ଜିଜ୍ଞାସା
ଜିଜ୍ଞାସା
ସେ ଛୋଟ ଆପାର୍ଟମେଣ୍ଟ ରେ ଥିବା ସାତ ଗୋଟି ପାରିବାରରେ ଆଜି ଖୁବ୍ ଖୁସିର ଲହରୀ । ସମସ୍ତେ ମସଗୁଲ ଏଇଥପାଇଁ କି ଗୋଟେ ପରିବାରର ଛୋଟ ଝିଅର ଆଜି ଜନ୍ମଦିନ । କେକ କଟା ,ବେଲୁନ ଉଡା, ସାଜସଜ୍ଜା ଭିତରେ, ପିଲାମାନେ ଯେତିକି ଖୁସି, ବଡମାନେ ଦେଶୀ କୁକୁଡା ଝୋଳର ବାସ୍ନାରେ ସେତିକି ପୁଲକିତ। ବେଳ ଗଡି ଗଡି ଯାଇଛି, ଆଗ କେକ୍ କାଟିଲେ ତାପରେ ଖିଆପିଆ, ତେଣୁ ଆସରେ ପିଲାଏ କେକ୍ କାଟିବା ତୁମ ସାଙ୍ଗମାନେ ସବୁ ଆସିଗଲେଣି କହି ସେହି ଆପାର୍ଟମେଣ୍ଟରେ ଥିବା ଛୋଟ ଛୋଟ ପିଲାମାନଙ୍କୁ ଖୋଜି ଆଣିବାକୁ କୁହାଗଲା ତ ସେମାନଙ୍କ ସନ୍ଧାନ ମିଳିଲାନି।
ବ୍ୟସ୍ତ ବିବ୍ରତ ସମସ୍ତେ, ବାଜା ବାଣ ସବୁ ଠପ ତଥା ସ୍ଥଗିତ। ଏପଟ ସେପଟ, ଆ ଘର ତା ଘର, ଏ କଣ ସେ କଣ ତଥା ଚାରି କୋଣ ଖୋଜା ସରିଲାଣି, ହେଲେ ପିଲା ଚାରିଟାଙ୍କର ସନ୍ଧାନ ମିଳୁନି, ମାଆ ବାପା ତଥା ଅନ୍ୟମାନେ ବିଚଳିତ ଓ ବ୍ୟସ୍ତ ତଥା ବିବ୍ରତ, କାନ୍ଦି ପକେଇଲେଣି ମାଆ ମାନେ।ଶେଷକୁ ଟିକି ଝିଅ ଯାହାର ଜନ୍ମଦିନ ତାଙ୍କ ବାଡିପଟେ, ଲିଚୁ ଲାଇଟ୍ ମାଳ ପାଖରେ ଚାରି ପିଲା ଯାହାକୁ ଘେରିଥିଲେ, ସେ ଗୋଟେ କୁକୁଡ଼ା ଥିଲା। ସେ ଲିଚୁ ଲାଇଟ ସବୁକୁ ଖୁମ୍ପୁ ଥିଲାବେଳେ ପିଲା ଚାରୋଟି କିଏ ହାତରେ ଚାଉଳ ମୁଠେ, କିଏ ହାତରେ ରୁଟି ଖଣ୍ଡେ କିଏ ବିସ୍କୁଟ ତ କିଏ ପାଣିମୁନ୍ଦେ ଧରି କୁକୁଡ଼ାଟିର ଚାରିପଟେ ବେଢ଼ିଯାଇଥିଲେ ପିଲାଏ ତ, ସେମାନଙ୍କ ସନ୍ଧାନ ମିଲିଯାଇଥିବାରୁ, ମନ୍ଥର କାର୍ଯ୍ୟକ୍ରମ ପୁଣି ଆଗେଇଚାଲିଲା ତା ବାଟରେ, ସମସ୍ତେ ଖୁସି ମନରେ କେକ୍ କାଟିବା ବେଳେ ଛୋଟ ଛୋଟ ଚାରିଟା ପିଲା ଗୁଲୁ ଗୁଲୁ କଥାରେ କହୁଥିଲେ କୁକୁଡ଼ାକୁ କେକ୍ ଦେବାକୁ ଅଳି କରୁଥିଲେ।
କେକ ଦେବାରେ ହେଳା କରିଥିବା ବଡ ବଡ ଲୋକମାନେ ପିଲାଙ୍କ କଥା ମନେପକାଇ ଦେଶୀ ଚିକେନ ଖାଇସାରିବା ପରେ କିଛି ଖାଦ୍ୟ ନେଇ କୁକୁଡାଟିକୁ ଦେଇ ଆସିବାକୁ ଯାଇ ଚମକି ପଡିଲେ , କୁକୁଡା ଟି ତା ସ୍ଥାନରେ ନଥିଲା। କାଳେ ଲିଚୁ ଲାଇଟ ପଛପଟେ ଥିବ ଭାବି ଦେଖିଲା ବେଳକୁ ବି ନଥିଲା ସେଠି, କାଳେ ଇଲେକ୍ଟ୍ରି କରେଣ୍ଟ ବାଜି ମରିଯାଇଥିବ ଭାବି ଖୋଜିଲା ବେଳକୁ ଟିକି ଝିଅ ଗୁଡୁର ମାଆ କିଛି ଦୂରେ ଠିଆ ହୋଇ କହୁଥିଲେ, ସେ ନାହିଁ, ମୁଁ ତାଙ୍କୁ ଉଡେଇ ଦେଇଛି। ପିଲାମାନଙ୍କ ସନ୍ଧାନ ମିଳିବା ପରେ ଦୁରରେ ଗଞ୍ଜାଟିଏ ବୋବେଇ ବୋବେଇ ଡାକୁଥିଲା କୁକୁଡାଟିକୁ ତ ଖୋଲି ଉଡେଇଦେଲି ତାକୁ, ହୁଏତ ତା ସନ୍ଧାନ ପାଇ ଗଞ୍ଜାଟି ଖୁସି ହେଇଯାଇଥିବ ସାଥୀ କୁକୁଡ଼ାର ଆଗମନରେ। ତାଙ୍କ କଥା ଶୁଣି ସମସ୍ତେ ସ୍ତମ୍ଭିଭୂତ ହେଲା ବେଳେ ପିଲା ଚାରିଟା ହାପି ବାର୍ଥ ଡେ କହି ଖୁସିରେ ଡେଉଁଥିଲେ କିଛି ବୁଝି କି ନାବୁଝି, ବୁଝିବାକୁ ବଡମାନେ ପ୍ରୟାସ କରୁଥିଲେ ବୋଧହୁଏ l