Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Drama Romance Tragedy


4.3  

Lalita Mohan Mishra

Drama Romance Tragedy


ଜୀବନଟା ଏକ ମରୀଚିକା

ଜୀବନଟା ଏକ ମରୀଚିକା

7 mins 219 7 mins 219


ରୌଦ୍ରଦଗ୍ଧ ମରୁ ପ୍ରାନ୍ତରରେ ତୃଷାର୍ତ୍ତ ପଥିକଟିଏ ଦିଗନ୍ତ ବିସ୍ତାରୀ ବାଲୁକା ରାଶିରେ ଜଳ ସନ୍ଧାନ ପାଇଁ ଧାଇଁଥାଏ ମରୀଚିକା ପଛରେ । ଜଳର ଭ୍ରମରେ ଆଗେଇ ଆଗେଇ ଶେଷରେ ଝୁଣ୍ଟି ପଡେ ମରୀଚିକାର ଦ୍ୱାରଦେଶରେ । ମରୁ ଉଦ୍ୟାନ ପର୍ଯ୍ୟନ୍ତ ଆସି ଜଳର ସନ୍ଧାନ ନ ପାଇଲେ ଯେପରି ଆର୍ତ୍ତନାଦ କରି ଉଠେ, ମୋ ମନ ମଧ୍ୟ ଠିକ୍ ସେହିପରି ପ୍ରଶ୍ନ କରି ଉଠେ... ସତରେ କ'ଣ "ଜୀବନଟା ଏକ ମରୀଚିକା ସଦୃଶ" । କ୍ଷମତା, ଅର୍ଥ, ପ୍ରଭୁତ ଓ ପ୍ରେମ ପଛରେ ମନୁଷ୍ଯ ଦୌଡିଥାଏ । ପ୍ରାପ୍ତି ଆଶାନୁରୂପ ହୋଇପାରେ ନାହିଁ । ଅବସୋସ ରହେ... ଜୀବନଟା ଅପ୍ରାପ୍ତି ଲାଗେ ମରୀଚିକା ସଦୃଶ । 


ସମ୍ପର୍କଟା ଏକ ଚାରାଗଛ ସଦୃଶ l ଭଲ ପାଇବାରୁ ଆରମ୍ଭ ହୁଏ ସମ୍ପର୍କ l ସେ ସମ୍ପର୍କ ଯାହା ହେଉ ନା କାହିଁକି..... ସେଥିରେ ପ୍ରେମ ଆଉ ବିଶ୍ୱାସର ବାରି ସିଞ୍ଚନ କରିବା ଅନିର୍ବାର୍ଯ୍ୟ l ଯାହା ଦ୍ୱାରା ମନ ଓ ପ୍ରାଣରେ ସତେଜତା ଭରି ଯାଏ l ମୁହୂର୍ତ୍ତ ମୁହୂର୍ତ୍ତ ପଲ୍ଲବିତ ହୋଇଉଠେ l ବୟସ କେତେବେଳେ କଟିଯାଏ ଜଣା ପଡ଼େନି l ଖାଲି ଗୋଟିଏ ତଫାତ୍ ସମ୍ପର୍କରୂପକ ଏହି ଚାରା ଗଛ ପ୍ରତି ବର୍ଷେ କି ଅଧେ ନୁହେଁ ଜୀବନର ଶେଷ ପର୍ଯ୍ୟନ୍ତ ଯତ୍ନବାନ୍ ହେବାକୁ ହୁଏ , ନଚେତ୍ ଧୀରେ ଧୀରେ ସମ୍ପର୍କଟି ଭାଙ୍ଗି ଚୁରମାର୍ ହୋଇଯାଏ l


ଏମିତି କିଛି କଥା ଶତାବ୍ଦୀ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ l କେଉଁଠି ଭୁଲ ରହିଗଲା ତାର ? ? ନିଛକ ଭଲପାଇବା ? ନା ଭଲ ପାଇ ବିବାହ କରିବା ? ନା ପରିବାର.... ନା ସମାଜକୁ ଅଣଦେଖା କରି ପ୍ରଦୋଷର ପ୍ରେମରେ ପ୍ରେମାୟିତ ହୋଇ ଜୀବନ ସାଥି ବାଛିନେବା ? ବାରମ୍ବାର ନିଜକୁ ଏଇ ଗୋଟିଏ ପ୍ରଶ୍ନ ପଚାରି ପଚାରି କଷ୍ଟ ପାଉଥାଏ l


ଭରଣ ଭରଣ ଦୁଃଖ ଉପରେ ପର୍ଦାଟିଏ ଢାଙ୍କି ଦେଇ ଜିଇଁ ଚାଲିଛି ସେ l ଦିନରେ ବି ତ ବର୍ଷାର ବିଜୁଳି ମାରେ, ହେଲେ ରାତ୍ରୀର ବିଜୁଳି ପରି ତାର ଏତେ ଔଜ୍ୱଲ୍ୟ ନଥାଏ l ସେହିପରି ଶତାବ୍ଦୀ ମୁହଁରେ ହସଟିଏ ତ ସର୍ବଦା ଆଙ୍କି ଦେଉଥାଏ ହେଲେ ମନରେ.... ମନରେ କେବଳ ନିରାଶା l ହସଟି କାହିଁ କେତେଦିନ ହେବ ହୃଦୟରୁ ଆଉ ନାହିଁ କହିଲେ ଚଳେ l ମୁକ୍ତ ଆକାଶର ବିହଙ୍ଗ ପରି ନୀଳିମା । ପିଇ ଯିବାର ଏକ ମୋହ l ଏଇ ଗୋଟିଏ ମୋହ ତାକୁ ସର୍ବଦା ବିପରୀତ ଦିଗରେ ଟାଣି ନେଇ ପିଞ୍ଜରା ଭିତରେ ବାନ୍ଧି ଦେଉଥାଏ l


କୌଣସି ପରିସ୍ଥିତିରେ ମଧ୍ୟ ଗୃହିଣୀ ହେବା ପାଇଁ ତାର ଇଛା ନଥିଲା l ସେ ଚାହୁଁଥିଲା ପ୍ରଥମେ ଆତ୍ମାନିର୍ଭରଶୀଳା ହେବ ପାଇଁ l ଘରର ଚାରିକାନ୍ଥ ତାକୁ ଜେଲଖାନା ପରି ଲାଗୁଥାଏ l ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ତାର ଇଚ୍ଛା । ସେୟା ହିଁ ତାର ଜୀବନ ଚାହୁଁଥିଲା... ହେଲେ ଜୀବନର ଗତିପଥ ଏତେ ଅଙ୍କାବଙ୍କା ଯେ, ସେ ପରାଧୀନ । 


ବିଏଡ୍ କରିବା ପାଇଁ ସେଦିନ ଶତାବ୍ଦୀ ଯାଇଥାଏ ବିଶାଖାପାଟଣା । ଦେଖାହୁଏ ପ୍ରଦୋଷ ସାଥିରେ । ପ୍ରଥମ ଦେଖାରେ ପ୍ରଦୋଷ ନିଜର କରିନେଲା ଶତାବ୍ଦୀକୁ । ଜୀବନ ଡ଼ଙ୍ଗା ସମୟର ସାଗରରେ କୌଣସି ବନ୍ଧନ ନଥାଇ ଭାସୁଥିଲା l ପ୍ରଦୋଷ ବନ୍ଧନ ଶିଖାଇଲ, ଜୀବନ ଗୁଡୀ କୁ ପ୍ରେମର ତାରରେ ଛନ୍ଦିଦେଲା l ଏମିତି ଛନ୍ଦି ହୋଇଗଲା ଯେ ଆଉ କେବେ ମୁକୁଳି ପାରିଲିନି l ନା ପ୍ରଦୋଷ ମୁକୁଳି ପାରିଲା ନା ଶତାବ୍ଦୀ । ଧରା ସୂର୍ଯ୍ୟଙ୍କ ଠାରୁ ଆଲୋକ ପାଇବା ପରି ଶତାବ୍ଦୀର ପ୍ରେମର କିରଣ ପାଇବାକୁ ବ୍ୟାକୁଳିତ ହେଲା ପ୍ରଦୋଷ l ଶତାବ୍ଦୀର ମନ ଭିତରେ ଥିବା ଅଭାବ ବୋଧ, ଶୂନ୍ୟତା, ପ୍ରଦୋଷର ପ୍ରେମ ଭରଣା କରିଥିଲା l


ଶତାବ୍ଦୀ ମନରେ ଅନେକ ଉଦ୍ବେଳନ l ଶତାବ୍ଦୀ ଘରେ ଏକାକିନୀ । ପିଲାଦିନୁ ମାଆ ସ୍ନେହରୁ ବଞ୍ଚିତା । ବାପା ଝିଅକୁ ସାଥିରେ ନ ଧରିଲେ ଭାତ ଖାଇବେ ନାହିଁ । ଝିଅ ବୋଇଲେ ଜୀବନ । ସାବତ ମାଆ ଠାରୁ ମଧ୍ୟ ଆଉ ତିନୋଟି ସନ୍ତାନ ହୋଇଥିଲେ , ହେଲେ ମୋର ସ୍ଥାନ ବାପାଙ୍କ ପାଖରେ କେହି ପୂରଣ କରି ପାରି ନ ଥିଲେ । ମୋର କିନ୍ତୁ ସଂଘର୍ଷ ପୂର୍ଣ୍ଣ ଜୀବନ ! ଅଭାବ ଭିତରେ ସଦା ଗତି କରୁଥାଏ । ନିଜେ ସ୍ବାବଲମ୍ବି ହେବାକୁ ଭାରି ଇଚ୍ଛା ।


ବିଶାଖାପାଟଣାରେ ରହି ପରୀକ୍ଷା ଦେଉଥାଏ । ସେଦିନ ଥାଏ ବୁଧବାର l ମୁଁ ସେ ଶୁଆ ରଙ୍ଗର ଚୁଡିଦାର ପିନ୍ଧିଥିଲି l ପରୀକ୍ଷା ପରେ ପ୍ରଦୋଷ ମୋତେ କାର୍ ରେ ଛାଡିବାକୁ ଆସୁଥିଲେ ବସାକୁ l ରାସ୍ତା ସାରା ସେଦିନ ଆମେ ଦୁହେଁ ଗୁମ୍ ସୁମ୍ ଥିଲୁ l ଲାଗୁଥିଲା ଆମ ସହ ରାସ୍ତା କଡର ଗଛ ମାନେ ମଧ୍ୟ ଖୁଵ୍ ନିରବ ଥିଲେ l ଏମିତି କି ସେଦିନ ର ଆକାଶ ଟା ବି ଗୁମ୍ ହୋଇ ରହିଥିଲା l ଲାଗୁଥିଲା ବର୍ଷା ହେବ l ଡ୍ରାଇଭର ଗାଡି ଚଳାଉଥିଲା । ଆମେ ପଛ ସିଟ ରେ ଚୁପଚାପ ବସିଥିଲୁ l ମୁଁ ଆକାଶ କୁ ଲକ୍ଷ୍ୟ କରୁଥିଲି l 


କିଛି ବାଟ ଗାଡି ଗଲାପରେ ଡ୍ରାଇଭରକୁ ଏକ ପାର୍କ ପାଖରେ ରହିବାକୁ ନିର୍ଦ୍ଦେଶ ଦେଲ । ଆମେ ପାର୍କର ବେଞ୍ଚ ଉପରେ କିଛି ସମୟ ବସିଥିଲୁ। ପ୍ରଦୋଷଙ୍କର ଡାହାଣ ହାତର ସ୍ପର୍ଶରେ ମୁଁ ଚମକି ପଡ଼ିଥିଲି । ମୋ କୋଳରେ ଥିବା ଭେନିଟ୍ ବ୍ୟାଗ ଉପରେ ଛନ୍ଦି ରଖିଥିବା ମୋ ପାପୁଲି ଉପରେ ମୃଦୁ ଚାପ ଦେଲେ ପ୍ରଦୋଷ l ମୁଁ ଆକାଶ ଆଡୁ ମୁହଁ ଫେରାଇ ତାଙ୍କର ମୁହଁ କୁ ଚାହିଁଲି l ଠିକ ପଢି ପାରିଲି ସେଦିନ , ତୁମେ ପଚାରୁ ଥିଲ ? କାହିଁକି ଆଜି ଏ ଛଳ ଛଳ କଳ କଳ ବହୁଥିବା ଝରଣା ର ଗତି ଏତେ ଧିର ଏବଂ ଏତେ ସ୍ଥିର ସ୍ଥିବିର ! ମନଭିତରେ ଚାଲିଥିଲା ଅନେକ ଅସ୍ଥିରତା l କେଜାଣି ପରିସ୍ଥିତି କୁ ହାଲୁକା କରିବାକୁ ପଚାରିଲ, "ଏଵେ ଆକାଶ ର ରଙ୍ଗ କେମିତି ? " ତୁମେ ମୋତେ କିଛି ସମୟ ଅପଲକ ନୟନ ରେ ଚାହିଁ ! ତଳ ଓଠକୁ ମୋଡି, ଦୁଇ କାନ୍ଧକୁ ଟେକି ଜଣାଇବାକୁ ଚାହୁଁଥିଲ, "ମୋତେ ଜଣାନାହିଁ !"


ଏ ପ୍ରଶ୍ନ ଆମ ଦୁହିଁଙ୍କ ପାଇଁ ନୂଆ ନଥିଲା l ମନର ଭାବ ଅନୁସାରେ ବଦଳି ଯାଏ ଆକାଶର ରଙ୍ଗ l ହଠାତ୍ ତୁମେ ବାମ ପଟରୁ କ'ଣ ଗୋଟିଏ ଆଣିଲ । ମୁଁ ଡରିଯାଇ ଥିଲି l ମୁଁ ଅଧିକ କିଛି ଭାବିବା ପୂର୍ବରୁ, ତୁମେ ଲମ୍ବା ଡାଳ ଥିବା ଏକ ରକ୍ତ ଗୋଲାପ ଫୁଲକୁ ଧରାଇ ଦେଲ । ମୋତେ ଗୋଲାପ ଦେବା ସହ ତୁମ ପ୍ରେମ କୁ ଗ୍ରହଣ କରିବାକୁ ଅନୁନୟ କଲ l


ସତେକି ସ୍ବପ୍ନର ପରଖ ନେବା ପରିବର୍ତ୍ତେ ମୁଁ ସେ ରକ୍ତ ଗୋଲାପ ଧରି ସାରିଥିଲି । ଆଉ ଏକ ଉଷ୍ଣ ବାହୁର ଆବରଣରେ ମୁଁ ନିଜକୁ ଭୁଲି ଯାଇଥିଲି l ଭୁଲିଯାଇଥିଲି ଆମେ କେଉଁଠି ? ସବୁଜ ସୁନ୍ଦର ପ୍ରାଚୀର ପରି ଘେରି ରହି ଥିଲା ବୃକ୍ଷ ର ସମାରୋହ, ପାର୍କର ଅପରୂପ ସୌନ୍ଦର୍ଯ୍ୟ l ଏକ ଅପୂର୍ବ ଅନୁଭୂତି ଯାହା ଏବେ ବି ମୋତେ ଶୀହରିତ କରେ l ଜାଣେନି ତୁମେ ମନେ ରଖିଛ କି ନାହିଁ ?


ହଁ ! ମୁଁ ସେ ସମୟରେ କେବଳ ନିଜକୁ ଭୁଲି ଯାଇନଥିଲି, ମୁଁ ଭୁଲି ଯାଇଥିଲି ମୋର ପରିଚୟ । ଅନେକ ଅନେକ ପ୍ରଶ୍ନ ର ସମାହାର ମୋତେ ଅପେକ୍ଷା କରିଥିବ l ନିଜକୁ ମୁକୁଳାଇ କିଛି କହିବା ପୂର୍ବରୁ ତୁମ ଓଠର ଉଷ୍ଣତା ମୋ ଓଠ କୁ ନିବିଡ ଭାବେ ବନ୍ଦୀ କରି ଦେଉଥିଲା l ସେ ସମୟରେ ମୁଁ ଏତେ ଆମ ସମ୍ପର୍କ ର ଭବିଷ୍ୟତ କୁ ମାପି ନଥିଲି l କାଲି କ'ଣ ହେବ ମୁଁ ଜାଣି ନଥିଲି, ମାତ୍ର ସେଇ ମୁହୁର୍ତ୍ତ ରେ ମୁଁ ସାରା ଦୁନିଆ ର ସୁଖର ଅବ୍ୟକ୍ତ ଅନୁଭବ କରୁଥିଲି l ଲାଗୁଥିଲା ଭୟ, ଦୁଃଖ, ଅସହାୟତା ଏସବୁ ଶବ୍ଦ ସବୁ କିଛି ମୁଁ ଯେମିତି କେବେ ଶୁଣିନି l ଏଇ ମୁହୂର୍ତ୍ତଟା ଯେ ମୋ ପାଇଁ ଚିରନ୍ତନ, ଅସରନ୍ତି ଖୁସିର ଭଣ୍ଡାର ସେ କଥା ମୁଁ ମୋ ମନ କୁ କହି ଦେଲି l


ଏବେବି ଆଖିବୁଜିଲେ ମୁଁ ସେଦିନ ର ସେ ଅଭୁଲା ସ୍ମୃତି କୁ ମୋ ମାନସ ପଟରେ ଚିତ୍ରିତ କରିପାରେ l ମୋତେ ଲାଗେ ମୁଁ ସେ ଜାଗାରେ ଠିଆ ହୋଇଛି ଆଉ ସାମ୍ନାରେ ତୁମେ ରକ୍ତ ଗୋଲାପଟିଏ ଧରି ଠିଆ ହୋଇଛ l

ମୋତେ ତୁମେ ଜୀବନ ସାଥି କରିନେବାର ପ୍ରତିଜ୍ଞା କଲ । ବହୁବାଧା ବିଘ୍ନ ସତ୍ତ୍ୱେ ତୁମେ ବରଣ କଲ ମୋର ବରଣ ମାଳା ।


ଶାଶୁ ଶ୍ବଶୁରଙ୍କର ର ଇଛା ଅନ୍ୟ କିଛି ଥିଲା - ସେ ଚାହୁଁଥିଲେ ଏମିତି ଏକ ଝିଅ ବୋହୁ ହେବ... ଯିଏ କି ପରିବାରର ଦାୟିତ୍ୱ ନେବ । ନିଜ ଖୁସି ପୂରଣ କରିବା ପୂର୍ବରୁ ପରିବାରର ଖୁସି କଥା ଭାବୁଥିବ l ଯିଏ ନିଜର ପ୍ରତି ମୁହୂର୍ତ୍ତରେ ପରିବାର ପ୍ରତି ସମର୍ପଣ ଭାବ ଥିବ । ବଡ ସାନ ସମସ୍ତଙ୍କର ଯତ୍ନ, ସ୍ନେହ ଆଦର କରୁଥିବ ଏଇଭଳି ଏକ ଝିଅ l ପରିବାର ହିଁ ହେବ ଯାହାର ପ୍ରଥମ ଓ ଶେଷ ପ୍ରାଥମିକତା l ଯିଏ ଉତ୍ସର୍ଗ କରିବ ନିଜର ପ୍ରତିଟି ମୁହୂର୍ତ୍ତ କେବଳ....... ଓ କେବଳ ପ୍ରଦୋଷ ପାଇଁ...... ଏବଂ ପ୍ରଦୋଷ ଙ୍କର ପରିବାର ପାଇଁ l


ପ୍ରଦୋଷ ଓ ଶତାବ୍ଦୀ l ଦୁଇଟି ଶରୀର ଗୋଟିଏ ଆତ୍ମା l ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରେମବିବାହ l ପରିବାରର ଅନୁମତି କ୍ରମେ ବିବାହ ହୋଇଥିଲା... ଜଣେ ଆଉ ଜଣଙ୍କ ବିନା ବଞ୍ଚିବା ଅସମ୍ଭବ l ଜଣେ ଅନ୍ୟ ଜଣଙ୍କ ଭିତରେ ଆଶା ଅନୁରୂପି ଗୁଣ ଖୋଜି ପାଇଥିଲେ ବୋଲି ତ ବିବାହ କରିଥିଲେ l କିଛି ବର୍ଷ ଅମୋଦିତ ହେଲେ ସନ୍ଧ୍ୟା ର ଲାଳିମାରେ l ଜହ୍ନ ତାରା ତୋଳି ଆଣିବାର ଅନେକ ପ୍ରତିଶୃତି ଦେଇ ଆରମ୍ଭ କରିଥିଲେ ସଂସାର l ହେଲେ ଶାଶୁ ଶ୍ବଶୁର, ବାପା ଦାଦାଙ୍କ କଥାକୁ ନେଇ ଧିରେ ଧିରେ ଦୁହିଁଙ୍କ ଭିତରେ ପ୍ରେମର ଦୂରତା ବଢିବାରେ ଲାଗିଲା । ଜଣେ ଅନ୍ୟ ଜଣଙ୍କର କଥା ସହିବାକୁ ରାଜି ନୁହଁନ୍ତି । ଏବେ ଦୁହେଁ ସ୍ବାବଲମ୍ବି । ଦୁଇ ଜଣ ଯାକ ଚାକିରୀଆ । ଦୁଇ ଜଣ ଚାକିରୀଆ ହେତୁ ପ୍ରଦୋଷ ବି ଧିରେ ଧିରେ ମେଣ୍ଢା ଭଳି ହେଲାଣି । କେତେକ କ୍ଷେତ୍ରରେ ସ୍ତ୍ରୀ ର କଥାରେ ରାଜି ହୋଇ ଯାଉଛି ତ ଆଉ କେତେକ କ୍ଷେତ୍ରରେ ନିଜର ସ୍ବାଭିମାନକୁ ବଜାୟ ରଖି ରାଜି ହେଉ ନାହିଁ ।


ଏପଟେ ଶତାବ୍ଦୀ ଅଫିସରେ ପାଞ୍ଚ ଲୋକଙ୍କ ସହିତ ମିଶୁଛି । ଘରକୁ ଆସିଲେ ସ୍ବାମୀ ଉପରେ ଗେଜେର ମେଜେର ହେଉଛି । ପ୍ରଦୋଷ ପୂର୍ବଭଳି ସ୍ବାମୀ ସୁଖ ନ ପାଇବାରୁ ଅସନ୍ତୋଷ । ଚାକିରୀ ଛାଡିବାକୁ କହିଲେ ଶତାବ୍ଦୀ ରାଜି ହେଉନାହିଁ । ଶାଶୁ ଶ୍ବଶୁରଙ୍କର ଚାପ ଚାକିରୀ ଛାଡିବାକୁ । ପ୍ରଦୋଷ ସ୍ବାମୀ ସୁଖ ନ ପାଇ ହନ୍ତସନ୍ତ । ଶତାବ୍ଦୀର ଆଉ ପୂର୍ବପରି ସେ ସ୍ନେହ ସରାଗ ନାହିଁ । ଧିରେ ଧିରେ ଏକା ରହି ଚଳି ପାରିବାର ସକ୍ଷମତା । ବାପା ମାଆଙ୍କର ଚାପରେ ପ୍ରଦୋଷ "କିଂ କର୍ତ୍ତବ୍ୟ ବିମୁଢ" । ଏପଟେ ସ୍ତ୍ରୀ କୁ କହି ପାରୁ ନାହିଁ କି ବାପା ମାଆଙ୍କୁ ଉତ୍ତର ଦେଇ ପାରୁନାହିଁ । ବାପାମାଆ ଇଚ୍ଛା କରୁଥାନ୍ତି ପୁଅ ବୋହୁ ନାତି ସପ୍ତାହକୁ ଥରେ ହେଲେ ଘରକୁ ଆସନ୍ତେ ! ସବୁ ଅସଫଳ । ନିଜର କାମନା ବାସନା ଇଛା ପରିପୂର୍ଣ୍ଣ ନ ହେଲେ ମନୁଷ୍ୟର ମନ ଅନ୍ୟ ଦିଗକୁ ଗତିକରେ । ପ୍ରଦୋଷ ମନରେ ସେ ଅନେକ ସନ୍ଦେହ ଉଦ୍ରେକ ହେଲା । ଶତାବ୍ଦୀ ଅନ୍ୟ କାହାର ହୋଇ ଯାଉ ନାହିଁ ତ... ସନ୍ଦେହ ଘନୀଭୂତ । ଶେଷରେ ପରିଣତି.... 


ଆଜି ଦୁହେଁ ସନ୍ଦେହର କାଠଗଡାରେ...କାରଣ ? ? ? ?........l ଆଉ ପରସ୍ପର ପାଖାପାଖି ବସୁ ନାହାଁନ୍ତି । ହସଖୁସି ପ୍ରେମାଳାପ ନାହିଁ । ଜଣେ ଆଉ ଜଣଙ୍କ ମୁହଁ ଦେଖିବାକୁ ଚାହୁଁ ନାହାଁନ୍ତି l ଆଞ୍ଚ ଆସିଛି ସ୍ୱାଭିମାନ ଉପରେ । ଗର୍ବ ଉପରେ । ଅହଂକାର ଉପରେ । ଆତ୍ମସମ୍ମାନ ଉପରେ l ଆଜି ଅଧିକାର ମାଗୁଛନ୍ତି ଜଣେ ଆଉ ଜଣଙ୍କ ଠାରୁ ସ୍ୱାଧୀନ ହେବା ପାଇଁ । ଟିକେ ଉଠି ବଞ୍ଚିବା ପାଇଁ, ଟିକେ ଶାନ୍ତିରେ ନିଶ୍ୱାସ ନେବ ପାଇଁ l ଅଭିଯୋଗ ଉପରେ ଅଭିଯୋଗ... ନିନ୍ଦା ଉପରେ ନିନ୍ଦା....ବିଶ୍ୱାସର ମୂଳଦୁଆ ଉପରେ ଅବିଶ୍ୱାସର ଘରଟିଏ ତୋଳିଛନ୍ତି ପ୍ରଦୋଷ ଓ ଶତାବ୍ଦୀ l ଏ ବିବାହ ମସ୍ତବଡ ଭୁଲ ଅଟେ ଯାହାର ସମାଧାନ ବିଚ୍ଛେଦ ବୋଲି ସ୍ୱୀକାର କରିସାରିଲେଣି l ଆଜି ପ୍ରୟାସ ବିଚ୍ଛେଦ ପାଇଁ, ନିଜ ନିଜର ଅଧିକାର ପାଇଁ l


ଅଧିକାର ପାଇଁ ଦାବି କରୁଥିବା ପ୍ରଦୋଷ ଆଉ ଶତାବ୍ଦୀ ଭୁଲି ଯାଉଛନ୍ତି ଆଉ ଜଣକର ଅଧିକାର କଥା l ସେ ହେଉଛି ତାଙ୍କର ତିନି ବର୍ଷର କୁନି ପୁଅ ଲୈଲେସ l ଏ ବ୍ୟାକୁଳ ପରିସ୍ଥିତି କଥା ସେ କୋମଳମତି ଶିଶୁ କାହୁଁ ଅବା ଜାଣିବ l ତା ଆଖିରେ ଅସୁମାରୀ ପ୍ରଶ୍ନ l ଆଜି ତା ବାପା ମାଆ ଲଢ଼ୁଛନ୍ତି ନିଜ ଅଧିକାର ପାଇଁ ଆଉ କାଲି ପୁଣି ଲଢ଼ିବେ ପୁଅର ଅଭୀରକ୍ଷା ପାଇଁ l ପୁଅ କାହା ପାଖରେ ରହିବ ? ? ? ମାଆ ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ଦୂନିଆଁ କୁ ଆଣିଛି ? ନା ବାପା ଯିଏ ଦୁନିଆଁ ଦେଖାଇବା ପାଇଁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସ୍ନେହ ଆଦର କରିଛି l କିଏ ନେବ ତାର ଦାୟିତ୍ୱ ? ? ?


ଲୈଲେସକୁ ଉଠେଇ ଠିଆ କରାଇବାର ଦାୟିତ୍ବ କୋୖଣସି ଗୋଟିଏ ହାତ ନୁହେଁ... ସେଥିପାଇଁ ଦୁଇଟି ହାତ ଦରକାର l ଏହି ଅଧିକାରର କାଠଗଡ଼ା ଭିତରେ ଲୈଲେସର ଭବିଷ୍ୟତ ଅନ୍ଧକାର ଭିତରକୁ ପଶି ଯିବନି ତ ? ? ?  


ସଂସାର କରିଥିଲେ ଅନେକ ତ୍ଯାଗ ତିତିକ୍ଷା ବଳିଦାନ ଦେବାକୁ ହୁଏ l ନିଜର ସ୍ବପ୍ନ, ଇଚ୍ଛା, ଆତ୍ମସମ୍ମାନ, ନିଜର ଗର୍ବ, ଅହଂକାର ଏପରିକି ନିଜର ସ୍ୱାଧୀନତାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ହୁଏ, ହେଲେ ଏହି ସମ୍ପର୍କକୁ ବଞ୍ଚାଇବା ଦାୟିତ୍ୱ ପ୍ରଦୋଷର ନା ଶତାବ୍ଦୀର ? ? ? ନାଁ ଦୁହିଁଙ୍କର ? ?


ପ୍ରଥମେ ପ୍ରେମ, ତାପରେ ପ୍ରଣୟ । ପ୍ରଣୟରୁ ସାସାଂରିକ ଜଞାଳ, ତାପରେ ଚାକିରୀ । ମରୀଚିକା ପଛରେ ଦୁହେଁ ଦୌଡୁଛନ୍ତି ସୁଖର ପ୍ରାପ୍ତି ପାଇଁ । ସୁଖର ଦ୍ବାରଦେଶରେ ଜୀବନ ବ୍ୟର୍ଥ, ଜୀବନ ଅପ୍ରାପ୍ତ । ତେଣୁ ଲାଗେ "ଜୀବନଟା ଏକ ମରୀଚିକା" ।


Rate this content
Log in

More oriya story from Lalita Mohan Mishra

Similar oriya story from Drama