Lipi Sahoo

Classics Inspirational

4.5  

Lipi Sahoo

Classics Inspirational

ଜୀବନ୍ତ ପ୍ରସ୍ତର

ଜୀବନ୍ତ ପ୍ରସ୍ତର

6 mins
281


ପାଖାପାଖି ପଚାଶ ବର୍ଷ ତଳର କଥା । ଆଜି ବି ଅଜସ୍ର ସ୍ମୃତି ର ବୁଢିଆଣୀ ଜାଲ ଉପରେ ଦୈବାତ୍ ପଡ଼ିଯାଇଥିବା ଶିଶିର ବିନ୍ଦୁ ପରି ଚକମକ୍ କରେ ସେଇ ଗୋଟାଏ ସ୍ମୃତି । ଆଜି ମୁଁ ବାର୍ଦ୍ଧକ୍ୟ ରେ ଉପନୀତ । ମୋର ପରିଚୟ ହେଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ , ନାମ ତରୁଣ ତ୍ରିପାଠୀ । ଦେହ ମନ ସଂପୂର୍ଣ୍ଣ ଶିଥିଳ । ଚର୍ମ ରେ ବୟସର ଛାପ ନିଚ୍ଛକ ଭାବରେ ବାରି ହେଉଚି । ଦୃଷ୍ଟି ଓ ଶ୍ରବଣ ଶକ୍ତି ଧୀରେ ଧୀରେ ଲୋପ ପାଇବା ଦିଗରେ ଗତିକରିବା ଆରମ୍ଭ କରିଦେଲେଣି । ମୋଟାମୋଟି ଭାବେ କୁହାଯାଇ ପାରେ ନିଶିଦିବସ ମୃତ୍ୟୁ ର ପ୍ରତୀକ୍ଷା ରେ ଥିବା ବୟୋବୃଦ୍ଧ ତରୁଣ । ଆପଣମାନେ ହସିଲେ ବୋଧେ । ହସିବା ନିହାତି ଦରକାର । ଆଜିକାଲି ହସ ବହୁତ ମହଙ୍ଗା ହେଇଗଲାଣି ।


               ହଁ ମୁଁ କ'ଣ କହୁଥିଲି ତ ?? ହଁ ହଁ ମୋର ଏକ ବିଶେଷ ସ୍ମୃତି ବିଷୟରେ । ବୟସାଧିକ୍ୟ ଯୋଗୁଁ କଥା ଖିଅ କୁଆଡୁ ଯାଇ କୁଆଡେ ପଶିଯାଉଛି । ହେଲେ ଆଜି ନିଶ୍ଚୟ ମୁଁ ମୋର ସେଇ ଦିକଦିକ୍ ହେଇ ଜଳୁଥିବା ସ୍ମୃତି କୁ ଲେଖିବି । ହୁଏତ ଏହା ଆପଣମାନଙ୍କ ପାଖରେ ପହଞ୍ଚିବା ବେଳକୁ ମୁଁ ଜୀବିତ ଥିବିକି ନାହିଁ ଜଣାନାହିଁ ‌। ହେଲେ ଏହାକୁ ମୋ ନିଜ ଭିତରେ ଚାପି ରଖିବାର ଦମ୍ଭ ଆଉ ମୋ ଭିତରେ ନାହିଁ । 


                 ସରକାରୀ ଚାକିରୀ ଖଣ୍ଡେ ପାଇବାରେ ଯେ କି ସମ୍ମାନ ଥିଲା ସେ ସମୟରେ କହିବା ବାହୁଲ୍ୟ ମାତ୍ର। ମୋର ପ୍ରଥମ ପୋଷ୍ଟଂ ହେଇଥିଲା କୋଣାର୍କ କୁ । ବହୁତ ଖୁସି ଥିଲି । କଲେଜ ଟାଇମ୍ ରେ ଥରେ କୋଣାର୍କ ବୁଲି ଆସିଥିଲି । ଗୋଟିଏ ଥରରେ ହିଁ ତା ମୋହରେ ପଡ଼ିଯାଇଥିଲି । କଳା ପଥର ଉପରେ ଅଙ୍କା ହେଇଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଖୁବ୍ ଆକର୍ଷିତ କରିଥିଲା ମୋତେ । ଏବେ ଛୁଟି ଦିନମାନଙ୍କରେ ଘଣ୍ଟା ଘଣ୍ଟା ଯାଇ ସେଠି ବସେ । ଖୁବ୍ ମନ ଭରି ଖୋଦେଇ ହେଇଥିବା ମୂର୍ତ୍ତି ମାନଙ୍କୁ ଦେଖେ । ଏକ ତ ତରୁଣ ବୟସ ଦେହ ମନ ପ୍ରାଣରେ ଅନେକ ପିପାସା । ସେଇ ଯୁଗଳ ମୂର୍ତ୍ତି ମାନଙ୍କ ରମଣ ମୁଦ୍ରା କୁ ଦେଖି ବୋଧହୁଏ ନିଜର କ୍ଷୁଧା କୁ ମେଣ୍ଟାଉଥିଲି । ନିରବ ନିଶ୍ଚଳ ଧ୍ୟାନରତ ସନ୍ନ୍ୟାସୀ ପରି ଦିଶୁଥିବା କୋଣାର୍କ ଗାତ୍ରରେ ଏମିତି ରତିକ୍ରୀଡାର ଚିତ୍ରଣର ତାତ୍ପର୍ଯ୍ୟ ମୁଁ ଖୋଜିବାକୁ ବାର ବାର ଧାଇଁ ଆସେ । ସେଇ ମୂର୍ତ୍ତି ମାନଙ୍କୁ ପ୍ରଶ୍ନ କରେ । ହେଲେ ସେମାନେ ତ ନିର୍ବାକ । କ'ଣ ବା ଉତ୍ତର ଦେଇଥାନ୍ତେ ମୋର ପ୍ରଗଳ୍ଭ ପ୍ରଶ୍ନ ର ?? ସେମାନଙ୍କ ଅପାର୍ଥିବ ରମଣରୁ ଉଛୁଳି ପଡୁଥିବା ମହାନନ୍ଦ କୁ ଆକଣ୍ଠ ପାନ କରି ଫେରିଆସେ ମୋର ନିର୍ଜ୍ଜନ କୋଠରୀ କୁ । ରାତ୍ରି ଅନ୍ତ ପର୍ଯ୍ୟନ୍ତ ପ୍ରାପ୍ତି ଆଉ ଅପ୍ରାପ୍ତିର ମିଳାଜୁଳା ଏକ ଜଗତରେ ବିଚରଣ କରେ । ହେଲେ ତା'ର ମୋହରୁ ନିଜକୁ ମୁକ୍ତ କରିପାରେ ନା । କାହିଁକି ତା ପ୍ରତି ୟେତେ ଆକର୍ଷଣ ତା'ର ଉତ୍ତର ବି ଖୋଜି ପାଏନା । ପାଗଳ ପରାୟ ଧାଇଁ ଯାଏ ତା ପାଖକୁ । 


              ଏମିତି ଏକ ପୂର୍ଣ୍ଣିମା ରାତି ଥାଏ । ବୋଧହୁଏ କୁମାର ପୂର୍ଣ୍ଣିମା ଥିଲା ସେ ଦିନ । ଠିକ୍ ସେ ମନେ ପଡୁନି । ଅନେକ ରାତି ପର୍ୟ୍ୟନ୍ତ ବସିଲି ସେଠି ଠିକ୍ ସେଇ ନିର୍ଦ୍ଧିଷ୍ଟ ଯୁଗଳ ମୂର୍ତ୍ତି ପାଖରେ । ଯେଉଁଠି ଯାଇ ସବୁବେଳେ ବସେ । ରାତି ଧୀରେ ଧୀରେ ପ୍ରଗାଢ ହେବାକୁ ଲାଗିଲା । ହେଲେ ସେଦିନ ରାତିର ଅନ୍ଧକାର କୁ ଚିରି ଦୁଗ୍ଧଫେନିଳ ଜ୍ୟୋସ୍ନା ବିଛେଇ ହୋଇ ପଡିଥାଏ ଚାରିଆଡ଼େ । କଳା ମୁଗୁନି ପଥର ଚକମକ୍ କରୁଥାଏ ସେଇ ଆଲୋକରେ । ଆଜି ବି ଠିକ୍ ସେମିତି ମଉନ ସନ୍ନ୍ୟାସୀ ପରି ଠିଆ ହେଇଥାଏ କୋଣାର୍କ । ୟେ ଜହ୍ନ , ୟେ ରାତି ର ମାଦକତା ଯେମିତି ତା'କୁ ସ୍ପର୍ଶ କରୁନାହିଁ । ହେଲେ ମୁଁ ଉନ୍ମାଦିତ ହେଉଥାଏ ଧୀରେଧୀରେ ରାତିର ଗଭୀରତା ବଢିବା ସହିତ । ଯୁଗଳ ମୂର୍ତ୍ତି ର ଭାବାବେଗ ଯେମିତି ସଂକ୍ରମିତ ହେଉଥାଏ ମୋ ଭିତରେ । ଏକ ଅବର୍ଣ୍ଣନୀୟ କ୍ରୀଡାରତ ଆନନ୍ଦ ଭିତରେ ନିମଜ୍ଜିତ ହେଉ ହେଉ ହଠାତ୍ ଶୁଣିଲି କାହାର ଖିଲଖିଲ୍ ହସ । ଚମକି ପଡ଼ି ଚାରିଆଡ଼କୁ ଅନେଇଲି । କାଇଁ କେହି ତ ନାହିଁ । ମୁଁ ମୋ ଭାବନା କୁ ନେଇ ଲଜ୍ଜିତ ହେଲି । କେହି ଜଣେ ବୋଧହୁଏ ମୋ ଭିତର ର ଜାନ୍ତବତା କୁ ପଢି ପାରିଛି । ସେଇଥି ପାଇଁ ବୋଧହୁଏ ତାତ୍ସଲ୍ୟ କରି ହସୁଛି ମୋ ଉପରେ । ହେଲେ ସେ କିଏ ??

             

        ମୁଁ ଏଇଠି ତରୁଣ ....କହି , ପଥର ଗାତ୍ର ଭିତରୁ ବାହାରି ଆସିଲା ଏକ ଅପରୂପ ଲାବଣ୍ୟମୟୀରମଣୀ ।


                ହଠାତ୍ ଚମକି ପଡିଲା ସେ ସୁମଧୁର ସମ୍ବୋଧନ ଶୁଣି । ଆଶ୍ଚର୍ଯ୍ୟ ବି ହେଲି ସେ ମୋର ନାଁ କେମିତି ଜାଣିଲା ??? ଜ୍ୟୋସ୍ନା ସିକ୍ତ ରଜନୀରେ ଏପରି ଏକ ରୂପବତୀ ସହ ସାକ୍ଷାତ ....ଏହା ସ୍ୱପ୍ନ ନୁହେତ ?? ନା ମୋ ମନର ଭ୍ରମ ?? ନା କୁହୂକ ବିଦ୍ୟା ଶିଖିଥିବା ଏକ ଯାଦୁଗରିଣୀ ?? ମୋତେ ମେଣ୍ଢା କି ଶୁଆ ବନେଇ ଦେବନି ତ.... ??? ସବୁ ମାଦକତା କେଉଁ ଆଡେ ଉଭେଇ ଯାଇ ଭୟ ସଂଚାର ହେବାକୁ ଲାଗିଲା ।


                 ସ୍ମିତ ହସି ସେ ପ୍ରଶ୍ନ କଲା ମୋତେ ଭୟକରୁଛ ଆଗନ୍ତୁକ ??? ଅଳ୍ପ ସମୟ ଆଗରୁ ତ ଆମ ଯୁଗଳ ମୂର୍ତ୍ତି ଦେଖି ଅନ୍ୟ କିଛି ଭାବନାରେ ରତ ଥିଲ ??? ଆଉ ଏବେ ସଶରୀରେ ଦେଖି ଡରିଗଲ ?? ମୁଁ ତ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହିଁ ଆସିଛି ତରୁଣ ......। ଯେଉଁ ପ୍ରକୃତ ସତ୍ୟ ଶତାବ୍ଦୀ ଶତାବ୍ଦୀ ଧରି କୋଣାର୍କ ର ପ୍ରତିଟି ପ୍ରସ୍ତର ଭିତରେ ଲୁକ୍କାୟିତ ହେଇ ରହିଛି ସେଇ ରହସ୍ୟ କୁ ଉନ୍ମୋଚିତ କରିବାକୁ ହିଁ ଆସିଛି । ଏତିକି କହି ସେ ଟିକେ ନିରବ ରହିଲା ।


               ୟା ଭିତରେ ମୋ ଭୟ ଅପସରି କେଉଁ ଆଡେ ଚାଲି ଯାଇଥିଲା । ଏବେ ଏକ ଅନିର୍ବାପିତ ଉତ୍କଣ୍ଠା ମନରେ ଜାଗି ଉଠୁଥାଏ । ଉତ୍ସୁକ ହେଇ ପଚାରିଲି କି ରହସ୍ୟ .... ??? 


                ସେ ପୁଣି ଖିଲଖିଲ ହେଇ ହସି ଉଠିଲା । ଧର୍ଯ୍ୟ ଧର ଯୁବକ । ତମେ ଜାଣିଚ ?? ଏଇ ଯୋଉ କୋଣାର୍କ ତୁମେ ଦେଖୁଛ ଏଥି ପାଇଁ ସହସ୍ର କାରିଗର ଦ୍ୱାଦଶ ବର୍ଷ ନିଜ ଧର୍ଯ୍ୟ ର ହିଁ ପରୀକ୍ଷା ଦେଇଛନ୍ତି ମାତ୍ର , କେବଳ ସେତିକି ନୁହଁ । ସେମାନଙ୍କ ତ୍ୟାଗ ଆଉ ସମର୍ପଣରୁ ଏଇ ଅଦ୍ୱିତୀୟ କଳାକୃତି ର ଜନ୍ମ । ଖାସ୍ ସେଇଥିପାଇଁ ତ ଏଇ କୋଣାର୍କ କୁ ଦେଖି ଦେବା ମାତ୍ରେ ଏକ ନୈସର୍ଗିୟ ଭାବାବେଗ ସଂଚାରିତ ହୁଏ । ମନରେ ପ୍ରଶ୍ନ ଆସିପାରେ ଯେଉଁ କଳାକୃତି ଅନେକ ଅର୍ଦ୍ଧନଗ୍ନ ଯୁଗଳ ମୂର୍ତ୍ତି କୁ ନିଜ ଚାରିପଟେ ଜଡେଇ ରଖିଚି ତା ଭତରେ ୟେତେ ନୈସର୍ଗିକତା ଆସିଲା କିପରି ??? ଯେଉଁଠି କାମ ଥାଏ ସେଠି ଐଶ୍ୱରୀୟ ସତ୍ତା ନଥାଏ , ଆଉ ଯେଉଁଠି ଐଶ୍ୱରୀୟ ସତ୍ତା ଥାଏ ସେଠି କାମ ର ଲେଶ ମାତ୍ର ଚିହ୍ନବର୍ଣ୍ଣ ନଥାଏ । ଏହା ହିଁ ଚିରନ୍ତନ ସତ୍ୟ ।


                ମୋ ନାଁ ମନ୍ଦାକିନୀ । ଏଠି ଗାତ୍ର ରେ ଯେତେ ମୂର୍ତ୍ତି ଦେଖୁଚ ସମସ୍ତ ଙ୍କ ନିଜସ୍ଵ ନାମ ଅଛି । ଏକଦା ସେମାନେ ସଶରୀରେ ଜୀବନ୍ତ ସତ୍ତା ଥିଲେ । ବର୍ତ୍ତମାନ ସେମାନେ ଏଇ ପ୍ରସ୍ତର ମୂର୍ତ୍ତି ଭିତରେ ଲୀନ ହେଇ ଯାଇଛନ୍ତି ସତ ହେଲେ ଏବେବି ଜୀବନ୍ତ ସୂକ୍ଷ୍ମ ଜଗତରେ । ମୋ ସହ କ୍ରୀଡାରତ ଯେଉଁ ମୂର୍ତ୍ତି ଦେଖୁଚ ସେ ମୋର ସ୍ୱାମୀ ବିପ୍ରଭାନୁ । ସେ ଜଣେ କାରିଗର ଥିଲେ । ୟେ ଯୁଗଳ ମୂର୍ତ୍ତି ତାଙ୍କ ହସ୍ତରେ ହିଁ ଖୋଦେଇ ହେଇଛି ।ଏଇ ମୂର୍ତ୍ତି ଦେଖି ତୁମେ ଭାବୁଥିବ ସେ ଖୁବ୍ କାମୁକ ଥିବେ । ଦୀର୍ଘ ଦ୍ୱାଦଶ ବର୍ଷ ସ୍ତ୍ରୀ ବିଚ୍ଛେଦରେ ଜର୍ଜରିତ ହେଇ ଏମିତି କ୍ରୀଡାରତ ନଗ୍ନ ମୂର୍ତ୍ତି ସବୁ ଆଙ୍କି ଦେଇଛନ୍ତି । ଏଇ ଭୂଲ୍ ସମସ୍ତ ଦର୍ଶକ କରନ୍ତି । ୟେ ଯାବତ୍ କେହି ହେଲେ ଜଣେ ଏଠି କୁତ୍ସିତ କାମ ବଦଳରେ ଏଥିରେ ଥିବା ଆତ୍ମସମର୍ପଣ ଭାବକୁ ଦେଖିପାରନ୍ତି ନି । ଭାବର ସେଇ ଉଚ୍ଚ ସ୍ତରରେ ନ ପହଞ୍ଚିଲେ ପ୍ରକୃତ ତାତ୍ପର୍ଯ୍ୟ କୁ ବୁଝିବା କାଠିକର ପାଠ । ଏଠି ପ୍ରତିଟି କାରିଗର ସଂପୂର୍ଣ୍ଣ ସମର୍ପିତ ଥିଲେ ନିଜ ଦେଶ ଆଉ ଜାତି ପାଖରେ , ନିଜ ପରିବାର ପାଖରେ । ଏଠି ଖୋଦିତ ପ୍ରତିଟି ନାରୀ ମୂର୍ତ୍ତି ପ୍ରେରଣା ଉତ୍ସଥିଲେ । ଏଠି ସମସ୍ତ କାରିଗର ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦର୍ଶନାର୍ଥୀ ମାନଙ୍କୁ ବିମଳ ଆନନ୍ଦ ପ୍ରଦାନ କରିବା । ସଂପୂର୍ଣ୍ଣ କୋଣାର୍କ କୁ ଯଦି ଦେଖିବ ତା'ର ମହନୀୟ ସୌନ୍ଦର୍ଯ୍ୟ ଆଗରେ ମଥା ଆପେ ଆପେ ନତ ହେଇଯାଏ । କାହିଁକି ଜାଣିଚ ?? ଯେତେବେଳେ ସଂଘବଦ୍ଧ ଭାବରେ କୌଣସି ମହାନ୍ ଚିନ୍ତାଧାରା କୁ ରୂପ ପ୍ରଦାନ କରାଯାଏ ତାହା ଅନନ୍ୟ ହେଇ ଉଠି ଥାଏ । 


                   ଧରମାର ନାମ ତ ତୁମେ ଶୁଣିଥିବ ନିଶ୍ଚୟ । ଏଇ ମାଟି ସେତେବେଳେ ଏତେ ମହାନ୍ ଥିଲା ଯେ ସାମାନ୍ୟ ବାଳକ ଭିତରେ ବି ସେଇ ଆତ୍ମସମର୍ପଣ ଭାବ ଭରି ରହିଥିଲା । ଯୁଗ ଯୁଗ ପାଇଁ ଦର୍ଶକ ଙ୍କୁ ନୈସର୍ଗିୟ ବିମଳ ଆନନ୍ଦ ପ୍ରଦାନ ପାଇଁ ନିଜକୁ ଉତ୍ସର୍ଗ କରି ଦେଲା । ପ୍ରକୃତରେ ଆମେ କେହି ବି ଲୀନ ହେଇ ନାହୁଁ । ଆମେ ଏକ ମହାଆନନ୍ଦମୟ ଜଗତରେ ଏବେବି ବିଚରଣ କରୁଚୁ ସୂକ୍ଷ୍ମ ଶରୀରରେ । ଆମର ମୃତ୍ୟୁ ନାହିଁ ।


                  ଶୁଣ ତରୁଣ !! ଏବେ ଭଲ ଭାବରେ ଆମ ଯୁଗଳ ମୂର୍ତ୍ତି କୁ ନିରିକ୍ଷଣ କର । ଦେଖ ସେଠି ନା ମୋ ମୁହଁ ରେ ନା ବିପ୍ରଭାନୁ ଙ୍କ ମୁଖରେ କାମର ଲେଶ ମାତ୍ର ଚିହ୍ନ ନାହିଁ । ଆମେ ଦୁହେଁ ଦୁହିଁଙ୍କୁ ଏକ ବିମଳ ଆନନ୍ଦ ପ୍ରଦାନ କରିବାକୁ ତତ୍ପର । ସେଠି ମୁଁତ୍ୱ ର ଭାବ ନାହିଁ । ଯେଉଁଠି ମୁଁତ୍ୱ ର ମୃତ୍ୟୁ ହୁଏ ସେଠି ଐଶ୍ୱରୀକ ସତ୍ତା ଫୁଟି ଉଠେ । ଆଜି ପର୍ଯ୍ୟନ୍ତ ତୁମେ ନିଜର ଭାବାବେଗକୁ ନେଇ ଆମକୁ ଦେଖି ଆସିଛ ସେଇଥି ପାଇଁ ଆମକୁ ଦେଖି ତୁମେ କାମାତୁର ହେଇ ଉଠ । ସେଇ ଭୂଲ ପ୍ରାୟ ସମସ୍ତେ କରନ୍ତି । 


                  ତୁମେ ଜାଣ ତରୁଣ ଏଠି କେହି ଦେବତା ପୂଜିତ ହୁଅନ୍ତି ନାହିଁ କାହିଁକି ??? ଏହା କୁ ନେଇ ଅନେକ କିମ୍ବଦନ୍ତୀ ଶୁଣିଥିବ ନିଶ୍ଚୟ । ହେଲେ ପ୍ରକୃତ ରହସ୍ୟ ହେଲା ଏହା ମାନବ ମନ୍ଦିର । ମାନବମାନେ ହିଁ ପ୍ରକୃତ ଐଶ୍ୱରୀୟ ସତ୍ତା । ସଦା ବନ୍ଦନୀୟ ସେମାନେ । ଏହି ସନ୍ଦେଶ ଟିକକ ଦେବା ପାଇଁ ଆମେ ଯୁଗ ଯୁଗ ଧରି ପ୍ରୟାସ କରି ଆସୁଅଛୁ । ହେଲେ ସମସ୍ତେ କ୍ଷଣିକ ଆନନ୍ଦ ରେ ଆତ୍ମହରା ହେଇ ସେଇ ଚିରନ୍ତନ ଆନନ୍ଦ ର ଖିଅ ଟିକୁ ପାଆନ୍ତି ନାହିଁ । ତରୁଣ !! ମୋତେ ବିଶ୍ୱାସ କର ତମେ ହିଁ ଈଶ୍ୱର ତୁମ ଜୀବନର ମୂଳ ଲକ୍ଷ୍ୟ ହେଲା ଜଗତକୁ ସମର୍ପିତ ଭାବରେ ବିମଳ ଆନନ୍ଦ ପ୍ରଦାନ କରିବା ..... । ଧରମା ପରି ସାମାନ୍ୟ ବାଳକ ଯେତେବେଳେ ହୃଦୟଙ୍ଗମ କରି ପାରିଥିଲା , ମୋର ବିଶ୍ବାସ ତୁମ ପାଇଁ ଏହା ଦୁର୍ବୋଧ୍ୟ ହେବନାହିଁ ........ । ଏବେ ମୁଁ ଆସୁଛି ସିନ୍ଦୂରାଫାଟିବା କୁ ଯାଉଛି । ଏଇ ବାର୍ତ୍ତା ବିଶ୍ଵବାସୀଙ୍କ ପାଖରେ ପହଞ୍ଚେଇବ ନିଶ୍ଚୟ .........।


                 ମୁଁ ବି ନିଜେ ଜାଣେନା କାହିଁକି ଯେତେ ବର୍ଷ ହେଲା ଏଇ ସ୍ମୃତି କୁ ମୋ ଭିତରେ ଲୁକ୍କାୟିତ କରି ରଖିଥିଲି । ଆଜି ଜୀବନ ର ଶେଷ ପାହାଚରେ ପହଞ୍ଚି ଆଉ ଅବଦମିତ କରି ରଖିପାରିଲି ନାହିଁ । ସବୁଥିର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ । ଏବେ ବୋଧହୁଏ ପ୍ରକୃଷ୍ଟ ସମୟ ଆସି ଯାଇଛି ......... ।।।।।


                 ପୂର୍ଣ୍ଣଚ୍ଛେଦ ପରେ ହଠାତ୍ କଲମ ଟି ନିଶ୍ଚଳ ହେଇଗଲା । ପୂର୍ଣ୍ଣବିରାମ ବୋଧହୁଏ........।।।।


Rate this content
Log in

Similar oriya story from Classics