ଜଞାଳ
ଜଞାଳ
ମାସକୁ ମାସ ଗୋଲ ଟେବୁଲୁ ବୈଠକ ବସେ ଭଲମନ୍ଦ ବୁଝା ବୁଝି ପାଇଁ ଆମ ତ୍ରିତଳ ଦୁଇ ଖଣ୍ଡ ର ଆପାର୍ଟମେଣ୍ଟର ରେ ।ସମସ୍ତଙ୍କର ଲୁକ୍କାୟିତ ଇଛ୍ଛା ଟିଏ ପୋଷି ହେଉଥାଏ ସେ ସାମ୍ନା ପଟ ଚଉକିରେ ଜନତାଙ୍କୁ ମୁହଁ କରି ଭାଷଣ ଦବାକୁ,କିନ୍ତୁ ବୋଝ ଉଠେଇବ କିଏ? ନ ପାରି ଫଁ କରିବା ତ ଜଗତ ନୀତି ।ଯିଏ ଉପରେ ବସିଲା ତା ' ମୁଣ୍ଡ ରେ ଝୁଲାଖଣ୍ଡା ,ବିପଦ ମୁଣ୍ଡେଇବ କିଏ ? ଧାରକୁ ଭୟ ଭାସିଯିବାର ।ଏଠି ତ ସମସ୍ତେ ରଜା ।
ସେ ଯା ' ହେଉ ପାଣିକଳ, ଛାତଫଟା, ସମ୍ପ, ସାପ, ପିଲାଙ୍କ ଖେଳ ଓ ପାଟିଗୋଳ ,କାମବାଲି, ଟେପରେକର୍ଡ ଏମିତି ପୋଷାଜୀବଜନ୍ତୁ ମଧ୍ୟ ବାଦ ପଡନ୍ତିନି ଅଭିଯୋଗର ଚିଠାରୁ ।ଏଇ ଯେମିତି ମିଶ୍ର ବାବୁଙ୍କ ଡୋଭରମ୍ଯାନ ଟି ଭୟଙ୍କର ଭୁକୁଛି ,ସାମୁଏଲ ବାବୁଙ୍କ ନିଦରେ ବ୍ଯାଘାତ ।ଦାସ ବାବୁଙ୍କ ବାପାଙ୍କର ଲହରାକାଶରେ ପଡୋଶୀ ମିଶେସ୍ ପଣ୍ତାଙ୍କର ହାଫାନି ଉଡିଯାଉଛି ।କାନ୍ଥ ତ ଗୋଟାଏ ନା ,ଶୁଭିବ ହି ।
ଏ ସବୁ ଭିତରେ ଲୋକେ ବିଲଡର ବାପୁଡାକୁ ବି ସମ୍ପିବାକୁ ଭୁଲନ୍ତିନି ଭଦ୍ର ଭାଷାରେ, ଏଇ ଯେମିତି କାଠ ଲୋକଟା, ଧାପେ ଜମି ଛାଡିଛି ନା ଆଗେ ।ପଇସାଶୋଷା ମଖ୍ଖିଚୁସ୍ ।
ସବୁଥର ମୁଁ ଯାଇପାରେନି, ମାନେ ଜାଣିକି ଯାଏନି କହିଲେ ବେଶୀ ଠିକ ହବ ।କେହି ତ କାହା କଥା ଶୁଣନ୍ତିନି ସେଠି ଅଜଥା ତର୍କ, ଓ ରୋଚକ ଆଲୋଚନାରୁ ଡାଲାଏ ।
ଆଜି ତଳେ ଚାଲୁ ଚାଲୁ ହାବୁଡେ ପଡିଗଲି ।ଦାସବାବୁଙ୍କର ତୀକ୍ଷ୍ଣ ବିଚକ୍ଷଣ ଚକ୍ଷୁ କୁ ଆଡେଇ ଯିବା ସରଳ ନୁହେଁ ।ସେଠି ବସି ଢୁଳେଇବା ଅପେକ୍ଷା କଣ ଗୋଟେ ବାହାନା କରି ବାହାରିଯିବାକୁ ବାଟ ଖୋଜୁଥିଲି ।ମୂଳରୁ ମତେ ଗହଳି କି ହାଉ ହାଉ ରେ ବିଜାର ଲାଗେ, ଦିନ ଯାକର ମୁଣ୍ଡ ବିନ୍ଧା ।
ଯେହେତୁ ବସିଛି, ପୁଣି ପ୍ରଥମ ଥର ପ୍ରସ୍ତାବ ଟେ ରଖିବା ଭଦ୍ରୋଚିତ ହେବ
ଭାବି କହିଲି,
_ ତଳେ କ୍ଲବ ହାଉସର ଫାଳେରେ ଆମେ ପାଠାଗାରଟେ କଲେ ଓ ସେଠାରେ ସବୁ ଭଲ ବହି ରଖିଲେ ଆଉ ଆମ ପାଚେରୀ ଚାରିପଟେ ସିମେଣ୍ଟ କୁଣ୍ଡ ଗଢେଇ ଫୁଲ ଗଛ ଦିଟା ଲଗେଇଲେ କେମିତି ହନ୍ତା ।ଏଇଟି ମୋର ଆନ୍ତରିକ ଇଛ୍ଛା ।ସୁନ୍ଦର ଦିଶନ୍ତା, ସଜଫୁଲ ଗଣ୍ଡେ ବି ଦିଅଁ ଙ୍କ ପାଇଁ ପାନ୍ତେ ।
ସମସ୍ତେ ନୀରବ ।କଣ ଗୋଟେ ଅବାଗିଆ କହିଦେଲି ଭାବି ମୋ ମୁଣ୍ଡ ଝାଇଁ ।
ପ୍ରଥମ ଓ ଦ୍ବିତୀୟ ପ୍ରସ୍ଥାବ ଯଥାକ୍ରମେ ଜଗିବା ଦାୟିତ୍ୱ ଓ ପଇସା ଆଦାୟ ପରି ଯୁକ୍ତି ସହ ମିଳେଇଗଲେ ।ଅଗତ୍ଯା ମୁଁ ଉଠିଲି ଫେରିବାକୁ ।
_ ଆଛ୍ଛା ଗଣେଷ ମନ୍ଦିର ଟିଏ କଲେ କେମିତି ହନ୍ତା ? ପଚାରିଲେ ନାୟକ ବାବୁ ।
ତେବେ ଏଇଟି ଆପାର୍ଟମେଣ୍ଟ ।ଏଠି ପୁରା ଭାରତ,ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ।ତେଣୁ ପ୍ରଶ୍ନ ସବୁ କଅଁଳିବା ସ୍ବାଭାବିକ ।
_ କାଇଁ ଜୀଶୁ କି ଆଲ୍ଲା କାଇଁ ରହିବେନି? ଖାଲି ଗଣେଷ?
_ ତା'ର ରକ୍ଷଣାବେକ୍ଷଣ ଦାୟିତ୍ୱ କିଏ ନବ? ପୂଜା ପର୍ବ, ବ୍ରାହ୍ମଣ ପାଉଣା, ଭୋଗରାଗ ସବୁ ବୁଝିବାକୁ ଅଲଗା କମିଟି ଟେ ବସୁ ।
_ ପଥର ନା ପ୍ଲାଇ ରେ ତିଆରିବା?
ତା ' ପରକୁ ତା 'ପର ।ମୂଳ ବିଷୟରୁ ଆସି ଦେଶବିଭାଜନ ରେ ଭୁମିକା ଠି ପହଞ୍ଚି ସାରିଥିଲେ ବିଜ୍ଞ ଜନେ ।
ମୁଁ ଥିରିକି ମୁକୁଳି ଆସି ଦେଖେ ଟିକେ ଦୂରରେ ଦାସବାବୁଙ୍କର ବାପା ବେଞ୍ଚଟିକୁ ଡେରା ଦେଇ ଆଉଜି ଆକାଶକୁ ଚାହିଁଛନ୍ତି ।
ପାଖକୁ ଗଲି ।
ସେ ବୁଲି ଚାହିଁ ପୁଣି ଅନ୍ଯମନସ୍କ ହେବାକୁ ପସନ୍ଦ କରି କେବଳ ଏତିକି କହିଲେ, " ଠାକୁର ବି କେବେ କେବେ ନିଜେ ଜଞାଳ ଟିଏ ପାଲଟିଯାନ୍ତି ବାପା ।"