STORYMIRROR

Er. Suchismita Satpathy

Abstract Classics Inspirational

3  

Er. Suchismita Satpathy

Abstract Classics Inspirational

କର୍ମ ହିଁ ଶ୍ରେଷ୍ଠ

କର୍ମ ହିଁ ଶ୍ରେଷ୍ଠ

4 mins
221

ବେଳେବେଳେ ଭୂଲ ଥିବା ଜିନିଷ ବି ଠିକ ଲାଗେ, ତ ବେଳେବେଳେ ଠିକ ଥିବା ଜିନିଷ ବି ଭୂଲ ଲାଗେ। ସବୁ ସେଇ ପ୍ରଭୁଙ୍କ ଲୀଳା।

     କଥାରେ ଅଛି "କର୍ମାନୁସାରେ ଫଳ"


ହରିଶ ବାବୁ କିଛି ଦିନ ହେବ କାହିଁକି କେଜାଣି ଚାହିଁ ରହିଛନ୍ତି ଆକାଶରେ ଉଡି ବୁଲୁଥିବା ଚଢେଇ ଗୁଡିକୁ। ଅସ୍ତବ୍ୟସ୍ତ ହୋଇ ଖୋଜି ବୁଲୁଛନ୍ତି ଚିନ୍ହା ଓ ନିଜର ଏକ ଅକୁହା ପକ୍ଷୀ କୁ। ମୀରା, ହରିଶ ବାବୁଙ୍କ ଧର୍ମପତ୍ନୀ ଆସି ପାଖରେ ଚା କପ ଧରି ପହଞ୍ଚିଲେ।

ମୀରା- କଣ ହୋଇଛି ତୁମର? ଦେଖୁଛି କିଛି ଦିନ ହେଲା ଆକାଶକୁ ଚାହିଁ ରହିଛ କଣ ଆମ ମିଟୁକୁ (ଶୁଆ) ଖୋଜୁଛ କି? 

ହରିଶ ବାବୁ ଚମକି ପଡିଲେ,କିଛି ନକହି ଅଫିସ ଯିବା ପାଇଁ ପ୍ରସ୍ତୁତ ହେଲେ। ମୀରା ମଧ୍ୟ ତାର ଅଫିସ ଯିବା ପାଇଁ ବ୍ୟସ୍ତତା ଭିତରେ ଆଉ ପଚାରିବାକୁ ଭୂଲି ଗଲା। 


ଅଫିସରେ ପହଞ୍ଚିବା ପରେ ଚଉକିରେ ବସୁ ବସୁ ତାଙ୍କର କିଛି ପୁରୁଣା ସ୍ମୃତି ମନେ ପଡିଗଲା, ସେଦିନ ହୋଇଥାଏ ଦୀପାବଳୀ ଅମାବାସ୍ୟା ଓ ଛୁଟି ଦିନ ଥାଏ। ସବୁ ଛୁଟି ଦିନ ପରି ମୀରା କାର୍ଯ୍ୟ ବ୍ୟସ୍ତ। ଅନ୍ୟ ଦିନ ମାନଙ୍କରେ ଭଲ ମନ୍ଦ ଖାଇ ହୁଏ ନାହିଁ। ତେଣୁ ଛୁଟି ଦିନରେ ହିଁ ମୀରାଙ୍କ ସମୟ ରୋଷେଇ ଘରେ ହିଁ କଟେ।ଝିଅର ଇଛା ବିରିୟାନି ଖାଇବ। ତେଣୁ ପ୍ରସ୍ତୁତି ପର୍ବ ଚାଲିଛି। ସେତେବେଳକୁ ଦିନ ଏଗାରଟା। ହଠାତ୍ ମୀରା କାହାକୁ ଗୋଟେ ଡାକିବା ର ଆଭାସ ପାଇଲେ ହରିଶ ଓ ଉଠିକି ଗଲେ। ଦେଖନ୍ତି ତ ମୀରା ହାତରେ ଏକ ନାଲି ଲଙ୍କା ଧରି କାହାକୁ ଡାକୁଛନ୍ତି, ଆ, ଆ, ନେ, ନେ। ଦେଖିଲା ବେଳକୁ ଏକ ସୁନ୍ଦର ଶୁଆ ଟିଏ ପାଖ ଘର ପାଇଖାନା ର ଛାତ ଉପରେ ବସିଛି। 


ନାଲି ରଙ୍ଗର ଲଙ୍କା ଦେଖି ତାର ବି ମନ କଣ ହୋଇଯାଉଛି ମାତ୍ର ଡରରେ ପାଖକୁ ଆସୁନାହିଁ। ଟିକେ ଆସୁଛି ପୁଣି ପଳଉଛି।ପାଖରେ ଥିବା ମନ୍ଦାର ଗଛର ନାଲି ନାଲି କଢ କୁ ଖୁମ୍ପି ଖାଇଯାଉଛି। କିଛି ସମୟ ସେଠାରେ ରହି ପାଖରେ ଥିବା ପିଜୁଳି ଗଛକୁ ଉଡିଗଲା। ମୀରା ମନ ଦୁଃଖରେ ଭାଙ୍ଗି ପଡିଲା। କହିଲା ଦେଖିଲ ମିଟୁଟି କେମିତି ନଖାଇ ପଳେଇଗଲା। 

ମୀରାଙ୍କର ଟିକେ ମନ ଦୁଃଖ ହେଲା ମାତ୍ର କିଛି କହିଲେ ନାହିଁ। ହରିଶ ବାବୁ ଜାଣିଥିଲେ ମିଟୁ ହେଉଛି ମୀରାଙ୍କର ଦୁର୍ବଳତା। ଆଗରୁ ବହୁବାର ସେ ରଖିବା କଥା କହିଛନ୍ତି।ମାତ୍ର ସୁଯୋଗ ମିଳେ ନାହିଁ। ସେ କଥା ଭୂଲି ମୀରା ପୁଣି ତାଙ୍କ କାମରେ ଲାଗି ପଡିଲେ। କିଛି ସମୟ ପରେ ସଫା କରିଥିବା କପଡା ନେଇ ଛାତ ଉପରକୁ ଗଲେ। 


ଯେହେତୁ ତାଙ୍କ ମନରୁ ସେ ପକ୍ଷୀଟି ଯାଇ ନାହିଁ ତେଣୁ ସେ ଉପରେ ଯାଇ ଗଛ କୁ ଚାହିଁ ଖୋଜିବାରେ ଲାଗିଲେ। ଯେମିତି ଦେଖଲେ ବାଲକୋନୀ ପଟ ପିଜୁଳି ଗଛରେ ବସିଛି ଏକ ମୁହାଁ ହୋଇ ସିଧା ଘର ଭିତରକୁ ଧାଇଁ ଛନ୍ତି।ହଠାତ ଦେଖିଲେ ବାଲକୋନୀ ଦେଇ ଶୁଆଟି ଘର ଭିତରକୁ ଆସୁଛି, ଯାହା ଧରିଥିଲେ ହାତରେ ପକେଇଦେଇ ସିଧା ହାତ ବଢାଇଦେଲା ଶୁଆଟି ପାଖକୁ।ସେ ଯେମିତି ବହୁ ଆଗରୁ ଚିନ୍ହିଚି ସେମିତି ମୀରାଙ୍କ ହାତକୁ ଚଢି ଆସିଲା। ତାଙ୍କ ଖୁସି କହିଲେ ନ ସରେ। ସଙ୍ଗେ ସଙ୍ଗେ ତାକୁ ଧରି ଗେଲ କରିବାରେ ଲାଗିଗଲେ।


ତାପରେ ଚିନ୍ତା ପଶିଲା ଘରେ ତ ବିଲେଇ ସବୁବେଳେ ବୁଲୁଛନ୍ତି। ତାଙ୍କର ତ ପ୍ରିୟ ଭୋଜନ କଣ କରିବା ? 

ମିଟୁଟିକୁ କିଛି ସମୟ ପାଇଁ ରୁମ ଭିତରେ ରଖାଗଲା। ମୋ ଝିଅ ସୁଲି ର ଖୁସି କହିଲେ ନ ସରେ। ସେ ତାକୁ ଦେଖି କେଜାଣି କଣ ଖୁସିରେ ନାଚି ବୁଲୁଥାଏ। 


ତାକୁ ଖିର ଆଣି ପିଇବା ପାଇଁ ଦେଲେ।ସେ ପ୍ରଥମେ ଡର ଯୋଗୁଁ ପାଖକୁ ଆସିବାକୁ କୁଣ୍ଠା ପ୍ରକାଶ କଲା। ମାତ୍ର ଯେତେବେଳେ ମୀରା ହାତରେ ଖିର ଧରି ଦେଖାଇଲେ ଚଟ୍ କରି ଆସି ପିଇଦେଲା। 

ତାପରେ ଚିନ୍ତା ରହିବ କେଉଁଠି ? ତେଣୁ ଶିଘ୍ର ଯାଇ ତା ପାଇଁ ପଞ୍ଜୁରୀ ଅଣାଗଲା। ଘରର ବାଲକୋନୀ ରେ ତାକୁ ଟଙ୍ଗା ଗଲା। ସେହିଦିନ ଠାରୁ ସେ ସେଇଠି। ସୁଲି ତା ସହ ସର୍ବଦା ଲାଗି ରହିଥାଏ ଯେମିତି ସେ କଥା କହିବ। କିଛି ଦିନ ପରେ ସେ ମଧ୍ୟ କଥା କହିଲା। ବିଭିନ୍ନ ପ୍ରକାର ସ୍ୱର ଉତ୍ତୋଳନ କରିବା ସହିତ ମିଟୁ ମିଟୁ ଡାକିଲା। ସମସ୍ତେ ଖୁସି। ସୁଲି ପ୍ରତ୍ୟେକ ଦିନ ସ୍କୁଲ ରୁ ଆସି ତା ସହ କିଛି ସମୟ କଟାଏ ।


ତାପରେ ଆସିଲା ଏକ ଘଟଣା। ହରିଶ ବାବୁଙ୍କର ବଦଳି ଆଦେଶ ହଠାତ ପହଞ୍ଚିଲା। ସବୁ ଚିନ୍ତାରେ ପଡିଗଲେ। ଘର ପାଖରୁ ପାଖାପାଖି ୩୦ କିମି ଦୂରରେ। ପ୍ରତ୍ୟେକ ନୂଆ ମୋଡରେ ଚିନ୍ତା, ବ୍ୟସ୍ତତା ହେବା ସାଧାରଣ କଥା। ସେ ଯାହାବି ହେଉ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ବଦଳି ସ୍ଥାନକୁ ଗଲେ ଯୋଗ ଦେବାକୁ। ମାତ୍ର ମନରେ ଏକ ସଂଶୟ ଯାତ ହେଲା। ମିଟୁ ଆସିବାରୁ ଏପରି ହେଲା। ମାତ୍ର କାହାକୁ କିଛି କହିଲେ ନାହିଁ। 


ତାର ଦୁଇ ତିନି ମାସ ପରେ ହରିଶ ବାବୁଙ୍କ ଗାଡିର ଦୁର୍ଘଟଣା ହେଲା।ଯଦିଓ ଛୋଟ ମୋଟ ମାତ୍ର ମନଟା କହିଲା ମିଟୁ ପାଇଁ ବୋଧେ ଏମିତି ହେଲା। ମାତ୍ର କାହାକୁ କହିଲେ ନାହିଁ। 

ଏମିତି କିଛି ଦିନ ଚାଲିଲା। ଯେଉଁଠାରୁ ହରିଶ ବାବୁଙ୍କର ବଦଳି ହୋଇଛି ସେବେଠାରୁ ଛୋଟ ଛୋଟ ଗଣ୍ଡଗୋଳ ଓ ଅଶାନ୍ତି ଘର ର ଅନ୍ୟ ପରିବାର ସଦସ୍ୟମାନଙ୍କ ସହ ଲାଗି ରହିଥାଏ। ସେହିପରି ଅଫିସରେ ମଧ୍ୟ। ବହୁ ମାନସିକ ଅଶାନ୍ତି ଭିତରେ ଦିନ କାଟିବାକୁ ପଡୁଥାଏ। 


ଶେଷରେ ଏମିତିବି ହେଲା ଘର ଛାଡି ମୀରା ତା ଅଫିସର ସରକାରୀ ବାସଭବନ ନେଲା ଏବଂ କିଛି ମାତ୍ରାରେ ହରିଶ ବାବୁ ଓ ତାଙ୍କ ଝିଅ ସହ ସେଠାକୁ ସ୍ଥାନାନ୍ତର ହେଲେ। 


ଏତିକିରେ ସରିଲା ନାହିଁ ଯେ, କିଛି ଦିନ ପରେ ଉଭୟେ କରୋନାରେ ଆକ୍ରାନ୍ତ ହେଲେ। ଏ ସବୁରେ କେଉଁଠି ନା କେଉଁଠି ମିଟୁ ଆଡକୁ ମନଟା ଟାଣୁଥାଏ। 


ଆଜି ପରିସ୍ଥିତି ଭିନ୍ନ। ବହୁଦିନ ପରେ ହରିଶବାବୁ ନିଜ ଘରକୁ ଆସିଛନ୍ତି। ଯେଉଁଠାରେ ସେ ଜନ୍ମ ଲାଭ କରିଥିଲେ। ବାଳୁତ ସମୟ ର ସବୁ ସ୍ମୃତି ତାଙ୍କର ମନେ ପଡିଯାଉଥାଏ। ଯେଉଁ ସ୍ଥାନରେ ନିଜର ବଡ ଭାଇ ସହ ଖେଳ କୁଦ ହସ ଖୁସି ମାଡ ଗୋଳରେ ସମୟ କଟିଥିଲା ଏ ସେହି ଘର। 


ଯାହାକୁ ସେ ନିଜର ବଡ ଭାଇ ପାଇଁ ଛାଡିଲେ। ଛାଡିଗଲେ ନିଜ ଜନ୍ମ କଲା ମାଆ ଓ ବାପାଙ୍କୁ। ଏମିତି ଭାବି ଭାବି ଅନ୍ତରଟା କୋହରେ ଭରି ଉଠୁଥାଏ। ତଥାପି ଗଲେ । ବାପା ମାଆ ଙ୍କ ସହ କିଛି କଥା ହେବା ସମୟରେ ବାଲକୋନୀ କୁ ଯାଇ ମିଟୁ କୁ ଦେଖିଲେ। ସେ ସେମିତି ମିଟୁ ମିଟୁ ଡାକ ଛାଡୁଥିବା ର ଲକ୍ଷ କଲେ। ଆସ୍ତେ ଆସ୍ତେ ଯାଇ ତାର କବାଟଟି ଖୋଲି ଦେଲେ। 


ମିଟୁ ମନେ ମନେ ଭାବିଥିବ ଆଜି ଏତେ ଦିନ ପରେ କାହିଁକି ମୋ କବାଟ ଖୋଲି ଦିଆଗଲା। କିଛି ସମୟ ଲକ୍ଷ କଲା କେହି ନାହାନ୍ତି ତେଣୁ ମୁକ୍ତ ଆକାଶର ବିହଙ୍ଗ ମୁକ୍ତ ହୋଇଗଲା। 


ମନେ ମନେ କିଛି ମାତ୍ରାରେ ଦୁଃଖ କଲେ ହରିଶ ବାବୁ ମାତ୍ର ଜାଣିଥିଲେ ଯାହାର ସ୍ଥାନ ଯେଉଁଠି ସେ ସେଠି ରହିବା ଆବଶ୍ୟକ। 

କେଉଁଠି ନା କେଉଁଠି ମନରେ ଆସୁଥିଲା ବୋଧେ ଏବେ କିଛି ମାତ୍ରାରେ ବିପଦ ଟଳିବ। ବନ୍ଦୀ ଜୀବନରୁ ରକ୍ଷା ପାଇ ବୋଧେ ନିରିହ ପକ୍ଷୀ ଟି ଆଶୀର୍ବାଦ କରିଥିବ। 


ଏମିତି ଭାବୁ ଭାବୁ ହରିଶ ବାବୁ ଅଫିସରୁ ଆସି ନିଜର ନୂତନ ବାସସ୍ଥଳୀ ରେ ପହଞ୍ଚିଲେ । ଝିଅ ଦୌଡି ଦୌଡି ଆସି ପଚାରିଲା ବାପା ମିଟୁକୁ ଆଣଲନି। ହରିଶ ବାବୁ ଅତି ସ୍ନେହର ସହ ଆଦର କରି ଉତ୍ତର ଦେଲେ, ତୁ ଯେମିତି ତୋର ଉପଯୁକ୍ତ ସ୍ଥାନକୁ ଆସିଛୁ, ସେ ସେମିତି ତାର ଉପଯୁକ୍ତ ସ୍ଥାନକୁ ଚାଲିଗଲା। ତା କର୍ମ ଅନୁସାରେ ତାର ଫଳ ସ୍ଫରୂପ ତାକୁ ମୁକ୍ତ ବିହଙ୍ଗର ଆଖ୍ୟା ପ୍ରାପ୍ତ ହୋଇଛି।


ମୀରା ସବୁ ଶୁଣୁଥିଲା। ମନରେ କିଛି ମାତ୍ରାରେ ଦୁଃଖ ଆସିଲା ମାତ୍ର ପର ମୁହୂର୍ତ୍ତରେ ଟିକେ ଆତ୍ମ ସନ୍ତୋଷ ଜନକ ହସ ଦେଖାଦେଲା ତାଙ୍କ ମୁଖମଣ୍ଡଳରେ।


Rate this content
Log in

Similar oriya story from Abstract