Rashmita Bhatta

Romance Tragedy Crime

3  

Rashmita Bhatta

Romance Tragedy Crime

ଇତି ମୋହନା

ଇତି ମୋହନା

12 mins
32


   ପୋଲିସ ଆସି କବାଟ ତାଡି ଦେଖିଲା ବେଳକୁ ଖଟ ଉପରେ ଚାରିକାତ ଲମ୍ବାଇ ପଡିଥିଲା ମୋହନା। ମୁଁହରୁ ଫେଣ ବାହାରୁଥିଲା । ସାରା ଶରୀର ନୀଳ ଦେଖା ଯାଉଥିଲା । ଖବର ଚାରିଆଡେ ବ୍ୟାପିଗଲା ପବନ ବେଗରେ । ସମସ୍ତଙ୍କ ପାଇଁ ଦେବଦୂତ ସାଜିଥିବା ମୋହନା କଣ ପାଇଁ ସୁଇସାଇଡ୍ କଲା । ଏହାର ଉତ୍ତର କାହା ପାଖରେ ନ ଥିଲା । ସମସ୍ତେ କହୁଥିଲେ କରୋନା ଏବଂ ଲକଡାଉନ ପରଠାରୁ ମୋହନା ବେଶି ଘରୁ ବାହାରକୁ ଯାଉ ନ ଥିଲା କିମ୍ବା ଆଖ ପାଖ କାହା ସହିତ ମିଶୁ ନ ଥିଲା । ସମସ୍ତଙ୍କ ଠାରୁ ଏକଦମ ଅଲଗା ରହି ଦିନ ରାତି କବାଟ ବନ୍ଦ କରି ରହୁଥିଲା । ପାଖ ପଡୋଶୀଙ୍କ କହିବା ଅନୁସାରେ ଦଶ ଦିନ ପନ୍ଦର ଦିନ ଧରି ସେ ଘରର କବାଟ ଝରକା ଖୋଲୁ ନ ଥିଲା । ଲକଡାଉନ ଥିବାରୁ ଏ ବିଷୟରେ କେହି କେବେ ଅନୁସନ୍ଧାନ କରି ନ ଥିଲେ ମୋହନା ର ମାନସିକତା ଉପରେ । ପୋଲିସ ମୋହନା ରୁମ୍ ର ଖାନ ତଲାସି କଲା ହେଲେ କିଛି ସୁରାକ ନ ମିଳିବାରୁ ସୁଇସାଇଡ କେସ୍ ଦାଏର କରି ଶବ ସଂସ୍କାର କରାଇବା ସହ ମୋହନା ର ରୁମ୍କୁ ସିଲ୍ କରି ଦେଇଥିଲା ।


  ଅଚାନକ ଦୁଇଦିନ ପରେ ଆଖ ପାଖ ପଡୋଶୀ ପୋଲିସ ଷ୍ଟେସନ ଫୋନ କରି ମୋହନା ମୃତ୍ୟୁ ର ତଦନ୍ତ ଦାବି କରିଥିଲେ । ପୋଲିସ ନୀରବ ରହି ଆସୁଥିଲା କିନ୍ତୁ ବାରମ୍ବାର ଫୋନ ଆସିବାରୁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଗଲା । ମୋହନା ରୁମ୍ ର ସିଲ୍ ଖୋଲିଯାଇ ତନ୍ନ ତନ୍ନ କରି ସର୍ଚ କରାଗଲା କାଳେ ମୋହନା କେଉଁଠି କଣ ରଖିଥିବ ସୁଇସାଇଡ ନୋଟ୍ । ହେଲେ କିଛି ମିଳିଲାନି । ପୋଲିସ ପାଇଁ ଏକ ମୁଣ୍ଡ ବିନ୍ଧା ର କାରଣ ଥିଲା କିଏ ଏଇ ମୋହନା । କଣ ତାର ପ୍ରକୃତ ପରିଚୟ । ତାର କଣ କେହି ନିଜର ନ ଥିଲେ । କଣ ପାଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲା ସେ । ଆଖପାଖ ଅଞ୍ଚଳରେ ମୋହନା କିନ୍ନର ବୋଲି ସମସ୍ତେ ଜାଣନ୍ତି । ହେଲେ କେଉଁଠି ତା ଘର କେହି ଜାଣନ୍ତିନି । ମୋହନାକୁ ଦେଖିଲେ କେହି ହୁଏତ ଧୋକା ଖାଇଯିବ ଯେ ମୋହନା ଜଣେ କିନ୍ନର । ନିଖୁଣ ଭାବେ ବିଧାତା ଗଢିଥିଲେ ତାକୁ ଜଣେ ସୁନ୍ଦରୀ ରୂପ ଦେଇ । ମୋହନା କିନ୍ନର ଥିଲେ ବି କିନ୍ନର ସମାଜ ରେ ନ ରହି ଏକା ଏକା ରହୁଥିଲା । ବେଶ୍ ଖୁସ୍ ମିଜାଜ୍ ର ପିଲା । କାହାର କଣ ଅସୁବିଧା ପଡିଲେ ଅଣ୍ଟାରେ ଲୁଗା ଭିଡି ଠିଆ ହେଉଥିଲା ।


  କେହି କେବେ ଦେଖି ନ ଥିଲେ ମୋହନା ର ଭାଇ ବନ୍ଧୁକୁଟୁମ୍ବ ଙ୍କୁ । ମୋହନା ଏଇ ସାତ ଆଠ ମାସ ହେବ ଆସି ରହୁଥିଲା ଏଇ ଛୋଟିଆ ବଖୁରିଆ ଘରେ ଭଡା ନେଇ । ସେକୁଆଡ଼େ ଯାଏ କଣ କରେ କେହି ଜାଣନ୍ତିନି । ତଥାପି ମୋହନାକୁ ସମସ୍ତେ ଭଲ ପାଆନ୍ତି । ସବୁ ଓଷା ପର୍ବ ପର୍ବାଣୀ ରେ ସାହି ଲୋକ ମୋହନାକୁ ପିଠା ମିଠା ଦେଇ ଆସନ୍ତି । ଭାରି ମିଶାଣିଆ ଥିଲା ମୋହନା । କିନ୍ତୁ କେଜାଣି କାହିଁକି ଧିରେ ଧିରେ ଏଇ ଲକଡାଉନ ହେବାର ଦୁଇ ପରେ ମୋହନା ସମସ୍ତଙ୍କ ଠାରୁ ଏକଦମ ଦୂରେଇ ଦୂରେଇ ରହୁଥିଲା । ନା ବାହାରକୁକୁଆଡେ ଯାଉଥିଲା ନା ନିଜେ ଘରୁ ବାହାରକୁ ବାହାରୁ ଥିଲା । ଘରର କବାଟ ଝରକା ବନ୍ଦ ରଖୁଥିଲା । ଏବଂ ସୋସିଆଲ ସାଇଟ୍ ରୁ ତ ଏକଦମ୍ ବିଛିନ୍ନ ହୋଇ ଯାଇଥିଲା । କିନ୍ତୁ ତା ନିଜଗତ କାରଣ ଭାବି କେହି କେବେ ମୋହନାକୁ ଏ ବିଷୟରେ ପଚାରି ନ ଥିଲେ କିମ୍ବା କେହି ଜାଣିବା ପାଇଁ ଚେଷ୍ଟା କରି ନ ଥିଲେ ।


ପୋଲିସ ପାଇଁ ମୋହନା ମୃତ୍ୟୁ ର ଅଡୁଆ ଜାଲ ର ଅଡୁଆ ସୂତା ଖୋଲିବା ଅତ୍ୟନ୍ତ ଜଟିଳ ବ୍ୟାପାର ଥିଲା । ମୋହନା ର ମୋବାଇଲ ତ ମିଳିଥିଲା ହେଲେ ସିମ୍ ବିହିନ । କାରଣ କଣ ହୋଇପାରେ ଏସବୁ ଜାଲରେ ଛନ୍ଦି ହୋଇ ପଡିଥିବା ପୋଲିସ ହାତରେ ଅଚାନକ ଲାଗିଥିଲା ଏକ ପ୍ରମାଣ । ମୋହନା ରୁମ୍ ର ଗଦି ତଳୁ ମିଳିଥିଲା ଏକ ଘନ ନୀଳ ରଙ୍ଗର ଡାଏରୀ ଡାଏରୀ । ପୋଲିସ ଇନଚାର୍ଜ ସାର୍ ଦାୟିତ୍ଵରେ ଡାଏରୀ ନେଇ ଯାଇଥିଲେ ନିଜ ସହ । ସେ ପର୍ଯ୍ୟନ୍ତ ମୋହନା ର କେହି ଦାବିଦାର କିମ୍ବା କୌଣସି ସଂପର୍କୀୟଙ୍କ ଦେଖା ନ ଥିଲା ।


   ଥାନା ଇନ୍ଚାର୍ଜ ନିଜ ଚୌକି ଉପରେ ବସି ଆଗ୍ରହ ର ସହ ମୋହନା ଡାଏରୀ ଖୋଲିଲେ । ପଢିବାକୁ ଲାଗିଲେ ତା ଜୀବନ କାହାଣୀ ।


   ମୁଁ ମୋହନ ରୟ। ବାପା ଶଶାଙ୍କ ରୟ । ମା ମିତାଲୀ ରୟ । ବାପା ମା ଙ୍କ ର ଚତୁର୍ଥ ସନ୍ତାନ । ମୋ ଉପରେ ଭାଇ ଭଉଣୀ ତିନି ଜଣ । ଦୁଇ ଭାଇ ଗୋଟିଏ ବୋଲି ଭଉଣୀ । ମୋତେ ଯେତେବେଳେ ନଅ ବର୍ଷ ହେଲା ସେତେବେଳଠୁ ମୁଁ ନିଜ ଭିତରେ ନିଜକୁ ନିଆରା ଅନୁଭବ କରିବାକୁ ଲାଗିଲି । ମୋତେ ଆମ ଗାଁ ପେଣ୍ଡାଲ ରେ ବସି ଖଟି କରୁଥିବା ପୁଅ ମାନଙ୍କ ସହିତ ବସିବା ଅପେକ୍ଷା ପେଣ୍ଡାଲ ର ତଳକୁ ଥିବା ପଡିଆରେ ଖେଳୁଥିବା ଝିଅ ମାନଙ୍କ ସହ ଖେଳିବାକୁ ଭଲ ଲାଗିଲା । ଏବଂ ତାଙ୍କ ସହିତ ଖେଳୁଥିଲି ମଧ୍ୟ। ମୋତେ ପୁଅ ମାନଙ୍କୁ ଦେଖିଲେ କେମିତି ଲାଜ ଲାଜ ଲାଗୁଥିଲା । ମୁଁ ଛୋଟବେଳୁ ବହୁତ ସୁନ୍ଦର ଥିଲି ଠିକ କଣ୍ଢେଇ ଟି ଏ ପରି ତେଣୁ ସମସ୍ତେକୁହନ୍ତି ତୁ ଝିଅ ହେଉ ହେଉ ପୁଅ ଟି ଏ ହୋଇ ଯାଇଛୁ । କେଡେ ଗୁଲୁଗୁଲିଆ ହୋଇଛୁ । ମୋ ବୋଉର ମୁଁ କୋଳପୋଛା ଥିଲି ବୋଲି ବୋଉ ମୋତେ ଭାରି ଗେଲ କରେ ।


  ମୋତେ ଲୁଚି ଲୁଚି ମୋ ଦିଦି ର ଲିପଷ୍ଟିକ କାଜଲ ଲଗାଇବାକୁ ତା ଡ୍ରେସ୍ ପିନ୍ଧି ବାକୁ ଭଲ ଲାଗେ । କାଳେ ବାପା ମାରିବେ ତେଣୁ ଖୋଲା ଖୋଲି ଭାବେ ଏ ସବୁ କରିପାରୁ ନ ଥିଲି । ମୁଁ ନିଜେ ଜାଣି ପାରୁ ନ ଥିଲି ମୋତେ ଏସବୁ କାହିଁକି ଭଲ ଲାଗୁଛି । ମୋତେ କେହି କଣ୍ଢେଇ କହିଲେ ଭଲ ଲାଗେ । ମୋତେ ସ୍କୁଲରେ ଝିଅ ମାନଙ୍କ ସହ କଥା ହେବାକୁ ଖୁସି ଲାଗେ। ମୋ ସହ ଝିଅ ମାନେ କଥା ହେଉଥିଲେ କିନ୍ତୁ ତାଙ୍କ ସହିତ ବସିବାକୁ କି ଖେଳିବାକୁ ଦେଉ ନ ଥିଲେ ତଥାପି ବି ମୁଁ ତାଙ୍କ ସହିତ କଥା ହୋଇ ଖୁସି ହେଉଥିଲି । କୌଣସି ପୁଅ ସାଙ୍ଗ ସହ ମୁଁ ମିଶି ପାରୁନଥିଲି । ପୁଅ ମାନଙ୍କ ସହ ଏପରିକି ମୋ ଭାଇ ମାନଙ୍କ ସହ ମୁଁ ସହଜ ହୋଇ ପାରୁନଥିଲି । ମୋ ଚାଲି ଚଳନ ରଙ୍ଗ ଢଙ୍ଗ ଧିରେ ଧିରେ ଝିଅ ମାନଙ୍କ ପରି ହୋଇ ଯାଉଥିଲା । ସେଥିପାଇଁ ସମସ୍ତେ ମୋତେ ମାଇଚିଆ ଡାକିବାକୁ ଆରମ୍ଭ କଲେ । ହେଲେ ବାପାଙ୍କୁ ଏ ସବୁ ବିରକ୍ତ ଲାଗୁଥିଲା ତେଣୁ ମୋତେ ତାଗିଦ କରୁଥିଲେ । ମୋତେ କିଏ ମାଇଚିଆ କହିଲେ ବୋଉ ମୋର ବହୁତ କାନ୍ଦୁଥିଲା କହୁଥିଲା ବାବୁ ରେ ତୁ କାହିଁକି ଏମିତି ହେଉଛୁ । ଦେଖିଲୁ ତୋ ଦି ଭାଇଙ୍କୁ । ବେଳେବେଳେ ବୋଉ ରାଗୁଥିଲା ମୋ ଉପରେ ହେଲେ ମୋ ଉପରେ କିଛି ପ୍ରଭାବ ପଡୁ ନ ଥିଲା ।


  ମୁଁ ସେତେବେଳେ ସପ୍ତମ ରେ ପଢୁଥାଏ । ନୂଆବର୍ଷ ଥାଏ । ସେଦିନ ଚାରିଟା ବେଳକୁ ହଠାତ୍ ମୋ ସ୍କୁଲ ସାଙ୍ଗ ମିନୁ ର ଡାଡି ଗୋଟିଏ ଗ୍ରୀଟିଙ୍ଗ୍ସ କାର୍ଡ ଧରି ମୋ ବାପା ଙ୍କୁ ଦେଖାଇଲେ । ସେଥିରେ କଣ ଲେଖାଥିଲା ମୁଁ ଜାଣିନି ହେଲେ ବାପା ମୋତେ ପାଖକୁ ଡାକି ତାଙ୍କ ସାମ୍ନାରେ ଗୋରୁ ଗାଈ ମାନଙ୍କୁ ପିଟିଲା ପରି ପିଟିଲେ । ବୋଉଲୋ ବୋଉଲୋ ହୋଇ ରଡି ଛାଡୁଥାଏ ହେଲେ ବାପାଙ୍କ ରାଗ କମୁନଥିଲା । ମୋ ଭାଇ ଭଉଣୀ ମୋ ମାଡ ଦେଖି ଭୟରେ ଥରୁଥିଲେ । ସେ ପର୍ଯ୍ୟନ୍ତ ମୋର ଭୂଲ୍ କଣ ମୁଁ ଜାଣିନଥିଲି । ମାଡ ଖାଇ ପିଠି ମୋର ଲୋଳା ଫାଟି ଯାଇଥିଲା । ବୋଉ କାନ୍ଦି କାନ୍ଦି ରାତିରେ ଉଷୁମ ହଳଦୀ ସବୁ ମୋ ଦେହ ସାରା ବୋଳି କହୁଥାଏ ବାବୁ ରେ କାହିଁକି ଏମିତି ଭୁଲ କଲୁ । ଏଇଟା ପରା ତୋ ଖେଳିବାକୁଦିବା ପାଠ ପଢା ବୟସ। ଏମିତି କାହିଁକି ହେଉଛୁ ଧନ । ବାପାଙ୍କର ନାଁ ଗାଁ ପକାଉଛୁ । ହେଲେ ମାଡ ଖାଇ ଏତେ କଷ୍ଟ ହେଉଥିଲା ଯେ ବୋଉର ନରମ ନରମ ହାତରେ ଉଷୁମ ହଳଦୀ ର ସ୍ପର୍ଶ ପାଇ ନ ଖାଇ ନ ପିଇ ଶୋଇପଡିଥିଲି।  ତହିଁ ଆରଦିନ ବାପା ସେ ସ୍କୁଲରୁ ମୋର ଟିସି ଆଣି ଅଲଗା ସ୍କୁଲ ରେ ନାମ ଲେଖାଇଦେଲେ । ସେଇ ଦିନ ଠାରୁ ସେ ସ୍କୁଲ ଯିବା ମୋର ବନ୍ଦ । ତଥାପି ବି ମୋ ଦୋଷ ମୋତେ କୁହାଯାଇନଥିଲା । ସାତ ଆଠ ଦିନ ପରେ ସାହାସ କରି ଦିଦିକୁ ପଚାରିଲି । ସେ ଲୁଚି ଲୁଚି ବାପାଙ୍କ ଡ୍ରୟାର ରୁ ସେ କାର୍ଡ ଆଣି ମୋ ହାତେ ଧରାଇଦେଇ କହିଲା ଦେଖ୍ କଣ କରିଥିଲୁ କିଛି ନ ଜାଣିଲା ପରି କେତେ ପଚାରୁଛୁ । କାର୍ଡ ଟି ଦେଖିଲି। ଗୁଡିଏ ପାନପତ୍ର ଚିହ୍ନ ସହ ଆଇ ଲଭ୍ ୟୁ ଲେଖା ହୋଇଥିଲା । ମିନୁ ର ବାରି ପଟେ କୁଆଡେ ମୁଁ ପକେଇ ଦେଇଥିଲି । ମିନୁ ତା ଡାଡି ଙ୍କୁ ଦେଇଥିଲା । ହେଲେ ଦିଦି ଏଇଟା ତ ମୋ ଅକ୍ଷର ନୁହେଁ । ଦିଦି କହିଲା ଆଉ କଣ ମୁଁ ଲେଖିଛି । ତୋ ନାଁ ତ ଲେଖା ହୋଇଛି କଣ ଭୂତ ଲେଖିଦେଲା । ତରବରରେ ମୋ ହାତରୁ ଛଡାଇ ନେଉ ନେଉ କହିଲା ଦିଦି । ନେଇ ଯେମିତି ଥିଲା ସେମିତି ବାପାଙ୍କ ଡ୍ରୟାର ରେ ରଖିଦେଲା ।


ମୁଁ ବୁଝି ପାରୁନଥିଲି ମୁଁ ଦିଦିକୁ କେମିତି ବୁଝାଇବି ଦିଦି ମୁଁ ତୋ ପରି ଝିଅ ଟି ଏ । ମୁଁ ଝିଅ ଟି ଏ ହୋଇ ଗୋଟେ ଝିଅକୁ ପ୍ରେମ ପତ୍ର କାହିଁକି ଦେବି। ଥାଇପାରେ କାହାର ଝିଅ ମାନଙ୍କ ପ୍ରତି ଆକର୍ଷଣ ହେଲେ ମୋର ନାହିଁ । ମୋତେ ପୁଅ ମାନଙ୍କୁ ଦେଖିଲେ କିଛି କିଛି ଲାଗେ । ପ୍ରେମ କରିବାକୁ ଇଛା ହୁଏ । ପୁଅ ମାନଙ୍କ ଚାଲି ମୋତେ ଆକୃଷ୍ଟ କରେ । ପୁଅ ମାନଙ୍କୁ ଦେଖିଲେ ମୁଁ ଲାଜେଇ ଯାଏ ଲାଜକୁଳୀ ଲତା ଟେ ପରି । ପୁଅ ପିଲାଙ୍କ ଧାଡିରେ ବସେ ସତ କିନ୍ତୁ ସେମାନଙ୍କ ଦେହରେ ମୋ ଦେହ ବାଜିଲେ ମୋ ଦେହରେ ଶିହରଣ ଖେଳିଯାଏ । ହେଲେ କେମିତି ବୁଝାଇବି ମୁଁ ଦିଦିକୁ । ସେ କଣ ବୁଝିବ । ତେଣୁ ଚୁପ ରହିଲି ।


   ମୁଁ ଭଲ ପଢୁଥିଲି । କ୍ଲାସରେ ଫାର୍ଷ୍ଟ ହେଉଥିଲି । ହେଲେ ଦିନକୁ ଦିନ ମୋ ଚାଲିଚଳନ ଦେଖି ସାହି ପଡିଶା ସମସ୍ତେ ଟୁପୁରୁଟାପରୁ ହେଲେ । ମୋତେ ମାଇଚିଆ କହି ବୋଉକୁ ଡାକି ବାର କଥା କହିଲେ । ମୋ ଭାଇ ଭଉଣୀ ମାନଙ୍କୁ ତାଙ୍କ ସ୍କୁଲ ରେ ନାନା କଥା କହିଲେ । ସମସ୍ତେ ମୋତେ ମିଶି ଗାଳି କରୁଥିଲେ । କହୁଥିଲେ ତୋ ରଙ୍ଗ ଢଙ୍ଗ ଚେଞ୍ଜ କର। ହେଲେ ମୁଁ ଯାହା ସେୟା । କଣ ଚେଞ୍ଜ କରିବି । ବୋଉ ମୋତେ ପାଖକୁ ଡାକି କାନ୍ଦୁଥିଲା । ସାହି ପଡିଶା ବାରକଥା କହୁଛନ୍ତି ବୋଲି କହୁଥିଲା । ସବୁ ଶୁଣିବା ପରେ ବି ମୁଁ ଚୁପ୍ ରହୁଥିଲି ।


  ଦିନକର ଘଟଣା ମୁଁ ବୋଉର ଶାଢୀ ପିନ୍ଧି ମଥାରେ ଟିକିଲି ହାତରେ ଚୂଡି ଓଠରେ ଗାଢ ଲିପ୍ଷ୍ଟିକ୍ ଲଗାଇ ଆଇନା ରେ ନିଜକୁ ଦେଖି ଖୁସି ହେଉଥିଲି କବାଟ ବନ୍ଦ କରି । ହଠାତ୍ ବାପା କବାଟ ବାଡେଇ ଡାକିଲେ । ଭୟ ପାଇ ଯାଇଥିଲି ମୁଁ । ବାପା ଏତେ ଜୋରରେ କବାଟ ବାଡାଉଥିଲେ ଯେ ମୁଁ ଶାଢୀ କାଢିବାକୁ ସମୟ ପାଇଲି ନାହିଁ ଆଉ କବାଟ ଖୋଲିଦେଲି । ବାପା ବୋଧହୁଏ ବାହାରୁ କିଛି ଶୁଣି ରାଗି କରି ଆସିଥିଲେ ଏବଂ ମୋତେ ଏମିତି ଦେଖି ତାଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା । ବାହାରକୁ ଘୋଷାଡି ଆଣି ପିଟିଥିଲେ ମୋତେ । ଭାଇ ଭଉଣୀ ବୋଉ ସାହି ପଡିଶା ସମସ୍ତେ ଗଦା ହୋଇଗଲେ । ବାପା ଧିକ୍କାର କରି ଯାଛା ତା କହିଲେ। ସାହି ପଡିଶା ମୋତେ ଏମିତି ରୂପରେ ଦେଖି ଛି ଛାକର କଲେ । ବୋଉ ମୋର ମୁଁହରେ ଲୁଗା ଦେଇ କାନ୍ଦୁଥାଏ । ବାପା କହିଲେ ଛି ଭଗବାନ ମୋତେ ଶେଷରେ ଏୟା ଫଳ ଦେଲେ । ଶେଷରେ ମାଇଚିଆକୁ ଏ ଘରେ ଜନ୍ମ ଦେଲେ । ତୋତେ ଜନ୍ମ କରିବା ଆଗରୁ ମୁଁ ମରି ନ ଗଲି କାହିଁକି । ଯେତେଶୀଘ୍ର ପାରୁଛୁ ଏ ଘରୁ ପଳା । ତୋ ମୁଁହ ଦେଖିବାକୁ ଚାହୁଁନି ମୁଁ । ମୋ ମୁଣ୍ଡ କାମ କଲାନି । ବୋଉ ମୁଁହକୁ ଅନାଇଲି ହେଲେ ବୋଉ ମୋର ମୋ ମୁଁହକୁ ଅନାଇଲା ନାହିଁ କହିଲା ତିନିଟା ଛୁଆ କଣ ଖରାପ ଥିଲା ମୋ ପାଇଁ ଭଗବାନ ତୋତେ ମୋ କୋଳରେ ଜନ୍ମ ଦେଲେ ଏତେ ନିନ୍ଦା ଅପବାଦ ସହିବା ପାଇଁ । କେତେ ଗର୍ବ କରୁଥିଲି ମୋର ତିନି ତିନିଟା ପୁଅ । ହେଲେ •••ଛି ମୋତେ କହିବାକୁ ବି ଲାଜ ଲାଗୁଛି। ଶେଷରେ ଏୟା ଥିଲା ଦେଖିବାକୁ । ତୋତେ ହାତ ଯୋଡୁଛି ପଳା ଆମ ଆଖି ଆଗରୁ ନଚେତ୍ ମୋ ମଲା ମୁଁହ ଦେଖିବୁ । ଦିଦି ଭାଇ ସମସ୍ତ ଙ୍କୁ କରୁଣ ଚାହାଣୀ ରେ ଅନାଇଲି ହେଲେ ସମସ୍ତେ ମୋତେ ମାଇଚିଆ କହି ପର କରିଦେଲେ । ନିଜର ଯେତେବେଳେ ପର କରିଦେଲେ ଏତେ ବଡ ଦୁନିଆ ରେ ମୋତେ କିଏ ନିଜର କରିବ । ତଥାପି ଦିଗହୀନ ପଥିକ ପରି ଗୋଡ କାଢି ବାହାରି ଆସିଲି ବାହାରକୁ । ନା ଥିଲା ଠିକଣା ନା ଥିଲା ସାହାସ । ତଥାପି ବାହାରି ଆସିଲି ଘରୁ । ହାତରେ ଟଙ୍କା ଟି ଏ ନ ଥିଲା। ବୋଉର ସେଇ ଖଣ୍ଡିକ ଶାଢୀ ଥିଲା ସମ୍ବଳ ।


   ମନେ ମନେ ଭାବୁଥିଲି ଏବେ ମୁଁ ଖୋଲା ଆକାଶ ର ମୁକ୍ତ ବିହଙ୍ଗ । ଯୁଆଡେ ଇଛା ଉଡି ପାରିବି । ହେଲେକୁଆଡେ ଉଡିବି? ଗୋରା ତକତକ ଦେହରେ ବୋଉର ନୀଳ ରଙ୍ଗର ସିଫନ ଶାଢୀ ରେ ମୁଁ ଆହୁରି ସୁନ୍ଦର ଦିଶୁଥିଲି । ଗାଁ ଟପି ସାରିବା ପରେ ଛାତିରେ ମୋର ଧିରେ ଧିରେ ଛନକା ପଶି ଥିଲା ବାଟସାରା ମୋତେ ଲୋଭିଲା ଆଖିରେ ଦେଖୁଥିବା କାମୁକ ଲୋକଙ୍କୁ ଦେଖି । ଭୟଭୀତ ହୋଇ ଯାଇଥିଲି ମୁଁ । ତଥାପି ସାହସ ର ସହ ଆଗକୁ ବଢୁଥିଲି । ଚାଲି ଚାଲି ପହଞ୍ଚି ଯାଇଥିଲି ବ୍ରହ୍ମପୁର ରେଲୱେ ଷ୍ଟେସନ ରେ । ପାଖରେ ଟଙ୍କା ଟି ଏ ନ ଥିଲା । ତେଣୁ ଭାବିଲି ଟ୍ରେନ ରେ ଚଢି କିଛି ମାଗି ଯାଚି କରି କଲିକତା ପଳାଇବି । କାହିଁକି କଲିକତା ଯାଉଛି ତାର ଉତ୍ତର ବି ନ ଥିଲା ମୋ ପାଖରେ । କେବଳ ମୋ ଜନ୍ମ ମାଟି ବ୍ରହ୍ମପୁର ରୁ ବହୁତ ଦୂରକୁ ଯିବାକୁ ଚାହୁଁଥିବାବେଳେ କଲିକତା ଟ୍ରେନ୍ ରେ ଚଢିଗଲି ।


    ହେଲେ ଅଜଣା ଭୟରେ ମୋର ଅଙ୍ଗ ଗୁଡିକ ଥରୁଥାଏ । ଜାକି ଜୁକି ହୋଇ ଲୋକାଲ ବଗିର ଗୋଟିଏ କଣକୁ ଛିଡା ହୋଇଗଲି । ଟିକେଟ୍ ଫିକେଟ କିଛି ନ ଥାଏ ତେଣୁ ଡର ଲାଗୁଥାଏ । ଟିଟିଇ ଆସି ପହଞ୍ଚି ଗଲେ । ଟିକେଟ୍ ମାଗିଲେ ମୋତେ । ସେଇ ବଗିରେ ଚାରି ପାଞ୍ଚ ଜଣ ଯୁବକ ମୋତେ ଏପରି ଅସହାୟ ଦେଖି କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିଲେ ଯାହା ସେ ସମୟରେ ମୋତେ ଜଣା ନ ଥିବାରୁ ବିରାଟ ବଡ ଧୋକା ଖାଇଗଲି ଜୀବନ ର ପ୍ରଥମ ଯାତ୍ରାରେ । ସେମାନେ ଟିଟିଇ ଙ୍କୁ ଏ ଝିଅ ଆମ ସହ ଅଛି କହି ଫାଇନ ଟଙ୍କା ବଢ଼ାଇଦେଇ ମୋ ସହ ବେଶ୍ ନମ୍ର ବ୍ୟବହାର କରିଥିଲେ । ଭାସିଯାଇଥିଲି ମୁଁ ସେତେବେଳେ ସେମାନଙ୍କ ମିଛ ଚକ୍ରାନ୍ତ ରେ । ବିଶ୍ୱାସ କରି ଭାସିଗଲା ଲୋକକୁଟାଖିଅ ର ସାହାରା ପାଇବା ପରି ଆଶ୍ୱସ୍ତ ହୋଇ ନିର୍ଭୟରେ ଚାଲି ଯାଇଥିଲି ତାଙ୍କ ସହିତ କିଛି ଚିନ୍ତା ନ କରି । ମୁଁ ଜାଣିନଥିଲି ଏ ଦୁନିଆଟା ଏତେ ଭୟଙ୍କର । ନରମାଂସ ଲୋଭୀ ଭୟଙ୍କର ରାକ୍ଷାସ ମାନଙ୍କ ଜାଲରେ ସୁନା ଇଲିସି ପଡିଯାଇଥିଲା ଯେପରି ।


   ମୋତେ ମିଠା ମିଠା କଥା ରେ ଭୁଲେଇ ନେଇଗଲେ ଏକ ନିରୋଳା ଘରକୁ । ଜଣକ ପରେ ଜଣେ ଖିନଭିନ କରିଦେଲେ ମୋ ଶରୀରର ପ୍ରତ୍ୟେକ ଉପତ୍ୟକାକୁ । ହସୁଥିଲେ ବିକଟାଳ ରାକ୍ଷସ ଙ୍କ ପରି ମୋ ସହ ଛାଇ ଆଲୁଅ ର ଖେଳ ଖେଳି । ହସୁଥିଲେ ମୋ ପ୍ରତି । ବାରମ୍ବାର ଶୁଭୁଥିଲା ଆରେ ଏଇଟା ମାଇଚିଆ ଟା ହେଲେ ବି କେଡେ ସୁନ୍ଦର ରୂପ । ଯନ୍ତ୍ରଣା ରେ ଛଟପଟ ହୋଇ ବେହୋସ୍ ଅବସ୍ଥା ହୋଇ ଯାଇଥିଲା ମୋର । ଆଖି ମୁଦି ହୋଇଯାଉଥିଲା । କେତେ ସମୟ ପରେ ହୋସ୍ ଆସିଲା । ଦେଖିଲି ସେ ରାକ୍ଷାସ ମାନେ ଘେରି ରହିଛନ୍ତି ମୋତେ । ହାତ ଯୋଡି ନେହୁରା ହେଲି ଭାଈ ମାନେ ମୋତେ ଯିବାକୁ ଦିଅ । ମୋର ଏଇ କଥା ଶୁଣି ମୋତେ ଜଣେ ଠିଆ ଗୋଇଠା ମାରିବାକୁଲାଗିଲା । ମୁଁ କାନ୍ଦି କାନ୍ଦି କହିଲି ମୋତେ ମାର ନାହିଁ । ମୋତେ ଯିବାକୁ ଦିଅ । ମୋ ଉପରେ ଟିକେ ଦୟା କର ।


   ତାଙ୍କ ଭିତରୁ ଜଣେ ପାଟି କଲା । ଚୁପ୍ । ପାଟି ବନ୍ଦ କର । ଏହାପରେ ସିଗାରେଟ୍ ଚେଙ୍କ ଲଗାଇ ଦେଇଥିଲେ ମୋ ଦେହ ସାରା । ଓଃ କି ଯନ୍ତ୍ରଣା । ସାରା ଶରୀର ରେ ନିଆଁ ଚେଙ୍କ ରେ ଛଟପଟ ହୋଇ ଚିତ୍କାର କରୁଥିଲି ମୁଁ ବୋଉଲୋ ମରିଗଲି ••ମରିଗଲି । ହେଲେ କେହି ଶୁଣିଲେ ନାହିଁ ମୋ କାନ୍ଦ। ପୋଡା ଯନ୍ତ୍ରଣା ଉପଶମ ହୋଇ ନ ଥିଲା ପୁଣି ଆରମ୍ଭ ହୋଇଥିଲା ମୋ ସହ ସେମାନଙ୍କ ବର୍ବରତା । ଛି କେତେ ନିଚ୍ଚ ଥିଲେ ସେମାନେ । ସାତ ଆଠ ଦିନ କଟିଗଲା । ମୋ ଉପରେ ସେମାନଙ୍କର ଅତ୍ୟାଚାର ବଢି ବଢି ଚାଲିଥିଲା । ମାଡ ଗାଳି ତ ସହୁଥିଲି ମୋତେ ଖାଇବାକୁ ବି ଦେଇନଥିଲେ । ଜୀଅନ୍ତା ଶବ ଟି ପରି ପଡିଥିଲି ମୁଁ । ଭୋକରେ ଆଉଟୁ ପାଉଟୁ ହେଉଥିଲି । କେତେଦିନ ସହିପାରନ୍ତି ଭୋକ । ମୋ ଆଖି ଆଗରେ ଖାଉଥିଲେ ବିରିଆନୀ ଚିକେନ ମଟନ । ଘରର ଗୋଟିଏ କଣକୁ ପଡିଥିଲି ମୁଁ । ଚାଲିବାକୁ ବଳ ନ ଥାଏ । କଷ୍ଟ ମଷ୍ଟ କରି ଉଠି ମାଗିଲି ମୋତେ ଖାଇବାକୁ ଦିଅ । ତଣ୍ଟି ଶୁଖିଯାଉଥାଏ ଶୋଷରେ । ଥରି ଥରି ମାଗିଲି ହେଲେ ଦୟା ନ ଥିଲା ସେମାନଙ୍କ ପାଖରେ । ସବୁ ମାନବିକତା ହଜାଇ ସାରିଥିଲେ । ମୋତେ ଧକ୍କା ଦେଇ କହିଲେ ଖାଇବୁ । ଏଠି ଯେମିତି ବୋପା ଧନ ଥୁଆ ହୋଇଛି । ଯା ଏଠୁ । କାନ୍ଦି କାନ୍ଦି କେତେବେଳେ ଶୋଇ ପଡିଲି । ରାତି ଅଧରେ ଚାଉଁକିନା ନିଦ ଭାଙ୍ଗିଲା । ଦେଖିଲି ମାତାଲ ହୋଇ ଶୋଇଛନ୍ତି ସମସ୍ତେ ନିଘୋଡ଼ ନିଦରେ । ଭାବିଲି ୟା ଠାରୁ ବଡ ସୁଯୋଗ ମିଳିବନି । ତେଣୁ ସମସ୍ତ ଶକ୍ତି ସଞ୍ଚି ଉଠିଲି ଧିରେ ଧିରେ । ପାଦଚିପି ଚିପି କବାଟ ଖୋଲି ବାହାରକୁ ବାହାରି ଆସିଲି ।


 ଚାରିଆଡେ ଘନ ଅନ୍ଧକାର । ଭୀଷଣ ଡର ଲାଗୁଥିଲା । ହେଲେ ଏ ରାକ୍ଷାସ ମାନଙ୍କ ଠାରୁ ଭୂତ ପ୍ରେତ ଶହେ ଗୁଣା ଭଲ ଭାବି ଚାଲିଲି ଆଗକୁ । ଚାଲି ଚାଲି କେଉଁଠି ବେହୋସ୍ ହୋଇ ଯାଇଥିଲି । ସକାଳୁ ଆଖି ଖୋଲି ଦେଖିଲି ମୁଁ ଏକ ରୁମ୍ ରେ ବେଡ୍ ଉପରେ ଶୋଇଥିଲି । ପାଖରେ ଜଣେ ବୟସ୍କା ମହିଳା ଥିଲେ । ସେ ମୋତେ ଉଠିବା ଦେଖି ଆଶ୍ୱାସନା ଦେଲେ ଏବଂ ସବୁକିଛି ପଚାରିଲେ । ଗୋଟି ଗୋଟି କରି ସବୁ କହିଗଲି ତାଙ୍କ ଆଗରେ । ମୋ କଥା ଶୁଣି ସାରି ସେ କହିଲେ ମୋହନ ନୁହେଁ ତୁ ଆଜି ଠାରୁ ମୋ ଝିଅ ମୋହନା । ଏଇଟା ଆମ କିନ୍ନର ସମାଜ । ଠାକୁରଙ୍କ କୃପାରୁ ତୁ ଠିକ୍ ଯାଗାରେ ଆସି ପହଞ୍ଚି ଯାଇଛୁ । କାଲି ଠାରୁ ତୁ ପାଠ ପଢିବୁ । ତୁ ବଞ୍ଚିବୁ ତୋ ଇଛା ରେ । ମୁଁ ଆମ କିନ୍ନର ସମାଜ ର ସଭାପତି ମାଳତୀ । ସମସ୍ତେ ମୋତେ ମା ଡାକନ୍ତି । ତୁ ବି ମା ଡାକିବୁ । ମା ଙ୍କ ଠାରୁ ଆଶ୍ରା ପାଇ ଟିକେ ଖୁସି ଲାଗିଥିଲା । ମୋତେ ଅମାପ ସ୍ନେହ ମିଳୁଥିଲା । ମୁଁ ମା ଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇ ପାଠ ପଢିଲି । ମୁଁ ବଞ୍ଚୁଥିଲି ମୋ ଇଛାରେ । ସଜେଇ ହେଉଥିଲି ମୋ ଇଛାରେ । ବହୁତ ଖୁସି ମିଳୁଥିଲା । ମା ସମସ୍ତ ଙ୍କୁ ସ୍ୱାବଲମ୍ବୀ କରାଉଥିଲେ । ମୁଁ ଗ୍ରାଜୁଏସନ କରୁଥାଏ ହଠାତ୍ ଦିନେ ମା ଙ୍କ ଦେହ ବହୁତ ଅସୁସ୍ଥ ହୋଇଗଲା ।

  

  ନିକଟସ୍ଥ ହସ୍ପିଟାଲକୁ କଲ୍ କରି ଆମ୍ବୁଲାନ୍ସ ଡକେଇ ମା ଙ୍କୁ ନେଇଗଲି । ମା ସୁସ୍ଥ ହୋଇ ଘରକୁ ଆସିଲେ ହେଲେ ଏତେ ଦିନ ଭିତରେ ଆମ୍ବୁଲାନ୍ସ ଡ୍ରାଇଭର ବାବୁ ଙ୍କ ସହିତ ମୋର ଦେଖା ସାକ୍ଷାତ ଧିରେ ଧିରେ ପ୍ରେମ ର ରୂପ ନେଲା । ବାବୁ ଥିଲେ ଶିକ୍ଷିତ କିନ୍ତୁ ଅନାଥ । ଧିରେ ଧିରେ ଆମ ସଂପର୍କର କଥା ବାବୁ ମା ଙ୍କ କାନରେ ପକାଇ ମୋ ହାତ ମାଗିଲେ । ମା ବହୁତ ଖୁସି ହୋଇଯାଇଥିଲେ । ସମସ୍ତେ ବଡ ଖୁସିରେ ବାବୁ ଙ୍କ ସହିତ ମୋ ବାହାଘର କରିଦେଲେ । ବର୍ଷେ ଦୁଇ ବର୍ଷ ଭଲରେ କଟିଗଲା । ବେଶ୍ ହସଖୁସିରେ । ମୋର ଏଇ ଆଠମାସ ତଳେ ଏଠାରେ (ଯାଜପୁର )ରେ ଏକ କମ୍ପାନୀ ରେ ମା ଚାକିରି ବୁଝି ଦେଲେ । ବାବୁଙ୍କ ଠାରୁ ଅନୁମତି ନେଇ ଆସି ଜଏନ କଲି । ବାବୁ ସିନା ଏଠାକୁ ଆସି ପାରନ୍ତି ନାହିଁ ହେଲେ ମୁଁ ମାସକୁ ଥରେ ଯାଏ ବାବୁ ଙ୍କ ସହିତ ଦେଖା କରିବାକୁ ଏବଂ ମା ଙ୍କୁ ଦେଖା କରି ଆସେ । ସବୁକିଛି ଠିକଠାକ ଥିଲା । ହେଲେ ଏ କରୋନା ଧିରେ ଧିରେ କଲିକତା ରେ କାୟା ବିସ୍ତାର କରିବାରେ ଲାଗିଲା । ପୁରା ଦେଶବ୍ୟାପୀ ଲକଡାଉନ ହୋଇଗଲା । ଦୁଇ ମାସ ତଳେ ମୋ ଚାକିରି ହରାଇ ବସିଲି ହେଲେ ଲକଡାଉନ ପାଇଁ କଲିକତା ଯାଇ ପାରିଲିନି । ୟା ଭିତରେ ବାବୁ କିଛି ଟଙ୍କା ଲୋଭରେ ଆମ୍ବୁଲାନ୍ସ ଗାଡି ର ଅପବ୍ୟବହାର କରି ଚୋରାରେ କିଛି ଯାତ୍ରୀ ଙ୍କୁ କଲିକତା ସହରରୁ ଦିଘା ଆଣି ପୁଣି ଫେରିଗଲେ । ଦୁର୍ଭାଗ୍ୟର କଥା ସେଥିରେ ଦୁଇଜଣ କରୋନା ପେସେଣ୍ଟ ଥିଲେ । ବାବୁ ଜାଣିବା ପରେ କ୍ୱାରେଣ୍ଟାଇନ ରେ ରହିଲେ ହେଲେ ତାଙ୍କ ର କରୋନା ପଜିଟିଭ ଆସିଲା । ହସ୍ପିଟାଲ ରେ ଆଡମିଟ ହେଲେ ସେ । ମୁଁ ମା ଙ୍କ ଠାରୁ ଖବର ପାଇ ଛଟପଟ ହେଉଥାଏ ତାଙ୍କ ସହିତ ଟିକେ ଦେଖା କରିବାକୁ । ହେଲେ ଯାଇ ପାରିଲିନି । ବାବୁ ମୋର ସବୁଦିନ ପାଇଁ ଆଖି ବୁଜିଦେଲେ । ବାବୁ ଙ୍କ ବିନା ବଞ୍ଚିବା ମୋ ପାଇଁ ବହୁତ କଷ୍ଟ । ମୋ ଭିତରର ମାନସିକ ଅସ୍ଥିରତା ଏକଲା ପଣ ବାବୁ ଙ୍କ ବିନା ମୋତେ ଖାଇ ଗୋଡାଉଥିଲା । ସବୁକିଛି ବିଷ ମୟ ଲାଗୁଥିଲା । ତେଣୁ ନିଷ୍ପତ୍ତି ନେଇଥିଲି ନିଜକୁ ସବୁଦିନ ପାଇଁ ଶେଷ କରିଦେବାକୁ । ମୋ ମୃତ୍ୟୁ ର ଦାୟୀ କେହି ନୁହେଁ । ମୁଁ ନିଜେ ।

     ଇତି ମୋହନା ••••



ଏହା ଏକ କାଳ୍ପନିକ କାହାଣୀ ଅଟେ । ବାସ୍ତବିକତା ସହ ଏହାର କିଛି ସଂପର୍କ ନାହିଁ । ତେଣୁ ଦୟାକରି ଏହାକୁ ବାସ୍ତବିକତା ସହ ନ ଯୋଡ଼ିବାକୁ ଅନୁରୋଧ । ଯଦି କିଛି ସାମଞ୍ଜସ୍ୟ ଥାଏ ତେବେ କ୍ଷମା କରିବେ । 🙏🙏ରଶ୍ମିତା ଭଟ୍ଟ। ଫୁଲନଖରା। କଟକ। ।

  



Rate this content
Log in

Similar oriya story from Romance