ଝୁରା ଫୁଲର ଝରା ଆଶା
ଝୁରା ଫୁଲର ଝରା ଆଶା
ପ୍ରବଳ ଗରମ। ଓଡିଶାର ତେର ଗୋଟି ଜିଲ୍ଲା ଭିତରୁ ପ୍ରାୟ ସାତ କି ଆଠ ଜିଲ୍ଲାରେ ଉତ୍ତାପ ଚାଳିଶ ଡିଗ୍ରୀ ଉପରେ। ସକାଳୁ ସକାଳୁ ଗୋବିନ୍ଦ ବାବୁ ଫୁଲ ତୋଳିବାକୁ ବାହାରିଯାଆନ୍ତି ଘରୁ। ନିଜ ଘରେ ଯାହା କିଛି ଫୁଲ ଥାଏ, ତଳେ ଥିବା ଭଡାଟିଆ ଘର ଲୋକ ତୋଳିନିଅନ୍ତି ତ ଗୋବିନ୍ଦ ବାବୁ ଚାଲି ଚାଲି ଯାଇ ତୋଳା ସରିଥିବା ଫୁଲ ଗଛ ତଳେ ଝରି ପଡ଼ିଥିବା ଟଗର, ଚମ୍ପା, କାଠଚମ୍ପା ଇତ୍ୟାଦି ଫୁଲ ତୋଳି ଆଣନ୍ତି। କେହି କେବେ ତାଙ୍କୁ କିଛି ପଚାରେନା।
ଆଜି ଓଡ଼ିଆ ନବବର୍ଷ। ପଣା ସଂକ୍ରାନ୍ତି। ବର୍ଷର ପ୍ରଥମ ପର୍ବ। ମେଷ ରାଶିରେ ସୂର୍ଯ୍ୟ ଗୋଚର କରିବେ। ଗୋବିନ୍ଦ ବାବୁଙ୍କର ଏମିତିରେ ବି ରାହୁ ମହାଦଶା ଚାଲିଛି। ପୁଣି ସୂର୍ଯ୍ୟଙ୍କ ଗୋଚର ସ୍ଥିତି ଭଲ ନାହିଁ। ବେଲପତ୍ର ଗଛ ପାଖେ ପହଞ୍ଚି କିଛି ତ୍ରିଶାଖା ବେଲପତ୍ର ଯୋଗାଡ଼ କରିବାକୁ ଯାଉଛନ୍ତି, ଜୈନିକ ଯୁବକ ପଚାରିଲେ, ମଉସା ସବୁଦିନ ଆପଣ ଝରା ଫୁଲ ସଂଗ୍ରହ କରିନେଉଛନ୍ତି। ଆଜି ଅନ୍ତତଃ ନୂଆ ବର୍ଷଟାରେ, ହନୁମାନଙ୍କ ଜୟନ୍ତୀରେ ଏ ସଜ ଫୁଲ ଦିଟା ନେଇ ଠାକୁରଙ୍କୁ ଦିଅନ୍ତୁ। ନହେଲେ ଅଶୁଭ ହେବନି ମଉସା??
ଗୋବିନ୍ଦ ବାବୁ କହିଲେ ପୁଅ, ଶୁଭ ଅଶୁଭ ଆମ ମନର ଏକ ଭ୍ରମ। ଦ୍ୱିତୀୟରେ ଠାକୁର ଆମକୁ କିଛି ମାଗନ୍ତିନି। ସେ ସବୁକିଛି ଖଞ୍ଜି ଦେଇଛନ୍ତି ଆମ ପାଇଁ। ଆମର ଇଚ୍ଛା ଓ ଶ୍ରଦ୍ଧା ତଥା ଭକ୍ତି ଓ ଭାବ ପରଖିବାକୁ। ଏଇ ଯୋଉ ଟିକି ଟିକି ଫୁଲ ତାଙ୍କର ମଧ୍ୟ ଟିକି ଆଶା ଅଛି। ସିଏ ଗଛରେ ଥାଆନ୍ତୁ ବା ତୋଳୁ ତୋଳୁ ଝରି ପଡିଥାଆନ୍ତୁ, ଟିକି ଆଶାଟିଏ ମାତ୍ର। ସେଇଥିପାଇଁ ସେହି ଝରାଫୁଲ ଗୁଡିକୁ ନେଇ ଠାକୁରଙ୍କୁ ସମର୍ପଣ କରି ତାଙ୍କ ପାଦ ପଦ୍ମ ତଳେ ରଖିଦିଏ ମାତ୍ର। ପାପ କି ପୁଣ୍ୟ ଜାଣେନା। ମୋର ତଥା ଆମ ସମସ୍ତଙ୍କର କିଛି ଛୋଟ ମୋଟ ଆଶା ଥାଏ। ଟିକି ଟିକି ଫୁଲଙ୍କର ମଧ୍ୟ ଥିବ ଭାବି ଝରାଫୁଲ ଗୋଟେଇ ନେଇଯାଏ। ଆଜି ମଧ୍ୟ ନେଉଛି। ବୀର ହନୁମାନ, ଅଞ୍ଜନା ସୁତଙ୍କ ଚରଣରେ ସମର୍ପିତ କରି ତାଙ୍କ ଟିକି ଆଶା ପୁରଣ କରିବାକୁ। ଯୁବକଟି କ'ଣ ଭାବିଲେ କେଜାଣି, ଗୋବିନ୍ଦ ବାବୁଙ୍କ ଗୋଡ଼ ତଳେ ପ୍ରଣାମ କରି ଲେଉଟି ଗଲେ। ଖୁସିରେ ଘରକୁ ଫେରୁଥିଲେ ଗୋବିନ୍ଦ ବାବୁ।ମାନବିକତା ଭିତରେ ସଂସ୍କୃତି ସଂହତି ଓ ପରମ୍ପରା ତଥାପି ଅଛି, ଥିଲା ଓ ଥିବ ଭାବି ଗୋବିନ୍ଦ ବାବୁଙ୍କ ପାଦ ବଢୁଥିଲା ଆଗକୁ।
