ଜୁଆରିଆ ଢେଉ ଓ ବାଲିଘର
ଜୁଆରିଆ ଢେଉ ଓ ବାଲିଘର
ବୟସ ଆସିବା ଆଗରୁ ଉଡାଇନେଲା ତାଠୁଁ ସବୁରଙ୍ଗ ତୀବ୍ର ସୂର୍ଯ୍ୟକିରଣ । ଜୋର ଜବରଦସ୍ତ କରି ଫଗୁଣ ଭିଡିନେଲା ତା' ଓଠରୁ ହସ ଆଉ ମନରୁ ସବୁ ଆଲୋଡନ ।
ସଦ୍ୟ ବନେଇଥିବା ତା'ହାତ ତିଆରି ବାଲିଘରଟି ସୁଜିଲଡ଼ୁ ପରି କେଉଁଠୁ ଏକ ବଦମାସ ଜୁଆରିଆ ଲହଡିର ବଡ଼ ଆଁ ଭିତରେ ମିଳାଇ ଯାଇଥିଲା ।
କେହିବି ବୁଝିପାରି ନଥିଲେ ପ୍ରଜାପତି ଡେଣା ପରି ଉଷୁମ ଆଉ କୋମଳ ତା' ଦଳିଚକଟି ହେଉଥିବା ରଙ୍ଗୀନ ମନକୁ । ନିଜେ ବିଜୟ ରଞ୍ଜନ ପାଢ଼ୀ ବି ନୁହେଁ ।
ଆଠ ବର୍ଷର ହେଇଥିଲା ମିତୁଲ । କ'ଣ ହେଲା ସେଠୁ? କେତେ ବର୍ଷରେ ମନରେ ଅନ୍ୟ ପ୍ରତି ଦୁର୍ବଳତା ଆସେ କେତେ ବର୍ଷରେ ପ୍ରେମ ହୁଏ ବା ହେବା ଦରକାର କିଏ କହିବ? ଏସବୁ ତ ପ୍ରକୃତି ସ୍ଥିରକରେ । କେତେବେଳେ ଦୁଇ ତିନି ବର୍ଷର ଛୁଆ ଡେ -କେୟାର ରୁ ଭଲ ପାଇବା ଆରମ୍ଭ କରି ଦିଅନ୍ତି ତ କେବେ କେବେ ବୟସ ଗଡି ଗଡି ଶେଷରେ ଜୁଇରେ ଗୋଟାଏ ପାଦ ପଡି ସାରିଲା ପରେ ଜଣାପଡେ ପ୍ରେମ ଥିଲା । ଶେଷ ମୁହୁର୍ତ୍ତରେ ପ୍ରେମ ନିର୍ବାଣ ପଥ ଉନ୍ମୋଚନ କରିଦିଏ.... ଅବଶ୍ୟ ମରିବା ପୂର୍ବରୁ । ମୃତ୍ୟୁପରେ ସ୍ୱର୍ଗ ନର୍କ ଏସବୁ କଣ? ସବୁକିଛି ତମଣିଷ ଜନ୍ମରେ ସାର୍ଥକ କରିଦିଏ ଭଲ ପାଇବା ।
ସେଦିନ ବିଜୟଦାଦା ନୂଆ ଭାଉଜ ଆଣିଲେ ଘରକୁ । କାନ ତାର ତାବଦା ହେଇ ଦେହକଣ ହେଇ ଯାଉଥିଲା ଶୁଭଶଙ୍ଖ, ଘଣ୍ଟଘଣ୍ଟା, ହୁଳହୁଳିର କୋଳାହଳ ପୂର୍ଣ ମାହୋଲ ଆଉ ବନ୍ଧୁପରିଜନଙ୍କୁ ଶୁଭେଚ୍ଛା ଜଣାଇବା ଶୁଣି ଶୁଣି । ସୁକ୍ଷ୍ମଭାବେ ଅନୁଭବ କରୁଥିଲା ପାଦତଳ ପୃଥିବୀ ଘିରି ଘିରି ହୋଇ ବୁଲିବାର ।
-ଭୋଜି ଖାଇବୁନି ? ଆସୁନୁ...
ସାଙ୍ଗ ଲିଲି ଡାକୁଥିଲା ତା' ହାତକୁ ଟାଣି । ଛାଟିଦେଇ ଦଉଡି ପଳେଇ ଗଲା ଏକା ନିଶ୍ୱାସକେ ଘରମୁହାଁ ହୋଇ ମିତୁଲ....
ବାନ୍ତି ଉଠଉଥିଲା ତାର । ଛାତି ଭିତରେ ଗୋଳେଇଘାଣ୍ଟି ହେଇ କିଛି ଫେଣ୍ଟାଫେଣ୍ଟି ରାଗ ଆଉ କୋହ ଭକଭକକି ସକାଳର ଚୁଡା ଓ ଅମୂଲ ସାଙ୍ଗେ ବାହାରିପଡିଲା ଆଉ କିଛି ରହିଗଲା କି କଣ ।
ବାପା, ଭାଇ, ଦିଦି ସମସ୍ତେ ବେଢ଼ିଗଲେ ।
'ଭଲ ଲାଗୁନି' କହି କାନ୍ଦି କାନ୍ଦି ଶୋଇ ପଡିଲା ଅଭାଗିନୀ ।ଆଜି ଘରେ ରୋଷେଇନାହିଁ । ବୋଉ ଯାଇଛି ପଡିଶାଘର ବିଜୟଦାଦା ଙ୍କ ବାହାଘର ଭୋଜିକୁ । ସମସ୍ତେ ଯାଇ ଆସି ସାରିଲେଣି । ବୋଉ ସାଙ୍ଗ ଯାଇଥିଲା ତ ମିତୁଲ । ନାଲ ଟୁକଟୁକ ନୂଆଭାଉଜଙ୍କୁ ଦେଖିବାକୁ କେତେ ଗହଳି । ହେଲେ କେଜାଣି ତାଙ୍କୁ ଦେଖି ମନ କଣ ହେଲା ମିତୁଲର ...??
ଆଖି ଲାଲ ଲାଲ ... ଧକ ପେଲୁଥାଏ... ନାକରୁ ପାଣିଗଡୁ ଥାଏ ,ଓଠ ଥରୁଥାଏ ।
ବାପା ଗୋଡ଼ ହାତ ଘଷି ଘୋଡେଇ ଦେଲେ । 'କିଛି ସମୟ ଶୋଇ ପଡେ ମା, ଭଲ ଲାଗିବ' କହି ଘର ଅନ୍ଧାରକରି ଚାଲିଗଲେ ବୋଉକୁ ବାହାଘର ସାହିରୁ ଡାକି ଆଣିବା ପାଇଁ ।
ଓଃହୋ... ସେତିକି ଚାହୁଁଥିଲା ସେ । ମନ ଭିତରେ ଅନ୍ଧାର ଯେତେବେଳେ, ସେତେବେଳେ ବାହାର ଆଲୁଅ ବିଷପରି ଲାଗେ । ଅନ୍ଧାରର ବିଶେଷତ୍ୱ ଏହିଯେ, ସେ ସବୁ ଦେଖିପାରେ ହେଲେ କାହାକୁ କହେନି ... ଉଦାସପଣରେ ଭିଜିଥିବା ଅନ୍ଧାର ଅନ୍ୟର ଛାତିରକ୍ତରେ ଲେଖା ଦୁଃଖକାହାଣୀକୁ ପଢିବୁଝିବା ପାଇଁ ସମର୍ଥ । ଭିତର ଅନ୍ଧାରକୁ ଆବୋରିନିଏ ବାହାର ଅନ୍ଧାର ।
ଚାଦର ଭିତରେ ମିତୁଲ ଆଖିବୁଜି ସ୍ବପ୍ନ ଦେଖିଲା.... ସେ ବୋହୁ ହେଇ ଆସୁଛି .... ତା ପ୍ରୀୟ ବିଜୟଦାଦାଙ୍କ ସ୍ତ୍ରୀ ହୋଇ । ବିଜୟଦାଦାଙ୍କୁ ନାଁ କୁ ସେ ବିଜୟଦାଦା ଡାକେ । କିନ୍ତୁ ତାଙ୍କ ସହିତ ଗଭୀର ଭାବର ସମ୍ପର୍କ । ବନ୍ଧୁତାର ସମ୍ପର୍କ ।
ଅନାବିଳ ଗାଢ଼ ନୀଳରଙ୍ଗ ସଂଗେ ଶାଶ୍ୱତ ଧଳା ମିଶାଇ ଯେଉଁ ଫେନିଳ ସାଗର ଲହଡି ଆଙ୍କିହୁଏ ସେପରି ଚିତ୍ରଟିଏ ମନକ୍ୟାନଭାସରେ ଆଙ୍କିହୋଇଯାଏ ତାର ପ୍ରଥମ ଭଲ ପାଇବାର ଚିତ୍ର ଡ୍ରଇଂ ଖାତାରେ ।
ବୟସର ତାରତମ୍ୟ କ'ଣ ତା ଛୋଟିଆ ମୁଣ୍ଡ ବୁଝିପାରେନା ।
କେଜାଣି କାହିଁକି ପଚାରି ଦେଲା ଦିନେ,
... ବୋଉ, ପାଢ଼ୀ କଣ ବ୍ରାହ୍ମଣ?
ବୋଉ ଅମୃତଭଣ୍ଡା ଚୋପା ଛଡାଉ ଛଡାଉ ହଁ ମାରିଲା । ଆଉ ପଚାରିଲା... କାହିଁ ପଚାରୁଛୁ?
ଫିକକି ହସିଦେଲା ମିତୁଲ ଜିଭ କାମୁଡି ।
- କାଇଁ କହୁନୁ? ବୋଉ ଆଉଥରେ ପଚାରିଲା ।
- ନା, ମାନେ... ମୋ ସାଙ୍ଗ.... ବ୍ରାହ୍ମଣ ଯଦି ସାଙ୍ଗରେ ମିଶି ଖାଇହବ । ଜବାବ ଦେଲା ମିତୁଲ । ପ୍ରେସର ହୁଇସିଲ ଭିତରେ କଣ କହିଲା ଶୁଭିଲାନି ବୋଉକୁ ବୋଧେ ।
ମନେ ମନେ ଭାବୁଥିଲା, ବୋଉ କହିଥିଲା, କେବଳ ଜାତିରେ ବାହା ହୁଅନ୍ତି ବୋଲି । ସ୍ବପ୍ନଦେଖିବା ଆରମ୍ଭ କରିଥିଲା ସେ ନୂଆ ନୂଆ ବିଜୟ ଦାଦାଙ୍କୁ ନେଇ... ନା କେବଳ ବିଜୟ । ମିତୁଲ ଆଉ ବିଜୟ ଏକ ଆଉ ଅଭିନ୍ନ । ଆଉ କଣ, କେବଳ ସାଙ୍ଗ ହୋଇ କଥାବାର୍ତ୍ତା ହୋଇ ଜୀବନ କାଟିବାର ନାଁ ହି ବାହାଘର ତ । ମିତୁଲ ହିସାବରେ ଖୁବ ସିଧା,ସରଳ ତାର ଭଲ ପାଇବାର ସଂଜ୍ଞା ।
ସେ ବି ତ ଭଲ ପାଇଛନ୍ତି ମିତୁଲକୁ ବହୁତ ବହୁତ କି ....
ସେଦିନ ସମସ୍ତଙ୍କୁ ଚକଲେଟ ଦେଲାବେଳେ ହସି ଦେଇଥିଲେ ଖାଲି ତାକୁ ଚାହିଁ । ସମସ୍ତେ ଖେଳରେ ତାକୁ ଠକି ଗେଂଦୁରେଇ ଆଗକୁ ଚାଲିଯିବା ବେଳେ ସେ ହି ତ ଆସି ପାଟିକରିଥିଲେ ସମସ୍ତଙ୍କୁ ଆଉ ତାଳିମାରି ଭରସା ଦେଇଥିଲେ ତାକୁ ଆଗକୁ ଆଗକୁ ଯିବାପାଇଁ । ତାଙ୍କ ବାଡ଼ିଆଡେ ଉଡି ଯାଇଥିବା ଫ୍ରକଟି କାଦୁଅ ହେଇଯାଇଥିଲା ଯେତେବେଳେ ଧୋଇ,ଶୁଖାଇ ଆଇରନଦେଇ ଆଣି ଫେରେଇ ଦେଇଥିଲେ ଏଇ ବିଜୟଦାଦା ...।
ଗେଣ୍ଡୁଫୁଲ... ହଁ ଶିଶିରସ୍ନାତ ଗେଣ୍ଡୁ ଜାଣିଥିଲା ଏସବୁ , ଚଉଁରା ହସୁଥିଲା, ଆକାଶରେ ଉଡୁଥିବା ବଣି ଚଡେଇ ବି ତ ଆଖିମାରିଥିଲା ଦୁହିଁଙ୍କୁ ଚାହିଁ । କେତେ ଆଉ ସାକ୍ଷୀ ପ୍ରମାଣ ଦରକାର ?
ଶେଷରେ ମିଛ ହେଇଗଲା ସବୁ? ସେ କଣ ଖାଲିଟାରେ ସ୍ବପ୍ନ ଦେଖୁଥିଲା ତା' ବଡ଼ ହେବାଯାଏ ବିଜୟ ଅପେକ୍ଷାକରିବେ ଆଉ ବୋହୁ କରିନେବେ ପଡିଶା ଘରକୁ....??
ମାତ୍ର ସାତପାଦର ଏ ବ୍ୟବଧାନ ଏବେ ସାତ ସମୁଦ୍ରର ଦୂରତା ପରି......କାହିଁକି ଏମିତି ଛଳନା ରଚିଲା ଵିଧି ?
ତିନି ଚାରି ଦିନ ଧରି ଜର । ସ୍କୁଲ ଗଲାନି । ଫିତାଖଟିଆକୁ ଜାକି ସେମିତି ପଡିରହିଲା । ନିଶ୍ୱାସ ଯା' ଆସ ସହ ବୁଝିଥିଲା ଜୀବନ ଛାଡେନି... ଯେତେ ତୀବ୍ର ବଜ୍ରପାତ ହେଉପଛେ ।
ଟିକେ ଆଶ୍ୱସ୍ତ ଲାଗିଲା ପରେ ରୋଷେଇ ଘରକୁ ପାଣି ପିଇବା ପାଇଁ ଯାଇ ଯାହା ଦେଖିଲା, ବିଶ୍ୱାସ କଲାନି ।
ସାମ୍ନା ସାମ୍ନୀ ରୋଷଇ ଝରକା । ବିଜୟଦାଦା ଅଫିସ ଯାଇନାହାନ୍ତି । ସେଦିନ ଭାଉଜଙ୍କ ମୁହଁ ଦେଖିଲା ପ୍ରଥମକରି..ସୁନା ଗୋରୀ, ଅନିନ୍ଦ୍ୟ ସୁନ୍ଦରୀ,ସରଗ ପରୀ ... ଏମିତି ଗୋରୀ ଯେ ଅନ୍ଧାରିଆ ରୋଷଇଘରକୁ ଆଲୋକିତ କରିବାକୁ ସକ୍ଷମ । ବିଜୟଭାଇ ପଶି ଆସିଲେ... କେହି ଆଖ ପାଖରେ ନଥିବାର ଦେଖି ପାଖରେ ଠିଆ ହେଲେ...ଇଶ.. ଭାଉଜ ଝାଉଁଳିଗଲେ ଲାଜରେ ...
ଦାଦା ତ ଦେଖୁ ନଥାନ୍ତି ବରଂ ଭାଉଜଙ୍କୁ ଆଖିରେ ଆଖିରେ ପିଇଯାଉଥାନ୍ତି । ତାଙ୍କ ଆଙ୍ଗୁଳିରେ ଭାଉଜଙ୍କ କୁଞ୍ଚକୁଞ୍ଚିଆ ଅଲରା କେଶକୁ ସଜତ୍ନରେ କାନ ପଛକୁ କରି ଦେଉଥାନ୍ତି । ଭାଉଜଙ୍କ ମୁଣ୍ଡରେ ବୁନ୍ଦା ବୁନ୍ଦା ଝାଳ ଆଉ ତଣ୍ଟିରୁ ଛେପ ଢ଼ୋକିବାବି ଦେଖାଯାଉଥାଏ । ଆଁ କରି ଦେଖୁଥାଏ ମିତୁଲ ଏସବୁ । ଧୀରେ ଧୀରେ ଚୈତନ୍ୟ ପଶିଲା । ନା.....ଏସବୁ ଦେଖିବା ପାପ ତା ପାଇଁ......
ଝର୍କା ଆଉଜେଇ ପିଠି ବୁଲେଇ ମୁହଁପୋତି ଠିଆହେଲା ମିତୁଲ । ନିଜ ଗାଲରେ କିଛି ଗୋଟେ ଲାଗିବା ପରି ଲାଗିଲା ମିତୁଲକୁ... କଉଠୁ ଗରମ ଗରମ ଲୁହ ତା'ଗାଲକୁ ଶିଝେଇ ସାରିଥାଏ । ପାପୁଲିରେ ମୁହଁ ବନ୍ଦ କରି ଭିତରେ ରଖିଦେଲା ସେସବୁ ।
କିଛିଦିନ ପରେ ବୋଉ ସାଙ୍ଗେ ଆମ୍ବ,ଛୁଇଁ, କଦଳୀ ଦେବାକୁ ଗଲା ମିତୁଲ ନୂଆ ଭାଉଜଙ୍କୁ ।
ବିଜୟଦାଦା କହୁଥିଲେ,
-ଆସନ୍ତୁ ଭାଉଜ,ବସନ୍ତୁ .. ଆରେ ଶୁଣୁଛ, ଆମ ପଡିଶାଘର ମହାପାତ୍ର ଭାଇଙ୍କ ଝିଅ ଆଉ ଭାଉଜ ଉଭୟ ଆସିଛନ୍ତି....
ଟିକେ ସର୍ବତ, ଜଳଖିଆ ବ୍ୟବସ୍ଥା କର....
ଭାଉଜ ଆପଣ ତ ଆଜିକାଲି ବାଟ ଭୁଲିଗଲେଣି! ଏ କଣ ବାଡ଼ିଆମ୍ବ ନା ଗାଁରୁ ଭାଇ ଆଣି ଆସିଛନ୍ତି?
ବୋଉ ହସି କହିଲେ,
- ନା ମ, ବହୁତ କାମ ବିଜୟ । ଏ ପିଲା ଜଞ୍ଜାଳ ଦେଖୁନ । ବଡ଼ର ପରୀକ୍ଷାକୁ ୟାକୁ ଜରଥିଲା । ଭଲହେଲା ପରେ ଟିକେ ବୁଲେଇ ଆଣିଛି । ବାଡ଼ିରେ ଆଉ ଆମ୍ବ କାଇଁ ଯେ? ସବୁ ଟେକା ମାରି କଷି ଝଡ଼େଇ ସାରିଲେଣି । ଭାଇ ଯାଇଥଲେ ଗାଁକୁ ।
ବିଜୟଦା ଭାଉଜଙ୍କୁ କହୁଥିଲେ, ଶୁଣୁଛ, କ୍ଲାସରେ ଟପ କରେ ଆମ ମିତୁଲ - ଏ ଝିଅ କେବଳ ବୟସରେ ଛୋଟ... କିନ୍ତୁ ବୁଦ୍ଧି ଭାରି ପାକଳ । ଦିନେ ଚେସରେ ତା' ଚାଲଦେଖି ମୋ ବୁଦ୍ଧି ହଜିଗଲା । ସେବେଠୁ ମୁଁ ଜାଣିଛି ଏ ସମସ୍ତଙ୍କ ଦାଦୀମା' । ଛୋଟ ପ୍ୟାକେଟରେ ବଡ଼ ସମ୍ଭାବନା ।
ନୂଆ ଭାଉଜ ଝୁମ ଝୁମ କରି ଓଢଣୀତଳୁ ହସି ନମସ୍କାରକଲେ । ହାତଠାରି ପାଖକୁ ଡାକିଲେ ।
ମିତୁଲ ଦେଖୁଥାଏ ବିଜୟଦା ଆଉ କୋଳରେ ବସାଉନଥାନ୍ତି । କଥା ତ ତା ବିଷୟରେ, ହେଲେ ଆଖି ଭାଉଜଙ୍କ ଉପରୁ ହଟୁନଥାଏ । ଉପରଠାଉରିଆ ପ୍ରଶଂସା କରୁଥାନ୍ତି ।
ଏତେ ଯଦି ଭଲ ତେବେ ମିତୁଲକୁ ବାହାହେଇ ଆଣିଲେନି?
ରାଗି ମୁହଁ ମୋଡ଼ିବସିଲା ଅନ୍ୟ ଆଡେ ଚାହିଁ ।
-ମୋର ଟିକେ କାମଥିଲା... ଗୋଟେ ଫର୍ମ ପଠେଇବାର ଶେଷତାରିଖ । ଅଫିସ ଯିବା ବାଟରେ ପୋଷ୍ଟ ଅଫିସ ବି ଯିବାର ଅଛି । ଆପଣ କଥା ହୁଅନ୍ତୁ ।
ବିଜୟଦାଦା ଏତକ କହି ଚାଲିଗଲେ ।
ବୋଉମଧ୍ୟ କିଛି ସମୟ କଥା ହେଇ ନୂଆ ଭାଉଜଙ୍କ ପାଖରେ ମିତୁଲକୁ ବସେଇ ଚାଲିଗଲା ।
ନୂଆଭାଉଜ ଗୁଣୁ ଗୁଣୁ କିଛି ଗୀତ ଗାଉଥିଲେ । ...କଜଳ , ଲିପିସ୍ଟିକ , ସିନ୍ଦୁର ଲଗେଇ ସଜେଇହେଇ ଆହୁରି ସୁନ୍ଦର ଦିଶିଲେ । ମିରର ଆଗରେ ଠିଆହେଇ ଦେଖିଲା ଭାଉଜଙ୍କ ଆଗରେ ସୁଦୁ ଫିକା ଗୋଟେ ଅସୁନ୍ଦର ଓହଳାମୁହଁ ନେଇ ଠିଆ ହେଇଥିବା ସ୍କର୍ଟ ବ୍ଲାଉଜ ପିନ୍ଧା ତୃତୀୟ ଶ୍ରେଣୀ 'କ'ସେକ୍ସନରେ ପଢ଼ୁଥିବା ଛୋଟ ହାଇଟର ଝିଅକୁ । କାହିଁ କିଏ ବିଜୟ ପଚାରିବ ତାକୁ?
ଭାଉଜଙ୍କୁ ପଚାରିଲା,
- ଆପଣଙ୍କୁ କେତେ ବୟସ? କଣ ପଢିଛନ୍ତି ଆପଣ?
ପାଉଡର ଲଗାଉ ଲଗାଉ ଭାଉଜ କହିଲେ,
- ମୋତେ ତେଇଶି । ମୁଁ ଏମ. ଏ. କରିଛି ସାହିତ୍ୟରେ ।
ଆଙ୍ଗୁଳିଗଣି ଦେଖିଲା, ତାଙ୍କ ଠୁଁ ପନ୍ଦର ବର୍ଷର ବ୍ୟବଧାନ..... ବାସ ।
ସେଇଦିନ ଠିକକଲା ସେ ଭାଉଜଙ୍କଠୁଁ ଅଧିକା ପଢିବ ।
ହଠାତ କଲିଙ୍ଗବେଲ ବାଜିଲା ।
ଅଚାନକ ବିଜୟଦାଦା ଅଫିସଯିବା ବଦଳରେ ଫାଇଲ ନେବାପାଇଁ ଆସି ପହଞ୍ଚି ଯାଇଥିଲେ । ମିତୁଲର ଉପସ୍ଥିତିକୁ ଅଣଦେଖା କରି ଭାଉଜଙ୍କୁ କିଛି କହୁଥିଲେ ଆଉ ଭାଉଜ ଲାଜରେ ନାଲି ପଡିଯାଉଥିଲେ । ମିତୁଲ କୁ ପ୍ଲେଟରେ ନାସପାତି ଆଣି ଦେଲାଠୁଁ ମିତୁଲ କହିଲା
- ଭାଉଜ ମୁଁ ବୋଉ ପାଖୁ ଯିବି ।
ଏତକ କହି ଗୋଟେ ଖୁପାମାରି ଘରେ । ସନ୍ଧ୍ୟାରେ ସମସ୍ତେ ମିଶି ଦ ସୋର୍ଡ ଅଫ ଟିପୁ ସୁଲତାନ ଦେଖୁଥିଲେ । ମିତୁଲର ଫେଭରେଟ ।
ସେ ସିରିଏଲରେ ଟିପୁକୁ ଫିରଙ୍ଗୀ ସେନା ନିର୍ମମ ଭାବେ ହତ୍ୟା କରୁଥିଲେ ଆଉ ସେ ବାହାନାରେ ଭିତରର ସବୁ ରୁଦ୍ଧଦ୍ୱାରଖୋଲି ଅସହାୟ ଭାବେ ଭୋ ଭୋ ହେଇ ରଡିଛାଡି କାନ୍ଦିଲା ମିତୁଲ । ବାପା ବୋଉ ତାକୁ ବୁଝାଉଥିଲେ । ବାପା ଛାତିରେ ଜାକିପକେଇ କହୁଥିଲେ, ଆରେ 'ସଞ୍ଜୟ - ଖାନ' ମରିନି । ଟିପୁ କ୍ୟାରେକ୍ଟର ମରିଛି ।
ସବୁ ମିଛ, କେବଳ ଆକ୍ଟିଙ୍ଗ ।
ହଁ... ସବୁ ମିଛ । ସବୁ ଆକ୍ଟିଙ୍ଗ । ମିତୁଲ ଭଲଭାବେ ଏବେ ଜାଣି ସାରିଥିଲା ଏତକ । କେବେ ଏମିତି କାହାଠୁ କିଛି ଭଲ ପାଇବା ଅଶା କରିବନି ଭାବି ନିଜକୁ ସାଇତି ଦେଇଥିଲା ମିତୁଲ ।
•••••••••••••••••••••••••••••••••••••••••••••••
ମିତୁଲକୁ ଏବେ ସତେଇଶ । ତାର ବାହାଘର ରାକେଶଙ୍କ ସହ । ଦୀର୍ଘଦିନ ପରେ ବିଜୟଦାଦା, ଭାଉଜଙ୍କ ସହ .... ଫେସବୁକରେ ଦେଖାହୋଇଥିଲା ।
ବାହାଘର କାର୍ଡ ଅନଲାଇନ ପଠେଇ ଦେଇଥିଲା ମିତୁଲ ।ଦାଦା ତ ଏବେ ଚନ୍ଦା ଆଉ ପରୀ ଭାଉଜ ଏବେ ମୋଟୀବୁଢ଼ୀ ତିନିଟା ପିଲାର ମା', ତାଙ୍କୁ ଚିହ୍ନିବା ମୁସ୍କିଲ ।କିନ୍ତୁ ନିଜକୁ ନିଜେ ଦେଖି ଭାବିଲା ମିତୁଲ ଏବେ ତା' ଏରୋବିକ୍ସ, ଜୁମ୍ବାକରି ୱେଲ ମେଣ୍ଟେଣ୍ଡ ଗଢ଼ଣ ଆଉ ତା ସୁନ୍ଦର ଫିଚରର୍ସର କିଛି ତୁଳନା ହିଁ ନାହିଁ ।
ପିଲାବେଳୁ ସମସ୍ତେ କହନ୍ତି ମିତୁଲ ଦୁଇ ପତ୍ରରୁ ବାସୁଥିଲା ।ସେ ବର୍ତ୍ତମାନ ମଲ୍ଟି ନ୍ୟାସନାଲ କମ୍ପାନୀରେ ଏଚ.ଆର. । ରାକେଶତ ଖୁବ ଅଧିକ ଯୋଗ୍ୟ ଏବଂ ଦେଖିବାକୁ ବି ସୌମ୍ୟ ସୁନ୍ଦର । କେବେ କୌଣସି ଜିନିଷରେ ଉଣା କରିନାହାନ୍ତି ।
ହେଲେ ଇର୍ଷା ଛାଡିନଥିଲା ଭାଉଜଙ୍କ ଉପରୁ ତାର......
କେବେ ବିବାହ ମନରେ ସେ ଉନ୍ମାଦନା ଭରିଦେଇନି । ସକାଳ ଆଠରୁ ରାତି ଆଠର ମପାଚୁପା ଶେଡ୍ୟୁଲ ଭିତରେ ଥରେ ଭୁଲରେ ଫାଇଲ ଆଣିବା ବାହାନାରେ ଜଡେଇଧରି ରଖି ନାହାନ୍ତି ତାକୁ ରାକେଶ । ମଲରୁ ଦାମୀ ପୋଷାକ ଓ ନେକଲେସ କିଣି ଦେଇଛନ୍ତି ବହୁତ ହେଲେ କେବେ ତା ଅଲରା ବାଳକୁ କାନପଛକୁ କରି ତଳୁ ଉପର ଯାଏ ସମୟନେଇ ଦେଖି ନାହାନ୍ତି ତ ରାକେଶ । ଦିନେବି ଅଫିସରୁ ଖାଲି କଥା ହେବା ଟିକେ,ମସ୍ତି କରିବା ବା ଚିଡେଇବା ପାଇଁ ଦିନଟିଏ ଛୁଟି ନେଇନାହାନ୍ତି ତ...କେବେବି ତାଙ୍କ ଧୀରସ୍ୱରରେ ମନଜିତିବା ପରି କଥା ଛୁଇଁପାରିନି ତ ମିତୁଲକୁ କାହିଁ ....
ଏଠି ସମୟରେ ଖାଇବା, ସମୟରେ ଅଫିସ ଆଉ ସମୟରେ ଭଲପାଇବା । ଖାସ ଏଇଥିପାଇଁ ବାହାଘର ବହୁତ ଦରକାର ବୋଧେ ।
ସେ ତ ଭଲପାଇଥିଲା ତାର ପିଲାଦିନର ସେ ପ୍ରଥମ ଅସମ୍ଭବ ଓ କାଳ୍ପନିକ ଏକ ସମ୍ପର୍କକୁ । ଥୋପ ଥୋପ କରି କୁନି ହାତରେ ରାମ୍ପୁଡ଼ି ଗଢିଦେଇଥିବା ବାଲିଘରକୁ ଜିଭଗରେ ଚାଟି ଯାଇଥିଲା ଫେନିଳଢେଉ ସବୁ ବହୁ ଆଗରୁ । ନେଟଫ୍ଲିକ୍ସରେ ହସବ୍ୟାଣ୍ଡ ତାଙ୍କ ମନ ପସନ୍ଦ ୱେବସିରିଜ ଦେଖିଲାବେଳେ ସେ ବିଞ୍ଜ ୱାଚ କରୁଥିଲା କଉ ଦୂରଦର୍ଶନର ପୁର୍ବ ପ୍ରସାରିତ ସଞ୍ଜୟ ଖାନଙ୍କ "ଦ ସୋର୍ଡ ଅଫ ଟିପୁ ସୁଲତାନ" । ଶେଷରେ ଟିପୁ ମାରିବା.... ଦେଖି ପାରିନଥିଲା । ଆଜିବି ଛାତିତଳେ କଣ ହେଇ ଯାଉଥିଲା ତାର । ଆଜିବି ଆଖିରେ କିଛି ଲୁହ ସତେଜଥିଲା ।
