Lopamudra Parida

Action Inspirational

3  

Lopamudra Parida

Action Inspirational

ଝର୍କା

ଝର୍କା

6 mins
216


ସଂଜ ବୁଡ ଟାରେ ଆକାଶୀ ରଙ୍ଗର ପାରାଫିଟ୍ ଥିବା ଘର ଉପରେ ଆକାଶୀ ରଙ୍ଗର ସାଟ୍ ଟେ ପିନ୍ଧି ଯାଉଥିଲା ଲୋକଟି ତା' ଛାତରେ ଆକାଶ ମୁହାଁ ତା' ବାଟରେ .ସାମ୍ନାପଟ ଗଳିର ଚାରିନମ୍ବର ଘର ପାଖରେ। ବିରକ୍ତ ହେଉଥିଲି ମୁଁ ।ମତେ ଚିଡି ଲାଗୁଥିଲା ଅଜଥାରେ ।କିଛି କଥା ନଥାଇ ମଣିଷ ଚିଡେ, କେତେବେଳେ?ଯେତେବେଳେ ସବୁ ବେଢିଥିବା ସୁନ୍ଦରପଣ ସବୁ ତାକୁ ଫିକା ଲାଗୁଥାଏ କୋଉ ଗୋଟେ ଇଡିଯାଇଥିବା ମିଛ ଅଭିମାନ ନେଇ ।ନିଜ ଉପରେ ବା କାହା ଉପରେ ସେମିତି ।ଖାଲି ତୁଛ୍ଛା ଟାରେ ।ଆଉ ନୁହେଁ ତ କଣ ! ଭଲପାଇବା ଅଛି ତ ଅଛି, ନାହିଁ ତ ନାହିଁ ।ମଝିମଝିଆ ଝିନ୍ଝଟ୍ କାଇଁ ।ଗଳିରୁ ବାହାରି ଆସିଲି ମୁଁ ।"ଫାଙ୍କା ଅଛ କି ଭାଇ ? ଯିବ ?" ଆକାଶ କୁ ଚାହିଁ ତପସ୍ୟାରତ ଅର୍ଦ୍ଧ ନିମିଳିତ ଶିବ ମୁଦ୍ରାରେ ହୁକ୍କା ଭିଡୁଥିବା ରିସ୍କା ବାଲାକୁ ପଚାରିଲି ।ସିଏ ତା'ର ହରେକମାଲିଆ ମାଛଜାଲ ପରି ଗଞ୍ଜି କୁ ନଥିବା ପେଟଟା ଉପରକୁ ସଳଖେଇ ଆଣି ବଡ ଗମ୍ଭୀର ସ୍ବରର ସେମିତି ଆକାଶ ମୁହାଁ ଧୂଆଁ ଛାଡୁ ଛାଡୁ କହିଲା, " ହୁଁ "

ମୁଁ ବସିଲି, ସିଏ ଗଡେଇଲା ।ଚକ ଗଡିଲା ।କୁଆଡେ ଯିବି ମୁଁ କହିନଥିଲି କି ସିଏ ପଚାରିନଥିଲା ।ବିଡି ତା' ପାଟିରେ ଝୁଲିଥିଲା ଆଉ ଚେକ୍ ଚେକ୍ ଲୁଙ୍ଗିର ଆଣ୍ଠୁଯାଏ ଘୋଡେଇସାରିବା ପରେ ମଶାଗୋଡ ପରି କଙ୍କାଳିଆ ପାଦଦିଟା ଶିରାଳ ରୂପ ନେଇ ଭାତହାଣ୍ଡିକୁ ବିଦ୍ରୁପ କରୁଥିଲେ ।ସେମାନେ ବି ଝୁଲୁଥିଲେ ଏକ ରକମ " କେଁ ରଟ୍, କେଁ ରଟ୍ " ପେଡାଲ ର ଶବ୍ଦ ସହ ।ଅନାଧୁନିଆ ବାଟ ଚାଲୁଥିଲା ତା' ବାଟରେ ସରର୍ ସରର୍ ,କଳା ଲମ୍ବା ମୋଟା ସାପ ପରି ଫଣା ଜାକି ମୋଡାଣି ମୋଡାଣି ।ସିଏ ତାର କଣ ସବୁ କହିବା ଆରମ୍ଭ କରିଦେଇଥିଲା ।ମୁଁ ଶୁଣୁଥିଲି କି ନା ଜାଣେନି ହେଲେ କାନରେ ପଡୁଥିଲା ।ମୋ ଆଖି ରାସ୍ତା କଡ଼ରେ ଶାନ୍ତି ରେ କଡ ଲେଉଟେଉଥିବା ଆଲୁବାଲୁ ଲଟେଇକଢେଇ ମାଡିଆସୁଥିବା ବସ୍ତି ମାନଙ୍କୁ ଦେଖୁଥିଲା ।ନଳା ର ଧଳା ସ୍ଲାବ୍ ସବୁ ଉପରେ କେତେ ପ୍ରକାରେ ଦେହ ମେଲୁଥିଲା ଜୀବନ ।

ନୂଆବଜାରରୁ ବାହାରି ମହାନଦୀବିହାର ବାଟ ଦେଇ ନଈ ପଠା କଡେ କଡେ ଚାଲୁଥିଲା ରିକ୍ସା ।ଥଣ୍ଡା ଜିଦିଆ ପବନ ତା' କଳାଓଠିଆ ବିଡିକୁ ଧପ୍ କରି ଲିଭେଇ ଦେଇ ପାରୁନଥିଲା ।ସିଏ ତା'ଠୁ ବେଶୀ ଜିଦ୍ ରେ ଥିଲା ଜଳିବାକୁ ଦିକ୍ ଦିକ୍ ନାରଙ୍ଗୀ ।ଶିଶୁଉଦ୍ଯାନ ସାରା ରାତି ବୋଳିହେଉଥିଲା ଥିରେ ଥିରେ ।ବାଲି ସାରା କୁନି ପାଦଚିହ୍ନ ସବୁର ମେଳା ।ପାହାଚ ସବୁ ନଈ ପେଟକୁ ଯାଉ ଯାଉ କୁଆଡେ ହଜିମିଳେଇ ଯାଉଥିଲେ ।ଆଉ ନଈ ! ଆକାଶ ସହ ଦୌଡ ଲଗେଇ ଗାଢ ନୀଳ ଶାଢୀ ବେଢେଇ ହଉଥିଲା ଓଲଟେଇପାଲଟେଇ ।

ଏ ସହରରେ ରାତି ହୁଏନି ।ଧାଡିଧାଡି ଆଲୁଅ ନଈ କୋଳରେ ପେଟେଇ ପଡନ୍ତି ପ୍ରତିବିମ୍ବିତ ହେଇ ଫାଳେ ଦିନ କରିଦବା ସ୍ବପ୍ନ ସଞ୍ଚି । ପଠା ଏବେ ପୋତା ହେଇଛି ସୁନେଲି ବାଲିରେ ,ଯୋଉ ବାଲି ତାରି ପେଟର ।ବଡମେଡିକାଲ ରୁ ଅଧେ ଏପଟକୁ ଉଠି ଆସିବ ବୋଲି ।ରୋଗୀ, ରୋଗ,ଚିକିତ୍ସା, ଶୋକ ସବୁ ଧାଡି ମେଲିବେ ଏପଟେ ବି ।ପଠା ଦୁଃଖୀ ଅଛି ,ତା'ପବନିଆ ଛାତିଟା ରୁନ୍ଧି ହବା ନେଇ ।ଏଇ ଏବେବି ଦୂରରେ ବୁଲୁଛନ୍ତି ହଳିକିଆ ଛାଇମାନେ, ବାଦୁଆ ଜହ୍ନ ଟିପମାରି ଦେଖେଇ ଦଉଛି ।ଆଉ ପଟିକିଆ ଛାଇ ତକ ମିଳେଇ ଯାଉଛନ୍ତି ମିଛିମିଛିକା ଗାଁ ଛବିରେ ।ଇଏ ବାଇମୁଣ୍ଡିର ହାତଗଢା ମାର୍ଗ ।ଏଠି ଏବେ ବାଇକ୍ ମାଳ ।ଲୁଟତ୍ ରାଜ, ରାହାଜାନୀ ଖୋଲାଦେହରେ ବୁଲୁଛି କାଚ ଶିଶିରେ ।ତଥାପି ନିର୍ଭୀକ ଏ ସହର ।ସ୍ବପ୍ନ ମାନେ ହାତ ଧରା ଧରି ହେଇ କୁରୁଳୁଛନ୍ତି ନଈବନ୍ଧରେ ଆଖିରେ ପଲକ ମିଶେଇ ।ବୁଲା ରୋଗିଣା ଅଇଁଠାଖିଆ କୁକୁରତକ ଯାହା ଥୋଡି ଲମ୍ବେଇ କାନ୍ଦୁଛନ୍ତି ମଝିରେ ମଝିରେ ।

ରିକ୍ସା ଚାଲିଛି ।ସିଏ କିଛି କହୁଛି ।ମୋ କାନ ପରଦାରେ ପଡୁଛି। ।ସିଏ କହୁଛି, " ମୁଁ ଫେରିଲା ବେଳକୁ ସିଏ ପଳେଇଥିଲା ।ମତେ ଘଡିଏ ଜଗିଲାନି ।କି ଭଲପାଇବା ହୋ ଇଏ?ଛେଃ ।ନିଜ ମର୍ଦ କୁ ଛାଡି ପରଗୋତ୍ରୀ ହେଇଥିଲା କଣ ଏଇଥିନାଗି? କହୁନ ବାବୁ ? "ଧକ୍କା ଲାଗିଛି । ନିକମହାରାମି କରିଛି କିଏ ଗୋଟେ ।ପୋଡୁଛି ।ମୋ ଛାତି ସାରା ଘାଆ ।ଅଦେଖା ।ହେଲେ ଜ୍ବଳନ ସେଇ ସମାନ ।ପୁଣି ସିଏ କହୁଛି, " ଖୁବ୍ ଦହଗଞ୍ଜ ବାବୁ ।ସାଏବାଣୀ ପରି ରଖିଥିଲି ।ମୋର ଯେତିକି ଚୁନା ସେତିକି ପିଠା ହବନା ।ନା ତାର ଚଳିଲାନି ।ମୋର ବାପକୁ,ମତେ ଲାତ ମାରି ଗଲା ।ଆଉ ଅଧିକ କଣ କୋଉଠୁ ଚୋରୀ କରିଥାନ୍ତି । "ବୋସ୍ କଲେଜ ହଷ୍ଟେଲର ପଛପଟ ଝର୍କା ସବୁ ଦିଶୁଥିଲା ।ପ୍ରତି ଝର୍କା ରେ ସମ୍ଭାବନା, ସ୍ବପ୍ନ, ଗଳ୍ପ ର ଟେବୁଲ୍ ପଙ୍ଖା ଘୁରୁଥିଲା ଘର୍ର୍ ଘର୍ର୍ । ଟଙ୍ଗାହେଇଥିଲେ ପରଦା ଆଉ ପରିଶ୍ରମ ।କେତେ ଘରର ଆଲୁଅ ମାନେ ଏଇଠି ଦୀପ ଜାଳିବା ଶିଖୁଥିଲେ।

ତୀର ଚିହ୍ନ ମରା ଲୁହା ପଟା ରେ ଲେଖାଥିଲା, " ଅମୁକଠିକି ରାସ୍ତା " ।ରିକ୍ସା ଗଡୁଥିଲା ।

କାହା ବାରିରେ ହେନା ଫୁଟିଥିଲା ବୋଧେ ।ଧଳା ଚମ୍ପା ଲଦି ହେଇଥିଲା ଗଛ ।ସେଇଠି କରତରେ ରଞ୍ଜା ମାରୁଥିଲା କିଏ ଗୋଟେ ହାମୁଡେଇପଡି ଝିସ୍ ଝିସ୍ ।ସିଏ ରିକ୍ସା ଅଟକେଇଲା । ଓହ୍ଲାଇଗଲା ।ପଚାରିବା କହିବା ଦରକାର ହେଲାନି ।ବୁଢାଟିଏ ଦଉଡିଆ ଖଟରେ ବସିଥିଲା ଛିଣ୍ଡା ଦରିଟେ ପାରି ।ଆନମନା ମୁଁ ତା' ପାଖକୁ ଯାଇ ଠିଆ ହେଲି ନୀରବରେ ।ସିଏ ବଲବଲ କି ମୋ ପାଦକୁ ଚାହିଁଲା ।ରାସ୍ତା କଡ ନିଅନ ଆଲୁଅରେ କେତେ ସତ ବା ଧରାପଡେ ଯେ, ତଥାପି ଡରଟେ ଲୁଚିଥାଏ ଡରାଏ " ଧରାପଡିଯିବୁ ।ନିଜ ପାଖରେ ଧରାପଡିଯିବୁ ।"

ବୁଢା କହିଲା, " ସମସ୍ତେ ପାପକୁ ଡରନ୍ତିନି ।ଅଠାକାଠିରେ ପଡିଯାଇଛି, ଅଠାକାଠିରେ ।ପାଦ ମୁକୁଳାଅରେ କିଏ ।ପୂଣ୍ୟ ହବ ।ଅମୋକ୍ଷ ଶିକୁଳିରେ ମୁଁ । " ଆଉ ଚୁପ୍ ହେଇଗଲା ମୂର୍ତ୍ତି ପରି ।ମୁଁ ନିର୍ବେଦ ଲେଉଟି ଆସିଲି ରିକ୍ସା ସିଟ୍ କୁ ।ରିକ୍ସା ବାଲା ଫେରୁଥିଲା ବାଟରୁ କିଣି ଆଣିଥିବା ରୁଟି ଆଉ କଣ ଟିକେ ଖୋଇଦେଇ ।ବୁଢା ପଟକୁ କଣେଇ କଣେଇ ଚାହିଁଲା ଆଉ ବିରସ ଦିଶିଲା,କ୍ଲାନ୍ତ ଦିଶିଲା ।ବୁଢାକୁ ଶୋଇଦେଲା, ଘୋଡେଇଦେଲା ସକାଳକୁ ସିଏ ଉଠିବ କି ନାହିଁ ନ ଜାଣି ।ଆଉ କହିଲା, " ନିଜ ଭାର୍ଯ୍ଯା ହେଲା ଆତ୍ମା ର ଅଂଶ ।ସିଏ ଯଦି ନିନ୍ଦା ଦବ ଅନ୍ତପାଟ କିଏ କୋଉଠି ପକେଇବ? ପାଇଥିଲି ଆକୁ ଗୋଟେ ଉଆସ କଡରୁ ।ବାଆ ଡାକେ ।

ବାଆ ଚାଲିବୁଲି ପାରେନା ।ଖଟରେ ସବୁ ।ଲୁହରେ ଗାଧୋଉଛି ।ପଶ୍ତଉଛି ।କାଇଁ ତାକୁ ବୋହୂ କରି ଆଣିଲା ବୋଲି ମୁଣ୍ଡ କୋଢୁଛି ।ନିଜ ମୁଣ୍ଡ ରେ ନିଜେ ଅଠା ଢାଳୁଛି ।ଗୁହାରି କରୁଛି ମାରିଦେ, ମାରିଦେ ।ଆଉ କାହା କଲାକୃତ୍ଯ ଦୋଷ ନିଜଠି ସଁପୁଚି ।କହୁନ ବାବୁ କିଏ ବୁଝେଇବ ଦୋଷ କାହାର ।ଭୋଗ ତ ନିଜର ।ତେଣିକି ସେ ହିସାବ ନିକାଶରୁ କେତେ ମିଳେ । " ପୁଣି ରିକ୍ସା ଗଡିଲା ।ମଙ୍ଗଳାବାଗ ଦେଇ ,ବଣିଆ ସାହି ଦେଇ ବକ୍ସିବଜାରରେ ବିହରିଲା । ଏ ଜାଗାଟାର ଗୋଟେ ମାୟା ଅଛି ।ମାୟା ଘାରିଲା ।ଗୀତ ଶୁଭୁଥିଲେ ତା'ସହ ।ବଙ୍ଗଶ୍ରୀ ଶାଢୀ ସବୁ ଦିଶୁଥିଲେ ।ନଇଁ ପଡି ଛକ ଲସି ଦୋକାନକୁ ଡୁଙ୍ଗିଲି ।ଆଗର ସେ ଲୁହା ପାଇପ୍ ରୁ ସଜ ଖଲିପତରେ ଢଳା କୁଲ୍ଫି ବାଲାକୁ ଉଣ୍ଡିଲି ।ହେଲେ ରିକ୍ସା ରୁ ଓହ୍ଲାଇଲିନି କି କହିଲିନି, " ରୋକ " ବୋଲି ।ସିଏ ତାର ଗଡୁଥିଲା ।ପୀରବାବାର ମୟୁର ଛାଞ୍ଚୁଣୀ ଝାଡି ଦେଉଥିଲା ଅନେକ କଷଣ "ଫୁ"ଟିଏ ରେ ।କଣ୍ଟା ଫୁଟିଲା ବେଳେ ବି ସ୍ମୃତି ଖିଅରେ ଝୁଲୁଥିବା ସୂତାଫୁଲ ମନେପଡେ ।ଚଣ୍ଡୀ ମନ୍ଦିର ଦୁଆରେ ରୋକିଲା ।ଆଜି ଗୁରୁବାର ,ଖୁବ୍ ଭିଡ।ସମସ୍ତେ ମାଗି ଆସିଛନ୍ତି, ଗୁହାରୀ, ମାଗୁଣି, ଜାଚଜ୍ଞା ଡାଲେ ଡାଲେ ଧରି ।

କାତ୍ଯାୟାନୀ, ବଗଳାମୁଖୀ, ବନଦୁର୍ଗା, ଷୋଡଶୀ, ଧୂମାବତୀ ଏମିତି ଏମିତି ଷୋହଳ ଅବତାରରେ ମାଆ ଦାଉ ଦାଉ ଦିଶୁଥାଏ ସିମେଣ୍ଟ ଖୁମ୍ବ ଡେରା ବିରାଟ ତୋରଣରୁ ।ବଲବ୍ ଲାଇଟି ଜଳୁଥାଏ ।କିଂକର୍ତ୍ତ୍ଯବବିମୂଢ ହେଇ ବସିଥାଏ ଦେବୀ ।ଆଖି ରେ ଦେଖେ, ନିଶ୍ବାସ ରେ ଭୋଗେ ।କାଳେ ଲାଲି ଜିଭା ରେ ସବୁ ପୋଛିନିଏ । ସିଏ ଅଛି ବୋଲି ତ ଏ ସହର ଅଛି ।ନହେଲେ ଦିପଟର ନଈର ଜିଭ ତ କେବେଠୁ ଶୋଷିଲା ।

ହାତ ଯୋଡୁ ଯୋଡୁ ଘଣ୍ଟ ଶୁଭୁଥାଏ ।ବିନାପିଆଜରଶୁଣ କାକରା ଦୋକାନ ଦେଇ ଗଡି ଯାଉ ଯାଉ ସିଏ କହିଲା, " ଭାରି ଭଲପାଉଥିଲା ଏଇ କାକରା ।"ଏଯାଏ ତୁଟିନି ।

ଅନ୍ଧାର ପଟକୁ ମୋଡେଇଲା ।କନିକା ଛକ ଦେଇ ଆଗକୁ ଗଲା ।ଉଆସ ଟେ ଆଡକୁ ନଜର ଫିଙ୍ଗି କହିଲା ," ବାଆ ବି କେବେ ଦିନେ ହେଲେ ପ୍ରାରବ୍ଧ ଭୋଗୁଛୁ ବାପପୁଅ ହେଇ।ସମୟ ଭେଟେଇଛି, ଯୋଡିଛି ।କିଛି ତ ଭାବିଥିବ ।କୋଉ ଜନ୍ମ ର ବାକିଆ ଶୁଝୁଛୁ । ହଉ ପଛେ ଏକାଠି ତ ଅଛୁ ।ରୁଖାସିଝା ଯାହା ମୁଠେ ପାଟିରେ ଦଉଛୁ । ଲୁହ ବାଣ୍ଟି ହସ ଟାଣୁଛୁ ।ଅଭିଶପ୍ତ ଗନ୍ଧର୍ବ ର ଗପ ଶୁଣିଛ ବାବୁ? ତେବେ ବି ହାରିବାକୁ ଦେଇନି ନିଜକୁ ।ଫେରିବା ବାଟ ତା' ପାଇଁ ଖୋଲାଅଛି ।ଆସିବ ତ ଠିକ୍ ନହେଲେ ଆମେ ମରିଯିବୁ କଣ ! କିଏ କାହା ପାଇଁ ମଲାଣି ଏଠି ! ଚଲତେକା ନାମ ଗାଡି ପରା ।"ଉପରକୁ ଗୋଟେ ହାତ ଆଉ ଚଉଠେ ଗାଲ ଗୋଟେ ଭଙ୍ଗୀ ମିଶା ଢଙ୍ଗରେ ଉଠେଇ କହିଲା, " ମାଲିକ୍ ଅଛି ।ପେଟ ଦେଇଛି, ଚଳେଇବ । " ପୁଣି ନଈ ବନ୍ଦ କୁ ଉଠିଗଲା ରିକ୍ସା ।

ନଈ ହି ଦିପଟୁ ଆଞୁଳି ପରି ଭରି ରଖିଛି ଏଠି ।

ଲୁହ ର ନଈ, ଲହୁର ନଈ, ବିଶ୍ବାସ ର ନଈ, ପ୍ରେମ ଆଉ

ଦଗାବାଜି ର ନଈ ପୁଣି ଜୀବନ ଢାଳୁଥିବା ନଈ ।ନଈର ପା ଆଖି ଥାଏ ।ସବୁ ଦେଖେ ଆଉ କିଛି ଭୁଲେନି ।ପୁରା ସହରର ଗପ ତା ପାଣିରେ ।ପୋଲ ତଳେ ଓହ୍ଲାଇ ଦେଲା ରିକ୍ସା । ବଢେଇଦେଲି ଯାହା ଥିଲା ପକେଟରେ ଝାଡିଝୁଡି । ନେଲାନି ।କହିଲା, " ଆଜି ପାଇଁ ଥାଉ । ମନ କଣ ସବୁଠି ଦେଖେଇହୁଏ ! " ବଡ ଲୁହା ଫାଟକ ସେପଟେ ଅପେକ୍ଷା କରିଥିଲା ହଳେ ଶିଥିଳ ଆଖି । ଲୁହ ଲୁହ ।ସେଠି ଭରସା ଫେରିଲା ମୋ ପାଦ ଶବ୍ଦ ରେ ।ଥ ପଡି ଯାଇଥିଲି ମୁଁ।ସିଏ ସତରେ ଚାଲିଯାଇଥିଲା ।ଦାଣ୍ଡ କବାଟ ମୁକୁଳା ପଡିଥିଲା ବିପର୍ଯ୍ୟସ୍ତ କେଶ ପରି ।ମୁହଁ ଶୁଖେଇ ଠିଆ ହେଇଥିଲା ସମୟ ଭଙ୍ଗା ଚୁଡି କେଇ ପଟ ପଡି ।ପ୍ରାୟଶ୍ଚିତ ତାର ଶେଷ ପାହାଚରେ ମୁହଁ ପୋତି ଅପେକ୍ଷା କରିଥିଲା ।" ବାଟ ଅଛି ତ ଆଗାଅ, ନାହିଁ ତ ବାଟ ବଦଳେଇଦିଅ ।ସନ୍ତୁଳି ହୁଅନା । ସିଝନା ।" ଏତେ ବଡ ଖାଲି ଘର ଟିର ଘଣ୍ଟା ର ଟିକ୍ ଟକ୍ ନୀରବରେ କହୁଥିଲା ।

ମୁଁ ଥାଳି ଧୋଇଲି ।ରୁଟି କାଢିଲି ।ଖୋଇଦଉ ଦଉ ନିଜେ ଖାଇଲି ।ସକାଳୁ ପାଟିରେ ପାଣି ବାଜି ନଥିଲା, ଏବେ ହଂସା ଫେରିଲା ।ଏବେ ବି ମୋ ଭାଗକ ଆକାଶ ମୋ ମୁଣ୍ଡ ଉପରେ ହି ଥିଲା ।ଖୋଲାଥିଲା ମୋ ଦୃଷ୍ଟିଭଙ୍ଗୀ ର ବାତାୟନ ଶୀତଳତାର ସ୍ପର୍ଶ ରେ ।



Rate this content
Log in

Similar oriya story from Action