କଞ୍ଜୁସ
କଞ୍ଜୁସ


ଏ ଥର ଦଶହରାକୁ ଜାକଜମକରେ ପାଳନ କରିବାକୁ ମୁଁ ବହୁ ଆଗରୁ ପ୍ରସ୍ତୁତି କରି ଦେଇଥିଲି। ଆଜିକାଲି ନୂଆ ଶାଢ଼ୀ କି ଡ୍ରେସ କିଣିବା ପାଇଁ ଆଗପରି ଦୋକାନମାନଙ୍କରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ୁନି। ଅନ୍ ଲାଇନ୍ କିଣି ନିଅ, ବାସ୍ ସବୁ ଝିନ୍ ଝଟ୍ ରୁ ମୁକ୍ତି। ଦୋକାନରୁ କିଣିଲେ ଯଦି ଶାଢ଼ୀ ନ ଭଲଲଗିଲା ତେବେ ଟଙ୍କା ତ ୱାପସ୍ ମିଳିବନି ତା ଜାଗାରେ ମନ ନଥିଲେ ମଧ୍ୟ ଜବରଦସ୍ତିଆ ସେଇଟଙ୍କାରେ କିଛି ବି କିଣିବାକୁ ପଡ଼ିବ। ହେଲେ ଅନ୍ ଲାଇନ୍ କିଣିଲେ ରିଟର୍ଣ୍ଣ କରିବାରେ ଅସୁବିଧା ନାହିଁ। କୋରିଅର ବାଲା ଘରୁ ଆସି ତୁମଠୁ ପ୍ୟାକେଟ୍ ନେଇଯିବ। ତୁମ ଟଙ୍କା ଡ଼ାଇରେକ୍ଟ ତୁମ ବ୍ୟାଙ୍କ ଆକାଉଣ୍ଟକୁ ବି ଟ୍ରାନ୍ସଫର ହେଇଯିବ। ସେଥିପାଇଁ ମୁଁ ମୋର ସବୁ ସପିଙ୍ଗ ଅନ୍ ଲାଇନ୍ କରେ।
ହେଲେ ଆମ ବାବୁଙ୍କ କଥା ସମ୍ପୂର୍ଣ୍ଣ ଅଲଗା। ସେ ଦୋକାନକୁ ଯିବେ। ଜିନିଷକୁ ହାତରେ ଧରି ଭଲରେ ପରଖିବେ। କପଡା ମ୍ୟାଟେରିଆଲ ଯାଞ୍ଚ କରି ସାରିଲା ପରେ କିଣିବେ। ସେଥିପାଇଁ ତାଙ୍କ ସହିତ ମୁଁ କେବେ ଦୋକାନକୁ ଡ୍ରେସ କିଣିବାକୁ ଯାଏନି କି ସେ ମୋ ଅନ୍ ଲାଇନ୍ ସପିଙ୍ଗ ରେ ମୁଣ୍ଡ ପୁରାନ୍ତିନି।
ସବୁଥର ସେଇ ଏକା ଜାଗାରେ ଦଶହରା ମେଢ଼ ଦେଖି ଦେଖି ମନଟା ମୋର ମରି ଯାଇଥିଲା। ପୁଣି ଶାଶୁଘରେ ରହିଲେ ଶାଢ଼ୀ ପିନ୍ଧି ପୂଜା ବଜାର ବୁଲିବାକୁ ପଡ଼ିବ। କୁର୍ତ୍ତି- ପଲାଜୋ, କୁର୍ତ୍ତି- ସରାରା କିମ୍ବା କୁର୍ତ୍ତି ଓ ଲଙ୍ଗ ସ୍କର୍ଟ ପ୍ରତି ମୋର ଅଶେଷ ଦୁର୍ବଳତା।
ଏମିତି ବି ନୁହେଁ ଯେ ମୁଁ ମୋ ଶାଶୁଘରେ ଡ୍ରେସ୍ ପିନ୍ଧେନି, କିନ୍ତୁ ପର୍ବ ପର୍ବାଣୀରେ ଟିକେ ଡ୍ରେସ ପିନ୍ଧିବାକୁ ଅଖାଡୁଆ ଲାଗେ।
ସତ କଥା କହିବାକୁ ଗଲେ ଆମାଜନ୍, ଫ୍ଲିପ୍ କାର୍ଟ, ଲାଇମ୍ ରୋଡ଼ ର ମେଗାସେଲ୍ ରୁ କିଣି ରଖିଥିବା ଡ୍ରେସ ଗୁଡିକ ମୋ ଆଲମାରୀରେ ପଡ଼ି ପଡ଼ି ଅଣନିଃଶ୍ଵାସୀ ହେଇ ପଡ଼ୁଥିଲେ। ସେମାନେ ପ୍ରତିଦିନ ମୋତେ ହାତ ଠାରି ସେଠାରୁ ଉଦ୍ଧାର କରିବାକୁ କାକୁତି ମିନତୀ କରନ୍ତି। ତେଣୁ ମୋ ମନର ଇଚ୍ଛାକୁ ଆଉ ଲଗାମ୍ ଦେଇ ପାରିଲିନି।
ଯେହେତୁ ମୋ ସ୍ୱାମୀଙ୍କୁ ବାହାରେ ବୁଲିବା ଭାରି ପସନ୍ଦ ସେ ମୋ କଥାରେ ଖୁବ୍ ଜଲଦି ହଁ ଭରିଲେ। ମୋ ପରିବାର, ମୋ ସ୍ୱାମୀଙ୍କ ଦୁଇଜଣ ବନ୍ଧୁ ସପରିବାର କୋଲକାତା ଯିବାପାଇଁ ବାହାରିଲୁ। କୋଲକାତାର ପୂଜା ସତରେ ନିଆରା। ପ୍ରତ୍ୟେକଟି ମଣ୍ଡପର ସାଜସଜ୍ଜା ଏକରୁ ଆରେକ। ଆଖି ଝଲସେଇଲା ଭଳି ତୋରଣ। ପୁଣି ଠାଏଁ ଠାଏଁ ପୂଜା ପଡ଼ିଆରେ ଶାସ୍ତ୍ରୀୟ ସଙ୍ଗୀତର ମଞ୍ଚ। ଆମମାନଙ୍କୁ ଲାଗୁଥିଲା ସତେ ଯେମିତି ସିଧା ଦେବଲୋକରେ ଆମେ ପହଞ୍ଚି ଯାଇଛୁ। ପ୍ରଚଣ୍ଡ ଗହଳିରେ କାଳେ ଅଲଗା ହେଇଯିବୁ ସେଥିପାଇଁ ନିଜ ନିଜ ମୋବାଇଲ ଫୋନ କୁ ଜାଗ୍ରତରେ ଧରି ରଖିଥିଲୁ। ଯଦି ଏପରି କିଛି ଅଘଟଣ ଘଟିଲା ତେବେ ନ ଡରି ସିଧା ହେଲ୍ପ ଲାଇନ୍ ସେଣ୍ଟରରେ ପହଞ୍ଚିବାକୁ ପରସ୍ପରକୁ ସତର୍କ କରି ଦେଇଥିଲୁ।
ମୋ ବଡ଼ପୁଅ ପାଠପଢ଼ା ପାଇଁ ଆମ ସହିତ ଆସିନଥିଲା। ସାନପୁଅ ଯିଏକି ନବମ ଶ୍ରେଣୀରେ ପଢେ ସେ ବାହାରକୁ ବୁଲିବାକୁ ଗଲେ ମୋତେ ବହୁତ କମ୍ପାନୀ ଦିଏ। ତା ବାପା ସାଙ୍ଗମାନଙ୍କ ସହିତ ଚାଲୁଥିଲାବେଳେ ସେ ମୋ କରଛଡ଼ା କରୁନଥିଲା । ମୁଁ ଟିକିଏ ଶୀଘ୍ର ଶୀଘ୍ର ଚାଲିପାରେନି। ସେଥିପାଇଁ ପଛରେ ପଡ଼ିଯାଏ। ମୋ ସ୍ୱାମୀ, ତାଙ୍କ ବନ୍ଧୁ ମୋହନ, ସୁନୀଲ ନିଜର ଗୋଟିଏ ଟିମ ବନେଇ ରଖିଥିଲେ। ତେଣୁ ମୁଁ, ମୋହନଙ୍କ ପତ୍ନୀ ମମତା, ସୁନୀଲଙ୍କ ସ୍ତ୍ରୀ ସରିତା ଓ ତା ଛୋଟ ପୁଅ ବବୁଲୁ ଓ ମୋ ପୁଅ ରାହୁଲ ଏକାଠି ବୁଲୁଥିଲୁ। ମମତା ତା ଛୋଟ ଝିଅକୁ ଶାଶୁଙ୍କ ଜିମାରେ ଓଡ଼ିଶାରେ ଛାଡ଼ି ଆସିଥିଲା।
ସୁନ୍ଦର ସୁନ୍ଦର ତୋରଣ, ମନଲୋଭା ସଙ୍ଗୀତ ଆମ ମନକୁ ସ୍ବର୍ଗୀୟ ସୁଖ ଦେଉଥିଲା। ଆମେ ବୁଲୁଛୁ ହଠାତ୍ ସରିତା ପଛକୁ ଚାଲିଲା। ଆମେ କଣ ହେଲା ପଚାରିଲାରୁ ସେ ତା ନୂଆ ସମ୍ବଲପୁରୀ ନାଲି ରୁମାଲ ଯାହାକୁ କି ମାତ୍ର ମାସେ ତଳେ କିଣିଥିଲା କୋଉଠି ପକେଇ ଦେଲା ବୋଲି କହିଲା। ଆମକୁ ଅପେକ୍ଷା କରିବାକୁ କହି ସେ ଭିଡ଼ ଭିତରେ ଲୁଚିଗଲା। ମୁଁ ଓ ମମତା କିଁକର୍ତ୍ତବ୍ୟବିମୁଢ ଅବସ୍ଥାରେ ତା ପଥକୁ ଅନେଇ ରହିଲୁ। ମମତା ତ ବାରମ୍ବାର କହୁଥାଏ ଯେ ସରିତା ଏତେ କଞ୍ଜୁସ ବୋଲି ସେ ଆଗରୁ ଜାଣିଛି , କିନ୍ତୁ ସାମାନ୍ୟ ରୁମାଲଟିଏ ପାଇଁ ସେ ଏତେ ବ୍ୟସ୍ତ ହେବ ବୋଲି ଭାବି ପାରୁନଥିଲା। ଆମେ ଦୁହେଁ ତା କଞ୍ଜୁସିକୁ ନେଇ ଗପିବାରେ ବ୍ୟସ୍ତ ରହିଲୁ।
ଦୀର୍ଘ ଦଶ ମିନିଟ ପରେ ଝାଳନାଳ ହେଇ ସରିତା ହାତରେ ନାଲି ରୁମାଲଟି ଧରି ଗଡ଼ ଜିଣିଲା ପରି ଖୁସି ଖୁସିରେ ପହଞ୍ଚିଲା। ରାଗ ଚିଡ଼ୁଥିଲେ ମଧ୍ୟ ଉପର ଦେଖାଣିଆ ହସଟିଏ ହସି ଆମେ ଆଗକୁ ଚାଲିଲୁ। ରାସ୍ତାରେ ଖେଳନା ଦୋକାନରେ ବନ୍ଧୁକ ଦେଖି ବବୁଲୁ ଜିଦି କଲା କିଣିବା ପାଇଁ। ସରିତା ମୁହଁ ଛିଞ୍ଚାଡ଼ି ତାକୁ ମନା କରିଦେଲା। କହିଲା ଘରେ ଅବ୍ୟବହୃତ ଅବସ୍ଥାରେ ବହୁତ ବନ୍ଧୁକ ପଡ଼ିଛି। ବିଚାରାର ମୁହଁଟି ଦୁଃଖରେ ଝାଉଁଳି ପଡ଼ିଲା।
ସରିତାର ଏପରି କଞ୍ଜୁସିରେ ମୁଁ ଓ ମମତା ଅତିଷ୍ଠ ହେଇ ପଡ଼ିଥିଲୁ। ବାଟରେ ଗୋଟିଏ ରାଜସ୍ଥାନୀ ଚୁଡ଼ି ସେଣ୍ଟର ଦେଖି ଆମ ପାଦ ଆପଣାଛାଏଁ ଅଟକି ଗଲା। ମୁଁ ଓ ମମତା ଗଦାଏ ଚୁଡ଼ି କିଣିଲୁ ହେଲେ ସରିତା ଗୋଟିଏ ହଳ ବି କିଣିଲାନି। କିଣିବା ପାଇଁ କହିଲେ ତା ଉତ୍ତର ନିଶ୍ଚୟ ନାଁ ହେବ ସେଥିପାଇଁ କେହି ତାକୁ ବାଧ୍ୟ କଲୁନି।
ବବୁଲୁକୁ ବହୁତ ଜୋରରେ ଭୋକ ଲାଗୁଥିଲା। ସେ ଡରରେ ସରିତାକୁ କିଛି କହିଲାନି। ତା ମା ତାର ପ୍ରତ୍ୟେକଟି କଥାରେ ଅରାଜି ହେଉଥିବାରୁ ସେ ଚୁପଚାପ ଥିଲା। ଗୋଟିଏ କଣରେ ଆଳୁଦମ୍ ବିକ୍ରି ହେଉଥିଲା। ମୁଁ ମୋ ପୁଅକୁ ଠାରିଦେଲି। ସେ ବବୁଲୁକୁ ନେଇ ଆଳୁଦମ୍ ପେଟେ ଖୁଆଇଲା।
ଏମିତି ଚାଲୁଚାଲୁ ଗୋଟେ ମେଳଣ ପଡ଼ିଆରେ ପହଂଚିଲୁ। ରାତି ଅନେକ ହେଇଯାଇଥିଲା। ପୂଜା ଦେଖାରେ ଏମିତି ମଜ୍ଜି ଯାଇଥିଲୁ ଯେ ସମୟ ବିଷୟରେ ସଚେତନ ନଥିଲୁ। ହେଲେ ପେଟର ଜ୍ୱାଳା ଯେତେବେଳେ ବଢିଲା ସମସ୍ତେ ଖାଇବା ଖୋଜିଲୁ।ପାଖରେ ଛୋଟିଆ ରେଷ୍ଟୁରାଣ୍ଟ ଟିଏ ଦେଖି ସେଠିକି ଗଲୁ। କିଏ ଦହି ଆଳୁ ଚାଟ୍ , କିଏ ଛୋଲେ ବଟୁରେ , ଆଉ କିଏ ପାଓ ଭାଜି ଏମିତି ଭିନ୍ନ ଭିନ୍ନ ନିଜ ପସନ୍ଦର ଖାଇବା ବରାଦ ଦେଲୁ। ଖାଇସାରି ସଭିଏଁ ପଇସା ଦେଲା ବେଳକୁ ଦୋକାନୀ କହିଲା ଆଜ୍ଞା ପେମେଂଟ ହେଇ ସାରିଲାଣି। ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ କିଏ କଲା? ମୁଁ ଜାଣିସାରିଥିଲି ଏହା ମୋ ସ୍ୱାମୀଙ୍କ କାମ। ସାଙ୍ଗ ମେଳରେ ଯେବେ ଯୁଆଡେ ଯାଉ ଇଏ ହିଁ ସଦାବେଳେ ବିଲ୍ ଭରନ୍ତି।
କିନ୍ତୁ----- ଦୋକାନୀ ଯାହାକୁ ଆଙ୍ଗୁଠି ଦେଖେଇଲା ତାହା ଆମ ଚିନ୍ତାର ପରିସୀମା ବାହାରେଥିଲା। କଞ୍ଜୁସ ସରିତା ପୁଣି ସବୁ ପଇସା ଦେଇଛି ତାହା ମୋର ଓ ମମତାର ମନ ମାନୁନଥିଲା।
ସେ ଯାହା ବି ହେଉ ଆମର ପୂଜା ଦେଖା ସରିନଥିଲା। କୋଲକତାବାସୀ ସାରା ରାତ୍ରୀ ଉଜାଗର ରହି ପୂଜାର ମଜା ନିଅନ୍ତି। ଆମେ କାହିଁକି ସେଥିରୁ ବାଦ୍ ପଡ଼ନ୍ତୁ। ରାତ୍ରିର ଗଭୀରତା ଆମ ମନକୁ ଅଧିକ ରୋମାଞ୍ଚ ଭରି ଦେଉଥିଲା। ପୁରୁଷଦଳ ପୂଜା ମଣ୍ଡପର କାରୁକାର୍ଯ୍ୟରେ ବିଭୋର ହେଲାବେଳେ ମୋର ଓ ମମତାର ଆଖି ଖୋଜୁଥିଲା ସୁନ୍ଦର ସୁନ୍ଦର ଚିଜ ଉପରେ। ସେସବୁ କିଣି ସାଇପଡ଼ିଶାରେ ନେଇ ଦେଖେଇଲେ ସେମାନେ କିପରି ଉଲ୍ଲସିତ ହେବେ ଓ ମନେ ମନେ ଆମକୁ ଇର୍ଷା କରିବେ ତାହା ଆମେ ଦୁହେଁ ଚର୍ଚ୍ଚା କରୁଥିଲୁ।
ସ୍ତ୍ରୀଲୋକଟିଏ ତଳେ ନିଜର ପସରା ମେଲେଇଥିଲା। କାଗଜ ମଣ୍ଡର ବିଭିନ୍ନ ଫୁଲଦାନୀ, ଖେଳନା,କଣ୍ଢେଇ ଓ ସର୍ବୋପରି ମାଟିଶଙ୍ଖା , ଧଳାଶଙ୍ଖା ବିକ୍ରୀ କରୁଥିଲା। ସେ ଆମକୁ ଓଡ଼ିଆରେ କଥା ହେବାର ଦେଖି ଖୁସିରେ ଗଦଗଦ ହେଇ କହିଲା ସେ ବି ଓଡ଼ିଆ। ବାଲେଶ୍ଵରରେ ତା ଘର। ତା ସ୍ବାମୀ ନିକଟସ୍ଥ ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଅଛି। ସେ ଘର ଘର ବୁଲି ମୁଣ୍ଡରେ ପସରା ଧରି ହରେକମାଲ ଚିଜ ବିକ୍ରୀ କରେ। ପେଟପାଟଣା ପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ଭିଟାମାଟି ଛାଡ଼ି ପର ରାଇଜରେ ପଡିଛନ୍ତି। ପ୍ରତିବର୍ଷ ଚାତକ ପରି ଅନେଇ ରହେ ଏଇ ଦୁର୍ଗାପୂଜାକୁ। ମା ର ଆଶୀର୍ବାଦରେ ଭଲ ଦି ପଇସା ରୋଜଗାର ହୁଏ।
ମୁଁ କାଗଜମଣ୍ଡ ତିଆରି ମନଲୋଭା ଫୁଲଦାନୀଟିଏ କିଣିଲି। ସିଏ ଏଇଟା ଭାଙ୍ଗିବନି କହି ତଳେ ଦୁଲ୍ ଦୁଲ୍ ପିଟି ଦେଖେଇଲା। ପାଖରେ ନୂଆ ଡିଜାଇନର ସୁନ୍ଦର ସୁନ୍ଦର କୁର୍ତ୍ତି ମିଳୁଥିଲା। ମୋ ପାଦ ଦି ଟା ମନକୁ ମନ ସେଠିକି ଟାଣି ହେଇ ପଳେଇଲା। ସରିତା ହାତରେ ଛୋଟ ଛୋଟ ଦିଟା ଫ୍ରକ ଧରିଥିଲା। ମୁଁ ହସି ହସି କହିଲି
-ବବୁଲୁ ତ ତୁମର ଗୋଟିଏ ପୁଅ। କଣ କିଛି ଗୁଡ଼୍ ନିଉଜ୍ ଅଛି କି? ଆଡ଼ଭାନ୍ସ ରେ କିଣୁଛ?
ସେ ହସିଦେଇ କହିଲା- ନା ମ। ମୋ ଦିଅରର ଦିଟା ଯାଆଁଳା ଝିଅ ପାଇଁ। ସେମାନଙ୍କ ପାଇଁ କିଛି ନ ନେଲେ କଣ ମୋତେ ବାକି ରଖିବେ। ଦିଟା ଯାକ ପରା ଚବିଶି ଘଣ୍ଟା ମାମା ମାମା କହି ମୋ ବେକରେ ଓହଳନ୍ତି।
ମୁଁ ତାର ସପିଙ୍ଗ ବ୍ୟାଗକୁ ଅନେଇଲି। ସେଥିରେ ସେ ଶାଶୁଙ୍କ ପାଇଁ ଆଶାବାଡି, ଶ୍ୱଶୁରଙ୍କ ପାଇଁ ରୁଦ୍ରାକ୍ଷ ମାଳା, ବାଉଁଶର ଛୋଟ ଛୋଟ ଟୋକେଇ ଏମିତି କେତେ ଘରକରଣା ଜିନିଷ କିଣି ପୁରାଉଥାଏ।ତା ପାଇଁ ଗୋଟିଏ ବି ଚିଜ କିଣିଲାନି।
ସେ ସମୟରେ ବବୁଲୁ ଆସି କହିଲା
- ମମି ଦେଖ। ମୁଁ ଜେଜିମା ପାଇଁ ଏଇ ଭେଲଭେଟର ବଡ଼ ବଡ଼ ଟିକିଲି ପ୍ୟାକେଟ ଦି ଟା କିଣିଛି। ସେ କେତେ ଖୋଜୁଥିଲେ। ହେଲେ ଆମର ସେଠି ମିଳୁନଥିଲା। ରାହୁଲଭାଇଙ୍କଠାରୁ ପଇସା ନେଇ କିଣିଛି।
ସରିତା ଏହା ଶୁଣି ମୋ ପୁଅ ପକେଟରେ ୧୦୦ଟଙ୍କା ଦି ଟା ଗୁଞ୍ଜି ଦେଲା। ମୋ ପୁଅ ନେବା ପାଇଁ ମନା କରିବାରୁ ସେ କହିଲା
- ପୁଅ ତୁମେ ମୋ ପୁଅକୁ ଆଳୁଦମ୍ ଖୁଆଇଥିବା କଥା ମୁଁ ଜାଣେ। ପୁଣି ତୁମେ ତା ଜେଜିମା ପାଇଁ ଟିକିଲି କିଣି ଦେଲଣି।
-ହେଲେ ସବୁ ମିଶଇଲେ ତ ମୁଁ ବବୁଲୁ ପାଇଁ ପଚାଶ ଟଙ୍କା ବି ଖର୍ଚ୍ଚ କରିନି।
ବବୁଲୁ ଧୀର ସ୍ୱରରେ କହିଲା।
ସରିତା ମୋ ପୁଅର ଗାଲକୁ ତୋଡ଼ି ଦେଇ କହିଲା
- ଆଣ୍ଟିକୁ କଣ ପୁଅ ମନା କରନ୍ତି। ରଖିଥାଅ। ତମେ ଘରକୁ ଗଲେ ଦି ଭାଇ ମିଶି ଚକଲେଟ ଖାଇଦେଵ।
କାହାର ପାଟିତୁଣ୍ଡ ଶୁଣି ଆମେ ପଛକୁ ଅନେଇଲୁ। ମମତା ପାଟି କରି କହୁଥାଏ
- ଓଡ଼ିଆ ବୋଲି ଦୟାକରି ତମଠୁ ଏତେ ଚୁଡ଼ି କିଣିଲି। ଘରେ ପରା ଏତେ ଚୁଡ଼ି ଗଦା ଯେ ତମ ପରି ସାତ ସାତଟା ଦୋକାନ କରିଦେବି। ୮୦୦ଟଙ୍କାର ଚୁଡ଼ିରେ ଶହେ ଟଙ୍କାବି କାଟିବନି। ଭଲଲୋକ ତମେ !
ସ୍ତ୍ରୀଲୋକଟି ନେହୁରା ହେଇ କହୁଥାଏ
- ମା, ଶହେ ଟଙ୍କା କାଟିଲେ ମୁଁ କଣ ଲାଭ ପାଇବି? କିଣା ଖର୍ଚ୍ଚ ବି ମିଳିବନି। ଥରେ ତ ମୋ କଥା ଚିନ୍ତା କରନ୍ତୁ। ଏକା ରାଇଜର ଲୋକ ଆପଣ। ଆପଣଙ୍କୁ ମୁଁ କଣ ଠକିବି। ଠିକ୍ ଅଛି।କୋଡ଼ିଏ ଟଙ୍କା କାଟି ଦିଅନ୍ତୁ।
ମମତା କିନ୍ତୁ ନଛୋଡବନ୍ଧଙ୍କ ପରି ୭୦୦ଟଙ୍କା ସେ ସ୍ତ୍ରୀ ଲୋକ ହାତରେ ରଖି ଚୁଡ଼ି ଧରି ଆଗକୁ ବଢ଼ିଲା। ମୋ ଆଗରେ କଞ୍ଜୁସର ସଜ୍ଞା ବଦଳି ଯାଉଥିଲା।