Lopamudra Parida

Drama Tragedy Inspirational

3  

Lopamudra Parida

Drama Tragedy Inspirational

କୁଦ ପାରି

କୁଦ ପାରି

5 mins
176



ବେଳେ ବେଳେ ଆମେ ଏମିତି ବ୍ଯକ୍ତିତ୍ବଟେ ଆମ ଚାରିପଟୁ କୋଉଠି ଗୋଟେ ଭେଟୁ ଯେଉଁ ମାନେ କଏନ୍ ର ଦି ପଟ ପରି ।ନିଜ ପାଇଁ ନିୟମ ଗୋଟେ ଓ ସେଇ ସମାନ କଥା ପାଇଁ ଅନ୍ଯ ପାଇଁ କଥା ବଦଳି ପ୍ରଳମ୍ଭ ଫୁଲୁ ଅଶୁଦ୍ଧ ।ଆଶ୍ଚର୍ଯ୍ୟ ନୁହେଁ?

ଏମାନଙ୍କ ନିୟମ ହେଲା ବର୍ଷା ଜୁଆଡେ ଛତା ସିଆଡେ ।ସବୁବେଳେ ନିଜ ପଟିଆ ।ବାସ୍ ।ବାକି ପୃଥିବୀ ଭାସି ରସାତଳକୁ ଗଲେ ବି ଯାଏ ଆସେ ନାହିଁ ।

ସେମିତିଆ କଥାଟେ ଭେଟିଲି ତ ବାଣ୍ଟିଲି ।

ରୁବିଦେଇ ଘର ବାଟେ ଆଜି ବହୁତ ଦିନ ପରେ ଯାଉଥିଲି।ବାହାତୋଳା ହେଲା ପରେ ବାପଘର ଗାଁ କୁ ଆସିଲେ ବି ଯେତେ ମନ ଥିଲେ ବି କୋଉ ସମସ୍ତଙ୍କୁ ଦେଖା କରିହୁଏ ନା ଦେଖି ହୁଏ ? କିଏ ଟିକେ ହାବୁଡି ଗଲେ ଯୋଉ ଆନନ୍ଦ ତା ପାସଙ୍ଗରେ କିଏ ପଡିବେ ନା ଆଗ ? ଅମୃତ ସମ ପରା ।

ରୁବିଦେଇ ବୋଉ ଆମେ ଯାହାଙ୍କୁ ରୁବିବୋଉ ମାଉସୀ ଡାକୁଥିଲୁ ସିଏ ଦି ଗୋଡ ଲମ୍ବେଇ ପିଚିକାଏ ବକଟ କୁ ଗୋଡରେ ପକେଇ ତେଲ ମାଜଣା କରୁଥିଲେ।ଘଷାମଜା ମୋଡା ଖାଇ ପିଚିକା ବଟକରା ଟି ସ୍ବସ୍ତି ରେ ଘୁଙ୍ଗୁଡି ମାରୁଥିଲା ।ମୁଁ ତାଙ୍କ ପିଣ୍ଢା କୁ ଉଠିଗଲି ।ମାଉସୀ ଙ୍କ ପାଦ ଛୁଇଁ ଜୁହାର କଲି ।ଭଲମନ୍ଦ ପୁଛା ଉତ୍ତରେ ମାଉସୀ ତାଙ୍କ ଡେବିରି ପଟକୁ ଥିବା ପାନ ଡାଲାଟାକୁ ଇଶାରା କରି ମତେ ଠାରିଲେ ।ମୁଁ ଟାଣିଆଣି ଓଦାକପଡା ଗୁଡା ସଜ ପାନ ପତରରୁ ଜୋଡେ ନେଇ ଚୂନ ଧାପେ ମାରି ଖଇର, ମିଠା ଛିଞ୍ଚୁ ଛିଞ୍ଚୁ ପଚାରିଲି,

_ ଇଏ କିଏ କିଅ ମାଉସୀ? ନାତିଆ କି ନାତୁଣୀ ? ରୁବିଦେଇ ପୁଅ ନା କଣ ବା ? ଆଇଚି କି ଆମ ରୁବ?ଆଉ ତା' ବର କେମିତି ବା ? ଭଲ ଟି ? ଆମ ରୁବ ଗେଲବସର କୁ ଭଲରେ ରଖିଛି ଟି ?

ମୋ ପାଟିରୁ କଥା ସରିନି ମାଉସୀ ପୁଅକୁ କନାପରା କୁଲାକୁ ଗଡେଇ ଦେଇ ଅଗଣାଠିକି ଉଠିଗଲେ ଖରା ରେ ଥୋଇବାକୁ।ତାଙ୍କ ପଛେ ପଛେ ତାଙ୍କ ହାତ ଠରା ଡାକ ଦେଖି ମୁଁ ଗୁଆ କାତିରୁ ଗୁଆ ଚେନେଇ ପାନ ଦିଟାରେ ମୋଡି ସେଠିକି ଉଠିଗଲି ।ଅଗଣା ମଝି କୂଅ କତିକି ଯୋଉ ଢେମାତରାଟ ଗଛ ସେଇଠିକି ଛାଇ ପଡୁଥିଲା ।ପିଢାଟେ ଟାଣି ନେଇ ବସିଲି ।ମାଉସୀ ମୋ ହାତରୁ ପାନଟା ନେଇ କଳେରେ ଜାକି ଦେଇ ବହେ ଏଣିକି ତେଣିକି ଅନେଇ ମୁହଁ କୁ ମୋଡି ପକେଇ କହିଲେ,

ଆ ଲୋ କାନ୍ଥ ର ପରା କାନ ଅଛି ।ସେ ଖଣ୍ଡକ କୋଉ ଠଣାଠି କାନ ପାରିଥବ ସେଇଥି ପାଇଁ ଖାସେ ( ଖାସ୍ ) ଏଠିକି ଘିନି ଆଇଲି ତତେ । ଆଲୋ ମୋ ରୁବନ ବଡ ଭାଗ୍ୟବତୀ ।କି ଘର ,କି ବର ! ତୁ ଦେଖିଲେ ତୋ ଆଖି ଖୋସି ହେଇଯିବ ପରା ।କନ୍ଦର୍ପ ସମାନ ବର ।ବେଙ୍କ ଚାକିରି ଜାଇଁଲୁଟି । ବଡ ବଡ ବଖୁରିଆ କୁଆଟର ଚାକର ପୁଜାରୀ ସବୁ ମିଳିଚି ।ହାତକୁ ପାଦକୁ ପାଣି ଲାଗୁଚି କି ମୋ ଝିଅକୁ ଆଗ ।ଆଉ ମାଆ ତ୍ରିଶୁଳେଇଙ୍କ ଠି ଘିଅଦୀପ ଜାଳି ଅଠେଇଶି ଗୁରୁବାରେ ମାଜଣା କରେଇଥିଲି ଟି ।ନିଜେ ଠିଆ ହେଇ ସିନ୍ଦୁର ଘସେଇଚି ଟି ମାଆ ମଥାରେ ।ଆଉ ତା ବରୁକୁ କଣ କହିବୁ ଲୋ ,ଲକ୍ଷେ ରେ ଗୋଟେ ।ଝୁଅ ମୋର କହି ନଥବ ଆଣି ଢାଳି ପକଉଛି ।ତା ପାଟିରୁ ଖସି ନଥବ ବାଢି ଦଉଚି ।ସଉକିରେ ବି ଯଦି ଦିନେ ଅଧେ ଇଏ ରାନ୍ଧିଆକୁ ବସିଲା ସିଏ ଅଟା ଚକୁଟି ଦବ, ଶାଗ ବାଛିଦବ, ଲୁଗା ଭାଙ୍ଗି ଆଲଣାରେ ଖଞ୍ଜି ସାଇତି ରଖିବ ।ଏମିତି ନିଚିପର କାମ ! ସାତ ମାଇକିନିଆ ଝୁଅ ସରି ହେବେ କି ? ଟୋପେ ଖୁଣି ପାରିବ ନା ଆଗେ ।ମୁଁ ଯାଇଥିଲି ଲୋ ମାନୁ , କହିଲେ ତୁ ପରତେ ଯିବୁନୁ ଜୋଇଁ ମୋର ନିଜେ ଫୁଲ କୁନ୍ଦ ପକା ଥାଳିରେ ଏଡିକି ସୁନ୍ଦର ସରୁ ଚକୁଳି ସର ସର କି କରି ବାଢିଆଣି ଥୋଇଲେ ଯେ ଯୋଉ ଲାଜ କିଲ ? ପାଣି ଗିଲାସେ ରୁବିକୁ ଅଣେଇଦେଲେ କି ? ନାଃ ।ସବୁ ନିଜେ କରିବେ ନା ।ପାଦେରେ ଅଳତା ତାର ଜିକିମିକି ସେମିତି । ଯେତେ ହେଲେ ଶାଶୁ ମହତ ପୁଣି ରଖିବି କି ନାହିଁ ଉଠିପଡିଲି ବସିଲାଠୁ । ସିଏ ପରା କୋଳରେ ମୁଣ୍ଡ ଗେଞି ବୋଉ ,ବୋଉ ହଉଥିଲେ ଲୋ ।ଆସିଆକୁ ଏକବାରେ ଅରାଜି ପରା ।ବୋଉ ଜିବନି ତ ,ଏକା ଜିଦ୍ ।ଝୁଅ ମୋର ରାଜରାଣୀ ହେଇ ଅଛି ଜାଣେ । ଦୋଳିରେ ଝୁଲି ଫୁଲରେ ଶୋଉଛି ।ଏଇନା କହିଲେ ଏଇନା ସରଗ ଚାନ୍ଦ ହାତରେ ।ସୁଉକିଟେ ବି ଡିମାଣ୍ଡ ନାହିଁ ।

ଝିଅ ଘରେ ଝିଅଟି ସୁଖୀ ହେଲେ ମାଆଟିଏର ଗର୍ବ ଦେଖିବା ପରି ।ପାର୍ଥିବ ନିହାତି, କିନ୍ତୁ ଅଲୌକିକ ।

ତାଙ୍କ ପାଟିରେ ବାଟୁଳି ବାଜୁ ନଥିଲା । ମୁଁ ଏ ଯାଏ ଜାଣି ପାରୁନଥିଲି ଏ ଛୁଆଟି କାହାର ।ମୋ ମନର ଭାବ ବୁଝି ବୁଦ୍ଧିମତି ମାଉସୀ ଆମର ଅଗଣା ତାରରେ ଦି 'ବାଲଟି ଫୁଲ୍ ଲୁଗା କାଚି ସର ସର ଝାଳ ପାଣି ଗାଧୁଆ ବିନୁଭାଇ ଭାଉଜ ଆଡିକି ଆଖି ତରାଟି ଆଟୋପ କରି କହିଲେ,

_ଉଁଉ ଇଏ ଗୁଣିମଣି ଆମ ବିନୁଙ୍କର ଏକୋଇରବଳା ।ପୁଅ ମୋର ଏ ମାଆ ଛୁଆ ଦିହିଁଙ୍କ କାମ କରି କରି ଚେପା ହେଲାଣି ଜାଣ ।ଇଏ ରାଣୀମା ଖାଲି ହାତ ହଲା ଶିଖି ଆଇଛନ୍ତି ବାପ ଘରଠୁ ।ଘଇତା କୁ ସବୁ କାମ ବତେଇବେ ।ଖାଲି ଗୋଡ ମୋଡା ତେଲ ଘସାଟି ବାକି ଅଛି କି ସେତକ ବି ଆଉଜା କବାଟ ପଛରେ ହଉଛି ମାଆ ଗଙ୍ଗେଇଙ୍କି ଜଣା ।ଛିଆ ଏଡେ ଅଲାଜୁକି ।ପେଟେରେ ଗୋଟା, କୋଳରେ ଗୋଟା ।ବରକୁ ସବୁ ବରାଦ ହଉଛି ଖାଲି ।ହେଇଟି, ହେଇଟି ଆହା ଲୋ ଯୋଉ ସୁଆଗ ।ମାଆ ତ ନାହିଁ ଏଟାର ।ବୋପା ଭୁଷଣ୍ତ କଣ ଶିଖେଇଚି କିଛି ।ଶାଶୁ ଶଶୁର ଭଲ ମନ୍ଦ ଛାଡେ ବା ।ବର ଟାକୁ ମନ୍ତୁରା ଛାଟି ମେଣ୍ଢା କରି ରଖିଛି ।ଦେଖୁନୁ ଖାଇ ପି କେମିତି ଗୁଣ୍ଠଳି ହାତୀ ଭଳିଆ ହଲୁଛି ।ବଡ ବୋପାର ଝିଅ ତ ,ଖାଲି କୁଢେଇ ବୁଡେଇ ଦେଇଛି ଘର ମୋର ଯାନି_ ଯଉତୁକରେ? ଆଉ ଦୋଳି ଝୁଲିବନି କେମିତି?

ଭିତର ଘରକୁ ଶୁଭିଲା ପରି ଚିଲେଇ ଚିତ୍କାରି ଝିଙ୍ଗାସୀ ଶବ୍ଦ ସବୁ ଉଡୁଥିଲେ ପବନକୁ କଣ୍ଟା କଣ୍ଟା କରି ।

ନିଜର ପୁଅଟି ଯଦି ବୋହୁଟିଏର କାମରେ କଣିକାଏ ସାହା ହେଲା, ସହାନୁଭୁତି ଦେଲା ତେବେ ମଧ୍ୟ ଦୋଷ ନିରୀହ ବୋହୁଟିର ।କାରଣ ସେ ପର ।କେବେ ବୁଝିବେ ଏମାନେ କି ସବୁ ଛାଡି ଆସିଥିବା ଝିଅଟିଏ କୁ ଯଦି ତମେ ଶ୍ରଦ୍ଧା ଦେଇ ସିଞ୍ଚିବ ତେବେ ସେ ତୁମରି ଅଗଣାରେ ଫୁଲ ଗଛ ହେଇ ମହକେଇବ ।ଆଉ କଣ୍ଟା ବୁଣି ଫଳରସ ଆଶା କଲେ କୋଉଆଡିକି ପାଏ ଯେ ।

ଯେତେ ହେଲେ ବି ଆପଣେଇବା ପାଇଁ ବଡ ହୃଦୟ ଟେ ଆଗେ ଲୋଡା ।ଆଶା ଆପଣେଇବା ପରେ ଆସେ ।ପ୍ରଥମେ ଆସିଲେ ହୃଦୟ ଭାଙ୍ଗେ,ମନ ଭାଙ୍ଗେ, ଘର ଭାଙ୍ଗେ ନହେଲେ ମରିହଜି ଲୁପ୍ତ ହେଇଯାଏ ।ସମାଧି ଗଢାହୁଏ କି ନା ତାକୁ କିଏ ପଚାରେ ।ଜୀଁ ଥିଲା ବେଳେ ଯାହାକୁ ଯାହା ଦବା ,କରିବା କଥା ସାରିଦବ ,ମଲାଗଲା ପରେ ସବୁ ଅସାର ,ଯେତେ ତେଣିକି ତମେ ଭୋଜିଦିଅ ।

ସଃଶବ୍ଦେ ହେଉ କି ନିଃଶବ୍ଦେ ,ସ୍ନେହ ର ବଦଳୁଥିବା ରଙ୍ଗ ବହ୍ନି ବି ଜାଳିପାରେ ।

ସୃତିକଟୁ ଶବ୍ଦ ସବୁ ଛାତିକୁ ଭେଦୁଥିଲା ।ବାହାନା କରି ଉଠି ଆସୁ ଆସୁ ଝରକାଠି ଦଶକିଲିଆ ଭାତ ହାଣ୍ଡି ଟେ ଧରି ପେଜ ଗାଳୁଥିବା ଧଇଁସଇଁଆ ଭାଉଜଟିର ମୁହଁ ରେ ଆଖି ପଡିଗଲାରୁ ମନ କୋରି ହେଇଗଲା ।ଆଖି କୋଣ ଲୁହ ସବୁ ତାର ଭାତର ଗରମ ବାମ୍ଫ ସବୁ ସହ ମିଶି ଝାଳେଇ ବୋହି ଯାଉଥିଲେ ଏକା ନଳାମୁହଁ କୁ ।ଝାଉଁଳା କଢିଟେ ପରି ମୁହଁ ଟି ଦେଖି ଛାତି କାଟିଲା ।

ପାଣି ର ରଙ୍ଗ ତ ଏକା ନା ସବୁଠି ।ଲୁହ ରେ,ଝାଳରେ,ବାମ୍ଫ ରେ ,ଆଉ ଆଖି ବାଟ ଦେଇ ବୋହି ଆସୁଥିବା ଲହୁରେ ।

ମୋ ବୋଉଠୁ ଶୁଣୁଥିଲି ରୁବବୋଉ ମାଉସୀ କାଳେ ତାଙ୍କ ବୋହୁଟାକୁ ସହି ପାରୁନାହାନ୍ତି ।ହୀନସ୍ତା କରୁଛନ୍ତି ।ବୋଉ କହୁଥିଲା, ଆହାଃ ଏଡେ ସୁନ୍ଦର ଗୁଣର ବୋହୁଟି ପାଇ କି କଲବଲ ସିଏ ନ କରୁଛି ।ଆଠ ମାସ ଚାଲୁଛି ,ତାକୁ ଅଠରମହଣ ବୋଝ ବୁଲଉଛି ।ଠାକୁରେ ସାହା ଧର୍ମ ସହିଲେ ହେଲା ।ନିଜ ଝିଅ ର ପଛେ ଅଶେଷ ଗୁଣ ,ପର ବାରି ତୁଳସୀ କୁ ବି ଖୁଣା ।"

ମୁଁ ଶୁଣୁ ଶୁଣୁ ଭାବୁଥିଲି ଆମେ ସବୁ ତ ଦେଖି ଅନ୍ଧ, ଜାଣି କାଲ ।ଆଉ ଏ କୁମ୍ଭୀର କାନ୍ଦଣା କାହିଁକି? କୁଦ ପାରି କରି ଆଗେ ସହଜେଇ ବାଟ କାଟିବା ଛଡା ଆମେ କରୁ ବି କଣ ?


Rate this content
Log in

Similar oriya story from Drama