ଲାଚାର
ଲାଚାର
ବାପା ସେଦିନ ଭାଇ ସଂଗେ ଫୋନ ରେ କଥା ହଉଥାନ୍ତି -"ବୁଝିଲୁ ରେ ପୁଅ ! ଗୋପୀ ବାବୁ ଚାଲିଗଲେ ।"
ଭାଇ ବୋଧେ ସେପଟୁ ପଚାରିଛି "କୋଉ ଗୋପୀବାବୁ ?"
ସାମାନ୍ୟ ବିରକ୍ତିଭାବ ପ୍ରକାଶ କରି କହିଲେ, "କୋଉ ଗୋପୀବାବୁ ମାନେ ?
"ଗୋପୀବାବୁ ତ ଜଣେ ଆମ କଲୋନୀ ରେ ।ଗୋପୀ ମହାନ୍ତି , ଯାହାଙ୍କ ପୁଅ ଆମ କଲୋନୀ ର ପ୍ରଥମ ବ୍ୟାଙ୍କ ଅଫିସର ଥିଲା । ସିଏ ରିଟ।ୟାର ହେଇସାରିଲାଣି ଦି ବର୍ଷ ଆଗରୁ, କହିଥିଲି ତତେ , ସବୁ ସମସ୍ତେ ଭୁଲି ଯାଉଛ ।"
କିଛି ସେକେଣ୍ଡ ର ବ୍ୟବଧାନ ପରେ ପୁଣି କଥୋପକଥନ ଜାରି ରହିଲା ।
ମଝିରେ କିଛି ସେକଣ୍ଡ ର ବିରତି, ପାଟି ନଖୋଲିକି ବି ବହୁତ କିଛି କହିଗଲା ।
ବାପା ଯେ ବୟସ ବଢିବା ସଂଗେ ସଂଗେ କେତେ ଏକୁଟିଆ ମନେ କରୁଛନ୍ତି ,କଲୋନୀ ର କୌଣସି ବ୍ୟକ୍ତିବିଶେଷଙ୍କର ଚାଲିଯିବା ଖବର ଶୁଣିଲେ ସିଏ ଯେ କେତେ ଭୟଭୀତ ତଥା ଅତିଷ୍ଠ ହେଇଯାଉଛନ୍ତି ...ଵେଶ ଜଣାପଡିଲା ତାଙ୍କର ବକ୍ତବ୍ୟ ରୁ ।
ତାଙ୍କ ପିଲାମାନେ ଜନ୍ମମାଟିଠାରୁ ଧୀରେ ଧୀରେ ଦୁରେଇ ଯାଉଛନ୍ତି ...ନିଜ ଦୁନିଆଁ, ନିଜ ସଂସାର ନେଇ ବ୍ୟସ୍ତ ରହୁଛନ୍ତି ...ଏକଥା ତାଙ୍କର ହୃଦୟରେ ଏକ ଗଭୀର କ୍ଷତ ସୃଷ୍ଟି ନିଶ୍ଚେ କରିଛି ।
"ହଁ , କ'ଣ କହୁଥିଲି ପୁଅ?,ଆଜିକାଲି ଏମିତି ଖିଅ ଛାଡ଼ି ଯାଉଛି କଥା କହିଲା ବେଳେ ।
"ଗୋପୀବାବୁ ଜଣେ ଅତି ଉଦାର ହୃଦୟର ବ୍ୟକ୍ତି, ତୁ ତ ଜାଣିଥିବୁ । ଜଣେ ଜ୍ଞାନୀ ଆଉ ପଣ୍ଡିତ ମଧ୍ୟ । ମାଛିଟିକୁ ମଁ ବୋଲି ବି କହିନାହାନ୍ତି କେବେ । ହେଲେ, ଭାଗ୍ୟ ତାଙ୍କର ଏମିତି, ପାଟିରେ ପାଣି ଦେବାକୁ କେହି ନଥିଲେ । ପିଲାମାନେ ପାଖରେ କେହି ରହୁନଥିଲେ । ସମସ୍ତେ ନିଜ ନିଜ ର ଘର ଦ୍ୱାର କରି ଓଡିଶା ବାହାରେ । ହଁ , ପଇସା ପତ୍ର ଖଞ୍ଜି ଦେଇଥିଲେ ତାଙ୍କର ରୋଗ ବ୍ୟାଧି ର ଚିକିସ୍ଥା ପାଇଁ । ନର୍ସ ଟିଏ ବନ୍ଧା ଥିଲା ଦି ବର୍ଷ ହେଲାଣି, ବାହାର କାମ କରିବାକୁ ଲୋକ, ରୋଷେଇଆ ସବୁ ଥିଲେ । ବିଶେଷ ଯିବାଆସିବା କରିପାରୁନଥିଲେ । ନର୍ସ କଦବା କ୍ଵଚିତ ତାଙ୍କୁ ଘର ଭିତରୁ ଆଣି ଦାଣ୍ଡ ପିଣ୍ଡା ରେ ବସ।ଏ ...ତାକୁ ଭରାଦେଇ ପାଞ୍ଚ ଦଶ ମିନିଟ ଚାଲନ୍ତି ...ପୁଣି ବିଛଣାରେ ପଡିଯାନ୍ତି ।"
"ଖବର ପାଇ ଯାଇଥିଲି । ବାଡିରୁ କିଛି ଫୁଲ ସଂଗ୍ରହ କରି ମାଳାଟିଏ ଗୁନ୍ଥି କି ନେଇଥିଲି -ଘର ପାଖ ଫୁଲ ଦୋକାନ ସବୁ ବନ୍ଦ । ତାଙ୍କ ବେକରେ ପକାଇ ଜୁହାର ଟିଏ ହେଲି । କରୋନା ଡରରେ କେହି ଆଉ ଯା
ଇନଥିଲେ । ତାଙ୍କ ସାନଭାଇ କାମଧରିଲା । ପିଲାମାନେ ଆସିବା ସମ୍ଭବପର ହେଲାନି । କାନ୍ଧ ଦେବାକୁ କେହି ଆଗଭର ହେଇ ଆସିଲେନି ।
ବିଏମସି ଲୋକମାନେ ସତ୍କାର ରେ ସାହାଯ୍ୟ ହେଲେ ।"
ଏତିକି କଥା ଅନର୍ଗଳ କହି ସାରିବା ପରେ, ବାପା ଫୋନ ରଖିଲେ ।
ଭାଇର ପ୍ରତିକ୍ରିୟା ଜାଣିବାର ଅବକାଶ ନଥିଲା ।
ତାପରେ ମୋ ଆଡେ ଅନେଇ ବାପା କହିଲେ "ତୁ ତ ଖବର ପାଇଥିବୁ ...ତାଙ୍କ ଝିଅ ପରା ତୋ ସାଙ୍ଗ ?ଏବେ କୋଉଠି ?
ଡେରାଡୁନ ରେ,ନା ଆଉ କୁଆଡେ ବଦଳି ହେଇକି ଗଲେଣି ?"
"ନାଇଁ ବାପା , ସେଇଠି ଅଛନ୍ତି ସେମାନେ ।ତା'ର ସ୍ୱାମୀ ଏବେ ପ୍ରଫେସର ସେଠାକାର ୟୁନିଭେର୍ସିଟି ରେ । କାଲି ରାତିରେ ଫୋନ କରିଥିଲା । ବହେ କାନ୍ଦିଲା ...କହିଲା, କି ପାପ କରିଥିଲି କେଜାଣି, ବୋଉ ମଲାବେଳକୁ ଝିଅ ଜନ୍ମ ହେଲା ଯେ ଯାଇପାରିଲିନି । ଆଉ ବାପାଙ୍କ କାମରେ କେହି ଆମେ ଯୋଗ ଦେଇ ପାରୁନୁ । ସବୁଆଡେ ନାକାବନ୍ଦୀ । କିଛି ଜାଗାରେ ୧୪୪ ଧାରା ଜାରି କରା ଯାଇଛି , ଏ ପରିସ୍ଥିତି ଆମର ହାତ ଗୋଡ ଜାଣିକି ବାନ୍ଧିପକେଇଛି । ଭାଇ ଏବେ ସିଙ୍ଗାପୁର ରେ, ରମା ପୁନେ ରେ ...ତା ଝିଅ ପାଖରେ । ସମସ୍ତେ ଲକଡାଉନ ଲାଗି ଲାଚାର । ହରି କାକା ବାଧ୍ୟ ହେଇ କ୍ରିୟା ଧରିଛନ୍ତି । ଭାଇ କିଛି ପଇସା ପଠେଇଚି ପଡ଼ିଶା ଘର ନାଥ ମଉସାଙ୍କ ଆକାଉଣ୍ଟ କୁ । ସିଏ ଏଟିଏମ ରୁ ଉଠେଇକି ଖର୍ଚ ବାର୍ଚ୍ଚ କରିବେ । ପରିସ୍ଥିତି ସୁଧୁରିଲେ ଆମେସବୁ ଯିବୁ ।"
ସବୁ ଶୁଣିସାରି ଦୀର୍ଘନିଶ୍ବାସ ଟିଏ ପକେଇଲେ ବାପା ।
କହିଲେ " ସମୟ ବଦଳୁଛି ...ଜୀବନର ମୂଲ୍ୟବୋଧ ବଦଳୁଛି । ଆମେ ସମସ୍ତେ ଏକପ୍ରକାର ବୁଝିସାରିଲୁଣି ..ଟଙ୍କା ପଇସାର ମାନଦଣ୍ଡରେ ମନୁଷ୍ୟତ୍ୱ ତଉଲା ହଉଚି । ବୟସ୍କ ବାପା ମା'ଙ୍କୁ ଛାଡି, ପିଲେ ଟଙ୍କା ପଛରେ ଧାଉଁଛନ୍ତି । ଏସବୁ ପରିସ୍ଥିତିରେ ସ୍ନେହ,ପ୍ରେମ ଆଦି ନୈସର୍ଗିକ ଗୁଣ ର କିଏ ମୂଲ୍ୟାଙ୍କନ କରିବ?"
"ଯାହା ଭାଗ୍ୟରେ ଥିବ...ହବ । ଅପାଣିଆ ହେଇ ମରିବା ଯୋଗ ଥିଲେ ତାହାହିଁ ହେବ । କ'ଣ କରିପାରିବା ଆଉ ? "
"ପ୍ରଭୁ ! ଏପରି ଦିନ ଦେଖିବାକୁ ଥିଲା ଏଇ ପରିଣତ ବୟସରେ ?"
"ବାପା, ପ୍ଲିଜ଼, ସେମିତି କୁହନି, ତମକୁ ମୋ ରାଣ...ତମର କିଛି ହବନି ସେମିତି ।"
ହେଲେ, ମୁଁ ବି ହୃଦୟଙ୍ଗମ କରିସାରିଥିଲି -ବାପା କିଛି ଭୁଲ କହୁନାହାନ୍ତି ବୋଲି ।