କ୍ରୀଡା ଶିକ୍ଷୟତ୍ରୀ
କ୍ରୀଡା ଶିକ୍ଷୟତ୍ରୀ
ଖେଳକୁଦ କରିବାକୁ କାହାକୁ ଅବା ଭଲ ନ ଲାଗେ ! ଏଥିପାଇଁ ବୟସ ସୀମା କ'ଣ ଦରକାର ! ମନ ଭିତରେ ଆଗ୍ରହ ଅସୀମ ସାହାସ ଆଉ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଏ ଖେଳକୁଦକୁ ନେଇ ମନେପଡିଯାଏ ସ୍କୁଲ ସମୟର ସଵୁ ଅନୁଭୂତି। ମୁଁ ପଢୁଥିବା ହାଇସ୍କୁଲର ଖେଳ ଟିଚର ଭାବେ ପରିଚିତ ଥାଆନ୍ତି ଚିତ୍ରା ଦିଦି।
ଏବେବି ସେ ଦିଦିଙ୍କ ମୁହଁ ଆଖି ଆଗରେ ନାଚି ଉଠୁଛି। ସବୁବେଳେ ହସହସ ବଦନ। ନିଜକୁ ସେ ସବୁବେଳେ ଫିଟନେସ୍ ରଖିଥାନ୍ତି। ବୟସ ବୋଧେ ଦିଦିଙ୍କର ୫୨ କିମ୍ବା ୫୫ ହୋଇଥାଏ ପାରେ। ସବୁବେଳେ ପିନ୍ଧୁଥାଆନ୍ତି ଗୋଟିଏ ନୂଆ ନୂଆ ଶାଢୀ। ସ୍ଲିପ ଲେସ୍ ବ୍ଲାଉଜ। ଚୁଟିର ରଙ୍ଗ ଟିକେ କହରା। ସେଥିରେ ପୁଣି ଦୁଇ ତିନୋଟି ପାଚିଲା ଚୁଟି ଦେଖାଯାଉଥାଏ। ଖେଳକୁଦ ଶିଖାଇବା ପାଇଁ ସେ ଦିଦି ସବୁବେଳେ ଧୂରନ୍ଧର ।
ଡ୍ରିଲ ପିରିୟଡରେ ସମସ୍ତଙ୍କୁ ଡ୍ରିଲ୍ ଶିଖାନ୍ତି। କାହାକୁ ଅଳସୁଆ ହୋଇ ବସିବାକୁ ଦିଅନ୍ତି ନାହିଁ। ଖେଳ ପିରିୟଡ ସମୟରେ ସେ ଦିଦିଙ୍କ ପାଟିରେ ଗୋଟିଏ ହୁଇସିଲ୍ ଟି ନିଶ୍ଚିତ ଥାଏ। ସବୁବେଳେ ସେ ଆମକୁ ଗାଇଡ୍ କରନ୍ତି। ପ୍ରାର୍ଥନା ସମୟରେ ହୁଇସିଲ୍ ବଜାଇ ପିଲାମାନଙ୍କୁ ଲାଇନରେ ଛିଡା ହେବା ପାଇଁ କହିଥାନ୍ତି। ଏତେ ସୁନ୍ଦର ଡ୍ରିଲ କରାନ୍ତି ଯେ ସେ ନିଜେ ସୁସ୍ଥ ରହିବା ସହ ପିଲାମାନେ କିଭଳି ସୁସ୍ଥ ରହିବ ସବୁବେଳେ ଚେଷ୍ଟା କରନ୍ତି । ଖୋ ଖୋ ଆଉ କବାଡି କଥା କହିଲେ ନ ସରେ ସେ ଏଭଳି କଳା ଆଉ କୌଶଳ ଶିଖାନ୍ତି ସବୁପିଲାଙ୍କ ଆଗ୍ରହ ଜମିଯାଏ। ନିଜେ ଵି ଆମମାନଙ୍କ ସହ ବହୁତ ଭଲ ଖେଳନ୍ତି।
ଦିନେ ଚିତ୍ରା ଦିଦି ଖେଳ ଉପରେ ଏକ ପ୍ରତିଯୋଗିତା ଆୟୋଜନ କଲେ। ପ୍ରାୟ ସବୁ ପିଲାମାନେ ଯୋଗଦାନ କରିଥିଲେ। ମୁଁ ମଧ୍ୟ ସେହି ପ୍ରତିଯୋଗିତାରେ ଯୋଗଦାନ କରିଥିଲି। ଏହି ପ୍ରତିଯୋଗିତାରେ ଜଣକ ଗୋଡକୁ ଅନ୍ୟ ଜଣର ଗୋଡ ସହ ବାନ୍ଧି ଦିଆଯାଏ। ତା ପରେ ଦୌଡିବାକୁ କୁହାଯାଏ।
ଏହି ପ୍ରତିଯୋଗିତାରେ ମୁଁ ଆଗ୍ରହ ସହ ଭାଗ ନେଇ ଯାଇଥିଲି କିନ୍ତୁ ମୋ ସାଙ୍ଗଯିଏ ମୋ ସହଥିଲା ତାର ଗୋଟିଏ ପାଦ ଛୋଟ ଥିଲା। ତାର ଗୋଟିଏ ଗୋଡକୁ ମୋର ଗୋଟିଏ ଗୋଡ ସହ ଛନ୍ଦି ଦିଆଯାଇଥିଲା। ତାପରେ ଦୌଡିବାକୁ କୁହାଗଲା। ଦିଦି ହୁଇସିଲ୍ ଫୁଙ୍କିଲେ ସବୁ ପ୍ରତିଯୋଗି ଦୌଡିବା ଆରମ୍ଭକଲେ। ମୁଁ ଏବଂ ମୋ ସାଙ୍ଗ ଇତି ,ବନ୍ଧା ହୋଇଥିବା ଗୋଟିଏ ଗୋଡରେ ଯୋର ଲଗାଇ ଦୌଡିଲୁ। ଦିଦି ସମସ୍ତଙ୍କ ମନୋବଳ ଦୃଢ କରିବା ପାଇଁ ସାହାସ ଦେଇ ହୁଇସିଲ୍ ଫୁଙ୍କୁଥାନ୍ତି। ମନେମନେ ମୁଁ ଭାବୁଥାଏ ଏ ଖେଳରେ ଜମା ଜିତିବିନି କାରଣ ସାଙ୍ଗ ଇତିର ଗୋଟିଏ ପାଦ ଛୋଟ। କିନ୍ତୁ ମନୋବଳ ଦୂଢକରି ଇତି ମୋ ସହ ଦୌଡି ଚାଲିଲା। ତୃତୀୟ ସ୍ଥାନରେ ଆମେ ରହିଲୁ। ଦିଦି ସାବାସି ଦେଲେ। ଦିଦି ଜାଣିଥିଲେ ମୋ ସାଙ୍ଗ ଇତିର ଗୋଟେ ପାଦ ଛୋଟ ଵୋଲି। ତଥାପି ଦିଦିଙ୍କ ଆଶିର୍ବାଦ ଲାଗି ଆମେ ସେ ପ୍ରତିଯୋଗିତାରେ ସଫଳତାର ଏକ ସ୍ଥାନ ପାଇଥିଲୁ।
#Non-Stop November