କଂସେଇ
କଂସେଇ
ସମୀର ଜଣେ ଉଚ୍ଚଶିକ୍ଷିତ ଯୁବକ। ଉଚ୍ଚଶିକ୍ଷା ପ୍ରାପ୍ତି ଉପରାନ୍ତେ ଘରୋଇ ସଂସ୍ଥାରେ କାର୍ଯ୍ୟରତ। ସର୍ବଧର୍ମ ସମନ୍ବୟରେ ଆବାଲ୍ଯରୁ ଅନୁପ୍ରାଣିତ। ପ୍ରଥମ ଶ୍ରେଣୀରୁ ସ୍କୁଲରେ ଧାଡିରେ ଠିଆ ହୋଇ ସିଏ ଗଳା ଫଟାଇ ଗାଇଛି ଗାନ୍ଧୀଜୀଙ୍କ ଦ୍ବାରା ପ୍ରଣିତ ଭଜନ "ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ୍ ! ଇଶ୍ବର ଆଲ୍ଲା ତେରେ ନାମ୍, ସବକୋ ସନମତି ଦେ ଭଗବାନ୍ !"
ଜୀବନରେ କେବେ ବି ସମୀର କୌଣସି ପାପାଚାର କିମ୍ବା ଅପରାଧରେ ଜଡ଼ିତ ରହିନାହିଁ। ନିଜର ସ୍ଵଳ୍ପ ରୋଜଗାର ସହିତ ପରିବାର ଯାହିତାହି ଚଳିଯାଉଥିଲା। ଘରର ଏକମାତ୍ର ପୁତ୍ର। ବଡ଼ ଗେଲବସରରେ ବଢ଼ିଛି। ଆଜିକାଲି ତା'ର ବିବାହ ନିମନ୍ତେ କନ୍ୟା ଖୋଜା ଚାଲିଛି। କିନ୍ତୁ ସମୀରର କୌଣସି କନ୍ଯା ପସନ୍ଦ ନଥିଲେ।
ବାପାମାଆଙ୍କର ଚିନ୍ତା ବଢୁଥିଲା ପୁଅର ଆଚରଣକୁ ନେଇ। ପୁଣି ଆଜିକାଲିର କଥା ତ କିଛି ଅଲଗା। କେତେ ବାଦ ଆଉ କେତେ ରୁଚିର ଉଦ୍ଭବ ହେଲାଣି। ବହୁତ ପଚରାଉଚରା ପରେ ସମୀରର ମନ ତଳର ଗହନ କଥାର ଗୁମର ଫିଟିବା ବେଳକୁ ବାପାମାଆଙ୍କର ହୋଶ୍ ଉଡିଗଲା ! ପ୍ରେମ! ହଁ, ପ୍ରେମ କରିବା କିମ୍ବା ପ୍ରେମ ବିବାହ କରିବା ଯଦିଓ କିଛି ମାରହାଣ କଥା ନୁହେଁ ତଥାପି ଅନ୍ଯ ଧର୍ମରେ ପ୍ରେମ କି ମନ୍ଦ ବୁଦ୍ଧି ଜୁଟିଲା କେଜାଣି ଗୋଟିଏ ବୋଲି ପୁଅ ମୁସଲିମ୍ ଝିଅକୁ ପ୍ରେମ କରୁଛି। ଏଇଟା ହିଁ ସମୀର ଜୀବନର ପ୍ରଥମ ଏବଂ ଶେଷ ଅପରାଧ ଥିଲା। ଏକଥା ପୁଣି ଆଜିକାଲିର ନୁହେଁ। ସ୍କୁଲରେ ପାଠ ପଢିବା ବେଳଠୁଁ ପ୍ରେମ। ଯାହା ବି ହେଉ ପୁଅର ଖୁସିରେ ବାପାମାଆ ଖୁସି ହେଲେ ସଂସାର ରହିବ, ନଚେତ୍ କିଛି ବି ଅନର୍ଥ ଘଟି ପାରେ।
ପୁଅ ସମୀର ଠାରୁ ସବୁକଥା ଶୁଣି ବାପାମାଆ ତା'ର ଦୀର୍ଘ ବର୍ଷର ପ୍ରେମିକା ସଲମାର ପରିବାରବର୍ଗ ସହିତ ଦେଖା ସାକ୍ଷାତ କରିବାକୁ ପ୍ରସ୍ତୁତି ଆରମ୍ଭ କଲେ। ଉଭୟ ପକ୍ଷ ମଧ୍ୟରେ କଥାଭାଷା ଜାରି ରହିଥିଲା। ଆନ୍ତଃ ସମ୍ପ୍ରଦାୟ ବିବାହ ଦୁଇ ପରିବାର ପାଇଁ ନୂଆ ଥିଲା। ଏଣୁ ବ୍ଯାପକ ବିଚାରବିମର୍ଶ ଚାଲୁଥିଲା ଉଭୟ ସମାଜର ତୁଙ୍ଗ ବ୍ଯକ୍ତିତ୍ବଙ୍କ ସହିତ।
ଦୁଇ ପ୍ରେମୀ, ଦୁଇ ପରିବାର ନିଃସର୍ତ୍ତ ରାଜି ଥିଲେ ବିବାହ ନେଇ। ଆଶାବାଦୀ ଥିଲେ ଦୁହିଁଙ୍କର ସୁନେଲି ଭବିତବ୍ଯ ନିମନ୍ତେ। କିନ୍ତୁ କେଁ ଉଠିଲା ସଲମା ସମ୍ପ୍ରଦାୟର ମୌଲବୀଙ୍କ ପକ୍ଷରୁ। ମୁସଲମାନ ଯୁବତୀ କାଫେର୍ ଯୁବକଙ୍କୁ ବିବାହ କରିବା "ହାରାମ୍" ବୋଲି ଆପତ୍ତି ଉଠାଇଲେ ମୌଲବୀ। ଚାହୁଁ ଚାହୁଁ ସମଗ୍ର ସମ୍ପ୍ରଦାୟର ଲୋକେ ଏହି ପ୍ରସ୍ତାବିତ ବିବାହକୁ ବିରୋଧ କଲେ। କାରଣ ସେମାନଙ୍କ ଧର୍ମର ଯୁବତୀ ହିନ୍ଦୁ ଯୁବକଙ୍କୁ ବିବାହ କରିବା ସେମାନଙ୍କ ପାଇଁ ଚରମ ଅପମାନ।
ଦୁଇଟି ପ୍ରାଣୀ, ଦୁଇଟି ହୃଦୟର ବ୍ଯାପାରରେ ଧର୍ମ ସାଜିଥିଲା ବାଧକ। ପହିଲେ ପହିଲେ ବିବାହ ନେଇ ରାଜି ଥିବା ସଲମାର ପରିବାର କ୍ରମଶଃ କରଛଡ଼ା ଦେବା ଆରମ୍ଭ କଲେ। ସମୀର ଆଉ ସଲମା ଦୃଢ଼ ପରିକର ଥିଲେ ପ୍ରେମର ଚରମ ଉତ୍କର୍ଷ ପ୍ରତିପାଦନ କରିବା ନିମନ୍ତେ। ଦୀର୍ଘ ବର୍ଷର ସମ୍ପର୍କ ସମାଜର ଠିକାଦାର ଆଉ ଧର୍ମଗୁରୁ ମାନଙ୍କର ନାଲିଆଖିରେ ତ ଆଉ ଭାଙ୍ଗିଯିବ ନାହିଁ। ଦୁହେଁ ସ୍ଥିର କଲେ ଘର ପରିବାର ତ୍ଯାଗ କରି କୋର୍ଟରେ ରେଜିଷ୍ଟ୍ରି ବିବାହ କରିବା ପାଇଁ।
ସମୀର ଆଉ ସଲମା ଦୁହେଁ ଉଚ୍ଚଶିକ୍ଷିତ, ପ୍ରାପ୍ତ ବୟସ୍କ, ସକ୍ଷମ ଏବଂ ସମର୍ଥ ଥିଲେ ରାଜିନାମାରେ ଉପନୀତ ହେବା ନିମନ୍ତେ। ବିବାହ ସମ୍ପନ୍ନ ହୋଇଗଲା କୋର୍ଟର ଚାରିକାନ୍ଥ ମଧ୍ୟରେ ଦୁଇ ପରିବାରର ବିନା ଉପସ୍ଥିତିରେ। କିନ୍ତୁ ବାହାରର ଦୁନିଆ ବିଷମୟ ଲାଗୁଥିଲା ଦୁହିଁଙ୍କୁ। ମୌଲବୀଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଧମକଚମକ ଦେଉଥିଲେ। ନାନାପ୍ରକାରର ହଇରାଣ ହରକତ କରୁଥିଲେ। ଅନ୍ୟୋପାୟ ହୋଇ ଦୁହେଁ ନିଜର ପ୍ରିୟ ସହରକୁ ଛାଡ଼ି ଦୂର ସ୍ଥାନକୁ ସବୁଦିନ ପାଇଁ ଚାଲିଯିବାର ଯୋଜନାରେ ଥିଲେ। କିନ୍ତୁ ବିଧିର ଭିନ୍ନ ବିଧାନ ଥିଲା। ଦିନେ ସକାଳୁ ସକାଳୁ ସହରର ଏକ ଅପରିତ୍ଯକ୍ତ ସ୍ଥାନରୁ ଦୁଇଟି ଗଳିତ ଶବ ଉଦ୍ଧାର କରାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ଦୁଇ ଦିନ ପୂର୍ବରୁ ସମୀରର ବାପାମାଆ ପୁଅ ବୋହୂ ନିଖୋଜ ଥିବାର ରିପୋର୍ଟ ଲେଖାଇଥିଲେ। ଦୂରରେ ଥିବା ସ୍କୁଲରୁ ଶୁଭୁଥିଲା ସେଇ ବହୁପ୍ରଚଳିତ ଭଜନ ।