କଜଳପାତିଆ ଭଲଲୋକ
କଜଳପାତିଆ ଭଲଲୋକ


ଏ ସେ ଯୁଗର କଥା ଯେବେ ମଣିଷ ମାନେ ସଭ୍ୟ ହୋଇନଥିଲେ । ଗାଈଗୋରୁ ଜଙ୍ଗଲରେ ସ୍ବଚ୍ଛନ୍ଦ ଭ୍ରମଣ ରମଣ ଶୟନ ତଥା ଜଙ୍ଗଲୀ ଜୀବନଯାପନ କରୁଥିଲେ । ସେଦିନିଆ ଏକ ଷଣ୍ଢ କୁ ଏକ ଗାଈକୁ ଦେଖି ପ୍ରଥମ ଦେଖାରେ ପ୍ରେମ ହୋଇଗଲା
କିନ୍ତୁ ସେ ଗାଈଟି ଆଧୁନିକା ଏଣୁ ସବୁକଥାରେ ଯୁକ୍ତିଯୁକ୍ତ ତଥ୍ୟ ଦେଖେ । ଷଣ୍ଢର ପୃଥୁଳାଙ୍ଗ ଦେଖି ସେହି ଆଧୁନିକା ଗାଈଟି ନାକଟେକେ । ଭାବବିହ୍ବଳ ହୋଇ କାହା କଥାରେ ଭୂଲିଯିବା ଗାଈର ସ୍ବଭାବ ନୁହେଁ ଜାଣି ଷଣ୍ଢ ଟି ଶେଷରେ କଜଳପାତିଠାରୁ ସାହାଯ୍ୟ ଭିକ୍ଷା ଆଶେ ଗଲା ।
ବୃଷଭ ନିଜ ଦୁଃଖ କଥା କହି ଶୁଣେଇଲାରୁ କଜଳପାତି ଏକ ସର୍ତ୍ତ ମାନିଲେ ତା' ଅସାଧ୍ୟ କାର୍ଯ୍ୟ ସିଦ୍ଧି କରିଦେବ ବୋଲି କହିଲା ।
କଜଳପାତି ଚାହୁଁଥିଲା ବୃଷଭର କାର୍ଯ୍ୟ ସିଦ୍ଧି ପ୍ରାପ୍ୟ ହିସାବରେ
ସେ ତାକୁ ନିଜ ପିଠିରେ ବସିବାକୁ ଦେବ । ଷଣ୍ଢ ଏକଥାରେ ରାଜି ହେଲାରୁ କଜଳପାତି ତାଙ୍କ ଦୁହିଁଙ୍କ ମଧ୍ୟରେ ମଧ୍ଯସ୍ଥ ହେବାକୁ ରାଜି ହେଲା । କଜଳପାତି ତହୁଁ ଗାଈ ପାଖକୁ ଯାଇ ଭଲ ଭଲ କଥା କହି ତା ମନରେ ଷଣ୍ଢ ପ୍ରତି ପ୍ରଣୟ ଉତ୍ପନ କରାଇଲାରୁ ସେ ଗାଈ ଯାଇ ରାଜି ହୋଇଲା ।
ଗାଈଟି ସେଇଠୁ କଜଳପାତିକୁ ନିଜ ପିଠିରେ ବସାଇ ଷଣ୍ଢ ପାଖକୁ ଚାଲିଲା । ଏଣେ ଷଣ୍ଢଟା କାମିନୀ କାମନା ଆଶେ କାମଜ୍ବାଳାରେ ପୀଡ଼ିତ ହୋଇ ଦେହ ଗେହ ସବୁ ଭୂଲି ଆଖି ଥାଉଁ ଥାଉଁ ଅନ୍ଧ ହୋଇସାରିଥାଏ ।
ଷଣ୍ଢ ଯେମିତି ନିଜ ପ୍ରାଣପ୍ରିୟାକୁ ତା ସନ୍ନିକଟରେ ପାଇଲା ଆଉ କି ସେ ନିଜକୁ ସଂଯତ ରଖିପାରୁଛି....!
ଗାଈ ସହ ସଂଗମ କରିବା ହେତୁ ଦୌଡି ଯାଇ ତା ଉପରେ ଚଢିଗଲା ।
ସେ ଦୁହିଁଙ୍କ ସଙ୍ଗମକାଳରେ କଜଳପାତି ଗାଈପିଠିରେ ବସିରହିଲା ଫଳରେ ବୃଷଭ ଦେହ ଭାରରେ ପିଷ୍ଟ ହୋଇ ତା'ର ପ୍ରାଣହାନୀ ଘଟିଲା । ସେଇଦିନ ଠାରୁ ଯେଉଁ ଲୋକ ଅନ୍ୟର ମଧ୍ୟସ୍ଥତା କରିବାକୁ ଯାଇ ନିଜେ ନଷ୍ଟ କି କ୍ଷତିଗ୍ରସ୍ତ ହୁଏ ତାକୁ ଲୋକମାନେ କଜଳପାତିଆ ଭଲଲୋକ କଥା ଶୁଣେଇବା ଆରମ୍ଭ କରିଦେଲେ ।