ଜେଜେ
ଜେଜେ
କାହିଁ କେତେ ସକାଳୁ ଉଠି , ନିତ୍ୟକର୍ମ ସାରି ରାତି ୪ .୩୦ ଟାରୁ ଚାହା ଲାଗି ବରାଦ କରିଦିଅନ୍ତି। ବୟସ ୮୫। ଆଜିବି ନିଜ ଜୀବନର ସଂଯମତା ଏବଂ ପ୍ରତିଟି କାଳାସଂକୁ ଠିକ ଠାକ୍ ଭାବେ ଶେଷ କରିବାକୁ ଭ ପାଆନ୍ତି। ନା .... ଗଳ୍ପ ନୁହେଁ ଆଖିରେ ଦେଖିଛି ମୋ ଜେଜେଙ୍କୁ।
ଚୁଟି ଗୁଡା ଧଳା ହେଇଗଲାଣି, ଗୋଟେ ଦାନ୍ତ ବି ନାହିଁ।ଏକୋଇରବଳା ବିଶିକେଶନ ଭଳି ଆଜିବି ଆଇଁଷ ନହେଲେ ଭାତ ଯାଏନି। ଠିକ୍ ସେ ଦେଖି ପାରୁନାହାନ୍ତି, ନ ଦେଖାଯିବା ଫଳରେ ପାଦ ଦୁଇଟି ବି ଥକି ପଡ଼ିଲାଣି।
ଦୁଆରକୁ ମାଛ ବିକା ଆସିଲେ ଯଦି ବାହାରକୁ ଚାଲିଆସନ୍ତି ମାଛ କିଣି, ମାଆ ଶୁଣେଇ ଦିଏ ଏବେ ତ ପୁରା ଆଖିକୁ ଭଲ ଦେଖାଯାଉଥିବ। କେବେ କେବେ ପୁଣି ବିରକ୍ତିର କହେ ,ସେ ମାଛ ଆଣିଲେ ଫୋପାଡି ଦେବି ଯେମିତି ଖାଉଛ ଖାଆ। ଜେଜେ ନରମି ଯାଇ କୁହନ୍ତି ଯାହା କରୁଛ କର, ତୁମ ଇଛା।
ବଡ଼ ବୋଉ କେବେ କେବେ କୁହେ ଅଲଖ ବସିଥିଲେ ଆମେ ତାଙ୍କ ଆଗକୁ ଯାଉନା।ଆଜି ମୁଁ ଆଖିରେ ଦେଖୁଛି ସେଇ ଲୋକଟା ଏତେ ଅସହାୟ ହେଇଯାଇଛି ଯେ ,ତା ଚାରିପଦ କଥାର ଗୋଟେ ପଦ ଉତ୍ତର ମିଳେ। ଥରେ ଥରେ ଶୁଣେଇ ବି ଦିଅନ୍ତି ଘର ଲୋକମାନେ ,ତମର କିଛି କଥାରେ ମୁଣ୍ଡ ପୁରାଇବା କିଛି ଦରକାର ନାହିଁ। ଖାଇଛ।ଶୋଇପଡ।
ଶୋଇପଡନ୍ତି ବି ସେ ବିନା ପ୍ରଶ୍ନରେ।
କେବେ କେବେ ଚିଲାନ୍ତି , ଯେବେ ବିରକ୍ତ ହୋଇ ପଡନ୍ତି। ଶିକ୍ଷକ ଥିଲେ। ବହୁତ୍ ମଣିଷ ଜୀବନରେ ଗଢ଼ିଛନ୍ତି। ବେଳେ ବେଳେ ଭାବନ୍ତି, ନିଜ ଘର ଗଢ଼ିବାକୁ ସମୟ ଦେଇପାରିଲେନି ବୋଲି ଆଜି ଅସହାୟ ହୋଇଗଲେ। ଆମେ ନାତୀନାତୁଣି ଘରେ ଥିଲେ ତାଙ୍କ ମନ ଖୁସି। କିଛି ସମୟ ତ ମିଳିଯାଏ ଆମ ସହ ବିତେଇବାକୁ।
ଖୁବ୍ ଛୋଟରୁ ଛୋଟ ଜିନିଷ ଲୁଚେଇ ରଖନ୍ତି ଘର ଲୋକଙ୍କ ଠାରୁ....
କାହିଁକି ଜାଣନ୍ତି??
ମୋତେ ଦେବା ଲାଗି , ଆମକୁ ଦେବା ଲାଗି!
ସେ ୧୦ ଟଙ୍କିଆ ନୋଟ୍ ଟିଏ ହେଉ କି ୩ଟଙ୍କିଆ ବରା।
ନିଜ ତକିଆ ତଳେ ସେ ଯାଏଁ ଲୁଚେଇ ରଖିଥାନ୍ତି ଆଉ ଜଗି ବି ବସିଥାନ୍ତି,ଯେ ଯାଏଁ ଆମେ ତାଙ୍କ ପାଖକୁ ନ ଆସିଛୁ। ବାହାରେ ବୁଲିବା ଆମ କାମ, ନ ଖାଇ ଲୁଚେଇ ରଖିବା କାମ ତାଙ୍କର।
ତାଙ୍କ ପ୍ରତି ଖାଇବାର ଭାଗ ଆମର।
ଥରେ ଥରେ ବୁଝିପାରେନି କାହାକୁ ଡରିକି ଆମକୁ ଲୁଚେଇ ସବୁ ଦିଅନ୍ତି ନା ବାସ୍ ଏମିତି ହିଁ। କ'ଣ ଭାବନ୍ତି ସେ?? ଘରେ ସମସ୍ତେ ତ ଖାଉ ପିଉ ସବୁକିଛି କରୁ ପୁଣି ଏ ଲୁଚେଇ ବାର ପ୍ରୟାସ କାହିଁକି ? ଶିକ୍ଷକ ହିସାବରେ ସବୁବେଳେ ପିଲାଙ୍କୁ "ଚୋରି କରିବା ପାପ" ଶିଖେଇ ଆସିଥିବା ଲୋକଟା ନିଜେ ପୁଣି ନିଜ ଘରେ ଏଇ ଛୋଟ ଛୋଟ ଜିନିଷକୁ ଚୋର ଭଳି ଲୁଚେଇ ରଖିବାର କାରଣ କ'ଣ?
ଅନ୍ଧ ଭଳି ଭଲପାଏ ପ୍ରତିଟି ବାପ। କିନ୍ତୁ ବାପା ଯେ ପିଲାଙ୍କ ଲାଗି ମିଛୁଆ,ରାଧୁଆ ହୋଇଯାଆନ୍ତି କେବେ କେବେ ଅନୁଭବ ବି ହୁଏ ଜେଜେଙ୍କୁ ଦେଖି। ବହୁତ୍ ଭଲ ମୋ ଜେଜେ। ବହୁତ୍ ଥର ତାଙ୍କ ଲାଗି ଲେଖିବାକୁ ଇଚ୍ଛା ହୁଏ, କିନ୍ତୁ ହାତ ହିଁ ଆଗକୁ ବଢେନି। ଜୀବନରେ ବହୁତ କିଛି ଭୁଲ୍ ବୁଝାମଣାର ଚକା ତଳେ ପଡି ହରେଇ ବସେ ମଣିଷ। ମୁଁ ଚାହୁଁଛି, ବାସ୍ ଆମ ପରିବାରରେ କେବେ ଏସବୁ ନହେଉ।
ପାକୁଆ ପାଟିରେ କଥା ଗୁଡାକ ଯେ ସ୍ପଷ୍ଟ ହେଉଥାଏ ବାରି। ମୋ ଦେହ ଖରାପ ହୋଇଛି ଶୁଣିଲେ ଯାଇଥାନ୍ତି ଭାରି ଡରି। ଆମେ ଆଜି ଏତେ ଦୂରରେ ରହୁଛୁ , ହେଉଥାନ୍ତି ସଦା ଭାଳି
ଜମ୍ବେଶ୍ଵର ସେଇ ପ୍ରିୟ ଜେଜେ ମୋର ହୁଏ ନାହିଁ ତାଙ୍କୁ ଭୁଲି। ହୁଏ ନାହିଁ ତାଙ୍କୁ ଭୁଲି।
