Arati Sahoo

Thriller

3  

Arati Sahoo

Thriller

କନ୍ୟା ବୀମା

କନ୍ୟା ବୀମା

4 mins
366


ସୁନୈନା ଜିଦ ଧରି ବସିଛି । ଯେତେ ବୁଝାଇଲେ ବୁଝିବାର ନାଁ ନାହିଁ । ତାର ବାପା ବିକାଶ ମହାନ୍ତି ଓ ମାଆ ସୁପର୍ଣ୍ଣା ବୁଝାଇ ବୁଝାଇ ଥକିଲେଣି । ମାମୁଁ , ମାଉସୀ, ଦାଦା ଖୁଡି ସମସ୍ତେ ହାର ମାନି ସାରିଲେଣି ତାର ଏ ଅବାସ୍ତବ, ଅବାନ୍ତର ଜିଦି ଆଗରେ ।

ସୁପର୍ଣ୍ଣା ଭାବୁଥିଲେ କେତେ କଷ୍ଟରେ ତ ଝିଅଟା ରାଜି ହୋଇଥିଲା ବିବାହ ପାଇଁ । ପୁଣି ଏ କି ଭୂତ ପଶିଲା ତା ମୁଣ୍ଡରେ । ଏପରି ଅଯୂକ୍ତିକର କଥାକୁ କିଏ ସେ ସାହସ କରି ବରର ପରିବାର ସମ୍ମୁଖରେ ଉଠାଇବ ଯେ। କେଡ଼େ ଲାଜ କଥାଟା । ପୁଣି ଏ କଥାରେ ସେମାନେ ନିଶ୍ଚିତ ଅପମାନିତ ଅନୁଭବ କରିବେ ।

ବିକାଶ ବାବୁ ଭାବୁଥିଲେ, ଏତେ ପାଠ ପଢ଼ାଇ ସେ କଣ ଝିଅର ମୁଣ୍ଡଟାକୁ ସ୍ଵୟଂ ବିଗାଡି଼ଛନ୍ତି କି ? ଝିଅ ଅପେକ୍ଷାକୃତ ବେଶି ସ୍ଵେଚ୍ଛାଚାରିଣୀ ହୋଇ ଯାଇଛି କି ? ନିମ୍ନବିତ୍ତ ପରିବାରରେ ଜନ୍ମିତ ବିକାଶ ବାବୁ ଅନେକ କଷ୍ଟରେ କିରାଣୀ ଚାକିରୀଟିଏ କରିଥିଲେ । ଆଜି କିନ୍ତୁ ଝିଅ ବି ଟେକ, ଏମ ବି ଏ କରି ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ଅଙ୍କ ଦରମାରେ କାର୍ଯ୍ୟରତା । ଅତ୍ୟନ୍ତ ମେଧାବିନୀ, ପରମାସୁନ୍ଦରୀ, ସୁଲକ୍ଷଣୀ ଝିଅ ତାଙ୍କର । ତାର ଖ୍ୟାତି ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା । ବିବାହ ସମ୍ବନ୍ଧ ନିମନ୍ତେ ଅନେକ ଆଡୁ ଖବର ଆସୁଥିଲା । ସୁଯୋଗ୍ୟ ବରପାତ୍ରଙ୍କର ଧାଡ଼ି ଲମ୍ବିଲା । ପ୍ରତିଦିନ ଦୁଇ ତିନୋଟି ଲେଖାଏଁ ପ୍ରସ୍ତାବ ଆସୁଥିଲା । ସୁନୈନା କିନ୍ତୁ ଜମା ରାଜି ହେଉ ନଥିଲା ବିବାହ କରିବା ପାଇଁ ।

ଅନେକ ବୁଝା ସୁଝା କଲାପରେ ରାଜି ତ ହେଲା, କିନ୍ତୁ ଏକ ଅଦ୍ଭୁତ ସର୍ତ୍ତ ରଖିଲା ।

ସର୍ତ୍ତ କଣ ?

ଯେଉଁ ପରିବାର ତାକୁ ବୋହୂ କରି ଘରକୁ ନେବ ସେ ପରିବାରର ସମସ୍ତ ସାବାଳକ ସଦସ୍ୟ ଏକ କନ୍ୟା ବୀମାରେ ଦସ୍ତଖତ କରିବେ । ଷ୍ଟାମ୍ପ ପେପରରେ ଦୁଇ ପକ୍ଷର ଓକିଲଙ୍କ ସମ୍ମୁଖରେ ବୀମା ତିଆରି ହେବ । ସେଥିରେ ସ୍ପଷ୍ଟ ଲେଖାଥିବ ଯେ ଯଦି କନ୍ୟାର କିଛି କ୍ଷୟ କ୍ଷତି ହୁଏ ତ ବରପକ୍ଷ କନ୍ୟାପକ୍ଷକୁ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ । କ୍ଷତିପୂରଣର ରାଶି ସୁନୈନା ନିଜେ ନିର୍ଦ୍ଧାରଣ କରିବ, କାରଣ ସେ ନିଜର ମୂଲ୍ୟ ଆକଳନ ନିଜେ ହିଁ କରି ପାରିବ ତାର ପିତାମାତାଙ୍କ ସାହାଯ୍ୟ ନେଇ ।

ଏକଥା ଶୁଣି କାଠ ପାଲଟିଗଲେ ବିକାଶ ବାବୁ ଓ ସୁପର୍ଣ୍ଣା । ଝିଅଟା ବାୟାଣୀ ହେଇଗଲା କି ଆଉ ! ମନରେ ଆଶଙ୍କା ଉଠିଲା, ଝିଅ ବୋଧେ କାହାକୁ ଭଲ ପାଉଛି କି କଣ । ଏସବୁ ମିଥ୍ୟା ବାହାନା । ପଚାରିଲାରୁ ବିରକ୍ତ ହେଲା ସୁନୈନା ।

- ଶ୍ୟଃ ମୁଁ କ’ଣ ହାଇସ୍କୁଲରେ ପଢୁଥିବା କିଶୋରୀଟିଏ କି? ଆଇ ଏମ ଫୁଲ୍ଲି ମେଚ୍ୟୋର୍ଡ ନାଓ ।

- ତାହେଲେ ଏ ପାଗଳାମୀର କାରଣ କ’ଣ ମାଆ?

- ମୁଁ ପାଗଳାମୀ କରୁଛି? ଆଉ ଯେଉଁ ବଧୂ ନିର୍ଯ୍ୟାତନା , ବଧୂହତ୍ୟା କରୁଛନ୍ତି ସେମାନେ ସବୁ କଣ ? ଭଦ୍ରଲୋକ ?

- କିନ୍ତୁ ଏପରି ଅଯୁକ୍ତିକର ସର୍ତ୍ତ କିଏ ରଖେ କି ମାଆ? ବରଘର ଲୋକ ମାନଙ୍କୁ କିପରି ଏସବୁ କଥା କହିବା ? ଇଏ ତ ଅଲାଜୁକ କଥା ହେବ । ପୂର୍ବରୁ କିଏ ଏପରି କରିଛି ନା ଆଗକୁ କିଏ କରିବ ।

-  ନହେଲେ ନାହିଁ, ମୁଁ କ’ଣ ବିବାହ କରିବାକୁ ପାଗଳ ହେଇ ଯାଉଛି କି? ବାପା, ମୁଁ ଯଦି ବିବାହ କରିବି ତେବେ ଏଇ ସର୍ତ୍ତରେ । ବାପା ଚିନ୍ତାକର  ଥରେ , ଝିଅଟିଏ ନିଜର ସାରା ପରିବାରକୁ ଛାଡ଼ି , ସମ୍ପୂର୍ଣ୍ଣ ଏକ ଭିନ୍ନ ପରିବାରକୁ ଯିବାକୁ , ସର୍ବୋପରି ଏକୁଟିଆ ଏକ ସର୍ବଥା ଅପରିଚିତ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଆପଣେଇବାକୁ କେତେ ସାହସର ସହିତ ଆଗେଇ ଯାଇଥାଏ । ନିଜ ଗାଁରେ ନିଜ ସହରରେ କୁଆଡ଼େ ଯାଇ ଟିକେ ବିଳମ୍ବ କଲେ ମାଆ ବାପା ଚିନ୍ତାରେ ଆକୁଳ ହୋଇ ପଡ଼ନ୍ତି । ଆଉ ଏ ତ ସମ୍ପୂର୍ଣ୍ଣ ଜୀବନର ପ୍ରଶ୍ନ । ନିଜର ହୃଦୟର ଅଂଶଟିଏକୁ କେତେ ବଦାନ୍ୟତା ଦେଖାଇ ବାପା ମାଆ ମୁର୍ଚ୍ଛି ଦିଅନ୍ତି ଅନ୍ୟ ଏକ ପରିବାରର କାୟମନୋବାକ୍ୟରେ ସେବା କରିବା ପାଇଁ । ସେ ଝିଅଟିର ସେଠାରେ ନିଜର ବୋଲି କିଏ ଥାଏ ? ତାର ସୁରକ୍ଷାର ସିକ୍ୟୋରିଟି କିଏ ଦିଏ ? ତାହେଲେ ସେ ଝିଅଟିର ଓ ତାର ମାତାପିତାର ହୃଦୟ କେଡ଼େ ବିଶାଳ ।

- ଠିକ କଥା ଯେ ମାଆ, କିନ୍ତୁ ଆଉଥରେ ଭାବି ଦେଖ୍ ।

- କ’ଣ ଆଉ ଭାବିବି ବାପା ? ଭୁଲି ଗଲ କି ମୋ ଅପାର ସେ କରୁଣ କାହାଣୀ । ମୁଁ ତ ଅନେକ ଛୋଟ ହେଇଥିଲି । ତୁମର ତ ସେ ଅଲିଅଳି ଭଉଣୀ ଥିଲେ, ତୁମେମାନେ ତ ସାକ୍ଷୀ ଥିଲ ସେ ହୃଦୟ ବିଦାରକ ଘଟଣାର । ଶିକ୍ଷଇତ୍ରୀ ଅପା ମୋର କଣ ଦୋଷ କରିଥିଲା ? କଣ ପାଇଁ ଅକାଳରେ ଝଡି ପଡ଼ିଲା ସଜ ଫୁଲପରି ମୋର ନିରିମାଖି ଅପା । ହୁଏତ ଯଦି ଏହିପରି ଅବାନ୍ତର ନିୟମଟିଏ ସରକାର ପ୍ରଣୟନ କରିଥାଆନ୍ତେ, ତେବେ ଏପରି ଅମାନୁଷିକ ଅତ୍ୟାଚାର କରି ଅପାକୁ ମାରିବାକୁ ସାହସ ହୋଇ ଥାଆନ୍ତା କି ସେ ପଶୁ ପ୍ରବୃତ୍ତିର ରାକ୍ଷସ ମାନଙ୍କର ? କଦାପି ନୁହେଁ ।

- ତେଣୁ ବାପା, ମୁଁ ଯଦି ବିବାହ କରିବି ତେଵେ ଏଇ ସର୍ତ୍ତରେ । ନହେଲେ ଆଇ ଏମ କ୍ଵାଇଟ ହେପ୍ପି ଏଣ୍ଡ କମ୍ଫର୍ଟେବ୍ଲ୍ । ଆଇ ଡୋଣ୍ଟ ୱ।ଣ୍ଟ ଟୁ ସେକ୍ରିଫାଇସ୍ ମାଇ ଲାଇଫ୍ ।

କିଛି ଦିନ ପରେ, ଅଫିସରେ ଥିଲା ବେଳେ ଝଡ଼ପରି ପଶି ଆସିଲା ତାର କଲିଗ ଦେବାଶିଷ ।

- ଏ କଣ ସୁନୈନା, ତୁମର ଏ ସର୍ତ୍ତ କଣପାଇଁ?

- କାଇଁ, ତୁମେ ପ୍ରସ୍ତାବ ନେଇ ଯାଇଥିଲ କି, ତାଛଡ଼ା ମୁଁ ତ ଭାବୁନି ମୁଁ କିଛି ଅବାନ୍ତର କରିଛି ବୋଲି ।

- ନା ନା, ତୁମର ଏ ମନୋଭାବ ଟିକେ ହେଲେ ଅବାନ୍ତର ନାହିଁ । ଏହାକୁ ମୁଁ ସମ୍ମାନ ଦେଉଛି । କିନ୍ତୁ କାରଣଟା ଜାଣିବାକୁ ଜିଜ୍ଞାସା ହେଉଛି । ତାପରେ ମୋର ତୁମ ପ୍ରତି ଅନୁରକ୍ତିକୁ ତୁମେ ଆଜି ପର୍ଯ୍ୟନ୍ତ ଜାଣି କେମିତି ପାରିନାହଁ?

ସୁନୈନା କହିଲା,

- ଲେଟ୍ସ୍ ହେଭ ସମ କଫି । ଏଠାରେ ଏତେ କଥା କହିହେବ ନାହିଁ ।

ସୁନୈନା ନିଜର ଅପାର କରୁଣ କାହାଣୀ ଗାଇଗଲା । ବିବାହର ସାତବର୍ଷ ପରେ କିପରି ତାର ଅପାକୁ ଅମାନୁଷିକ ଭାବେ ହତ୍ଯା କରି ଆତ୍ମହତ୍ୟା ବୋଲି ମିଥ୍ୟା ରଟନା କରାଗଲା । ତାଛଡ଼ା ତାର ବାପା ମାଆଙ୍କର ସେ ଏକମାତ୍ର ସନ୍ତାନ । ତାଙ୍କର ପୂରା ନିଜର ବୋଲି କେହି ନାହାନ୍ତି । ଦୂର ସମ୍ପର୍କୀୟ ଦାଦାମାନେ କଣ ତାଙ୍କର ଦାୟିତ୍ୱ ବହନ କରିବେ । ସେ ତାର ବାପାମାଆ ଙ୍କୁ ନିଃସହାୟ କଦାପି ଛାଡ଼ିବା ପାଇଁ ଚାହୁଁ ନାହିଁ ।

- ଆଚ୍ଛା !! ନାଡୀ଼ ତେବେ ଏଇଠି । ଇଏ ହେଉଛି ଅସଲ ମଞ୍ଜି । ତୁମେ ଔଷଧ ନଖାଇ ତାଟିଆ କାହିଁକି କାମୁଡୁଛ ସୁନୈନା ? ମୋର ତ ବାପାଙ୍କ ଛଡ଼ା ଦୁନିଆରେ କେହିଜଣେ ବି ନାହିଁ । ତାଙ୍କ ସହିତ ତୁମ ବାପମାଆଙ୍କ ଦାୟିତ୍ୱ ମଧ୍ୟ ଦୁହେଁ ମିଶି ତୁଲେଇଲେ କଣ କିଛି ଅସୁବିଧା ଅଛି ?

ଟିକେ ରହିଯାଇ ଦେବାଶିଷ କହିଲା ,

- ଆଇ ନୋ ଦ୍ୟାଟ ୟୁ ହେଭ ଏ ଭେରି ସଫ୍ଟ କର୍ନର ଫୋର ମି । ଆଇ ହେଭ ଫେଲ୍ଟ ଦ୍ୟାଟ ।

ଲାଜେଇ ଯାଉଥିଲା ସୁନୈନା । ଅପ୍ରସ୍ତୁତ ହୋଇ ଯାଉଥିଲା ଧରା ପଡ଼ିଯିବା ଦେଖି ।

ବିଲ ପେ ନକରି ଚାଲି ଯାଉ ଯାଉ ପଛକୁ ଅନାଇଲା ।

ଦେବାଶିଷ ଦୁଇଟା ଷ୍ଟାମ୍ପ ପେପର୍ ସଜାଡୁଥିଲା ।


Rate this content
Log in

Similar oriya story from Thriller