Lopamudra Parida

Action Inspirational

3  

Lopamudra Parida

Action Inspirational

ଜାଗର

ଜାଗର

7 mins
172



ପଛରୁ ବୋଉ ଡାକପକାଏ, ' ଏଇ ରହ ରହ ରହ ' । ନଇଁ ପଡି ହାତକୁ ମୁଠେଇ ଧରି କୋଳକୁ ଉଠେଇ ନିଏ ।କହେ ,' ରହ ,ଅମୁଣିହା ପରା ।ଏଇଲେ ଲାଗେନା ।ବାପା ଭୋଗ ବାଢିକି ଆସନ୍ତୁ, ବହୁତ ଦେବି ।' ଅନେଇଁ ରହୁ ।ବାପାଙ୍କ ଫେରିବା ବାଟକୁ ।ରାତି ପାହିଯାଏ ।ତା ପର ଦିନ ସକାଳୁ ପୁଣି ଧାଉଁ ।ବୋଉ କହେ ଏଇଠି ବସ ।କଦଳୀ ପତ୍ର ରେ ଥୋଇଦିଏ ଆଖି ଆଗରେ ପାରିଜାତକ, ମୁଠିଗଜା, ବଡ ଖଜା, ଜଗନ୍ନାଥ ବଲ୍ଲଭ ରୁ ଚେନେ ଚେନେ ।କହେ ' ଆଗେ ସାରେ ଏତିକି, ଆଉ ଦେବି ।ଲୋକନାଥଙ୍କର ରହଣୀ ମାହାର୍ଦ ପରା ।ତଳେ ଜମା ପକେଇବୁନି ।' ମିଠା ଅବା କାହାର ପ୍ରିୟ ନୁହେଁ, ପୁଣି ମୋ ପରି ଚିନା ଚିନା ପିଲାଙ୍କର ତ ଲାଖ ଲାଗିଥାଏ ।ଥରକୁ ଥର ମନ ସେଇ ନବତନ ବାଇହାଣ୍ଡି ଆଡକୁ ଟାଣୁଥାଏ ।କିନ୍ତୁ ଲୋକନାଥଙ୍କର ଅମୁଣିହା ବୋଲି ଦିଅଁଙ୍କ ଘର ଭିତର ପଟକୁ ରହନ୍ତି ।ସେଇଠି ଖାଇ ପାଣି ଛିଞ୍ଚି ଗଛ ମୂଳରେ ହାତ ପଖାଳିବାକୁ ହୁଏ ।

ଜାଗର ଦିନ ଆଗରୁ ହି ଜାଗର ଆସିବାର ଖୁସିଟି ଆଗେ ଭେଟେ ।ଘରେ ଘରେ ଅମୁଣିହା ଭୋଗ ପାଗ ବସେ ।ଭାରି ନିଷ୍ଠା ରେ ମୁହଁରେ ବାଘମୁଖା ତୁଣ୍ଡି ବାନ୍ଧି ରାନ୍ଧନ୍ତି ଖଜା କାରିଗର ମାନେ ଯାହାର ବରାଦ ଯେମିତି ଅନୁସାରେ ।ସାଧାରଣତଃ ବ୍ରାହ୍ମଣ କାରିଗର ଦେଖାଯାଏ ।ସେଦିନ ସକାଳୁ ମୁଣ୍ଡ ବୁଡେଇ ଗାଧେଇ ବାଟ ଲୋକନାଥଙ୍କୁ ଆଗେ ବୋଉ ହାତ ଧରି ଦର୍ଶନ କରିଆସୁ ।ଲୋକନାଥଙ୍କ ପ୍ରତି ସମର୍ପିତ ମନଟି ମାନ ଅବଚେତନ ତାଙ୍କ କ୍ରୋଧକୁ ନେଇ ସଚେତନ ଥାନ୍ତି ଓ ସେଇ ଅନୁଯାୟୀ ତାଙ୍କ ପୂଜା ବିଧି ପ୍ରତି ଅଧିକ ଏକନିଷ୍ଠ ଭାବେ ଯତ୍ନବାନ ହୁଅନ୍ତି ।ଶିବ କାଳେ ଭାରି ରାଗି କିନ୍ତୁ ତାଙ୍କରି ନାଁ ବି ଆଶୁତୋଷ ।କିନ୍ତୁ ପିଲାମନକୁ ତ ଭୟ ନା ବାଘକୁ ନା ଫାଗକୁ ।

ବାଟ ଲୋକନାଥ

***************

ବଡଦେଉଳ ସିଂହିଦୁଆର ଠୁ ମହୋଦଧି ଆଡକୁ ସିଧା ଦକ୍ଷିଣକୁ ଲମ୍ବିଥିବା ରାସ୍ତା ମଝିରେ କିନା ବାଟକାଳୀଙ୍କ ପରେ ପରେ ବାଟ ଲୋକନାଥ ବିଜେ କରିଛନ୍ତି ।ପୁରାତନ ମନ୍ଦିର ।ବିରାଟ ସୁଦୃଶ୍ଯ ପ୍ରସ୍ତର ସିଂହ ଦୁଇଟି ଦୁଆରେ ଦଣ୍ଡାୟମାନ ।ବାଁ ପଟକୁ ଛୋଟିଆ ଦୋକାନଟିଏ ।ଡାହାଣ ପଟେ କେତୋଟି ଭିକାରୀ ଚିରାଚରିତ ଢଙ୍ଗରେ ।ଦୋକାନ ଟିରେ ଖଲି ପତ୍ର, କଦଳୀପତ୍ରରେ ସାକର, ଖଣ୍ଡ ସାକର, ଦୀପ

,ଧୂପ,ପଇଡ,ଭାଙ୍ଗ,ମହୁ,ଗଙ୍ଗାଜଳ, ଫୁଲ,ବେଲପତ୍ର, ଦୁଦୁରା, ଅରଖ, ଗୟଶ, ମନ୍ଦାର, ମୁଠେ ଶ୍ବେତ ଟଗର, କନିଅର ସହ ତୁଳନାତ୍ମକ ଭାବେ ବହୁତ ସଂଖ୍ୟାରେ ବିଲ୍ବପତ୍ର ସହ ଶୁଭ୍ରକେଶୀ ବୃଦ୍ଧା ।ମାଟିଦୀପର ଅଗରେ ଆଗରୁ ସଜଡା ଦୀପରେ ତମ ବରାଦକୁ ଚାହିଁ ଆଉ ଟିକେ ସଜ ଘିଅ ଅପେକ୍ଷାରତ ବଳିତା ଉପରେ ଦେଇ ବୁଢା ଆଉ ବିଶି ଆଙ୍ଗୁଳିରେ ମନ୍ଥି ଗୁଣ୍ଡ ଗୁଣ୍ଡ ଚୁନା ଶ୍ବେତ କର୍ପୁର ଝରେଇଦେଇ ହାତକୁ ବଢେଇଦିଅନ୍ତି ମଥାର ଲୁଗାଟି ଆଉ ଟିକେ ଆଗକୁ ଟାଣିଦେଇ ।

ଦେଉଳର ଜଗମୋହନରେ ବାଁ ପଟେ ଦିଅଁଙ୍କ ସୁନ୍ଦର ବୃଷଭ ଆଉ ନନ୍ଦୀବୃନ୍ଦୀ ଠିଆ କାଠର ହାନ୍ଦୋଳା ଯୋଉଥେରେ ଦିଅଁ ଶୀତଳଷଷ୍ଠୀ ଦିନ ବିଜେ କରି ନଗର ଭ୍ରମଣ କରନ୍ତି ।ମତେ ସେଇଟି ଦେଖିବାକୁ ଭାରି ଭଲ ଲାଗେ ।ରଙ୍ଗ ଦେବା, ଗଠନ, ଦୃଷ୍ଟି ରୁ ପଟ୍ଟଚିତ୍ର ର ଛବି ସବୁ ସତ ହେଲା ପରି ଦିଶୁଥାନ୍ତି ।ଡାହାଣକୁ କାନ୍ଥେ ଚିତ୍ରିତ ମହାକାଳୀ ,ଏବଂ ଅନ୍ଯାନ୍ୟ ଦେବଦେବୀଗଣ ,ଶୈଳୀ ପାରମ୍ପରିକ ପଟ୍ଟଚିତ୍ର ।ଭିତର ଗୁମୁଟରେ ବିନମ୍ର ଭଙ୍ଗୀରେ ଆଣ୍ଠଆ ନନ୍ଦି ବୃଷଭ ଓ ତାଙ୍କ ଉପରେ ଓହଳମାନ ସାନବଡ ହେଇ ଘଣ୍ଟିଟି ମାନ ।ମୁଣ୍ଡ ଆପେ ବୃଷଭ ପିଠିରେ, ଦି ଶିଙ୍ଗ ମଝି ଦେଇ ଗର୍ଭଗହ୍ବର ତଳେ ଥିବା ଲୋକନାଥ ଙ୍କୁ ଅବଲୋକନ ପୂର୍ବକ ମାଗୁଣିଟି ବୃଷଭ ପିଠିକୁ ଆଉଁସୁ ଆଉଁସୁ ତା କାନରେ ଧିମାଗଳାରେ ବଖାଣିବା ।ଭାଇନାଙ୍କୁ ଘର୍ଷଣ କଦଳୀ, ଲାଗି ପାଇଁ ଖିର ଆଉ ଅନ୍ଯାନ୍ୟ ଦେଇ ହାତ ଯୋଡି ମନ୍ଦିର ଗର୍ଭ କୁ ଚାହିଁବା ।ନିଜର ଗୋତ୍ର ଓ ଘର ଯାକର ଯେତେ ଜଣଙ୍କ ନାଁ ମନେ ପଡିବ ବଡ ପାଟିରେ କୈଳାସକୁ ଶୁଭିଲା ଯାଏ ଡାକିବା ଆଉ ଭାଇନା ତଳେ ପାଣି, ଖିର ପିତଳଢାଳରୁ ଧିରେ ଗଡଉଗଡଉ ପୁନରାବୃତ୍ତି କରିବା ।ଶିବଲିଙ୍ଗ ତ ସାଧାରଣତଃ ଦିଶନ୍ତିନି, ଫୁଲ, ବେଲପତ୍ର ରେ ଢାଙ୍କିହୋଇଥିବା କାରଣ ।ଯେତେ ଜଣ ଆସନ୍ତି ଭାଇନା ଥରୁଟେ ଦିଅଁ ମଥାଉପରଟିରୁ କିଛି ଫୁଲ ବେଲପତ୍ରି ଶକ୍ତି ବେଢାକୁ ଖସେଇନେଇ ପୁଣି ନୂଆ ଫୁଲଟି ଦେବା ଭିତରେ ଚିକ୍କଣ କଳା ଲିଙ୍ଗଙ୍କର କିୟଦଂଶ ଦର୍ଶନ ହୁଅନ୍ତି ।ଲିଙ୍ଗଙ୍କ ସିଧା କାନ୍ଥରେ ଆଙ୍କିହୋଇ ହସୁଥାନ୍ତି ଅର୍ଦ୍ଧ ନାରୀଶ୍ବର ।ତଳେ ପିତଳ ଚଳନ୍ତି ପ୍ରତିମା ମାନେ ମଣ୍ଡିହୋଇ ପୁଷ୍ପଅଳଙ୍କାରରେ ଆଶିଷ ଓଜାଡୁଥାନ୍ତି ।

ଭାଇନା ତୁମ ହାତକୁ ତମ ଭୋଗ ତକ ବଢଉ ବଢଉ ତମେ ଟଙ୍କେ କି ଦଶଟଙ୍କା ଯାହା ଦକ୍ଷିଣା ବାବଦକୁ ଦେଇ ଜୁହାର ହେଇ ପାଦୁକ, ବେଲପତ୍ର ପାଇ ବାଁ ପଟ ବେଢା କୁ ଚାରୋଟି ପାହାଚ ଦେଇ ବାହାରିଯାଅ ।ପାଦ ଥିରି ପକେଇବାକୁ ହୁଏ କାରଣ ଏଇଟି ଶିବ ମନ୍ଦିର ।ପ୍ରବେଶ ଦ୍ବାରଠୁ ପାଦ ଖସୁଥାଏ ।ତଳ ଯାକ ପାଣି, ଆଉ ସମସ୍ତେ ଓଦା ସରସର ହେଇ ଦର୍ଶନ କୁ ଆସନ୍ତି ।ପାଣିପଣା ଢଳା ଲାଗିଥାଏ ।ଲୋକନାଥଙ୍କର ମୁଣ୍ଡ ଥଣ୍ଡା ରଖିବାର ପ୍ରୟୋଜନେ ।ଟିକେ ଅନ୍ଯମନସ୍କେ କଚଡାଏ ।

ଭିତର ବେଢାରେ କଳରେ ହାତ ପ୍ରକ୍ଷାଳନ ବ୍ଯବସ୍ଥା ରହିଛି ।ଜଗନ୍ନାଥଙ୍କର ପ୍ରସାଦ ପାଇ ମୁଣ୍ଡ ରେ ହାତ ବୋଳାଯାଏ, କିନ୍ତୁ ଲୋକନାଥଙ୍କର ପାଦୁକ ପରେ ସାବଧାନ ସହ ହାତଟି ଧୋଇନେବାକୁ ହୁଏ ।ସେଇଠୁ ଦକ୍ଷିଣ ମୋଡନେଇ ଗଣପତି, କାର୍ତ୍ତେଶ୍ବର,ବିରାଟ ବିଲ୍ବଗଛ, ଓ ହରପାର୍ବତୀଙ୍କୁ ଦର୍ଶନ ସାରି ପାଦୁକ ନଳା ଏପଟୁ ଫେରିବାକୁ ହୁଏ ।ପାଦୁକ ନଳା ଡେଇଁବା ମନା ।ସେ ବାରଣ ପଛର କାରଣ ଯାହାବି ଥାଉ ଆମେ ମାନିଆସୁଛୁ ଆପେ ବୋଉ ଭରିଆଙ୍କୁ ଦେଖି ଦେଖି ।ପାଦୁକନଳା ସେପାଖକୁ ପାଦୁକ କୁଣ୍ଡ ଓ ଦିଅଁଙ୍କ ବାମ୍ଫିକୂଅ ।ଲେଉଟାଣି ବେଢାଠି ଆଉଥରେ ଗଣପତି ଦର୍ଶନ କରି ବାହାରକୁ ପଛୁଆ ପଛୁଆ ।ମାନେ ଦିଅଁଙ୍କ ପଟକୁ ମୁହଁ କରି ,ପଛକରି ନୁହେଁ।ବାବା, ବାବା ହେ ,ଆହେ ଲୋକନାଥେ, ବାବା ଡାକ ସହ ମନ୍ଦିର ର କୋଣ ଅନୁକୋଣ ଗୁଞରିତ ସଦାସର୍ବଦା ।ବାଉଁଶ ମେଲା ପାଛିଆରେ ଗୋଟେ କଣ କୁ ବସିଥିବା ମଗ୍ନ ମାଳିକକାଙ୍କର ନମଃ ଶିବାୟ ନମଃ ଶିବାୟ ଗୁଣୁ ଗୁଣୁ ଉଚ୍ଚାରଣ ସହ ହାତ ସାଏଁ ସାଏଁ ତ୍ରିପତ୍ରୀ ଅକ୍ଷତ ବେଲପତ୍ର ବାଛିଚାଲିଥାଏ ଓ କେଉଁ କୋଣରେ ଧ୍ଯାନ କି ଯୋଗମୁଦ୍ରାରେ ଲଲାଟରେ ଶିବତିଳକ ମାରି ନିମିଳିତ ନୟନରେ ଏ ପୃଥିବୀ ରେ ଦେହ ଥାଏ ଶୂନ୍ୟ ମଣ୍ଡଳେ ଭାସୁଥିବା କିଏ କିଏ ରୁଦ୍ରାକ୍ଷଧାରୀ ବି ଦିଶିଯାନ୍ତି ।ଘରପାଖ ଆଉ ଆମ ସାହି ଦିଅଁ ହେଇଥିବାରୁ ନିତି ସକାଳୁ ନହେଲେ ସୋମବାର ତ ନିଶ୍ଚିତ ଦର୍ଶନ ହୁଏ ହି ।

ବାଲି ଲୋକନାଥ

_**************

ବଡଦେଉଳଠୁ କୋଡିଏ କି ପଚିଶ କିଲୋମିଟର ବାଟ ହବ କି କ'ଣ ।ଏବେ କଥା କହୁନି, ବହୁ ଦିନୁ ଯାଇନି ।ଆଗେ ସବୁ ଜାଗରକୁ ନବାହ୍ନ କୁ ଯିବା ହୁଏ ପୁରା ପରିବାର ସହ ।ଘର ପାଖ ପିକନିକ ପରି ଲାଗେ ।ତେନ୍ତୁଳି ଓ ଅନ୍ଯାନ୍ୟ ବହୁ ବିରାଟ ବୃକ୍ଷ ଘେରା ଜଙ୍ଗଲ ସଦୃଶ ସ୍ଥାନ। ସେଥିପାଇଁ ବେଶୀ ପ୍ରିୟ ।ସାଧାରଣତଃ ନିର୍ଜନ ଓ ଶାନ୍ତ ।ଟିକେ ଦୂରରେ ଗାଡିରଖି ପାଦେ ବାଟ ଚାଲିବାକୁ ହୁଏ ଶୃଙ୍ଖଳା ଦୃଷ୍ଟିରୁ ।ବହୁତ କରୁଣ ଅବସ୍ଥା ରେ ସେ ଗଛ ଜଙ୍ଗଲ ସଂନ୍ଧି ରେ ବସିଥାନ୍ତି କୁଷ୍ଠରୋଗଗ୍ରସ୍ଥ ଅନେକ ଲୋକ ଲୁଗାଟିଏ ପାରି ।ତା ଉପରେ ଏଇ ତୀର୍ଥଙ୍କର ମାନଙ୍କ ଦୟାଦତ୍ତ ଅକ୍ଷତର ଛୋଟିଆ କୁଦଟିଏ ଗଢିହେଇଥାଏ, ଯେଉଁ ଥିରେ କି ପାଞ୍ଚ, ଦଶ,ଓ ଷଟକୋଣି କୋଡିଏ ପଇସାରୁ ମୁଠେ ବିଞ୍ଚାହେଇଥାନ୍ତି ।ଆଉ କଳା କଳା ଗୋଟା ବିରି ପରି କିଛି ବି ଦିଶନ୍ତି, ଜାଣେନା କଣ ।ତାଙ୍କ ହାତ ପାଦ,ମୁହଁ ର ଅବସ୍ଥା ଦେଖି ଏକାସାଙ୍ଗେ ଭୟ ଓ ଦୁଃଖ ଉକୁଟି ଆସେ ପିଲାମନରୁ ।ବୋଉ ଘରୁ ବୁଜୁଳାଏ ଚାଉଳ ଆଉ ରେଜା ଆଣିଥାଏ ।ମୁଠେ ମୁଠେ ଦେଇ ଦେଇ ଯାଏ, ନୋହିଲେ "ବାଣ୍ଟିନିଅ ସମାନକି" କହି ତାଙ୍କ ଭିତରେ ଯିଏ ଅପେକ୍ଷାକୃତ ଦୟାଳୁ ପରିଦିଶେ ତାକୁ ଦେଇଆସେ ।ମା, ମା ,ବାବା, ବାବା ବୋଲି ଡାକ ପାରୁଥାନ୍ତି ସେମାନେ ନୋହିଲେ ତାଙ୍କ କାମରେ ହଜିଥାନ୍ତି କେତେକ ।ତୁମେ ଦେଲେ ଭଲ ନଦେଲେ ଭଲ ,ବୈରାଗ୍ୟ ବା ବିତୃଷ୍ଣା ଜନିତ ପରି ।

ସୁନ୍ଦରିଆ ତୋରଣ ଟି ପରେ ପାହାଚ ସବୁ ବାପା କି ମାମୁଁ ଙ୍କ ହାତରେ ଧରି ଡେଇଁ ଡେଇଁ ଓହ୍ଲାଇ ପଡିବା ପରେ ଖୋଲାମେଲା ଆଗପଟ ଅଗଣାର ଡାହାଣକୁ ଥିବା ପାର୍ବତୀ ସାଗର ବୋଲାଉଥିବା ଲମ୍ବ ଲମ୍ବ ପଥର ପାହାଚ ଘେରା ପୋଖରୀ ଟି ଅନନ୍ଯ ଓ ଅନ୍ଯତମ ଆକର୍ଷଣ ।ସେ ନେଳୀ ବୁଲିଯାଇଥିବା କଳାଘୁମୁର ଶିଉଳି ସରସର ପାଦଖସା ପାଣିକୁ ଦେଖିଲେ ହି ଲାଗେ ଖୁବ ଗଭୀର ।ଗୁରୁଜନଙ୍କ ହାତ ଧରି ଥିରେ କି ପାଦବୁଡେଇ ମୁଣ୍ଡ ରେ ପାଣି ସିଞି ଉଠିଆସିବାକୁ ହୁଏ ।ଚପଳଇଛ୍ଛା ତ କିଛି ଅଲଗା କହେ ।ପାଣି ଭିତରେ ବହୁତ ମାଛ ଓ କଇଁଚ ଥାନ୍ତି ।ତାଙ୍କୁ ଖୋଇବା,ଖୋଜିବା ଆଉ" ହେଇ ଦିଶିଲା ,ହେଇ ଦିଶିଲା, ହେଇ ସେଠି ଗୋଟେ, ସେଠି, ସେଠି ଦେଖେ " ଖେଳିବା ଲୋକନାଥ ମନ୍ଦିର ଦର୍ଶନ ର ଅନ୍ୟତମ ଆକର୍ଷଣ ।ସୁବର୍ଣ୍ଣ ଚୁଡ ନାଗ ନାଗୁଣି ଖେଳୁଥାନ୍ତି ସେଠି କାଳେ ବୋଳି ଶୁଣାଯାଏ ।ଦିଅଁ ଙ୍କ ର ମହାତ୍ମ୍ଯ ଭାରି ପ୍ରତ୍ୟକ୍ଷ ।ଲୋକେ ଲୋକନାଥ ନାଁ ନେଇ ରାଣ ନିୟମ ପକାନ୍ତି ସତ୍ଯ ନ୍ଯାୟ ବିବେଚନା ପାଇଁ ।ଡରଥାଏ ମିତ୍ଯାବାଦୀ ସର୍ପଦଂଶନ ଯୋଗ ଭୋଗେ ।

ସେଠୁ ଉଠିଆସି ବାମକୁ ମୁଖ୍ୟ ମନ୍ଦିର ରେ ପ୍ରବେଶ ।ଏହା ବହୁପୁରାତନ ମନ୍ଦିର, ଗଛବୃଛରେ ଭରା ।କୁହାଯାଏ ଶ୍ରୀ ମନ୍ଦିରର ମହାପ୍ରଭୁଙ୍କର ବହୁମୂଲ୍ଯ ଭଣ୍ଡାର ରକ୍ଷକ ହେଉଛନ୍ତି ବାଲିଲୋକନାଥେ ।ସେ ନେଇ ତାଙ୍କୁ ଭଣ୍ଡାର ଲୋକନାଥ ମଧ୍ୟ କୁହାଯାଏ ।

ଏଠି ବର୍ଷ ସାରା ଦିଅଁ ପାଦୁକାମଗ୍ନ ହୋଇଥାନ୍ତି ।ପଙ୍କଉଜଳା ଏକାଦଶୀ ଦିନ ଭିତର ଗୁମୁଟ ଦିଅଁ ଙ୍କ ଚତୁର୍ପାର୍ଶ୍ବ ଉଝଳା ହେବା ପରେ ଠାକୁରେ ଦର୍ଶନ ଦିଅନ୍ତି ଜାଗରକୁ ।ଏଠା ପାଦୁକ କୁଣ୍ଡ ରୁ ପାଦୁକ ପାଇଲେ ଦୁରାରୋଗ ବ୍ଯାଧି ନାଶ ହୋଇ ମହାପାତକରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ।ଜାଗର ଦିନ ଏଠି ମେଲଣ ହୁଏ ।ମହାଦୀପ ଉଠୁ ଉଠୁ ରାତି ପାହେ ,ପାଞିରୁ ମୂହୁର୍ତ୍ତ ଠାବ ହୋଇଥାନ୍ତି । ରାତିଯାଗ ଗହଳିଚହଳିରେ ଜଙ୍ଗଲ ଫାଟେ ।ଟେଁ ଟେଁ ଟେଁ ବେଙ୍ଗବାଜା, ଡମୁରୁ, ଚକ୍ରି, ବାଡି ବାଜା, କେଁ କଟର ଘିରି ଘିରି ନାଲି ଜରିଦିଆ କାଠିବାଜା, ମାଟି କୁଣ୍ଢେଇ, ବୋଉ କୁଣ୍ଢେଇ, ପ୍ରକାର ପ୍ରକାର ସରାଗାତ, ପନିକି, କୋରଣା, ଶିଙ୍ଘ ପାନିଆ, ଡାଲା, ଝୁଡି,ମାଳି,ଫୁଲପଟି,ନାଲି ଟୁପୁଟୁପିଆ କୁନି କୁନି ଶୋରିଷ ଦାନାପଶା ଲମ୍ବା କାଠି ଧରା ଝୁମୁଝୁମା ବେଲୁନୁ,ଚନ୍ଦନ ପେଡି,ବେଲେଣା ପଟା, ଚିମୁଟା, ହେମଦସ୍ତା, ପଥୁରି, କାଠୁଆ,କଳାଜରିଦିଆ କଳା ଇଲାଷ୍ଟକିରବର ବନ୍ଧା ଚଷମା, ଚିତାକୂଟା ଆଉ ଠାଏ ଠାଏ ଚଣାଗୁଡ, ଲାଲିନେଳି ସାକର, ଖଜା ର ପସରା । ଏଇଠୁ ଶବ୍ଦ ସବୁ ସହରଭିତର ସାହିଯାଏ ସଂଚରି ଯାଏ ।'ଜାଗର ଦେଖି ଆଇଲୁ କିରେ ' ଜଣାପଡେ ଫେରିଛି ମେଲଣରୁ ଢେର୍ ଖୁସି ସାଉଁଟି ।

ତମ୍ବୁ ଟାଣି ଶ୍ରଦ୍ଧାଳୁ ବସିଥାନ୍ତି ଦୀପକୁ ଜଗି ।

ବଡଦେଉଳୁ ମଦନମୋହନ ଭେଟିବାକୁ ଆସନ୍ତି ଏଣୁ ଲୋକନାଥେ ଚଳନ୍ତି ପାଛୋଟି ଆଣିବାକୁ ପ୍ରିୟ ପ୍ରାଣେଶ୍ବରଙ୍କୁ ।ଘଣ୍ଟ ଘଣ୍ଟା ନାଦେ ଚତୁର୍ଦିଗ ପ୍ରକମ୍ପିତ ହୁଏ ।ଛପନଘର ମୋଡଠି ପ୍ରାୟତଃ ଭେଟନ୍ତି ଦିହେଁ, ଶଙ୍ଖୋଳି ଆଣନ୍ତି ଜଗନ୍ନାଥଙ୍କୁ ।ମଣୋହୀ ବଢାହୁଏ, ପୂଜା ବଢେ ।ହରିହର ଭେଟ ହରିବୋଲ ହୁଳହୁଳି ନାଦରେ ସମାପନ ହେଲେ ।

ଆମ ପୁରୀ ଏକ ଶଙ୍ଖ ଆକୃତିର ଭୂଖଣ୍ଡ ଅଟେ ,ଯାହାର ମଧ୍ୟ ସ୍ଥଳୀରେ ରତ୍ନ ସିଂହାସନେ ବିଜେ କୋଟିଦେବତାର ମହୁଡମଣି ।ଶ୍ରୀକ୍ଷେତ୍ର ର ଚାରିପଟକୁ ସୁରକ୍ଷା ବଳୟ ରେ ଜଗି ରହିଛନ୍ତି ଦେବୀ ଶକ୍ତି ,ମହାବୀର ମାରୁତି ଏବଂ ମୃତ୍ୟୁଞୟ ମହାଦେବ ।ବିଭିନ୍ନ ମନ୍ଦିର ଏହି ତ୍ରିଶକ୍ତିଙ୍କର ଆମେ ପୁରୀ ସାରା ଦେଖିବାକୁ ପାଇବା ।ଶଙ୍ଖକ୍ଷେତ୍ର ବୈଷ୍ଣବ, ଶୈବ, ଶାକ୍ତ ସଭିଁଙ୍କର ସମନ୍ବୟ ର କେନ୍ଦ୍ର ବୋଲି ସର୍ବଜନବିଦିତ ।

ଶୁଦ୍ରମୁନୀ ସାରଳା ଦାସ ଙ୍କର କଲମରେ _

"ରାମକୃଷ୍ଣ ସୁଭଦ୍ରା ଯେ ତିନି ପ୍ରତିମା

ଶ୍ରୀ ପୁରୁଷୋତ୍ତମେ ବିଜେ ହର, ହରି, ବ୍ରହ୍ମା ।" 

ପୁରୀରେ ଜାଗର ଏକ ପ୍ରମୁଖ ଉପାସନାର ଦିବସ ଭାବରେ ପାଳନ କରାଯାଏ ବହୁ ନିଷ୍ଠା, ଭକ୍ତି ଓ ସମର୍ପଣ ସହ ।

ଜାଗର ବା ମହାଶିବରାତ୍ରି କୁ ନେଇ ମୋର ପିଲାଦିନୁ ଏବେ ଯାଏ ମନେଥିବା କିଛି ସ୍ମୃତି ।ଜାଗ୍ରତ ରହିବାର ଦିନ ।ବିଜ୍ଞାନ ବି କହେ ଏହି ଦିନ ରାତ୍ରି ଉଜାଗରେ ଧ୍ଯାନସ୍ଥ ହେଲେ ମଣିଷର ସକଳ ରିଷ୍ଟ ନାଶ ହୁଏ ।ଦିବ୍ୟ ଚେତନା ଜାଗେ ।

ଆଉ ଟିକେ ରହିଲା ବାଲି ଲୋକନାଥ ଦର୍ଶନ ଫେରିବା ବାଟରେ ପାଇଥିବା ଅନୁଭୂତି ଆଉ କଟକରେ ଜାଗର ,ଆଉ ଏଠା ଜାଗର ।

ଶୁଣିବେ ଟି । ଯଦି ହଁ ।କାଲି କହିବି 


Rate this content
Log in

Similar oriya story from Action