ଜହ୍ନମାମୁଁ -200
ଜହ୍ନମାମୁଁ -200
ବୁଦ୍ଧି ପରୀକ୍ଷା -୨
ସେମାନେ ଏହାଙ୍କୁ ଦେଖିଦେଇ ଭୟଙ୍କର ଭାବରେ ଗର୍ଜ୍ଜନ କଲେ । ସେମାନଙ୍କର ରାଜା ପଂଚଫଣା ବିଶିଷ୍ଟ ନାଗ ତାଙ୍କୁ ଗୋଡାଇଲା । ସେ ପ୍ରାଣ ବିକଳରେ ପୁଣି ପଛକୁ ଦୌଡିଲେ, ଦୌଡି ଦୌଡି ଛକରେ ପହଁଚି ଦେଖିଲେ ନାଗମାନେ କୁଆଡେ ଅଦୃଶ୍ୟ ହୋଇ ଯାଇଛନ୍ତି ।
ତା’ପରେ ନାଚାର ହୋଇ ସେ ତୃତୀୟ ରାସ୍ତା ଧରି ଚାଲିଲେ । କିଛିଦୂର ଯିବା ପରେ ଦେଖିଲେ, ତାହା ଏକ ପାହାଡି ଗୁମ୍ଫା ପାଖରେ ଶେଷ ହୋଇଛି ଓ ଗୁମ୍ଫା ପାଖରେ ମଣିଷ ହାଡ କଙ୍କାଳ ସବୁ ପଡିଛି । ସେସବୁ ଦେଖି ପୁଣି ଆସନ୍ନ ବିପଦ କଥା ଭାବି ଚୁପ୍ଚାପ୍ ସେ ପଛକୁ ଫେରି ଚାଲିଲେ । କିନ୍ତୁ ସେତେବେଳକୁ ଗୁମ୍ଫା ଭିତରୁ ଭୟଙ୍କର ରାକ୍ଷସଟାଏ ନାକରେ କ’ଣ ଶୁଙ୍ଘି ଶୁଙ୍ଘି ବାହାରିଲା, ବୋଧହୁଏ ମଣିଷଗନ୍ଧ ସେ ବାରୁଥିଲା । ସେ ଦୟାବାନ୍ଙ୍କୁ ଦେଖିବା ମାତ୍ରେ ତାଙ୍କୁ ଗୋଡାଇଲା । ସେ ବିଚରା ପଡିଉଠି ଦଉଡି ଦଉଡି କୌଣସି ମତେ ଛକ ପାଖରେ ଆସି ପହଁଚିଲେ । ଦେଖିଲେ ତଥାପି ମଧ୍ୟ ସେ ତାଙ୍କର ପିଛା କରୁଛି । ତେଣୁ ସେ ବାଧ୍ୟ ହୋଇ ଚତୁର୍ଥ ରାସ୍ତା ଧରି ଦୌଡିଲେ । ରାକ୍ଷସ ପଛରେ ଆସୁଥାଏ । ସେ ଦେଖିଲେ ରାସ୍ତା ଯେଉଁଠି ଶେଷ ହୋଇଛି ସେଠାରେ ଏକ ବଡ ପାହାଡ ଦଣ୍ଡାୟମାନ । ତା’ ତଳେ ବଡ ଖାଇ । ସେ ସେହି ଭୟଙ୍କର ପରିସ୍ଥିତିରେ ପଡି ଦେଖିଲେ ଆଗକୁ ଗଲେ ଗଭୀର ଖାଲରେ ପଡିବେ । ଏଣେ ରାକ୍ଷସ ପଛରୁ ଆସୁଛି । ସେ ଭାବୁଛନ୍ତି କ’ଣ କରିବେ, ଠିକ୍ ଏତିକିବେଳେ ତାଙ୍କ ପାଦ ପାଖରୁ ବଡ ପଥରଟିଏ ଖସିଲା ଓ ସେ ଚିତ୍କାର କରି ସେହି ଖାଇରେ ପଡିଗଲେ । ଏତିକିରେ ତାଙ୍କ ନିଦ ହଠାତ୍ ଭାଙ୍ଗିଗଲା ।”
ମନ୍ତ୍ରୀ କହିଲେ, “ଏବେ ଶୁଣିଲ ତ ସେ କି ଭୟଙ୍କର ଦୁଃସ୍ୱପ୍ନ ଦେଖିଲେ । ପୂର୍ବରୁ ତ ହୃଦୟ ରୋଗରେ ସେ ପୀଡିତ ଥିଲେ, ତା’ ଉପରେ ପୁଣି ଏ ଦୁଃସ୍ୱପ୍ନ । ନିଦ୍ରାଭଙ୍ଗ ହେବା ମାତ୍ରେ ଥରି ଥରି ବିଚାରା ହୃଦରୋଗରେ ପୀଡିତ ହୋଇ ବହୁତ କଷ୍ଟ ଯନ୍ତ୍ରଣା ପାଇ ଶେଷକୁ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ ।”
ମନ୍ତ୍ରୀଙ୍କ କଥା ଶୁଣି ଜୟ ଗମ୍ଭୀର ହୋଇ କହିଲା, “ମନୋବୈଜ୍ଞାନିକ କୁହନ୍ତି ଯେ ସ୍ୱପ୍ନର ପ୍ରଭାବ ଶରୀର ଉପରେ ଜରୁର୍ ଥାଏ । ଆପଣଙ୍କ ମିତ୍ରଙ୍କର ଜୀବନ ଚାରିଥର ସଂକଟରେ ପଡିଲା । ଯେତେବେଳେ କଷ୍ଟ ଓ ଆତଙ୍କ, ସହ୍ୟ କରିବାର ଶକ୍ତି ଅପେକ୍ଷା ବାହାରକୁ ଯାଏ, ସେତେବେଳେ ପ୍ରାଣ ରକ୍ଷା କରିବା ଭୀଷଣ କଷ୍ଟ । ଆପଣଙ୍କ ମିତ୍ରଙ୍କର ଏପରି ଦୁଃଖପୂର୍ଣ୍ଣ ମୃତ୍ୟୁ ପାଇଁ ମୁଁ କେବଳ ଆପଣଙ୍କୁ ସହାନୁଭୁତି ଜଣାଉଛି ।”
ଏବେ ମନ୍ତ୍ରୀ ବିଜୟକୁ ଚାହିଁଲେ । ବିଜୟ ଅଳ୍ପ ଅଳ୍ପ ହସି କହିଲା, “କ୍ଷମା କରନ୍ତୁ ମହାଶୟ, ଏହା ଏକ କପୋଳକଳ୍ପିତ ଗଳ୍ପ ।” ବିଜୟର କଥା ଶୁଣି ମନ୍ତ୍ରୀ ଟିକେ ରାଗିଯିବାର ଛଳନା କରି କହିଲେ, “ତୁମେ ଯାହା କହିଲ ତାହା ପ୍ରମାଣ କର ।”
ବିଜୟ ବିନମ୍ର ଭାବରେ କହିଲା, “ଆପଣ କହିଲେ ଆପଣଙ୍କ ମିତ୍ରଙ୍କର ଯେମିତି ନିଦ୍ରାଭଙ୍ଗ ହେଲା ସେ ଥରି ଥରି ହୃଦୟ ରୋଗରେ ପୀଡିତ ହୋଇ ମରିଗଲେ । ତେବେ ଏତେ ବଡ ସ୍ୱପ୍ନ ବୃତାନ୍ତ କେତେବେଳେ ସେ ଆପଣଙ୍କୁ କହିଲେ?”
ଏଥିରୁ ମନ୍ତ୍ରୀ ସୁବୁଦ୍ଧି ଜାଣିପାରିଲେ ଯେ ବିଜୟ ସୂକ୍ଷ୍ମବୁଦ୍ଧିସମ୍ପନ୍ନ । ସେ ତାକୁ ଶ୍ରଦ୍ଧା ପୂର୍ବକ ବହୁତ ପ୍ରଶଂସା କଲେ । ତା’ପରେ ସେ ରାଜାଙ୍କୁ ବିଜୟ ବିଷୟରେ ସବୁକିଛି କହି ବିଜୟକୁହିଁ ରାଜାଙ୍କର ପ୍ରଧାନ ପରାମର୍ଶଦାତା ପଦରେ ରଖିଲେ ।