Lopamudra Parida

Action Inspirational

3  

Lopamudra Parida

Action Inspirational

କଟ୍ଟି

କଟ୍ଟି

5 mins
202


ଯୋଗକୁ ତିନି ଦିନ ପରେ ତା' ସହ ଭେଟ ହେବ ଆଜି ।ତେଣୁ ମୁଁ ଖୁବ୍ ଗୋଟେ ଖୁସି ଥିଲି ।


ଆପଣ ଜାଣିକି ଖୁସି ହେବେ ଯେ ଆମେ ଗୋଟିଏ ଘରେ ରହୁ ।ହଁ ,ଠିକ୍ ଶୁଣିଲେ, " ଗୋଟିଏ ଘରେ " ।ହେଲେ .......ଅଧେ ଦିନ ଏଇକଥା ।ମୁଁ ବାହାରିଗଲା ବେଳେ ସିଏ ଶୋଇଥାଏ ଆଉ ମୁଁ ଫେରିବା ବେଳକୁ ସିଏ ଶୋଇସାରିଥାଏ ।


କଣ କରାଯିବ! ଜୀବନ ଗୋଟେ ଷଟ୍କୋଣି ବାକ୍ସ ରେ ଟଣ୍ ଟଣ୍ ବାଡେଇ ହଉଥିବା ଟିପିଲିକିଆ ବଲବିଅରିଂ ଚିକଣ ଲୁହାର ବଲ୍ ଟେ ପରି ।ଭିତରର କଟାଛକା ବାଟ ଭିତର ଦେଇ ଶେଷ ଛବିଠି ପହଞ୍ଚି ପାରିଲେ ଯାଇ ଖେଳ ଜମିଲା .... ନହେଲେ ଗଡୁଥାଅ ଯେ ଗଡୁଥାଅ ମୁଣ୍ଡ ଗୁଣ୍ଡ ହବା ଯାଏ ।


ଗଞ୍ଜା କକ୍ କରିନଥାଏ ମୁଁ ଆଲାରାମ କୁ କାନେଇ ଭୁତ ଭଳିଆ ଉଠି ବସେ ।କାକ ସ୍ନାନ ସାରି ବକ ପରି ମନ _ ମୁନ ଦେଇ ପୁରା ଦିନଚର୍ଯ୍ଯା ର ତାଲିକା ମୁଣ୍ଡ ଭିତରେ ଲେଖା ଚାଲିଥାଏ କମ୍ପ୍ୟୁଟର ଟାଇପ୍ ମେସିନ୍ ଯେମିତି ।ତାରି ଭିତରେ ଗାଧାଏ ପାଧାଏ, ଜଳଖିଆ ତିଆରେ, ଡବାରେ ପୁରାଏ ଆଉ ନାଁ କୁ ମାତ୍ର ଦିଅଁ ଖଟୁଲିଠି ଢୁ' କରି ମୁଣ୍ଡ ଟି ଅଭ୍ଯାସ ବଶତଃ ଠୁକି ଦେଇ ବାହାରିଯାଏ ।ଦିନ ଫିଟୁଥାଏ ସେତେବେଳକୁ ଅଳସୀଜହ୍ନ କୋଳରୁ ରାତିର ଅଭିସାର ସାରି ।ମାଆ ତାର ନିତିଦିନିଆ ଅଭ୍ଯାସ ନେଇ ଡାକୁଥାଏ ପଛରୁ " ଆ ଲୋ ଖାଇଦେଇ କଣ ଟିକେ ଯା ।ପେଟ ଗରମ ଧରିବ ।କୋଉ ଦିନ ଖାଉନୁ କେମିତି ........।" ଆହୁରି କଣ କଣ ଅଭିଯୋଗିଆମମତା ବୋଳା ଶବ୍ଦ ସବୁ ପବନ ଚକରେ ଡେରା ଦେଇ ମୋ ପଛରେ ଗୋଡାନ୍ତି ଯେ, ମତେ ଧରିପାରିବା କଣ ଏଡେ ସହଜ! ମୋ ସ୍କୁଟି ସ୍ନେହ, ଶ୍ରଦ୍ଧା ର ଢେଉକାଟି କର୍ତ୍ତବ୍ୟ ପଥ ଆଡକୁ ଧାଏଁ । ଧାଉଁଥାଏ ।ଧାଉଁଥିବାର ଜୋର ଧରାଏ ନିଜେ ନିଜକୁ ।


ଆଠଟା ବାଜିନଥିବ ଯାଇ ମେଡିକାଲ ରେ ।ଶିଶୁ ମନସ୍ତତ୍ବ ବିଭାଗ ।ଡାକ୍ତରାଣୀ ମୁଁ । ସେଇ ଯେ ସକାଳୁ ବାହାରିଥାଏ ସେତିକି ବେଳୁ ମୋର ମନଟାକୁ ରଖିଦେଇ ଆସିଥାଏ ଆଖପାଖ ସେଇଠି କୋଉଠି, ରାସ୍ତା କଡ କୋଉ ଗଛର ଡାଳରେ ଝୁଲେଇଦେଇ ବା ଟ୍ରାଫିକ ପୋଷ୍ଟ ରେ ଟାଙ୍ଗିଦେଇ ।


ଏଠି ଏଇ ମନକଷ୍ଟ ରେ ଥିବା ପିଲା ମାନଙ୍କ ସହ ପୁରାଦିନ ତାଙ୍କୁ ହସେଇବା, ବୁଝେଇବା, ପରାମର୍ଶ ଦେବା, ଧର୍ଯ୍ଯ ବନ୍ଧେଇବା ଭିତରେ ମୋ ନିଜକୁ ଭୁଲିଯାଇଥାଏ ।କେତେ ଭଲ ଭଲ ପରିବାର, ଥିଲାବାଲା ପରିବାର ର ପିଲେ, ହେଲେ ଟୋପେ ସ୍ନେହ ପାଇଁ କାଙ୍ଗାଳ ।ସୂର୍ଯ୍ୟ ଘରକୁ ଯିବାକୁ ହାତ ହଲେଇ ବାହାରି ଗଲା ପରେ ବି ମୁଁ ଆଣ୍ଠିଏ ଦାୟିତ୍ୱ ଭିତରେ ଅଧାବୁଡା ହେଇଥାଏ ।


ହେଲେ ଆଜି ମୋ ପାଖକୁ ଚିକିତ୍ସା ପାଇଁ ଆସିଥିବା ଗୋଟେ କୁନି ଝିଅଟିକୁ ଦେଖି ମୋର ସିଏ ମନେ ପଡିଲା ।କୁନି ଝିଅ ଟିର ଆଜି ଜନ୍ମ ଦିନ ଥିଲା ହେଲେ ପାଳିବାକୁ ନିଜର କେହି ପାଖରେ ନ ଥିଲେ ।ଭାରି ରାଗ, ଅଭିମାନ, ବିକ୍ଷିପ୍ତପଣିଆ ର ଓଜନ କଣ୍ଟା ଦେହମନ ସାରା ।ମୁହଁ ଫୁଲେଇ ରଖିଥାଏ ,ଆଖି ରେ ଟିକେ ସରସତା ନାହିଁ ।ତାର ପରିଚାରିକା ମାଉସୀ ଟିଏ ସହ ଆସିଥାଏ ।ବେଶଭୂଷା ରୁ ବାରି ହେଇ ଯାଉଥାଏ ସ୍ବଚ୍ଛଳତା ଆଉ ମନରୁ .... ପାଣିଚିଆ ପିଲାଦିନ ।

ଏଇ ପାଖାପାଖି ବୟସ ବି ମୋ ଅଗଣାର ଫୁଲ କଢିର ।


ମୋର ମନ ତଳ ଦର୍ପଣ ରେ ଦିଶିଲା କୋଳରେ ଧରିବା ଦିନ ତା' କୁନି ଆଙ୍ଗୁଳି ସବୁକୁ ମୁଠେଇ କରିଥିବା ସତ୍ଯ ତକ ।ସିଏ ଟୁକଟୁକ ସବୁ ବୁଝିଲା ପରି ଚାହୁଁ ଥିଲା ମୋ ମୁହଁକୁ ଜାବୁଡି ଧରିଥିଲା ତାର ସବୁ ବଳ ଦେଇ ମୋର ଗୋଟେ ଆଙ୍ଗୁଠିକୁ ।ହଠାତ୍ କ୍ଯାଲେଣ୍ଡର ମନେପକେଇଦେଲା କି ଆଜି ତାର ବି ଜନ୍ମ ଦିନ ।


ମନସ୍ତ କଲି ଆଜି ଟିକେ ଚଞ୍ଚଳ ବାହାରିଯିବି ।ହବ ଯଦି ତାକୁ ଟିକେ ପାର୍କ ନେବି ।ଟିକେ ତା ପଢା ଦେଖିବି ।ଦେଖିବି ତା ଚିତ୍ର ଖାତା ।ବୁଝିବି ଟିକେ ସିଏ କଣ ପାଳିଛି ମୋ ପାଇଁ ତା ମନରେ ।ମୋ ମାଆ ପାଖରେ ବଢୁଥିବା ମୋ ଝିଅ କେମିତି ତିଆରି ହେଇଛି ଟିକେ ପରଖିବି । ନେଇଯିବି ଗଲାବେଳେ କିଛି ଉପହାର .... ସରପ୍ରାଇଜ ଭାବେ ।କେତେ ଖୁସି ହେଇଯିବ ନା ସିଏ ,ଏଇ କଳ୍ପନା ହି ମତେ ଚଞ୍ଚଳତା ଦେଲା ।

ବେସମେଣ୍ଟରୁ ଗାଡି କାଢିଲି ।ରାସ୍ତା ମତେ ଆନମନା କଲା ।


ଆମେ ତ ଦିହେଁ ଚାକିରିଆ ।ଦିହେଁ ଦୌଡୁଥାଉ ।ତା ' ପାପା ତ ପୁଣି ଦେଶ ବାହାରେ ।ତଥାପି ସିଏ ତା'ସହ ଭିଡିଓ କଲ କରିପାରନ୍ତି ।ଅଭିମାନ କରନ୍ତି ।କହନ୍ତି, " ତୋ ମାମା ଲକି ।ତୋତେ ପାଖରେ ପାଇଛି ।" ଦୂରରୁ କଣ ବାରିହୁଏ ପାହାଡ ନଣ୍ଡା ଟାଙ୍ଗରା କି ଘାସ,ବୁଦା ଭରା କେଡେ ସବୁଜଢଳା !


ବଥ ବଥାଏ, ଆବୁ କଣ ବଥାଏ ! ଦେହ ମରୁକୁଟି ଘସି ହାତଗଢା ଜୀବଦାନଦିଆ କଣ୍ଢେଇ କୁ ପାଖରେ ଥାଇ ବି ଦେଖି ନ ପାରିବା ଅନ୍ଧୁଣିଟିଏ ଆଲୁଅ ଖୋଜାରେ ଧୂଳି ଅଣ୍ଡାଳି ହେବା ପରି ।


ମାଆ ମୋର ରାତିରେ ଆସେ ।ପାଖରେ ବସେ ।ମୁଣ୍ଡ ଆଉଁସି କହେ ," ଝିଅ କୁ ଟିକେ ସମୟ ଦେ ମାଆ ।ତା'ଦେହ ମନ ଭଲ ରହୁନି ।ତତେ ଝୁରୁଛି ।ତା' ବାପା କୁ ଖୋଜୁଛି । ଜିଦିଆ ହେଲାଣି ।ଅବାଟକୁ ଗଲେ ନେଡି ଗୁଡ କହୁଣୀ କୁ ବହିଯିବ ।ପୋଛିପାରିବୁନି ।ବେଳଥାଉ ସଜାଡିନେ ମାଆ ।ଘର ତୋର, ସଂସାର ତୋର ।ମୋ ପାଚିଲା କାନ୍ଧ ଆଉ ପାରିବ ଭାବିଛୁ କି? ...... " ।ଶୁଣୁ ଶୁଣୁ ମତେ ଗାଢ ନିଦ ହେଇଯାଏ ।ଏତେ ଗାଢ ଯେ ଚେତା ନଥାଏ ।ଛୋଟ ହେଇଯାଏ ରାତି ପଲକ ପଡୁ ପଡୁ । 


ସ୍କୁଟି ଚଲଉ ଚଲଉ ମାଆ ର ସ୍ବର ଅବଚେତନରୁ ଶୁଭେ, ".... ତତେ ଝୁରୁଛି ।" ମୋ ହୃଦୟର ତନ୍ତ୍ରୀ ଟିଏ ବି ଢଳେଇ ହେଇ କହେ ," ମୁଁ ବି " ।


ଆଡେଇଯାଏ ମୁଁ ଜାଣିଶୁଣି ସେ ସ୍ବରକୁ ।ବଡ ଜୋର୍ ଦେଇ ଗାଲୁଆମୀ କରେ ନିଜକୁ, " କାହା ପାଇଁ ଆଉ ଦିନ ରାତି ଏକ କରି ଖଟୁଛି କି ମୁଁ? ତାରି ସୁଖର ଭବିଷ୍ୟତ ପାଇଁ ତ ।କୋଉ ମୋ ପାଇଁ ନା କଣ ? " ଗାଡି ଉଡିଯାଏ ପବନ ସହ ଦୌଡ ଲଗେଇ ।


ଫେରିବା ମଝିରେ ମୁଣ୍ଡ ରେ ଗୋଟିଏ ଶବ୍ଦ ପଶେ ," ଖଟ,ଖଟ ,ଖଟ " ।ଘୋଷଡା ପାଦରେ ରାତି ରୋଷେଇ ,ବାକି କାମ । ନାକକାନରେ ରୁଟି ଖଣ୍ଡେ ପୁରା ଆଉ ପୁଣି ସେଇ "ଖଟ" ..... କେତେବେଳେ ସକାଳ ହୁଏ ବୁଝେନି, ପୁଣି ଦୌଡେ ।


ଲାଗେ, ଲାଗେ! ବେଶ୍ ଅଣନିଶ୍ବାସୀ ଲାଗେ ..... ନିଜର ଭାବନା, ଇଛ୍ଛା ସବୁର କବର ଉପରେ ଆଗାମୀ ସକାଳର ତାଜା ମହଲ ଛବି ଆଙ୍କିବାକୁ ବସିବା ବେଳେ ।ନାକକାନରେ ବାଲି ପଶେ ।ରୁନ୍ଧି ଲାଗେ ।ସବୁ ଛାଡିଛୁଡି ଦେଇ ଝାଡି ହେଇଯିବାକୁ ଡାକେ ମନ ।


ଅନେକ ଥର ମୋ ସ୍କୁଟି ଶବ୍ଦ ଶୁଣି ସିଏ ଯେତେବେଳେ ଏରୁଣ୍ଡି ଡେଇଁ ଖୁସି ରେ କୋଳେଇ ହବାକୁ ଧାଇଁ ଆସେ ଠିକ୍ ପୋଷାଟିଏ ପରି ,ମୁଁ ଆକଟ କରେ କଡା ନହେଲେ ଚିଡଚିଡା ସ୍ବର ରେ ," ରହ ଏତେ ବଡ ପିଲା ହେଲୁଣି ,ଇଏ ସବୁ କଣ ? ଇରିଟେଟ କରନି କହିଲି। " ସିଏ ଗଦେଇ ହେଇ ପଡେ ମାଟି କୁଣ୍ଡ କଡକୁ ମୁଠାଏ ଶୁଖିଲା ଚୁନା ମାଟି ପରି ।ତଳକୁ ମୁହଁ କରି ତ କେବେ ଗୋଡ କଚାଡି ପାଦ ପିଟି ଛଳଛଳ ଭରା ଆଖି ରେ ଦେଖାଏ ତାର ବିରୋଧିୟ ପ୍ରତିକ୍ରିୟା ।ହେଲେ ଏତେ କଥାକୁ ରାତି କାଇଁ ? ମୋ ବ୍ଯସ୍ତତା ତାକୁ ବ୍ୟତିବ୍ୟସ୍ତ କରାଏ ।ନିଜ କଣ୍ଠସ୍ବର ନିଜକୁ ରୁକ୍ଷ ଶୁଭେ ।


ଆଜି କିନ୍ତୁ ମୁଁ ବାହାରିଆସୁଥିଲି ମେଡିକାଲରୁ ଭିଡି ହେଇ ତାର ସାନିଧ୍ଯ ଲୋଭରେ ।କବଜା କରିଥିବା ଡିଉଟି ଭାବନା ସବୁ କବରୀ ଫୁଲ ଭଳି ଫିଟି ଖସି ପଡି ପଛକୁ ଉଡିଯାଉଥିଲେ ,ଆଉ ମୁଁ .... ଗଡିଚାଲୁଥିଲି ।ବାଟରେ ସ୍କୁଟି ରଖି କିଣିଲି ତା' ମନ ପସନ୍ଦର ଥାକଥାକିଆ ଗୋଲାପି ଟୁପ୍ ଟୁପ୍ ଘେର ଫ୍ରକ ଜାମା ,ଆହୁରି କେତେ କଣ ?


ସେ ପୋଟଳି ସହ ଘରର ଗେଟ୍ ଖୋଲିବା ବେଳେ ଆଉ ତା ହାତରେ ଏ ସବୁ ଦେଲା ବେଳରେ ତାର କୋମଳ କୁନି ମୁହଁ ଟିରେ କେମିତି କେତେ ଖୁସି ର ଭାବନା ଫୁଟିବ ମୁଁ କଳ୍ପନା କରୁଥିଲି ପ୍ରତି ଚକେରେ ।


ଏମିତି ଅପ୍ରତ୍ୟାଶିତ ଖୁସି କୁ ପାଖରେ ପାଇ ସିଏ କଣ କହିବ ,କରିବ ଭାବୁ ଭାବୁ ମୋ ଫୋନ ରିଂ ହେଲା ।ମେଡିକାଲ ଷ୍ଟାଫ୍ ।ତୁରନ୍ତ ପହଞ୍ଚିବାକୁ ହେବ , ଜରୁରୀକାଳୀନ ଭାବେ ।ଅଗତ୍ଯା ଗାଡି ବୁଲେଇଲି ।


ସେଇ ସକାଳର ଆଡମିଟ ହେଇଥିବା କୁନି ଝିଅ ଟି ।ଜିଦ୍ ଲଗେଇଛି ଯେ ସିଏ କିଛି ଖାଇବନି, ପିଇବନି, ଔଷଧ ଶୁଦ୍ଧା ନୁହେଁ, ଯେ ଯାଏ ତା' ଜନ୍ମ ଦିନ ପାଳନ ନ ହେଇଛି ।ଫିଙ୍ଗା ଫୋପଡା, ଟଣା ଓଟରା କରି ନୟାନ୍ତ କରୁଛି ନର୍ସ ଦିଦି ମାନଙ୍କୁ ।ମୁଁ ପାଖକୁ ଯାଇ କୋଳେଇ ନେଲି ସମ୍ଭାଳି ନେବି ଭାବି ।

ମତେ ଦେଖି କହିଲା ," ମୋ ଗିଫ୍ଟ ? " ମୋ ହାତରେ ଥିବା ସବୁ ପ୍ଯାକେଟକୁ ଅତି ଖୁସି ରେ ନେଇଗଲା ନିଜେ ନିଜେ ।କହିଲା, " ଥାଙ୍କୁ, ଡକ୍ଟର ଆଣ୍ଟି ।ମୋ ମାମା ତ ମତେ ଟିକେ ବି ଭଲପାଏନି । ଟାଇମ୍ ଦିଏନି ।ପାପା ବି ।ମତେ କେହି ଭଲପାଆନ୍ତିନି ।ସେଥିଲାଗି ମୁଁ ଖୁବ୍ ରାଗେ ଆଉ ଭାଙ୍ଗେ ।ଆଜି ମୋ ବାର୍ଥଡେ ବୋଲି ତାଙ୍କର ମନେ ବି ନ ଥିବ । ପକ୍କା ।" 


ମୁଁ ହସିଦେଲି ନିଦା ମନଟେ ଅଛି ବୋଲି ନିଜକୁ ବୁଝେଇ ।


ରାତି ଦଶଟା ପରେ ହେଲାଣି ଏବେ ।ହାଲିଆ ।ପୁରା ହାଲିଆ ।ଦିଶିଲାଣି " ଖଟ " ।


ଗାଡି କାଢୁଛି, ମୋବାଇଲ ଟୁଂ କରି ହେଲା ସଂକେତ ଦେଇ ଯେ କିଛି ସନ୍ଦେଶ ପଢିବା ଅପେକ୍ଷା ରେ ।


ଅନିଛ୍ଛା ସତ୍ତ୍ବେ ଖୋଲିଲି ।ଭିଡିଓ ଟିଏ .... ସିଏ ପଠେଇଛି ମୁହଁ ଶୁଖେଇ ।ଅଙ୍ଗ ଭଙ୍ଗୀ ଅଭିନୟ କରି କହୁଛି, "ସତରେ ମୋ ପାଇଁ ତୁମ ପାଖରେ ସମୟ ନାହିଁ କି ମାଆ?ତମେ କଣ ମତେ ଭଲ ପାଅନି? ଆଜି ମୋର ଜନ୍ମ ଦିନ ।ମନେ ବି ନ ଥିଲା ନା ତୁମର ।" 


ମୋ ନିଦାମନର ନିଦାନ କାଇଁ !



Rate this content
Log in

Similar oriya story from Action