ସୁନାବୋହୁ
ସୁନାବୋହୁ
ଗହଳି ଚହଳି, ଯିବା ଆସିବା, କର୍ମ କର୍ମାଣୀ, ସଂକୀର୍ତ୍ତନ, ପିଣ୍ଡଦାନ ଭିତରେ ସମୟ ଚାଲିଗଲା. କାନ୍ଦିବାକୁ ସମୟ ପାଇନଥିଲା ଆଭା. ଆଜି ବୋଉ ରୁମରେ କିଏ ଶୋଇବ କହି ତିନିଭାଇ ଓ ତିନି କଳିହୁଡି ଭାଉଜ ମାନେ ଯିଏ ଯାହାର ରୁମକୁ ଚାଲିଗଲେଣି. ଅପା ମଧ୍ୟ ତା ପୁଅର ପରୀକ୍ଷା କହି ଭିଣୋଇଙ୍କ ସଙ୍ଗେ ଚାଲିଗଲା. ଆଭା ବୋଉ ସଙ୍ଗେ ଶୋଇଆସୁଥିଲା ବିଗତ ପ୍ରାୟେ କେତେବର୍ଷ ଧରି. ବୋଉର ଯନ୍ତ୍ରଣା ସେ ସହି ପାରୁନଥିଲା ସତ ହେଲେ ବୋଉ ପୁଣି ସେଇ ପୂର୍ବ ବୋଉ ଭଳି ହେଇଯାଉର ସ୍ବପ୍ନରେ ସେ ରାତି ସାରା ବୋଉକୁ ଜଗି ରଖି ସମୟାନୁଯାୟୀ ଔଷଧ ଦିଏ. ଗୋଡ଼ ଦିଟାକୁ ଘଷି ଆଉଁସି ଦିଏ. ବୋଉର କିନ୍ତୁ କଷ୍ଟ ଲାଘବ ହେବା ପରିବର୍ତ୍ତେ ଯନ୍ତ୍ରଣା ବଢୁଥାଏ. ତା ଆକୁଳ ବିକଳ ଅବସ୍ଥା ଦେଖି ଆଭା କାନ୍ଦିପକାଏ. ପ୍ରଥମେ ପ୍ରଥମେ ତ ସେମାନେ ଭାବିଥିଲେ ବୋଉର ଗୋଡ଼ ଦୁଇଟା ହୁଏତ ମକଚି ହେଇଯାଇଛି. କାଳୁପଡା ସେକ ଦିଆ ଚାଲିଥିଲା. କିନ୍ତୁ ଡାକ୍ତର ଯେବେ କହିଥିଲେ କି ୟୁରିନ ଇନଫେକସନ ଓ ଲିଭର ଖରାପ ପ୍ରଭାବରେ ବୋଉର ଗୋଡ଼ ଦିଟା ଏମିତି ଫୁଲା ଦରଜ ବିନ୍ଧା ହେଉଛି. ଚିକିତ୍ସା ପ୍ରଣାଳୀ ବଦଳିଥିଲା. ରାତି ରାତି ଅନିଦ୍ରା ରହି ବୋଉକୁ ଔଷଧ ଦେଲାବେଳେ କାନ୍ଦି ପକାଏ ଆଭା. କିନ୍ତୁ ଜାବୁଡି ଧରି ବୋଉକୁ ଶୁଏ ତା ପାଖରେ ଆଉ ସ୍ବପ୍ନ ଦେଖୁଥାଏ ବୋଉର ସେଇ ସବୁ ହଜିଲା ଦିନ ଫେରିଆସିବାକୁ.ହଜିଲା ଦିନ ଫେରିଆସିବା ଦୂରର କଥା, ବୋଉ ହଜିଗଲା. କାନ୍ଦି କାନ୍ଦି ରାତି ତିନିଟା ବାଜିସାରିଥିଲା .
ଉଠିଗଲା ଛାତକୁ ଆଭା.ବୋଉ ଲଗାଇଥିବା ଗୋଲାପ ଗଛରେ ଫୁଲ ଫୁଟି ଡ଼ାଳ ଭାଙ୍ଗୁଥିଲା. ସବୁ ସଜ ଗୋଲାପ ତୋଳି ଆଣି ବୋଉ ଶୋଇବା ପଟେ ବିଛେଇ ଦେଇ ତା ଉପରେ ଗୋଡ଼ ପକେଇ ଶୋଇଗଲା ଆଭା. ସକାଳେ କେହି ତାକୁ ଡାକୁନଥିଲେ. ବରଂ ଶୋଇଯାଉ ସଜ ଗୋଲାପ ଭିତରେ ବୋଉର ସ୍ପର୍ଶ ଅନୁଭବ କରି ଦୁଇଘଡି ଆଭା ବୋଲି ସମସ୍ତେ ଦୁଆର ଆଉଜେଇ ନେଉଥିଲେ, ଶାନ୍ତିରେ ଆଭା ଶୋଇପଡ଼ୁ ଭାବି.ନନା ଉପରକୁ ଯାଇ ସଜ ଗୋଲାପ ଫୁଲ ଦିଟା ତୋଳିବାକୁ ନପାଇ ଫେରିଆସୁଥିଲେ ତ ଘର ଲୋକ କହୁଥିଲେ, ଠାକୁର ପୂଜା ଅନ୍ୟ ଫୁଲରେ କରିନିଅନ୍ତୁ ନନା,ଅନ୍ତତଃ ଆଭା ଟିକେ ଶୋଇଯାଉ. ନନା କହୁଥିଲେ ହଉ ହଉ ବିଚାରୀ ଶୋଉ.
ଆଭା ଅବିବାହିତ ଥିବାରୁ ବୋଉ ପାଉଥିବା ପେନସନରୁ ଅଧା ପାଇବାର ହକଦାର ଥିଲା ଆଭା. ତିନି କଳିହୁଡି ଭାଉଜ ମୁଁହଁ ବୁଲେଇ କେତେ ଟୁପୁରୁ ଟାପୁରୁ ହେଉଥିଲେ. ଆଭା ସହଜେ ଦସ୍ତଖତ ଦେବାକୁ ରାଜି ହେଉନଥିବା ଆଭାକୁ ବ୍ୟାଙ୍କବାବୁ ବହୁତ ବୁଝାଇ ଥିଲେ ଓ କହିଥିଲେ ସେ ଟଙ୍କା ତୁମେ ତୁମ କାମ ପାଇଁ ନଲଗାଇ, ଅନ୍ୟ କୌଣସି କାମରେ ଲଗାଇ ପାର, ତ ଆଭା ଗୋଟେ ସୁନ୍ଦର ଗୋଲାପ ବଗିଚା କରିଥିଲା. ସବୁଦିନ ସଜ ଗୋଲାପ ଠାକୁରଙ୍କ ସେବାରେ ଲାଗିବା ସହ ଭଲ ବିକ୍ରୀ ହେଉଥିଲା. ଗୋଲାପ ତୋଡ଼ା ଓ ଫୁଲର ଏତେ ଚାହିଦା ଥିଲା ଯେ, ପ୍ରଚୁର ଲାଭ ହେଲା. ଆଭା ପରିବାର ସଦସ୍ୟଙ୍କ ସହଯୋଗରେ, ତାଙ୍କ ପରିତ୍ୟକ୍ତ ଘର ସାମ୍ନାରେ ବୋଉର ପ୍ରତିମୂର୍ତ୍ତି ସ୍ଥାପନ କରାଇ, ସେଇଟିକୁ ଅନାଥ ବାଳକ ବାଳିକାଙ୍କ ଥଇଥାନ ପାଇଁ ଉତ୍ସର୍ଗ କରି, ଗୋଲାପ ନିକେତନ ନାମ ରଖିବା ସହ ତା ପାଇଁ ବ୍ୟାଙ୍କରୁ ଆସିଥିବା ସେହି ବ୍ୟାଙ୍କବାବୁଙ୍କୁ ବିବାହ କରିବା ପ୍ରସ୍ତାବରେ ରାଜି ହେଲାବେଳେ, ତିନି ଭାଉଜ ମୁଁହଁ ମୋଡ଼ିଥିଲେ ମଧ୍ୟ ଗୋଲାପନିକେତନର ସେବା ପାଇଁ ତାକୁ ଅନୁମତି ମିଳିବା ସର୍ତ୍ତ ରଖି ଆଭା କୃତକାର୍ଯ୍ୟ ହୋଇଥିଲା.ବାହାଘର ପରେ ତା ନିଜ ତିନି କଳିହୁଡି ଭାଉଜମାନଙ୍କ ପରି ନହୋଇ ସୁନାବୋହୁ ହେବାକୁ ପ୍ରତିଜ୍ଞା କରିଥିଲା ଆଭା.
,,,,,,,,,,,,,,,,,,,,,
