Gangadhar Nanda

Abstract Romance Tragedy

4.2  

Gangadhar Nanda

Abstract Romance Tragedy

ଜଣେ ବିଧବାଙ୍କର ପ୍ରେମ ବିବାହ

ଜଣେ ବିଧବାଙ୍କର ପ୍ରେମ ବିବାହ

11 mins
534



 

        ଜୀବନରେ କେବେ ଯେ ଏଭଳି ଏକ ଦୃଶ୍ୟ ଅବଲୋକନ କରିବାର ସୁଯୋଗ ମିଳିବ, ଏହା ମୋର କଳ୍ପନାତୀତ ଥିଲା । ଗଭୀର ପ୍ରେମ , ନିଷ୍କପଟ ଭଲପାଇବା ଓ ସଂପୂର୍ଣ୍ଣ ସମର୍ପିତ ଭାବନାକୁ ନିଜ ହୃଦୟରେ ସାଇତି ରଖିଥିବା ଜଣେ ସାଧାରଣ ମହିଳାଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତକୁ ବୋଧହୁଏ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ପାଶୋରି ପାରିବି ନାହିଁ । ସେଇ କିଛି ମୂହୁର୍ତ୍ତର ସ୍ମୃତିରେ ନିମଜ୍ଜିିତ ରହି ବିସ୍ମିତ, ହତଚକିତ ତଥା ନିର୍ବାକ ଅବସ୍ଥାରେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଲି । ଫେରିବା ବାଟରେ ଘଟଣାଟିର ଆଦ୍ୟରୁ ପ୍ରାନ୍ତ ଯାଏ ପୁନର୍ବାର ଭାବୁଥିଲି । ଯେତେ ଭାବୁଥିଲି , ମନ ସେତେ ପୁଲ୍ଲକିତ ହୋଇ ଉଠୁଥିଲା । 

   X   X   X 

        କଲେଜ ଜୀବନରେ ମୋର ଅଳ୍ପ କେତୋଟି ହାତଗଣତି ସାଙ୍ଗମାନଙ୍କ ମଧ୍ୟରୁ ମନୋଜ ଥିଲା ଅନ୍ୟତମ । ସବୁଠାରୁ ଅନ୍ତରଙ୍ଗ ସାଙ୍ଗ ଭାବରେ ମୋତେ ଅନେକ ପ୍ରକାର ସାହାଯ୍ୟ ମଧ୍ଯ କରୁଥିଲା । ମୁୁଁ ଏକ ଗରୀବ ଚାଷୀ ପରିବାରରୁ ଆସିଥିବାରୁ ଅନେକ ସମୟରେ ହଷ୍ଟେଲ ଫି ଦେଇପାରୁନଥିଲି । ମନୋଜ ଅପେକ୍ଷାକୃତ ସ୍ବଛଳ ଥିବାରୁ ପ୍ରାୟତଃ ମୋର ହଷ୍ଟେଲ ଫି ଦେବା ସହ ବହିପତ୍ର ଇତ୍ୟାଦି କିଣିବାରେ ମଧ୍ୟ ଯଥା ସମ୍ଭବ ସାହାଯ୍ୟ କରୁଥିଲା । ତେଣୁ ଆଜୀବନ ମୁଁ ତା' ପାଖରେ ଋଣୀ ଥିଲି । ଆଵଶ୍ୟକ ସ୍ଥଳେ ମନୋଜକୁ ମୋର ସବୁ କିଛି ଦେଇ ଦେବା ଲାଗି ମାନସିକ ଭାବେ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲି । ମୋଟାମୋଟି ଭାବରେ ତା' ଲାଗି ମୋ ନିକଟରେ ଅଦେୟ ବୋଲି କିଛି ନଥିଲା ।

       ତେବେ ଯଥାଶୀଘ୍ର ମୋତେ ସେଇ 'ଆବଶ୍ୟକ' ମୂହୁର୍ତ୍ତଟିକୁ ସାମ୍ନା କରିବାକୁ ପଡିଲା । ଅର୍ଥାତ କୃତଜ୍ଞତାର ଫଳ ସ୍ଵରୂପ ମୋତେ ମୋ ପ୍ରେମକୁ ବଳି ଦେବାକୁ ପଡିଲା । ସୁମିତ୍ରା ସହ ସାଧାରଣ ଦେଖାଚାହାଁ , କଥାବାର୍ତ୍ତାରୁ ସଂପର୍କର ନିବିଡତା ବୃଦ୍ଧି ଓ ଏଥିସହିତ ସାରା ଜୀବନ ଏକାଠି କଟେଇବାର ସମସ୍ତ କଳ୍ପନା ଜଳ୍ପନା, ମନୋଜ ମୁହଁରୁ ଗୋଟିଏ ଛୋଟିଆ ଅନୁରୋଧ ଶୁଣିବା ପରେ ସବୁକିଛି ଗୋଟିଏ ମୂହୁର୍ତ୍ତରେ ଧୂଳିସାତ୍ ହୋଇଗଲା । 

      କିଛିଦିନ ପରେ ମୋ ମଧ୍ୟସ୍ଥତାରେ ମନୋଜ ଓ ସୁମିତ୍ରା ବିବାହ ବନ୍ଧନରେ ଆବଦ୍ଧ ହେଲେ । ସେମାନଙ୍କର ସୁଖି ଦାମ୍ପତ୍ୟ ଜୀବନ କାମନା କରି ବିଦାୟ ନେଇ ନିଜ କର୍ମସ୍ଥଳୀକୁ ଫେରିଆସିଲି । ଏହାପରେ କେବେ ସେମାନଙ୍କୁ ଭେଟିବାକୁ ଆଉ ଯାଇନାହିଁ । ପରେ ନିଜେ ବିବାହ କରି ସଂସାର ଓ କର୍ମଜଞ୍ଜାଳରେ ବ୍ୟସ୍ତ ରହିଥିଲି । ବ୍ୟସ୍ତବହୁଳ ଦିନଚର୍ଯ୍ୟା ମଧ୍ୟରୁ ମଝିରେ ମଝିରେ ସମୟ ବାହାର କରି ନିକଟସ୍ଥ ମନ୍ଦିରକୁ ଯାଇ ଚିକିଏ ନିରୋଳାରେ କିଛି ସମୟ ଅତିବାହିତ କରିବା ମୋର ଅଭ୍ୟାସଗତ ହୋଇଯାଇଥିଲା । ଅନ୍ତତଃ କିଛିସମୟ ପାଇଁ ମାନସିକ ଶାନ୍ତି ମିଳୁଥିଲା । ବେଳେ ବେଳେ ମନ ଭିତରୁ କିଛି ଅବ୍ଯକ୍ତ ବେଦନା ଅଶ୍ରୁ ଆକାରରେ ବାହାରି ଆସୁଥିଲା । 

      ଚାକିରୀ ଜୀବନର ପ୍ରାୟ ପନ୍ଦର ବର୍ଷ ପରେ ମୋର ବଦଳି ହେଲା । ନୂତନ ବଦଳି ସ୍ଥାନଟି ଥିଲା ପୁରୀ । ନୂଆ ଜାଗାରେ ନୂଆ ପରିବେଶରେ ପରିବାରକୁ ଥଇଥାନ କରିବାରେ କିଛିଦିନ ଅତିବାହିତ ହୋଇଗଲା । ସବୁ କିଛି ସ୍ଵାଭାବିକ ହେଲାପରେ ମୁଁ ପୂର୍ବ ଅଭ୍ୟାସ ଅନୁସାୟୀ ମନ୍ଦିର ବାହାରିଲି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଆଶାରେ ମନ ମୋର ପୁଲ୍ଲକିତ ହୋଇ ଉଠୁଥିଲା । ପ୍ରଭୂଙ୍କୁ ଦର୍ଶନ କରିସାରିବା ପରେ ମା ଲକ୍ଷ୍ମୀଙ୍କ ମନ୍ଦିରରେ ଆସି ବସିଲି । ସେଠାରେ ଚୁପଚାପ ବସିରହି ଲୋକମାନଙ୍କର ଯିବାଆସିବା ସହିତ ମାଙ୍କଡମାନଙ୍କର ଖେଳ କୌତୁକ ଦେଖୁଥିଲି । ମୋର ଭାବୁକ ମନଟି କେଉଁ ଏକ ଅଜଣା ରାଜ୍ୟରେ ଘୁରିବୁଲୁଥିଲା । ଏହାରି ମଧ୍ଯରେ ହଠାତ୍‌ ଜଣେ ବିଧବା ମହିଳାଙ୍କ ଉପରେ ଦୃଷ୍ଟି ନିବଦ୍ଧ ହେଲା । ମହିଳା ଜଣକ ନୀରବରେ ବସିରହି ନୀଳଚକ୍ର ଆଡକୁ ଚାହିଁରହି ମନେ ମନେ କ'ଣ ଗୁଣୁ ଗୁଣୁ ହେଉଥିଲେ । ବୋଧହୁଏ ପ୍ରାର୍ଥନା କରୁଥିଲେ ।ଚେହେରାଟି ଚିହ୍ନା ଚିହ୍ନା ଲାଗୁଥିଲା । ଭଲକରି ନିରେଖି ଦେଖିଲି । ଅତଳ ସ୍ମୃତି ଗର୍ଭରେ ସାଇତା ହୋଇ ରହିଥିବା ଅନେକ ଗୁଡିଏ ଚେହେରା ମଧ୍ୟରୁ ସେଇ ନିର୍ଦ୍ଦିଷ୍ଟ ଚେହେରାଟିର ପରିଚୟ ଖୋଜୁଥିଲି । କିଛିସମୟ ପରେ ସଫଳ ହେଲି । ସେ ଥିଲେ ସୁମିତ୍ରା . . . . ।

      ସୁମି ସହିତ ଏଭଳି ଭାବରେ କେବେ ସାକ୍ଷାତ ହେବ, ଏହା ମୋର କଳ୍ପନାତୀତ ଥିଲା । ଧିରେ ଧିରେ ନିକଟକୁ ଗଲି । ମୃଦୁସ୍ଵରରେ ନାଁ ଧରି ଡାକିଲି । ଦୁଇଟି ବିସ୍ମିତ ଚକ୍ଷୁ କିଛି ସମୟ ପାଇଁ ମୋତେ ନିରେଖି ଦେଖିଲା । କିଛିକ୍ଷଣ ପରେ ବିସ୍ମୟ ଭାବ କଟିଯାଇ ଚକ୍ଷୁ ଦୁଇଟି ଲୋତକପୂର୍ଣ୍ଣ ହେବାକୁ ଆରମ୍ଭ କରିଥିଲା । 

' କେମିତି ଅଛ ସୁମି ? ସବୁ ଭଲ ତ ? ଏମିତି ବେଶ କଣ ପାଇଁ ?" ପଚାରିସାରି ଉତ୍ତରର ପ୍ରତୀକ୍ଷା କଲି ।

      ଏହାପରେ ସଂକ୍ଷିପ୍ତରେ ସୁମିଠାରୁ ସମସ୍ତ ବିଷୟ ଶୁଣିବାକୁ ପାଇଲି । ବିବାହର ଅଳ୍ପଦିନ ପରେ ଏକ ଦୁର୍ଘଟଣାରେ ମନୋଜର ଦେହାନ୍ତ ହେଲା । ଏହାର କିଛିବର୍ଷ ପରେ ଶାଶୁ ଶ୍ଵଶୁର ମଧ୍ଯ ଇହଧାମ ଛାଡିଲେ । ପିଲାପିଲି କିଛି ନଥିଲେ । ଏକୁଟିଆ ହୋଇଯିବାପରେ ସୁମିତ୍ରା ପୁରୀ ଚାଲିଆସି ଏଠାରେ ବସବାସ କରିବାକୁ ଲାଗିଲେ । ଏଠାରେ ମନୋଜର କିଛି ପୈତୃକ ସଂପତ୍ତି ଓ ଘର ଥିଲା । ତେଣୁ ଚଳିବାରେ କିଛି ଅସୁବିଧା ହୁଏନି । . . . . ପରେ ଭେଟିବାର ପ୍ରତିଶ୍ରୁତି ଦେଇ ସୁମିଠାରୁ ବିଦାୟ ନେଇ ଘରକୁ ଆସିଲି । ଏହାପରେ ପ୍ରାୟତଃ ସୁମି ସାଙ୍ଗରେ ମନ୍ଦିରରେ ସାକ୍ଷାତ ହୁଏ । ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୁଏ । କଥା ଯେଉଁଠାରୁ ଆରମ୍ଭ ହେଉନା କାହିଁକି , ଛିଡେ କିନ୍ତୁ ଜଗନ୍ନାଥଙ୍କ ପାଖରେ । ମୋଟାମୋଟି ଭାବେ ସୁମି ଅଧିକାଂଶ ସମୟ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗପିବା ପାଇଁ ଭଲ ପାଉଥାଏ । ଏହିପରି ଭାବରେ ସମୟ ଗଡି ଯାଉଥାଏ । ଏହାରି ମଧ୍ୟରେ ଗାଁ'ରୁ ଖବର ଆସିଲା କି ଝିଆରୀ ( ବଡଭାଇଙ୍କ ଝିଅ ) ବାହାଘର ଠିକ୍ ହୋଇ ସାରିଛି । ବୋଉ ଦେହ ମଧ୍ୟ ଭଲ ନାହିଁ । ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖାଦେଉଛି । ମୋତେ ଗାଁ'କୁ ଯିବାକୁ ହେବ । ଯଥାଶୀଘ୍ର ଛୁଟି ମଞ୍ଜୁରୀ ନେଇ ସପରିବାରେ ଗ୍ରାମରେ ପହଞ୍ଚିଲି । ଭାଇଙ୍କ ଅନୁରୋଧରେ ବିବାହ କାର୍ଯ୍ୟରେ ମୋତେ କର୍ତ୍ତା ଭୂମିକାଟିକୁ ତୁଲାଇବାକୁ ହେଲା । ବିଧି ଅନୁସାରେ ନିମନ୍ତ୍ରଣ ପତ୍ର ସହିତ ପୁଣି ପୁରୀ ଆସିବାକୁ ପଡିଲା । ପ୍ରଥମ ନିମନ୍ତ୍ରଣ ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ହେବା ଆବଶ୍ୟକ । ପ୍ରଭୂ ଶ୍ରୀଜଗନ୍ନାଥ ବିବାହ ବେଦିରେ ଉପସ୍ଥିତ ରହିଲେ ସମସ୍ତ କାର୍ଯ୍ୟ ଶୁଭରେ ସଂପାଦନ ହୋଇଯାଏ ବୋଲି ଆମ୍ଭମାନଙ୍କର ବିଶ୍ୱାସ ଅଛି । ମନ୍ଦିରରେ ପହଞ୍ଚି ପ୍ରଭୁଙ୍କୁ ଗୁଆ ନଡ଼ିଆ ସହିତ ନିମନ୍ତ୍ରଣ ପତ୍ର ସମର୍ପଣ କଲି । କେଜାଣି କାହିଁକି ସେତେବେଳେ ଅଜ୍ଞାତରେ ମୋ ଦୁଇ ଆଖିରୁ ଦୁଇଧାର ଲୁହ ବୋହିଗଲା । ଦର୍ଶନାର୍ଥୀ ଭକ୍ତମାନଙ୍କର ଭିଡ଼ ସହିତ ସେମାନଙ୍କର ଆକୁଳ ପ୍ରାର୍ଥନା ଓ ଦୁଇ ହାତ ଉପରକୁ ଟେକି ରଖି ପ୍ରଭୁଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦେବା ଲାଗି ବ୍ୟାକୁଳତା ଭାବ ଭିତରେ ମୁଁ ବି ଭାବବିହ୍ଵଳ ହୋଇ କାନ୍ଦି ପକାଇଲି । କିଛି ସମୟ ପରେ କୋହ ସମ୍ବରଣ କରି ବିବାହ କାର୍ଯ୍ୟଟି ଭଲରେ ଭଲରେ ହୋଇଯାଉ ବୋଲି ପ୍ରଣାମ ପୂର୍ବକ ପ୍ରାର୍ଥନା କଲି । ଅନ୍ତତଃ ବିବାହ କାର୍ଯ୍ୟଟି ଶେଷ ହେବା ପର୍ଯ୍ୟନ୍ତ ବୋଉ ସୁସ୍ଥ ରହିଥାଉ ବୋଲି ମାନସିକ କରି ସେଠାରୁ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଆସିଲି । ମନେ ମନେ ସୁମିତ୍ରାଙ୍କୁ ଖୋଜୁଥିଲି । ସମୟ ଅଭାବରୁ ନିରାଶ ହୋଇ ଗ୍ରାମ ଉଦ୍ଦେଶ୍ୟରେ ପ୍ରତ୍ୟାବର୍ତ୍ତନ କଲି । ବିବାହ କାର୍ଯ୍ୟ ସମାପନ ପରେ ପୁନଃ ସପରିବାରେ କର୍ତ୍ତବ୍ଯସ୍ଥଳୀକୁ ଫେରିଲି । ଗାଁ'ରୁ ପୁରୀ ଫେରିବା ପରଦିନ ସୁମିକୁ ସାକ୍ଷାତ କରିବା ଲାଗି ମନ୍ଦିରରେ ପହଞ୍ଚିଲି । ନିର୍ଦ୍ଦିଷ୍ଟ ସ୍ଥାନରେ ବହୁସମୟ ଅପେକ୍ଷା କରିବାପରେ ମଧ୍ୟ ସୁମିର ଦେଖା ନ ଥିଲା । ମନ ମଧ୍ୟରେ ବିଭିନ୍ନ ଆଶଙ୍କାର ଉଦୟ ହେଉଥିଲା । କିଛି ଅଘଟଣ ଘଟିଥିବା ଆଶଙ୍କା ନେଇ ଘରକୁ ଫେରିଲି । ପରଦିନ ମଧ୍ୟ ନିରାଶ ହେଲି । ଅଦୂରରେ ବସିଥିବା ଦିପ ବିକାଳୀଟି ବୋଧହୁଏ ମୋ ମନକଥା ବୁଝିପାରିଲା । ହାତଠାରି ମୋତେ ତା ନିକଟକୁ ଡାକିଲା । କୌତୁହଳୀ ହୋଇ ତା ନିକଟକୁ ଗଲି ।

' ଆପଣ ସେ ବିଧବା ମା'ଙ୍କୁ ଖୋଜୁଛନ୍ତି ତ ?'  

ମୁଁ ମୁଣ୍ଡ ହଲାଇ ସମ୍ମତି ଜଣାଇଲି ।

' ସେ ବୋଧହୁଏ ବିବାହ କରିସାରିଛନ୍ତି । ଆଉ ନଆସିପାରନ୍ତି ।'

' କଣ କହିଲ ? ବିବାହ କରିସାରିଲେଣି ? କାହାକୁ ? କେବେ ?' 

' ଆଜ୍ଞା , ସତ କହୁଛି । ପ୍ରାୟ ସପ୍ତାହ ତଳେ ତାଙ୍କୁ ଶେଷଥର ପାଇଁ ଦେଖିଥିଲି । ଯେତେବେଳେ ମନ୍ଦିର ଆସନ୍ତି , ମୋ ପାଖରୁ ଦିପ ନିଅନ୍ତି । ଏବେ ଆଉ ଆସୁନାହାଁନ୍ତି କି ଦିପ କିଣୁ ନାହାଁନ୍ତି ।'

' ବିବାହ କରିଛନ୍ତି ବୋଲି କିପରି ଜାଣିଲ ?' ମୁଁ ପ୍ରଶ୍ନ କଲି ।

' କଥା କଣ କି ବାବୁ , ସେଦିନ ସେ ସଧବା ବେଶରେ ଆସିଥିଲେ । ରଙ୍ଗୀନ ପାଟ , ସେ ପୁଣି ଲାଲ ରଙ୍ଗର । ତା' ସହିତ କପାଳରେ ସିନ୍ଦୁର , ହାତରେ ଚୁଡି ଓ କିଛି ଅଳଙ୍କାର ମଧ୍ଯ ପିନ୍ଧିଥିଲେ । ସେଥିରୁ ମୁଁ ଅନୁମାନ କଲି କି ବୋଧହୁଏ ଆଉଥରେ କାହାକୁ ବାହା ହୋଇଗଲେ । ଏବେ ତ ଏସବୁ ଚଳୁଛି ।' 

      ମୁଁ ଚୁପଚାପ ସେଠାରୁ ଘରକୁ ଫେରିଲି । କିନ୍ତୁ ମୋ ମନ ଆଦୌ ବୁଝୁ ନଥିଲା । ସୁମିତ୍ରା ଭଳି ମହିିଳା ଏ ପରିଣତ ବୟସରେ ଏଭଳି ଏକ ନିଷ୍ପତ୍ତି ନେଇପାରିବେ , ଏକଥାରେ ମୋ ଅନ୍ତରାତ୍ମା ଆଦୌ ସହମ୍ମତି ପ୍ରକାଶ କରୁ ନ ଥିଲା । ତେବେ ସେ ଯାହା ବି ହେଉ , ଥରୁଟେ ଏକଥାର ସତ୍ୟତା ପରୀକ୍ଷା କରିବାଲାଗି ମନେ ମନେ ନିଷ୍ପତ୍ତି ନେଲି । ପୂର୍ବରୁ କଥା ପ୍ରସଙ୍ଗରେ ସେ ରହୁଥିବା ଗଳିର ନାମ ଜାଣିଥିଲି । ତେଣୁ ଗଳି ନିକଟକୁ ଯାଇ ପଚରା ପଚରି କରିବାପରେ ସୁମିତ୍ରା ରହୁଥିବା ଘରର ଠିକଣା ମିଳିଗଲା । ସେଦିନ ହାତରେ ଯଥେଷ୍ଟ ସମୟ ନେଇ ଯାଇଥିଲି । ଏଣୁ ରହସ୍ୟ ଉନ୍ମୋଚନ ଲାଗି ଯେତେ ବି ସମୟ ଲାଗୁ , ସେଥିପାଇଁ ଚିନ୍ତା ନଥିଲା । 

      ପ୍ରବେଶ ଦ୍ଵାର ନିକଟରେ ଠିଆ ହୋଇ କଲିଂ ବେଲ ଅନ୍ କଲି । ଦିମହଲା ଘରଟା ପୁରା ଖାଁ ଖାଁ ଲାଗୁଥିଲା । କିଛି ସମୟ ପରେ ଦ୍ଵାର ଖୋଲିଲା । 

' ଭିତରକୁ ଆସ ।' ଦ୍ଵାର ଖୋଲି ସାରି ମୃଦୁହାସ୍ୟ ସହକାରେ ସୁମି ସମ୍ଭାଷଣ ଜଣାଇଲେ । ... . ମୁଁ ଆବାକ୍ ହୋଇ ସୁମିକୁ ଦେଖୁଥିଲି । ଦିପ ବିକାଳୀର ସମସ୍ତ କଥା ସଂପୂର୍ଣ୍ଣ ସତ୍ୟ ଥିଲା ।

'ତୁମେ ବସ ; ମୁଁ ତୁମ ପାଇଁ ଟିକେ ଚା' ନେଇଆସେ ।' ମୁଁ ନିରବ ହୋଇ ବୈଠକଖାନାରେ ପଡ଼ିଥିବା ସୋଫାରେ ବସିଲି । ନିରୋଳା ଘରଟିର ପ୍ରତିଟି କୋଣରୁ ଶୁଭୁଥିଲା ଏକ ନବବଧୂର ଚଳପ୍ରଚଳ ଜନିତ ରୁଣୁଝୁଣୁ ଶବ୍ଦର ପ୍ରତିଧ୍ଵନି । କିଛି ସମୟ ପରେ ସୁମି ମୋ ହାତକୁ ଚା' କପଟି ବଢାଇ ସାରି ସମ୍ମୁଖସ୍ଥ ସୋଫାରେ ବସିଲେ । ମୋ ସାମ୍ନାରେ ଦେଖୁଥିଲି ଜଣେ ନବବିବାହିତା ତରୁଣୀର ନୂତନ ପ୍ରେମାସିକ୍ତ ଆରକ୍ତ ମୁଖମଣ୍ଡଳ । କଲେଜ ଜୀବନରେ ଅନେକ ଥର ସୁମିତ୍ରାଙ୍କର ଏ ରୁପକୁ କଳ୍ପନା କରିଛି । ମନେପକାଇ ରୋମାଞ୍ଚିତ ହୋଇଛି । ବର୍ତ୍ତମାନ କିନ୍ତୁ ସେଭଳି ଭାବନା ବଦଳରେ ମନକୁ ଆବୋରି ବସିଥିଲା ଏକ ଅବ୍ୟକ୍ତ, ଅପ୍ରକାଶ୍ୟ ଘୃଣା । କିଛି କହିବା ପାଇଁ ଭାଷା ପାଉନଥିଲି । 

' ବାହାରକୁ କେଉଁଆଡେ ଯାଇଥିଲ କି ? ' ପରିସ୍ଥିତିକୁ ହାଲକା କରିବା ଉଦ୍ଦେଶ୍ୟରେ ସୁମି ପଚାରୁଥିଲେ ।

' ହଁ ; ଝିଆରୀ ବିବାହ କାର୍ଯ୍ୟରେ ଯୋଗ ଦେବା ଲାଗି ଗାଁ'କୁ ଯାଇଥିଲି । ତେବେ ତୁମେ ମନ୍ଦିର କାହିଁକି ଆଉ ଯାଉନ ? ଏ ସବୁ କେବେ କେମିତି ହେଲା ? ମାନେ ତୁମର ଏ ପୁନର୍ବିବାହ ବିଷୟରେ ପଚାରୁଛି । ସେ ସୌଭାଗ୍ୟବନ୍ତ ଶ୍ରୀମାନ ଜଣକ କିଏ ?' 

ଏତେ ଗୁଡିଏ ପ୍ରଶ୍ନ ପଚାରିସାରି ଉତ୍ତରର ପ୍ରତୀକ୍ଷା କଲି ।

' କହିବି କହିବି ; ସବୁ କହିବି । ତୁମକୁ କହିବିନି ତ ଆଉ କାହାକୁ କହିବି ? କିନ୍ତୁ ଘଟଣାଟିକୁ ମୂଳରୁ ଶୁଣିବାକୁ ହେବ । ସମୟ ଅଛି ତ ?' 

 ମୁଁ ସମ୍ମତି ଜଣାଇଲି । କିଛି ସମୟ ନିରବ ରହିବାପରେ ସୁମି ନିଜ ବକ୍ତବ୍ୟ ଆରମ୍ଭ କଲେ ।

' କଲେଜ ଜୀବନରେ ମୁଁ ତୁମକୁ ହିଁ ଭଲପାଉଥିଲି । ତୁମ ବ୍ୟତୀତ ଅନ୍ୟ କାହାକୁ ନିଜ ସ୍ୱାମୀ ରୂପରେ କଳ୍ପନା ମଧ୍ଯ କରିନାହିଁ । କିନ୍ତୁ ତୁମେ କଣ କଲ ? ଆମ ଶାଶ୍ଵତ ପ୍ରେମର ଦ୍ଵାହି ଦେଇ ମନୋଜଙ୍କୁ ବିବାହ କରିବାକୁ ମୋତେ ତୁମେ ବାଧ୍ୟ କଲ । ସେଥିରେ ମଧ୍ୟ ମୁଁ ରାଜି ହେଲି । ତା'ପରେ ? ତାପରେ ମନୋଜ ଭିତରେ ମୁଁ ତୁମକୁ ହିଁ ଖୋଜୁଥିଲି । ଧିରେ ଧିରେ ତୁମ ଚେହେରା ମୋ ଆଖି ଆଗରୁ ଅଦୃଶ୍ୟ ହୋଇ ଆସିଲା । କିନ୍ତୁ ମନୋଜଙ୍କୁ ମୁଁ ସଂପୂର୍ଣ୍ଣ ଭାବରେ ନିଜର କରିପାରୁ ନଥିଲି । କି ଦ୍ଵିଧା ପରିସ୍ଥିତି !' ଏତକ କହିବା ପରେ ସୁମିତ୍ରା ଟିକିଏ ନିରବ ରହିଲେ । ମୁଁ ସୋଫାରୁ ଉଠିଯାଇ ସୁମିର ହାତ ଧରିଲି । 

' ମୋତେ କ୍ଷମା କରିଦିଅ ସୁମି । ମୋ ଅଜାଣତରେ ମୋର ବଡ ଭୂଲ ହୋଇଗଲା । କିନ୍ତୁ ମୋତେ ଟିକିଏ ବୁଝିବାକୁ ଚେଷ୍ଟା କର ପ୍ଲିଜ୍‌ । ମୁଁ ନାଚାର ଥିଲି । ମନୋଜ ମୋତେ ବହୁତ ସାହାଯ୍ୟ କରିଥିଲା । ପ୍ରତିବଦଳରେ ମୁଁ ତା ପାଇଁ ଏତିକି କରିପାରି ନଥାନ୍ତି ?' 

' ହଁ କରିଥାନ୍ତ । ଯାହା ଇଚ୍ଛା ତା କରିପାରିଥାନ୍ତ । କିନ୍ତୁ ଏଥିପାଇଁ ମୋ ବିଶ୍ୱାସକୁ ବଳି ପକାଇବାର ଅଧିକାର ତୁମକୁ କିଏ ଦେଲା ? ହଉ ଛାଡ ; ମୋ ଭାଗ୍ୟରେ ତାହା ହିଁ ଲେଖା ଥିଲା । ମନୋଜ ସ୍ଵର୍ଗବାସୀ ହେଲାପରେ ମୁଁ ତାଙ୍କୁ ବହୁତ ଝୁରିଛି । ବିଳମ୍ବିତ ରାତିରେ ନିଦରୁ ଉଠି ଅନେକ କାନ୍ଦିଛି । ଶେଷରେ ଦିନେ ସ୍ୱପ୍ନରେ ଦେଖିଲି , ମନୋଜ ମୋରି ଆଗରେ ଯାଇ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ବିଲୀନ ହୋଇଗଲେ । ତା'ପରଠାରୁ ମୁଁ ଆଉ କାନ୍ଦିନି । . . . . ଯେଉଁ ଶାଶ୍ଵତ ପ୍ରେମର ଦ୍ଵାହି ତୁମେ ମୋତେ ଦେଇଥିଲ , ତାହା ମଧ୍ୟ ମୋର ଗୋଟିଏ ବଡ ଭ୍ରମ ଥିଲା । ଏକଥା ମୁଁ ବହୁତ ଦିନପରେ ଜାଣିଲି । ଏବେ କିନ୍ତୁ ମୁଁ ସେ ପ୍ରେମ , ଭଲପାଇବାକୁ ବୁଝିସାରିଛି । ଖାଲି ବୁଝିନି , ପାଇସାରିଛି ମଧ୍ୟ । ଆଉ ସେଭଳି ଭ୍ରମରେ ପଡିବିନି ।' 

 ' କିଏ ସେ ବ୍ୟକ୍ତି ସୁମି , ଯେ ମୋ ଠାରୁ , ମନୋଜ ଠାରୁ ତୁମକୁ ଅଧିକ ଭଲପାଇବା ଦେଇପାରିଛି ? କାହାପାଇଁ ତୁମେ ଏ ପରିଣତ ବୟସରେ ଲୋକ ଲଜ୍ଜାକୁ ଖାତିର ନକରି ଆଉଥରେ ସିନ୍ଦୁର ଅଳତା ଲଗେଇ ପାରିଲ ? ମୋତେ ଗୋଟିଏ ଥର ତାଙ୍କ ସହ ଭେଟ କରାଇ ପାରିବ ? ' ମୋର ଏ ଅଭିମାନ ଓ ଅହଙ୍କାର ମିଶା ପ୍ରଶ୍ନ ଶୁଣି ସୁମି କିଛି ସମୟ ନିର୍ବାକ ରହିଲେ । 

' ହଁ ! ଭେଟ କରାଇପାରିବି । କିନ୍ତୁ ତୁମେ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛ ତ ? '

' ମୁୁଁ ପ୍ରସ୍ତୁତ ଅଛି ସୁମି ।'

' ଠିକ୍ ଅଛି । ମୋ ସାଙ୍ଗେ ଆସ । ତା'ଙ୍କ ଦେହ ଭଲ ନାହିଁ । ଉପର ମହଲାରେ ଶୋଇଛନ୍ତି । ସେଇଠି ଦେଖା କରି ଫେରିଆସିବ ।' ଏତକ କହିସାରି ସୁମି ଆଗେ ଆଗେ ଚାଲିଲେ । ମୁଁ ପଛରେ ଅନୁସରଣ କଲି । ସିଡି ଚଢି ଉଭୟ ଉପର ମହଲାକୁ ଆସିଲୁ । ବାରଣ୍ଡାରେ ପାଦ ରଖିବା ପରେ ଝୁଣା ,ଧୂପକାଠି ଓ ଆଳତି କର୍ପୁରର ବାସ୍ନା ନାକରେ ବାଜିଲା । ଶରୀର ଭିତରେ ଏକ ଅଜଣା ଅନୁଭୂତିର ଶିହରଣ ଖେଳିଗଲା । ଗୋଟିଏ ମୂହୁର୍ତ୍ତ ପାଇଁ ମନେହେଲା , ସତେ ଯେପରି ଏ ପାର୍ଥିବ ସଂସାରରୁ ବହୁ ଦୂରରେ କେଉଁ ଏକ ଅଜଣା ମୂଲକରେ ମୁଁ ବିଚରଣ କରୁଛି । ଗୋଟିଏ ବଖରାର ଦ୍ଵାର ଖୋଲା ହେବା ଶବ୍ଦରେ ସମ୍ବିତ ଫେରିପାଇଲି । ଭିତରକୁ ଯିବାପାଇଁ ଇଶାରା ପାଇ ରୁମ ଭିତରେ ପାଦ ରଖିଲି । ଭିତରେ ମୃଦୁ ନିଳାଭ ଆଲୋକରେ ଦେଖିଲି , କେହି ଜଣେ ବେଡ ଉପରେ ଘୋଡି ହୋଇ ଶୋଇଥିଲେ । ସୁମି ବେଡ ନିକଟକୁ ଯାଇ କହିଲେ , ' ଶୁଣୁଛ ? ଟିକିଏ ଉଠିକରି ଦେଖ ; ତୁମକୁ ସାକ୍ଷାତ କରିବାକୁ କିଏ ଆସିଛନ୍ତି !' କହିସାରି ଉତ୍ତର ଶୁଣିବା ଆଶାରେ ସୁମି ଟିକିଏ ଝୁଙ୍କି ପଡିଲେ । କିଛି ବୁଝିବା ଢଙ୍ଗରେ ମୁଣ୍ଡ ହଲାଇ ମୋ ଉଦ୍ଦେଶ୍ୟରେ କହିଲେ , ' ସେ ଏବେ ସାକ୍ଷାତ କରିବା ପାଇଁ ମନା କରୁଛନ୍ତି ।'

     ନିକଟରେ ଥିବା ଏକ ଚେୟାରରେ ବସିଲି । ମନେ ମନେ ଭାବୁଥିଲି, ଗୋଟିଏ ସାଧାରଣ ସୌଜନ୍ୟମୂଳକ ସାକ୍ଷାତ କରିଦେଇଥିଲେ କ'ଣଟା ଅସୁବିଧା ହେଇଯାଉଥିଲା । ଏବେ ଏଠାରୁ ଯଥାଶୀଘ୍ର ପ୍ରସ୍ଥାନ କରିବା ଉଚିତ ହେବ । ସୁମିତ୍ରା ତାଙ୍କର ନୂଆ ସଂସାରକୁ ନେଇ ଖୁସିରେ ରୁହନ୍ତୁ । ଫେରିବା ଉଦ୍ଦେଶ୍ୟରେ ଉଠି ଠିଆହେଲି । 

' ସେ କହୁଛନ୍ତି ଯେ ତାଙ୍କ ସହିତ ତୁମର ସାକ୍ଷାତ, ଏହା ପୂର୍ବରୁ ଅନେକଥର ହୋଇସାରିଛି ।' ସୁମିତ୍ରା ମୋତେ କହୁଥିଲେ ।

' କେବେ ? ମୋର ମନେ ପଡ଼ୁନି !' ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି । ଭାବୁଥିଲି , ସଂପୂର୍ଣ୍ଣ ଚେହେରାଟି ଦେଖିଲେ ସିନା କିଛି ମନେପଡିଯିବାର ସମ୍ଭାବନା ଥା'ନ୍ତା ! 

' ସେ କହୁଛନ୍ତି ଯେ ବାହ୍ୟରୁପକୁ ଦେଖି କାହାର ପରିଚୟ ଜାଣିବାର ସିଦ୍ଧାନ୍ତ ଭ୍ରମପୂର୍ଣ୍ଣ ହୋଇପାରେ ; ସ୍ଵଚେତନାରେ ସାଇତା ହୋଇ ରହିଥିବା ଅତୀତର କିଛି ଘଟଣା ସହିତ ସେ ସମୟରେ ଉପସ୍ଥିତ ଥିବା ଚରିତ୍ର ଦ୍ଵାରା ପର୍ଯ୍ୟବେସିତ ଭୂମିକାକୁ ନେଇ ତା'ର ପ୍ରକୃତ ପରିଚୟ ନିର୍ଣ୍ଣୟ କରିବା ଉଚିତ ହେବ । ଏହା ଅଭ୍ରାନ୍ତ ଓ ଉଚିତ ସିଦ୍ଧାନ୍ତଯୋଗ୍ୟ ଅଟେ ।'

' ସୁମି ! ଅତୀତର କେଉଁ ଘଟଣା ସହିତ ଶ୍ରୀମାନଙ୍କର ପରିଚୟ ଜଡିତ ରହିଛି , ତା' ମଧ୍ଯ ମୋତେ ଜଣାନାହିଁ । କୌଣସି ଏକ ସୂତ୍ର ପ୍ରଦାନ କଲେ ହୁଏତ ସ୍ମରଣ କରିପାରନ୍ତି ।'

  କିଛି ମୁହୁର୍ତ୍ତର ଅଖଣ୍ଡ ନିରବତା ।. . . ବୋଧହୁଏ ସୁମି କିଛି ଶୁଣୁଥିଲେ ।

' ଅନେକ ଘଟଣା ଅଛି । ଝିଆରୀ ବିବାହକୁ ନିମନ୍ତ୍ରଣ କରିଥିଲ ; କୋହଭରା ନିମନ୍ତ୍ରଣକୁ ଉପେକ୍ଷା କରିହେଲାନି । ସୁମିର ବନ୍ଧୁ , ମୋର ମଧ୍ୟ ବନ୍ଧୁ । ଯିବାକୁ ପଡିଲା । ବିବାହ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ତୁମ ମା'ଙ୍କ ଦେହ ସୁସ୍ଥ ରହିବା ପାଇଁ ଆକୁଳ ପ୍ରାର୍ଥନା , ତାହା ମଧ୍ୟ ପୂର୍ଣ୍ଣ ହେଲା । ଏହାପରେ ମଧ୍ୟ ପରିଚୟ ଦେବାର ଆବଶ୍ୟକତା ଅଛି ?'

ମୁଁ ସ୍ତବ୍ଧ ହୋଇ ଶୁଣୁଥିଲି । କିଛି କିଛି ବୁଝୁଥିଲେ ବି ସଂପୂର୍ଣ୍ଣ ଭାବେ ସନ୍ଦେହମୁକ୍ତ ହୋଇପାରୁ ନ ଥିଲି ।

' ଓ8 ! ଏବେ ମଧ୍ୟ ମନରୁ ସନ୍ଦେହ ଯାଉନି ?' ମୋ ମନକଥା ବୁଝିପାରିଲା ଭଳି ସୁମି କହୁଥିଲେ , ' ଏବେ ଘରକୁ ଯାଅ । ମା'ଙ୍କର ଦେହାନ୍ତ ହୋଇସାରିଲାଣି । ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ସ୍ଵର୍ଗଦ୍ଵାରରେ ତାଙ୍କର ସଂସ୍କାର କରିବ ।' 

     ହତବାକ୍ ହୋଇ ଚଉକିରେ ବସି ପଡିଲି । ହୃଦୟର ସ୍ପନ୍ଦନ ଅସ୍ଵାଭାବିକ ଭାବରେ ବୄଦ୍ଧି ପାଇଥିଲା । ସୁମି ମୋ ପାଖକୁ ଆସି ସ୍ନେହରେ ମୋ ମୁଣ୍ଡ ଆଉଁସି ଦେଉଥିଲେ । 

' ସୁମି !' 

' ହଁ , କୁହ ।'

' ଥରୁଟେ ମୁଁ ସେ ଚେହେରା ଦେଖି ପାରିବି ? ମାତ୍ର ଗୋଟିଏ ଥର ।' ମୁଁ ପିଲାଙ୍କ ଭଳି ଅଳି କରୁଥିଲି ।

' ଏଥିପାଇଁ ତା'ଙ୍କ ଅନୁମତି ଆବଶ୍ୟକ । ସେ ଏବେ ଅସୁସ୍ଥ ଅଛନ୍ତି । କହୁଥିଲେ କି ତୁମରି ଘରୁ ଭୋଜି ଖାଇ ଆସିବା ପରେ ଦେହ ଖରାପ ହେଲା ।' ଏତିକି କହିସାରି ସୁମି ବେଡ ପାଖକୁ ଯାଇ ଝୁଙ୍କିପଡି ଫୁସ୍‌ ଫୁସ୍ ସ୍ୱରରେ କିଛି କହିଲେ । ବୋଧହୁଏ ଅନୁମତି ମାଗୁଥିଲେ ।

' ଠିକ୍ ଅଛି ; ଏଠାକୁ ଆସ । କିନ୍ତୁ ଗୋଟିଏ ସର୍ତ୍ତ ରହିଛି । ତୁମେ କେବଳ ମୁହଁଟିକୁ ଦେଖିପାରିବ ।' 

' ସେତିକି ଯଥେଷ୍ଟ ।' କହିସାରି ଚଉକି ଛାଡ଼ି ବେଡ଼ ନିକଟକୁ ଗଲି । 

' ସେ ବେଶୀ କୋଳାହଳ କିମ୍ବା ଅଧିକ ଆଲୋକ ପସନ୍ଦ କରନ୍ତି ନାହିଁ । ତେବେ ଅଳ୍ପ ସମୟ ପାଇଁ ଚଳିବ ।' ଏତକ କହିବା ଭିତରେ ସୁମି ରୁମରେ ଥିବା ଏକ ସ୍ଵିଚ୍ ଅନ୍ କଲେ । ଘର ଭିତରଟା ଉଜ୍ଜଳ ଆଲୋକରେ ଭରିଗଲା । ମୁୁଁ ଅତ୍ୟନ୍ତ ଉତ୍ସାହ ସହିତ ଅପେକ୍ଷା କରୁଥିଲି । ଅତ୍ୟନ୍ତ ଯତ୍ନ ସହକାରେ ସୁମି ଶୟନରତ ଥିବା ବ୍ୟକ୍ତିଙ୍କର ମୁଖମଣ୍ଡଳରୁ କମଳ ହଟାଇଲେ । 

' ହେ ପ୍ରଭୂ !'. . . ମୋ ପାଟିରୁ ଛୋଟିଆ ଆର୍ତ୍ତନାଦଟିଏ ବାହାରି ପଡ଼ିଲା । ମୁଁ ଏ କଣ ଦେଖୁଛି ? କମଳ ଭିତରୁ ସାମାନ୍ୟ ବାହାରିଥିବା ମୁଖମଣ୍ଡଳଟି ଥିଲା ଜଗତର ନାଥ ପ୍ରଭୂ ଶ୍ରୀଜଗନ୍ନାଥଙ୍କର । ସେଇ ଚକାଆଖି , ଚିର ପରିଚିତ ସେଇ ସ୍ଥିତହାସ୍ୟ ! ବିସ୍ମୟ ବିମୁଢ ଅବସ୍ଥାରେ ମୋର ଚେତନା ଲୁପ୍ତ ହେବାକୁ ଯାଉଥିଲା । କୌଣସି ମତେ ନିଜକୁ ସମ୍ଭାଳି ନେଇ ଚଟାଣରେ ବସି ପଡିଲି । ଆଖିରୁ ମୋର ଅମାନିଆ ଲୁହଧାର ବନ୍ଧବାଡ ମାନୁନଥିଲା । ଦୁଇ ହାତରେ ମୁହଁକୁ ଘୋଡାଇ ରଖି କଇଁ କଇଁ ହୋଇ କାନ୍ଦୁଥିଲି । ମୋ ପାଖରେ ବସିପଡ଼ି ମୋତେ ବୁଝାଇବା ଅବସରରେ ସୁମି ମଧ୍ୟ କାନ୍ଦୁଥିଲେ । ତାରି ଭିତରେ ଅସ୍ପଷ୍ଟ ଭାବରେ କୋହଭରା କଣ୍ଠରେ ସୁମି ଗୁଣୁ ଗୁଣୁ ହୋଇ କହୁଥିଲେ , ' ଏହାହିଁ ମୋ ଶାଶ୍ଵତ ପ୍ରେମ , ମୋ ଚିରନ୍ତନ ଭଲପାଇବା ; ଏଇ ହେଉଛି ସେଇ ଜନ୍ମ ଜନ୍ମାନ୍ତରର ବନ୍ଧନ , ଯାହାକୁ ମୁୁଁ ଏ ପର୍ଯ୍ୟନ୍ତ ଝୁରୁଥିଲି । ଯାହାଙ୍କୁ ଦେଖି ତୁମେ କାନ୍ଦୁଛ , ସେଇ ହେଉଛନ୍ତି ମୋ ସ୍ୱାମୀ ; ମୋ ଇହକାଳ ପରକାଳର ଦେବତା ।'

   * * * * *

ଘରକୁ ଫେରିଲି । ପରିବାରର ସମସ୍ତେ ପୁନର୍ବାର ଗାଁ'କୁ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ମୋର ଘରେ ପହଞ୍ଚିବା ପୂର୍ବରୁ ବୋଉର ମୃତ୍ୟୁ ଖବର ପହଞ୍ଚି ସାରିଥିଲା । ଗାଁ'ରେ ପହଞ୍ଚିସାରି ବଡ ଭାଇଙ୍କଠାରୁ ବୋଉର ଶେଷଇଚ୍ଛା ବିଷୟରେ ଶୁଣିଲି । ସଂସ୍କାର ପାଇଁ ସ୍ଵର୍ଗଦ୍ଵାର ନେବାକୁ ହେବ ।


      


        


Rate this content
Log in

Similar oriya story from Abstract