Lopamudra Parida

Action Inspirational

4  

Lopamudra Parida

Action Inspirational

କୁମ୍ପି

କୁମ୍ପି

7 mins
297


" ଓହୋ ! ଏ ମାଛ ମଣିଷ ଖାଏ କାହିଁକି କେଜାଣି! ଦିନେ ଖାଇବ ,ଚାରିଦିନ ମରିବ ।ଯୋଉ ତ ଦାନ୍ତ, ପଶିଗଲା ଯଦି ଗୋଟେ କଣ୍ଟା ।ପୁରା ମାଢିର ଆରପାର ।ଯାଃ ଫୁଲିଥିବ, ଶୁଳେଇ ହଉଥିବ ।ଯେ ଯାଏ ସିଏ ସଢି,ପଚି,ଖୋଳି ନ ବାହାରିଛି ।ସେ ଯାଏ ତମେ ସେଫିଟିପିନି ଠୁ ଯେ କଣି ଖଡିକା ଯାଏ ସବୁ ଖୁନ୍ଚି ସାରିବଣି କଳେ ଦିକଳେ ।ସିଏ କୋଉ ଶୁଣିବ !ରଟରଟ କରୁଥିବ ଗଲା । ଖୁନ୍ଚୁଥା ଲୋ ଖୁନ୍ଚୁଉଉଥା ଗଲା ।" କେଳା ବଗୁନା ଚିଟି ବାଇଗଣ କଣ୍ଟାଟେ କଳିଦାନ୍ତରେ ଖୋଳୁ ଖୋଳୁ କହୁଥାଏ ।ରଙ୍ଗଛଡା ରଙ୍ଗଡବାଟେରେ ଆଉ ଅଧାସରିକି ପାଣି ନେଳିଆ ଡ୍ରମରୁ ତୋଳିନେଉ ନେଉ ତାର ନଜର ପଡିଲା ତା' ଅଲିଅଳି ଝିଅ ଉଲୁକା ଉପରେ ।କଣ ଗୋଟେ ହାତରେ ଧରି ମାତିଯାଇଛି ଖୋସିହେଇ ।ଗରୀବଝୁଅ କଣ ଅଲିଅଳି ହବନି ? ଆଁ !ଆଉ ଏ କୁଚୁରି କଣ୍ଟା ମାନେ ।ଧେତ୍ ।

ପ୍ଲାଷ୍ଟିକ ଡିବାଟା ଫୋପାଡିଲାରୁ ହାବୁକାଏ ପାଣି ଛିଟିକେଇ ପୁଣି ସେଇ ନେଳିଆ ଡ୍ରମରେ ସ୍ଥିର ପଡିଗଲା କୁନି ଭଉଁରୀ ଟେ ଖେଳି ।ବରଓହଳ ଛାଇ ତଳେ ଉଲୁକା ପାଖେରେ ଗାମୁଛାଟା ପାରିଦେଇ ଗଡିପଡିଲା ବଗୁନା ।ଖଟିଖିଆ ଦିହ ।ଖରାତରା ପିଇଯାଏ ।ମେଘଛେଚା କଚିହେଇ ହାଡେରେ ଗଳେଇନିଏ ।କହିଲା, " ଏ ମାଆ କଣ ଦେଖୁଛୁ ଏତେ ମଗନ ହେଇ ।ଦେଲୁ ଦେଲୁ ମୁଣ୍ଡରେ ଟିକେ ହାତ ବୁଲେଇ ଦେ ବା ।"

ଶୁଣୁଥିଲା ବୋଧେ ଉଲୁକା ଅନ୍ତରରୁ ।ଅନ୍ଯମନସ୍କ ଗୋଟେ କଣ ଯେ ।ମନସ୍କର ବିପରୀତ ତ ନୁହେଁ ? ନାଇଁ ତ .... ଏଇଟା ଗୋଟେ ଦିଗମନସ୍କତା ଯାହା ଦେଖିଲା ଲୋକକୁ ଅନ୍ଯମନସ୍କ ଲାଗେ ।ଶବ୍ଦଟେ ତ ଆଉ କଣ ପରି !ହେଲେ ଆର ଲୋକଟି ସ୍ବପ୍ନ ବୁଣୁଥାଏ ନିଜ ଦୁନିଆରେ ।

ଉଲୁକା ତାର ଡେବିରି ହାତରେ ବାପର ବଳକା ଦି ଚାରିଟା ଚୁଳଥିବା ଖପରା ପରି ଚାନ୍ଦିଆ ମୁଣ୍ଡଟାକୁ ଆଉଁସୁ ଆଉଁସୁ ତାର ଦେଖୁଥିବା ଚିଜଟିରେ ହଜିଥିଲା ଖାଇବି ହାତରେ ଜାବୁଡି ଧରି ।

ସେପଟେ ବାଉଁଶ ତକକୁ ସଜିଲ କରି ରଖୁଥିଲା ଡାଲଚିନି ।ଉଲୁକାର ମାଆ ।ଏଇ ମସଲିଆ ନାଁ ଟା ତାକୁ ପବ୍ଲିକ୍ ଦେଇଛି ।ସିଏ ଯେତେବେଳେ ତିନିକୋଣିଆ ଦିପଟ ବାଉଁଶ ପାଲା ଉପରେ ଗୋଟିକିଆ ମଳିଚିଆ ଦଉଡିଟି ଉପରେ ଟାୟାର ରେଲିଂ ଦେଇ,ବଡ ମୂଳିବାଉଁଶ ଧରି ସରସର ହେଇ ନହକେଇ ଚାଲେ ... ଯେତେବେଳେ ତାର ଘାଘରାଘେର ଚେକା ତଳ ଝୁଣ୍ଟି ହୁଅନ୍ତିନି କି ଚୋଲି ଘୋରେଇପାରେନି ପୁରା ଭଲକି ଫଟରା ଓଢଣୀ ,ତଥାପି ସିଏ ସାଇତିକି ଖୋସଣି ଖୋସେ ।ସେଇ ଏକମାତ୍ର ସେଫିଟିପିନି ଟି ଦେଇ ଯୋଉଟା ସିଏ ଗଲାସନଠୁ କାଚେରେ ଗୁନ୍ଥିଛି .... ଆଉ ଯେତେ ବେଳେ କଟକଟ ଡାକୁଥିବା କଣ୍ଟାଗଳା ପାଦ ତଳ ରସିରେ ଘଷି ହେଇ ଚାଲୁଚାଲୁ ହଜାରେ ଆଖି ତା ଶୁଖିଲା ଛାତିରେ ଲାଖିଥିବାର ଅଣନିଶ୍ବାସୀ ପଣ କୁ ସିଏ ଢୋକେ ସେତିକି ବେଳେ ସିଏ ମନେପକାଏ ସୀତା ଔର ଗୀତା ଫିଲ୍ମର ହେମାମାଳିନୀକୁ ।ଭାବେ " ଜୀନଦଗୀ ଏକ ଖେଲ୍, କୋଇ ପାସ୍ ତୋ କୋଇ ଫେଲ୍ " ଗୀତ ।ଆଉ ତା' ଭିତରେ ବଳଟେ ସୁରକି ପଶିଯାଏ ।ସିଏ ଅଣ୍ଟା ରୁ ଡାଲଚିନିଟେ କାଢେ ଆଉ ଜାକେ ।କାରଣ କଣ ସବୁକଥାର ଥାଏ କି ! ମଣିବନ୍ଧ କୁ କଷିକି କମର ଟାଣାଏ ଆଉ ନହକି ଚାଲେ ସରଳରେଖା ଉପରେ ବକ୍ରଗତିରେ ।ହେମାମାଳିନୀ ହେଇଯାଏ । ତାଳି ଓଜାଡି ହେଇପଡେ ।ସିଏ ଭାବେ କେହି କଣ ଏ ଗହଳିରେ ଭାବୁଛି ଯେ ଯଦି ମୁଁ ଗଳି ପଡିଲି ଏଇ ଉଚ୍ଚରୁ ତେବେ ମୋର ଏଇ କଅଁଳ ଉଲୁକା ର କଣ ହବ ! ନା ।ସମସ୍ତେ ତରକା ଥାନ୍ତି ।ତାଙ୍କର କିଛି ନ ହେଲେ ଗଲା ।ପେଟପୋଷେ ନାହିଁ ଦୋଷ ପରା ।

ଚାଲୁଚାଲୁ ତା' ଆଖି ଆଗରେ କେହିଦିଶନ୍ତିନି ।ସମାନ୍ତରାଳରେ ଦିଶେ ଆକାଶ ଆଉ ତା' ନୀଳ ପଣତ ।ସିଏ ସେତିକି ସମୟ ଢୋଲକର ତାଳେ ତାଳେ ନାଚୁ ନାଚୁ ସ୍ବପ୍ନ ଫରୁଆଏ ସାଇତେ ।ସବୁଦିନ ଅଣାଏ ସଞ୍ଚେ ।ତା ଉଲୁକା ପାଇଁ ।ନ ହେଉ ତା ଗରଭଚିରା ସନ୍ତାନ ସିଏ । ସିଏ ତ ତା' ମାଆ ନା ।ଫୋପଡା ହେଇଥିଲା ହୀନସ୍ତା ହେଇ ସେଇ ବାବୁଘର ଅଗଣାରେ । ଯାହା ଘରେ ବାରମାସିଆ ଖଟୁଥିଲା ତା ଜନମକଲା ମାଆ ବିଜଲିର ମାଆ ସହ ।ଗଉଅଁତିଆ ଘର ସାନ ପୁଅର ଆଖି ବିଜଲି ଠି ଗଳଗଳ ତିଖ ପରି ଗଳିଲାରୁ ମାଆ ତାର ସେ ଘର ପାଇଟିକୁ ପଛ କରି ପାଦ ଫେରେଇଆଣିଲା ।କହିଲା, " ଛିଣ୍ଡା ଲେଙ୍କଡା ପିନ୍ଧିବି ପଛେ, ପଣତ ସଫା ଥାଉ ।ପେଟରେ ପାଣି କନା ଦେଇ ଶୋଇବି ରାତି ରାତି ହେଲେ ପିଲାକୁ ମୋର ଅଇଁଠା ନ କରେଇବି ଡାହାଳ ଜିଭରେ ।ଗୋତିଖଟାରେ ବା କି ସୁଖ ! ତୁଣ୍ଡ କୁ ଗଣ୍ଡେ ... ତନକୁ ଖଣ୍ଡେ ହେଲେ ଗଲା । ମହାପୁରୁ ତିଆରି ଏ ସଂସାରରେ କଣ ଅପୋଷା ରହିବ ।" ସେଇଦିନୁ ସେମାନେ ସବାଖିଆ ଦଳରେ ବାରବୁଲା ବନଜାରା ।ଗଛରେ ତ କେବେ ଡାଳରେ ।ଚାକୁ ଠୁ ଗୁପ୍ତି ସବୁ ଅକ୍ତିଆରରେ ।ବାଏଁ ହାଥ୍ କା ଖେଲ୍ ।ମାଆଟା ଗଲାଣି ହଁସିଆଲଗା ହେଇ କୋ'କାଳୁ ।ଏବେ ଏଇ ବଗୁନା ସହ ସଂସାର । ଧେତ୍ ସଂସାର ଗୋଟେ କଣ କି,ପୃଥିବୀଟା ତ ଚଦର ,ମାଟିଟା ବିସ୍ତର ।ସ୍ବପ୍ନକୁ କଜଳ କରି ସିଏ ନିତି ନାଇ ତ ଦିଏ ହେଲେ ବାସି ପଖାଳ ଟଙ୍କରେ ବହି ଯାଏ ସେତକ ସଂଜ ନଉଁ ନଉଁ ।ସେମାନେ ସେ ବଣମୁଲକକୁ ମହଲ ଭାବି ମାଟିଲଗ୍ନା ହୁଅନ୍ତି ସକାଳ ପାହିବା ଯାଏ ।ମିଠାନିଦ ହୁଏ ।ମନ୍ଥି ହେଇଥିବା ହାଡରସର ଥକାପଣ ଖୁବ୍ ଥାପୁଡେଇ ଶୁଆଏ ।ନିଦରେ ସିଏ ଦେଖେ ଆକାଶରେ କୁଆଁତାରା ହସୁଛି ଠିକ୍ ତା କୋଳରେ କୁନି ଉଲୁକା ପରି ।ସିଏ ପୁଣି ଦେଖୁଛି ।ଉଲୁକା ପଢୁଛି ।ବହୁତ ପାଠ ।ବହୁତ ନାଚ ସୁନ୍ଦର କରୁଛି ଠିକ୍ ହେମାମାଳିନୀ ପରି ।ପରୀକଣ୍ଢେଇ ପରି ଦିଶୁଛି । ତାକୁ ଲାଗୁଛି ସିଏ ଗୋଟେ କୋଉ ଦିଅଁ ଠାକୁରାଣୀର ଶିଶୁ । " ଏମିତି କଣ ସବୁ ଗୁରେଇ ଗୁରେଇ ଦେଖୁ ଦେଖୁ ଖୁସିର ନିଦଟା ଭାଙ୍ଗିଯାଉଛି ଚାଳିଆ ପଛରେ ସର୍ କି ଶବ୍ଦଟେରେ ।ସିଏ ତାର ଏଇ ଚମକ ଛୁଆଁ ସ୍ବପ୍ନକୁ ଧରିରଖନ୍ତା ।ସତ କରନ୍ତା ।ସିଏ ପୁଣି ଆଖି ମୁଦୁଛି ।କିଏ ଗୋଟେ କେଜାଣି ତା ସ୍ବପ୍ନରେ ତାକୁ ଛିଗୁଲଉଛି।କହୁଛି ତୁ ଯେମିତି ତାରରେ, ପାଲାରେ ଚାଲୁଛୁ ତୋ ଝିଅ ବି ସେମିତି ବିଚବଜାରରେ ନାଚ କରିବ ।ପଇସା ଗୋଟେଇବ ।ଉଲକା ମାନଙ୍କ ଭାଗ୍ଯରେ ବହି ନଥାଏ ।କଣ୍ଢେଇ ଜାମା ନଥାଏ ।ଆଉ ସେ ଛାଇଟା ଅସୁର ଭଳିଆ ହସୁଛି ହି ହି କରି ।ସେଇ ଗଉଅଁତିଆ ଘର ସାନ ପୁଅ ପରି ଦିଶୁଛି । ସିଏ କାନ୍ଦ କାନ୍ଦ ହଉଛି ସ୍ବପ୍ନରେ ।ହେଲେ ଯେ ଡରୁନି ।ଜଭର କାଢୁଛି ।ତାର ପଣତ ଯେ ଯାଏ ପାଉଛି ସେଇଥିରେ ସିଏ ଉଲୁକାକୁ ଘୋରେଇନଉଛି ।ସେ ଛାଇର ହାତ ତା ପଣତ ଆଡକୁ ଲମ୍ବୁଛି ହେଲେ କୋଉ ଦେବତାର ଛୁଆଁରେ ତା ଅଣଓସାର ପଣତ ଆକାଶ ଟପିଯାଉଛି ।ଉଲୁକା ଉଜ୍ବଳ ତାରା ହେଇ ତଳକୁ ଖସୁଛି ।ଉଲୁକା ଉଲୁକା .... ସିଏ ଡାକୁଛି ।ତା' ନିଦ ଚାଉଁ କି ଭାଙ୍ଗି ଯାଏ ଏମିତି ସ୍ବପ୍ନ ଦେଖିଲେ ।ସିଏ ନିଜକୁ ବୁଝାଏ ...ବଗୁନା ପା 'ଡାକେ ତାକୁ ବିଜଲି । ବିଜଲିର ଝିଅ ଉଲୁକା ହବନି ତ ଆଉ କଣ ହବ !

"ବିଜଲି ସରସା ରାନ୍ଧା ଜାଣେ ।ମନ ନେଇ ନିଚିପରକି ବଢା ବି ଜାଣେ ।ଭଲଘର ହେଇଥିଲେ ସାନ୍ତାଣୀ ହେଇ ରହନ୍ତା ।ରୂପଛଟକ ବି କମ ନୁହେଁ ।ତେରେଛେଇକି ଚାହିଁ ଦେଲେ ପୁରା ଶିରିଦେବୀ ।ହେଲେ ଆହାରେ ଭାଗ୍ଯ ....ଛେଃ କଣ ଭାବୁଛି ସିଏ ।ମହାଜନ କହିଛି ଏ ମାସର କରଜ ନ ସୁଝିଲେ ତାକୁ ଆଉ ଜାଗା ଦବନି ମଜୁରୀ ଖଟିବାକୁ । ଶୁଖିଲି ପାଗରେ ସିନା ନାଚ ,ବାଜା।ମେଘ ଅଷାଢକୁ କଣ ଚଳେଇବ କେମିତି ।ସଞ୍ଚିଲେ ସିନା ।ଆଉ କଣ ସିଏ ଏକୁଟିଆ ଅଛି ? ତାର ପରା ସଂସାର ବଢିଲାଣି । ଆଉ ବି ଭଲ ଲାଗୁନି ନିଜ କନିଆଟାକୁ ଏମିତି ଶହେ ନଜର ଆଗେରେ ନଚେଇବାକୁ ।ଏଥର କିଛି ଗୋଟେ ବାଗର ବ୍ଯବସ୍ଥା କରିବାକୁ ପଡିବ ।ନହେଲେ ସୁରଟ,କି କେରଳ ,କି କଲିକତା ପଳେଇଗଲେ ହନ୍ତା ।ହେଲେ ତାକୁ ଏଇ ଢୋଲକ,କେନ୍ଦେରା,ଛଡା ଆଉ କୋଉ କାମ ବାଗେଇକି ଜଣା କଣ ? ନା ନା ସିଏ ଶିଖିବ ।କରିବ ।ହଁ ମାଳିକାମ,ଗାଡିଚଲା ବି ଆସେ ଯେ ।ନିତି ଉଲୁକାକୁ ନେଇ ବିଜଲି ଦେଖୁଥିବା ସପନକୁ ସିଏ ସତ କରି ଗଢିବ ।ହେଲେ ଏଠିକା ସୁଧମୂଳ ସୁଝିଲେ ତ ଫିଟିବ । କଣ କେମିତି ଗୋଟେ ହନ୍ତାନି ।ସବୁ ସଜାଡି ହେଇଯାନ୍ତା ।ଅଳପକେ ଚଳନ୍ତେ ପଛେ ,ଶାନ୍ତିରେ ମାନମହତରେ ଚଳନ୍ତେ ।ଗରିବ ଆଉ କଣ ରଜା ହେଇଯାନ୍ତା ।ତଥାପି ଏ ଗଛମୁଳୁ ତ ଉଠନ୍ତା । ପାଠ ଦି ଅକ୍ଷର ତ ସିଏ ପଢିଛି ।ହଉ ପଛେ ଖାଲି ଅକ୍ଷର ଚିହ୍ନା ଆଉ ଦସ୍ତଖତ ଯାଏ ।ସିଏ କଣ କୋଉ କାମକୁ ଆସିବନି ? " କାମ କରୁଥିବା ବିଜଲିକୁ ଚାହିଁ ଭାବୁଥାଏ ବଗୁନା ।କାନିରେ ଝାଳ ପୋଛି ପୋଛି ତା' କତିକୁ ଆସି ଗଢିପଡିଲା ବିଜଲି ।ଢଳେଇହେଇପଡି ବଗୁନା ଛାତିପଟକୁ ପଚାରିଲା, " କଣ ଭାବୁଛୁ?"

_ ଭାବୁଛି କେତେ କାଳ ଆଉ ଆମେ ଏମିତି ଥିବା ଲୋ ।

_ ରହ ।ଛାନିଆଁ କାଇଁ ହେଲୁ ।ମନରେ ଭାବିଲୁ, କରମ କଲୁ ।ମହାପୁରୁ ତାର ସମୟ ଦେଖି ସିରପା ବାନ୍ଧିବନି ନା ।

_ ଶିରପା? ହା ହା ।ତୋର ଯୋଉ କଥା ଲୋ ।

_ କିଆଁ? ଆମେ ବି ତ ମହାପୁରୁର ପିଲା କି ନାଇଁ? ଦେଖେ ମୋ ଉଲୁକିକୁ ।ଲକ୍ଷ୍ମୀକର ତାର ।ଦେଖିବୁ ତାର ହାତରେ ତୋ ନାଆ ପାର ଲାଗିବ ।ଦେଖିବୁ ରହ ।କହିବୁ କି ମତେ ମୁଁ ଯାହା କହୁଛି ସତ ହବ କି ନାଇଁ ।"

ଉଲୁକା ତାର ସେତେବେଳୁ ସେମିତି କାଠଗଣ୍ଡି ଭଳିଆ ବସିଥାଏ ।ତାକୁ କଣେଇକି ଚାହିଁ ବିଜିଲି ପଚାରିଲା, " ଆଲୋ ଉଲି, ଯାଉନୁ ଖେଳିବୁ ! କି ଗଡିପଡୁନୁ ବାଆ କତିକି ଟୋପା ।" ଉଁ ଚୁଁ କହିଲାନି ଉଲୁକା ।ଉଲିର ଏମିତି ଚୁପ ବ୍ଯବହାର ବଗୁନାର ଘୁମ ଧରି ଆସୁ ଆସୁ ଆଖି ପତାକୁ ମେଲିଧରିଲା ଆଉ ମୁଣ୍ଡ ଟେକି ଉଲୁକା କୁ ଚାହିଁଲା ସିଏ ।କୋମଳେଇ ପଚାରିଲା, " କଣ ସେଇଟା ଦେଖିଁ । କରୁଛୁ କଣ ତେତେବେଳୁଁ ।ଦେଖିଁ ।"

ହାତରୁ ସେଇ ଚେନାଚୁର ମୋଡା କାଗଜଟା ଯୋଉଟା ଏଇ ପାଖ ସ୍କୁଲକୁ ପଢି ଯାଉଥିବା ପିଲାଭିତରୁ କିଏ ଖାଇସାରି ପିଙ୍ଗିଥିବେ ଆଉ ଗୋଟେଇ ଆଣିଛି ଉଲି କୋଉ ଗୋଟେ ଛବିର ଆକର୍ଷଣରେ ।ସେଇ ଇସ୍କୁଲ ପିଲେ ସବୁ ଦଳ ହେଇ ସ୍କୁଲ ଗଲା ବେଳେ ସିଏ ତ ଏଇ ଚଟାଣରେ ଲାଖି ଠିଆ ହୁଏ ଘଡିଏ ।

ବାଲି ଝାଡିଦେଇ ବଢେଇଦେଲା କୁନି ଝିଅଟି ବିଜଲି ହାତକୁ କାଗଜ ଖଣ୍ଡିକ ଯୋଉଥିରେ ହେଇଥିଲା ଗୋଟେ ନଟରାଜ ପେନସିଲର ଦୁଇମୁଣ୍ଡରେ ବସିଥିବା ଦୁଇଟି ଖୁସିବାସିଆ ପିଲାଙ୍କ ଛବି ।ଉଡୁଥିବା ଯାଦୁକରୀ ପେନସିଲ ।ତାର ତଳ ପଟଟି ରହିଥିଲା ବଗୁନା ପଟକୁ ।

କୁନି ଉଲୁକା ବଡ ଆଗ୍ରହରେ ପଚାରିଲା, " ଏ ମାଆ ଏଇଟା ବି ଆମରି ଲେଖେଁ ବାଉଁଶ ରାଣୀ ନାଚ କାଏଁ ? ମୁଁ ଏମିତି ଉଡିପାରିବି କି ଗୋ ମାଆ ?ଏନ୍ତି ବସି ?ଏଇ ନାଲିଆ ଚିଜଟା କି ଗୋ ମାଆ? ଜାଦୁଛଡି କାଏଁ?

ସେଇ କାଗଜର ପଛ ପଟେ ଲେଖା ଥିଲା "ସରକାରୀ ଅଫିସର ବଗିଚା ଦେଖରେଖ ପାଇଁ ଦରଖାସ୍ତ ପକାନ୍ତୁ ।ମାଳି ଆବଶ୍ୟକ ।"

ସନ୍ତୁଳନ ରଖୁଥିବା ସବୁ ଚାଲି ତ ବାଉଁଶ ରାଣୀର ହି ।

ଟିକେ ଟସ୍ କି ମସ୍ ..... ଚୁନା , ନହେଲେ ନୀଳପଣତ ଘେରା ଆକାଶ...... ଏଇ ତ ହାତ ମୁଠାରେ ।ଖାଲି ହାତ ବଢେଇବା ବାକି ।

ପକେଟରେ ଚାରିଚଉତ କରି ନୂଆ ସପନକୁ ସାଇତିଲା ବଗୁନା ।

ଉଲକା ତାରାଟେ ସେତିକି ବେଳେ ଆକାଶରୁ ମାଟିମୁହାଁ ଖସୁଥିଲା ଅନେକ ଚୁନା ତାରାଙ୍କୁ ବରଦା ହେବା ପାଇଁ ।

ବିଜଲୀ ମଧୁର ହସଟେ ସହ ପଚାରିଲା, " ତୋ ଦାନ୍ତରୁ ଖସିଲା କିରେ ସେ ଜିଦିଆ କଣ୍ଟାଟା ? ନା ଲାଖିଛି ସେମିତି ? ଶୁଣୁ କାଲିଠୁ ମୁଁ ଦି ଓଳି ନହେଲେ ବନ୍ଜାରନ୍ ନାଚ ନାଚିବି ।ହେଲେ ଆମ ଉଲୁକାକୁ ପାଠ ପଢେଇବା ଜାଣିଲୁ ।ନା କଣ କହୁଛୁ । ହେଇ ଦେଖେ ମୁଁ ଏଇ ଡବାରେ ସଞ୍ଚୁଛି ଟୋପେ ଟୋପା ।ତୁ ବି ଏଇଥେରେ ସାଇତିବୁ ହେଲା । ଏଇଟା ଆମର ସପନ କୁମ୍ପି ।"

ଆକାଶକୁ ଚାହିଁ ହସୁଥିଲା ବଗୁନି ଟିଣର ସେଇ ଛୋଟ ଡବାଟିକୁ ଧରି ।ସ୍ବପ୍ନସୁଲଭ ହସଟେ ।



Rate this content
Log in

Similar oriya story from Action