କାଳିଆସୁନା
କାଳିଆସୁନା
ନିଭା ଘର ଗାଁରେ ଡେରା ପକେଇ ରହୁଥିବା ନାଣ୍ଡୁ ବାବାଜୀଙ୍କ ପାଖରେ ଶନିବାର କୁ ଶନିବାର ଭାରି ଭିଡ଼. ସେହି ଭିଡରେ ସାମିଲ ହୋଇ ତିନି କଳିହୁଡି ବୋହୁ ଆସନ୍ତି ଶାଶୁ ଓ ନଣନ୍ଦଙ୍କ ଶୁଭଚିନ୍ତକ ବଦଳରେ ଅଶୁଭଚିନ୍ତକ ସାଜିବାକୁ ତ ନଣନ୍ଦ ମଧ୍ୟ ଆସିଥାଏ ବୋଉ ସହ ତିନି ଭାଇ ଓ ତିନି ଭାଉଜଙ୍କ ଶୁଭମନାସି ନାଣ୍ଡୁ ବାବାଜୀଙ୍କ ପାଖକୁ. ଘରେ ପହଁଞ୍ଚି ନିଭା ସମସ୍ତଙ୍କୁ ପ୍ରସାଦ ଦେଲାବେଳେ ତିନି ଭାଉଜ ମୁଁହଁ ମୋଡି ଚାଲିଯାଆନ୍ତି. ତିନି ଭାଉଜ ଆଣିଥିବା ନାଣ୍ଡୁ ବାବାଜୀଙ୍କ ପ୍ରସାଦ କିନ୍ତୁ ନିଭା ପ୍ରଣାମ ଜଣେଇ ନିଜେ ଖାଏ ଓ ବୋଉକୁ ଖୁଆଇ ଦିଏ. ନିଭା ମନରେ ଛନ୍ଦ କପଟ ନଥାଏ. ବୋଉ କେମିତି ଭଲ ହୋଇଯିବ ଏହି ଚିନ୍ତାରେ ସେ ଥାଏ. ବୋଉ ତା ନିଜର ଏତେ କଷ୍ଟରେ ମଧ୍ୟ ଡାକୁଥାଏ ପ୍ରଭୁ ହେ ମୋ ଝିଅ ନିଭାର ହାତକୁ ଦି ହାତ କରି ମୁଣ୍ଡରେ ତାର ଦୁବ ଚାଉଳ ପକାଇଦିଅ ହେ ପ୍ରଭୁ ବୋଲି କହିବା ସହ ନାଣ୍ଡୁ ବାବାଜୀଙ୍କ ପ୍ରସାଦ ପାଇଲା ବେଳେ ମଧ୍ୟ କହୁଥାଏ ହେ ବାବାଜୀ ମହାପ୍ରଭୁ ମତେ ଏ କଷ୍ଟ ଯନ୍ତ୍ରଣାରୁ ପାରି କରି ମୋ ଝିଅ ମୁଣ୍ଡରେ ଦୁବ ଚାଉଳ ପକେଇ ଦିଅ ପ୍ରଭୁ. ତିନି ଭାଉଜ କୁରୁଳି ଉଠନ୍ତି. ନାଣ୍ଡୁ ବାବାଜୀଙ୍କ ଔଷଧ ଖୁବ ପ୍ରତ୍ୟେକ୍ଷ ତ ଶାଶୁ ବୁଢ଼ୀ ଖାଇଛନ୍ତି ମାନେ ଗଲେ ଜାଣ
ସତକୁ ସତ ସେୟା ହେଲା.ଶାଶୁ ଭଳିଗଲେ.ଗହଳି ଚହଳି, ଯିବା ଆସିବା, କର୍ମ କର୍ମାଣୀ, ସଂକୀର୍ତ୍ତନ, ପିଣ୍ଡଦାନ ଭିତରେ ସମୟ ଚାଲିଗଲା. କାନ୍ଦିବାକୁ ସମୟ ପାଇନଥିଲା ନିଭା. ଆଜି ବୋଉ ରୁମରେ କିଏ ଶୋଇବ କହି ତିନିଭାଇ ଓ ତିନି କଳିହୁଡି ଭାଉଜ ମାନେ ଯିଏ ଯାହାର ରୁମକୁ ଚାଲିଗଲେଣି. ଅପା ମଧ୍ୟ ତା ପୁଅର ପରୀକ୍ଷା କହି ଭିଣୋଇଙ୍କ ସଙ୍ଗେ ଚାଲିଗଲା. ନିଭା ବୋଉ ସଙ୍ଗେ ଶୋଇଆସୁଥିଲା ବିଗତ ପ୍ରାୟେ କେତେବର୍ଷ ଧରି. ବୋଉର ଯନ୍ତ୍ରଣା ସେ ସହି ପାରୁନଥିଲା ସତ ହେଲେ ବୋଉ ପୁଣି ସେଇ ପୂର୍ବ ବୋଉ ଭଳି ହେଇଯାଉର ସ୍ବପ୍ନରେ ସେ ରାତି ସାରା ବୋଉକୁ ଜଗି ରଖି ସମୟାନୁଯାୟୀ ଔଷଧ ଦିଏ. ଗୋଡ଼ ଦିଟାକୁ ଘଷି ଆଉଁସି ଦିଏ. ବୋଉର କିନ୍ତୁ କଷ୍ଟ ଲାଘବ ହେବା ପରିବର୍ତ୍ତେ ଯନ୍ତ୍ରଣା ବଢୁଥାଏ. ତା ଆକୁଳ ବିକଳ ଅବସ୍ଥା ଦେଖି ନିଭା କାନ୍ଦିପକାଏ. ପ୍ରଥମେ ପ୍ରଥମେ ତ ସେମାନେ ଭାବିଥିଲେ ବୋଉର ଗୋଡ଼ ଦୁଇଟା ହୁଏତ ମକଚି ହେଇଯାଇଛି. କାଳୁପଡା ସେକ ଦିଆ ଚାଲିଥିଲା. କିନ୍ତୁ ଡାକ୍ତର ଯେବେ କହିଥିଲେ କି ୟୁରିନ ଇନଫେକସନ ଓ ଲିଭର ଖରାପ ପ୍ରଭାବରେ ବୋଉର ଗୋଡ଼ ଦିଟା ଏମିତି ଫୁଲା ଦରଜ ବିନ୍ଧା ହେଉଛି ତ ଚିକିତ୍ସା ପ୍ରଣାଳୀ ବଦଳିଥିଲା. ରାତି ରାତି ଅନିଦ୍ରା ରହି ବୋଉକୁ ଔଷଧ ଦେଲାବେଳେ କାନ୍ଦି ପକାଏ ନିଭା. କିନ୍ତୁ ଜାବୁଡି ଧରି ବୋଉକୁ ଶୁଏ ତା ପାଖରେ ଆଉ ସ୍ବପ୍ନ ଦେଖୁଥାଏ ବୋଉର ସେଇ ସବୁ ହଜିଲା ଦିନ ଫେରିଆସିବାକୁ.ହଜିଲା ଦିନ ଫେରିଆସିବା ଦୂରର କଥା, ବୋଉ ହଜିଗଲା. କାନ୍ଦି କାନ୍ଦି ରାତି ତିନିଟା ବାଜିସାରିଥିଲା .
ଉଠିଗଲା ଛାତକୁ ନିଭା.ବୋଉ ଲଗାଇଥିବା ଗୋଲାପ ଗଛରେ ଫୁଲ ଫୁଟି ଡ଼ାଳ ଭାଙ୍ଗୁଥିଲା. ସବୁ ସଜ ଗୋଲାପ ତୋଳି ଆଣି ବୋଉ ଶୋଇବା ପଟେ ବିଛେଇ ଦେଇ ତା ଉପରେ ଗୋଡ଼ ପକେଇ ଶୋଇଗଲା ନିଭା. ସକାଳେ କେହି ତାକୁ ଡାକୁନଥିଲେ. ବରଂ ଶୋଇଯାଉ ସଜ ଗୋଲାପ ଭିତରେ ବୋଉର ସ୍ପର୍ଶ ଅନୁଭବ କରି ଦୁଇଘଡି ନିଭା ବୋଲି ସମସ୍ତେ ଦୁଆର ଆଉଜେଇ ନେଉଥିଲେ. ଶାନ୍ତିରେ ନିଭା ଶୋଇପଡ଼ୁ ଭାବି.ପୂଜକ ନନା ଉପରକୁ ଯାଇ ସଜ ଗୋଲାପ ଫୁଲ ଦିଟା ତୋଳିବାକୁ ନପାଇ ଫେରିଆସୁଥିଲେ ତ ଘର ଲୋକ କହୁଥିଲେ, ଠାକୁର ପୂଜା ଅନ୍ୟ ଫୁଲରେ କରିନିଅନ୍ତୁ ନନା,ଅନ୍ତତଃ ନିଭା ଟିକେ ଶୋଇଯାଉ. ନନା କହୁଥିଲେ ହଉ ହଉ ବିଚାରୀ ଶୋଉ.
ନିଭା ଅବିବାହିତ ଥିବାରୁ ବୋଉ ପାଉଥିବା ପେନସନରୁ ଅଧା ପାଇବାର ହକଦାର ଥିଲା ନିଭା. ତିନି କଳିହୁଡି ଭାଉଜ ମୁଁହଁ ବୁଲେଇ କେତେ ଟୁପୁରୁ ଟାପୁରୁ ହେଉଥିଲେ. ନିଭା ସହଜେ ଦସ୍ତଖତ ଦେବାକୁ ମଧ୍ୟ ରାଜି ହେଉନଥିବାରୁ ବ୍ୟାଙ୍କବାବୁ ବହୁତ ବୁଝାଇ ଥିଲେ ଓ କହିଥିଲେ ସେ ଟଙ୍କା ତୁମେ ତୁମ କାମ ପାଇଁ ନଲଗାଇ, ଅନ୍ୟ କୌଣସି କାମରେ ଲଗାଇ ପାର, ତ ନିଭା ଗୋଟେ ସୁନ୍ଦର ଗୋଲାପ ବଗିଚା କରିଥିଲା. ସବୁଦିନ ସଜ ଗୋଲାପ ଠାକୁରଙ୍କ ସେବାରେ ଲାଗିବା ସହ ଭଲ ବିକ୍ରୀ ହେଉଥିଲା. ଗୋଲାପ ତୋଡ଼ା ଓ ଫୁଲର ଏତେ ଚାହିଦା ଥିଲା ଯେ, ପ୍ରଚୁର ଲାଭ ହେଲା. ନିଭା ପରିବାରର ସଦସ୍ୟଙ୍କ ସହଯୋଗରେ, ତାଙ୍କ ପରିତ୍ୟକ୍ତ ଘର ସାମ୍ନାରେ ବୋଉର ପ୍ରତିମୂର୍ତ୍ତି ସ୍ଥାପନ କରାଇ, ସେଇଟିକୁ ଅନାଥ ବାଳକ ବାଳିକାଙ୍କ ଥଇଥାନ ପାଇଁ ଉତ୍ସର୍ଗ କରି, ଗୋଲାପ ନିକେତନ ନାମ ରଖିବା ସହ ତା ପାଇଁ ବ୍ୟାଙ୍କରୁ ଆସିଥିବା ସେହି ବ୍ୟାଙ୍କବାବୁଙ୍କୁ ବିବାହ କରିବା ପ୍ରସ୍ତାବରେ ରାଜି ହେଲାବେଳେ, ତିନି ଭାଉଜ ମୁଁହଁ ମୋଡ଼ିଥିଲେ ମଧ୍ୟ ଗୋଲାପନିକେତନର ସେବା ପାଇଁ ତାକୁ ଅନୁମତି ମିଳିବା ସର୍ତ୍ତ ରଖି ଆଭା କୃତକାର୍ଯ୍ୟ ହୋଇଥିଲା.ବାହାଘର ପରେ ତା ନିଜ ତିନି କଳିହୁଡି ଭାଉଜମାନଙ୍କ ପରି ନହୋଇ ସୁନାବୋହୁ ହେବାକୁ ପ୍ରତିଜ୍ଞା କରିଥିଲା ନିଭା.ସ୍ୱାମୀଙ୍କ ସଙ୍ଗେ ସେହି ବର୍ଷ ରଥଯାତ୍ରା ଦେଖିବାକୁ ଯାଇଥିଲା ନିଭା. ତିନି ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖୁ ଦେଖୁ ବୋଉ କଥା ମନେପଡ଼ିଗଲା ନିଭାର. ବୋଉ ତା ସୁଖ ମନାସି କେତେ ତୁମକୁ ଡାକିଛି ପ୍ରଭୁ. ମୋ ପାଇଁ ଅଖଣ୍ଡ ଦୀପ ବସାଇ କେତେ ଆକୁଳ ବିକଳ ହୋଇଛି କହି କାନ୍ଦି ପକାଇଥିଲା ତ ସ୍ୱାମୀ ତା ଆଖି ଲୁହ ପୋଛି ଦେଇ ଦେବଦଳନରେ ବସିଥିବା ଦେବୀ ସୁଭଦ୍ରାଙ୍କ ଆଡକୁ ଦେଖେଇ ଦେଇ ସ୍ୱାମୀ କହୁଥିଲେ ଦେଖ ନିଭା, ବୋଉ ଆମର ମାଆ ସୁଭଦ୍ରାଙ୍କ ଭିତରେ ଲିନ ହୋଇଯାଇଛନ୍ତି. ସତକୁ ସତ ନିଭା ଦେଖୁଥିଲା ସୁଭଦ୍ରା ମାଆ ଙ୍କ ଭିତରେ ବୋଉ ଯେମିତି ତାକୁ ଆଶୀର୍ବାଦ କରୁଛି. ଗାଁରୁ ପୂଜକ ନନା ଫୋନ କରୁଥିଲେ ଆମ ଗାଁ ନାଣ୍ଡୁ ବାବାଜୀଙ୍କୁ ପୋଲିସ ଧରିନେଇଯାଇଛି ରେ ମାଆ. ସେ କୁଆଡେ ଲୋକଙ୍କ ମଙ୍ଗଳ ନକରି ଅମଙ୍ଗଳ କରୁଥିଲା ବୋଲି ରଥଯାତ୍ରା ପରି ଦିନରେ ହାଜତ ଗଲା ବୋଲି ଶୁଣାଯାଉଛି. ନିଭା ପାଟିରେ ଭାଷା ନଥିଲା. ମୋ ପରିବାରଙ୍କୁ ଭଲରେ ରଖ ପ୍ରଭୁ କାଳିଆସୁନା ବୋଲି ଗୁହାରି କରୁଥିଲା ନିଭା କେବଳ.
,,,,,,,,,,,,,,,,,,,,,
