Rashmita Bhatta

Tragedy Inspirational

4  

Rashmita Bhatta

Tragedy Inspirational

ନୂଆ ସକାଳର ଅପେକ୍ଷା

ନୂଆ ସକାଳର ଅପେକ୍ଷା

5 mins
38


ସିଲୁ ସପ୍ତମ ଶ୍ରେଣୀରେ ପାଠ ପଢେ । ମା ଛେଉଣ୍ଡ ପିଲାଟା । ବାପା ସଂପୂର୍ଣ୍ଣ ମଦ୍ୟପ । ସିଲୁ କେତେ ବରଷର ହୋଇଥାଏ କେଜାଣି ମା ତାର ତାକୁ ଏକା କରି ଆଉ କାହା ହାତ ଧରି ଛୁଆ ଭାଇଟାକୁ ତାର ସାଥିରେ ଧରି ପଳେଇଲା । ଥରଟିଏ ସିଲୁ କଥା ଭାବିଲା ନାହିଁ । ମା ପଳାଇଲେ ବି ମଦୁଆ ବାପା ତାର କଣ ପାଇଁ କେଜାଣି ଆଉ ବାହା ହେଲା ନାହିଁ । କିନ୍ତୁ ସିଲୁର ଦାୟିତ୍ଵ ବି ନେଲା ନାହିଁ । ସବୁବେଳେ ଟାଙ୍କେ ମଦ ପିଇ ମାତାଲ ହୋଇ ଘରକୁ ଫେରି ସିଲୁକୁ ଗାଳି ଗୁଲଜ କରେ ବେଳେବେଳେ ବାଡାଏ ବି । ସିଲୁକୁ ଏସବୁ ଦେହସୁହା ହୋଇଗଲାଣି । ସିଲୁର ବାପା ଦେବୁ ରିକ୍ସା ଟାଣେ ଯାହା କିଛି ଆଣେ ମଦ ପିଇ ଉଡେଇ ଦିଏ । ମଦ ପିଇଲେ ସିଲୁକୁ ନାନା କଥା କହି ଗଞ୍ଜଣା ଦିଏ । ମା ନାଁ ଧରି ବାର ପ୍ରକାର ଗାଳି କରେ । ସିଲୁ ବାପାଙ୍କରଏ ସବୁ କଥାରେ ଦୁଃଖିତ ହୁଏ ନାହିଁ । ତା ଜନ୍ମ କଲା ମା ତ ତାକୁ ଛାଡିଦେଇ ଚାଲିଗଲା ଆଉ ମଦୁଆ ବାପା ଠାରୁ ସେ କଣ ଆଶା କରିବ । କମ୍ ସେ କମ୍ ଓଳିଏ ପଖାଳ ତ ଖାଇ ପାରୁଛି । ବାପା ଗୋଡ ହାତ ଧରି ସିଲୁ ପାଠ ପଢୁଥାଏ । ପ୍ରଥମେ ପ୍ରଥମେ ବାପା ତା ପଢାକୁ ବିରୋଧ କରୁଥିଲେ ହେଲେ ସିଲୁ ଗୋଡ ତଳେ ପଡି କହିଲା ବାପା ତୁମେ ଯାହା କହିବ ମାନିବି । ଯାହା କହିବ କରିବି । ମୋ ପଢା ପାଇଁ ଟଙ୍କାଟିଏ ମାଗିବିନି ହେଲେ ମୋତେ ପାଠ ପଢାଅ । ବାପା ତାର ମଦ ନିଶାରେ ଦି ଗୋଇଠା ମାରିଥିଲା । ଗାଳିଦେଇ କହିଲା ବଜାତ୍ ଛୁଆ ପାଠ ପଢି ମୋ ମୁଣ୍ଡରେ ଚଢିବୁ । ମା ଭଳି କୋଉ ଟୋକା ସହ ପଳେଇବୁ । ଜୀବନ କଣ ବୁଝି ନ ଥିବା ସିଲୁ ବୁଝି ପାରୁଥିଲା ତା ମା ବହୁତ ବଡ ଭୁଲ କରିଛି ଯେଉଁଟା କି ତା ବାପାକୁ ବହୁତ ବାଧିଛି । ଲୁଚି ଲୁଚି ମାକୁ ମନେ ପକାଇ କାନ୍ଦେ ସିଲୁ । ହେଲେ ମା ତ ତାକୁ ପରକରି କୁଆଡେ ପଳାଇଲା ସେ କଣ ବୁଝିବ ସିଲୁର ଲୁହର ମୂଲ । 


 ବହୁତ କଷ୍ଟରେ ଦେବୁ ରାଜି ହେଲା ସିଲୁକୁ ପଢେଇବାକୁ । କିନ୍ତୁ କହିଲା ଦେଖ୍ ମା ଭଳି ନାଁ ଗାଁ ପକେଇବୁ ତ ତୋ ପାଠ ପଢା ନିଶା ଛଡେଇ ଦେବି । କିଛି ନ ବୁଝିଲେ ବି ଡରି ମରି ହଁ ମାରୁଥିଲା ସିଲୁ । ମନେ ମନେ ଭାବୁଥିଲା ମା ବିରାଟ ଭୂଲ କରିଛି ବୋଧେ । ସିଲୁ ନୂଆ ନୂଆ ସ୍କୁଲ ଯାଉଥିଲା ବାପା ତାର ଦିନେ ମଦ ନିଶାରେ ଟଳମଳ ହୋଇ କହିଲାଏ ଶୁଣ । ସବୁବେଳେ ପାଠ ପଢିବି ପାଠ ପଢିବି କହି ଗୋଟିଏ ପାଲା ଲଗେଇଛୁ । କୋଉ ପାଠ ପଢି ମନ୍ତିରୀ ହୋଇଯିବୁ । ମା ତ ତୋର ତୋତେ ଛାଡି ଚାଲିଗଲା ମୋ ବେକରେ ଝୁଲେଇ କିଏ ଜାଣେ ତୁ କୋଉ ବିଷ ଗଛର ଫଳ ହୋଇ ଥିବୁ । ତୋତେ କଣ ମୁଁ କାଳକ ପୋଷିବି । ତୋତେ କଣ କୋଉଠି ଗାଡିଆ ପୋଖରୀ ମିଳୁନି । ଆରେ ଭଲ ଗ୍ରହ ଗୋଟାଏ ଜୁଟିଛି ଯେ ମଣିଷ ଶାନ୍ତିରେ ରହି ପାରୁନି । ଦେଖ୍ ଲୋକଗୁଡାକ କାହିଁକି କହିବେ ବାପାଟା ଝିଅକୁ ପାଠ ପଢିବା ପାଇଁ ଛାଡୁନି ମୁଁ ପାଠ ପଢେଇବି କିନ୍ତୁ ମା ଗୁଣ ବାହାର କଲେ କି ଘର କାମ ନ କଲେ ପିଟି ପିଟି ପିଠିରୁ ଛାଲ ଉତ୍ତାରି ଦେବି । ଦେବୁ କେତେବେଳେ ବି ହୋସ୍ରେ ନ ଥାଏ ତେଣୁ ସିଲୁ ବାପର ସ୍ନେହ ଟିକେ ପାଇନି । ହେଲେ ଯାହା ଗାଳି ଗୁଲଜ କରୁ ପଛେ ପାଠ ପଢିବାକୁ ଛାଡିଲାରୁ ସିଲୁ ଖୁସି ଥିଲା । ସ୍କୁଲରେ ପାଠ ପଢା ସହ ଖୁସିରେ ମୁଠାଏ ଗରମ ଭାତ ତରକାରୀ ପେଟ ଭରି ଖାଉଥିଲା ସିଲୁ । 


  ଦେବୁର ଗାଁରେ ଆଉ ରୋଜଗାର ନ ହେବାରୁ ଘରଠାରୁ ବହୁତ ଦୂର ଭୁବନେଶ୍ୱର ଆସିଲା ଦେବୁ । ସାଙ୍ଗରେ ସିଲୁକୁ ନେଇ ଆସିଲା । ଘର କାହିଁ କେତେ ଦୂର ଆଖି ପାଉ ନ ଥିଲା ସିଲୁର । ଗାଁ ସାଙ୍ଗ ସାଥି ସମସ୍ତ ଙ୍କୁ ଛାଡି ଆସିଲା କାହିଁ କେତେ ପଛରେ । ସହର ତଳି ବସ୍ତି ଅଞ୍ଚଳରେ ବଖୁରିଆ ଝାଟିମାଟି ଘରଟିଏ ଭଡା ନେଇ ରହିଲେ ବାପ ଝିଅ । ସେ ବସ୍ତିରେ ଏମିତି ଅନେକ ମୂଲିଆ ମଜୁରିଆ ଲୋକ ରହୁଥିଲେ । ଦେବୁ ଭୁବନେଶ୍ୱର ଆସିବା ପରେ ଗାଁ ଅପେକ୍ଷା ତାର ଅଧିକ ରୋଜଗାର ବଢିଲା ହେଲେ ସବୁ ଖରାପ ଅଭ୍ୟାସ ଗୁଡିକର ବଶବର୍ତ୍ତୀ ହୋଇ ଯାଇଥିଲା ଦେବୁ । ସହରକୁ ଆସିବା ପରେ ଦେବୁ ସିଲୁକୁ ଆଉ ପଢାଇବାକୁ ରାଜି ହେଲା ନାହିଁ ହେଲେ ବସ୍ତିର କିଛି ପିଲାମାନଙ୍କୁ ସ୍କୁଲ ଯାଉଥିବା ଦେଖି ସିଲୁକୁ ସ୍କୁଲ ପଠାଇଲା ଦେବୁ । 

 ଭଲରେ ଭଲରେ କଟିଗଲା କିଛି ମାସ । ସିଲୁ ସପ୍ତମ ଶ୍ରେଣୀରେ ପଢିଲାଣି । ଘରେ ସବୁବେଳେ ମନ ଲଗାଇ ପାଠ ପଢେ ସିଲୁ । ହଠାତ୍ କରୋନାର ଭୂତାଣୁ ଗୁଡିକ ଧିରେ ଧିରେ ମାଡି ଆସିଲେ ଓଡିଶା । କରୋନା କଣ ଲକଡାଉନ କଣ ବୁଝିବା ପୂର୍ବରୁ ସରକାର ଘୋଷଣା କଲେ ଲକଡାଉନ । ଗରୀବ ଖଟିଖିଆ ବସ୍ତି ବାସିନ୍ଦା ଅଳ୍ପ କିଛି ଦିନ ସିନା ଚଳିଗଲେ । ହେଲେ ବେଡି ଉପରେ କୋରଡା ମାଡ ସେତେବେଳେ ହେଲା ଯେତେବେଳେ ଦେବୁ ଓ ବସ୍ତି ଲୋକଙ୍କ ପାଖରେ ସବୁ ଚାଉଳ ପରିବା ତେଲ ମସଲା ସରିଗଲା । ଦିନ ଆଠଟା ହୋଇନି ଭୋକରେ ଆଉଟୁ ପାଉଟୁ ହେଲେ ସମସ୍ତେ । ସିଲୁ ପଖାଳ ତୋରାଣି ରଖି ରଖି ପିଉଥିଲା ହେଲେ କେତେ ସହିବ ଭୋକର ଜ୍ୱାଳା । ପେଟ ବିକଳରେ ପାଣି ପେଟେ ପେଟେ ପିଇ ଶୋଇଯାଏ ହେଲେ ଆଉ ପାରୁନି । ଅନ୍ଧାର ଭିତରେ ଲୁଚି ଲୁଚି ବାବୁ ମାନଙ୍କ ଘରୁ ମାଗି କରି କିଛି ଆଣି ବାପା ସହ ବାଣ୍ଟି ଖାଏ ସିଲୁ । ଦେବୁର ଆଉ ନିଶା ପାଣି ଦରକାର ପଡୁ ନଥିଲା । ଦେବୁ ଖୋଜୁଥିଲା କାମ ଆଉ ମୁଠାଏ ଦାନା । ହେଲେ ନା ତାର ଥିଲା ପରିଚୟ ପତ୍ର ନା ଥିଲା କିଛି କାର୍ଡ । ତେଣୁ ସବୁ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ଥିଲା । 


 ଆଜିକୁ ପନ୍ଦର ଦିନ ହେଲା ସିଲୁ ପେଟକୁ ଦାନା ଯାଇନାହିଁ । ପାଠ କଣ ପଢିବ । ଦୁଇ ମୁଠା ଖାଇବାକୁ ତଳେ ପେଟକୁ ଧରି ଗଡୁଥିଲା ସିଲୁ । ଡହଳ ବିକଳ ହୋଇ କହୁଥିଲା ବାପା ମୋତେ ମୁଠାଏ ଖାଇବାକୁ ଦିଅ ବାପା । ମୁଁ ମରିଯିବି । ଦେବୁ ଆଖିରୁ ଲୁହ ଝରି ପଡୁଥିଲା । କାଳେ କିଏ ଗରାଖ ମିଳିଯିବେ ଭାବି ଖରାବେଳ ଟାରେ ବାହାରି ପଡିଲା ରିକ୍ସା ଧରି । ହେଲେ ଦୁର୍ବଳ ଶରୀର ତାର ନିଷ୍ଠୁର ଖରାର ତେଜ ସହି ପାରିଲାନି । ମୁଣ୍ଡ ବୁଲାଇ ଦେଲା । ପାଦେ ଆଗକୁ ଯାଇ ପାରିଲାନି ଏତିକି ବେଳେ ପଛପଟୁ ବସିଗଲା ଦୁଇ ଜମକାଣିଆ ପାହାର । କାଉଲୁ ବାଉଲୁ ହୋଇଗଲା ଦେବୁ । ପଛକୁ ଅନାଇ ଦେଖିଲା ବେଳକୁ ପୋଲିସ ବାବୁ । ଜୀବନ ବିକଳରେ ଫେରି ଆସିଲା ଦେବୁ । ଯନ୍ତ୍ରଣାରେ ଛଟପଟ ହୋଇ ଦୁଲ୍ କିନା ବସିଗଲା ତଳେ । ସିଲୁ ଅନାଇ ଦେଲା ବାପା ପିଠିକୁ । ନୋଳା ଫାଟି ଯାଇଥିଲା । ସିଲୁ ପେଟକୁ ଚାପି ଧରି କଷ୍ଟ ମଷ୍ଟରେ ଆସି କହିଲା ବାପା ତୁମେ ଆଉ ବାହାରକୁ ଯାଅନା । ବାପା ବାବୁମାନେ ବସ୍ତିକୁ ଆସି କହୁଥିଲେ ଯାହାକୁ ଥଣ୍ଡା ଜର ହୋଇଛି ଯାଇ କୋଉ କରୋନା ଘରେ ରହିବାକୁ । ସେଠି ମାଗଣା ଖାଇବାକୁ ମିଳିବ ଚଉଦ ଦିନ । ବାପା ଆମେ ଚାଲ ସେଇଠି ରହିଯିବା । କରୋନା କଣ ଲକଡାଉନ କଣ କ୍ୱାରେଣ୍ଟାଇନ କଣ ବୁଝି ନ ଥିଲେ ଉଭୟ ବାପ ଝିଅ କି ବସ୍ତି ଲୋକ । 


   ପରଦିନ ସକାଳେ ସାହିର କିଛି ଯୁବଗୋଷ୍ଠୀ ଘର ପିଛା ବୁଲି ବୁଲି ମାସ୍କ ଦେବା ସହ କରୋନା ବିଷୟରେ ବୁଝାଇ ଦେଲେ । ହେଲେ ଭୋକରେ ଆଉଟୁ ପାଉଟୁ ସିଲୁ ହାତ ଯୋଡି କହିଲା ବାବୁ ଆମକୁ ସେହି କରୋନା ଘରେ ନେଇ ଛାଡି ଦିଅ ଆମେ ସହି ପାରୁନୁ ଆଉ ଭୋକ । ସେଠି କୁଆଡେ ମାଗେଣା ଖାଇବାକୁ ମିଳୁଛି । ଆମେ ମାନେ ସେଠି ଓଳିଏ ଖାଇ ରହିଯିବୁ ପଛେ । ଯୁବଗୋଷ୍ଠୀ ପରସ୍ପରକୁ ଅନା ଅନି ହୋଇ ନିଜ ଭିତରେ କିଛି କଥା ହେଲେ । ତା ପରେ ସମସ୍ତ ଙ୍କୁ ବୁଝାଇ ଦେଲେ ଥଣ୍ଡା ଜର କାଶ ହେଲେ ଜଣାଇବ । ଏବଂ ପ୍ରତି ଘରର ଲିଷ୍ଟ କରିନେଲେ । ଦିନ ବାରଟା ସୁଦ୍ଧା ପ୍ୟାକେଟ୍ ଭର୍ତ୍ତି କଣ ସବୁ ଧରାଇଦେଲେ ପରିବାରର ମୁଣ୍ଡ ପିଛା । ଦେବୁ ହାତକୁ ବଢାଇ ଦେଲେ । ହାଁଟା କରି ଦେବୁ ଚାହିଁଥାଏ ବାବୁ ମାନଙ୍କ ମୁଁହକୁ । ସିଲୁ ଦୌଡି ଆସି କିଛି ମହମହ ବାସ୍ନା ପାଇ 

ପଲିଥିନକୁ ଦେଖି ନଇଁ ପଡି ଶୁଙ୍ଘି ପକାଇଲା । ଆଃ ଆତ୍ମା ତୃପ୍ତି ହୋଇ ଯାଉଥାଏ । କି ସୁନ୍ଦର ବାସନା ସିଲୁ ପାଟିରୁ ବାହାରି ପଡିଲା । ବାବୁ ମାନଙ୍କ ମୁଁହକୁ ଚାହିଁ ଲାଜେଇ ଯାଇ ନିଜ ପାଟିରେ ଦୁଇ ହାତ ଦେଇଦେଲା । ବଡ ଭାଇ ମାନେ ଦେବୁକୁ କହିଲେ ଏଥିରେ କିଛି ଖାଦ୍ୟ ଅଛି । ଆମେ ପ୍ରତ୍ୟେକ ଦିନ ଆଣି ଦେଇ ଯିବୁ ଯେତେଦିନ ପାରିବୁ । ତୁମେ ମାନେ ଯାଅ ଖାଇନିଅ । ପୁଣି କାଲିକି ଆସିବୁ । ସେମାନେ ଯିବା ପରେ ଚଟ୍ କିନା ଝାମ୍ପିନେଲା ବାପାଙ୍କ ହାତରୁ ସିଲୁ । ଖୋଲିଦେଲା ବେଳକୁ ପେଟ ପୂରିଯାଉଥାଏ । ଭାତ ମାଛ ତରକାରୀ ପନୀର ଆଉ ଖଟା । ବାପା ଙ୍କୁ ଟାଣି ଧରି ବସାଇ ଗାଉଁ ଗାଉଁ ହୋଇ ଖାଇ ପକାଇଲା ସିଲୁ । ଜୀବନରେ ପ୍ରଥମ ଥର ସୁଆଦୁ ଖାଇବା ଖାଇ ସିଲୁର ଆତ୍ମା ତୃପ୍ତ ହୋଇ ଯାଇଥିଲା । ସିଲୁ ଖାଇସାରି ବାହାରକୁ ଆସି ଦୁଇ ହାତ ଖୋଲି ଖୁସିରେ ଘୁରି ଯାଇ ଅନୁଭବ କଲା ତା ଜୀବନରେ ଆସିଥିବା ନୂଆ ସକାଳର ନୂଆ ଖୁସିକୁ । ମନକୁ ମନ କହିଲା ବାବୁ ମାନେ ସିନା ଆମ ଦୁଃଖ ବୁଝିଲେ ହେଲେ ମୋ ପରି ଏମିତି କେତେ ସିଲୁ ଯେ ଆଜି ଭୋକିଲା ଶୋଇଥିବେ ପେଟରେ ଓଦା କନା ପକାଇ । ନୂଆ ସକାଳର ଅପେକ୍ଷାରେ ଆକାଶକୁ ଚାହିଁଲା ସିଲୁ । ଯେଉଁଠି କରୋନା ନ ଥିବ କି ଲକଡାଉନ ନ ଥିବ । 



Rate this content
Log in

Similar oriya story from Tragedy