ମୁଖ୍ୟ ଅତିଥିମାନଙ୍କ ବାରମ୍ବାର ଅନୁରୋଧ ଯୋଗୁଁ ଫ୍ୟୁଜନ୍ ନୃତ୍ୟଟି କାର୍ଯ୍ୟକ୍ରମ ଶେଷରେ ପୁନର୍ବାର ପରିବେଷଣ କରାଗଲା। ନୃତ୍ୟଗୁରୁଜୀଙ୍କ ଖୁସି କହିଲେ ନସରେ। ସେ ସବୁ ପିଲାଙ୍କୁ ବାହାବା ଜଣାଇଲେ। ହେଲେ ଶିବିକା କାଇଁ? ସମସ୍ତେ ତାକୁ ଖୋଜିବାରେ ଲାଗି ପଡ଼ିଲେ। ସଭିଙ୍କ ଅଲକ୍ଷ୍ୟରେ ସେ କେତେବେଳେ ଗ୍ରୀନ ରୁମର ଗୋଟିଏ କଣରେ ଶୋଇ ପଡ଼ିଛି। ତାର ଏପରି ବ୍ୟବହାରରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଇଗଲେ। ନାଚମାଷ୍ଟ୍ରେଙ୍କ ଧୈର୍ଯ୍ୟର ସୀମା ରହିଲାନି। 


  ଏ ଲାଜକୁଳୀ ଲତାକୁ ପାରି ହେବନି କହି ତାକୁ ଉଠେଇବା ପାଇଁ ଆଦେଶ ଦେଲେ। ହେଲେ ଏ କଣ! ଶିବିକାର ଦେହ ତାତିରେ ଖଇ ଫୁଟୁଛି। ପିଲାମାନେ ତା ହାତ ଧରି ଉଠି ବସେଇଲେ। ସେ ପାଟି ଶୁଣି ଧୀରେ ଧୀରେ ଆଖି ଖୋଲିଲା ଓ ତା ବାଆଁ ପାଦର ବୁଢ଼ା ଆଙ୍ଗୁଠିକୁ ଚାପି ଧରିଲା। ଇସ୍ କି ରକ୍ତ! ବୁଝୁ ବୁଝୁ ଜଣା ପଡ଼ିଲା ଯେ ନାଚ ଆରମ୍ଭରୁ ହିଁ ଅସାବଧାନତା ବଶତଃ ଷ୍ଟେଜରେ ପଡିଥିବା ଏକ ଛୋଟିଆ କଣ୍ଟା ତା ପାଦର ଅଙ୍ଗୁଳିରେ ପଶି ଯାଇଥିଲା। ପାଦରେ କଣ୍ଟା ଫୁଟିଥିଲେ ମଧ୍ୟ ସେ ନାଚଟିକୁ ସମ୍ପୂର୍ଣ୍ଣ କରିଥିଲା। ଖାଲି ଥରେ ନୁହେଁ ଦୁଇଥର ନାଚିଥିଲେ ମଧ୍ୟ ନିଜ କଷ୍ଟ ବିଷୟରେ କାହାକୁ ଅବଗତ କରାଇନଥିଲା। ସେ ଚାହୁଁନଥିଲା ଯେ ତା ପାଇଁ ତାଙ୍କ ନୃତ୍ୟରେ କିଛି ଆଞ୍ଚ ଆସୁ।କଣ୍ଟାଟି ଚମଡା ଭିତରକୁ ପଶି ଯାଇଥିଲା ଓ ଯାହାର ପ୍ରକୋପରେ ତାର ଦେହରେ ଏତେ ଜ୍ୱର। 


   ଶିବିକାକୁ ତୁରନ୍ତ ଡାକ୍ତରଖାନା ନେବାପାଇଁ ବ୍ୟବସ୍ଥା କରାଗଲା। ନୃତ୍ୟଗୁରୁଙ୍କ ଆଖିରୁ ବହି ଯାଉଥିଲା ଅମାନିଆ ଅଶ୍ରୁ। ଝଡ଼ ବତାସରେ ହାର ନ ମାନି ନରମ ଲାଜକୁଳୀ ଲତା ନିଜକୁ ନିଜେ ଅଣ୍ଟା ସଳଖୁ ଥିବାର ଦୃଶ୍ୟ ତାଙ୍କ ଆଗରେ ନାଚି ଯାଉଥିଲା।


Rate this content
Log in

Similar oriya story from Classics