କହିବାକୁ ଡର ଲାଗୁଛି ....
କହିବାକୁ ଡର ଲାଗୁଛି ....
ସକାଳୁ ସକାଳୁ ସୁଜାତା ଚାହା କରି ଅଶୋକ ବାବୁ ଙ୍କ ପାଖରେ ବସି ଗୋଟିଏ କପ ତାଙ୍କୁ ବଢ଼ାଇ ଦେଉ ଦେଉ କହିଲେ ,"ଏବେ ସବୁ କଣ ହେଲାଣି ଯେ କିଛି କହିବାକୁ ଡର ଲାଗୁଛି ."
ଅଶୋକ ବାବୁ ଚାହା କପଟା ଧରି ଟିକେ ମୁରକି ହସି କହିଲେ ,ଆଜି ସକାଳୁ ସକାଳୁ କଣ ହେଲା ?
ସୁଜାତା ଟିକେ ଅଭିମାନ କରି କହିଲେ ,ଥାଉ ତୁମର କିଛି ଜାଣିବା ଦରକାର ନାହିଁ .ସବୁବେଳେ ତୁମେ ସବୁ କଥା କୁ ହାଲୁକା ଭାବରେ ନିଅ .କେବେ କେବେ ତ ଟିକେ କଥାର ଗମ୍ଭୀରତା କୁ ବୁଝିବାକୁ ଚେଷ୍ଟା କର .
ଅଶୋକ ବାବୁ ଟିକେ ଗମ୍ଭୀର ହୋଇ ପଚାରିଲେ ,ଠିକ ଅଛି ଏବେ କୁହ .ସୁଜାତା କହିଲେ ,ସକାଳୁ ଛାତ ଉପରେ ଫୁଲ ତୋଳିଲା ବେଳେ ଦେଖିଲି ସାମ୍ନା ଘର ର ରିଙ୍କି (ପଡୋଶୀଙ୍କ ଝିଅ ) ତାଙ୍କ ଘରର ଯେତେ ଅଳିଆ ଆଣି ରାସ୍ତା କଡରେ ଆମ ଫାଟକ ପାଖରେ ପକାଇଲା .ମୁଁ କହିଲି ଆରେ ମା ସେପଟେ ତା ଅଳିଆଦାନୀ ଅଛି ,ସେଠି ନ ପକାଇ ଆମ ଫାଟକ ପାଖରେ କାହିଁକି ପକାଉଛୁ ?ମତେ କହିଲା ,ଏବେ ସଫେଇ କର୍ମଚାରୀ ଆସି ସଫା କରିଦେବେ ,ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି ?ମୋର ଡେରି ହେଉଛି ମୁଁ କଲେଜ ଯିବି .
ମୁଁ କହିଲି ଅଳିଆ ପକାଇବା ଓ କଲେଜ ଯିବାର କି ସମ୍ପର୍କ ?ରାସ୍ତା ଓ ପରିବେଶ କୁ ଖରାପ କରିବାଟା କଣ ଭଲ ?ବାସ ମୋର ଏତିକି କଥାରେ ରିଙ୍କି ରାଗି ଯାଇ କହିଲା ,ଏ ରାସ୍ତା କଣ ଆପଣଙ୍କର ଏକା,ମୋର କଣ କିଛି ଜ୍ଞାନ ନାହିଁ,ସକାଳୁ ସକାଳୁ କାହିଁକି ଆପଣଙ୍କ ମୁଣ୍ଡ ବିନ୍ଧୁଛି ?ମୋ ମୁଣ୍ଡ ଆଉ ଖରାପ କରନ୍ତୁ ନାହିଁ .
ଏତିକି କହି ସୁଜାତା ଗୋଟିଏ ଦୀର୍ଘ ନିଶ୍ୱାସ ଛାଡି କହିଲେ ,ଆଛା କହିଲ ମୋର କୋଉଠି ରହିଲା ? ପାଠ ପଢ଼ୁଥିବା ପିଲା ଯଦି ସ୍ୱଛତା କଣ ବୁଝିବେନି ତ ଅନ୍ୟ ମାନଙ୍କୁ କଣ କହିବା .
କହିବାକୁ ଡର ଲାଗୁଛି .
ସବୁ ଶୁଣି ଅଶୋକ ବାବୁ କହିଲେ ,ଦେଖ ସୁଜାତା ତୁମର କିଛି ଭୁଲ ନାହିଁ ,କିନ୍ତୁ ବର୍ତ୍ତମାନ ସମୟର ସବୁ ଭୁଲ .ଏବେ ସବୁ ଅଳସୁଆ ଓ ସ୍ୱାର୍ଥପର ବେଶି ହେଇଗଲେଣି .ସମାଜ ପାଇଁ ସ୍ୱାସ୍ଥ୍ୟ ପାଇଁ ସ୍ୱଛତା ପାଇଁ ବୁଝିବାକୁ ବା ଭାବିବାକୁ କାହା ପାଖରେ ସମୟ ନାହିଁ .ବ୍ୟସ୍ତ ହୁଅନାହିଁ ମୁଁସେ ଅଳିଆକୁ ନେଉ ତା ଜାଗାରେ ପକାଇ ଦେଉଛି .
ଏହା କହି ଅଶୋକ ବାବୁ ଉଠି ନିଜେ ଗଲେ ଓ ନିଜ ଫାଟକ ପାଖରୁ ଅଳିଆ ଉଠାଇ ଅଳିଆଦାନୀ ରେ ପକାଇଦେଲେ .
ପଛକୁ ବୁଲି ଘରକୁ ଆସିବାକୁ ହେଉଛନ୍ତି ହଟାତ ଗୋଟିଏ ସ୍କୁଟର ତାଙ୍କ ଗୋଡ଼ରେ ମାଡ଼ ହେଇଗଲା ଓ ସେ ତଳେ ପଡିଗଲେ .ଉଠୁ ଉଠୁ କହିଲେ (ସ୍କୁଟର ଚାଳକକୁ ),ବାବୁ ଟିକେ ହର୍ନ ଦେଇଥିଲେ ହେଇ ନ ଥାନ୍ତା .
ଏତିକିରେ ଓଲଟା ଉତ୍ତର ମିଳିଲା ,ଆପଣ ଦେଖିକରି ଚାଲିବା ଉଚିତ ନୁହେଁ !ବୁଢା ହେଲେଣି ତଥାପି ଟିକେ ବୁଦ୍ଧି ପାକଳ ହେଇନି .ଏମିତି ଆଉ କିଛି ଇଂରାଜୀ ରେ କହି ଚାଲିଗଲା .
ଦୂରରୁ ସୁଜାତା ଠିଆ ହୋଇ ଦେଖୁଥିଲେ ଓ ତୁରନ୍ତ ଆସି ଅଶୋକ ବାବୁଙ୍କୁ ଧରି ଘର ଭିତରକୁ ନେଇଗଲେ .ବଡ଼ ଦୁଃଖରେ କହିଲେ ସବୁ ମୋ ଦୋଷ ,ମୋ ପାଇଁ ଏ ଦଣ୍ଡ ଭୋଗିଲା ଓ ବାଜେ କଥା ଶୁଣିଲ.
ଅଶୋକ ବାବୁ କହିଲେ ,ନା ତୁମର କଣ ଦୋଷ ?ମୋର ବି କିଛି ଦୋଷ ନାହିଁ,ସବୁ ଏବେକାର ସମୟ ଓ ସଂସ୍କାର ର ଦୋଷ .ନିଜ ସ୍ୱାର୍ଥ ପାଇଁ ଏବେ ସବୁ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି ଯେ ସାମାନ୍ୟ ଜ୍ଞାନ ବି ହରାଉଛନ୍ତି ଓ ଆଖି ଥାଇ ବି ଅନ୍ଧ ହେଇ ଗଲେଣି .ଭଲ କଥା "କହିବାକୁ ଡର ଲାଗୁଛି ".
ଆଣ୍ଠୁ ପାଖର ଛିଡି ଯାଇଥିବା ଜାଗାରେ ସୁଜାତା ମରମ ପଟି ଲଗାଉ ଲଗାଉ ପୁଣି ଅଶୋକ ବାବୁ କହିଲେ ,ଏଇ ଦେଖୁନ ଦୁଇ ଦିନ ତଳର କଥା .ମୋ ପ୍ୟାଣ୍ଟ ରୁ ସେ ନାଲି ପାନ ଛେପ ଦାଗକୁ ସଫା କରୁ କରୁ ତୁମେ ଗୁଣୁ ଗୁଣୁ ହୋଇ କଣ କହିଗଲ ,ମୁଁ ଭାବୁଥିଲିସେ ଵିଷୟରେ କହିବାକୁ,କିନ୍ତୁ ରହିଗଲି ଖାଲି "କହିବାକୁ ଡର ଲାଗୁଛି "ଭାବିକରି .
ଏବେ ସୁଜାତା ହସିଦେଇ ପଚାରିଲେ ,ଓହୋ ମତେ ଡର ଲାଗୁଛି କହିବାକୁ !
ଅଶୋକ ବାବୁ କହିଲେ ସତରେ ଏବେ ବଡ଼ ଅଖାଡୁଆ ଲାଗୁଛି .ଜାଣିଛ ସେଦିନ ମୁଁ ବଜ଼ାର ରୁ ଫେରିଲା ବେଳେ ଆମ ଗଳି ମୁଣ୍ଡରେ କିଛି ପିଲା ଠିଆ ହେଇ ଗପୁଥିଲେ .ତାଙ୍କ ଭିତରୁ ଜଣେ ପାନ ଛେପର ପିଚକାରୀ ମାରିଦେଲା ଓସେ ସବୁ ମୋ ପ୍ୟାଣ୍ଟ ରେ ପଡିଲା .ପକାଇ ସାରି କହୁଛି ସରି ଅଙ୍କଲ .ମୁଁ ଖାଲି ଏତିକି କହିଲି ଯେ ପିଚକାରୀ ନ ମାରି ପାଖରେ ସେ କଣରେ ଥିବା ଅଳିଆଦାନୀ ରେ ପକାଇଲେ ହୁଅନ୍ତା ନାହିଁ .ଏତିକିରେ ରାଗରେ ତମ ତମ ହେଇ ପାଖକୁ ଆସି କହିଲା ,ମୋ ଇଚ୍ଛା କେଉଁଠି ଓ କେମିତି ପକାଇବି ,ଆପଣ କହିବାକୁ କିଏ ?ଥରେ ସରି କହିଦେଲି ତ .ଏତେ ପୁଣି ଉପଦେଶ କଣ ପାଇଁ ?
ଏତିକି କହି ଅଶୋକ ବାବୁ ଗୋଟିଏ ଦୀର୍ଘ ନିଶ୍ୱାସ ମାରି କହିଲେ ,ଏବେ ସବୁ ବୁଝି ପାରୁଛ ତ .ସମୟ ର ବାହାନା ରେ ଲୋକେ କେତେ ସ୍ୱାର୍ଥପର ଓ ଅଵିଵେକୀ ହେଇଗଲେଣି .ଭାବିବାକୁ କି ବୁଝିବାକୁ କାହାର ଇଚ୍ଛା ନାହିଁ .ତେଣୁ ଏବେ ଯାହା ପାରିବ ନିଜ ସକ୍ଷମତା ଅନୁସାରେ ନିଜେ କରିନେବା ଠିକ ,ଏମିତି କି ଅନ୍ୟକୁ କିଛି ନ କହି ତାଙ୍କ ଭୁଲ କୁ ଠିକ କରି ନିଜକୁ ବୁଝାଇ ମନ ଶାନ୍ତ କରିବା ଉଚିତ .କାହିଁକି ନା "କହିବାକୁ ଡର ଲାଗୁଛି ".
