କି ହେବ ଶୁଆ ପୋଷିଲେ..
କି ହେବ ଶୁଆ ପୋଷିଲେ..
ଅନେକ ଦିନ ପରେ ସମ୍ୟୁକ୍ତା ଆସୁଛି, ଫ୍ରିଜରେ ସେଓ ନାସପାତି ଆଣି ରଖିଲା ରିତୁ । ବାହାରେ ଠେଲାଵାଲା ଡାକିବାର ଶୁଣି ବାଲକୋନୀରୁ ଝୁଙ୍କି ଦେଖିଲା ତାର ପ୍ରୀୟ କରମଙ୍ଗା କିଏ ବୁଲା ବିକାଳୀ ଜାଣିଲା ପରି ଆଣି ବିକୁଥାଏ। ରିତୁ ଦୌଡ଼ିଯାଇ କିଲେ କରମଙ୍ଗା ଆଣି ସାଇତି ସାନ ଭଉଣୀ ଅପେକ୍ଷାରେ ଅଛି।
ମନେ ମନେ ରାଗୁଥାଏ।
ଯେବେଠୁଁ ଫରେଷ୍ଟର ବାବୁଙ୍କୁ ବାହା ହୋଇଛି ସେବେଠୁ ଭୁଲି ଯାଇଛି ବୋଧେ ଭଉଣୀକୁ । ଏବେଯାଇ ସମୟ ହେଲା ସ୍ୱାମୀଙ୍କ ସାନିଧ୍ୟରୁ ଟିକେ ସମୟ ବାହାର କରି ନାନୀ ପାଖରେ ଛୁଟିକଟେଇ ଯିବାକୁ। ଖୋଖାରା, ମଧ୍ୟପ୍ରଦେଶରେ ଭଉଣୀ ଜ୍ୱାଇଁ ଙ୍କ ପୋଷ୍ଟିଙ୍ଗ। ଏଥର ଆସୁନାହାନ୍ତି...
କୁଆଡେ ତାଙ୍କ ଡିଭିଜନର ସବୁ ରିପୋର୍ଟ ଦେବାକୁ ହେବ କଞ୍ଜରଭେଟରଙ୍କୁ।
ଅଳ୍ପ ସମୟରେ ଗେଟ ପାଖରେ କ୍ୟାବ ଆସି ପହଁଚିଲା।
ପିଲାଛୁଆ ସମସ୍ତେ ଉପରମହଲାରୁ ଧାଇଁଯାଇ ଶଙ୍ଖାଳି ଆଣିଲେ ସମ୍ୟୁକ୍ତାକୁ । ଜ୍ୱାଇଁ ପିଲାଙ୍କ ପାଇଁ ପଠେଇ ଦେଇଛନ୍ତି ଗୋଟେ ଶୁଆ। କଥାକୁହା ଚଢେଇ ଦେଖି ପାଖ ଆଖ ପିଲାମାନେବି ଚାଲି ଆସିଲେ ଖେଳିବାକୁ। ଭଉଣୀ ସହ କେମିତି ଚାରିଦିନ ବିତିଗଲା ଜଣା ପଡିଲାନି।
ସେତ ଖୁସିରେ ଚାଲିଗଲା। ହେଲେ ଶୁଆ ବେକରେ ବାନ୍ଧି ଚାଲିଗଲା, ତାର ଯତ୍ନ ଫତ୍ନ ନବ କିଏ ଏବେ?
ଦିନେ ରିତୁ ଦେଖିଲା, କେଉଁଠୁ ଏକ ଫୁରକୁଟିଆ ଗନ୍ଧ ଆସୁଛି। ଶୁଆଟି ମଳ ମୂତ୍ର ତ୍ୟାଗ କରି ଗନ୍ଧ କଲାଣି।
ଭାବିଲା ହେ ଭଗବାନ...ଏବେ ସେସବୁ ବି ସଫା କରିବାକୁ ପଡିବ?
ସକାଳ ସନ୍ଧ୍ୟା ଖାଇବା ଦିଅ, ପାଣି ଦିଅ, ତା ପରେ ସଫା ବି କର!! ସେଥିପାଇଁ ତାକୁ ସମୟ କାହିଁ? ମନେ ପଡ଼ିଲା ପାଖ ଘର ଦାସବାବୁଙ୍କ ସ୍ତ୍ରୀ ଭଲ ଅଫର କରିଥିଲେ ଶୁଆକୁ କିଣି ନେବାକୁ...କିନ୍ତୁ ସମ୍ୟୁକ୍ତା ଆଗରେକି
ସେ ରୋକଠୋକ ମନା କରିଦେଲା ଗିଫ୍ଟ ବୋଲି କହି.. କାହିଁ କହୁଥିଲା କେଜାଣି? ହାତରେ ପାଞ୍ଚ ରଖି କଥା ହେଇଥିଲେ ଆଜି ଶୁଆକୁ ତାଙ୍କ ହାତରେ ଦେଇ ପାରିଥାନ୍ତା। ସମ୍ପର୍କ ବି ଖଟା ହେଇନଥାନ୍ତା। ମୁହଁ ମୋଡି ଚାଲିଗଲେ ମିସେସ ଦାସ ।
ଛାଡ଼, ପୂର୍ଵ କଥା ଆଉ ଭାବି ଲାଭ କଣ?
ପିଲାମାନେ କେହିବି ଦାୟିତ୍ୱ ନେଉ ନଥାନ୍ତି, ପିଞ୍ଜରା ସଫାକଲା ଦିନ ଏଣେ ଖୁମ୍ପି ଦେଲାଣି ଶୁଆ,
ରିତୁ ପାଟିରୁ ହଠାତ ବାହାରି ପଡ଼ିଲା
-ଅକାଳ କୁଶ୍ମାଣ୍ଡ। ତୋର କିଛି ହବାର ନାହିଁ।
ଶୁଆ ବି ଦୋହରେଇଲା
-ଅକାଳ କୁଶ୍ମାଣ୍ଡ। ତୋର କିଛି ହବାର ନାହିଁ।
ଶୋଇଲାବେଳେ ଭାବିଲା ରିତୁ...
ସ୍ୱାଧୀନ ପକ୍ଷୀ, ତା ଜାଗା ଛାଡି ପଞ୍ଜୁରୀଟା ଭିତରେ ପଡିଛି। ତା ଦୋଷ କଣ? ପାଚିଲା ଲଙ୍କା, କୁନ୍ଦୁରି, କାକୁଡି, ପିଜୁଳି ବଜାରରୁ ବାଛି ବାଛି ଆଣି ଖୁଆଇଲେ ତାକୁ। ପିଲାମାନେ ମଜା ଦେଖୁଥାନ୍ତି।
ଏ କେତେ ମାସ ଭିତରେ କେତେ କଥା ଶିଖି ଯାଇଥାଏ ଶୁଆଟି। ଖାଲି ପିଲାଙ୍କ ଠାରୁ ମିଠୁ ମିଠୁ, ଗୁଡ଼ ମର୍ନିଙ୍ଗ ନୁହେଁ, ଶାଶୁଙ୍କ ଠାରୁ ସୂର୍ଯ୍ୟଙ୍କ ନାଁ ସବୁ, ଶିବ ପଞ୍ଚ।କ୍ଷର ମନ୍ତ୍ର, ବାହାର ବୁଲା କୁକୁର, ବିରାଡ଼ି, ପକ୍ଷୀ ମାନଙ୍କ ଶବ୍ଦ ସବୁ ନକଲ କରୁଥାଏ।
ତେଣେ ମିସେସ ମହାପାତ୍ର ଆସି କହୁଥାନ୍ତି
-ହୁଁ, ବ୍ୟାଡ଼ ଟେଷ୍ଟ... ଆଜିକାଲି ଛଡେଇ ଫଡେଇ କିଏ ରଖୁଛି ବାଲକୋନୀରେ? ସୋ ଓ଼ଲ୍ଡ ଫ୍ୟାସନଡ଼।
ମିସେସ ମହାପାତ୍ରଙ୍କୁ ତ ସୋସାଇଟି ଜାଣିଛି ଭାରି ଅପ୍ରିୟ କଥା ମୁହଁ ଉପରେ କହିବା ଲୋକ.. ତାଙ୍କ କଥା ଧରୁଛି କିଏ ?
ସେତେବେଳେ ସିନା କହିଦେଲେ, ଭଉଣୀ ବଡ଼ ଶ୍ରଦ୍ଧାରେ ପିଲାମାନଙ୍କ ପାଇଁ ଆଣିଛି, ହେଲେ ସେଇଠି କଣ୍ଟା ଲାଗିଲା,
ବ୍ୟାଡ଼ ଟେଷ୍ଟ...ଓ଼ଲ୍ଡ ଫ୍ୟାସନଡ଼
ସ୍ୱାମୀ ସୁନୀଲ ଦିନେ କହିଲେ ସପ୍ତାହକ ପାଇଁ କୋଡାଇ କେନାଲ ଯାଇ ବୁଲି ଆସିବାକୁ।
ଏବେ ଶୁଆକୁ କଉଠିକି ମୁଣ୍ଡେଇ ନେବେ?
ପରଦିନ ପିଞ୍ଜରା ସହିତ ଶୁଆକୁ ନେଇ କୋରିଅର ସର୍ଭିସ ଵାଲା ପାଖକୁ ଗଲା ଭଉଣୀକୁ ତା ଶୁଆ ତା ଘରଆଡ୍ରେସ ପଠେଇ ଦେବାକୁ। ହେଲେ ପଶୁ ପକ୍ଷୀ କଣ ନର୍ମାଲ କୋରିଅର କରିହେବ?
ପଡୋଶୀ ମିସେସ ମୋନାଙ୍କ କଥା ମନେ ପଡ଼ିଲା। ସପ୍ତାହକ ପାଇଁ ତାଙ୍କ ଘରେ ଛାଡି ସପରିବାର ଚାଲିଲେ ବୁଲି। ଫେରିଲା ବେଳକୁ ଶୁଆ ନାହିଁ। ମିସେସ ମୋନାଙ୍କ ଦୁଷ୍ଟପୁଅ ଅମରିଶ କୁଆଡେ ପିଞ୍ଜରା ଖୋଲି ଦେଇଥାଏ, ଶୁଆ ଫୁରକି ଉଡି ଯାଇଛି।
ଘରକୁ ଆସି ଖାଲି ଖାଲି ବାଲକୋନୀ କୁ ଦେଖୁଥାଏ ରିତୁ । ଘର ଗନ୍ଧିଆ କଲାବୋଲି କେତେ ଗାଳି କଲେ ତାକୁ, କେତେ ହସିଲେ ତା ପାଇଁ, କେତେ ଖେଳିଲେ ନିରୀହ ପକ୍ଷୀଟି ସହ, କେତେ ମଜା କଲେ ସମସ୍ତେ। ପରିବା ଆଣିବା ବେଳେ ତା ପସନ୍ଦ ନାପସନ୍ଦ କଥା ଆଗେ ଭାବିଲେ। ପିଲାମାନେ କେଡ଼େ ଖୁସି ହେଉଥଲେ ତାକୁ ଦେଖି।
ଅଭ୍ୟାସ ହେଉ ବା ଆମୋଦ...ଖାଁ ଖାଁ ଘରଟା ଭିତରେ ତା' କଥା ଦିନସାରା ଶୁଣିବାକୁ ଭଲ ଲାଗୁଥିଲା। ଯାହା ହେଲେ ସେ ଘରର ସଦସ୍ୟ ପରି.... ହଠାତ କୁଆଆଆଡେ ଚାଲିଗଲା..??
ଦିନେ ପୂର୍ଵ ପରି ଶାନ୍ତି ହିଁ ଦରକାର ଥିଲା ତାଙ୍କୁ।
ଶୂନ୍ୟତାକୁ କଣ ଶାନ୍ତି କହିହୁଏ? ଶାନ୍ତି ତ ମନଭିତର କଥା। ପକ୍ଷୀଟିର କୋଳାହଳରେ ବି ଅଜଣା ଶାନ୍ତିଟିଏ ଥିଲା।
ସନ୍ଧ୍ୟା ସମୟ.. ମିଠୁ ର ହରିବୋଲ ଆଉ ଶୁଭାଯାଉନଥାଏ...ଆଖିରେ ଲୁହ ଜକେଇ ଆସିଲା...ମନ କହୁଥାଏ ତାକୁ ସେ କେତେ ଖୋଜିଲାଣି...ସେ କଣ ବାଟଖୋଜି ନିଜେ ଉଡି ଆସିପାରୁନି?
ଦିନେ ମନ୍ଦିରରୁ ଫେରିବା ବାଟରେ ଭବିଷ୍ୟବାଣୀ କରୁଥିବା ଶୁଆଉପରେ ଆଖି ପଡ଼ିଲା ରିତୁର। ଦେଖୁଁଦେଖୁଁ ଜାଣିଦେଲା ତାଙ୍କରି ପୋଷା ମିଠୁ ବୋଲି କାରଣ ତା' ଥଣ୍ଟର ଟିକେ ବାଁ ପଟକୁ କଟା ଦାଗ। ତଥାପି ପାଖରୁ ଦେଖିବାକୁ ଭିଡ଼ ଠେଲି ଆଗେଇ ଗଲା । ସେ ଲୋକଟିକୁ ପଚାଶ ଟଙ୍କା ବଢ଼େଇ କହିଲା,
-ମୋ ଭବିଷ୍ୟତ କଥା ପଚାର ତ ସେ ଶୁଆକୁ …..
ଶୁଆ କହିଲା,
-ଅକାଳ କୁଶ୍ମାଣ୍ଡ। ତୋର କିଛି ହବାର ନାହିଁ।
ଫିକ କିନା ହସିଦେଲା ରିତୁ।
.... ଏଥର ସେ କନଫର୍ମ ହେଇଗଲା ସେ ହିଁ ତା ମିଠୁ ବୋଲି।
ଶେଷକୁ ଦୁଇ ହଜାର ଟଙ୍କା ନେଇ ଲୋକଟି ରାଜିହେଲା ଶୁଆକୁ ବିକିବାକୁ।
ମୁକୁଳେଇ ଆଣିଲା ସିନା ଏଥର କିନ୍ତୁ ଆଉ ତାକୁ ଘରେ ରଖିବାକୁ ମନକରୁ ନଥିଲା ରିତୁର , ତାକୁ ତାରି ଘରେ ଛାଡିଦେଇ ଅନନ୍ୟ ଖୁସିଟିଏ ସାଉଁଟି ନେବାକୁ ମନ କହୁଥିଲା। ଭଲ ପାଇବା ଆବୋରିବା ହେଇ ନ ପାରେ.. ଅନ୍ୟର ସୁଖ ରେ ନିଜର ସୁଖ ଦେଖିବା ହୁଏତ ଭଲ ପାଇବାର ସବୁଠୁ ଉଚ୍ଚତର ସଂଜ୍ଞା ।
ପଞ୍ଜୁରୀ ଫିଟାଇ ତାକୁ ମୁକ୍ତ କରିଦେଲା ରିତୁ। ଏକ ପରାକ୍ରମୀ ରାଜା ପରି ସବୁରି ହୃଦୟ ଜିତି ସାରିବା ପରେ ଦୂର ଦିଗବଳୟର ସୀମା ଅତିକ୍ରମକରି ଉଡିଚାଲିଥାଏ ପକ୍ଷୀଟି ନିଜର ବିଜୟ ଗାଥା ଗାଇ ଗାଇ..
