Lalita Mohan Mishra

Drama Tragedy Others

3  

Lalita Mohan Mishra

Drama Tragedy Others

ଝିଅ ଭାର

ଝିଅ ଭାର

5 mins
12.5K


     ନିର କକେଇ ଯାନି ଯୌତୁକ ଦେଇ ସୁରମାକୁ ବାହା କରେଇ ଦେଲେ । ଗାଁ ଠାରୁ ତିରିଶ କିଲୋମିଟର ଦୂର ତେନ୍ତୁଳିଆ ଶାସନ ହରି ଦାଶଙ୍କ ଘରେ । ପୁଅଟି ଚେନ୍ନାଇରେ କମ୍ପାନୀ ସର୍ଭିସ୍ କରିଛି । ପିଲାଟି ଦେଖିବାକୁ ଚଳିବ... ସେତେ ଅସୁନ୍ଦର ନୂହେଁ । ହେଲେ ଶାଶୁ ମାଆଟା ବଡ ନଖରି । ସବୁ କଥାରେ ବାହୁନିବା ଗୋଟେ ଅଭ୍ୟାସ । ଆମର ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁସାରେ ସବୁ ଦିଆନିଆ କଲେ ନିର କକେଇ ।


      ଝିଅ ଟିଏ ବାହା କଲା ବେଳେ ବାପା ମାଅା ତାଙ୍କର ସକ୍ଷମ ଅନୁସାରେ ଚଳଣି ମୁତାବକ କଂସା ଗିନା ଖଟ ପଲଙ୍କ ଇତ୍ୟାଦି ଦେଇ ଝିଅ କୁ ବିଦା କରିଥାନ୍ତି । ତଥାପି ବହୁକ୍ଷେତ୍ରରେ ପୁଅ ଘରର ଲୋକମାନେ ଭିନ୍ନ ଭିନ୍ନ ଉପାୟ ରେ ସେମାନଙ୍କ ଅସନ୍ତୋଷ ଜାହିର କରିବାରେ ପଶ୍ଚାଦପଦ ହୁଅନ୍ତି ନାହିଁ । ସୁରମା ଶ୍ବଶୁରଟି ମଲା ମାଛିକୁ ମ' ବୋଲି କୁହନ୍ତି ନାହିଁ । କିନ୍ତୁ ଶାଶୁ କୁ ଯେତେ ଦେଲେ ମଧ୍ଯ ତାର ମନ ପାଏ ନାହିଁ । ସବୁ କ୍ଷେତ୍ରରେ ଅସନ୍ତୋଷ । ଏଇ ଯେମିତି ଝିଅ ଭାର ....ଆମ ଏପଟେ ବାହାଘର ପରେ ଝିଅ ବାପ ଘରୁ ଆଠ ଦଶଟି ଭାର ପ୍ରାୟ ଆସିଥାଏ । ଯଥା - ଆଠୁଆରୀ ଭାର, ସାବିତ୍ରୀ ଅମାବାସ୍ୟା,ରଜ ଭାର, କୁମାର ପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଦୋଳ ପୂର୍ଣ୍ଣମୀ ଇତ୍ୟାଦି ଇତ୍ୟାଦି ...... । ସମୟ ଓ ଦରକାର ଅନୁସାରେ ମଧ୍ୟ ମଝିରେ ମଝିରେ ଭାରର ସଂଖ୍ୟା ବଢି ଥାଏ । ସେଇଟା ଶ୍ବଶୁର ଘର ଲୋକ କିମ୍ବା ଶାଶୁ ଙ୍କ ପାରିବା ପଣିଅା ଉପରେ ନିର୍ଭର କରେ ।


    ଏ ସବୁର ଅନୁଭୂତି କାହାର ଅଛି କି ନାହିଁ ମୁଁ ଜାଣେନାହିଁ । ତଥାପି ମୋ ଅନୁଭୁତି ରୁ କହୁଛି - ପର୍ବ ପର୍ବାଣୀ ଟିଏ ପାଖେଇ ଆସିଲେ ଶାଶୁ ମାନେ ଦେଖେଇ ଶିଖେଇ ହୋଇ କହିବା ଆରମ୍ଭ କରି ଦିଅନ୍ତି । ଘର କୁ କେହି ଗୁରୁଜନ ଶ୍ରେଣୀୟ ଲୋକ ବୁଲିବାକୁ ଆସିଲେ । ତାଙ୍କୁ ବି କହିବାକୁ ଭୂଲନ୍ତି ନାହିଁ ଯେ - ଛୋଟ ଲୋକ ଘରେ ତ ବନ୍ଧୁ ବାନ୍ଧିଲି.... ତାର କ'ଣ ଅଛି ଯେ... କି ଭାର ଦେବ ସେ ? ? ଜୀବନ ସାରା ସବୁ.... ସାଇ ଭାଇ ବୋହୁଙ୍କର ଭାର ଖାଇଲି ! ଏ ମଣିଷ ଭାଗ୍ୟ ରେ କ'ଣ ଅଛି ଯେ... କାହା କୁ କହିବି... କ'ଣ ଟିକେ ବାଣ୍ଟି ପାରିବି ? ଛାଡ ମୋ ଭାଗ୍ୟ !


    ଏମିତି କେତେ କଥା କହି ଶାଶୁ ମାଆ ଅନ୍ୟ ଆଗରେ ନିଜ ଘର ବୋହୁର କଥା ବଖାଣୁଥାନ୍ତି । ନୂଆବୋହୁ ସୁରମାଟି ସବୁ ଶୁଣୁ ଥାଏ । ତଥାପି କ'ଣ ସେ କହିପାରେ ଯେ.... ନିର କକେଇ ତିନି ତିନିଟା ଝିଅ ଜନମ କରିଛନ୍ତି । ସୁରମାର ଶାଶୁ ଘର ପଟେ.... ସବୁ କଥାରେ ଶ୍ବଶୁର ଘରୁ ଭାର । ଏ କଥା ଆଗରୁ ଜାଣି ନ ଥିଲେ ନିର କକେଇ । ତା ପରେ କାହାକୁ କେତେ ଦେଇ ସନ୍ତୁଷ୍ଟ କରିବେ ! ଜଣେ ମଣିଷ.... ରଞ୍ଜନ ଭାଇଟି ବାହା ରେ ଚାକିରୀ କରିଛି । ଘରେ ଆଉ କିଏ ଅଛି ଯେ ସଦାବେଳେ ଭାର ଧରି ଆସିବ ? ନା ଏକଥା କହିପାରେ ସୁରମା.... ଯେ ବାହାଘରରେ ସବୁ ଦେଇନେଇ ମୋର ବାପା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇ ପଡିଛନ୍ତି । ପୁଣି ତାଙ୍କ ଉପରେ ଆଉ ଗୋଟେ ବୋଝ ଦେବା ଠିକ୍ ହେବନି । କିନ୍ତୁ କିଛି କହି ପାରେନି । ସେ ଲୁ୍ଚେଇ ଲୁ୍ଚେଇ ବୋଉ ପାଖକୁ ଲେଖେ ଚିଠି । ନ ହେଲେ ଆଜିକାଲି ଫୋନ୍ ରେ "ବୋଉ ଜାଣିବୁ ତୋ ଝିଅ ଭଲରେ ଅଛି । ତାଙ୍କ ଏପଟେ ଭାର ଥୋର କଥା ବହୁତ ଧରନ୍ତି । ତୁ ସୁବିଧା କରି ବାପାଙ୍କୁ ପୂର୍ଣ୍ଣମୀ କୁ ପଠେଇବୁ । କିଛି ନ ଲେଖି... କିଛି ନ କହି.... ବି ଝିଅ ସେ ଧାଡିକରେ ସବୁ ଲେଖିଦିଏ... କହିଦିଏ। ଯାହା ମା' ହିଁ ବୁଝିପାରେ ।


      ତା ପରେ ଭାର ସଜଡା ହୁଏ । ଲୁଗା ପଟା, ପେଡିସଜ, ପରିବା ପତ୍ର କିଣା ହୁଏ । ମିଠା ଭାର ପାଇଁ ଗୁଡିଅା ଡକା ହୋଇ ଘରେ ଛଣା ଛଣି ଚାଲେ । ସେଠାକୁ ଯିବା ଆଗଦିନ ରାତିରେ ଭାର ପ୍ରସ୍ତୁତ ହୁଏ । ମିଠା , ନିମିକି , ଲଡୁ , ଲବଙ୍ଗ ଲତା, ଖିରଗଜା ଆହୁରି କେତେ ପ୍ରକାରର । ସମସ୍ତଙ୍କର ସେତେବେଳେ ଟିକିଏ ଚାଖିବାକୁ ମନ ହୁଏ ନା ? ଚାଖିବା ପର୍ଯ୍ୟନ୍ତ ତ ଠିକ୍ ଅଛି । ଖାଇବା ପର୍ଯ୍ୟନ୍ତ କଥା ଗଲେ। ଵୋଉ ଜାତୀୟ ପ୍ରାଣୀ ଟି ପାଟି କରି ଉଠେ ...ଯା ଖାଇଦିଅ ସବୁ.....ଆଉ ତାଙ୍କ ଘରକୁ ଯିବ କ'ଣ ? ?


         ଭାର ତିଅାରି ସରେ...ନିର କକେଇ ମଙ୍ଗୁଳି ଭାଇକି ନେଇ ଯିବାକୁ ବାହାରନ୍ତି ...ସୁରମାର ବୋଉ ତାର ବାପାଙ୍କୁ ପୁଣି ମନେ ପକେଇ ଦିଅନ୍ତି ....ହେଇଟି ଶୁଣ ତାଙ୍କର ଯାହା ବି କହିଲେ କିଛି ତୁମେ କହିବ ନାହିଁ .....ଆମେ ଝିଅ ଦେଇଛେ ପରା....ସୁରମାର ବାପା ସମ୍ମତି ସୂ୍ଚକ ମୁଣ୍ଡ ହଲାଇ ଦିଅନ୍ତି । ଭାରି ନିରାଶ୍ରୟ ଲାଗନ୍ତି ସେତେବେଳେ ନିର କକେଇ.....


       ଝିଅ ଘରେ ପହଞ୍ଚନ୍ତି କକେଇ .....ତାଙ୍କୁ ଦେଖି ଖୁବ୍ ଗୋଟାଏ ଖୁସି ହୋଇଯାଆନ୍ତି ସମୁଦି । କିନ୍ତୁ ସମୁଦିଙ୍କ ହସ ହସ ମୁହଁ ହଠାତ୍ ହାଣ୍ଡି ପରି ହୋଇଯାଏ ସମୁଦୁଣୀ ଙ୍କ ଆଗମନକୁ ଦେଖି । ସମୁଦୁଣୀ ବଡ ଗୋଟାଏ ହାଣ୍ଡିପରି ମୁହଁ କରି କହନ୍ତି - ସମୁଦି କାହିଁକି... ଅଯଥା ଗୁଡେ ହଇରାଣ ଖର୍ଚ୍ଚାନ୍ତ ହେଲ ? ମୁଁ ଯଦି ଜାଣି ଥାନ୍ତି ଏମିତି ଆଣିବାର .... ତାହାହେଲେ ତୁମକୁ ଆଗରୁ ମନା କରି ପଠେଇ ଥାନ୍ତି.....ଆମର କିଏ ଅଛି ଯେ ତାକୁ ସବୁ ଖାଇବ ? ସାଇ ପଡିଶା ବନ୍ଧୁ ବାନ୍ଧବ ଘରକୁ ନେଇ କିଏ ଯିବ ବାଣ୍ଟିବାକୁ ?ତୁ୍ଛା ହଇରାଣ କଲେ ଯାହା ଆମକୁ..... ତା ପରେ ବୋହୁ ଉଦ୍ଦେଶ୍ୟ ରେ ଆଲୋ ହେ ନେଇ ଯା ତୋ ବାପାଙ୍କୁ.....କିଛି ଜଳଖିଅା.... ପାଣି ପଣା ଦେ.....ଚିରା ଚରିତ ଢଙ୍ଗରେ ।


          ନିର କଣେଇ କୁହନ୍ତି ...ଥାଉ ସମୁଦୁଣୀ ଥାଉ ...ଆଉ କେବେ ଆସିବି....ଏଇଠି ମୋ ସାନ ଭାଇ ଘର ସେ ମୋତେ ଅପେକ୍ଷା କରିଥିବ ଖାଇବାକୁ......ତା ପରେ ଶାଶୁ ଙ୍କ କଅଁଳିଅା କଥା... ହଉ ଯାଅାନ୍ତୁ ! ଯେମିତି ଆପଣ ଙ୍କ ଇଛା....ଦେଖନ୍ତୁ ଝିଅ କୁ ଦେଖିବାକୁ ମଝିରେ ମଝିରେ ଆସିବେ ନିଶ୍ଚୟ । 


   କକେଇ ଗେଟ ପର୍ଯ୍ୟନ୍ତ ଯାଉ ଯାଉ ପଛକୁ ଦେଖନ୍ତି....ଝରକା ଫାଙ୍କରୁ ତାଙ୍କର ଅଲିଅଳି ଝିଅର ଦୁଇଟି ଆଖି ଦେଖୁଥାଏ । ଦୁଇଧାର ଲୁହ ସହ.....ସତେ ଯେମିତି କହୁଥାଏ । ବାପା ମତେ ଜନ୍ମ କରି କେତେ ସରି ହେଲ ସତେ ?


   ତା ପରେ ଶାଶୁ ମାଆଙ୍କର ସ୍ବର ଶୁଭେ .....ଆଲୋ ଆଲୋ... ଏତିକି ଜିନିଷ ମାତ୍ର....ଏଥିରୁ ଖାଇବ କେତେ ଆଉ ବାଣ୍ଟିବ କେତେ ? ହଉ...ବାଣ୍ଟି ଦେଲେ ଯାଏ....କିଏ ବା ସେଗୁଡା ଖାଇ ବାକୁ ମରିଯାଉଛି ଯେ ?


      ଶ୍ୱଶୁର ଙ୍କ ଉଦ୍ଦେଶ୍ୟ ରେ ଶାଶୁ କୁହନ୍ତି... ହେଇଠି ଶୁଭୁଛି - ଏଠିକି ଆସ ସବୁ ପ୍ୟାକେଟ୍ କର । ଝିଅ ଝିଆଣି ବନ୍ଧୁ ବାନ୍ଧବଙ୍କ ଘରକୁ ଦେବାକୁ ପଡିବ । ନିଜ ବାପ ଘର ପୁଡା ଟିଏ ନିଜେ ବାନ୍ଧିଲା ବେଳକୁ କୁହନ୍ତି । ମୋ ରମା ଭାଇ ଖିର ଗଜା ଖାଇବାକୁ ଭଲ ପାଏ,ସନିଆ ଭାଇ ଏଇଟା କହି କହି ଗୋଟେ ଆଖି ଦୃଶିଅା ପୁଡା ଟେ କରିସାରିଲା ପରେ ...ଅନ୍ୟ ସବୁ ପୁଡା ଉଣା ଅଧିକେ ତିଆରି ହେବ.....ମଝି ରେ ଗୋଟେ ତାଗିଦା ହଉଥିବ

ନରସିଂହ ଅଜାଙ୍କର ଘର ପାଇଁ ବନ୍ଧା ହେଲା କି ?....ଗୋଲି ଘର ପାଇଁ ରଖିଲ କି ? ଇତ୍ୟାଦି ଇତ୍ୟାଦି .....


    ଏଥର ଶ୍ୱଶୁରଙ୍କ ପାଳି । ବୁଢା ମଣିଷଟି ସେ ପୁଡିଅା ପୁଡିଆ ଧରି ବାଣ୍ଟି ବାହାରିବେ । ଭାରି କଷ୍ଟ ଦାୟକ ଦୃଶ୍ୟ । ଯାହା ଘରକୁ ଯାଆନ୍ତି.. ସେ କୁହନ୍ତି - ହେ ମଉସା ବେକାର..... ଆପଣ ଏତେ କଷ୍ଟ କରି ଧରି ଆସିଲେ କି ? ୟାକୁ ସବୁ ଆମର କିଏ ଖାଇବ ଯେ ? ଆପଣଙ୍କ ଜୋଇଁ ଙ୍କର ତ ଡାଇବେଟିସ୍...ଆଉ ଆଜିକାଲି ପିଲାଏ କ'ଣ ଏସବୁ ଖାଉଛନ୍ତି କି ?


   ତୁମ ମାଉସୀ ପଠାଇଛନ୍ତି.....ବୋହୁ ଭାର ଆଣିଥିଲା ତ.....ହଉ ମଉସା ବସନ୍ତୁ ଚା ଟିକେ କରେ.....ନା ରେ ମା' .. ଥାଉ ଯାଏ....ଆହୁରି ଶହେ ଘର ବାଣ୍ଟିବାର ଅଛି.......


   ଭାର ବଣ୍ଟା ହୋଇଥିବା ଜଣଙ୍କ ଘରକୁ ଯିବା......କାହାର କଣ ହୋଇଥିଲା କି ଭାଉଜ ? ଉତ୍ତର ମିଳେ ....ହଁ ସେ ଗଡ ସାହି ମଉସା ଆସିଥିଲେ ତାଙ୍କ ବୋହୁର ପୂର୍ଣ୍ଣମୀ ଭାର ନେଇ । ମୁଁ ମନା କରୁ୍ଛି ଥୋଇ ଦେଇଗଲେ । କିଏ ତାକୁ ଖାଇବ ଆମର ଯେ । ତୁମେ ଖାଇବ ତ ଖାଅ । ଏବେ ଖାଇବାକୁ ଇଛା ନାହିଁ । କିଏ କିଏ ମନରେ ଭାବେ କେତେ ଦିନ ତଳର ଜିନିଷ ଖାଇ ଦେହ ଖରାପ କରିବି କାହିଁକି... କିମ୍ବା ମୁଁ ଡାଏଟ୍ ରେ ଅଛି ମିଠା ଖାଇବା ଛାଡି ଦେଇଛି..... ମଉସା ଦେଇଥିବା ପୁଡା ଯଥା ସ୍ଥାନରେ ଆଗାମୀ ଛଅ ସାତ ଦିନ ପର୍ଯ୍ୟନ୍ତ ପଡିଥାଏ । 


   ଲଡୁ ଉପରେ ଫିମ୍ପି ଲାଗିଯାଏ । ଅବା ଫ୍ରିଜ୍ ରେ ରହି ରହି ଖରାପ ହୋଇଯାଏ । ବାହାରେ ଅଳିଅାରୁ ବଟଲ ଜରି ଇତ୍ଯାଦି ନେବାକୁ ଆସିଥିବା ପିଲାଟିକୁ ମିଠା ପୁଡିଆଟି ଦେଲେ। ପିଲାଟି କହିଲା - ମା' ମିଠା ଖରାପ ହେଲା ଯାଏଁ ରଖି ଦେଲ । ଅଥଚ ଭଲ ଥିଲା ବେଳେ ମତେ ଦେଇ ଦେଲନି ? ମୁଁ କେତେ ଖୁସିରେ ଖାଇଥାନ୍ତି ...


    ସୁରମା ବାତାୟନ ଫାଙ୍କରୁ ଦେଖି ଭାବି ହେଉ ଥିଲା । ମୋର ବାପା କେତେ କଷ୍ଟ କରି କେତେ ଲୋକଙ୍କ ଠାରୁ କେତେ କଥା ଶୁଣି ଭାର ଆଣୁଛନ୍ତି ... ଅଥଚ ତା'ର ମହତ୍ତ୍ବ କିଏ ବୁଝୁଛି । ବୋଉ ସେପଟେ ଝିଅ ଘରକୁ ଭାର ଯିବ ବୋଲି କାହାକୁ ଗୋଟିଏ ସ୍ପର୍ଶ କରାଇ ଦିଏ ନାହିଁ ।


Rate this content
Log in

Similar oriya story from Drama