Pradeep Biswal

Classics

3.6  

Pradeep Biswal

Classics

କଥା ରହିଗଲା କଥାରେ.......

କଥା ରହିଗଲା କଥାରେ.......

13 mins
134


ପ୍ରତୀକ୍ ରାୟ । ସରଳ ଆଉ ସାଧାସିଧା ମଣିଷଟିଏ । ଆଗ ଧାଡ଼ିର ଏକ ଆଞ୍ଚଳିକ ଖବରକାଗଜର ସେ ହେଉଛନ୍ତି ଏଡ଼ିଟର । ଜଣେ ମେଧାବୀ ଛାତ୍ର ହୋଇଥିଲେ ବି, ସେ ବଡ଼ ହେଲେ ସାମ୍ବାଦିକତା କରିବେ ବୋଲି ନିଜକୁ ଗଢିତୋଳି ଥିଲେ ଛୋଟଟି ବେଳୁ । ସେ ଦେଖି ଆସିଥିବା ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ହେଲେ, ସାମ୍ବାଦିକତା ହେଉଛି ଏକମାତ୍ର ପେଶା, ଯାହାକୁ ପାଥେୟ କରି, ସମାଜକୁ ଏକ ସକାରାତ୍ମକ ଦିଶା ଦିଆଯାଇପାରିବ ବୋଲି, ସେ ଆଶାବାଦୀ ଥିଲେ । ନିଜର ଶିକ୍ଷାଗତ ଯୋଗ୍ୟତା, ଭଲ କ୍ୟାରିଅର ଆଉ ନିଜ ଭିତରେ ରହିଥିବା ପ୍ରତିବଦ୍ଧତା ପାଇଁ ସେ ଚାହିଁଥିଲେ ସର୍ବଭାରତୀୟ ସ୍ତରର ଚାକିରିଟିଏ ବି ପାଇପାରିଥାନ୍ତେ । କିନ୍ତୁ ଛୋଟଟି ବେଳୁ ମନ ଭିତରେ ରହି ଆସିଥିବା ତାଙ୍କର ସେବା ମନୋବୃତ୍ତି, ତାଙ୍କୁ ଜଣେ ସ୍ପଷ୍ଟବାଦୀ ସାମ୍ବାଦିକଟିଏ ହେବା ପାଇଁକି ପ୍ରେରଣା ଦେଇଥିଲା । ପରିବାର କହିଲେ, ସେ ନିଜେ, ଆଉ ତାଙ୍କ ସହଧର୍ମିଣୀ, ସାଧନା..... ସାଧନା ଚକ୍ରବର୍ତ୍ତୀ । ଉଚ୍ଚଶିକ୍ଷିତା ହୋଇଥିଲେ ବି ନିଜକୁ ସୁଗୃହିଣୀ ରୂପେ ଗଢି ତୋଳି ସେ ସୃଷ୍ଟି କରିପାରିଛନ୍ତି ତାଙ୍କର ସ୍ଵତନ୍ତ୍ର ପରିଚୟ । କଥାରେ ନାହିଁ, ଏ ମନ ପାଞ୍ଚୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା । ତେଣୁ ପ୍ରତୀକ୍-ସାଧନା, ସମ୍ପର୍କ ରଜ୍ଜୁରେ ବନ୍ଧା ଏକ ସୁନ୍ଦର ଯୋଡ଼ି, ଯେମିତିକି, ରବନେ ବନାୟା ଯୋଡ଼ି । ନା କେବେ ଥାଏ ମତରେ ପାର୍ଥକ୍ୟ, ନା ଥାଏ ଭାବନାଗତ ପାର୍ଥକ୍ୟ । କହିବାକୁ ଗଲେ, ଆମ ସମସ୍ତଙ୍କ ପାଇଁ ସେ ଦୁହେଁ ହେଉଛନ୍ତି ଏକ ଆଦର୍ଶ । ଏମିତି ପତିପତ୍ନୀ ଭାଗ୍ୟରେ ଥିଲେ ଦେଖିବାକୁ ମିଳିଥାଏ । 

   ପ୍ରତୀକ୍........ ସବୁବେଳେ କର୍ମଚଞ୍ଚଳ ମଣିଷଟିଏ । ସେଦିନ ରାତିସାରା ଆଖିକୁ ନିଦ ନାହିଁ । ମନ ଭିତରେ ଭାବି ଚାଲିଛନ୍ତି କେତେ କଥା । ରାତି ପାହିଲେ, ସେ ପାଇବେ ତାଙ୍କର ଏକ ନୂଆ ପରିଚୟ । ସାମ୍ବାଦିକ ପ୍ରତୀକ୍ ରାୟ, ରାତି ପାହିଲେ ସମ୍ବର୍ଦ୍ଧିତ ହେବେ ଜାତୀୟ ସ୍ତରର ଶ୍ରେଷ୍ଠ ସାରସ୍ଵତ ସମ୍ମାନରେ । ଜଣେ ସାଧାରଣ ସାମ୍ବାଦିକ । ହଁ, ନିଜର ସକାରାତ୍ମକ ଚିନ୍ତାଧାରା, ସ୍ପଷ୍ଟବାଦିତା ଆଉ ନିରପେକ୍ଷ ସମ୍ବାଦିକତା ପାଇଁ, ଲୋକମାନଙ୍କ ପାଖରେ ସେ ସୃଷ୍ଟି କରିଛନ୍ତି ନିଜର ଏକ ନିଆରା ପରିଚୟ । ସମାଜରେ ଘଟୁଥିବା ଘଟଣା ଅଘଟଣାକୁ ନେଇ ଦୈନିକ ଖବର କାଗଜ ପାଇଁ ତିଆରି କରୁଥିବା ଷ୍ଟୋରି ପ୍ରତୀକ୍, ଯେ ଏମିତି ଏକ ସନ୍ଦର୍ଭଟିଏ ଲେଖିବେ, ତାହା ପୁଣି ଜାତୀୟ ସ୍ତରରେ ବିବେଚିତ ହେବ ଶ୍ରେଷ୍ଠ ସାରସ୍ଵତ ପୁରସ୍କାର ପାଇଁ, ସେ ଆଦୌ ବିଶ୍ୱାସ କରିପାରୁନଥିଲେ । ସବୁକିଛି ତାଙ୍କୁ ଯେମିତି ସ୍ଵପ୍ନ ପରି ଲାଗୁଥିଲା । ମେଲରେ ଆସିଥିବା ଚିଠିଟିକୁ ସେ ବାରମ୍ବାର ପଢି ଚାଲୁଥିଲେ । ବାରମ୍ବାର ସାଧନାକୁ ପଚାରୁଥିଲେ.........


ପ୍ରତୀକ୍ : ସାଧନା...

ସାଧନା : ଉଁ......

ପ୍ରତୀକ୍ : କଣ ଭାବୁଛ ?

ସାଧନା : କାଇଁ ନାଇଁ ତ ........

ପ୍ରତୀକ୍ : ଆଛା ଏ ଯୋଉ ଲେଟରଟା ମେଲରେ ଆସିଛି, ତମେ କଣ ଭାବୁଛ ?

ସାଧନା : କିଏ ? ମୁଁ କଣ ଭାବୁଛି ?

ପ୍ରତୀକ୍ : ଆରେ ହଁ, ତମେ । କୁହନା, ସତରେ କଣ ମୁଁ କାଲି ଦେଶର ସର୍ବଶ୍ରେଷ୍ଠ ସାରସ୍ଵତ ପୁରସ୍କାର ଗ୍ରହଣ କରିବାକୁ ଯାଉଛି ?

ସାଧନା : Yes my dear, you will. ରାତି ବାରଟା ହେଲେଣି । ଶୀଘ୍ର ଶୋଇପଡ । ସକାଳ ସାତଟା ପନ୍ଦରରେ  ଫ୍ଲାଇଟ୍ । 

ପ୍ରତୀକ୍ : Oh my God. ସତରେ ମୁଁ କେଡେ ଭୋଳା ଲୋକଟା । ପୁରା ପୁରି ଭୁଲି ଯାଇଥିଲି । 

   ଫ୍ଲାଇଟ୍ ସକାଳ ସାତଟା ପନ୍ଦରରେ । ଘଣ୍ଟାରେ ଟାଇମ ସେଟ୍ କରିଦେଲି । ଆଖିରେ ଆଖିଏ ସପନ । ନିଦ ଲାଗୁନଥିଲେ ବି, ବାସ ଲାଇଟ ଲିଭେଇ ଉଭୟେ ଶୋଇଗଲୁ । ରାତି ପାଇ ସକାଳ ହେଲା । ନିଜକୁ ସମ୍ପୂର୍ଣ୍ଣ ରୁପେ ସଜେଇ ନେଲି । ସାଥୀ ସାଧନା ମୋ ପାଇଁ କି ବଢିଆ ସୁଟ କୋର୍ଟ ବରାଦ୍ କରିଦେଇଥିଲେ । ତିନି ଘଣ୍ଟା ପୂର୍ବରୁ ଉଭୟେ ରେଡ଼ି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ପହଞ୍ଚିଗଲୁ ଏୟାରପୋର୍ଟରେ । ଫ୍ଲାଇଟ୍ ବି ଅନ୍ ଟାଇମ । ରାଇଟ୍ ଟାଇମରେ ଦିଲ୍ଲୀରେ ପହଁଚି, ଫ୍ଲାଇଟରୁ ଓହ୍ଲେଇ ୱାସ୍ ରୁମକୁ ଯାଇ ନିଜକୁ ଠିକ୍ ଭାବେ ସଜେଇ ନେଲି । ଇଆରି ଭିତରେ ସାଧନା ବେଲ୍ଟରୁ ଲଗେଜ କ୍ୟାରି କରି ସାରିଥିଲେ । ବାସ୍ ଦୁହେଁ ହାତ ଧରାଧରି ହେଇ ଚାଲିଲୁ ଆଉଟ ଗେଟ୍ ଆଡ଼େ । ରିସିଭ୍ କରିବା ପାଇଁ ଅପେକ୍ଷା କରିଛନ୍ତି ସୁଟ ସାର୍ଟ ପିନ୍ଧିଥିବା ଜଣେ ଭଦ୍ରବ୍ୟକ୍ତି । ହାତରେ ପ୍ଲାକାର୍ଡ “WELCOME TO MR. PRATIK ROY.” ଆଖି ପଡିଲା ମୋର ସାଧନା ଉପରେ । ହାତ ଚିମୁଟି ଦେଇ କହିଲେ, You are my best. ଭାଗ୍ୟରେ ଥିଲେ ଏମିତି ସାଥୀଟିଏ ମିଳିଥାଏ । ହା...ହା...ହା... ହସ ଲାଗୁଥିଲେ ବି ଚାପି ଦେଇଥିଲି । କେବେ ବି ମୋ ମନ ଦୁଃଖ କରି ନାହାନ୍ତି ସେ । ଜୀବନରେ ଅନେକ ଝଡ଼ଝଞ୍ଜା ଆସିଛି । ନା ସେ କେବେ ଭାଙ୍ଗି ପଡିଛନ୍ତି, ନା ମତେ କେବେ ଭାଙ୍ଗି ପଡିବାକୁ ଦେଇଛନ୍ତି । ସବୁବେଳେ ମୋ ପାଇଁକି ଢାଲ ଭଳି ମୋ ପାଖେ ପାଖେ ରହି ଆସିଛନ୍ତି । କାରରେ ବସି ସିଧା ପହଞ୍ଚିଗଲୁ ଫଙ୍କ୍ସନ ଭେନ୍ୟୁରେ । ଆଖି ମୋର ଝଲସି ଗଲା । ଗୋଟେ ଆଞ୍ଚଳିକ ଖବର କାଗଜର ମୁଁ ଜଣେ ମାମୁଲି ସବ୍- ଏଡ଼ିଟର । ଆଜି ପହଁଚିଛି ଏମିତି ଏକ ସ୍ଥାନରେ, ଯୋଉଟା ମୁଁ ସ୍ଵପ୍ନରେ କେବେ ଭାବିନଥିଲି । କାରରୁ ଓହ୍ଲେଇ ବାସ ନିଜର ପରିଚୟକୁ ସାଉଁଟି ଚାଲିଥିଲି । ଉଙ୍କି ମାରି ଚାଲିଥିଲା ମୋର ଭାବନାର ସ୍ମୃତି । ଆଉ ନିଜକୁ ନିଜେ ପ୍ରଶ୍ନ କରିଚାଲିଥିଲି ମୁଁ କଣ ସେଇ ଲୋକ....? ଏମିତି ଅନେକ ପ୍ରଶ୍ନ ମୋରି ମନ ଭିତରେ । Welcome sir, let’s go to the room. ଚମକି ପଡ଼ିଥିଲି । ଦେଖିଲି ମୋର ଲଗେଜ ଧରି ରେଡ଼ ୟୁନିଫର୍ମ, ମୁଣ୍ଡରେ ଗ୍ରୀନ ପଗଡ଼ି ପିନ୍ଧିଥିବା ଲୋକଟି ମୋତେ ପାଛୋଟି ନେବା ପାଇଁ କି ସାବଧାନ ପୋଜିସନରେ ଠିଆ ହୋଇଛି । ମୋର ଏପରି ବୋକାମି ପଣିଆ ଦେଖି, ସାଧନା ଚିଡ଼ିକି ଲାଲ ହେଇ ଗଲେଣି । ପରିସ୍ଥିତିକୁ ହାଲକା କରି ଉଭୟେ ପହଁଚି ଗଲୁ ଆମ ପାଇଁ ରିଜର୍ଭ ଥିବା ଲକ୍ଜରି ସୁଟ୍ ଭିତରେ । ଭିତରୁ ଡୋର ଲକ୍ କରି ସାଧନା ମୋତେ ତାଗିଦ୍ କରିଥିଲେ । କହିଥିଲେ ଦେଖ, ତମେ ଆଜି ଜାତୀୟ ସ୍ତରର ସର୍ବୋତ୍ତମ ସାରସ୍ଵତ ପୁରସ୍କାର ପାଇବ । ତେଣୁ, ଏବେ ଯାହା ହଉଛ ଠିକ୍ ଅଛି, କିନ୍ତୁ ଷ୍ଟେଜ୍ ଉପରେ ଦେଖିବି ଯେମିତି ତମେ ମେଣ୍ଟେନ କରୁଛ । ମନକୁ ମନ ବହୁତ ହସିଲି । ବାଧ୍ୟ ଶିଶୁଟିଏ ପରି କହିଲି, yes my love, I will……….. ଡାଇନିଙ୍ଗ ହଲକୁ ଯିବାକୁ ଇଚ୍ଛା ଥିଲେ ବି, ସମୟ କମ୍ ଥିବାରୁ ସାଧନାଙ୍କ ଡରରେ ଅଗତ୍ୟା ଆମ ଦୁହିଁଙ୍କୁ ରୁମ ଭିତରେ ହିଁ ଲଞ୍ଚ କରିବାକୁ ପଡିଥିଲା । ସାଧନାଙ୍କ ଡର ଥିଲା କାଳେ ସେଠି ଯାଇ, ମୁଁ ପୁଣି ବାୟାଙ୍କ ଭଳିଆ ମୋ ଭାବନା ଭିତରେ ବୁଡିଯିବି ବୋଧହୁଏ । ଗୋଡ଼େ ଗୋଡ଼େ ସେ ଜଗିଥାନ୍ତି । ଶୀଘ୍ର ଲଞ୍ଚ କରି ସାଧନାଙ୍କ କହିବା ଅନୁଯାୟୀ ଇଚ୍ଛା ନଥିଲେ ବି ବେଡ ଉପରେ ଗଡପଡ ହେଲି । ଠିକ ଦିଇଟା ଆଗରୁ ସାଥିର ବରାଦ ଅନୁଯାୟୀ ନିଜକୁ ସଜେଇ ନେଲି । ବଡ କଷ୍ଟ ବେକରେ ଟାଏ ବାନ୍ଧିବା । ତାଙ୍କର କିନ୍ତୁ ଜିଦ୍ Tie is must. ନିଜେ ମୋ ବେକରେ ପିନ୍ଧେଇ ଦେଲେ । କେବେ ତ ଚିଡେନି, କିନ୍ତୁ ମନେ ମନେ ସେ ଦିନ ଭାରି ଚିଡ଼ି ଲାଗୁଥିଲା । ଖୋଲା ମିଂଜାସର ଲୋକଟାକୁ ପୁରା କଣ୍ଢେଇ ବନେଇ ସାରିଲେଣି । ସାଥୀଟିଏ ହେଇ ହାତ ମୋର ଧରିବା ଦିନରୁ, କେବେ ବି ମୁଁ ତାଙ୍କୁ ଟାଣ କରି କହିନି। କାରଣ ମୁଁ ଦେଖିଛି ତାଙ୍କ ଭିତରେ ମୋ ଜୀବନକୁ । ସେଦିନ ଦେଖିଛି, ଆଉ ଆଜିବି ଦେଖୁଛି । ହୁଏତ ଆଜି ମୁଁ ଏଠି ବୋଧହୁଏ ପହଁଚି ପାରିନଥାନ୍ତି, ଯଦି ଆଜି ସାଧନା ମୋ ଜୀବନରେ ଆସି ନଥାନ୍ତେ । ମୁଁ ତାଙ୍କ ପାଇଁ ସୁରକ୍ଷାର ଢାଲ ହେଲେ, ସେ ମୋର ଚଲା ପଥର ସାଥି, ମୋ ଜୀବନର ପ୍ରେରଣା । କେଡ଼େ ପାଗଳ ଲୋକଟା ମୁଁ ? ବେକରେ ଟାଏ ଭିଡିବା ଭିତରେ ସାଥିର ମୁହଁକୁ ବାସ୍ ଚାହିଁ ମୁଁ ଏମିତି ଭାବି ଚାଲିଛି । କଲିଂ ବେଲ ସାଉଣ୍ଡ ଶୁଣି ମୁଁ ପ୍ରକୃତିସ୍ଥ ହେଇଗଲି । ସାଧନା କବାଟ ଖୋଲିଲେ । ମୋତେ ପାଛୋଟି ନେବା ପାଇଁ ଆୟୋଜକଙ୍କ ତରଫରୁ ଜଣେ ଭଦ୍ର ବ୍ୟକ୍ତି ଆସିଛନ୍ତି । ସାଥି ହୋଇ ଚାଲିଲୁ କନଭେନସନ୍ ହଲ ଆଡ଼େ । ସାଧନା ବି ସାଥିରେ । ରେଡ଼ କାର୍ପେଟ ଉପରେ ଆୟୋଜକ ବନ୍ଧୁମାନେ ମତେ ପାଛୋଟି ନେଲେ ମୋ ପାଇଁ ଉଦ୍ଦିଷ୍ଟ ଥିବା ଚେୟାର ନିକଟକୁ । ସାଧନା ଆଉ ମୁଁ ଷ୍ଟେଜର ସମ୍ମୁଖ ଭାଗରେ ବସିଲୁ । ଭି.ଆଇ.ପି. ଗେଷ୍ଟସ୍-ଙ୍କ ଗହଣରେ ମୋତେ ଅଡୁଆ ଅଡୁଆ ଲାଗୁଥିଲେ ବି, ସାଥିର କଡ଼ା ନଜର । ବାସ୍ ମୁଁ ଭି.ଆଇ.ପି. ଭଳି ବସିବାକୁ ବାଧ୍ୟ ହୋଇଥିଲି । ରାଇଟ୍ ଟାଇମରେ ସଭା କାର୍ଯ୍ୟ ଆରମ୍ଭ ହେଲା । ବରେଣ୍ୟ ଅତିଥିମାନେ ମଞ୍ଚ ଉପରକୁ ଆସିଲେ । 

   କାର୍ଯ୍ୟସୂଚୀ ଅନୁଯାୟୀ ସଭା କାର୍ଯ୍ୟ ଆରମ୍ଭ ହେଲା । ସମ୍ବର୍ଦ୍ଧନା ଉତ୍ସବର ଶେଷ ପର୍ବ । ନିଜର ଭାବନାକୁ ଆଉ ଅନୁଭୂତିକୁ ନେଇ ଲେଖିବାର କିମ୍ବା କୌଣସି ବ୍ୟକ୍ତି ବିଶେଷ ସହିତ ପ୍ରତ୍ଯେକ୍ଷ ବାର୍ତ୍ତାଳପର ସଂଯୋଜନା କଳାରେ ମୁଁ ଥିଲି ସିଦ୍ଧ ହସ୍ତ । କିନ୍ତୁ ମଞ୍ଚ ଉପରେ ଭାଷଣ ଦେଲା ବେଳେ, କେଜାଣି କାହିଁକି ଝୁଣ୍ଟି ପଡ଼ିଥାଏ । ବହୁତ ଆଶଙ୍କା ଭିତରେ ଥାଏ । ପୁରସ୍କାର ଗ୍ରହଣ ପରେ ନିଶ୍ଚୟ ମତେ କିଛି କହିବାକୁ ପଡ଼ିବ । ସେଥିପାଇଁ ସାଥିର କହିବା ମୁତାବକ ବାରମ୍ବାର ନିଜକୁ ମନେମନେ ପ୍ରସ୍ତୁତ କରି ନେଉଥିଲି । ମଞ୍ଚ ଉପରକୁ ଆୟୋଜକ ମାନେ ମତେ ପାଛୋଟି ନେଲେ । ଆଙ୍କରିଙ୍ଗ କରୁଥିବା ବ୍ୟକ୍ତି ଜଣକ ହିନ୍ଦୀ ଭାଷାରେ ମୋ ବିଷୟରେ ଅନର୍ଗଳ କହି ଚାଲିଥାନ୍ତି । ବହୁତ ଖୁସି ଲାଗୁଥାଏ । ତାଳି ମାଡ଼ରେ ହଲ୍ ଉଠୁଥାଏ ପଡ଼ୁଥାଏ । ଭି.ଆଇ.ପି. ଗ୍ୟାଲେରୀରେ ବସି ସାଥି ଆଖିରେ ମୁଁ ଦେଖି ଚାଲିଥିଲି ସତେ ଯେମିତି ତା’ର ସ୍ଵପ୍ନ ଆଜି ସାକାର ହେଇଛି । କିନ୍ତୁ ଏ କଣ !!! ସାଧନାର ପାଖରେ ପଡ଼ିଥିବା ଚେୟାର ଉପରେ ତ ମୁଁ ବସିଥିଲି । ମୁଁ ମଞ୍ଚ ଉପରକୁ ଆସିଲା ପରେ ସେ ଚେୟାରଟି ତ ଖାଲିଥିଲା । ହେଲେ ଏବେ ଏ ଚେୟାରରେ ବସିଥିବା ଲୋକଟି ??? ପୁରା ଝାପସା ଝାପସା ଲାଗୁଥାଏ । ବହୁତ ଖୁସି ଲାଗୁଥାଏ ଲୋକଟି । ତାଳି ବି ମାରି ଚାଲିଥାଏ । ଧିରେ ଧିରେ ଲୋକଟିର ମୁହଁ ପରିଷ୍କାର ଦେଖାଗଲା । ମୁଁ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲି । ଏ ତ ମୋର ବନ୍ଧୁ ନିଳୟ ସାମନ୍ତସିଂହାର । କିନ୍ତୁ !!! ସେ ତ..... ??? ସେତେବେଳକୁ ମୋ ଦେହରୁ ପୁରା ଝାଳ ବାହାରି ସାରିଲେଣି । ମୋର ଏ ବନ୍ଧୁଙ୍କର ତ ??? ଓହୋ କଣ ଏମିତି ମୁଁ ଭାବି ଚାଲିଛି ଯେ..... ଆଖିକି ରୁମାଲରେ ପୋଛି ପୁଣି ଭଲ କରି ନିରୀକ୍ଷଣ କଲି...... ନା ଠିକ୍ ତ ...... ଏ ତ ମୋର ବନ୍ଧୁ ନିଳୟ ସାମନ୍ତସିଂହାର । କିନ୍ତୁ ତାଙ୍କର ତ ମଇ ଏକ ତାରିଖରେ.......!!! ଏମିତି ଭାବୁ ଭାବୁ ମୁଁ ମୋ ଅଜାଣତରେ ହଜି ଯାଇଥିଲି ମୋ ସ୍ମୃତିର ସାଗର ଭିତରେ । ଭାବି ଚାଲିଲି ଜୀବନର ପ୍ରଥମ ସାରସ୍ଵତ ସନ୍ଦର୍ଭ, ତାହା ପୁଣି ମୋର ଏଇ ବନ୍ଧୁଙ୍କର ସାମୟିକ ଜୀବନ ଧାରାକୁ ନେଇ ପରିସଂଶ୍ଲିଷ୍ଟ । ମୋର ସେ ସନ୍ଦର୍ଭଟି ଯେ ଅସମ୍ପୂର୍ଣ୍ଣ, ତାହା କେବଳ ମୁଁ ହିଁ ଜାଣିଛି । କିନ୍ତୁ ମୋର ସେଇ ସନ୍ଦର୍ଭଟି ପାଇଁ ମୁଁ ଆଜି ପାଇବାକୁ ଯାଉଛି ଶ୍ରେଷ୍ଠ ସାରସ୍ଵତ ସମ୍ମାନ......!!! ନିଳୟ ସାମନ୍ତସିଂହାର...... ଦଶ ବର୍ଷ ତଳେ ଭିନ୍ନ ଏକ ଘଟଣାକ୍ରମରେ ସାକ୍ଷାତ୍ ଆଉ ପରେ ପରେ ସମ୍ପର୍କର ଡୋରିରେ ବାନ୍ଧି ହେଇ ଯାଇଥିଲୁ ଦୁଇ ବନ୍ଧୁ । ଖାଲି ବନ୍ଧୁ ନଥିଲେ ସେ, ସେ ଥିଲେ ମୋ ପାଇଁ ଦୀଗଦର୍ଶକ, ପ୍ରେରଣା ଆଉ ମୋ ସାରସ୍ଵତ ଜୀବନରେ ଏକ ଚିରନ୍ତନ ଆଦର୍ଶ । ମନର ଦର୍ପଣରେ ବାସ୍ ମୁଁ ଦେଖି ଚାଲିଥିଲି ସେ ଦିନର ହଜି ଯାଇଥିବା ସ୍ମୃତି ରାଜିକୁ.........   

ସେଦିନ ପ୍ରେସରୁ ଫେରିଲା ବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା । ଗୋଟେ ଦ୍ଵନ୍ଦ୍ୱାତ୍ମକ ଘଟଣାକୁ ନେଇ ଭଲ ଷ୍ଟୋରିଟିଏ କରିବା ପାଇଁ କି ଚିଫ୍ ଏଡ଼ିଟର ମତେ ଦାୟିତ୍ଵ ଦେଇଥିଲେ । କେମିତିକା ଲୋକ ସେ କେଜାଣି ? ପ୍ରେସରେ ଏ ସବୁକୁ କରିବା ପାଇଁ କି, ଅନେକ ଅଭିଜ୍ଞତାପୂର୍ଣ୍ଣ ଏଡ଼ିଟରମାନେ ଥିଲେ ବି, ଯେତେବେଳେ ଗୋଟେ କମ୍ପ୍ଲିକେଟେଡ଼ ଘଟଣାକୁ ନେଇ ଷ୍ଟୋରି କରିବାକୁ ପଡିବ, ସାରଙ୍କର ଏକା ଜିଦ୍, ପ୍ରତୀକ୍ ତମକୁ ଏ ଦାୟିତ୍ଵଟି ନିଭେଇବାକୁ ପଡିବ । ଆଉ ମୁଁ ବି ଏମିତି ଗୋଟେ ଲୋକ, ସାରଙ୍କୁ କେବେବି ନା କରିପାରେନି । କାଲି କିନ୍ତୁ ମୋ ଅନିଛା ସତ୍ବେ ସାରଙ୍କୁ ନା କହିବାକୁ ବାଧ୍ୟ ହେଇଥିଲି । କାରଣ ସକାଳୁ ସକାଳୁ ମୋର ଜଣେ ବନ୍ଧୁଙ୍କର ସାକ୍ଷାତକାର ନେବା ପାଇଁ କି, ତାଙ୍କୁ ମୁଁ ସମୟ ଦେଇ ସାରିଥିଲି । ସେ ବନ୍ଧୁଟି ମୋର ବି ଗୋଟେ ଅଜବ ମଣିଷ । ତାଙ୍କର ଏକାଜିଦ, “ଦେଖ ପ୍ରତୀକ ଏମିତି ଏକ ସମୟରେ ମୋର ଇଣ୍ଟରଭିୟୁ ନେବାକୁ ତମେ ମତେ ବାଧ୍ୟ କରୁଛ, ମୋର ଇଚ୍ଛା ନଥିଲେ ବି, ମୁଁ ତୁମକୁ ହଁ କହିବାକୁ ବାଧ୍ୟ ହେଉଛି । କିନ୍ତୁ ସୂର୍ଯ୍ୟାଦୋୟ ପୂର୍ବରୁ ତମେ ଆସି ଯଦି ମୋର ଇଣ୍ଟରଭିୟୁ ନେଇ ପାରିବ, ତେବେ ମୁଁ ରାଜି” । ଅପ୍ରେଲ ୩୦ରେ ତାଙ୍କର ଚାକିରିରୁ ଅବସର । ମେ ୧ ରେ ସାକ୍ଷାତକାର । ବାସ ଏତିକି । କିନ୍ତୁ ସୂର୍ଯ୍ୟାଦୋୟ ପୂର୍ବରୁ ??? କଥାଟା ମତେ ଆଦୌ ହଜମ ନହେଉଥିଲେ ବି, ମୁଁ ତାଙ୍କ କଥାରେ ରାଜି ହୋଇଥିଲି । କାରଣ ତାଙ୍କ ମୁହଁରୁ ହଁ ପଦଟି ଶୁଣିବାକୁ ମୋତେ ଦଶବର୍ଷ ଲାଗିଥିଲା । ଏପଟେ କିନ୍ତୁ ମୋ ଚିଫ୍ ଏଡ଼ିଟର ମହୋଦୟ ଏକ ଅଜବ ମିଂଜାସର ଲୋକ । ପ୍ରେସ କାମ ପାଇଁକି ସେ ନିଜର ସହଧର୍ମିଣୀଙ୍କୁ ବି ଅଣଦେଖା କରିଥାନ୍ତି । ଡିଉଟି ଇଜ୍ ଗଡ । ବାସ୍ ଏହି ଚିନ୍ତାରେ ଗଢା ସେ ମଣିଷଟି । ଆଉ ମୋ କଥାକୁ ପୁଣି ସେ ଶୁଣିବେ !!! ଅଗତ୍ୟା ଅନଦ୍ଯୋପାୟ ହୋଇ, ମୋତେ ହିଁ ସେ ଘଟଣାଟିକୁ ନେଇ ଷ୍ଟୋରି କରିବାକୁ ପଡିଥିଲା । ବାସ୍ ଡ୍ରାଫ୍ଟ କାହାଣୀଟିକୁ ଚିଫ ଏଡ଼ିଟରଙ୍କ ଟେବୁଲକୁ ପଠେଇ ଫେରିଲା ବେଳକୁ ରାତି ୧୨ ଘଟିକା ୪୫ ମିନିଟ ହେଇ ସାରିଥିଲା । ଏପଟେ ସାଥି ମୋର ଉଭୟଙ୍କର ରାତ୍ରି ଭୋଜନକୁ ଡାଇନିଂ ଟେବୁଲ ଉପରେ ରଖି, ସେଇଠି ଶୋଇ ପଡ଼ିଥିଲେ । ଭଲ ମଣିଷଟିଏ କେବେବି, କି କୌଣସି କଥାରେ ସେ ମତେ ବିରୋଧ କରନ୍ତିନି । ବାସ୍ ଘରେ ପହଞ୍ଚି ଉଭୟେ ଖାଇ ନେଲୁ । ଶୋଇବା ପୂର୍ବରୁ ସାଢେ ଚାରିଟାରେ ଆଲାରାମ୍ ସେଟ କରି ମୁଁ ଶୋଇ ଯାଇଥିଲି । କାଲିର ଆପଏଣ୍ଟମେଣ୍ଟ କଥା କିନ୍ତୁ ମୁଁ ମୋ ସାଥିକୁ କହି ନଥିଲି । ସେ ବା କେମିତି ଜାଣିବେ । ଦିନସାରା କର୍ମଜଞ୍ଜାଳ ଭିତରେ କ୍ଳାନ୍ତ ହୋଇ ମୁଁ ଶୋଇ ଯାଇଥିଲି । ଆଲାରାମ ବାଜିକି ତାର ରହିଯାଇଛି । ଉଠି ଦେଖିଲା ବେଳକୁ ବାପରେ ସମୟ ଅଲରେଡି ସାତଟା ପନ୍ଦର । ସୂର୍ଯ୍ୟ ତ କେତେବେଳୁ ଉଦୟ ହୋଇସାରିଲେଣି । ବିଛଣାରୁ ସିଧା ଉଠିଲି । ମୁଁହରେ ପାଣିଟିକେ ମାରିଲି । ଟ୍ରାଉଜର ପାଇଜାମା ପିନ୍ଧିଥାଏ । ତେଣୁ ଆଉ କିଛି ପିନ୍ଧିବା ଆବଶ୍ୟକ ମନେ କରିଲିନି । ଟେବୁଲ ଉପରୁ ଚାବି ଧରି ସିଧା ଚାଲିଲି କାର ପାଖକୁ । ସାତଟା ପନ୍ଦରରେ ଉଠିଲି । ସାତଟା କୋଡ଼ିଏରେ ଗାଡି ଷ୍ଟାର୍ଟ କଲି । ମୋ ଘର ପାଖରୁ ବନ୍ଧୁଙ୍କର ଘର ମୋଟେ ଛଅ କିଲୋମିଟର । ସାତଟା ତିରିଶରେ ତାଙ୍କ ଘର ପାଖରେ ପହଞ୍ଚିଯାଇଥିଲି । କିନ୍ତୁ ଏ କଣ !! ତାଙ୍କ ଘର ସାମ୍ନାରେ ଏତେ ଭିଡ଼ କଣ ପାଇଁ କି ? ଗାଡ଼ିର କାଚ ଟିକେ ଡାଉନ କଲି । ଯେହେତୁ ଟିକେ ଦୁରରେ ମୁଁ ଥିଲି, କିଛି ସ୍ପଷ୍ଟ ଶୁଣି ପାରୁନଥିଲି । କିନ୍ତୁ ମନଟା ମୋର ବହୁତ ଭାରିଭାରି ଲାଗୁଥିଲା । ଇଆଡୁ ସିଆଡୁ କଥା ଚାହୁଁନଥିଲେ ବି ମନକୁ ମନ ମୁଣ୍ଡ ଭିତରକୁ ଆସିଯାଉ ଥିଲା । ନିଜକୁ ନିଜେ ବହୁତ ରାଗୁଥିଲି । ଚିଡ଼ିକି ନିଜକୁ ମନ ଭିତରେ ବହୁତ ଗାଳି ଦେଇଥିଲି । କେଡ଼େ ଫାଲତୁ ଲୋକଟା ମୁଁ ? ସକାଳୁ ସକାଳୁ ଏମିତି କଣ ପାଇଁ କି ଭାବୁଛି ? କଣ ପାଇଁ କି ଏମିତି ଭାବନା ମନକୁ ଆସୁଛି ? ଗାଡିଟିକୁ ବ୍ୟାକ କରି ପାର୍କିଂ କଲି । ଆଉ ମୁଣ୍ଡ ଭିତରେ ଅନେକଗୁଡିଏ ପ୍ରଶ୍ନ ଆଉ ଆଶଙ୍କାକୁ ନେଇ ମୋ ବନ୍ଧୁଙ୍କର ଘର ଆଡକୁ ଚାଲିଲି । ବନ୍ଧୁଙ୍କର ଘର ପାଖରୁ କିଛି ଲୋକ ଫେରୁଥିଲେ । ସମସ୍ତଙ୍କର ମୁଁହ ମଳିନ ପଡିଯାଇଥାଏ । କିଛି ଲୋକ ତାଙ୍କ ଆଖିରୁ ଲୁହ ପୋଛି ପୋଛି ଆସୁଥାନ୍ତି । ମନ ଭିତରର ଆଶଙ୍କା ମୋର ବଢି ବଢି ଚାଲିଥାଏ । ଧିରେ ଧିରେ ପହଁଚି ଯାଇଥିଲି ତାଙ୍କ ଘର ପାଖରେ । ଲୋକଙ୍କର ଭିଡ଼କୁ ଏଡ଼େଇ ମୁଁ ତାଙ୍କ ଗେଟ ପାଖରେ ପହଁଚିଗଲି । ଏ କଣ ! ପାଦ ତଳୁ ଯେମିତି ମୋର ମାଟି ଖସି ଖସି ଚାଲିଥିଲା । ବନ୍ଧୁଙ୍କର ପୁରା ଶରୀର ଧଳା ଲୁଗାରେ ଘୋଡ଼ା ହେଇଛି । ପାଖରେ ସ୍ତ୍ରୀ ସୁନନ୍ଦା ଭାଉଜ । ହସ ଖୁସିର ମଣିଷଟା ଯେମିତି ପୁରା ପଥର ପାଲଟି ଯାଇଛନ୍ତି । ସବୁବେଳେ ବିଳମ୍ବରେ ଶଯ୍ୟା ତ୍ୟାଗ କରୁଥିବା ମଣିଷଟା କେଜାଣି କାହିଁକି ସେଦିନ ଆକାଶରେ ସୁନ୍ଦରା ଫାଟିବା ପୂର୍ବରୁ ଉଠି ଯାଇଥିଲେ । ସକାଳର ନିତ୍ୟକର୍ମ ସାରି ସୁନନ୍ଦା ଭାଉଜଙ୍କ ସହିତ ହସ ଖୁସିରେ ସବୁକଥା ଶେୟାର କରିଥିଲେ । ପାଣି ପିଇବାକୁ ମାଗିଥିଲେ । ସୁନନ୍ଦା ଭାଉଜ ପାଣି ଆଣି ଦେଖନ୍ତି ତ ସବୁକିଛି ଶେଷ !! ଯୋଉଠି ବସିଥିଲେ, ସେଇଠି ଶୋଇ ଯାଇଥିଲେ । ଜୀବନରେ କେବେ ହାରି ଯାଇ ନଥିବା ମଣିଷଟିକୁ, ବାସ୍ ମୁଁ ସେଦିନ ଦେଖି ଚାଲିଥିଲି, ଆଉ ମନକୁ ମନ ପଚାରି ଚାଲିଥିଲି, ଏ କଣ ସେଇ ମଣିଷ; ଯେ ସବୁବେଳେ ହସୁଥାଏ, ଅନ୍ୟକୁ ସାହାଯ୍ୟ କରିବାର ହାତ ସବୁବେଳେ ବଢେଇ ଦେଇଥାଏ, ଅନ୍ୟର ବିପଦ ସମୟରେ ନିଜେ ଆଗରେ ଠିଆ ହୋଇଥାଏ ? ଦିନ ବାର ମୋର ଠିକ୍ ସେ ମନେ ପଡୁନି । ତାଙ୍କ ସହିତ ଭେଟ ମୋର ହେଇଥିଲା ଠିକ୍ ଦଶ ବର୍ଷ ତଳେ । ପୁଣି ତାଙ୍କ ଆଖଡ଼ା ଶାଳରେ । ମଞ୍ଚ ନାଟକକୁ ନେଇ ବଞ୍ଚୁ ଥିବା ମଣିଷଟି ସେ । ନାଟକ ପାଇଁ ପାଗଳ ମଣିଷଟା । ନାଟକ ଲେଖନ୍ତି, ନିର୍ଦ୍ଦେଶନା ଦିଅନ୍ତି ଆଉ ଅଭିନୟ ବି କରନ୍ତି । ଆଖଡ଼ା ଶାଳରେ ତାଙ୍କୁ ଯିଏ ଦେଖିଥିବ, ଭାବୁଥିବ ଏମିତି ବି ଲୋକ ଏ ଦୁନିଆରେ ଅଛନ୍ତି । ନାଟକ ଭିତରେ ସେ ଏମିତି ବୁଡ଼ି ଯାଇଥାନ୍ତି, ଅନ୍ୟ ସାଙ୍ଗସାଥି ସେଠି ପହଁଚି ଫେରିଆସିବେଣୀ, ସେ କିନ୍ତୁ ଜାଣି ନଥିବେ । କାହାର ଆଦର୍ଶରେ ନା ସେ ହୋଇଥାନ୍ତି ଅନୁପ୍ରାଣିତ, ନା କାହାର ଚିନ୍ତାଧାରାକୁ ନେଇ ସେ ପରିକଳ୍ପନା କରିଥାନ୍ତି ତାଙ୍କର ନାଟକ ଭିନ୍ନ । ଏକ ଉପାଦାନରେ ଗଢା ସେ ମଣିଷ । ସ୍ଥିତପ୍ରଜ୍ଞ ମଣିଷଟିଏ । ଭିନ୍ନ ଭିନ୍ନ ଲୋକଙ୍କ ପାଖରୁ ଶୁଣି ଥିଲି ତାଙ୍କ ବିଷୟରେ । ମନରେ କୌତୂହଳ ଆସିଥିଲା ତାଙ୍କ ବିଷୟରେ ଜାଣିବା ପାଇଁକି । ଏମିତି ଏକ ଭାବନା ନେଇ ପହଁଚିଥିଲି ସେଦିନ ତାଙ୍କ ଆଖଡ଼ା ଶାଳରେ । ପ୍ରଥମେ ପ୍ରଥମେ ସେ ମୋତେ ପୁରାପୁରି ଅଣଦେଖା କରିଚାଲିଥିଲେ । ମୁଁ କୋଉ ଛାଡିବା ଲୋକ । ତାଙ୍କ ପରି ମୁଁ ବି ଭାରି ଜିଦ୍ ଖୋର ଥିଲି । ଧିରେ ଧିରେ ମନକୁ ମନ ମିସିଲା । ସମୟ ଗଡ଼ି ଚାଲିଲା । ସମ୍ପର୍କ ନିବିଡ଼ ହୋଇ ଚାଲିଲା । ଥିଏଟରରେ ରୁଚି ନଥିଲେ ବି, ଭାରତର ବିଭିନ୍ନ ସହରକୁ ଥିଏଟର କରିବା ପାଇଁ କି ତାଙ୍କ ସହିତ ଗଲି । ସମ୍ପର୍କ ଏତେ ନିବିଡ଼ ହୋଇ ସାରିଥିଲେ ବି, ସେ ମୋର କୌଣସି କଥାକୁ ଗ୍ରହଣ କରିନଥାନ୍ତି । ହସି ହସି ଉଡ଼େଇ ଦିଅନ୍ତି । ସବୁବେଳେ କୁହନ୍ତି “ଆରେ ପ୍ରତୀକ୍ ମୋ ଭାବନା ଭିତରେ ମତେ ବଞ୍ଚିବାକୁ ଦିଅ । ମୋ ସ୍ମୃତିକୁ ନେଇ ମୋତେ ବଞ୍ଚିବାକୁଦିଅ ।”

ସେଦିନ କିନ୍ତୁ ମୋ ଜିଦ୍ ଆଗରେ ସେ ଯେମିତି ହାର ମାନି ଯାଇଥିଲେ । ଏଇ ସମୟକୁ ଅପେକ୍ଷା କରିବାକୁ ମତେ ପଡ଼ିଥିଲା ଦୀର୍ଘ ଦଶବର୍ଷ । ମୁଁ ଯେତେବେଳେ କହିଥିଲି ଭାଇ, ମୁଁ ଆଜି ତମର ଗୋଟେ ସାକ୍ଷାତକାର ନେବି ଆଉ ତାକୁ ଆସନ୍ତାକାଲି ଆମ ପେପରରେ ଗୋଟେ ଭଲ ଷ୍ଟୋରିଟିଏ କରି ବାହାର କରିବି । ମୁଖମଣ୍ଡଳ ତାଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇ ଯାଇଥିଲେ ବି, ମତେ ଲାଗୁଥିଲା କି, ଜୀବନରେ ପ୍ରଥମ ଥର ପାଇଁ ବୋଧହୁଏ ସେ ନିଜର ନିଷ୍ପତି ସହିତ ସାଲିସ୍ କରିବାକୁ ଯାଉଛନ୍ତି । ଏକା ନିଶ୍ଵାସରେ ବାସ୍ ସେ କହି ଚାଲିଥିଲେ ନିଜ ବିଷୟରେ କିଛି ଅକୁହା କଥା.......

“ନା ମୋ ମନରେ କେବେ ଆସିଛି କି, ମୋ କଥା କାହାକୁ କହିବା ପାଇଁ କି, ନା ମୋ ବିଷୟରେ ଜାଣିବା ପାଇଁ କି ମୁଁ ଅନୁଭବ କରିଛି କାହା ମନରେ ଜିଜ୍ଞାସା ରହିଛି । ମଣିଷଟିଏ ମୁଁ । ମଣିଷ ଭଳି ବଞ୍ଚିବା ପାଇଁ କି, ସବୁବେଳେ ଚେଷ୍ଟା କରିଆସିଛି । ତା ମାନେ ନୁହଁ, ମୁଁ ମୋ ଜୀବନ କାଳରେ କେବେ କିଛି ଭୁଲ କରିନି । ମଣିଷଟିଏ ଯେତେବେଳେ, ଦୈନ ଦିନ କାର୍ଯ୍ୟ ଭିତରେ କେବେ ନା କୋଉଠି ଭୁଲ ତ ନିଶ୍ଚୟ କରିଥିବି । କିନ୍ତୁ ମୁଁ ଥାଏ ସବୁବେଳେ ସ୍ଥିତପ୍ରଜ୍ଞ। ମଣିଷ ଜନ୍ମ ନେଇଛି । ମଣିଷ ଭଳି ବଞ୍ଚିବା ପାଇଁ କି ମନରେ ଲୋଭ ମୋହ ଆସିବା ସ୍ଵାଭାବିକ । ବେଳେବେଳେ ମିଛ ବି କହିବାକୁ ପଡିଛି । କିନ୍ତୁ, ଏମିତି କିଛି ମୁଁ ଭୁଲ କରିନି କିମ୍ବା ମିଛ କହିନି, ଯୋଉ ଭୁଲ ଯୋଗୁଁ, ଅନ୍ୟର ମନରେ କଷ୍ଟ ଆସିଛି କିମ୍ବା ତାର କିଛି କ୍ଷତି ହେଇଛି । ଦୁଃଖରେ କେବେ ମୁଁ ଭାଙ୍ଗି ପଡ଼େନି, କି ସୁଖରେ ଅଧିର ହୋଇ ଯାଏନି । ନିଜର ଚିନ୍ତାଧାରା ଅଥବା ନିଷ୍ପତି ସହିତ କେବେ ବି ସାଲିସ୍ କରିନି । ନିଜ ବଂଶର ଆଦର୍ଶ ଆଉ ପରମ୍ପରାକୁ ନେଇ ସ୍ୱାଭିମାନୀ ମଣିଷଟିଏ ଭଳି ବଞ୍ଚିରହିବାକୁ ଚେଷ୍ଟା କରିଆସିଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ଆରାଧ୍ୟ ଦେବତା ଭାବି ବାସ୍ ମୁଁ ମୋର କର୍ମ କରିଚାଲିଛି ।“ 

କନଭେନସନ୍ ହଲରେ ତାଳି ମାଡର ପ୍ରତିଧ୍ବନୀରେ ମୁଁ ପ୍ରକୃତିସ୍ଥ ହୋଇ ଯାଇଥିଲି । ଆଉ ଉଚ୍ଛସ୍ଵିତ ତାଳିର ସ୍ଵାଗତରେ ମୁଁ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲି ମୋର ସାରସ୍ଵତ ସମ୍ମାନ । ପୁରା ହଲ୍ ନିସ୍ତବ୍ଧ ଥିଲା ବେଳେ, ବନ୍ଧୁ ନିଳୟ ସାମନ୍ତସିଂହାର ମୋ ଚେୟାରରେ ବସି ସେମିତି ତାଳି ମାରି ଚାଲିଥାନ୍ତି । ସବୁକିଛି ବାସ୍ତବତାକୁ ମୁଁ ଜାଣି ପାରୁଥିଲେ ବି, ମଞ୍ଚ ଉପରୁ ମୋର ସେଇ ବନ୍ଧୁଙ୍କର ଆଶୀର୍ବାଦ ନେବା ପାଇଁ ଦୌଡ଼ି ଯାଇଥିଲି ତାଙ୍କ ପାଖକୁ । ସାଧନା ଚିତ୍କାର କରିଥିଲେ ଆରେ ଆରେ ଏମିତି ଦୌଡୁଛ କଣ ପାଇଁ କି ? ପାହାଚ ଉପରେ ଗୋଡ଼ ଖସି ଯିବ ଯେ.....? ମୁଁ ପ୍ରକୃତିସ୍ଥ ହୋଇଥିଲି ଆଉ ଦେଖିଲି ସାଧନା ମୋ ହାତରୁ ଉପଢୌକନକୁ ତୋଳି ଧରୁଛନ୍ତି । ମୁଁ ବସିଥିବା ଚେୟାର ଖାଲି...... ଚିତ୍କାର କରି ଡାକିବି ବୋଲି ଚାହୁଁଥିଲି । କିନ୍ତୁ ନିଜକୁ ନିୟନ୍ତ୍ରଣ କରିନେଲି....... ଭାବିଲି ବୋଧ ହୁଏ ଏହା ମୋର ଥିଲା ଭ୍ରମ...... କାରଣ ମୁଁ ଜାଣିଥିଲି ସତ୍ୟ କଣ । ବାସ୍ତବ ସତ୍ୟକୁ ମୁଁ ଜାଣୁଥିଲେ ବି, ନିଜ ମନକୁ ମୁଁ ବୁଝାଇ ପାରୁ ନଥାଏ....... ମୁଁ ପ୍ରତ୍ୟକ୍ଷଭାବେ ଦେଖିଥିଲିକି ବନ୍ଧୁ ନିଳୟ ସାମନ୍ତସିଂହାର ମୋର ସେଇ ଚେୟାର ଉପରେ ବସିଥିଲେ । ସେଇଠି ଠିଆ ହୋଇ ଯୋଡ଼ ହସ୍ତରେ ଶୂନ୍ୟକୁ ଚାହିଁ ମୁଁ ତାଙ୍କୁ ପ୍ରଣାମ କରିଥିଲି ।

ଅନେକ ଦିନ ହେବ ସାଧନା ଆଉ ମୁଁ ଏକାଠି ଦିଲ୍ଲୀ ଆସିନଥିଲୁ । ଆସିବାକୁ ଚାହିଁଥିଲେବି ବିଭିନ୍ନ କାମଧନ୍ଦାର ବ୍ୟସ୍ତତା ଯୋଗୁଁ, ଏମିତିକି ଦୁଇଥର ଟିକେଟ କ୍ୟାନସଲ କରିଛୁ । ଏଥରକ କିନ୍ତୁ ସାଧନାଙ୍କର ଇଚ୍ଛା ଥିଲା ବେଶି ଦିନ ନହେଲେ ବି ଗୋଟେଦିନ ରହି ମାର୍କେଟିଂଗ କରିବାକୁ । ରହିବାକୁ ଇଚ୍ଛା ଥିଲେବି ବନ୍ଧୁ ନିଳୟ ସାମନ୍ତସିଂହାରଙ୍କ କନଭେନସନ ହଲରେ ଉପସ୍ଥିତି ମୋ ମୁଣ୍ଡଟାକୁ ଭାରି କରିଦେଇଥିଲା । ଅଗତ୍ୟା ସାଧନାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ସେଇଦିନ ସନ୍ଧ୍ୟା ଫ୍ଲାଇଟରେ ଘରକୁ ଫେରିବାକୁ ବାଧ୍ୟହୋଇଥିଲି । ସେଦିନ ରାତି ସାରା ଆଦୌ ଶୋଇ ପାରିନଥିଲି । କନଭେନସନ ହଲର ଦୃଶ୍ୟ ମୋ ମନକୁ ଭ୍ରମିତ କରିଚାଲିଥିଲା ।  

ସତରେ ନିଳୟ ଭାଇ, ତମ ଜୀବନର ଆଦର୍ଶ ଆଉ କର୍ମଧାରାକୁ ନେଇ ମୁଁ ଲେଖିଥିବା ସନ୍ଦର୍ଭଟି ଆଜି ଜାତୀୟ ସ୍ତରରେ ଶ୍ରେଷ୍ଠ ସାରସ୍ଵତ ସମ୍ମାନ ପାଇଛି ସତ । କିନ୍ତୁ ମୁଁ ଜାଣିଛି ସତ୍ୟ କଣ ? ତମେ ବି ସେଦିନ ମୋ ଚେୟାରରେ ବସି ମୁରୁକି ମୁରୁକି ହସୁଥିଲ । କେହି ନଜାଣିଲେ ବି, ମୁଁ ଜାଣିଛି ତାହା ଏକ ଅସମ୍ପୂର୍ଣ୍ଣ କଥାସ୍ମୃତି । ଆଜି ବି ମୁଁ ଯନ୍ତ୍ରଣାସିକ୍ତ । ଜୀବନର ପାଦେ ପାଦେ ମୁଁ ନିଜକୁ ଦୋଷ ଦେଇଚାଲିଛି । କଣ ପାଇଁ ମୁଁ ସେଦିନ ବିଳମ୍ବରେ ଶଯ୍ୟାତ୍ୟାଗ କରିଥିଲି ? କଣ ପାଇଁ ତମକୁ ଦେଇଥିବା କଥା ମୁତାବକ ସୂର୍ଯ୍ୟଦୋୟ ପୂର୍ବରୁ ତମ ପାଖରେ ମୁଁ ପହଁଚି ପାରିନଥିଲି ? ଆଜି ବି ମୁଁ ଅସମ୍ପୂର୍ଣ୍ଣ, ମୋ କଥାସ୍ମୃତି ଅସମ୍ପୂର୍ଣ୍ଣ । ତମ କଥା କିନ୍ତୁ ଆଜି ବାସ୍ ସେମିତି କଥାରେ ହିଁ ରହି ଯାଇଛି । ଧନ, ଯୌବନ, ଖ୍ୟାତି ସବୁଥିଲେ ବି, ମୁଁ ଆଜି ମୋର ସେ ଦିନର ଭୁଲ ପାଇଁ, ଆଜି ବି ଜଣେ ଅସମ୍ପୂର୍ଣ୍ଣ ମଣିଷ । ତମେ ଯୋଉଠି, ଯୋଉ ରୁପରେ ବି ରହିଥାଅ, ସତରେ ନିଳୟ ଭାଇ, ଆଜି ବି ତମେ ମୋର ପଥପ୍ରଦର୍ଶକ, ମୋ ପାଇଁ ଆଦର୍ଶ ଆଉ ସାଥି ମୋ କର୍ମ ପଥର । 



Rate this content
Log in

Similar oriya story from Classics