ମାଆ ତତେ ଏବେ ଆଉ ବସ ଟ୍ରେନରେ ବସିଲେ ଅଣନିଶ୍ଵାସୀ ଲାଗୁନି ନିଶ୍ଚୟ, ନହେଲେ ଏସି ବସରେ ଗାଁରୁ ଭୁବନେଶ୍ୱର ଆସି କବିତା ଆସରରେ ଯୋଗ ଦେବା କଣ ସହଜ କଥା!ମାଆ ମିନତିଙ୍କର ମନେପଡୁଥିଲା ସେଦିନ ରାଜଧାନୀ ଏକ୍ସପ୍ରେସରେ, ପୁଅ ପାଖକୁ ଦିଲ୍ଲୀ ଯିବାକୁ ଚଢି ସାରିବା ପରେ ତାଙ୍କ ଦୁହିଁଙ୍କ ପାଇଁ ହୋଇଥିବା ରିଜର୍ଭ ସିଟ ପାଇ ବସିଗଲା ପରେ ମିନତି କେମିତି ଅଣନିଶ୍ୱାସୀ ହୋଇ ସ୍ୱାମୀଙ୍କୁ କହୁଥିଲେ ପଚାର ପଚାର ବିନା ଏସି କମ୍ପାର୍ଟମେଣ୍ଟ ଅଛି ନା ନାହିଁ ମତେ ଏଠି ଅଣନିଶ୍ୱାସୀ ଲାଗୁଛି. ସ୍ୱାମୀ ପରେଶ ବିରକ୍ତ ହୋଇ କହୁଥିଲେ ଏହି ଟ୍ରେନର ସବୁ ବଗି ଏସି ହୋଇଥିବାରୁ ତ ଏଥିରେ ସୁବିଧା ହେବ ଯିବାକୁ ବୋଲି ପୁଅ ଟିକେଟ କରିଛି.ଆଉ ଏବେ ନନଏସି ବଗି କୋଉଠୁ ଆସିବ!ମିନତି କିଛି ସମୟ ଆଡ଼ଜଷ୍ଟ କରି ସମ୍ଭାଳି ବସିଯିବାକୁ ଚାହିଁ ମଧ୍ୟ ପାରିନଥିଲେ. ଥରକୁ ଥର ଦୁଆର ମୁହଁ ଲାର୍ଟିନ ବାଥରୁମ ପାଖେ ଆସି ଠିଆ ହେବାରୁ ପୁଅ କହିଥିଲା ଶୀଘ୍ର ମାଆକୁ ଧରି ଓଲ୍ହେଇଯାଅ ବାପା. ଦେଢ଼ ଦିନ କେମିତି ଆଡ଼ଜଷ୍ଟ କରି ଆସିବ ମାଆ,ଅସମ୍ଭବ!ବାଲେଶ୍ୱର ଯାଏଁ ଆସିଲେ କେମିତି କେମିତି. ତା ପରେ ବି ସେମିତି ଅଣନିଶ୍ୱାସୀ ଲାଗିଲେ ଉପାୟ ନଥିବ ଓଲ୍ହେଇ ଫେରିଯିବାକୁ. ତ ସେଥର ବାଧ୍ୟ ହୋଇ ଓଲ୍ହେଇ ଯାଇଥିଲା ମାଆ ବାପାଙ୍କ ସହ . ପୁଅ ଆଜି ମାଆକୁ ଏସି ବସରେ କବିତା ଆସରକୁ ଯିବା ଦେଖି କହୁଥିଲା ଭଲ ଭଲ ଅଭ୍ୟାସ କରେ. ଝିଅ, ସ୍ୱାତୀ ମଧ୍ୟ କହୁଥିଲା କାହିଁ କହୁଛୁ ଭାଇ ସେଦିନ କଟକ ଯାଏଁ ଏସି ବସରେ ମାଆ ଯୋଉ ଛଟପଟ ହେଲା ଖାଲି ମୁଁ ସାଙ୍ଗରେ ଥିଲି ବୋଲି ଆଉ ଏବେ ଫର୍ଦେ କବିତା ପଢିବ ବୋଲି ଯାଉଛି ଗାଁରୁ ଭୁବନେଶ୍ୱର କେଜାଣି କେମିତି! ତ ମାଆ ଏତେବେଳକୁ ମୁହଁ ଖୋଲିଥିଲା କହିଥିଲା ପ୍ରଥମତଃ ପାଖ ବାଟ, ଦ୍ୱିତୀୟତଃ ବାପାଙ୍କ ସଙ୍ଗେ ଯାଉଛି. ଆଉ ତୃତୀୟରେ... କବିତା ବୋଲିବା ଆକର୍ଷଣରେ ବୋଲି କହୁନୁ କି ମାନୁନୁ କାହିଁକି ଯେ! ଏକାସଙ୍ଗେ କହୁଥିଲେ ପୁଅ ଝିଅ.
ମିନତି ଭାବୁଥିଲେ ସତ. ଏକଦମ ଖାଣ୍ଟି ସତ. ଛାତ ଉପରେ ପକ୍ଷୀ ଅନ୍ୱେଷଣ, ନିରୀକ୍ଷଣ କରୁ କରୁ ଯେତେସବୁ ଅନୁଭବ ତାଙ୍କର ତାକୁ କଣ ପୁଅ ଝିଅ ନା ସ୍ୱାମୀ କେହି ବୁଝିବେ ବରଂ କବିତା ପଦେ ଲେଖି ମନର ଭାବକୁ ଶବ୍ଦରେ ଗୁନ୍ଥି ପାଞ୍ଚ ପଚିଶଙ୍କ ଆଗେ ପଢିବା ବା ଶୁଣେଇବାରେ ଯୋଉ ଆନନ୍ଦ ଅଛି ସେକଥା କୋଉଠୁ ଏମାନେ ବୁଝିବେ ଯେ! ସ୍ୱାମୀ କହନ୍ତି ମତେ ଆଉ ସେ ଆଇ ଡ୍ରପ ଆଣିବାକୁ କହିବନି. ଯେଉଁ ଦୁଇଟା କାମରେ ମନ ଲଗେଇଛ ଯଥା ପକ୍ଷୀମାନଙ୍କ ରାବ ଠାଵ କରି ହଳଦୀବସନ୍ତ, ଶୁଆ, ଭଦଭଦଳିଆ ଦେଖିବା ଓ ତାଙ୍କ ଉପରେ ଗୀତ କବିତା ମୋବାଇଲ ଦ୍ୱାରା ଟାଇପ କରି ଲେଖିବା ଦୁଇଟି ଯାକ କାମରେ ଆଖି ଖରାପ ହେଉଛି ଥରକୁ ଥର. ଦୋକାନ ଦୋକାନ ବୁଲି ସେ ହାଇସୋଡିୟୁ ଆଇଡ୍ରପ ଯୋଗାଇବାରେ ମତେ ଯେ କେତେ ଅଣନିଶ୍ଵାସୀ ହେବାକୁ ପଡେ ଏ ମେଡ଼ିସିନ ଷ୍ଟୋରରୁ ସେ ମେଡ଼ିସିନ ଷ୍ଟୋର ବୁଲିବା ତୁମ ମାଆକୁ କଣ ଜଣାଅପଡୁଛି! ମିନତି ସେତେବେଳେ କହିପାରନ୍ତିନାହିଁ ପକ୍ଷୀଙ୍କ ଗତି ଵିଧି ଜାଣି ତାଙ୍କୁ ଅନୁସରଣ କରିବାରେ ଯୋଉ ଆନନ୍ଦ ସେକଥା ଅନ୍ୟକୁ କଣ ଜଣାପଡ଼େ,କାରଣ ପକ୍ଷୀ ସଙ୍ଗେ ଭାବ ବିନିମୟ ହୁଏ ବୋଲି କିଏ ବିଶ୍ୱାସ କରିବ ତାଙ୍କ କଥା!
ଏଇ ଗତକାଲିର ଘଟଣା କଥା. ଚିକ୍କଣ କାଉଟି ପାଣି ପିଇ ସାରି ଧୀର ସ୍ୱରରେ କା କା ଡାକି ଅଳ୍ପ ଦୂରରେ ଚେୟାର ଉପରେ ବସିଥିବା ମିନତିଙ୍କ ଆଡକୁ ମାଡି ଆସୁଥିଲା ତ ଭୟ ମିଶା ଆଶ୍ଚର୍ଯ୍ୟ ଆଖିରେ ଉଠିପଡିଲେ ମିନତି. ପକ୍ଷୀ ପଶୁ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଗତି ଵିଧି ଓ ସ୍ୱରରେ ଅନେକ ସନ୍ଦେଶ ଦେଇଥାନ୍ତି ମଣିଷକୁ. କାଉ ସଙ୍ଗେ ଖୁବ ଭାବ ମିନତିଙ୍କର କାରଣ ଅନ୍ୟ ପକ୍ଷୀଙ୍କ ତୁଳନାରେ କାଉଟି ପାଣି ସ୍ଵଚ୍ଛନ୍ଦରେ ପିଏ ଥୋଇଥିବା ସ୍ଥାନରୁ.ପୁଣି ପ୍ରଥମ ଭାତ କାଉ କୁକୁରଙ୍କୁ ଦେଉଥିବୁ ବୋଲି କହିଥିବା ଶାଶୁଙ୍କ ଗଦ୍ୟାଂଶଟି ମନେରଖି କାଉ ପାଇଁ ଥୁଆଯାଉଥିବା ଭାତ ମଧ୍ୟ ଖାଏ ନିର୍ଭିକରେ ସେହି କାଉଟି. ତେବେ ଆଜି ତାର ବ୍ୟବହାରରେ ପରିବର୍ତ୍ତନ ଦେଖି ବିଚଳିତ ବୋଧ କଲେ ମିନତି. ସେତେବେଳକୁ କାଉଟି ଉଡି ଉଡି ଆସି ପ୍ରାୟେ ତାଙ୍କ ପାଖାପାଖି ପହଁଞ୍ଚି ଯାଇଥିଲା ତ ମନେ ପଡିଗଲା ଆଜି କାଉକୁ ଭାତ ଦେଇନାହାଁନ୍ତି ସେ ତେଣୁ ଉଠିଯାଇ ଭାତ ଓ ଚାଉଳ ଆଣି ଥୋଇଲା ପରେ କାଉ ସେତକ ଖାଇ ପୁଣି ପାଣି ପିଇ ଉଡିଯିବା ପରେ ମିନତି ଭାବିଥିଲେ ଏଣିକି ଆଉ ରିଷ୍ଟ କାଟିବା ପାଇଁ ପ୍ରଥମ ଭାତ କାଉକୁ ନଦେଇ ସେତକ ନିଜେ ଖାଇ ତା ପରେ କାଉକୁ ଖାଇବାକୁ ଦେବେ. ନଚେତ ପୂର୍ବରୁ ପ୍ରଥମ ବଢ଼ା ଭାତ ଖାଇ ଏହି କାଉଟିର ସହୋଦର ପରି, ସେଇ ପୂର୍ବ କାଉଟି ଭଳି ରିଷ୍ଟ ନେଇ ଇଲେକ୍ଟ୍ରି ତାରରେ ବସି ଯଦି ଏ କାଉଟି ମୃତ୍ୟୁ ବରଣ କରିବ, ତେବେ ଅଣନିଶ୍ଵାସୀ ହୋଇ ସ୍ୱାତି ମରିବା ଥୟ ବରଂ ଏ କାଉଟିର ମାଆ ହୋଇ ଆଉ କିଛି ଦିନ ଏ ସମ୍ପର୍କ ତିଷ୍ଠି ରହୁ ଭାବି ତଳକୁ ଆସି ଦେଖନ୍ତି ତ ପୁଅ ଓ ଝିଅଙ୍କର କେତେ ମିସ କଲ. ମିନତି ପୁଅ ଓ ଝିଅଙ୍କୁ କଲ ବ୍ୟାକ କରି କହୁଥିଲେ ଆରେ ବହୁତ ଶୀଘ୍ର ବାପା ଓ ମୁଁ ତୁମ ଦୁହିଁଙ୍କ ପାଖକୁ ଯିବାକୁ ବାହାରିଛୁ ହେଲେ ସେଠି କାଉ ଅଛିତ!ପୁଅ ଝିଅ ଦୁହେଁ କହୁଥିଲେ ଆରେ ତୋ ନାତି ନାତୁଣୀ ଦୁହେଁ ପରା ଦୁଇଟି କାଉ. ରାଉ ରାଉ ହୋଇ ତତେ ଅଣନିଶ୍ୱାସୀ କରିପକେଇବେ. ଆଜି କାଉପାଇଁ ଖାଦ୍ୟ ରଖିସାରି ଝିଅର ଝିଅ ଡୁଗୁ ଓ ପୁଅର ପୁଅ ବାବା ପାଇଁ ବିସ୍କୁଟ ସଜାଡୁଥିଲେ ମିନତି . ପିଲା ଦୁଇଟାଙ୍କୁ ଦେବା ସହ କାଉଙ୍କୁ ଦେବେ ସେମାନଙ୍କ ଘରକୁ ଗଲେ.ଏଠା କାଉ କଥା ଭାବି ଅଣନିଶ୍ୱାସୀ ଲାଗିବା ଆଗରୁ ସ୍ୱାମୀ କହୁଥିଲେ ତୁମେ ତେବେ କାହାର ମାଆ ହେବ ଆଗ କୁହ.ହସୁଥିଲେ ମିନତି ଓ କହୁଥିଲେ ଜାଣିନକି,ମମତାରୂପକ ପ୍ରେମ ବାଣ୍ଟି ମାଆ ମଧ୍ୟ ବାଣ୍ଟିହୋଇ ଯାଏ ସ୍ନେହରେ ନାତି ଓ ନାତୁଣୀଙ୍କ ପାଇଁ ପରା .ପୁଅ ଝିଅ ଘରେ ଯଥାକ୍ରମେ ନାତି ବାବା ଓ ନାତୁଣୀ ଡୁଗୁ ସଙ୍ଗେ ରହି ମିନତି ଭୁଲିଗଲେ କାଉଟିଏ ତାଙ୍କ ହାତରୁ ଭାତ ଚାଉଳ ଖାଏ ଓ ଥୋଇଥିବା ପାଣିଘଡିରୁ ପାଣି ପିଏ.ଏ ଭିତରେ ପାଣି ସରିଯିବଣି,ଜଳ ତଳକୁ ଚାଲିଯିବଣି କହି ବ୍ୟସ୍ତ ହେଉଥିଲେ ମିନତି ସେଦିନ ତ ପୁଅ କହିଥିଲା କାଉ ଗପ ପଢିନୁ କି ମାଆ?ଗୋଟି, ଟେକା କି ପଥର ପକେଇ ଜଳସ୍ତର ଉଠେଇ ପାରେ କାଉ ତ ମାଆ ମିନତି କହୁଥିଲେ ସେକଥା ପୁରୁଣା ହେଲାଣିରେ ପୁଅ. ଆଜିକାଲି ଠେକୁଆ ଓ କଇଁଚ ଦୌଡରେ ଆଉ କଇଁଚ ଜିତୁନି ବରଂ ଠେକୁଆ ଦଉଡି ଦଉଡି ଆଗ ପହଞ୍ଚି ଯାଉଛି. କାଉତ ସହଜେ ପକ୍ଷୀଟିଏ କୋଉଠୁ ଆଣିବ ଟେକା, ପଥର!ଥଣ୍ଟ ଭାଙ୍ଗିଯିବନି ତାର?ପୁଅ ଦେଖେଇଥିଲା ଭିଡ଼ିଓ. ସେସବୁ କେମିତି ଏଡିଟ ହୋଇଥିଲା କି ନା କେଜାଣି କିନ୍ତୁ ଏବେବି କାଉ ତାର ସେଇ ବୁଦ୍ଧି ପ୍ରୟୋଗ କରିଚାଲିଥିବା ଦୃଶ୍ୟରେ ସାମୟିକ ଖୁସି ହେଲେ ବି ସାମଗ୍ରିକ ଭାବେ ଭାବି ହେଉଥିଲେ ମିନତି ଯେ ବିଚରା ପକ୍ଷୀ ଗୁଡାକ ପାଣି ଟୋପେ ବିନା ଆଉଟୁ ପାଉଟୁ ହେଇଯାଉଥିବେ. ଏ ମାର୍ଚ୍ଚ ମାସରୁ ଏତେ ଗରମ ହେବା କଣ ଆଗରୁ ଥିଲା!ଝିଅ ଘରେ ସେମିତି ଝିଅ ସ୍ୱାତୀ କହେ ତୁ ଅଯଥା ବ୍ୟସ୍ତ ହେଉଛୁ ମାଆ. ସେମାନେ ପ୍ରକୃତିର ସନ୍ତୁଳନ ସହ ନିଜକୁ ଠିକ ଠାକ ଚଳେଇ ପାରିବେ. ତୁ ନିର୍ଦିଷ୍ଟ ପକ୍ଷୀଟାକୁ ବା ତୋ ପରିସର ଭିତରେ ଥିବା ସବୁପକ୍ଷୀଙ୍କୁ ପାଣି ଦେଉଛୁ ସତ କିନ୍ତୁ ଲକ୍ଷ ଲକ୍ଷ ପକ୍ଷୀ ଅଛନ୍ତି ଓ ପ୍ରକୃତିରେ ବଞ୍ଚିବା ଆପେ ଆପେ ଶିଖିଯାଇଛନ୍ତି ତ ନାତି ବାବା ଭଳି ନାତୁଣୀ ଡୁଗୁ ଆକାଶରେ ଉଡୁଥିବା ଇଂରାଜି ଅକ୍ଷର ଭି ପରି ଉଡୁଥିବା ପାଣିକୁଆ ପକ୍ଷୀଙ୍କୁ ଦେଖେଇ ଦେଇ କୁହେ ଦେଖ ଆଈ ସେମାନେ କେତେ ବିଜ୍ଞାନ ଜାଣିଛନ୍ତି ବୋଲି ସମୂହ ଭାବେ ଭି ସେଫରେ ଉଡି ଏକତ୍ରିତ ହୋଇ ଉଡିବାରେ ପଥକଷ୍ଟ ଭୁଲିଯାଉଛନ୍ତି. ମଝିରେ ଥିବା ପକ୍ଷୀ ଦଳପତିଟିର କଥା ମାନିବା ସହ ସମସ୍ତେ ଯେପରି ରାସ୍ତା ଦେଖି ଚିହ୍ନି ଠିକ ଠାକ ଉଡି ପାରିବେ ସେହିପରି ଉଡୁଛନ୍ତି. ନାତୁଣୀ ମୁଣ୍ଡ ଆଉଁସି ମିନତି କହନ୍ତି ତୁ ବଡ ହେଲେ ପକ୍ଷୀ ବିଶେଷଜ୍ଞ ହୋଇ ଚିଲିକାରେ କେତେ ପକ୍ଷୀ ଓ କୋଉଠୁ ସବୁ ଆସିଛନ୍ତି ତଥା ତାଙ୍କ ସଂଖ୍ୟା ଗଣନା କରିବାକୁ ଯିବୁ ନିଶ୍ଚୟ.
ଡୁଗୁ କହୁଥିଲା ନା ଆଈ.ମୁଁ ପରା ପ୍ରଥମ ମହିଳା ପକ୍ଷୀଡାକ୍ତର ହେବି. ପଶୁଡାକ୍ତରମାନେ ପକ୍ଷୀ ସେବା କରୁଥିଲେ ମଧ୍ୟ ଖାସ ପକ୍ଷୀମାନଙ୍କ ପାଇଁ ଡାକ୍ତର କେହି ନାହାଁନ୍ତି ବୋଲି ମୁଁ ଭାବିଛି ପକ୍ଷୀଡାକ୍ତରଟିଏ ହୋଇ ତାଙ୍କ ସେବା କରିବି. ଖରା,ବର୍ଷା, ଶୀତ, କାକରରେ ଛିଡି ଯାଉଥିବା ପକ୍ଷ କିପରି ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ରହିପାରିବ ସେହି ପାଠ ପଢ଼ିବି. ନାତୁଣୀ କଥା ଶୁଣି ଏଇ ଏଇ ସ୍କୁଲ ଯାଉଥିବା ନାତୁଣୀଟା ଡୁଗୁ କେତେ ଭାଷା ଓ ଶବ୍ଦ ପ୍ରୟୋଗ କରିପାରୁଛି ଦେଖି ଚମକି ପଡିଲା ବେଳେ ମିନତି ଙ୍କୁ ତାଙ୍କ ଝିଅ ସ୍ୱାତୀ କହୁଥିଲା ସେଇଥିପାଇଁ ତୁମ ବେଳ ଛବିଳ ବର୍ଣ୍ଣବୋଧ ବହିର ମଲାଟ ଥିଲା ଅଲଗା ଆଉ ଏବେର ପରିବର୍ତ୍ତିତ ମଲାଟ ଦେଖିଲୁଣି ମାଆ?ମିନତି ଚମତ୍କୃତ ହୋଇ କହୁଥିଲେ ହଁ ଲୋ ଝିଅ ଆମେ ତ ଭାଗ୍ୟବାନ ପିଲାରେ ଗୀତଟିର ମଧ୍ୟ ନୂତନ ସଂସ୍କରଣ ହେବା ଉଚିତ. ଏ ଡିଜିଟାଲ ଯୁଗରେ.
ଏତିକି ବେଳକୁ ସ୍ୱାମୀ କହିଥିଲେ ଟିକେଟ ହୋଇସାରିଛି ଆମକୁ ଫେରିବାକୁ ହେବ ଗାଁକୁ. ପୁଅର ପୁଅ ବାବା ଯେମିତି କାନ୍ଦି କାନ୍ଦି ଗୁଲୁ ଗୁଲୁ କରି ତା ଅଳ୍ପ ଭାଷାରେ କହୁଥିଲା ଜେଜେକୁ ମାଡ଼,ଅର୍ଥାତ ଜେଜେ କାହିଁକି ଜେଜେମାଆଙ୍କୁ ନେଇ ଚାଲିଯିବେ କହୁଛନ୍ତି ସେମିତି ଡୁଗୁ ମଧ୍ୟ କାନ୍ଦୁଥିଲା ଆଉ କହୁଥିଲା ଆଈ ଥାଆନ୍ତୁ ତୁମେ ଘରକୁ ଯାଅ ତ ଅଜା କହୁଥିଲେ ତୋ ଆଈର ସେଠି କେତେ ପିଲା. ଆଈ ସେଠିକୁ ଗଲେ ସେମାନଙ୍କ ପାଇଁ ପାଣି ଓ ଭାତ ତଥା ଚାଉଳ ଥୋଇବ ତ ଡୁଗୁର ଉତ୍ତର ଥିଲା ହଁ ମୁଁ ଜାଣିଛି ଆଈ ମତେ ଓ ବାବାକୁ ଯେମିତି ଭଲପାନ୍ତି ପକ୍ଷୀମାନଙ୍କୁ ମଧ୍ୟ ସେମିତି ଭଲପାଆନ୍ତି . ସେ ପରା ପକ୍ଷୀମଣିଷ. ସେଇ ବିଷୟରେ ଲେଖି ମୋ ଆଈ କବିତା ଆସରରେ ସମ୍ବର୍ଦ୍ଧିତ ହେବା କଥା ବି ଜାଣିଛି. ଆରେ ବାପରେ ତୁ ଖୁବ ବଡ଼ ହୋଇଗଲୁଣି ତେବେ, କହି ଅଜା ହସିଲା ବେଳେ ଆଈ ସଜାଡୁ ଥିଲେ ଟ୍ରଲି ବ୍ୟାଗ.
ଗାଁରେ ପହଁଞ୍ଚି ଆଗ ଛାତକୁ ଦଉଡି ଗଲେ ମିନତି . ପାଣି ଓ ଚାଉଳ ଥୋଇବାକୁ ହେବ. ଏଡ଼େ ଖରାରେ ଜଳ ସ୍ତର ତଳକୁ ଚାଲିଯିବଣି ନା ହେଲେ ଜଳ ସ୍ତର ଯେମିତି ସେମିତି ଥିଲା. କେହି ପକ୍ଷୀ ପାଣି ପିଉନଥିଲେ, ନା ଅଦିନିଆଁ ମେଘରେ ପାଣିପାତ୍ରରେ ଜଳପୂର୍ଣ୍ଣ ହୋଇଛି ବୁଝିବା ପୂର୍ବରୁ କାଉଟି ଉଡି ଉଡି ଆସୁଥିଲା ଦୂରରୁ ତ ପାଣିଲୋଟା ବଦଳେଇ ସଜ ସ୍ୱଚ୍ଛ ପାଣି ମୁନ୍ଦେ ଭରୁଥିଲେ ପାତ୍ରରେ ମିନତି. ପୁଅ ଝିଅଙ୍କ କଥା କାନରେ ଗୁଞ୍ଜରିତ ହେଲା ବେଳେ କାଉ ଥଣ୍ଟ ବୁଡେଇ ପାଣି ପିଇ ଚଳିଥିଲା ସତେ ଯେପରି ବହୁ ଦିନରୁ ଶୋଷ ହେଉଥିଲା ପକ୍ଷୀଟାକୁ.
କର୍ମ ଫଳ ଦାତା ଶନିଙ୍କ କୃପା କରୁଣାରୁ ଏବେ ଜୀଵନସାରା ଆରାମ ସହ ମିନତିଦେବୀଙ୍କୁ ଆଜି ଏକ ଶେଷ ଆରାମ ଜୀଵନ ମିଳିଯାଇଛି. ଖଟ, ଗଦି,ସଫା ବେଡ଼ସିଟ ଓ ପ୍ରତିଦୁଇଦିନରେ ବେଡ଼ସିଟ ବଦଳା ଯାଉଛି. ହାତ ପାଖରେ ଗୋଟେ ଟେବୁଲ ଓ ଟେବୁଲ ଉପରେ ଯାବତୀୟ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର. ଯେତେବେଳେ ଯାହା ଦରକାର କଲିଂ ବେଲ ଚିପିଲେ ଆୟା ଆସି ପହଞ୍ଚି କଣ ଦରକାର ବୁଝିନେଇ ଆଣିଦେଉଛି. ଏତେ ସୁଖ ଶେଷ ବେଳକୁ ଥିଲା ବୋଲି ପାଖ ପାଖ ଖଟରେ ପଡି କେହି ବୁଢା ବୁଢ଼ୀ କହୁଥିବାର ଶୁଣିଲେ ମିନତିଙ୍କ ଆଖି ଓଦା ହୁଏ. ତାଙ୍କର ମନେପଡେ ତାଙ୍କ ଶାଶୁଙ୍କ ଶେଷ ଆରାମ କାଳରେ କନ୍ଥା ପକାଇ ତଳେ ଶୋଇ ଶୂନ୍ୟକୁ ଚାହିଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଅବସ୍ଥାର କଥା.ଏଇ ହାତରେ କେତେ ସେବା ଯତ୍ନ କରିଛନ୍ତି ସେ ହେଲେ ଆଜି ତାଙ୍କୁ ଶେଷ ଆରାମ ଘରେ ପୁଅ ବୋହୁ ନାତି ନାତୁଣୀଙ୍କ ସଙ୍ଗେ ନୁହଁ ବରଂ ଅନାଥାଶ୍ରମର ତୁଳିତଳ୍ପ ଶଯ୍ୟାରେ ବିତେଇବାକୁ ପଡୁଛି.ଝିଅ, ସ୍ୱାତୀ ବୁଝେଇ ଦେଇ ଯାଇଛି ଦେଖ ବୋଉ ଘରେ ଥିଲେ ତୋ କାମ କିଏ କରନ୍ତା କହିଲୁ! ଭାଇ ଭାଉଜ ତ ଚାକିରିଆ. ତାଙ୍କ ପିଲାଙ୍କର ମଧ୍ୟ ସେମାନେ ନିଜେ ଦାଇତ୍ୱ ନେଇ ପାରୁନାହାଁନ୍ତି ଯେ ଜଣେ ଲୋକ ନିଯୁକ୍ତ କରିଛନ୍ତି. ପିଲାଙ୍କର ଦେଖାଶୁଣା ଠିକ ଠାକ ନହୋଇ ପାରିଲେ ତୁ ସେ ଆୟା ଉପରେ ବିରକ୍ତ ହେଉ ଯେ ଥରକୁ ଥର ଦୁଇଜଣ ଆୟା ଛାଡି ଗଲାପରେ ଏବେ କେତେ କଷ୍ଟରେ ଆଉ ଜଣେ ଆସିଛି. ତୁ ନିଜେ କରିପାରିବୁନି କିନ୍ତୁ ଅନ୍ୟ ଜଣେ କେମିତି କରୁଛି ତା ସ୍ବାଧୀନତା ଉପରେ ହସ୍ତକ୍ଷେପ କଲେ ସେ କଣ ସମ୍ଭାଳିବ? ତାପରେ ତୋ ଦେହ ଭଲ ରହୁନି. ଗୋଡ଼ ଚିପି ଚିପି ଚାଲୁ ଚାଲୁ ଯଦି ପଡିଯାଉ ତେବେ କିଏ କରିବ କହିଲୁ? ଏଠି ଏତେ ଲୋକ ଖୁସିରେ ଅଛନ୍ତି. ଘରେ ବାପାଙ୍କ ବିନା ଦୁଃଖୀ ହେବା ଅପେକ୍ଷା ଏଠାରେ ସମସ୍ତଙ୍କ ଦୁଃଖ ଦେଖି ନିଜ ଦୁଃଖ ଭୁଲି ଠାକୁରଙ୍କ ଜଣାଣ ଭଜନ ତୋ ମନରେ ଶାନ୍ତି ଦେଇପାରିବ.ତୁ ମନଦୁଃଖ କରନା ତା ଛଡା ପ୍ରତି ଶନିବାର ଓ ରବିବାର ତ ଭାଇର ମୋର ଆସି ତୋ ଭଲମନ୍ଦ ବୁଝି ଯାଉଛୁ. ଭାଇ ତୋ ପେନସନ ଟଙ୍କା ବାଦ ପୁଣି ଅଧିକା ଟଙ୍କା ଦେଇ ତୋ ପାଇଁ ଅନ୍ୟାନ୍ୟ ସୁବିଧା କରିଦେଇଛି ଯେମିତିକି ତୁ ସବୁଦିନ ଗୀତା ଭାଗବତ ଅଧ୍ୟାୟ ଲେଖାଏଁ ଶୁଣିପାରିବୁ. ବାପାଙ୍କ ସାଙ୍ଗରେ ରହି ଦେଶ ବିଦେଶର ଖବର ଜାଣିବାରେ ଅଭ୍ୟସ୍ତ ଥିଲୁ ବୋଲି ରେଡ଼ିଓ ଶୁଣିପାରିବୁ କହି ଝିଅ ତାଙ୍କର ବହେ ଘଷା ମୋଡା କରିଦେଇ ଯାଏ. ଆଖିରୁ ଦୁଇଧାର ଲୁହ ଗଡିଆସୁଥାଏ ତ ଝିଅ କହେ କାନ୍ଦନା ବୋଉ ସବୁ ମଣିଷର ଏଇ ଅବସ୍ଥା ଆସେ. ଭାବିଲୁ ଆମ କଥା. ଆମ ସମୟରେ ଆମର କିଏ କରିବ?ତୁନି ପଡନ୍ତି ମିନତି ଡାକୁଥାଆନ୍ତି ପ୍ରଭୁ ହେ ମୋ ପିଲାମାନଙ୍କୁ ଘଣ୍ଟ ଘୋଡେଇ ରଖ.
ଝିଅ ସ୍ୱାତୀ ତା ଘରକୁ ଚାଲିଗଲା ପରେ ବୃଦ୍ଧାଶ୍ରମରେ ରହି କେତେ କଥା ଭାବନ୍ତି ମାଆ ମିନତି. ତାଙ୍କ ସମୟରେ ସ୍ତ୍ରୀ ଲୋକମାନେ ଚାକିରୀ କରୁନଥିଲେ ତେଣୁ ଘରେ ରହି ସନ୍ତାନ ଲାଳନ ପାଳନ କରିବା ସହ ବୃଦ୍ଧ ପିତା ମାତାଙ୍କ ଯତ୍ନ ନେଉଥିଲେ. ଆଜିକାଲି ଘରର ଆର୍ଥିକ ଅବସ୍ଥାର ଉର୍ନ୍ନତି ପାଇଁ ଦୁଇଜଣ ଚାକିରିଆ ହେବା ନିହାତି ଜରୁରୀ କାରଣ ଯେତେସବୁ ଆଧୁନିକ ଉପକରଣର ଉଦ୍ଭାବନ ହେଉଛି ତାହାର ଉପଯୋଗ କରିବାକୁ ଓ ଇଣ୍ଟରନେଟ ଯୁଗରେ ହାତପାଆନ୍ତାରେ ସବୁ ପାଇବାକୁ କିଏ ବା ନଚାହିଁବ? ମିନତି ସବୁ ବୁଝୁଥିଲେ ମଧ୍ୟ ତାଙ୍କର ମନେପଡେ ତାଙ୍କ ବୋହୁ ବେଳ କଥା. ନିଜ ହାତରେ ସମସ୍ତଙ୍କ ପସନ୍ଦର ଛଅ ତୁଣ ନଅ ଭଜା କରିବାରେ କି ଆନନ୍ଦ ତାଙ୍କର!ଶାଶୁ ଶଶୁରଙ୍କ ମନବୁଝି ପିତାଶାଗ, ଖୁଦପିତା, ଆମ୍ବିଳ, ରାଇ, ପଣସକଠାକୁ ପିଠାଉ ଦେଇ ଭଜା, ଲିମ୍ବ କଢର ପ୍ରସ୍ତୁତିକରଣ କେତେ ଭଲ ଥିଲା ସେତେବେଳେ! ଆଜିକାଲି ଏ କକଲେଟ, ପିଜା, ବର୍ଗର, ମୋମୋ ଖାଇ ଖାଲି ରୋଗ. ଝିଅ ବୁଝାଇଦିଏ କୋଉ ଯୁଗରେ ରୋଗ ନଥିଲା କହିଲୁ ବୋଉ? ସେତେବେଳେ ମଣିଷକୁ ଚାଳିଶ କି ପଚାଶ ହେଲାବେଳକୁ ମରିଶୋଉଥିଲେ ମଶାଣୀରେ ଅଜଣା ରୋଗର ଶୀକାର ହୋଇ. ଆଜିକାଲି ଆକ୍ୱାଗାର୍ଡ଼ରୁ ଭଲ ପାଣି ପିଇ ଏସିରେ ଶୋଇ ଲୋକଙ୍କ ଜୀଵନକାଳ ବୃଦ୍ଧି ପାଇଛି ନା ନାହିଁ?ରୋଗ ସେତେବେଳେ ଥିଲା ଏବେବି ଅଛି. ସେତେବେଳେ ଲୋକ ମରୁଥିଲା ବିନା ଉପଚାରରେ ଏବେ ହସ୍ପିଟାଲ ଦଉଡିବାକୁ ଜନବଳ, ମନୋବଳ ତଥା ଅର୍ଥବଳ ଦରକାର ହେଉଛି. ଖାଲି ଯାହା ଯିଏ ଯେମିତି ବଢିଆସିଛି ସିଏ ସେଇ କଥା ଖୋଜୁଛି. ସମୟ ସୁଅରେ କେତେ ଯେ ବୈପ୍ଲବିକ ପରିବର୍ତ୍ତନ ଆସିଲାଣି ବୁଝିପାରୁନି ମଣିଷ ଯଦିଓ ବୁଝୁଛି ତାର ସୁଫଳ ନେଇପାରୁନି. ଚୁପ ହୋଇଯାଆନ୍ତି ମିନତି. ଏଇ ସମୟରେ ଆଉ ଜଣେ ବୃଦ୍ଧା ସେହି ରୁମରେ ସ୍ଥାୟୀ ହୋଇ ରହିବାକୁ ଆସିଲେ. ସେ ନୂଆଥିଲେ. ସମାଜରେ ଖୁବ ନାମ କମେଇବା ସହ ଖୁବ ରୋଜଗାର କରୁଥିଲେ ଓ ଅୟସ ଆରାମରେ ଚାକର ବାକର ପୂଜାରୀ ନିଯୁକ୍ତି ଦେଇ ସେବା ପୂଜା ପାଉଥିଲେ ତ ବୃଦ୍ଧାଙ୍କର ନିଜର ବୋଲି ପୁଅ ଝିଅ ନଥିଲେ କାରଣ ସେ ବିବାହ ବନ୍ଧନରେ ଆବଦ୍ଧ ନଥିଲେ ଜୀଵନକାଳରେ.ଏଠି ଏତେ ଅୟସ ଆରାମ ପାଉଥିଲେ ମଧ୍ୟ ଜୀବନର ଏଇ ଶେଷ ଆରାମର ସଂଜ୍ଞା ତାଙ୍କ ପାଇଁ ଖୁବ ଦୁଃଖଦ ଥିଲା. ସବୁରି ପାଇଁ ଦୁଃଖ ଆସେ କିନ୍ତୁ ଦୁଃଖର ଅନୁଶୀଳନ ଓ ଅନୁଭବର ଭିର୍ନ୍ନତା ଦେଖୁ ଦେଖୁ ମିନତିଙ୍କର ବାର୍ଦ୍ଧକ୍ୟ ରୋଗ ଦ୍ବିଗୁଣା ହେଉଥିଲା. ଔଷଧ ପତ୍ର, ଦି ଓଳି ଘସାମୋଡା ସବୁ ଥିଲେ ମଧ୍ୟ ସେ ଖୋଜୁଥିଲେ ତାଙ୍କ ଘରର ଖୋଲା ଅଗଣାରେ ବସି ଗଛ ଡ଼ାଳରେ ଥିବା ପକ୍ଷୀ ଦେଖନ୍ତେ, ଋତୁ ଅନୁଯାଇ ବଦଳୁଥିବା ଆକାଶର ରଙ୍ଗରେ ରଙ୍ଗୀନ ହୋଇ ନାତି ନାତୁଣୀଙ୍କ ପ୍ରଜାପତି ଧରୁଥିବା ଦୃଶ୍ୟରେ ଆମୋଦିତ ହୁଅନ୍ତେ କିନ୍ତୁ ହାଏ ସେତ ଆଉ ଚାଲି ପାରୁନାହାଁନ୍ତି, ନିଜ କାମ ନିଜେ କରିପାରୁନାହାଁନ୍ତି. ଘରେ କିଏ କରନ୍ତା ତାଙ୍କ କାମ?
ଏହି ଭିତରେ ସେହି ବୃଦ୍ଧା ସବୁବେଳେ ନିଜ ଜୀବନର ଶେଷ ପର୍ଯ୍ୟାୟକୁ ବିସ୍ଲେସଣ କରି କହୁଥିଲେ ଏତେ ସବୁ ସୌଭାଗ୍ୟ ପାଇ ସାରି ଶେଷ ଜୀବନକୁ ଏତେ ଦୁଃଖ ଥିଲା!ଏଇ ସାଧାରଣ ଶେଜ, ସ୍ୱାଦ ବିହୀନ ଖାଦ୍ୟ, ମଉଜମଜଲିସ ପରିବର୍ତ୍ତେ ସମୂହ ଭଜନ କୀର୍ତ୍ତନ!ପ୍ରଭୁ ଏପରି କଷ୍ଟକର ଜୀବନରୁ ମତେ ମୁକ୍ତି ଦିଅ ପ୍ରଭୁ. ସତକୁ ସତ ସେ ଚାଲିଗଲେ. ମିନତି କାନ୍ଦିପକେଇଥିଲେ ତ ଝିଅ ସ୍ୱାତୀ କହିଲା ଦେଖିଲୁ ବୋଉ ଜୀବନର ଶେଷ ଆରାମକୁ କିଏ କୋଉ ଭଳି ଦେଖୁଛି ଓ ପାଉଛି. ମିନତି ଠାକୁରଙ୍କୁ ମୁଣ୍ଡିଆ ମାରି କେବଳ କହୁଥିଲେ ମୋ ସନ୍ତାନମାନଙ୍କର ମଙ୍ଗଳ କର ପ୍ରଭୁ.ଏଣିକି ବାର୍ଦ୍ଧକ୍ୟ କବଳିତ କରୁଥିଲା ମିନତିଙ୍କୁ. ଆଉ କାନକୁ ଶୁଭୁନଥିଲା କି ଆଖିକୁ ଦେଖାଯାଉନଥିଲା. ପରିଚାରିକା ଓ ଆୟାମାନଙ୍କ ଡାକରେ ଉଠୁନଥିବା ମିନତି ପୁଅ ଝିଅଙ୍କ ଡାକରେ ଧଡ଼ପଡ଼ ହୋଇ ଉଠିବସି ପଚାରନ୍ତି ଖାଇଛଟି ଧନ ? ଭାଇ ଭଉଣୀ କହନ୍ତି ହଁ ମା ଆମେ ଖାଇଛୁ ତୁ ଉଠ ଖାଇବୁ. ମିନତିଙ୍କ ଆଖିରୁ ଗଡି ଯାଉଥାଏ ଅଶ୍ରୁଧାର ଡାକୁଥାଆନ୍ତି ପ୍ରଭୁହେ ଶ୍ରୀକ୍ଷେତ୍ର କ୍ଷେତ୍ରପତି ଶ୍ରୀଜଗନ୍ନାଥ ମୋ ପୁଅ ଝିଅଙ୍କୁ ଆୟୁଷ ଆଶିଷ ସହ ନିରୋଗ ରଖ.ଏବେ ମାଆ ଅବସ୍ଥା ସାଙ୍ଘାତିକ ଥିଲା. ଘରକୁ ଥରେ ନେଇ ବୁଲେଇ ଆଣିବାର ଅବସ୍ଥା ନଥିଲା. ପୁଅ ଝିଅଙ୍କୁ ଦେଖିଲେ କେବଳ କାନ୍ଦୁଥିଲା. ବୋହୁ ଜୋଇଁ ଓ ନାତି ନାତୁଣୀ ଆସିଲେ ତାଙ୍କୁ ଅପଲକ ନୟନରେ ଚାହିଁ ରହୁଥିଲା. ପାଟି ମଧ୍ୟ ଏ ଭିତରେ ପଡିଯାଇଥିଲା ମାଆର.
ସେଦିନ ରବିବାର ପରିବର୍ତ୍ତେ ଝିଅ ସ୍ୱାତୀ ଆସି ବୁଧବାର ପହଞ୍ଚିଥିଲା ବୋଉ ପାଖରେ କାରଣ ଏଣିକି ସେ ସପ୍ତାହର ସାତଦିନ ମାଆ ପାଖକୁ ଆସିବ ବୋଲି ନିଷ୍ପତ୍ତି ନେଇସାରିଥିଲା. ଘରେ ନିଜ ଶାଶୁ ଶଶୁରଙ୍କ ସେବା ଯତ୍ନ ଭିତରେ ସେ ମାଆ ପାଇଁ ସମୟ କାଢି ଆସିଥିଲା କାରଣ ଦିନକୁ ଦିନ ମାଆର ମାନସିକ ଓ ଶାରୀରିକ ଅବସ୍ଥା ଭଲ ରହୁନଥିଲା ବେଳେ ଭାଇର ବଦଳି ହୋଇଯାଇଥିଲା.ଭାଉଜଙ୍କର ମଧ୍ୟ ବଦଳି ହୋଇ ଭାଇ ଭାଉଜ ଅଲଗା ରହିବା ଦ୍ୱାରା ପିଲାଦୁହେଁ କେଉଁଠି ପଢିବେ ଚିନ୍ତାରେ ବ୍ୟସ୍ତ ଥିଲେ ସେମାନେ . ଏଣିକି ଝିଅ ସ୍ୱାତୀ ଭାବୁଥିଲା ପ୍ରକୃତରେ ଚାକିରିଆ ବୋହୁ କରିବା କେତେ ଦୂର ଉଚିତ?ସେ ଚାକିରୀ କରିନାହିଁ ବୋଲି ଶାଶୁ ଶଶୁରଙ୍କ ସେବା ଯତ୍ନ ନେଇପାରୁଛି ସତ ହେଲେ ପିଲା ଦୁହିଁଙ୍କୁ ବଡ଼ ତଥା ଭଲ ଇଂରାଜି ମାଧ୍ୟମ ସ୍କୁଲରେ ପଢ଼ାଇବାକୁ ମନ କରି ଅସଫଳ ହୋଇ ଓଡ଼ିଆ ସ୍କୁଲରେ ପାଠ ପଢ଼ାଉଛି. ତାର ସ୍ୱାମୀଙ୍କ ଗୋଟେ ରୋଜଗାର ଭିତରେ ସେ ପିଲାଙ୍କ ପାଇଁ ଏତେ ଡୋନେଶନ ଦେଇ ପାଠ ପଢ଼େଇ ପାରିନି ବୋଲି ମନଦୁଃଖ କଲା ବେଳେ ତା ପିଲାଦୁହେଁ ଗାଁ ସରକାରୀ ସ୍କୁଲରେ ପାଠ ପଢି ଖୁବ ଭଲ ନମ୍ବର ରଖି ଆଗପଛ ହୋଇ ମାଟ୍ରିକ ପରୀକ୍ଷାରେ ଦଶ ଜଣଙ୍କ ଭିତରେ ଅଛନ୍ତି ବୋଲି ତା ଶୁନ୍ୟ ହୃଦୟ ପୂର୍ଣ୍ଣ ହୋଇଯିବା ବେଳେ ଭାଇର ପିଲାମାନେ ସବୁ ସୁବିଧା ପାଇ ଆଗକୁ ବଢିପାରୁନଥିବା କାରଣ ବୋଧହୁଏ ଭାଉଜଙ୍କ ଚାକିରୀ ବୋଲି ଏଣିକି ମନେ ହୁଏ ସ୍ୱାତୀର.ହେଲେ ମଧ୍ୟ ସେ ସେକଥା କେବେ ପ୍ରକାଶ କରେନି କିନ୍ତୁ ବୋଉର ଦୁଃଖ ଦେଖି ହେଉନି. ଏମିତି ଭାବୁ ଭାବୁ ସେ ପହଞ୍ଚି ଯାଇଥିଲା ଆଶ୍ରମରେ. କିନ୍ତୁ ଯାହା ଦେଖିଲା ସ୍ତମ୍ବିଭୂତ ହୋଇପଡ଼ିଲା. ଆୟା ବୋଉକୁ ଘୋଷାଡି ନେଉଥିଲା ତଳକୁ. ଖଟରୁ ବେଡ଼ସିଟ ବଦଳାଇ ପୁଣି ଘୋଷାଡି ଶୁଆଇ ଦେଲାବେଳେ ଯନ୍ତ୍ରଣାରେ ବୋଉ ମୁହଁ ଭାରି କଷ୍ଟ ପାଇବା ପରି ପ୍ରତୀୟମାନ ହେଉଥିଲା. ଚାହୁଁ ଚାହୁଁ ବୋଉ ତଳକୁ ଖସିପଡିବାରୁ ଆୟା କହୁଥିଲା ମରୁନି ବୁଢ଼ୀଟା ଯାହା ଦରମା ଗଣ୍ଡାକ ପାଇବା ପାଇଁ ଏମାନଙ୍କ ଯୋଗୁଁ ହଇରାଣ ହେଉଛି ମଣିଷ. ସେ ଏସବୁ କହିବା ପୂର୍ବରୁ ବୋଉକୁ ଧରିନେଇଥିଲା ଝିଅ ସ୍ୱାତୀ କିନ୍ତୁ ଡାକୁଥିଲା ପ୍ରଭୁହେ ମୋ ବୋଉକୁ ସତରେ ନେଇଯାଅ. ତା କଷ୍ଟ ଆଉ ସହି ହେଉନି.ତା ପରଦିନ ରଥଯାତ୍ରା ଥିଲା. ଶାଶୁ ଶଶୁରଙ୍କ ସେବା ଯତ୍ନ ସହ ତାଙ୍କୁ ଟିଭିରେ ରଥଯାତ୍ରାର ଧାରାବିବରଣୀ ଦେଖିବା ଶୁଣିବାରେ ସହାୟକ ହେଉ ହେଉ ପ୍ରବଳ ବର୍ଷା ହେଉଥିଲା ତ ସ୍ୱାତୀର ବୋଉ ପାଖକୁ ଯିବା ବିଳମ୍ବ ହୋଇଯାଇଥିଲା. ଠିକ ଯିବାକୁ ବାହାରିବା ପୂର୍ବରୁ ବୋଉ ଚାଲିଯିବା ଖବର ପାଇଥିଲା ସ୍ୱାତୀ. ବୋଉର ଦଶାହକାମ ବେଳେ ଭାଇ କହୁଥିଲା ତୋ ଶାଶୁ ଶଶୁର ବୋଉଠୁ ବହୁତ ବଡ଼ ନା ସ୍ୱାତୀ?ସ୍ୱାତୀର କିନ୍ତୁ ବୋଉର ଶେଷ ସେଇ କେଇପଦ କଥା ମୋ ପିଲାଙ୍କୁ ବାର୍ଦ୍ଧକ୍ୟ ଦେଵନାହିଁ ପ୍ରଭୁ ଅନେଶତ ବର୍ଷ ଯାଏଁ ହାତ ଗୋଡ଼ ଚଳାଇ ରଖିବ ତାଙ୍କର ହେ ପ୍ରଭୁ କହି ମୁଣ୍ଡିଆ ମାରିବା ଦୃଶ୍ୟ ସହ କଥା ପ୍ରତିଧ୍ୱନିତ ହେଉଥିଲା ଆଖି କାନରେ. ଆଖିରୁ ଅଶ୍ରୁ ନିଗିଡି କାନରେ ପଶୁଥିଲା ତ ଭାଇର ଉତ୍ତର ଦେଇପାରନଥିଲା ସ୍ୱାତୀ.