STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଝୁଲଣ ଯାତ

ଝୁଲଣ ଯାତ

4 mins
179


"ଆଷାଢରେ ମନ ମୋର ଗୁଣ୍ଡିଚା ......ଆ ବୁଲି ଯା ,

ଶ୍ରବଣରେ ମନ ମୋର ଝୁଲଣ .........ଆ ଝୁଲି ଯା, 

ସବୁ ଦିନେ ମନ ମୋର ସୁଦାମା ର ଘର ରେ

ଆ ବନ୍ଧୁ ପଣେ ଥରେ ଆ 

ରହିଯା ।"


ଆମ କାଳିଆର ବାର ମାସରେ ତେର ପରବ।ଦେଉଳରେ ତ ଆମର ବାରମାସରେ ଚବିଶ କି ଅଠେଇଶି ପରବ ।ସବୁ ଦିନେ ପରବ କହିଲେ ଚଳେ ମୋ ଜଗା ଦାଣ୍ଡ ରେ ।

ହବନି, ସିଏ କଣ ମନୁକୁ ଜଗତଜିତା ବୋଲାଏ କି ! ସମସ୍ତଙ୍କୁ ତା ଭାବ ପିରତି ରେ ଏମିତି ବାନ୍ଧିଛି ଯେ ଯିଏ ଥରେ ତା ଚକା ନୟନ କୁ ଚାହିଁଲା ସିଏ ତା ପ୍ରେମରେ ବନ୍ଧା ପଡିଲା।ଯାହାଠି ଥରେ ଭାବ ଡୋରୀ ଲଗେଇଦେଲା ତା'ର ଆଉ ଫିଟିଆର ବାଟ ନାହିଁ, ତା ପରେ ଏଡେ ସୁନ୍ଦର ଭାବରୁ କିଏ କାଇଁ ଫିଟିବ ଯେ । ତା' ଛଡା ବି ଆଉ ଅଛି କି ସରସ ଏ ଧରାରେ ? କାଇଁ ନାଇଁ ତ ! 


ସବୁ ମାସରେ ଜଗାର ପରବ, ସିଏ ଭକ୍ତ ପ୍ରିୟ, ଭକ୍ତି ପ୍ରିୟ, ଭୋଗ ପ୍ରିୟ, ଭୋଜନ ପ୍ରିୟ, ଭଜନ ପ୍ରିୟ, ଅଳଙ୍କାର ପ୍ରିୟ, ସୌନ୍ଦର୍ଯ୍ୟ ପ୍ରିୟ,ଗହଳି ପ୍ରିୟ, ରସ ପ୍ରିୟ, ରାହାସ ( ରାସ) ପ୍ରିୟ,ପ୍ରେମ ମୟ ।ଆଉ ତାର ଏ ସବୁ ପ୍ରିୟ କାରଣ ତାର ଆମେ ସବୁ ପ୍ରିୟ ।ତା ପର୍ବ ର ଧାରାରେ ସେ ଆମକୁ ହସେଇ ଭସେଇ ମଜେଇ ହଜେଇ ଦିଏ ।ତା ରଙ୍ଗରେ ରଙ୍ଗେଇ ଦିଏ ।ଆମ ସୁଖ ପାଇଁ ସବୁ ଖଞ୍ଜି ଥାଏ, ଖାଲି ତା ଭାବରେ ଭାସିଲେ ହେଲା ।


"କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା ।"


ଏହି ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ପ୍ରତିପଦା ଯାଏଁ ସାତ ଦିନ ଆମର ଶ୍ରୀ ସୁନ୍ଦର ରାଧାଗୋବିନ୍ଦ ଙ୍କର ଝୁଲଣ ଯାତ / ଯାତ୍ରା ।

ଶ୍ରୀ କ୍ଷେତ୍ର ର ଐତିହ୍ୟ ରେ ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କର ଆର୍ବିଭୂତ ହେବା ଓ ଶ୍ରୀ ରାଧା ରାଣୀ ଙ୍କର ପ୍ରେମ ରେ ପ୍ଲାବିତ କରାଇବା ସମୟରୁ ହି ଏହି ଝୁଲଣ ଯାତ୍ରା ର ଅୟଆରମ୍ଭ ବୋଲି ଧରାଯାଇପାରେ ।ଗୌଡିୟ ବୈଷ୍ଣବ ମାନଙ୍କର ପ୍ରିୟ ଶ୍ରୀ ଶ୍ଯାମ ସୁନ୍ଦର ଓ ଶ୍ରୀ ରାଇ କିଶୋରୀ ଙ୍କର ପ୍ରେମ ର ଆହ୍ଲାଦିନୀ ସ୍ରୋତ ହିଁ ପବିତ୍ରତାର ଗଙ୍ଗା ପରି ଭକ୍ତିର ଗଙ୍ଗା ବୁହାଇଥିଲା।


" ଆକର୍ଷୟତି ଇତି କୃଷ୍ଣ .....ଅର୍ଥାତ୍ ଯେ ଆକର୍ଷଣ କରେ ସେ କୃଷ୍ଣ ।।


" ଆରାଧାୟତି ଇତି ରାଧା ......ଅର୍ଥାତ୍ ଯେ ଆରାଧନା କରେ ସେ ରାଧା ।।


ଏହି ଆକର୍ଷଣ ଓ ଆରାଧନା ର ପର୍ବ ଆମ ଝୁଲଣ ଯାତ ।ଏହି ଯାତ ରେ ଆମେ ପୁରୀବାସି ମର୍ତ୍ତ୍ଯ ବୈକୁଣ୍ଠ ରୁ ନିତ୍ଯ ବୃନ୍ଦାବନ କୁ ସତ ସାକ୍ଷାତ କରିଥାଉ କହିଲେ ଅତ୍ଯୁକ୍ତି ହେବନାହିଁ ।


ଯେତେକ ମଠବାଡି, ଯୋଉମାନେ ଗୌଡିୟ ଓ ବୈଷ୍ଣବ ସଂପ୍ରଦାୟର ଚିହ୍ନ ବହନ କରନ୍ତି ତାଙ୍କ ମଠ ମାନଙ୍କରେ ଝୁଲଣ ଯାତ ପାଳନ କରାଯାଏ ।


ଏବେ ତ ଆଉ ଏମାର ମଠ ନାହିଁ, ବଡଦାଣ୍ଡ ର ନବୀକରଣ ପାଇଁ ଓ ଅନ୍ୟାନ୍ୟ କାରଣ ହେତୁ ଭାଙ୍ଗି ଦିଆଯାଇଛି କିନ୍ତୁ ଦିନ ଥିଲା ମାନେ ଆମର ଆଉ ଆଉ ବାପା ବୋଉ ଙ୍କ ପିଲା ଦିନରେ ଏହି ଏମାର ମଠ ବାଡି ର ଝୁଲଣ ସବୁଠୁ ସୁନ୍ଦର ଥିଲା ।ସବୁଠାରୁ ସୁନ୍ଦର ।ସବୁ ମଠ ମାନଙ୍କଠୁ ଶ୍ରେଷ୍ଠ ।ଏ ମଠରେ ହାତ ତାଆରି ଝରି,ସୋଲ, କନା,ମାଳି,କାଗଜ,କାଠ ର ତିଆରି କଣ୍ଢେଇ ,ସଖି କଣ୍ଢେଇ ,ଗାଈ ,ମୟୁର,ହଂସ,ପକ୍ଷୀ ,ପଶୁ ,ହରିଣ ,ଯମୁନା ,କୁଞବନ ମାନେ ହାତ ଗୋଡ ହଲଉଥିଲେ ଆଉ ଆଖି ମିଟ୍ ମିଟ୍ କରୁଥିଲେ,କଳ କଳ ଶବ୍ଦ କରି ବୋହୁଥିଲେ । 

ମାନେ ହାତ ଗୋଡ ହଲଉଥିଲେ ଆଉ ଆଖି ମିଟ୍ ମିଟ୍ କରୁଥିଲେ,।

 ଶ୍ରୀ ଲକ୍ଷ୍ମୀ ,ଲକ୍ଷ୍ମୀକାନ୍ତ ଙ୍କର ପଦ ମନ୍ଚାଳୁଥିବାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ରେ ପଲକ ପଡେନି । 


ସେତେବେଳେ ଆମର ମୋବାଇଲ୍, ଟିଭି ଆଦିର ପ୍ରଚଳନ ନଥିଲା ତ ଆମେ ଏଇ କଣ୍ଢେଇ ମାନଙ୍କର ହାତ ହଲା ଦେଖି କାବା ହଉଥିଲୁ ।କେମିତି ହଲୁଛି ବୋଲି ହାଁ କାଢି ଘଣ୍ଟେ କାଳ ଚାହୁଁ ଥିଲୁ ଆଉ ଢେର୍ ଦିନ ଯାଏ ସେଇ କଥା ନେଇ ଚର୍ଚ୍ଚା କରୁଥିଲୁ ,ସମାନ ଆଶ୍ଚର୍ଯ୍ୟ ରେ ।


ଏମାର ମଠ ଛଡା ରାଧାକାନ୍ତ ମଠ,ତ୍ରିମାଳୀ, ରେବସା, ଗିରିସୋଇଁ (ସ୍ବାମୀ),ଉତ୍ତରପାର୍ଶ୍ବ, ଦକ୍ଷିଣପାର୍ଶ୍ବ, ଜଗନ୍ନାଥ ବଲ୍ଲଭ ଆଦି ଆଦି ଅନେକ ମଠରେ ସାଜୁଥିଲା ଗୋବିନ୍ଦ ର ଝୁଲଣ ।ଆମ ମାନଙ୍କ ଘର ସାହି ଚାରିପଟକୁ ଯେ ହେତୁ ସବୁ ମଠବାଡି ଥାଏ ଆମେ ସବୁ ପର୍ବ ର ପ୍ରତ୍ୟକ୍ଷଦର୍ଶୀ ଓ ଭୋଗୀ ମଧ୍ୟ ।ମଠ ମାନଙ୍କର ପନ୍ତି, ଭୋଗ,ପଙ୍ଗତ ଆଦିରେ ଆମର ଆପେ ଅଶଂଗ୍ରହଣ ଥାଏ।ମିଶୁ, ଖଟୁ, ଖାଉ, ଆଉ ମଉଜ କରୁ ।


ଅନେକ ମଠ ଏହି ଝୁଲଣ ସମୟ ରେ ପାଲା, ଦାସକାଠିଆ,ଗୋଟିପିଲା ନାଚ ଆଦିର ଆୟୋଜନ କରିଥାନ୍ତି, ଯେଉଁଠି ଅନେକ ଲୋକକଳା କୁ ନେଇ କଳାକାର ମାନେ ଆସିଥାନ୍ତି ।କୃଷ୍ଣ ଚରିତ, ଲୀଳା, ରାମାୟଣ, ମହାଭାରତ, ପୋଥି,ପୁରାଣ,ରାଧା ରାସଲୀଳା ଆଦି ଅନେକ ସୁନ୍ଦର କଥା ଗୀତ ଓ ନୃତ୍ୟ ମାଧ୍ୟମରେ ଆମେ ଦେଖୁ ଆଉ ଶିଖୁ ।ସେତେବେଳେ ସେଇ ସବୁ ତ ଥିଲା ଆମ ମନୋରଞ୍ଜନ ର ଜରିଆ ।


ବଡ ଦେଉଳର ମୁକ୍ତି ମଣ୍ଡପ ତଳକୁ ହି ଝୁଲଣ ମଣ୍ଡପ ଭାବେ ସଜ୍ଜିତ କରାଯାଏ ।ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂଦେବୀ ବିମାନରେ ବିଜେ କରି ଦୋଳିରେ ଉପବେସନ କରିବା ହୁଅନ୍ତି ।ସେ ମଣ୍ଡପ ପାଖରେ ପହଞ୍ଚିଲେ ଲାଗେ ଯେମିତି ଆମେ ଏ ପୃଥିବୀ ରେ ନାହୁଁ, ଏହା ନିଶ୍ଚିତ ବୈକୁଣ୍ଠ ।ଏତେ ସୁନ୍ଦର ସାଜସଜ୍ଜା, ଅପୂର୍ବ, ଅପୂର୍ବ........ ବ୍ରହ୍ମ, ଶିବ,ଇନ୍ଦ୍ର,ଚନ୍ଦ୍ର, ବରୁଣ, କୁବେର ବି ଭଳିଯିବା ଭଳି ଅଦ୍ବିତୀୟ କାରୁକଳା ର ଉତ୍କୃଷ୍ଟ ବୈଶିଷ୍ଟ୍ୟଧାରଣ ର ନିଦର୍ଶନ । ଲାଗେ ସତେ ଯେମିତି ବୃନ୍ଦାବନ ରେ,କୁଞବନରେ, ଶ୍ଯାମ କୁଞରେ, ରାଧା କୁଞରେ ଆମେ ନିଜେ ଆଜି ଗୋପିକା ।ଆଉ କିଛି ହି ଭାବ ର ପ୍ରଶ୍ନ ନାହିଁ ।ଗୋପୀ ଗୋପୀ ଭାବ ଟି ବୋଧେ ସଂସାର ର ଶ୍ରେଷ୍ଠ ଭାବ ।ନିଜେ ହଜିଯାଇ ନିଜ ପ୍ରିୟ ର ହେଇଯିବାର ଭାବ ।ସୁନା ରୂପା ଜରିର ଲମ୍ବି ଥିବା ଦଉଡି କୁ ଆସ୍ତେ ଆସ୍ତେ ଟାଣି ରାଇ ଦାମୋଦର ଙ୍କୁ ଝୁଲେଇଲା ବେଳେ ଲାଗେ ଯେମିତି ନିଜେ ଧିରେ ଧିରେ ଯଶୋଦା ପାଲଟିଯାଉଛେ ।ସେ ଆଖି ରେ କି ମାଧୁର୍ଯ୍ୟମୟ ଆଭା ଥାଏ କେଜାଣି ବାନ୍ଧି ଦିଏ ।ମନୁକୁ ତା ନାଁ ଚିତ୍ତଚୋର କି ଆଉ !  


କାହ୍ନା ରେ ଥୋଡାସା ପ୍ଯାର୍ ଦେ ,ଚରଣୋ ମେ ଜୀବନ ସବାର ଦେ ।।


ଦକ୍ଷିଣ ଦ୍ଵାର ରେ ଠିଆ ବିରାଟ ପ୍ରତିମା ରୂପ କୁନ୍ତି ପୁତ୍ର ଦ୍ବୟ ମହାବଳୀ ଭୀମ ଓ ସର୍ବଶ୍ରେଷ୍ଠ ଧର୍ନୁଧର ପାର୍ଥ ମଧ୍ୟ ଝୁଲଣ ମଣ୍ଡପ ପାଖକୁ ଆସିଥାନ୍ତି ନୂଆ କରି ସଜ ବନକଲାଗି ହୋଇ ।


ମୁକ୍ତି ମଣ୍ଡପ ଆଦି ନୃସିଂହ ଙ୍କର ପାଖ ଚାରିକୋଣିଆ କୁଣ୍ଡ ଟିରେ ସୋଲ ପଦ୍ମ ନାଡ ସବୁ ଭାସମାନ ହୋଇ ଯମୁନା ର ମିନିଏଚର୍ ର କାମ ତୁଲାଏ ।କାଳୀୟ ଓ ତା ପରିଜନ ମଧ୍ୟ ଏଥିରେ ଭାଗ ନିଅନ୍ତି କନା ଓ ସୋଲରେ ଗଢା ହୋଇ । 


ଝୁଲଣ ସ୍ଥାନ ଟି ଏକ ଅପୂର୍ବ ବୈକୁଣ୍ଠୟ ମହକରେ ବାସ୍ନାୟିତ ହୋଇଥାନ୍ତି ।ସେ ବାସ୍ନା ଟି ରକ୍ତ ରେ ,ଚେତନା ରେ,ଆତ୍ମା ରେ ଦ୍ରବିଭୂତ ହୋଇଯାଏ ଆପେ ।


ଝୁଲଣ ସାତ ଦିନ ପର ଦିନ ଚଳନ୍ତି ମହାପ୍ରଭୁ ଓ ମହାଦେବୀ ମାନେ ସ୍ବସ୍ଥାନ କୁ ବିଜେ ପରେ ଝୁଲଣ ମଣ୍ଡପ ତଳୁ ଅନେକ ଜରିଜମ୍ବୁରା, କାଗଜ ଫୁଲ,ପାଟକନା, ଚିକ୍ ଚିକିଆ ଚୁମକି, ବିଭିନ୍ନ ରଙ୍ଗର ଝାଲର, ଲହର ଫିତା, ଧାଗା ସବୁ ଆମେ ପିଲେ ଗୋଟେଇ ଆଣୁ ଆମର କଣ୍ଢେଇ ଝୁଲଣ ପାଇଁ ।ଅନେକ ଦିନ ଯାଏ ଝୁଲଣ ର ରଙ୍ଗେ ଝୁଲୁଥାଉ ।


ଜୟ ଜୟ ଜଗନ୍ନାଥ ।

ହରି ହରି ବୋଲ ।


Rate this content
Log in

Similar oriya story from Action