କୁକୁର
କୁକୁର
ବନ୍ଦ ଝରକା ଭିତରୁ କୁଁ କୁଁ ଶବ୍ଦ ଆସୁଥିଲା କିନ୍ତୁ ଠିକ କରି ଜାଣି ହେଉନଥିଲା ଶବ୍ଦ କୁକୁରର ନା ମନୁଷ୍ୟର!ଏପଟୁ ସାହିତ୍ୟ ଆସରର ଘୋ ଘୋ ନାଦ ଭିତରେ ଶୁଭୁନଥିଲା ମୀରାଙ୍କୁ. ସେପଟେ ସାହିତ୍ୟ ଆସରରେ ଜଣେ ବିଜ୍ଞ ପ୍ରାଜ୍ଞ ଗୁଣୀ ଵ୍ୟକ୍ତି କେହି କହୁଥିଲେ ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ମନ.ଏଠି କୁକୁର ବୋଲି ଚାଟୁକାର, ଅର୍ଥ ଲୋଭୀ ମଣିଷ ବା ସ୍ୱାର୍ଥ ସର୍ତ୍ତ କବଳିତ ଲୋକକୁ ବୁଝାଯାଉଥିବା ବେଳେ ମୀରାଙ୍କ ପୁଅ ପାଚେରୀ ଚଢି ଆରପଟ ବନ୍ଦ ଘରୁ ଆସୁଥିବା କୁଁ କୁଁ ଶବ୍ଦ ଅନୁସରଣ କରି ଠାଵ କରିଥିଲା ପଡୋଶୀଙ୍କ କୁକୁର ବାହାର ପଟେ ଛୁଆ ଦେଇ କୁଁ କୁଁ ହେଉଛି. ଏଥର ମାଆ ପୁଅ ସେଇ ପାଚେରୀ ଉପର ପଟେ ଛୁଆ କରିଥିବା କୁକୁରର ଓ ତା ଛୁଆ ଚାରୋଟିଙ୍କର ଯତ୍ନ ନେବାକୁ ଯାଇ ଅଖା, ଖାଦ୍ୟ, ପାଣି ଇତ୍ୟାଦି ଇତ୍ୟାଦି ଯୋଗାଇ ଚାଲିଥିଲେ. ପଡୋଶୀ ଫେରିଆସିଲା ପରେ ଦେଖିଥିଲେ ତାଙ୍କ କୁକୁର ଓ ତା ସହିତ ଗୁଲୁଗୁଲିଆ ଚାରୋଟି ଛୁଆ. ମୀରା ଓ ତାଙ୍କ ପୁଅ ଅର୍ଥାତ ମୀରା ଓ ତାଙ୍କ ପୁଅ ଦୁହିଁଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ସହୃଦୟତା ଯୋଗୁଁ ତାଙ୍କ କୁକୁର ଓ ତାର ଚାରିଗୋଟି ଛୁଆ ବଞ୍ଚି ଯାଇଛନ୍ତି.
ପଡୋଶୀ ଖୁସି ହେଲେ ସତ. ଉତ୍ସାହ ପ୍ରକାଶ କଲେ ସତ କିନ୍ତୁ ଧନ୍ୟବାଦ ଦେବା ଦୂରେ ଥାଉ ଆପଣ ମାଆ ପୁଅ ଙ୍କ ଯୋଗୁଁ ଆମ କୁକୁର ଓ ତା ଛୁଆ ମାନେ ବଞ୍ଚିଗଲେ ବୋଲି ପଦେ କହିନଥିଲେ ତ କୁକୁରକୁ ବାହାର ପଟ ଝରକା ଖୋଲି ଦେଇ ଯାଇଥିଲେ ଯିବା ଆସିବା ପାଇଁ ଭଲ ହୋଇଥାନ୍ତା ଆଉ ଆପଣଙ୍କୁ କଷ୍ଟ ସହିବାକୁ ପଡ଼ିନଥାନ୍ତା ବୋଲି ମଧ୍ୟ କହି ନଥିଲେ.ଏମିତିକି ନା ଥିଲା ଅନୁକମ୍ପା ନା ଥିଲା କୃତଜ୍ଞତା. ସବୁଦିନ ଏଣିକି ତାଙ୍କ ଘରେ ଗହଳି ବଢୁ ଥିଲା. କୁକୁର ଛୁଆ ହାଇବ୍ରିଡ଼ ଥିଲା ତ ଦରଦାମ ଛିଣ୍ଡୁ ନଥିଲା କିନ୍ତୁ ଯୋଉଦିନ ପିଲାଚାରୋଟି ଗରାଖ ଖୁବ ଚଢ଼ା ଦାମ ଦେଇ କିଣି ନେଇ ଗଲା ସେଦିନ ଖୁସିରେ ପଡୋଶିନୀ ମିଠା ନେଇ ମୀରାଙ୍କ ଘରକୁ ଆସିଥିଲେ ଓ ଦେଖିଥିଲେ ତାଙ୍କ କୁକୁର କୁଁ କୁଁ ହୋଇ ମୀରା ଓ ତାଙ୍କ ପୁଅର ଗୋଡ଼ ଚାଟୁଛି ଓ ତା ଆଖିରୁ ବୋହି ଯାଉଥିବା ଧାର ଧାର ଲୁହକୁ ମାଆ ପୁଅ ପୋଛି ଆଉଁସି ଦେଉଛନ୍ତି. ମୀରା ଭାବୁଥିଲେ କୁକୁରକୁ ଅଇଁଠା ଖିଆ ପଶୁ ବୋଲି ବର୍ଣ୍ଣନା କରିବା ସତ କଥା କିନ୍ତୁ ମଣିଷ କଣ ଅଇଁଠା ଖିଆ ପଶୁ କୁକୁର ଅପେକ୍ଷା ବହୁତ ଭଲ!ସ୍ୱାମୀ ସବୁ ଦେଖି ଶୁଣି ଓ ଅନୁଭବ କରି କହିଲେ ସେହି କଥାତ କାଳଜୟୀ କବି ଲେଖି ଯାଇଛନ୍ତି!ବୁଝିପାରୁନ କଣ. ମୀରା କହୁଥିଲେ ହଁ ହଁ ବୁଝିଲି ବୁଝିଲି କହି ଗାଉଥିଲେ ମଧୁବାବୁଙ୍କର ସେହି ଦୁଇ ପଦ.ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ... ଟାଣେ କିରେ ଘୋଡା ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ.
