ଅତୀତର କିଛି ମିଠା କିଛି ଖଟା
ଅତୀତର କିଛି ମିଠା କିଛି ଖଟା
କୁଆଡେ ଚାଲିଲେ?
- କାହିଁ ତୁ କ'ଣ ଗଜପତି? ତତେ ସବୁ କଥା କହିକି କରିବି?
- ଭଲରେ କହିବୁ ନା ବାବାଙ୍କୁ ଡାକିବି? ବାବା....ବାବା... !
- ହଉ ହଉ କହୁଛି କହୁଛି... ଯାଉଛି ସର (ସରସ୍ଵତୀ) ଘରକୁ ।
ଏତିକି କହିଦେଇ ଦଉଡି ଚାଲିଆସେ ମୁଁ ।ଆଉ ମୋ ଭାଇ ଗୋଡ଼ାଏ ମୋତେ କାହିଁ କେତେ ଦୂର କିନ୍ତୁ ଧରିପାରେନି ଆଉ ସାହି ଯାକ ଲୋକ ଆମକୁ ଚାହିଁ ଥାନ୍ତି, ଯେମିତି ଆଫ୍ରିକା ଦେଶରୁ ଆମେ ଦୁଇ ଜେବ୍ରା ଆଉ ଜିରାଫ ଧରା ହୋଇ ଆସିଛୁ !
ଦୁଷ୍ଟାମୀ ସରିଯାଏ ଆମ ଦୁହିଁଙ୍କ ଠୋଠୋ ହସରେ ।
- କ'ଣ ସତରେ ସେ ମୋତେ ଧରି ପାରେନି ?
- ଯିଏ ଚମ୍ପିୟାନ !
- ମୁଁ ଜାଣେ ମୁଁ ଯିତି ଗଲେ ସେ ଯେତିକି ଖୁସି ହୁଏ ନି ତାକୁ ଅଧିକ ଖୁସି ହୁଏ ମୋ ପାଖରୁ ହାରିଛି ବୋଲି ।
ଥରେ ଥରେ ଏକାଠି ବସିଲେ ଆରମ୍ଭ ହୋଇଯାଏ ଶ୍ରେଣୀ ପିଲାଙ୍କ ଚର୍ଚ୍ଚା । ମୁଁ ତ ଭାରି ଦୁଷ୍ଟ ।
କିନ୍ତୁ ନିଜ ସମସ୍ୟା ନିଜେ ସମାଧାନ କରେ ।
ସବୁ ସାର୍ ମାନେ ମୋତେ ଟିକେ ବେଶୀ ଭଲପାଆନ୍ତି କାହିଁକି ମୁଁ ନିଜେ ବି ଜାଣିନି ।
ଥରେ ଥରେ କ୍ଲାସ୍ ରେ ଗଣିତ କଲା ବେଳେ, ସାର୍ ବ୍ଲାକ୍ ବୋର୍ଡକୁ ଆମ ଭାଇଭଉଣୀଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି ।ଆଉ ମୁଁ ଜାଣି ଜାଣି ଡେରି କରେ, ନାଁ ତ ଭାଇକୁ ଵତେଇଵି କେମିତି ?
ସାର୍ ତ ବୁଝି ଯାଆନ୍ତି ମୋ ଚପଳାମି । ସେଥିପାଇଁ ଆମ ଦୁହିଁଙ୍କୁ ଆଉ ଏକାଠି ଗଣିତ କରିବାକୁ ପଠେଇଲେନି । ମୋତେ ତ ଭାରି ରାଗ ଲାଗେ ।
ଆଉ ସାର୍ ଙ୍କୁ ବି କୁହେ; ସାର୍ ଯେବେ ଆପଣଙ୍କର ପୁଅ ଝିଅ ହେବେ ମୁଁ ତାଙ୍କୁ ପଢେଇବି ଆଉ ସବୁ ରାଗ ସୁଝେଇବି ।
ସାର୍ କୁହନ୍ତି-ଯାମ ମୁଁ କାହିଁ ମୋ ପିଲାଙ୍କୁ ତୋ ପାଖକୁ ଛାଡ଼ିବି ?
- ନିଜେ କ'ଣ ନଥିବିକି ?
- ନା ସାର୍ ନା ..... ଆପଣଙ୍କୁ ସମୟ ନଥିବ ।
- କିଛି ଚଗଲାମି କଥା କହି ଚିଡେଇ ଦିଏ ସାର୍ ଙ୍କୁ; ଆଉ ସାର୍ ବ୍ୟସ୍ତ ରହିଯାଆନ୍ତି ନିଜକୁ ଠିକ୍ ବୋଲି ପ୍ରମାଣିତ କରିବାର ଚୁକ୍ତି ସହ । ଆଉ ୟା ଭିତରେ କ୍ଲାସ୍ ସରିଯାଏ, ମୋ ଖରାପ ଅଭ୍ୟାସ ମୁଁ ଯୁକ୍ତି କରେ । ସେଥିଲାଗି ମୋ ଭାଇ ବି ଵେଳେ ବେଳେ ମୋ ଉପରେ ରାଗିଯାଏ ।
ମୁଁ ତ ପକା ଗାଲୋଇ ।
ଜମା ଆଗ କଥା କୁହେନି, ସେ ହିଁ ମନାଏ ।
ଆଉ ଥରେ ଥରେ ତ ମୋତେ ବି ଚିଡ଼େଇ ଦିଏ ନିଜ ସାଙ୍ଗମାନଙ୍କ ନା କହି । ସେ ଜାଣିଛି ମୁଁ ଯେତେ ବି ରାଗେନା କାହିଁକି ତା ଝିଅ ଡାକରେ ମୋ ରାଗ ଥଣ୍ଡା ହୋଇଯାଏ ।
ଥରେ ଥରେ ପଚାରେ ଝିଅ ! ୧୦ମ ସରିଲେ ଆମ ରାସ୍ତା ଅଲଗା ହୋଇଯିବ ନା ?
- ମୋତେ ଲାଗେ ଯେମିତି ବିଦ୍ୟୁତ୍ ଶୀତକାର ପହଁରି ଯାଉଛି ଛାତିରେ । ତନ୍ଦ୍ରା ଭଙ୍ଗ ହେଲାପରି ହଠାତ୍ ଚେଇଁ ଉଠେ ମୋର ଦୁଇ ଆଖି । ଭବିଷ୍ୟତରେ ଥିବା ପ୍ରଶ୍ନର ଉତ୍ତର ନା ଖୋଜି କହିଦିଏ ମୁଁ...।
- ଭଲ ହେବ । ତୋ ଠାରୁ ତ୍ରାହି ମିଳିବ ।
- ସେ ବି କୁହେ ; ତୁ ଚଣ୍ଡୀ... ଯେତେ ଶୀଘ୍ର ମୋ ପାଖରୁ ଯିବୁ ସେତେ ଭଲ । ଏମିତି ରେ ବି ତୋର କିଛି କାମ ନାହିଁ । ମାଗଣା ଖାଇ ଅର୍ନ ଧ୍ୱଂସ କରୁଛୁ ।
- ପୁଣି ଆରମ୍ଭ ହୋଇଯାଏ ଆମ ଦୁହିଁଙ୍କର ଶବ୍ଦ ମହାଭାରତ ।
- କେତେ ଯେ ଦୁଷ୍ଟାମୀ କେତେ ଯେ ଚଗଲାମୀ ସବୁକିଛି ସରିଗଲା ଆଉ ଭାସିଵି ଗଲା ସମୟର ସ୍ରୋତ ସହ ....
ଆଜି ଦୁହିଁଙ୍କ ରାସ୍ତା ସଂପୂର୍ଣ୍ଣ ଅଲଗା । ଥରେ ଥରେ ଭାବେ ସାଥି ହୋଇଥିଲୁ ଗୋଟିଏ ଜାଗାରେ ଜାକିଜୁକି ହୋଇ ଶୋଉଥିଲୁ । ପଦାକୁ ବାହାରି ଆସିଲା ପରେ ସେ ମୋଠୁ ୨ ମିନିଟ୍ ବଡ଼ ହୋଇଗଲା ଆଉ ଜୀବନ ରାସ୍ତାରେ ମୁଁ ତାଠାରୁ ୨ପାଦ ଆଗରେ ରହିଗଲି । ଆଜି ମନେ ପଡେ ତା କଥା । ତା ସହ ବିତେଇ ଥିବା ପ୍ରତିଟି ମୁହୂର୍ତ୍ତ । ସେ ମୋ ଭାଇ ନୁହେଁ ମୋ ହୃଦୟରେ ବସା ବାନ୍ଧିଥିବା ସୁନ୍ଦର ଅନୁଭବଟିଏ ।
ଯାହାକୁ ଖୋଜେ ମୋ ଆଖିର ଝଲକ୍ ପ୍ରତି ମୁହୂର୍ତ୍ତରେ ।
