STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଖାଲି ଶିକା

ଖାଲି ଶିକା

3 mins
347

ତମର ତା 'ହେଲେ ଗଡିଆ ବୁହାହେଲା ଆଜି ।  ବଗଚିଲ ପକ୍ଷୀ ଖାଇଗଲେ ,ଥଣ୍ଟ ପୁରେଇ ବୋହିନେଲେ ।

ଅଧାଅଧି ମୁଗୁରା ବାଜରା ଫାଙ୍କ ଦେଇ ଗଳିଚାଲି ଯାଆନ୍ତି ଆଜିକାଲିଆ ମାଛ ।ଜୀଆଁଇ ରଖିହୁଏ କୋଉ ବା କେତେ ଦିନ ଘାମେଲା ଟାରେ ।ତହିଁକୁ ବି ଜଗ ,ନହେଲେ ବିଲେଇ ପେଟ ଉସୁଆସ । ଗଡିଆ ନ ବୁହେଇଦେଇ ଆଉ ଚାରା କାଇଁ ! ସାଇଭାଇଙ୍କ ଗଳାପଶା ନଜର ଯେ କେଡେ ବିଷାକ୍ତ ଯାଣୁନା, ଶାଗ ଖିଆକୁ ଏ କାଳେ ପେଜ ଖିଆ କୋଉ ଦେଖି ସହି ପାରେ ! ପେଟ ବେମାରି ନ ଧରୁ ବୋଲି ସବୁ ଘରେ ପୁଞ୍ଜେ ପୁଞ୍ଜେ ମିଟିକାଳି ମହୁରାଳି ଦିଟା ଦେଇ ଆସିବା କଥା ।ନୋହିଲେ ଯୋଉ ଆଖି ସବୁ ତାଙ୍କର ନା ,ତମର ପେଟରେ ଗଡିବ ସେ ମାଛ , ଖାଲି କଣ ନା ହଜମ ହବନି କି ବାହାରିବନି ।"

ନେତ ମାଆ ତାର ଗାଲୁରୁ ଗାଲୁରୁ ହେଇ ବାଲି ପାଉଁଶ ମିଶାରେ ସାଏଁ କି ଜୀଅଁନ୍ତା ରୁପାମାଛଟାକୁ ଦି'କଡୁ ଘସି ଆଣେ ।ଠକ୍ କି ତାର ଜୀବନ ଘସିହେଇଯାଏ।ତସଲାଏ ଚକ୍ ଚକ୍ ଚକ୍ର କାଟୁଥିବା ମାଛ, ଆହାଃ କାହାକୁ ବା ଜଣା କାହା ପରେ କାହା ପାଳି !  ସେତିକି ତାର ଆୟୁଷ । ଖରା ପୁଁ ଥିବା ଜେଜ ଙ୍କ ପାଦରେ ଉଷୁମ କର୍ପୂର ପକା ମରାନଡିଆ ଘିଅ ମାରୁ ମାରୁ ଜେଜୀ ତାର ଗୋରା ସୁନ୍ଦରିଆ ଗାଲରେ ଖଇରଦିଆ ପାନକୁ ଜାକିନେଇ ହସିଦିଏ ଆଉ କହେ, "ନେତମାଆ ତମେ ବି ଗଲା ବେଳେ ତୁଣ ସାଙ୍ଗୁକୁ ଆଉ ଏଥୁରୁ ଦିଟା ଘିନି ଯିବ ତମ ପିଲାଙ୍କ ଲାଗି ।ବୋହୁ ତେଣେ ଶୋରିଷ ବାଟି ସାରିବଣି ।ଟିୱେଲ ମୂଳେ ଭଲକି ଧୋଇ ସେଇ ପିଣ୍ଢାକୁ ଉଠେଇଦିଅ ।ସିଏ ତାର ନେଇ ଲୁଣ ହଳଦୀ ମାପରେ ଦବ ।ତମେ ଏ କେଳିଆ ଥାନ ବାଗେଇକି ପଖାଳିଦିଅ । "ପୁଣି କହେ ," ଭଲକି ରାନ୍ଧି ଘୋଡେଇ ଶିକାକୁ ଉଠେଇ ଦେ ମାଆ ।ବିନୁ ଆସୁଥିବ ଏଇଲେ ।ବିଲେଇ ଟା ଠାକିଛି, ସବୁ ସାରି ଦବ ।

ଯା ମଦରଙ୍ଗା ଦିଟା ତୋଳି ଆଣେ କାହାକୁ ପଠେଇ ।ବଡି ଦିଟି ଚୁରି ଦେ ଛେଚା ରଶୁଣ ଦେଇ ।"  ନେତ ମାଆ କଥା ବାହୁନିଲା ପରି ଲମ୍ବାଏ, " ତମର ସିନା ଉଭାକୁ ପୋତା ଯାହାକୁ ଯେତେ,ଆମର ମାଗିଆଣିଲା ତୁଣ ଗୋ ମାଆ ।ସୁଡୁକାଏ କୁ ପେଟ କଣ କମ।ଚାଖୁ ଚାଖୁ ଦେଖୁ ଦେଖୁ ସରିଯାଏ ।ରୁହ ମୁଁ ମାଛ କେଳେଇ ଦିଏ କି ଶାଗ ତୋଳି ଆଣିବି । ସିଏ କାଇଁ ବାରିକି ଯିବେ ।"  ଏଥର ଜେଜ ପାଟି ଫିଟାନ୍ତି ।କୁହନ୍ତି, " ବୋହୁମାଆ ତା' କଥା ବୁଝ ।" ସେତିକିରେ ସୁଲଗ୍ନା ନେତ ମାଆ ତା ଘରକୁ ଲେଉଟିଲା ବେଳେ କେତେ କଣ ଜାଚି ପୁରେଇ ଦିଏ ।ସିଏ ଗାଁ ଯାକ ଏ ଘର ସୁଗୁଣ ଉବୁରେଇ ଉବୁରେଇ ଗାଏ । ଏମିତି ଘରର କଥା ତାଙ୍କର । ଦେଇ ନେଇ , ଖାଇଲେ ବୋହିଲେ ନସରଇ ।ଲକ୍ଷ୍ମୀବନ୍ତିଆ ।ମୋ ବଡନାନୀର ଶାଶୁଘର । ସମୟ ସବୁଠୁ ବେଶୀ ଭଗାରୀ । ଭଲ ସମୟ କ୍ଷଣଟେ, ମନ୍ଦ ବେଳକୁ ଘଡି ପୁରି ମାଣ ପୁରିଯାଏ ଲୁହରେ, ହେଲେ ଲୁହ କୋଉ ସରେ ଯେ। ମହାମାରୀ ଆସେ ।ଶହେ ବରଷକେ ଥରେ ଆସେ ।ହେଲେ ଶହେ ଘରଦାଣ୍ଢ ଖାଇଦେଇ ଯାଏ । ଏଇ ତ ଆଜି ଭେଟି ଆସୁଛି ସେଇ ଜେଜ ଙ୍କୁ ।ମୋ ହାତ ଧରି କହୁଥାନ୍ତି, " ଧନରେ ଭଜା ମାଛ ଭଜାକଡାକି କୋଉଠୁ ଭଜେଇ ଆଣନ୍ତୁନୁ ।ଟିକେ ଖାଆନ୍ତି ।" ପୁଣି ବିଚିକିଟିଆ ମୁହଁ କରି କୁହନ୍ତି " ନା ନା ଆଣିବୁନି , କଣ ହବ ମୋର ସେସବୁ । ଛେଃ ।" ଚହଟଚିକଣ ଜେଜୀ ଆମର ଶୁଖିଲା ବରଡା ପରି ଥରୁଥାନ୍ତି ଖାଲି ଅଗଣାଟାରେ, ଖରାପିଠିଆ ବସି ବି । ଥିରି କି ହାତ ଠାରି ଡାକି କହିଲେ, " ଶୁଣୁ ଜମା ସେରା ଆଣିବୁନୁ ଜାଇଁଲୁ ।ବିଲେଇ ଖାଇଦବ ।ଦେଖୁନୁ କେମିତି ମୋର ସବୁ ଖାଇଦେଲା ।ଆଉ କଣ କିଛି ଅଛି ! ସବୁ ଜିଭ ବୁଲେଇଦେଲା ।ଶିକାତକକ ଖାଲି ।

ଏଇ ତିକ ତ ମୋର ବଳିଛି । ଥାନ୍ତୁ ।ବସିଥାନ୍ତୁ ଏମିତି ।" 

ତାଙ୍କ ଆଖି କୋଣରେ ଲହଡି ମାରୁଥିଲା ବୁନ୍ଦେ ଲୁହ ।ସିଏ ଶୂନ୍ୟ କୁ ଚାହିଁଥିଲେ । ଅଗଣାର ଥୁଣ୍ଟା ଆମ୍ବ ଡାଳରେ ବସିଥାନ୍ତି ଦିଟି ଧଳାବଗ ।ପାଖାପାଖି । ଚୁପ୍ ଆଉ ନିର୍ବିକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action