କାହାଣୀ ହେଲେ ବି ସତ
କାହାଣୀ ହେଲେ ବି ସତ
ଚନ୍ଦ୍ରମଣି ମଉସା ନିଖୋଜ ! ଘରେ କାନ୍ଦ ବୋବାଳି ୭୫ ବର୍ଷର ବୃଦ୍ଧ ଗଲେ କୁଆଡେ। ଶାନ୍ତ, ପରୋପକାରୀ ବ୍ୟକ୍ତି ତାଙ୍କ ପରି କେବେ ମିଳିବେ ନାହିଁ । ଗ୍ରାମର ନାମ ସୁଆଁଲ ପୁରୀ ଜିଲ୍ଲାରେ ଅବସ୍ଥିତ। ଆଖ ପାଖ ଗାଁ, କୂଅ ପୋଖରୀ ସବୁ ଖୋଜିଲେ, କିନ୍ତୁ କିଛି ସନ୍ଧାନ ମିଳିଲା ନାହିଁ ।
ପୁଅ,ପୁତୁରା,ଜ୍ୱାଇଁମାନେ ସବୁ ବଡ଼ ବଡ଼ ଅଫିସର ଛୁଟି ନେଇ ମଉସାଙ୍କ ଅନୁସନ୍ଧାନରେ ଲାଗି ପଡିଲେ କିଛି ଲାଭ ହେଲାନାହିଁ । କିଏ କହିଲା ଏ ପୋଖରୀ ପାଖରେ ପାଚିଲା ମୁଣ୍ଡିଆ ବୁଢାଟି କାଲି ଛିଡା ହୋଇଥିଲା । ପୋଖରୀରେ ଜାଲ ପକାଇ ଲୋକମାନେ ଖୋଜିଲେ । କେତେବେଳେ ଶୁଣିଛନ୍ତି ଟ୍ରେକର ପଛରେ ବୁଢାଟି ଛିଡା ହୋଇ ପୁରୀ ଆଡେ ଯାଉଥିଲା । କେତେ ରାତି ପୁଅ ଓ ଜ୍ୱାଇଁମାନେ ପୁରୀ ଧାଇଁଛନ୍ତି ତାର ହିସାବ ନାହିଁ । ସ୍କୁଲ ଘର ବାରଣ୍ଡା, ମନ୍ଦିର ବେଢା କେତେ ଖୋଜା ଚାଲିଲା ତାର ହିସାବ ନାହିଁ । କିନ୍ତୁ କୌଣସି ସୁରାଗ ପୁଅମାନଙ୍କୁ ମିଳି ନଥିଲା ।
ସବୁ ପତ୍ର ପତ୍ରିକାରେ ବାହାରିଲା ବ୍ୟକ୍ତି ନିରୁଦ୍ଦିଷ୍ଟ, ନାମ ଚନ୍ଦ୍ରମଣି ସାମଲ, ବୟସ ୭୫ବର୍ଷ, ଗୌର ବର୍ଣ୍ଣ, ମୁଣ୍ଡ ଚୁଟି ଧଳା। ୧୫ଦିନ ହେଲା ନିରୁଦ୍ଦିଷ୍ଟ ଅଛନ୍ତି। ଯଦି କେହି ସୁହୃଦୟ ବ୍ୟକ୍ତି ସନ୍ଧାନ ଦିଅନ୍ତି ୧୦ହଜାର ରାଶି ପୁରସ୍କୃତ କରାଯିବ। ମାସ ପରେ ମାସ ବର୍ଷ ପରେ ବର୍ଷ ବିତିଗଲା । ପ୍ରତୀକ୍ଷାର ଅନ୍ତ ହେଲାନାହିଁ। ସନ୍ଧ୍ୟା ମାଉସୀ ଆଖିର ଲୁହକୁ ଆଖିରେ ମାରି ପଥର ହୋଇ ଯାଇଥିଲେ । ଆସ୍ତେ ଆସ୍ତେ ସେ ପ୍ରାୟ ଭୁଲିବାକୁ ଲାଗିଲେ ତାଙ୍କ ଜୀବନରେ କିଏ ଜଣେ ଥିଲେ । ମସ୍ତିଷ୍କର ସ୍ଥିରତା କମିବାକୁ ଲାଗିଲା । ପାଗେଳୀ ନ ହେଲେ ସମସ୍ତଙ୍କୁ ଜଣା ପଡିଲା ବୁଢ଼ୀର ମୁଣ୍ଡ କାମ କରୁ ନାହିଁ । କାରଣ ମନେ ମନେ କାନ୍ଦିବା ହସିବାର ଲକ୍ଷଣ କାଳକ୍ରମେ ବଢିବାର ପରିଲକ୍ଷିତ ହୋଇଥିଲା । ପୁଅ ବୋହୁ ବନ୍ଧୁ ବାନ୍ଧବ ସବୁ ମନରୁ ପାସୋରି ଦେଲେ ଚନ୍ଦ୍ରମଣି ମଉସା ପରି ଜଣେ ବ୍ୟକ୍ତି ଥିଲେ ବୋଲି ।
ଇତି ମଧ୍ୟରେ ସବୁ ପରିବର୍ତ୍ତନ ହୋଇ ସାରି ଥାଏ। ରୋଜଗାରିଆ ବଡ ପୁଅ କ୍ୟାନସର୍ ରେ ପୀଡିତ ହୋଇ ସବୁ ଦିନ ପାଇଁ ଆରପାରିକୁ ଚାଲିଗଲେ । ଚନ୍ଦ୍ରମଣି ମଉସାକୁ କିଏ ବା ମନେ ରଖିବ । ତାଙ୍କ ବଡ଼ ପୁଅର ଆଇନ କାନୁନରେ ଗାଁ ଲୋକେ ଡରି ଯାଉଥିଲେ । ବଡ଼ ପୁଅ ମରିବା ପରେ ସନ୍ଧ୍ୟା ମାଉସୀ କଥା ବୁଝେ କିଏ । ସେ ସାନ ପୁଅ ପ୍ରଶାନ୍ତ ପାଖରେ ପଡି ରହିଲେ । ବଡ଼ ପୁଅର ପୁଅ ଓ ଝିଅ ଚାକିରୀ ପାଇବା ପରେ ବିବାହ ହୋଇଗଲେ । ଯେଝା ସଂସାରରେ ସବୁ ଖୁସିରେ ରହିଲେ । ସେମାନେ ନିଜର ବାପାକୁ ମଧ୍ୟ ଭୁଲିଗଲେ, ଜେଜକୁ ମନେ ରଖୁଛି କିଏ ?
ଚନ୍ଦ୍ରମଣି ମଉସାଙ୍କ ନିରୁଦ୍ଧିଷ୍ଟ ହେବାର ଠିକ ବାରବର୍ଷ ପରେ ପୁଣି ଥରେ ଘରେ ଝଡ଼ ଆସିଗଲା । ଘରେ ସବୁ କାନ୍ଦ ବୋବାଳି ଛାଡିଲେ । ସାହି ପଡିଶା ଲୋକେ ସବୁ ରୁଣ୍ଡ ହୋଇଗଲେ । ହଠାତ୍ ଜଣା ପଡିଲାନି କାହିଁକି ଏ ଗର୍ଜ୍ଜନ । ତା'ପରେ ଜଣା ପଡିଲା ହିନ୍ଦୁପ୍ରଥା ଅନୁଯାଇ ଜଣେ ବିବାହିତ ନାରୀର ସ୍ୱାମୀ ୧୨ବର୍ଷ ପର୍ଯ୍ୟନ୍ତ ନିଖୋଜ ହୋଇଗଲେ ସଧବା ନାରୀକୁ ବିଧବା ହେବାକୁ ପଡିବ । ଅର୍ଥାତ୍ ତା ସ୍ୱାମୀକୁ ମୃତ ବୋଲି ଘୋଷଣା କରାଯିବ । ସେ ଦିନ ଠିକ୍ ସେଇଆ ହୋଇଥିଲା । ମିଛରେ ମିଛରେ ଚନ୍ଦ୍ରମଣି ମଉସାଙ୍କ କୁଶ ପୁତୁଳାକୁ ଶବ କରି ୬ଖଣ୍ଡ ବାଉଁଶରେ ଶ୍ମଶାନକୁ ବୋହି ନିଆଗଲା । ସନ୍ଧ୍ୟା ମାଉସୀକୁ ବିଧବା ବେଶରେ ସଜାଇ ଦିଆଗଲା । ସେ ବି ସେ ବେଶକୁ ନିର୍ଦ୍ବନ୍ଦରେ ଗ୍ରହଣ କଲେ । ଶୁଦ୍ଧି କର୍ମ ନିର୍ଦ୍ବନ୍ଦରେ କରାଗଲା । ଝିଅ ଜ୍ୱାଇଁ ବନ୍ଧୁ ବାନ୍ଧବ ସବୁ ଆସିଲେ । ହିନ୍ଦୁ ରୀତିନୀତିରେ ସବୁଶେଷ ହେଲା।
ସେ ଦିନ ଥିଲା ଚନ୍ଦ୍ରମଣି ମଉସାଙ୍କ ୧୧ଦିନ ସାଇପଡିଶା ସମସ୍ତଙ୍କ ନିମନ୍ତ୍ରଣ ହୋଇଥିଲା । ସମସ୍ତେ ମଉସାଙ୍କ ଫୋଟରେ ଶ୍ରଦ୍ଧା ସୁମନ ଅର୍ପଣ କରି ଖାଇବାକୁ ଯାଉଥାନ୍ତି। ଆଉ କେହି କେହି ଖାଇସାରି ପିଲାଛୁଆଙ୍କ ସହିତ ନିଜ ଘରକୁ ଫେରୁଥାନ୍ତି । ସେ ଦିନ ସେହି ଗ୍ରାମର କୁଳମଣୀ ପ୍ରଧାନଙ୍କ ପୁଅ ସୁକାନ୍ତ କହୁ କହୁ କହିଦେଲା ଚନ୍ଦ୍ରମଣି ମଉସା ସତରେ କଣ ହଜି ଥିଲେ। ଆଉ କଣ ତୁ କୁଆଡେ ଗଲେ ଜାଣିଛୁ ବୋଲି ପ୍ରଶାନ୍ତ, ଚନ୍ଦ୍ରମଣି ମଉସାଙ୍କ ସାନ ପୁଅ ସୁକାନ୍ତକୁ ପଚାରିଲେ । ସୁକାନ୍ତ ସଙ୍ଗେ ସଙ୍ଗେ କହିଲା ହଁ ମୁଁ ଜାଣିଛି । ତା ହେଲେ କହ ସେ କେଉଁଠି ଅଛନ୍ତି । ସେ ଆଉ ବଞ୍ଚି ନାହାନ୍ତି କି ଫେରିବେ ନାହିଁ ଆମ ଗାଁ ଦାଣ୍ଡରେ ୧୨ବର୍ଷ ହେଲା ପୋତିହୋଇ ଯାଇଛନ୍ତି। ପୋତି ହୋଇଛନ୍ତି ମାନେ କିଏ ପୋତିଛି ? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା ପ୍ରଶାନ୍ତ !
ତାପରେ ସୁକାନ୍ତ କହି ଚାଲିଲା ସେ ଦିନର ହୃଦୟ ବିଦାରକ ଘଟଣା ବଳୀ । ସେ ଦିନ ଆମ ଗାଁରେ ଜେସିବି ଲଗାଇ ଗାଁ ଦାଣ୍ଡ କାମ ଚାଲୁଥାଏ । ଚନ୍ଦ୍ରମଣି ମଉସା ଲୋକ ମାନଙ୍କ ସହିତ ସେହି କାମ ଦେଖୁଥାନ୍ତି । ହଠାତ୍ ଜେସିବିଟା କେତେବେଳେ ପଛାଇ ଆସିଲାଣି ଚନ୍ଦ୍ରମଣି ମଉସା ଜାଣି ପାରିଲେ ନାହିଁ । ତାଙ୍କ ଉପରେ ଜେସିବି ଚଢ଼ିଗଲା ସିଏ ସେଇଠାରେ ହିଁ ସବୁଦିନ ପାଇଁ ଚାଲିଗଲେ । ତମ ଘର ଲୋକ ସେତେବେଳେ କେହି ନ ଥିଲେ କଣ୍ଟ୍ରାକ୍ଟର ସମସ୍ତଙ୍କ ଗୋଡ ହାତ ଧରିଲା। ସମସ୍ତଙ୍କୁ ଟଙ୍କା ପଇସା ଦେଇ ମୁହଁ ବନ୍ଦ କରିଦେଲା । କହିଲା ତୁମେ ଯଦି କିଏ କହିବ ପ୍ରତାପ ମୋତେ ଛାଡିବ ନାହିଁ ମୋ ସଂସାର ଉଜୁଡି ଯିବ । ମୋତେ ପୋଲିସ ବାନ୍ଧି ନେଇଯିବ । ମୋତେ ରକ୍ଷାକର କହିଲା, ସମସ୍ତେ ତା କଥାରେ ରାଜି ହେଲେ । କାରଣ ଏ ଗାଁରେ ତୁମ ବଡ଼ ଭାଇ ସହିତ କାହାର ସମ୍ପର୍କ ଭଲ ନ ଥିଲା । ଏହି ଗାଁ ଦାଣ୍ଡରେ ଜେସିବିରେ ଏକ ବଡ଼ ଗାତ କରି ତର ତର ହୋଇ ମଉସାଙ୍କୁ ପୋତିଦେଲେ । ତାପରେ ସଙ୍ଗେ ସଙ୍ଗେ କଂକ୍ରିଟ ଢ଼ଳେଇ ସରିଗଲା । ଏହାର ସୋର ଶବ୍ଦ ତୁମ ଲୋକଙ୍କୁ କି ଅଧା ଗାଁ ଲୋକଙ୍କୁ ଜଣା ନାହିଁ । ଏହି ଗାଁ ଦାଣ୍ଡରେ ମୋ ବାପା ପୋତା ହୋଇଛନ୍ତି ଆଜି ତୁ ମୋତେ କହୁଛୁ । ପ୍ରଶାନ୍ତ ଯୋରେ ଗର୍ଜନ କରିବାକୁ ଲାଗିଲା । ସାଇ ପଡିଶା ସବୁ ଶୁଣି ସ୍ତବ୍ଧ । ସମସ୍ତେ ମୁଣ୍ଡରେ ହାତ ଦେଲେ । ସମସ୍ତେ କହିଲେ ମୋ ଗାଁ ସମାଜ ଆମ ବିଭୀଷଣ ଆଉ କହିବୁ କାହାକୁ । ଗୋଟିଏ ନିଷ୍ପାପ ନିରୀହ ବୁଢାର ଶୁଦ୍ଧିକ୍ରିୟା ଠିକ ସମୟରେ ହୋଇ ପାରିଲା ନାହିଁ । ଆଜି ଯେଉଁ ପୁଅ ମୃତ୍ୟୁର ଘଟଣା ପାଇଁ ସଂଗ୍ରାମ କରିଥାନ୍ତା ସେ ଆଜି ନାହିଁ । ଯେଉଁ କଣ୍ଟ୍ରାଟର ଏହି କାମ କରୁଥିଲା ସେ ଆଜି ନେତାମାନଙ୍କର ଡାହାଣ ହାତ। ନେତାମାନେ ତା କଥାରେ ଏବେ ବସ ଉଠୁ ହେଉଛନ୍ତି । ଆଜି ଏହା ପାଇଁ ଅନୁସନ୍ଧାନ କେବେ ଫଳପ୍ରଦ ହେବ ନାହିଁ । ଆଜିର ଏହି ମିଛି ମିଛିକା ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ କରି ଝିଅ ଜ୍ୱାଇଁ ବାନ୍ଧୁ ବାନ୍ଧବ ଧର୍ମକୁ ସାକ୍ଷୀ ରଖି ଚନ୍ଦ୍ରମଣି ମଉସାଙ୍କ ଆତ୍ମାର ସଦଗତି କାମନା କରି ୧୨ଦିନରେ ଯେଝା ଘରକୁ ପିଲା ଛୁଆଙ୍କ ସହିତ ପ୍ରତ୍ୟାବର୍ତ୍ତନ କଲେ ।
ଚନ୍ଦ୍ରମଣି ମଉସାଙ୍କ ଜୀବନର ଘଟଣା ବଳୀ କିଛି ସିନେମା କାହାଣୀରୁ କମ ନୁହେଁ । ମଣିଷ ଆଜି ହୃଦୟ ହୀନ କାହିଁକି ହେଉଛି। କଣ ଆଜି ଏ ସମାଜରେ ଧର୍ମ ବୋଲି କିଛି ନାହିଁ । କଳିଯୁଗ ହେଲେ ବି କଣ ଏତେ ଅନ୍ୟାୟ । ଆଜି ରଚିତ ଏ ଘଟଣାଟି କାହାଣୀର ରୂପ ରେଖା ନେଲେ ବି ଶତ ପ୍ରତିଶତ ସତ !
