କଙ୍କଡା
କଙ୍କଡା
ଶ୍ରାବଣ ମାସ ବର୍ଷା । ଢୁ ଢୁ ବର୍ଷାରେ ବିଲକାମ ନ କଲେ ନ ଚଳେ । ନିଧିଆ ପାଞ୍ଚ ମାଣ ଜମିରୁ ତିନି ମାଣ ରୋଇବାକୁ ରଖିଛି । ଦୁଇମାଣ ପୂର୍ବରୁ ବୁଣି ଦେଇଛି । ଏବେ ଯାହା ବେଉସା ଖେଳୁଆ ପକା । ହୁଡା ହଣା ନ ହେଲେ ନ ଚଳେ । ସବୁ ବର୍ଷ ହୁଡା ଧସି ଯାଉଛି । ତା ପରେ ହୁଡା ହାଣି ହୁଡା ଉପରେ ମାଟି ଦେଲେ ବିରି ଲାଗିବ । ତିନି ମାଣ ଜମିରେ କାଦୁଅ ଚାଲିଛି । କାଦୁଅ ହୋଇ ମଇ ଲାଗି ଏବେ ଜମି ସମତୁଲ । ତଳି ପଡିଲେ ରୁଆ ହେବ । ସମତୁଲ କାଦୁଅ ଜମିରେ ଯୁଆଡେ ଦେଖିବ ଖାଲି କଙ୍କଡା।
ନିଧିଆ ସେହି କାଦୁଅ ବିଲକୁ ଦେଖୁଥାଏ କଙ୍କଡ଼ାଟି କାଦୁଅ ଜମିରେ ଦୌଡୁଛି । କାହାକୁ ଦେଖିବା ମାତ୍ରକେ ଭୟରେ ଗାତ ଭିତରକୁ ପଶି ଯାଉଛି । ବଡ ଚଳଚଞ୍ଚଳ ତା ଆଘ୍ରାଣ ଖିଆଲ ! ଲାଲ ଟୁକୁଟୁକୁ ସୁନ୍ଦର ଶରୀର । ସୁନ୍ଦରତା ଭିତରେ ଆନନ୍ଦ ଅଛି କି ବିଷାଦ ଅଛି କିଏ ଜାଣେ ? କଙ୍କଡା ଭିତରେ କେତେ ଯେ ଦୁଃଖ ଲୁଚକାଳି ଖେଳୁଛି ! ତାକୁ କଣ କିଏ କେବେ ଦେଖିଛି ? ନା ଜାଣିଛି ? ନା ଅନୁଭବ କରିଛି ? ଯେମିତି ନିଧିଆ....
ଆଜି ପର୍ଯ୍ୟନ୍ତ ବର୍ଷା ନ ଥିଲା । ଏବେ ଟିକେ ବର୍ଷା ହେବାରୁ ଅନେକ ସ୍ବପ୍ନ ପୂରଣର ଆଶା ବାନ୍ଧିଛି ମନରେ । କାଳିଆ ସାହୁକାର ଋଣ ଦେଇଛି । ଫସଲ କାଟୁ କାଟୁ ଧାନ ନେବ । ଫସଲ ଭଲ ନ ହେଲେ ଋଣ ବଢି ବଢି ଯିବ । ରୋଗିଣା ମା' ଟି ପଡିଛି। ତାକୁ ଓଷ ନ ଦେଲେ ମାତୃ ପିତୃ ଋଣରେ ଘାଣ୍ଟି ହେବାକୁ ପଡିବ । ବାପା ଅଚଳ । ବୟସ ଥିଲାବେଳେ ବାପା ଜମି ବାଡି ଠାରୁ ଗାଈ ଗୋରୁ କାଠ ସଂଗ୍ରହ ପର୍ଯ୍ୟନ୍ତ ସବୁ କଥା ବୁଝୁଥିଲେ । ଏବେ ସେ ବସିବା ସ୍ଥାନରୁ ଉଠିବାର ଆଉ ଶକ୍ତି ନାହିଁ । ବାହାରେ ବର୍ଷା ନ ହେଉଣୁ ଘରେ ବର୍ଷା । ଘରର ଚାଳ ଉଡି ଗଲାଣି । ଝିଅକୁ ଦି ଅକ୍ଷର ପଢାଇବା ପାଇଁ ପଇସା ନାହିଁ । ଅଭାବଟା ଯାଦୁ ଭଳି ମାଡି ମାଡି ଯାଉଛି ।
ମନୁଷ୍ଯର ଜୀବନଟି ସଦାସର୍ବଦା ସଂଘର୍ଷମୟ । କଙ୍କଡା ଜୀବନରେ ଖୁସି ଥାଏ ଆନନ୍ଦ ଥାଏ । ମନୁଷ୍ଯ ସେତକ ପାଇବା ପାଇଁ ସଂଘର୍ଷ କରିଥାଏ। ସ୍ଥିତି, ଅବସ୍ଥିତି, ପରିସ୍ଥିତି ଏସବୁକୁ ନେଇ ମନୁଷ୍ଯ ଗତି କରିଥାଏ, ବେଳେ ବେଳେ ଅସ୍ଥିର ଭାବରେ ମଧ୍ୟ । ମଣିଷର ଜୀବନଟା ବିଚିତ୍ର ... ଏବଂ ତା ଜନ୍ମ ବୃତାନ୍ତ ବି..... । ବିଚିତ୍ର ତା ଜୀବନ ସଂଳାପ । ବିଚିତ୍ର ତା ମୃତ୍ୟୁର ବଙ୍କାତେଢା ପାହାଚ !
ଲାଲ କଙ୍କଡାଟି ପ୍ରକୃତିର ବରଦାନ । ତାର ପ୍ରତ୍ୟେକ ଗୋଡରେ ବିଦାରି ପାରେ କାଦୁଅ, ବାଲି, ମାଟି। ତିଆରି ପାରେ କାହାପାଇଁ ସୁରମ୍ୟ
ସୁଡଙ୍ଗ । ସଂଙ୍ଘର୍ଷକୁ ସେ ହତିଆର କରିଛି। ଆଉ ତା ଆୟୁଷକୁ କେତେ ମାତ୍ରାରେ ଆୟତ୍ତ କରିପାରିଛି... ସବୁ ଯେମିତି ଏବେ ପ୍ରଶ୍ନବାଚୀ ? ନିଜ ଜୀବନକୁ ଖାତିରି ନ କରି ଲାଲ କଙ୍କଡା ବାଣ୍ଟି ଚାଲିଛି କିଛି ଆନନ୍ଦ । ଅସଂଖ୍ୟ ଛାତି ତଳେ ତା ପ୍ରେମର ଲାଲିମା । ସେଇ ଅଦୃଶ୍ୟ ପ୍ରେମରେ ମଣିଷ ପାଲଟିଯାଇଛି। ଏବେ ଗୋଟେ ବାକ୍ ଶୂନ୍ୟ କ୍ରୀତଦାସ ।
ପ୍ରେମର ପ୍ରତିଦାନ କଣ ? ହୋଇପାରେ ବିଶ୍ୱାସ ଘାତକତା ? ଲାଲ କଙ୍କଡାର ଶବ ଉପରେ ଥରେ ନିଜର ଛାତିକୁ ପଚାରି ମନେପକାଏ ଗାରିମାମୟ ତା ପ୍ରେମର ଇତିକଥାକୁ !
ମନୁଷ୍ଯର ସ୍ୱପ୍ନ ଆଜି ବିଲ ଗହିରି ର ସବୁଜିଆ ଗୀତ। ଦଲକାଏ ବର୍ଷା ଲେସା ପବନ। ନିଧିଆ ସବୁ ଦେଖେ ଅନୁଭବ କରେ । ବରଷ ଯାକର ଋଣର ହିସାବ ନିକାଶ ଗାଁ ସାହୁକାରକୁ ଦେବାକୁ ହେବ। ଋଣ ସୁଝାରୁ କାଖରେ ଝୁଲିଥିବା ବର୍ଷିକିଆ ଛୁଆ ର ଭବିଷ୍ୟତ ଯାଏଁ । ଭଂଗାକୁଡିଆର ଛପର ଠାରୁ ଆଉ ମାଣେ ଯୋଡ଼ି ବାର ସୁନେଲି କଳ୍ପନା ନିଧିଆର । ଗେରସ୍ତର ପଖାଳ ପିଆଜ ଅଁଈଠା ରେ ଭିଜା ଭିଜା ସ୍ବପ୍ନ, ଆଉ ଜହ୍ନ ରାତି ପାଲଟି ଯାଏ ନିଧିଆ ସ୍ତ୍ରୀ ର । ତାଳଗଛ ଛାଇ ଓସାର ହୁଡା । କାନି ପଣତ ରେ ସାଉଣ୍ଟେ ବାଲିଛତୁ । ମୁଠାଏ ଚଡଚଡି ପତ୍ରପୋଡା ରେ ମହକି ଯାଏ ସାହିପଡିଶାର ଭୋକିଲା ଭୋକ ? କାଳିଆ କଷରା କୁ ଘାସ ମୁଠେ ଠେଲିଦେଇ ରକ୍ତ ନିଗାଡି ଦିଏ ହଳ କରିବାରେ । ଦି ମାଣ ଭାଗ୍ୟ କୁ ଲଂଗଳର ତାକତ ।
ଅନାଇଛି ନିଧିଆ ଆକାଶକୁ । ଅଧାନାଲି କଙ୍କଡାର ଆଖି । ଗାତ ର ଗୁଳିଗୁଳି ରେ ଅଣନିଶ୍ବାସୀ କଙ୍କଡାର ଭାଗ୍ୟ । ଫାଟି ପଡୁଛି ନେଳିଆ ଆକାଶ । ପହଁରି ପଁହରି ଅଦୃଶ୍ୟ ହେଉଛନ୍ତି । ଶ୍ରାବଣ ମାସର ଅଗର୍ଭା ମେଘମେଦୁର । ନିଧିଆ ଭାଗ୍ୟ ରେ ଲେସି ଦେଉଛି । ଗଜାମରୁଡ଼ି ର ଅଭିଶାପ । ଶୁଖିଲା ଶ୍ରାବଣ ର ଶ୍ରଦ୍ଧାଞ୍ଜଳୀ ରେ ଜକେଇ ଆସୁଛି ଦି ବୁଂଦା ଲୁହ । ଦଶଟି ଗୋଡକୁ ଜାକିଯୁକି , ଅଧାପାତାଳୀ ହେଉଛି କଙ୍କଡାର କୋହ । କଙ୍କଡା ପରି ନିଧିଆ ର ଅନେକ କୋହ । କାହାକୁ କହିବ.... । ଅବ୍ୟକ୍ତ ଭାବନା । ସ୍ବପ୍ନ ଭିତରେ ଖୋଜୁଛି ଋଣ ସୁଝିବାର ପ୍ରତିବଦ୍ଧତା । କାଳିଆ ସାହୁକାରର ଋଣ ସୁଝିଲେ ଶାନ୍ତିରେ ରହିବ ଭାବୁଛି ନିଧିଆ । ଝିଅକୁ ଦି ଅକ୍ଷର ପଢ଼ାଇବି । ଘର କରିବି । ବାପା ମା କୁ ସେବା କରି ପିତୃ ଋଣ ପରିଶୋଧ କରିବି । ଏସବୁ ଭାବି ହେଉ ଥିଲେ । ସ୍ବପ୍ନ ଦେଖୁଥିଲେ ମଧ୍ୟ ମେଘ କ'ଣ ତାକୁ ସାଥି ଦେବ ? ନା କଙ୍କଡା ଗାତରେ ଯାକି ଯୁକି କୋହରେ ବୁଡି ରହିବ। ନା ନିଧିଆ ସଦା ଭଙ୍ଗା କୁଡିଆରେ ଭାବି ହେଉଥିବ ! ! !