Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ଜେଜେଙ୍କୁ ପ୍ରେମ ପତ୍ର ଟିଏ

ଜେଜେଙ୍କୁ ପ୍ରେମ ପତ୍ର ଟିଏ

5 mins
321


ପୂଜନୀୟ ଜେଜେ

ଭୂମିଷ୍ଠ ପ୍ରଣାମ ଜଣାଉଛି ଜେଜେ ସତରେ କଣ ପୁନର୍ଜନ୍ମ ଅଛି ?,ତୁମେ ଏଵେ କୋଉଠି ଜେଜେ ?ଏ ଉତ୍ତର ମତେ ବା କିଏ ଦେବ ଏଵେ ଏଵେ କହିଲେ ଭୁଲ ହେବ ଦୁଇହଜାର ଊନୀଶ ମସିହାରେ ଯାଇଥିଲି ସ୍ୱାମୀ ପୁଅ ବୋହୁ ଙ୍କ ସହ ତୁମ ଆରାଧ୍ୟ ଦେବୀ ଚଣ୍ଡୀମନ୍ଦିର .ବହୁତ କିଛି ବଦଳି ଯାଇଛି ,ମାଆ ଙ୍କର ପ୍ରତିମୂର୍ତ୍ତି ତଥା କିଛି କିଛି ବଦଳିବା ଭିତରେ ବି ତୁମ ସ୍ମୃତି ସବୁ ମନେ ପଡିଗଲା .

ମୋ ବାହାଘର ହେବା ପୁର୍ବରୁ ତୁମେ ଚାଲିଗଲ ଜେଜେ ,ସେଇ ଅଫେରା ରାଇଜକୁ .ସେଇ ବ୍ଲକ କଲୋନୀ ଅଛି ,ହେଲେ ଆମ କ୍ଵାଟରଟି ଭାଙ୍ଗି ପଡିଛି ,ତଥାପି ସେହି ଭଙ୍ଗା କ୍ବାଟର ପାଖେ କିଛି ସମୟ ଠିଆ ହୋଇ ଅତୀତ ସ୍ମୃତି ଚାରଣ କଲି ,ମୋ ପିଲାଦିନ ସ୍ମୃତି ରେ ତ ତୁମେ ହିଁ ମୋର ସବୁଠୁ ଆପଣାର ନା ଜେଜେ .ତୁମେ ବ୍ରାହ୍ମଣ ଆମେ କରଣ ହେଲେ କିଏ କହିବ ତୁମେ ମୋ ରକ୍ତର ନଥିଲ ? ମୋ ବୋଉ ବାପା ,ତୁମ ପୁଅ ବୋହୁ ବା ଝିଅ ଜୋଇଁଙ୍କଠୁ ବି ବଳକା ଥିଲେ .ମୋ ବାପା ମୋର ମାଟ୍ରିକ ପର୍ଯ୍ୟନ୍ତ ଅର୍ଥାତ ଚତୁର୍ଥଶ୍ରେଣୀରୁ ଯେ ଏକାଦଶ ଯାଏଁ ଆମେ ସେଠି ବ୍ଲକ ଓ ତହସିଲ କ୍ଵାଟର ରେ ରହି ବଡ ହୋଇ କଲେଜ ପଢିବାକୁ ପୁରୀ ଆସିବା ପର୍ଯ୍ୟନ୍ତ ତୁମ ସହ ମୋର ଓ ମୋ ପରିବାର ସହ ସମ୍ପର୍କ .

ମୁଁ ସପ୍ତମ ଶ୍ରେଣୀ ଏନ .ଆର .ଟି .ଏସ ପରୀକ୍ଷାରେ ,ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ,ସେତେବେଳର ନିୟମ ଅନୁଯାୟୀ କୌଣସି ସହରର ସରକାରୀ ସ୍କୁଲରେ ପଢିବାକୁ ପଡିବ ଓ ବୃତ୍ତି ମିଳିବ ବୋଲି ବାପା ମୋର ଲାଗିପଡିଥାନ୍ତି ମତେ ପାଠ ପଢ଼େଇ ଯେମିତି ହେଲେ ବୃତ୍ତି ପାଇବାକୁ ହେବ ବୋଲି ଆଉ ତୁମକୁ ମାଆ ଚଣ୍ଡିଙ୍କୁ ମାଜଣା କରିବାକୁ କହିଥାନ୍ତି ,ହେଲେ ତୁମେ ନାତୁଣୀର ବିଚ୍ଛେଦ ସହି ପାରିବ ନାହିଁ ବୋଲି ,ଲୁଚେଇ ଲୁଚେଇ ଚଣ୍ଡିଙ୍କୁ ମୋ ଅସଫଳତା ମାଗୁଥିଲ ନା ? ତେଣୁ ସେଲେକ୍ସନ ହୋଇଥିଲେ ବି ମୁଁ ଅକୃତକାର୍ଯ୍ୟ ହୋଇଥିଲି ,ଆଉ ପୁରୀ ଯାଇ ମାମୁଁ ଘରେ ରହି ଜିଲ୍ଲା ସ୍କୁଲରେ ପାଠ ପଢିବାକୁ ମୋର ବି ଇଚ୍ଛା ନଥିଲା ,ଆଉ ବାପା ଯେତିକି ଦୁଃଖ କଲେ ,ତୁମେ ଭିତରେ ଭିତରେ ସେତିକି ଦୁଃଖ କଲ .ମତେ ଏତେ ଭଲ କାହିଁ ପାଉଥିଲ ଜେଜେ ?

ମୁଁ ଜାଣିବାରେ କୌଣସି କାମ ତୁମର କରିଦେଇନି ,କି ଦିନେ ତୁମ ଗୋଡ଼ ଘଷି ଦେଇନି ,ଯାହା ସବୁ କରେ ବୋଉ ,ତୁମ ହାଇଡ୍ରୋସିଲ ଅପରେସନ ତଥା ,ଦୁଇଓଳି ଖଳି ରୁଟି ଖିଆ କଥା ,ସବୁ ବୋଉ ବୁଝେ ,ତୁମେ କିନ୍ତୁ ଚଣ୍ଡି ମାଆଙ୍କ ପାଖେ ଲାଗୁଥିବା ବାଳ ଭୋଗ ଓ ପିଆଜ ପକା ଖେଚେଡ଼ି ଓ ଚୁଙ୍ଗୁଡ଼ି ମହୁର ତଥା ଗୋଟା ବଳି ପକା ପୋଡା ମାଛ ଆଣି ଥରକୁ ଥର ଦେଇଯାଅ ଆମ ଘରେ .ମୁଁ କିନ୍ତୁ ସେସବୁ କୁଣ୍ଠାବୋଧ କରି ଖାଏ ,କାରଣ କହେ ତୁମେ ତୁମ କାନ୍ଧରେ ପକାଇଥିବା ଗାମୁଛାରେ ସୂଉଁ ସୂଉଁ ହୋଇ ସିଙ୍ଗାଣି ପୋଛିଥିବ କାଳେ ,ବୋଉ ରାଗେ ,ହେଲେ ଆଜି ସେଥିରୁ ମୁଠେ ମତେ କିଏ ଦେବ ପ୍ରସାଦ ମାଆଙ୍କର ?ମୋ ପାପର ପ୍ରାୟଶ୍ଚିତ ତ ପ୍ରାୟଶ୍ଚିତ ନାହିଁ ,କିନ୍ତୁ ମତେ,ନିସ୍ଵାର୍ଥ ଭଲପାଉଥିବା ମୋ ଜେଜେଙ୍କୁ ମୁଁ ଭୁଲି ପାରୁନି ଏଯାଏଁ l

ତୁମ ସହ ବିତାଇ ଥିବା ଦିନ ଗୁଡିକ ଭିତରେ ତୁମ ଚୁଙ୍ଗୁଡ଼ି ସଂଗ୍ରହ ,ବିଲେଇ ଛଡା ,ବିଲେଇ ଲାଞ୍ଜରେ ତାଳଫୋଟକା ବାନ୍ଧିଦେବା ,ତୁମେ କଟାଇଥିବା ରାଜାଘର ରୋଷେୟା ସମୟର କଥା ,ତୁମ ପରିବାରରେ କେହି ନାଁହାନ୍ତି ,କେବଳ ଝିଅ ,ଯିଏ ଗୁରୁବାଈରେ ବାହାହୋଇଛନ୍ତି ଆଉ ତାଙ୍କ ପୁଅକୁ ତୁମେ ତୁମ ଅନ୍ତେ ଚଣ୍ଡିଙ୍କ ସେବା ପାଇଁ ଏହି ନୂଆପଡା ଚଣ୍ଡୀ ମନ୍ଦିରରେ ରଖାଇବା ଯୋଜନା କଥା ,ଆଉ ମୁଁ ପୁରୀରେ ମାମୁଁଘରେ ରହି କଲେଜରେ ପଢିବାକୁ ଚାଲି ଆସିବା ପରେ ତୁମ ସହ ବିଚ୍ଛେଦ କଥା ତଥା ବାପାଙ୍କ ବଦଳୀ ପରେ ଆମ ଘରେ ପାଳିତ ପୋଷା କୁକୁର ତୁମ ଜିମାରେ ରହି ଆମପରିବାରକୁ ଝୁରି ଝୁରି ମରିବା କଥା ,ଓ ନୂଆ ବଦଳୀ ସ୍ଥାନକୁ ତୁମେ ଆମ ପାଇଁ ଘିଅ ,ଚୁଙ୍ଗୁଡ଼ି ଶୁଖୁଆ ଇତ୍ୟାଦି ନେଇ ଚିଲିକା ପାର ହୋଇ ଓଡ଼ଙ୍ଗା ,ବେଗୁନିଆ ,ଆସିବା କଥା ଆଉ ବାପାଙ୍କର ବାଣପୁର ବଦଳୀ ପରେ ମୋର ତୁମ ପାଖକୁ ଯିବା କଥା ଆଜି ବି ନାଟକର ଗୋଟେ ଗୋଟେ ଦୃଶ୍ୟ ପରି ପ୍ରତୀୟମାନ ହୁଏ .ରକ୍ତ ସମ୍ପର୍କ ନଥାଇ ଜଣେ ଅନ୍ୟର ବାପା ,ଜେଜେ ହୋଇ ରହିଯିବା ପାଇଁ ଏକମାତ୍ର ରଜ୍ଜୁ ସ୍ନେହ ,ଶ୍ରଦ୍ଧା ,ଭଲପାଇବା ଆଉ ଆନ୍ତରିକତାର ଫାଶ ଯେ ଏତେ ନିବିଡ଼ ,ତୁମ ମୋ ସମ୍ପର୍କ କଥା ଯିଏ ପଢିବ ନିଶ୍ଚୟ ବୁଝିପାରିବ ,ସେଇ ଭଲପାଇବା ଯାହା ତୁମଠୁ ,ମୋ ଆଈଙ୍କଠୁ ତଥା ମୋ ବାପା ମାଆ ଓ ଭାଇ ଭଉଣୀଙ୍କଠୁ ପାଇଛି ,ଜୀବନରେ ଏସବୁ ଭଲପାଇବା କାଟି ଆଉ କାହା ସହ ଭଲପାଇ ପ୍ରେମ କରିବା ମୁଁ ଜୀବନରେ ଶିଖିନାହିଁ l

ତୁମେ ମୋ ବାହାଘର ପୁର୍ବରୁ ଚାଲିଗଲ ସେପାରିକୁ ,ବାହାହେଲା ପରେ ସ୍ବପ୍ନ ରେ ତୁମକୁ ଦେଖେ ଯେ ତୁମ ପଛରେ ମୁଁ ଗୋଡ଼ାଇ ଗୋଡ଼ାଇ ଜେଜେ ଜେଜେ ଡାକି ଦଉଡୁଛି ,ଆଉ ତୁମେ କହୁଛ ତୁ ଫେରିଯାଅ ବାୟାଣୀ ,ମତେ ବହୁଦୂର ଯିବାକୁ ହେବ ,ମୁଁ ବି ତୁମ ସହ ଯାତ୍ରା ଦେଖିବାକୁ ଯିବି ,ଯେମିତି ଯାଏ ପିଲାଦିନେ ସାତଶଂଖ ଅପେରା ପାର୍ଟି ପଡିଥାଏ ପଂଚୁଦୋଳ ଓ ଦଶଦୋଳକୁ ,ଆଉ ତୁମ ସହ ମୁଁ ଯାଇ ବାଲି ପଡିଆରେ ଯାତ୍ରା ଦେଖୁ ଦେଖୁ ଶୋଇଯାଏ ତୁମ କୋଳରେ ଆଉ ଡୁଏଟ ବେଳେ ତୁମେ ଉଠେଇଦିଅ ,ଧଡପଡ ହୋଇ ଉଠି ଦେଖେ ",ମୋ ସଙ୍ଗେ ଲାଗେନାରେ ,ମତେ ତୁ ଛୁଁ ନାରେ ,ମତେ ରାତି ସାରା କାଲି ଜର ସାରା ରାତି କାଲି ଛଟପଟ ହେଲି ଚାହିଁ ଚାହିଁ ବାଟ ତୋର ",ଭାରି ଭଲଲାଗେ ,ଗୀତ ପ୍ରତି ଆଗ୍ରହ ସୃଷ୍ଟି ତୁମ ସହ ଯାତ୍ରା ଦେଖାରୁ . ହଁ ସ୍ବପ୍ନରେ ମତେ ଫେରେଇ ତୁମେ ଚାଲିଗଲ ବହୁଦୂର ,ଆଉ ମୁଁ ଧଡପଡ ହୋଇ ଉଠି ବସେ ,ମୋ ପାଖରେ ଥିବା ଆଈଙ୍କୁ ସବୁ କୁହେ ,ସେ ବିଚଳିତ ହୋଇ ପଡେ କେତେ କଣ ଧଣ୍ଡା ,ତୁଳସୀ ମାଳ ଆଣି ଝାଡିଦିଏ .ତୁମ ଭୂତ କିନ୍ତୁ ସ୍ମୃତି ହୋଇ ଏଯାଏଁ ଅଛି ଜେଜେ .ମୋ ପିତୃପୁରୁଷମାନଙ୍କ ଭିତରେ ତୁମେ ଜଣେ ଓ ଦେଖିନଥିବା ଜେଜେମା ଙ୍କୁ ବି ମୁଁ ଏବେବି ଜଳଲାଗି ଭୋଗଲାଗି କରେ ତୁଳସୀ ମୂଳେ ତଥା ପିତୃପୁରୁଷଙ୍କୁ ଭୋଗ ବାଢ଼ିଲାବେଳେ ପୁଣି ଶ୍ରାଦ୍ଧ ,ଦୀପାବଳୀ ରେ ,ମୋ ନିଜ ଜେଜେମା ଜେଜେ ,ଆଈ ଅଜା ଓ ଏଵେ ବାପାଙ୍କ ଭିତରେ ,ଆଉ ଆଉ ଅନ୍ୟାନ୍ୟ ପିତୃପୁରୁଷମାନଙ୍କ ମଧ୍ୟରେ ତୁମ ସ୍ଥାନ ମୋ ପାଇଁ ଶ୍ରେଷ୍ଠ .ତୁମ ପାଇଁ କିଛି କରିପାରିନଥିବା ଗ୍ଲାନି ଭିତରେ ଏଇ ଅର୍ଘ୍ୟ ଟିକକ ବାଢ଼ିଲା ବେଳେ ମୁଁ ଭାବେ ଶ୍ରାଦ୍ଧ କର୍ମରେ କେତେ ମହନୀୟତା ରହିଛି ସତରେ ସେତେବେଳେ ଉଠେଇଥିବା କ୍ୟାମେରାରେ,ତୁମ ସହ ଦୁଇଟି ଫୋଟୋ ରହିଯାଇଥିଲା ମୋ ପାଖେ ,ଗୋଟିକରେ ତୁମେ ଏକା ,ଆଉ ଗୋଟିକରେ ତୁମ ସହ ମୁଁ ଓ ମୋ ଭାଇଭଉଣୀମାନେ .ପରବର୍ତ୍ତୀ ସମୟରେ ନୂଆପଡା ବ୍ଲକ ର ଜଣେ ଭି .ଏଲ .ଡ଼ବ୍ଳ୍ବୁ ଙ୍କୁ ପାଇ ,ତୁମ ଗୋଟିକିଆ ଫଟୋଟିକୁ ବଡ଼ କରି ତାଙ୍କ ହାତରେ ମାଆ ଚଣ୍ଡୀ ମନ୍ଦିରରେ ଥିବା ପୂଜାରୀ ,ତୁମ ନାତିଙ୍କୁ ଦେଇଦେବାକୁ କହିଥିଲି ଆଉ ସେ କାମଟି କରିଦେଇଥିଲେ ,ପରିଚୟ ପାଇ ନାତି ତୁମର ଥରେ ଦିଥର ଆସିଛନ୍ତି ମୋ ପାଖକୁ ,ଆଉ ବାପା ତୁମକୁ କରାଇ ଦେଇଥିବା ବାର୍ଦ୍ଧକ୍ୟ ଭତ୍ତା ତଥା ,ତାଙ୍କୁ ଚଣ୍ଡୀମନ୍ଦିରରେ ରଖାଇଦେବା ପ୍ରଚେଷ୍ଟାରେ ବାପାଙ୍କ ସହଯୋଗ କଥା କହି କୃତ୍ୟ କୃତ୍ୟ ହେଲାବେଳେ ମୋର ତୁମ ସ୍ନେହ କେବଳ ଆଖିରେ ନାଚିଛି ,ତୁମେ ମୋ ସତ ଜେଜେ ନୁହଁ ଭାବିବାକୁ ଦେଉଥିବା ,ତୁମ ନାତି ସହ ସମ୍ପର୍କ ଆଗକୁ ବଢ଼ି ପାରିନଥିଲେ ବି ,ମତେ ଆଉ ମୋ ସ୍ୱାମୀ ତଥା ପୁଅ ବୋହୁଙ୍କୁ ଦେଖୁ ଦେଖୁ ଚିନ୍ହିଲେ ,ନାନୀ ବୋଲି ଦେଖି ଡାକି ଖୁସି ହେଲେ ,ଭୋଗ ବସିଥିଲା ଗହଳି ଲାଗିଥିଲା ,ମାଆ କୁ ମୁଣ୍ଡିଆ ମାରି ତୁମ ନାତି ନାତୁଣୀ ବୋହୁଙ୍କ ସଙ୍ଗେ ଦୁଃଖ ସୁଖ ହେଲା ଭିତରେ ମୋ ବାପା ସେଠାରେ ପକେଇଥିବା ନଡ଼ିଆଗଛ ଛାଇରେ କିଛି ସମୟ ବସିଲି ,ତୁମକୁ ,ବାପାଙ୍କୁ କେତେ ମନେପକେଇଲି ଆଉ ତୁମ ପ୍ରସ୍ତୁତ ମାଆଙ୍କ ପ୍ରସାଦକୁ .ଫରିଆସିଲା ବେଳେ ଲାଗୁଥିଲା ତୁମେ ତ ମୋ ପାଖରେ ଅଛ ସେଦିନ ରାତିରେ ,ତୁମ କୁ ସ୍ବପ୍ନ ଦେଖିବା ପରେ ପରେ ,ମୁଁ ହେଲି ଅନ୍ତଃସତ୍ଵା ,ଜନ୍ମ ହେଲା ପୁଅ ,ତାର ସବୁ କରୁଥିଲା ମୋ ଆଈ ,ତୁମର ମନେ ଅଛି ଜେଜେ ,ମୋ ଆଈ ଆମଘରକୁ ନୂଆପଡା ଆସିଲେ ,ତୁମେ ତାପାଇଁ ବି ଭୋଗ ଅଧିକା ରାନ୍ଧି ପ୍ରସାଦ ଅର୍ଥାତ ମାଆ ପାଖେ ଭୋଗ କରି ଆଣିଥାଅ ,ତୁମେ ଚାଲିଯିବା ଖବର ପାଇବାବେଳେ ,ଆମ ଘରେ ବାଣପୁରରେ ବି ଆଈ ଥାଏ ଆଉ ମୁଁ କଇଁ କଇଁ ହୋଇ କାନ୍ଦୁଥିଲା ବେଳେ ମତେ ବୁଝେଇବାକୁ ଯାଇ ସେ ବି କେତେ କାନ୍ଦିଥିଲା .ଆଉ ମୋ ବାହାଘର ପରେ ମୁଁ ଯେବେ ତା ଅଧୀନରେ ରହି ବିଇଡି ପଢ଼ୁଥିଲି ,ପୁରୀରେ ,ସେତିକି ବେଳେ ଦେଖିଥିଲି ତୁମକୁ ସ୍ବପ୍ନ ଓ ତା ପରେ ପୁଅ ଜନ୍ମ ତ ଆଈ ସବୁବେଳେ କଣ କୁହେ ଜାଣିଛ ଜେଜେ ? ଅଜା ମୋ କୋଳକୁ ଫେରିଆସିଲେ ନକହି କୁହେ ଜେଜେଙ୍କ ପାଇଁ ଏତେ କାନ୍ଦୁଥିଲୁ ,ଆସିଗଲେ ତୋ କୋଳକୁ ,କହି ତେଲ ହଳଦୀ ଲଗେଇ ବଢ଼େଇ ଦିଏ ପୋଛାପୋଛି କରି ପୁଅକୁ ମୋ ହାତକୁ ,ଆଉ ଆଜି ସେ ମଣିଷ ଟିଏ ପରି ମଣିଷ ହେଉ ବାପା ସହ ମିଶି ମୋ ମୁଁହରେ ନିଆଁ ଟିକେ ଦଉ ,ଏତିକି ଆଶୀର୍ବାଦ ମାଗି ରହୁଛି l

ଇତି

ତୁମ ବାୟାଣୀ



Rate this content
Log in

Similar oriya story from Abstract