STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

କଫି ବିନ୍

କଫି ବିନ୍

5 mins
470

ସେମାନେ ଠିକ୍ ମୋ ସାମ୍ନା ମେଜ ଚାରିପଟ ଚଉକି ସବୁରେ ବସିଥିଲେ ।ସେମାନେ ପାଞ୍ଚ ଜଣ ଥିଲେ ।କିଏ କେମିତି ଦିଶୁଥିଲେ ସବୁବେଳେ ଦରକାର ବି କଣ ବଖାଣିବା ।ଏଇଟା ଗୋଟେ ବାହାନା ଥିଲା । ପ୍ରକୃତ କଥା ହେଲା ମୋ ଆଖି ର ଶକ୍ତି ଆଉ ଟାଣ ନଥିଲା ।ମତେ ଅଳ୍ପ ବାଟର ଜିନିଷ ବି ଝାପ୍ସା ଦିଶୁଥିଲା ।

ହଁ କାନଟା ଏବେ ବି ପିତଳର ଥିଲା ।ସେମାନେ କିଛି କଥା ହେଉଥିଲେ ।କେଉଁ ଗୋଟେ ହାଲକା ବିଷୟ ନେଇ ।ମୋର ସେଥିରେ ମୁଣ୍ଡ ପୁରେଇବାର ବି ନଥିଲା ।ସେମାନେ ବସିଥିବା ଯାଗାରୁ ମୁଁ ହେଇ ହେଇ ପାଞ୍ଚ କି ସାତ ହାତ ଦୂରରେ ଥିଲି ।ସେମାନେ ମତେ ଦେଖି ପାରିଥିବେ ହେଲେ ଗୁରୁତ୍ବ ଦେଇନଥିବେ ।ଛାଡ ନା ,ଭାବିନିଅ କି ସେମାନେ ମତେ ଦେଖି ହି ନଥିବେ ।ମନ ବୁଝିଯିବ ।ନହେଲେ ମଣିଷ ର ହୀନିମାନ୍ଯତା ର ଶିକାର ହବା ବି ଗୋଟେ ଖୋଇ ।ଆଉ ଏଇଟା କାହିଁକି ହୁଏ ଜାଣ ? ଅଳ୍ପ ପତଳା ଅହଂ ପରଦା ପାଇଁ ।ଥାଏ ଥାଏ ସବୁଠି ଥାଏ ।ଯେତେ ଲାଗେ ନାହିଁ, ସେଇଟା କିନ୍ତୁ ସତ ନୁହେଁ ।ନଥାନ୍ତା ଯଦି ଆମେ ଏ ମାଟିରେ ନ ଥାନ୍ତୁ ।ମାଧ୍ୟାକର୍ଷଣ ସୂକ୍ଷ୍ମ ଅହଂ କୁ ଟାଣିଧରିଥାଏ ।

ସେମାନେ ବୋଧେ କୋଉ ଗୋଟେ ବିଜ୍ଞାପନର କଥା ହେଉଥିଲେ ।କଫି ବିଜ୍ଞାପନ ,ଯେଉଁ ଥିରେ ଲୋକଟି ପଚାରୁଛି, ଆମେ ଅଶିହଜାର ଲୋକଙ୍କୁ ଆମ ଜୀବନ କାଳ ଭିତରେ ଭେଟୁଥାଏ । କିଏ ମତେ କାନ୍ଦୁଥିବାର ଦେଖିଛ? କିଏ କିଏ ମୋ ବାଲ୍ଯକାଳର ନାଁ ଜାଣ ? କିଏ ତମ ମାନଙ୍କ ଭିତରେ ମୋ ନାଁ ଟି ମଧ୍ୟ ଭୁଲିସାରିଛ ? କିଏ ଅଛ ଯାହା ସହ ଆମେ ଦିତ୍ବୀୟ ଥର ପାଇଁ ମଧ୍ୟ ଭେଟିନେ ,ହେଲେ ଏବେ ବି ହୃଦୟ ମତେ ମନେରଖିଛି ? ବଡ ଆବେଗରେ ଭରା ଦାର୍ଶନିକ ପରି ପ୍ରଶ୍ନ ।କିନ୍ତୁ ଭୁଲ କଣ ! ଏମାନେ କଣ ଟିଭିବାଲା ନା ଛାତ୍ର ,ନା କାମ ଖୋଜୁଥିବି ମଣିଷ?

ମତେ ଦୂରଦର୍ଶନ ଦେଖିବାକୁ ଭଲ ଲାଗେନି ।ହଁ ବିଜ୍ଞାପନ ଶୁଣିବାର ଆଗ୍ରହ ଥାଏ ଓ ସେଥିନେଇ ମୁଁ ସବୁ ବିଜ୍ଞାପନ କହିଦେଇ ପାରେ ଠିକ୍ ସିଏ ଯେମିତି କହେ ଟିଭି ପରଦାରେ ।ମତେ ଲାଗେ ବିଜ୍ଞାପନ ସବୁ ବୁଦ୍ଧିମତାର ଝଲକ ।ଏତେ ଅଳ୍ପ ସମୟ ଭିତରେ ବିକିବାର ଥାଏ ଯେ ତାଙ୍କୁ ତାଙ୍କର ସାମଗ୍ରୀ ସବୁଠୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରି ।ଏମିତି ଛବିଛାପ ଛାଡିବାର ଥାଏ ଯେ ଗ୍ରାହକ ବଜାରଗହଳି ଭିତରେ ସେଇଟି ହିଁ ଚୟନ କରିବ ନିରୁପାୟ ହୋଇ ।

ପ୍ରଭାବିତ ହବା ଦୁର୍ବଳ ମନର ଲକ୍ଷଣ ,ମତେ ଲାଗେ ।ହେଲେ କିଏ ଏଠି ଭଲା ପ୍ରଭାବିତ ନୁହେଁ ହାତ ଟେକିବ ।ନିଜର ନିଜତ୍ବ ବଜାୟ ରଖିପାରୁଥିବାର ଜିତାପଟ୍ ହି ବିଜେତା କରେ ,ଭିନ୍ନ କରି ଠିଆକରାଏ ।ସେଥିପାଇଁ ଦମ୍ଭ ଲୋଡା ।

ସେମାନେ ଗପି ଚାଲିଥିଲେ ଓ ଖୁବ୍ ହସୁଥିଲେ ।ଏ ଭିତରେ ଜୁଲିଏଟ୍ ତାଙ୍କ ଟେବଲରେ ତାଙ୍କ ବରାଦର ହକ୍କା ନୁଡଲ ଦେଇ ସାରିଥିଲା ଏବେ ସେମାନେ ହଟ୍ କଫି ଓ ହଟ୍ ଚକୋ ଆଇସକ୍ରିମ୍ ବରାଦ କରୁଥିଲେ ।ସେମାନେ ଭବିଷ୍ୟତ କୁ ନେଇ କଥା ଓ ଯୋଜନା ତିଆରୁଥିଲେ ।ମୋର ଭବିଷ୍ୟତ ଦେଖିବା ଆଉ ଦରକାର ନଥିଲା ।କଫି ର ଉଷୁମ ବାସ୍ନା ମତେ ଭଲ ଲାଗୁଥିଲା ।

ମତେ ସତୁରି ଛୁଇଁ ସାରିଥିଲା ।ମୁଁ କେବଳ ବଞ୍ଚିଥିଲି ,କାହାରିକୁ ଅପେକ୍ଷା ନକରି ।ଚାଳିଶି ବର୍ଷ ରେ ମୋ ଆଖି କୁ ଝାପ୍ସା ଦିଶିବା ଆରମ୍ଭ ହେଇଥିଲା ହେଲେ ମୁଁ ଚଷମା ପିନ୍ଧିବାକୁ ନାରାଜ ଥିଲି ଯେ କାଳେ ବୁଢୀ ଦିଶିବି ।ହା ହା ।ମଣିଷ ଗୋଟେ ବୋକା ମଞ୍ଜି ରୁ ତିଆରି ।ବୁଢୀ ତ ଯାହା ହେଲେ ବି ହେବି କି ନା ! ସେବେ କୋଉ ବୁଝିଥିଲି ।ଦୌଡିବା ବୟସ ଥିଲା ।ଏବେ ତ ଘଣ୍ଟା ଚାଲେ କି ଜାଣେନା ।କେତେ ମସିହା, ଦିନ ,ବାର କିଛି ର ଆବଶ୍ୟକତା ହି ନାହିଁ ।ଉଠିପାରୁଛି, ନିତ୍ଯକର୍ମ ସାରୁଛି ବୋନସ ରେ ସବୁ ଶୁଣିପାରୁଛି ସେତିକି ବଡ କଥା ।

ମଣିଷ ଜୀବନ ।ପ୍ରଥମ କିଛି ବର୍ଷ କିଛି ନଥାଏ, ଶେଷ କିଛି ବର୍ଷ ବି କିଛି ନଥାଏ ।ମଝିରେ ବର୍ଷ ତକରେ ସିଏ ସବୁ ମିଛକୁ ମୋର କହେ ଓ ଢେର କାନ୍ଦୁ କାନ୍ଦୁ ଦୌଡୁଥାଏ ।

ସେମାନେ ପଇସା ଚୁକ୍ତା କରି ଉଠିଯାଇଥିଲେ ।ଟିକି ଟିକି ପାଦରେ ମୋ ଠୁ ଦଶ ହାତ ଦୂରରେ ଖେଳୁଥିବା ଜୁଲିଏଟ୍ ର ଝିଅ ଜୋଜୋ ଉଠିଆସିଲା ଆଉ ସେମାନେ ବସିଥିବା ଟେବଲ ପାଖରେ ଠିଆ ହେଲା ।ସେଠି ଆଉ କେହି ନଥିଲେ କିଛିଟା ଉଡା ମାଛିଙ୍କ ଛଡା ।କାମ କରୁଥିବା ପିଲାଟିକୁ ଜୋଜୋର ମାଆ ବଡ ପାଟିରେ ତାଗିଦ କରୁଥିଲା ଶିଘ୍ର ଟେବଲ ସଫା କରିବାକୁ ଓ ଜୋଜୋକୁ ଟେବଲରେ ହାତ ନ ଲଗେଇବାକୁ ।

ଜୋଜୋ ମୋ ପାଖକୁ ଦଉଡି ଆସିଲା ।ସେ କିଛି ଗୋଟେ ପାଇଲା ପରି ଖୁସି ଦିଶୁଥିଲା ।ତାର ଡାହାଣ ହାତରେ କିଛି ଗୋଟେ ସିଏ ମୁଠେଇ ଧରିଥିଲା ଓ ବାଁ ପଟ ହାତରେ ବୋଧେ କାଗଜଟିଏ ।ହଁ ସେୟା ହି ।ସିଏ ମତେ କାଗଜଟି ବଢେଇଲା ଓ କହିଲା, " ଗ୍ରାନୀ ତୁମେ ମୋ ପାଇଁ ଗୋଟେ ଓରିଗାମୀ ଉପହାର ବକ୍ସ କରିଦେଇପାରିବ କି ? " ମୁଁ ତା ମୁହଁକୁ ଚାହିଁଲି ।ସିଏ କଣ୍ଢେଇ ଟିଏ ପରି ଦିଶୁଥିଲା ।ମୁଁ ହସିଲି ଅଳ୍ପ ।ସିଏ ଅଳି କଲା " ଗଢିଦିଅ ନା ମୋ ପାଇଁ ଗୋଟେ ଗଢିଦିଅ ନା । " କହି କହି । ସେ ଶବ୍ଦର ଅର୍ଥ ମୁଁ ବୁଝିପାରୁନଥିଲି ।ମୁଁ ଥର ଥର ହେଇ ପାଚାରିଲି, " ତୁ ବାଁ ହାତରେ କଣ ଲୁଚେଇଛୁ ? " ସେ ଚଟ୍ କି ପଛକୁ ହାତ କରିଦେଲା । ତା ମାଆ ଠୁ କିଛି ଲୁଚେଇବାର ଥିଲେ ସେ ଏମିତି କରେ ହାତ ।ସେ ମୋଠୁ ଅନେକ କିଛି ନିଏ ,ଯେମିତି କି ପୁରୁଣା ପଇସା, ମୋର କେବେର ଗୋଟେ ହାତ ବୁଣା ରୁମାଲ, ମୋ ପିଲାଙ୍କ ଛୋଟ ବେଳର କିଛି ଖେଳନା ଯୋଉଥିରେ ଗୋଟେ ଲାଲି ସାନ ବାଇନାକୁଲାର ବି ଥିଲା, ସମୁଦ୍ର ଠୁ ଆଣିଥିବା କିଛି କଉଡି ଓ ସାମୁକା, ସୁଖାରଙ୍ଗ, ଆହୁରେ କଣ ସବୁ ।ମୋର ସେସବୁ ଆଉ କିଛି ଦରକାର ନଥାଏ, ତେବେ ବି ମୁଁ ଟାଣିହୁଏ ।ଜୋଜୋ ହି ଏବେ ପାଇଁ ମୋର ସବୁ କହିଲେ ଚଳେ ।ସିଏ ହି ମୋ ହାତ ଧରି ଏଇ ଟେବଲ ଯାଏ ନେଇ ଆସେ ବସେଇବାକୁ ଦିନସାରିବା ଯାଏ ।

ଜୁଲିଏଟ୍ ସେପଟୁ କହିଲା, " ଗ୍ରାନୀକୁ ବେଶୀ ହଇରାଣ କରନି ଜୋଜୋ " ।ସିଏ କିନ୍ତୁ ଅଳି କରିଚାଲିଥିଲା, " ଗଢିଦିଅ, ଗଢିଦିଅ ।ମୁଁ ଜାଣେ ତମକୁ ଆସେ ।ତମ ବଖରା ସାରା ତ ଓରିଗାମୀ ଭରା ।"

ମୁଁ ତାଠୁ କାଗଜ ଟି ନେଲି ଓ ମନେପକେଇଲି କେଉଁ ମୋଡ କେଉଁଠି ଦେଇ ଗଢିବାକୁ ହୁଏ ।କୋଣ ଓ ସରଳରେଖା ର ମ୍ଯାଜିକ ଇଏ ।ମୁଁ ତାକୁ ପଚାରିଲି, " ଜୋଜୋ ତୁ ଏ ଉପହାର ବାକ୍ସ ରେ କଣ ରଖିବୁ? ଆଉ କାହା ପାଇଁ? ମୋ ପାଇଁ ନୁହେଁ ତ ?"

ସିଏ ତାଳି ମାରି ଘୁରିଆସିଲା ଆଉ ମୋ କାନ ପାଖରେ ତାର ଗୋଲାପି ସୁନ୍ଦର ଟିକି ଓଠଟି ରଖି କହିଲା, " ଏଇଟା ଗୋଟେ ଟାଇମ କାପ୍ସୁଲ୍ ଗ୍ରାନୀ ।ଏଥିରେ ମୁଁ ଏମିତି ସବୁ ଜିନିଷ ରଖିବି ଯାହା ଆମ ପରପୀଢିରେ ମୋ ପରି ପିଲେ ଦେଖି ଖୁବ୍ ଆଶ୍ଚର୍ଯ୍ୟ ଓ ଖୁସି ହେବେ ।ସେମାନେ ଏଥିରୁ ବୁଝି ପାରିବେ ଯେ ତାଙ୍କ ଆଗରୁ ଲୋକେ କେମିତି ରହୁଥିଲେ, ଖାଉଥିଲେ ଆଉ କଣ ସବୁ କରୁଥିଲେ ।"

ମୁଁ ତାକୁ ଚାହିଁଲି ।ସିଏ ଆହୁରି ଖୁସି ହେଇଗଲା ଆଉ କହିଲା, " ତୁମେ ବୁଝୁଛ ତ ! ମୁଁ ଟିକିନିଖି ସବୁଥିରୁ କିଛି କିଛି ଏଇ ଉପହାର ବାକ୍ସ ରେ ରଖି ତାକୁ ମାଟି ତଳେ ସେଇ ଗୋଲାପଗଛ ମୂଳେ ପୋତିଦେବି ।ତେବେ ହଜାର ବର୍ଷ ପରେ ସେମାନେ ପାଇବେ ।"

" କିଏ କହିଲା ତତେ ଏତେ ବଡ ଦାୟିତ୍ୱ ଏତେ କୁନି ମୁଣ୍ଡ ରେ ନେବାକୁ?" ପଚାରୁଥିଲି ମୁଁ କାଗଜ ମୋଡୁ ମୋଡୁ ।

" କିଏ କାହିଁକି କହିବ ଯେ ।ସେମାନେ .... ସେଇ ଟେବଲରେ ଯୋଉମାନେ ବସିଥିଲେ ସେମାନେ ପରା କଥା ହେଉଥିଲେ ଭବିଷ୍ୟତ ର ପିଲେ ରୋବଟ ହେଇଯିବେ ।ଓ ସେମାନେ ଆଉ ଶିଖିପାରିବେନି ମଣିଷ ର ସୂକ୍ଷ୍ମ ଆବେଗ, ଅବବୋଧ ଆଉ ଜୀବନ ବିଷୟରେ ।ଏଇ ଦେଖ ମୁଁ ତାଙ୍କ ଟେବଲରୁ ବି ଏଇଟି ଆଣିଛି ।ଏଇଟି ବି ସେ ବାକ୍ସ ରେ ରଖିବି ।"

ସେ ଦେଖଉଥିଲା ତା କୁନି ପାପୁଲି ଖୋଲି ଗୋଟେ କଫି ବିନ୍ ।


Rate this content
Log in

Similar oriya story from Action