କୁକୁର, ମଣିଷ ଓ ସହୃଦୟତା
କୁକୁର, ମଣିଷ ଓ ସହୃଦୟତା
ପ୍ରତି ବର୍ଷ ଘରୁ ଅଳିଆ ଆବର୍ଜନା ସଫା କରିବାକୁ ହୁଏ। କାମ କରୁଥିବା ଲୋକ ବାୟା ସହ ରଖାଥୁଆ କରୁଥାଏ ମୁଁ। କାମକରା ଲୋକ ସଙ୍ଗେ କାମକରା ଲୋକ ଭଳି ନଖଟିଲେ କାମ ଠିକ୍ ଠିକ୍ ହୁଏନି, ତ କୋଉଟା କୋଉ ଜାଗାରେ ରହିବ କୋଉଟା ଅଳିଆ ହୋଇଗଲାଣି , ଏ ଭିତରେ, ଫିଙ୍ଗା ହେବ ତଥା କୋଉ ଘରେ ରଙ୍ଗ ଲାଗିବ କୋଉ ରୁମରେ କଣ ସବୁ ରହିବ ଭିତରେ, ପଖାଳ ଦେକଚି ଟା ଖୋଲା ମେଲା ଥିଲା ତ, ବାୟା ପାଟିକରି ଉଠିଲା ମାଆ ମାଆ ପଖାଳ ଘୋଡେଇ ଦେଲନି, ଏଇ ଦେଖ ମୁଁ ଝାଡ଼ିବା ବେଳେ, ପଡ଼ିଲାଣି ଅଳନ୍ଧୁ। କାହିଁ ଦେଖେ ଦେଖେ କହି ବ୍ୟସ୍ତ ହୋଇଉଠିଲି ମୁଁ, ବିଚରା କୁକୁର ଗୁଡ଼ାଙ୍କୁ ଦେଇଥାନ୍ତି ବୋଲି ରଖିଥିଲି କହୁ କହୁ, ବାୟା ଦେଖି ନେଇ କହୁଥିଲା ନାଇଁ ମାଆ କିଛି ହୋଇନି, କୁକୁରଙ୍କୁ କାହିଁ ଦେବ, ଭଲ ପଖାଳ, ଆମେ ଖାଇନେବୁ। ତା ମୁହଁକୁ ଘଡ଼ିଏ ଚାହିଁ କହିଲି ମଣିଷ ଜନ୍ମ ପାଇ କେତେ କଣ ଖାଉଛ, ମୁଠେ ଦିମୁଠା ଭାତ କୁକୁରଙ୍କୁ ଦେବାକୁ, ନାହିଁ କରୁଛ ? କିଏ ଦେବ ତାଙ୍କୁ ତେବେ ଖାଇବାକୁ ମୁଠାଏ ? ଧାଇଁ ଆସିଲା ନାତି, ପଚାରିଲା କଣ ଦେଖୁଛ ! ଜେଜେମା, ଏ ଫଟୋରେ ଏ କୁକୁର ଟି କିଏ,? ଅଳିଆ ଝଡ଼ାଝଡି ଭିତରେ ପୁରୁଣା ଆଲବମ ଟି ଦେଖୁଥିବା ଭିତରେ, ନାତି ପୁଣି ତା ପ୍ରଶ୍ନ ଟି ଦୋହରାଇ, କଣ ଦେଖୁଛ!, ପଚାରୁଥିଲା ତ କୁକୁର ଟି କୁଆଡ଼େ ଗଲା, ମରିଗଲା କି ଉତ୍ତରରେ, ମୁଁ କାନ୍ଦି ପକେଇଲି, ଆଉ କହିଲି ନାହିଁ ବାବା ଛାର କୁକୁର ଟା ତ, ତାକୁ ସମସ୍ତେ ମାର ଧର କଲେ, ଆଉ ସେ କାମୁଡ଼ିଲାରୁ, ଇଞ୍ଜେକସନ ନେବାପାଇଁ ଆମକୁ ଟଙ୍କା ମାଗିଲେ, ଜଣେ ଦିଜଣ ମାଗିଥିଲେ ଯାହା ଦିଆହେଲା, କିନ୍ତୁ ଅନେକ ମିଛ କହି ତୁମ କୁକୁର କାମୁଡ଼ିଛି କହି ପଇସା ମାଗିଲେ, ତ ସମସ୍ତଙ୍କୁ ଦେଇ ନପାରି ଆମେ ତାକୁ ଛାଡ଼ିଦେଇଥିଲୁ। ଆମର ଦୋଷ ଥିଲା ଆଶ୍ରୟ ଓ ଖାଦ୍ୟ ମୁଠେ ଦେଉଥିବାରୁ କୁକୁରକୁ, ଅନ୍ୟ ମାନଙ୍କୁ ଭଲ ଲାଗିଲା ନାହିଁ ବୋଧେ, ବାୟା ହସୁଥିଲା, ଆଉ ନାତି ପଚାରୁଥିଲା, ସେ କଣ ଖାଇଥିବ, କେମିତି ରହିଥିବ, ତା ମୁଣ୍ଡରେ ହାତ ଆଉଁସି, ମୁଁ କହିଲି କେହି ତ ସହୃଦୟ ଖାଇବାକୁ ଦେଇଥିବ ନଚେତ ନାହିଁ। କହୁ କହୁ ବୁଟ ସିଝା ପାଗ କରି, ବାୟା ଓ ଅନ୍ୟ ମାନଙ୍କୁ ଚାରିଟା ବେଳିଆ ଜଳଖିଆ ଓ ଚା ଦେଇ, ଭାତ ଗଣ୍ଡାକ ଧରି ତଳକୁ ଦେଖୁଛି, ପୁଣି ନାତି ପଚାରୁଥିଲା କଣ ଦେଖୁଛ ଜେଜେମା ? ତୁମେ ଯୋଉ କୁକୁରକୁ ଖାଦ୍ୟ ଦିଅ, ତାକୁ ଆଜି ଟେକା ମାରି କିଏ ଛୋଟା କରିଦେଇଛି, ସେ ଆଉ ଆସିପାରୁନି। ବାୟା ଖାଇସାରି କହୁଥିଲା ମତେ ଦିଅ ମାଆ, ମୁଁ ଦେଇଆସିବି ତା ପାଖକୁ ଯାଇ, ଆଉ ଘଷିଦେବି ଟିକେ ବରଫ ତା ଗୋଡ଼ରେ। ତା ପଛେ ପଛେ ନାତି ବିସ୍କୁଟ ଧରି ଯାଉଥିଲା, ଆଉ ଆଲବମ ଝାଡି ଝୁଡ଼ି ରଖିଲା ବେଳେ ମୁଁ ପୁଣି ଥରେ ଦେଖୁଥିଲି ସେଇ ପୁରୁଣା ଫଟୋଟି, କୁକୁର, ହୁଣ୍ଡାର। ସତରେ କେଡେ ବିଶ୍ଵସ୍ତ ଥିଲା ହୁଣ୍ଡା ।
