STORYMIRROR

Arabinda Rath

Drama Tragedy

4  

Arabinda Rath

Drama Tragedy

ଇଶ୍ବରଙ୍କ ନ୍ଯାୟ

ଇଶ୍ବରଙ୍କ ନ୍ଯାୟ

18 mins
228


ବହେ ଦିନ ଝାଳନାଳ ବୁହାଇ ଘରକାମ ପାଇଁ ଲୋକଟିଏ ଖୋଜାଖୋଜି କରିବା ପରେ ମଧ୍ଯ ହରବାବୁଙ୍କ ହାତ ଖାଲିଥିଲା। ଶେଷରେ ପଡୋଶୀ ରତ୍ନାକର ବାବୁଙ୍କ ସାହାଯ୍ଯ ନେବାକୁ ପଡିଲା। ସେ ହିଁ ସୁପାରିଶ କଲେ ଏହି ଲୋକ ପାଇଁ। ତାଙ୍କ କହିବା ଅନୁସାରେ ଲୋକଟି କୁଆଡେ ସବୁଦିଗରେ ପାରଙ୍ଗମ। ଧର ବୋଲି କହିଲେ ମାରି ଆଣିବା ଲୋକ। ଏତେ ଚଳଚଞ୍ଚଳ ଯେ ଠେକୁଆ ବି ତା ସାଙ୍ଗେ ସରି ହେବନି। କଥା କହିବ ଯେ ବାଟୁଳି ବାଜିବନି। ନିଜ ଖାଉନ୍ଦଙ୍କୁ ଏତେ ସମ୍ମାନ ଦେଖାଇବ ଯେ ଖାଉନ୍ଦର ମାଇପ,ପିଲା ଆଦି ପଛେଇ ଯିବେ। ପରମ ଆଜ୍ଞାବହ,ଗୁଣବନ୍ତ,ଶାନ୍ତଶିଷ୍ଟ ପ୍ରାଣୀଟିଏ।

ରତ୍ନାକରଙ୍କ ଲୋକଟି ବିଷୟରେ ପ୍ରଶଂସାର ବାଦଲଫଟା ବର୍ଷାରେ ବିରାମ ଲଗାଇ ଚରମ ଉତ୍କଣ୍ଠାରେ ହରବାବୁ ପ୍ରଶ୍ନ କଲେ-- ତେବେ ଲୋକଟି ବେକାର ବସିଛି କାହିଁକି। ଏପରି ଲୋକଟେ ପାଇବା ପାଞ୍ଚଟଙ୍କାରେ ପେଟ୍ରୋଲ ଲିଟରେ ପାଇବା ସାଙ୍ଗେ ସମାନ। ଏପରି ଗୁଣବନ୍ତ ଲୋକକୁ ଦାମୀଗାଡିରେ ପ୍ରୋସେସନ କରି ନେଇଯିବା କଥା। ମୋତେ ଟିକେ କହିଲେ ସେ ଲୋକଟିର କିଛି ବଦଗୁଣ ନାହିଁ ତ ?

ବୁଝିଲେ ଆଜ୍ଞା, ଆପଣଙ୍କର ସେ ମାଷ୍ଟ୍ରିଆ ବୁଦ୍ଧି ଗଲା ନାହିଁ। ଚାକିରି ସରିଗଲେ କଣ ହେବ, ଗୁଣ ବଦଳିନି ଆପଣଙ୍କର। ଆରେ ଆପଣ ପିଠା ଖାଇବା ଲୋକ ବିନ୍ଧ ଗଣିବାକୁ କିଏ କହୁଛି। ସେ କାହିଁକି ବେକାର ବସିଲା ସେଥିରେ ଆମର କେତେ ଯାଏ ଆସେ। ଆମର ଲୋକ ଦରକାର ଆଉ ସେ ଲୋକର କାମ। ବାସ୍ ହିସାବ ସେତିକି। ବାକି ରହିଲା ବଦଗୁଣ କଥା। ବଦଗୁଣ କାହାର ନାହିଁ ଯେ। କଉଁ ମରଦ କା ବଚ୍ଚା ଛାତିରେ ହାତ ରଖି କହିପାରିବ ତାର ବଦଗୁଣ ନାହିଁ। ଗୁଣ ଅଛି ମାନେ ବଦଗୁଣ ରହିବ। ଏଇ ଦେଖୁ ନାହାଁନ୍ତି ଆପଣଙ୍କ କଥା। ସବୁ କଥାରୁ ଚୋପା ଛଡେଇବା ନୀତି। ମୋ ଜାଣିବାରେ ଲୋକଟା ନାମରେ ଥାନା ବା କଚେରୀ ରେ କୌଣସି କେସ୍ ନାହିଁ। ଆପଣଙ୍କ ଘରେ ତ ଯୁଆନ ଝିଅ ବୋହୂ ନାହାଁନ୍ତି, ତେଣୁ ତା ଚରିତ୍ର ବିଷୟରେ ବେଶି ଅନୁସନ୍ଧାନ କରିବାର ଆବଶ୍ଯକତା ଅଛି ବୋଲି ମୁଁ ଭାବୁନି।

କିନ୍ତୁ ସେ ଲୋକଟି ବେଶି ପଇସା ନେବାକୁ କିହିବନି ତ?

ସେଥିିପାଇଁ ବିବ୍ରତ ହୁଅନ୍ତୁ ନାହିଁ। ବଜାରରେ ଯେତିକି ଦର ଚାଲିଛି ସେ ସେତିକି ନେବ। ତାଠୁ ଅଧିକା ଫଟା ପାହୁଲାଏ ବି ଦେବାର ନାହିଁ।

କିନ୍ତୁ ଆପଣ ଏ ଲୋକର ପରିଚୟ ପାଇଲେ କୁଆଡୁ?

ଧେତ୍ ତେରିକି। ମୁଁ ଦେଖୁଛି ବଡ ଅଜବ କିସମର ଲୋକ ଆପଣ। ଆପଣ କଣ ଭାବୁଛନ୍ତି ସେ ଲୋକ ଟା ମୋ ଭାଇବନ୍ଧୁ କୁଟୁମ୍ବ ଯେ ମୁଁ ତା ନାମ ସୁପାରିଶ କରୁଛି। ଆପଣଙ୍କ ନାଁ ହର ନ ଦେଇ ହରବର ଦେବା କଥା। ସାନ କଥାଟାକୁ ଏତେ ଫେଣେଇଲେଣି ଯେ ଚାରିଆଡ ଫେଣମୟ ହୋଇ ଗଲାଣି। ମୋର ଯାହା ଖବର ଦେବାର କଥା ମୁଁ ଦେଇଦେଲି,ତେଣିକି ଆପଣ ଲୋକ ରଖିବେ ନ ରଖିବେ ଆପଣଙ୍କ ବ୍ଯାପାର। ବିରକ୍ତିରେ କହିଲେ ରତ୍ନାକର।

ହରବାବୁଙ୍କ ପତ୍ନୀ ରାଧା ରତ୍ନାକରଙ୍କ ହାତକୁ ଗରମ ଚାହାକପ୍ ବଢାଇ ଦେଇ କହିଲେ ଆପଣ ଏମିତି ଗୁରୁତ୍ବପୂର୍ଣ୍ଣ କଥା ୟାଙ୍କୁ କହିଲେ ସେ ଲେମ୍ବୁ ଟା ବୁଝିବେ। ଘରକାମ କଲେ ସିନା ଜାଣନ୍ତେ କେତେ କଷ୍ଟ ମୁଁ ପାଉଛି। ଦିନସାରା ଅଜଗର ସାପ ପରି ଟେଲିଭିଜନ ସାମନାରେ ଚକା ମାଡି ବସି ପାନ ଚୋବେଇଛଡା ୟାଙ୍କୁ ଆଉ କିଛି କାମ ଆସିନି। ପୁଅବୋହୂ ତ ବିଦେଶରେ, ଦୁଇ ତିନି ବର୍ଷରେ ତାଙ୍କ ସାଙ୍ଗେ ଥରେ ଅଧେ ଦେଖା। ତେଣୁ ସେମାନଙ୍କ ଦାୟିତ୍ବ ମଧ୍ଯ ୟାଙ୍କ ଉପରେ ନାହିଁ। କାମ କରିକରି ମୋ ହାତର ଶିରା ପ୍ରଶିରା ଦେଖା ଗଲାଣି, ଅଣ୍ଟାପିଠି ନଇଁ ଗଲାଣି। ଇଏ ବାବୁ,ଦୁଇ ବର୍ଷହେବ କାମ କରିବାକୁ ଲୋକ ଖୋଜୁଛନ୍ତି । ୟାଙ୍କର ଏତେ କାଟତି ଯେ ଆଜିଯାଏ ଲୋକଟେ ଖୋଜି ପାରିଲେନି। ଆପଣ ଖୋଜିଲା ବେଳକୁ ହଜାର ପ୍ରଶ୍ନ।

ରାଧାଙ୍କର ଘୁଡୁକି ଶୁଣି ହର ମୁହଁ ଆମ୍ବିଳା କରି ବସିଲେ ଓ ରତ୍ନାକର ଘୋଡାଙ୍କ ପରି ହେଁ ହେଁ ହୋଇ ବହେ ସମୟ ଯାଏଁ ହସିଲେ। ଗଲା ବେଳକୁ ହରଙ୍କୁ କହିଲେ ତେବେ ସେ ଲୋକକୁ କାଲିଠାରୁ ଆସିବାକୁ କହି ଦେଉଛି।

କିନ୍ତୁ ସେ ଲୋକର ନାମ ଟା ରାଧାଙ୍କ କଟମଟିଆ ଚାହାଁଣୀ ଦେଖି ପ୍ରଶ୍ନଟା ତଣ୍ଟି ପାଖରେ ଠାକିଗଲା।


ସେ ଲୋକର ନାମ ଟିି ତା ପରି ନିଆରା। ଲୋକେ ତାକୁ ସ୍ନେହରେ ପବନା ଡାକନ୍ତିି।

ପବନା ? ଇଏ କି ପ୍ରକାର ନାମ?

ଉହୁଁ, କଥା ଟା ସମ୍ପୂର୍ଣ୍ଣ ଶୁଣିିଲେ ସିନା ହେବ। ଏମିତି ଅଧା ଶୁଣୁଶୁଣୁ ଅତରଛିଆ ହେଲେ ଚଳିବ? ତା ପୁରା ନାମ ହେଲା ପକ୍ଷୀବନ୍ଧୁ ନାଥ। ଲୋକେ ପକ୍ଷୀରୁ "ପ”, ବନ୍ଧୁରୁ "ବ" ଓ ନାଥରୁ "ନା" ଅକ୍ଷର ଉଦ୍ଧାର କରି ତା ନାମ ପବନା ଦେଇଛନ୍ତି।

କିନ୍ତୁ ସେ କଣ ସତରେ ପବନା?

ଭାଉଜ, ଏ ଲୋକର ବୋଧେ ଛାଞ୍ଚୁଣୀଚର୍ଚ୍ଚା ଦରକାର ହେଉଛି। ସବୁକଥାରେ ସନ୍ଦେହ। କେମିତି ଚଳୁଛ ୟାଙ୍କ ସାଙ୍ଗେ କେଜାଣି। ଗରଗର ହୋଇ ରତ୍ନାକର ଘର ଛାଡିଲେ।

ତହିଁଆର ଦିନ ସକାଳୁ କବାଟରେ ଖଟଖଟ ଶବ୍ଦ ଶୁଣି ହର କବାଟ ଖୋଲିଲେ। ଚାରିଆଡକୁ ଦେଖନ୍ତେ କେହି କୁଆଡେ ନାହାଁନ୍ତି। ପାଦ ସୁଲୁସୁଲୁ ହେବା ଅନୁଭବ କରି ତଳକୁ ଦେଖିବା ବେଳକୁ ଲୋକଟଏ ଲମ୍ବତମ୍ବ ହୋଇ ତଳେ ଶୋଇ ରହିଛି। କାଳେ ସେ ଚେତା ବୁଡିଯାଇ ଥିବ ଭାବି ରାଧାଙ୍କୁ ବୋବାଳି ଛାଡି ଡାକିଲେ। ହାତରେ ଛାଞ୍ଚୁଣୀ ଧରି ରାଧା ଦୌଡି ଆସି ଦେଖିଲା ବେଳକୁ ଭେଣ୍ଡିଆ ଲୋକଟିଏ ଝାଡିଝୁଡି ହୋଇ ଛିଡା ହୋଇଛି। ରାଧାଙ୍କୁ ଦେଖିବା ପରେ ପୁଣିଥରେ ଲୋକଟି ଭୂଇଁ ଉପରେ ଲମ୍ବତମ୍ବ ହୋଇ ଶୋଇଗଲା। ହରଙ୍କ ପାଟିରୁ କ୍ଷୀଣ ସ୍ବରରେ ବାହାରି ଆସିଲ “ପବନା କିରେ”?

ଆଜ୍ଞା ହଜୁର,ମୁଁ ସେହି ଅଧମ। ଆପଣଙ୍କ ସେବା କରିବା ନିମନ୍ତେ ଉପସ୍ଥିତ। ଆପଣଙ୍କୁ ବଚନ ଦେଉଛି ଯେ କାୟମନୋବାକ୍ଯରେ ଆପଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେବି। ଦୈବାତ୍ କୌଣସି ତ୍ରୁଟି ଦେଖିଲେ ମାର୍ଜନା କରିବା ହେବେ।

ଆଃ କି ସୁନ୍ଦର ବାକ୍ଯ ମାନ କହୁଛ ପବନା। ତୁମର ଶିକ୍ଷାଗତ ଯୋଗ୍ଯତା କେତେ?

ହଜୁର୍ ମୋର ଶିକ୍ଷା ଗତ ହୋଇ ଯାଇଛି। ଖାଲି ଯାହା ଯୋଗ୍ଯତା ଅଛି। ଦାରିଦ୍ର୍ଯର କଷାଘାତରେ କଷି ହୋଇ ମୋର ପାଠପଢାରେ ଡୋରି ସପ୍ତମ ଶ୍ରେଣୀରୁ ବନ୍ଧା ସରିଛି। କିନ୍ତୁ ମୋର ପାଠ ପଢିବାର ଅଦମ୍ଯ ଆଗ୍ରହ ଓ ସଂକଳ୍ପ ହେତୁ ମୁଁ ଅନେକ ବିଦ୍ଯା କରାୟତ କରି ପାରିଛି। ସଂକ୍ଷେପରେ କହିଲେ ମୁଁ ଜୋତା ସିଲେଇରୁ ବେଦପାଠ ସବୁଥିରେ ପାରଙ୍ଗମ। ସମୟକ୍ରମେ ସେସବୁ ଆପଣଙ୍କୁ ଜଣାଇବି।

ହରଙ୍କ ମନରେ ଆଉ କେତୋଟି ପ୍ରଶ୍ନ ଉଙ୍କି ମାରୁଥିଲା;କିନ୍ତୁ ରାଧାଙ୍କ ହାତରେ ଛାଞ୍ଚୁଣୀର ଦୋଳାୟମାନ ରୂପ ଦେଖି ସେ ନୀରବିଗଲେ। ପବନା କାଳବିଳମ୍ବ ନକରି ରାଧାଙ୍କ ସହ ଅଳ୍ପ କିଛି କଥାବାର୍ତ୍ତା କରି କାମ କରିବା ଆରମ୍ଭ କରିଦେଲା। ସତରେ ଲୋକଟା ଠେକୁଆ ପରି ଚଞ୍ଚଳ ଥିଲା। ଅଳ୍ପ ସମୟ ମଧ୍ଯରେ ଘର ଝାଡୁ ପୋଛା କାମ ସାରି ରୋଷେଇଘରେ ପଶିଲା।

ରାଧା ତାକୁ ବାରଣ କରି କହିଲେ ଥାଉ ପୁଅ, ରୋଷେଇ କାମଟା ବାହା ହେବା ଦିନରୁ ମୁଁ କରି ଆସୁଛି। ଆମେ ଦୁଇଜଣ ବୁଢାବୁଢୀଙ୍କ କଣ ଦୁଇଟା ଫୁଟେଇ ଖାଇ ଦେଲେ କାମ ସରିଲା। ବାର ପ୍ରକାର ଖାଇବାର ସଉକ ନା ୟାଙ୍କର ଅଛି ନା ମୋର। କେବେ କେମିତି ଘରକୁ ବନ୍ଧୁବାନ୍ଧବ ଆସିଲେ ବଡ ଆୟୋଜନ ହୁଏ। ସେତିକି ବେଳେ ଭଳିକି ଭଳି ଚିଜ ରୋଷେଇ ହୁଏ। ଏବେ ତ କେତେ ବର୍ଷ ହେଲାଣି ଆମ ଘରେ କୌଣସି ବନ୍ଧୁବାନ୍ଧବଙ୍କ ପାଦ ପଡିନି। ତେଣୁ ସେସବୁ ଝିଞ୍ଜଟ ଏବେ ନାହିଁ। ଏବେ ତୁମେ ଅନ୍ଯ କାମ ଦେଖ। ରୋଷେଇ ମୁଁ କରିଦେବି।

ଏତିକି କହି ରାଧା ପବନା ଆଡକୁ ଦେଖିଲା ବେଳକୁ ପବନା ଆଖିରେ ଦୁଇଧାର ଲୁହ। ପବନାର କାନ୍ଦର କାରଣ ବୁଝି ପାରୁ ନ ଥାନ୍ତି ରାଧା।

ଶେଷରେ ପବନା କହିଲା ମାଆ, ଆପଣଙ୍କ ମୁହଁରୁ ପୁଅ ଡାକ ଶୁଣି ମୋ ଦେହ ଭିତରେ ବିଜୁଳି ଖେଳିଯିବା ପରି ମନେହେଲା। ଦେହର ଲୋମ ସବୁ ବାଉଁଶଗଛ ପରି ଠିଆ ହୋଇଗଲା। ରୋମାଞ୍ଚରେ ଦାନ୍ତ ମାଢି ସିର୍ ସିର୍ କରି ପକେଇଲା। ଧନ୍ଯ ଆପଣ ଓ ଧନ୍ଯ ଆପଣଙ୍କ ମାତୃ ହୃଦୟ। କେତେ ସ୍ନେହୀ ଆପଣ ମୁଁ ଭାଷାରେ

ପ୍ରକାଶ କରି ପାରୁନାହିଁ। ଆଜିଯାଏ ଅନେକ ଯାଗାରେ ଚାକିରି କରିଛି। ସେସବୁ ଜାଗାରେ ମ୍ୟାଡାମ୍,ମାଲିକାଣି, ମହାରାଣୀ ମାନଙ୍କ ସହ ସାକ୍ଷାତ ହୋଇଛି। ମାତ୍ର ଆପଣଙ୍କ ପରି ମାଆଟିଏର ଦର୍ଶନ ଆଜି ପର୍ଯ୍ଯନ୍ତ କୌଣସି ସ୍ଥାନରେ ହୋଇନାହିଁ। ମୋ ଜନ୍ମ କଲା ମାଆ, ପ୍ରଥମେ ବାପାଙ୍କୁ ସ୍ବର୍ଗକୁ ପଠାଇ ନିଜେ ମଧ୍ଯ ଚାଲିଗଲା। ବାପାମାଆର ସୁଖ ପିଲାଟି ଦିନରୁ ମୋ ଭାଗ୍ଯରେ ନଥିଲା। ବଡ ପରିଶ୍ରମ କରି ନିଜ ଗୋଡରେ ଛିଡା ହେଲି। କେତେ ସରାଗ ରେ ହାତ କୁ ଦି ହାତ ହେଲି। ମାତ୍ର ମୋ କପାଳଫଟା , ବିଭାଘରର ଦୁଇ ମାସ ନ ଯାଉଣୁ ମୋ ସ୍ତ୍ରୀ ଜଣେ ଗ୍ଯାରେଜ୍ ବାଲା ସହ ଫେରାର ହୋଇଗଲା। ମୁଁ ମନ୍ଦିର ଘଣ୍ଟି ପରି ଝୁଲି ରହିଛି ଓ ଭାଗ୍ଯ କାଳବେଳ ଦେଖି ମୋତେ ବାଡେଇ ଚାଲିଛି।

ପୁଣି ଥରେ ପବନାର ଦୁଇ ହାତ ଯୋଡି ହୋଇଗଲା। ରୋଷେଇ ଘରେ ପଡିଥିବା ଡବା,ଡେକଚି,ହଣ୍ଡା ଓ ପରିବା ବ୍ଯାଗକୁ ହାତରେ ଆଡେଇ ଦେଇ ପୁଣି ଥରେ ରାଧାଙ୍କ ଗୋଡ ତଳେ ପବନା ଲମ୍ବତମ୍ବ ହୋଇ ପଡିଗଲା। ହେ ମାତୃ ଶକ୍ତି, ଏ ଅଧୀନର ପ୍ରଣାମ ଗ୍ରହଣ କରିବା ହୁଅନ୍ତୁ। ଆପଣ ଶକ୍ତି,ଆପଣ ସୃଷ୍ଟି ଓ ଆପଣ ହିଁ ସକଳ ଶକ୍ତିର ଗନ୍ତାଘର। ମୋତେ ଆଶିର୍ବାଦ କରନ୍ତୁ , ଆପଣଙ୍କ ଚରଣରେ ମୋତେ ସ୍ଥାନ ଦିଅନ୍ତୁ।

ରୋଷେଇ ଘରେ କଣ ଚାଲିଛି ବୁଝିବାବେଳକୁ ରାଧାଙ୍କ ଲୁହଭର୍ତ୍ତି ଆଖି ଓ ଓଦା ସରସର ପଣତକାନି ଦେଖି ହର ତଟସ୍ଥ ହୋଇଗଲେ। ତାଙ୍କୁ ଜୀବନସାରା କନ୍ଦେଇ ଚାଲିଥିବା ମଣିଷଟି ଆଖିରୁ ଆଜି କେଉଁ କାରଣରୁ ଲୁହ ଝରି ଚାଲିଲା ସେ ବିଷୟ ଭାବି ସେ ଆମୋଦିତ ହୋଇ ଉଠୁଥାନ୍ତି।

ଝାଡିଝୁଡି ହୋଇ ପବନା ଉଠି ଛିଡା ହୋଇ କହିଲା - - ଆଜିଠାରୁ ରୋଷେଇ ଘରର ସମସ୍ତ ଦାୟିତ୍ବ ମୋର। ମୋ ରାଣ ରହିଲା ମାଆ, ଆପଣ ଏ ଘରେ ପାଦ ଦେବେ ନାହିଁ। ରୋଷେଇ କରିବାଠାରୁ ବାସନ ମାଜିବା ସବୁ କାମ ମୁଁ ହିଁ କରିବି। ଏହି ଘରର ଓ ଆପଣମାନଙ୍କ ସେବାର ଭାର ଆଜିଠାରୁ ମୁଁ ବହନ କଲି। ରୋଷେଇଘରେ ଚାଲୁଥିବା ଏକ ଝିଟିପିଟି ଆଡକୁ ଚାହିଁ ପବନା ଘୋଷଣା କଲା ହେ ଇଶ୍ବର ମୋତେ ଶକ୍ତି ଦିଅ,ମୁଁ ଯେମିତି ହଜୁର ଓ ମାଆଙ୍କର ସମସ୍ତ ଦାୟିତ୍ବ ସୂଚାରୁ ରୂପେ ନିର୍ବାହ କରିବି।

ପବନାର ଅତି ଉଚ୍ଚଶକ୍ତିସମ୍ପର୍ଣ୍ଣ ଅଭିନୟ ଦେଖି ହର ଓ ରାଧାଙ୍କ ତଣ୍ଟି ଶୁଖି ଯାଉଥିଲା। ହର କେବଳ ପାଟି ପାକୁପାକୁ କରି ପବନା ମୁହଁକୁ ଦେଖି ଚିନ୍ତାରାଜ୍ଯରେ ବୁଡି ରହିଥାନ୍ତି। ଅନେକ ସମୟ ଗତ ହେବା ପରେ ମଧ୍ଯ ରାଧାଙ୍କ କୋହ ରହି ରହି ଉଠି ଆସୁଥିଲା। ଉଭୟ ଭାବୁଥିଲେ ପ୍ରକୃତରେ ପବନାକୁ ଇଶ୍ବର ଆଶିର୍ବାଦ ରୂପରେ ପଠାଇଛନ୍ତି। ନିଜର ତିରିଶି ବର୍ଷର ଶିକ୍ଷକତା ମଧ୍ଯରେ ହର ପବନା ପରି ଆଜ୍ଞାବହ ଛାତ୍ରଟିଏ ଦେଖି ନ ଥିଲେ। ଆଃ, କି ସୁନ୍ଦର କଥାବାର୍ତ୍ତା ଓ ବ୍ଯବହାର। କୌଣସି କାମରେ ଖୁଣ ପାଇବା ମୁସ୍କିଲ।

ରତ୍ନାକରଙ୍କୁ ସେ ମନେମନେ ଭୀଷଣ ଚିଡୁଥିଲେ। କିନ୍ତୁ ପବନା ପରି ଲୋକଟିଏ ଯୋଗାଡ କରି ଦେଇଥିବାରୁ ରତ୍ନାକରଙ୍କ ପ୍ରତି ତାଙ୍କ ମନରେ ସମ୍ମାନଭାବ ଢେର ବଢି ଯାଇଥିଲା।

ଖୁବ୍ କମ ଦିନ ମଧ୍ଯରେ ପବନା ଘର ଓ ଦୁଇପ୍ରାଣୀଙ୍କୁ ସମ୍ଭାଳି ନେଲା। ରତ୍ନାକର ମଧ୍ଯ ହରବାବୁଙ୍କ ଘରର ରୂପଭେକ ଦେଖି ତାଜୁବ୍ ହୋଇଗଲେ। ଯେତେବେଳେ ଦେଖିଲେ ପବନା କିଛି ନା କିଛି କାମରେ ବ୍ଯସ୍ତ ଥାଏ। କେତେବେଳେ ଘର ଝାଡୁ ଓ ଲିପାପୋଛା କଲାଣି ତ କେତେବେଳେ ଗଛ ସବୁରେ ସାର ଦେଲାଣି। ହର ବାବୁଙ୍କ ଘରେ ଥିବା ବୁଢିଆଣୀ ଓ ଝିଟିପିଟି ମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲେ। ପବନା ଦିନକୁ ଦୁଇଥର ଜାଲଝଡା ବାଡି ଧରି ସେମାନଙ୍କ ଘରଦ୍ବାର ଭାଙ୍ଗିବା ସହ ନିର୍ଘାତ ମାଡ ମାରି ତଡି ଦେଉଥଲା। ଦିନ ବିତିବା ସହ ପବନା ହରବାବୁଙ୍କ ଘରର ସମସ୍ତ ଦାୟିତ୍ବ ନିଜ ଉପରକୁ ନେଇଗଲା। ପରିବାକିଣା ଠାରୁ ସଉଦା କିଣିବା ପବନା ହିଁ କରୁଥିଲା। କିଣାକିଣି କରିବା ପରେ ସେ ଫଟା ଆହୁଲାର ହିସାବ ମଧ୍ଯ ହରଙ୍କୁ ଦେଉଥିଲା। ମୋଟାମୋଟି କହିବାକୁ ଗଲେ, ପବନାର ଏପରି କୌଣସି ଦୁର୍ଗୁଣ ନଥିଲା ଯାହା ପାଇଁ ହରଙ୍କୁ ପାଟି ଫିଟାଇବାକୁ ପଡି ଥାଆନ୍ତା। ଭଲରେ ଦୁଇତିନି ମାସ ଚାଲିଗଲା। ଦିନ ବିତିବା ସହ ରାଧା ପବନା ଉପରେ ଅଧିକ ବିଶ୍ବାସ କରିବାକୁ ଆରମ୍ଭ କରିଦେଇଥିଲେ। ଏମିତି ରେ ସେ ସଦାବେଳେ ହରଙ୍କ ସହ କଟକଟ ହେଉଥିଲେ। ମନର ବ୍ଯଥା ବାଣ୍ଟିବା

ପାଇଁ ପାଖ ପଡୋଶୀ କେହି ନଥିଲେ। ତେଣୁ କିଛି ଗପସପ କରିବା ପାଇଁ ପବନା ହିଁ ଥିଲା ଏକ ମାତ୍ର ମଣିଷ। ରାଧାଙ୍କ ବିଶ୍ବାସ ଜିତିବା ପରେ ଘରର ଅନେକ ବ୍ଯାପାର ପବନା ସ୍ଥିର କରୁଥିଲା। ଯେପରିକି କେବେ ଘରେ ଆମିଷ ରୋଷେଇ ହେବ, ହର କଣ ଖାଇବେ ଓ କେତେବେଳେ ଖାଇବେ,କେଉଁ ଦେକାନରୁ ସଉଦା ଆସିବ, କେଉଁ ଲୋକ ଘରକୁ ଆସିବେ ଓ କାହାପାଇଁ ଘରର ଦୁଆର ବନ୍ଦ ରହିବ। ଘଟଣାକ୍ରମେ ସେ ରତ୍ନାକରଙ୍କ ନାମରେ ଅନେକ ଖଚଚୁଗୁଲି କରି ହର ଓ ରାଧାଙ୍କ ସମ୍ମୁଖରେ ତାଙ୍କୁ ଏକ ଖଳନାୟକ ରୂପରେ ଛିଡା କରାଇ ଦେଇଥିଲା। କେବଳ ସେତିକି ନୁହଁ, ଅନେକ ବର୍ଷ ଧରି ଯେଉଁ ସବୁ ଦୋକାନରୁ ହର ଜିନିଷପତ୍ର କିଣାକିଣି କରୁଥିଲେ ସେସବୁ ଦୋକାନୀ ମାନେ ଅବିଶ୍ବାସୀ,ମୁନାଫାଖୋର ଓ ଧପାବାଜ୍ ବୋଲି ପବନା ପ୍ରମାଣିତ କରାଇ ସାରିଥିଲା। ସୁତରାଂ, ପବନା କୃପାରୁ ହରଙ୍କର ପାଖପଡୋଶୀ ଓ ଦୋକାନୀ ମାନଙ୍କ ସହଥିବା ସମସ୍ତ ପୂର୍ବ ମଧୂର ସଂପର୍କ ଛିନ୍ନପ୍ରାୟ ଅବସ୍ଥାକୁ ଚାଲିଆସିଥିଲା। ହରଙ୍କ ପାଖକୁ ବହୁବର୍ଷରୁ ଆସୁଥିବା ବୃଦ୍ଧ ଶାଗ ବିକାଳିକୁ ପବନା ସେଦିନ ଗେଟ୍ ବାହାରୁ ଫେରାଇ ଦେଉଥିଲା। ଦୈବାତ ହର ସେ ସମୟରେ ଦେଖି ନେଇଥିଲେ। କିନ୍ତୁ ସେ ଗେଟ୍ ପାଖକୁ ଆସିବା ପୂର୍ବରୁ ବୃଦ୍ଧଟି ସେ ସ୍ଥାନରୁ ଚାଲି ଯାଉଥିଲା। ହର ବାରମ୍ବାର ଡାକିବା ପରେ ମଧ୍ଯ ପଛକୁ ବୁଲି ଚାହିଁଲା ନାହିଁ। ଏପରି ଘଟଣା ପ୍ରଥମଥର ଘଟି ନଥିଲା। ପୂର୍ବରୁ ମାଛବାଲା, ପ୍ଲାଷ୍ଟିକ ଜିନିଷ ବିକ୍ରିବାଲା, ଶାଢୀବାଲା ଆଦିଙ୍କୁ ଅନୁରୂପ ଢଙ୍ଗରେ ପବନା ବିତାଡିତ କରିଥିଲା। ହର ପବନାକୁ ଘଟଣା ବିଷୟ ପଚାରନ୍ତେ ପବନା ୟାଡୁସ୍ଯାଡୁ କହି କଥାର ଦିଗ ବଦଳାଇବାକୁ ଲାଗିଲା। କିନ୍ତୁ ପବନା ମୁହଁର ହାବଭାବ ଦେଖି ହରଙ୍କ ମନରେ ସନ୍ଦେହ ଜାତ ହେଲା।

ରାଧା ଘଟଣା ବିଷୟରେ ପଚାରିବାରେ ପବନା କହିଲା - - ମାଆ ,ସେ ବୁଢା ଶାଗବାଲା ଆସି ପୁରୁଣା ଶାଗ ବିକ୍ରି କରିବାକୁ ଜିଦ୍ ଧରିଥିଲା। ମାତ୍ର ମୁଁ ସଫା କହିଦେଲି ଯେ ଏସବୁ ପାଲା ଚଳିବ ନାହିଁ। ହକ୍ ପଇସା ଦେବୁ, ବାସି ଜିନିଷ କାହିଁକି କିଣିବୁ। ବଜାରରେ କଣ ଶାଗ ମିଳୁନି ଯେ ତୋ ଶାଗକୁ ଆମେ ଚାହିଁ ବସିଛୁ। ସେତିକି ଶୁଣିଛି କି ନାହିଁ ମୁହଁ ଫଣଫଣ କରି ବୁଢା ପଳାଇଲା। କିନ୍ତୁ ବାପା ବୋଧେ ମୋତେ ଭୁଲ ବୁଝିଲେ, ଆପଣ ଟିକେ ସମ୍ଭାଳି ନେବେ। ଯେତେବେଳେ ହର ସେ ଶାଗବିକାଳି ବୁଢା ବିଷୟରେ କହିବାକୁ ଆରମ୍ଭ କଲେ ରାଧା କହିଲେ ଥାଉ ସେ ବିଷୟରେ କିଛି କହିବା ଦରକାର ନାହିଁ। ଘଟଣା ସବୁ ମୁଁ ଜାଣିଛି।

ହର ସେଦିନ ରାତିିରେ ଅନେକ ସମୟ ଯାଏଁ ଅନିଦ୍ରା ରହି ଭାବନାରାଜ୍ଯରେ ବୁଡି ରହିଲେ। ତାଙ୍କ ମନରେ ସନ୍ଦେହର ବୀଜ ବୁଣି ହୋଇ ସାରିଥିଲା ଓ ତାହା ଅତି କ୍ଷିପ୍ର ଗତିରେ ମହାଦ୍ରୁମରେ ରୂପାନ୍ତରିତ ହେବାରେ ଲାଗିଥିଲା। ବାହାର ଲୋକଙ୍କ ପ୍ରତି ପବନା କରୁଥିବା ବ୍ଯବହାର ସବୁ ହରଙ୍କ ମାନସପଟ୍ଟରେ ଚଳଚିତ୍ରର ଦୃ ଶ୍ଯ ପରି ଧାବମାନ କରି ଚାଲିଥିଲା। ପବନା ଚରିତ୍ରର ଅନାବିଷ୍କୃତ ଦିଗଟି କିପରି ହୋଇଥିବ ସେ ବିଷୟ ତାଙ୍କ ମନକୁ ଭାରାକ୍ରାନ୍ତ କରି ଦେଉଥିଲା। ମାସକୁ ଦରମା ବାବଦକୁ ସେ ପବନାକୁ ତିନି ହଜାର ଟଙ୍କା ଦିଅନ୍ତି। ଟଙ୍କା ନେବା ସମୟରେ ଗତାନୁଗତିକ ଭାବରେ ପବନା ପୋଖତ ଅଭିନୟ କରିବାରେ ହେଳା କରେନି। କିନ୍ତୁ କିଛିଦିନ ହେବ ରାମ ଲକ୍ଷ୍ଯ କରୁଥିଲେ ରାଧା ପ୍ରତି କଥାରେ ତାଙ୍କ ଉପରେ ଚିଡୁଛନ୍ତି। କାରଣ ଟା ପବନା ମଧ୍ଯ ହୋଇପାରେ। ସେ ତାଙ୍କ ନାମରେ ଖଚଚୁଗୁଲି କରି ରାଧାଙ୍କୁ ଉସୁକାଇ ଥାଇପାରେ। ସେଦିନ ରାତିରେ ଅଚାନକ ରାଧା ବୈଠକଖାନାକୁ ପଶି ଆସି ହରଙ୍କ ଟେବୁଲର ଡ୍ରୟର ଦରାଣ୍ଡିବାରେ ଲାଗିଲେ। ପଚାରିବାରୁ ରାଗରେ କହିଲେ - - ତୁମକୁ କଣ ଭରସା। ରାତିରେ ଲୁଚିଲୁଚି ସିଗାରେଟ ଟାଣୁଥିବ। କିନ୍ତୁ ତାଙ୍କୁ ଲୁଚି ସିଗାରେଟ ଟାଣିବାବେଳେ କେବଳ ପବନା ଦେଖିଛି। ରାଧା ସେ କଥା ଜାଣିଲେ କିପରି? ଏବେ ଟଙ୍କା ପଇସାର ହିସାବ ରାଧା ହିଁ ରଖୁଥିଲେ। ଘରର ଯାବତୀୟ ଜିନିଷ ପବନା କିଣୁଥିଲା। ପବନା ଆସିବା ଦିନରୁ ହର ବଜାର ଯିବା ଛାଡି ଦେଇଛନ୍ତି। ସମସ୍ତ ଜିନିଷ ରାଧାଙ୍କ ବରାଦ ମୁତାବକ ପବନା ଆଣେ ଓ ହିସାବ ରାଧାଙ୍କୁ ଦିଏ। ସେ କିଛି ଜାଣିବାର ଅବକାଶ ନାହିଁ। କେତେବେଳେ କେମିତି ଖର୍ଚ୍ଚ ବିଷୟରେ ପଚାରିଦେଲେ ରାଧା ରାଗରେ ନିଆଁବାଣ ହୋଇ ଯାଆନ୍ତି। ଘର କେମିତି ଚାଲିବ ସେ ବିଷୟରେ ମୁଣ୍ଡ ଖେଳାଇବାର ଆବଶ୍ଯକତା ନାହିଁ ବୋଲି ସେ ହରଙ୍କୁ ତାଗିଦ କରିବାକୁ ଭୁଲନ୍ତି ନାହିଁ। ହର ଦୀର୍ଘନିଶ୍ବାସ ଟାଣି ଏକ ବହି ପଢିବାକୁ ଚେଷ୍ଟା କଲେ।ମାତ୍ର ପାରିଲେନି। ଅଗତ୍ଯା ଶୋଇବାକୁ ଚାଲିଗଲେ। ରାତିରେ ଦେଖିଲେ ଏକ ଭୟଙ୍କର ସ୍ବପ୍ନ। ସେ ଓ ରାଧା କାକୁସ୍ଥ ହୋଇ ଛିଡା ହୋଇଛନ୍ତି ଓ ପବନା ଏକ ବିରାଟ ଅଜଗର ସାପର ରୂପ ଧରି ସେମାନଙ୍କୁ ଗିଳିବାକୁ ବସିଛି। ଚିତ୍କାର କରି ସେ ଉଠି ବସିଲେ। ସକାଳ ହୋଇ ସାରିଥିଲା ଓ ତାଙ୍କ ସାମନାରେ ପବନା ଚାହା କପ୍ ଧରି ଛିଡା ହୋଇଥିଲା। ତାକୁ ସେ କେବଳ ଶୁଖିଲା ହସଟିଏ ହସିଲେ। ପବନା ଚିରାଚରିତ ଢଙ୍ଗରେ କହି ଚାଲିଲା ହଜୁର ଦେହ ଅଶକତ ଲାଗୁଛି କି, ଯଦି କହିବେ ଘଷାମୋଡା କରି ଦିଅନ୍ତି। ନାଇଁ ଥାଉ, ଦରକାର ନାହିଁ କହି ହର ଗାଧୁଆଘରେ ପଶିଲେ।

ଜଳଖିଆ କରିବା ସମୟରେ ଫୋନ୍ ଆସିଲା ଯେ ରାଧାଙ୍କ ମାଉସୀଙ୍କ ଦେହ ଭୀଷଣ ଖରାପ ହୋଇଯାଇଛି। ସେହି ସହରର ଏକ ନର୍ସିଂ ହୋମ୍ ରେ ତାଙ୍କ ଚିକିତ୍ସା ଚାଲିଛି। ଦେହର ଅବସ୍ଥା ଯାହା,କେତେବେଳେ କଣ ହେବ କହିବା ମୁସ୍କିଲ। ସେମାନଙ୍କୁ ଚଞ୍ଚଳ ଯିବାକୁ ହେବ। ରାଧାଙ୍କ ଜୀବନରେ ମାଉସୀଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ବାପାମାଆ ଛେଉଣ୍ଡ ରାଧାଙ୍କୁ ପିଲାଟି ଦିନରୁ ତାଙ୍କ ମାଉସୀ ହିଁ ପାଳି ଆସିଥିଲେ। ସେ କେବେ ମଧ୍ଯ ତାଙ୍କ ନିଜ ପିଲା ଓ ରାଧାଙ୍କ ଭିତରେ କୌଣସି ପ୍ରଭେଦ ରଖି ନଥିଲେ। ବିବାହ ବୟସ ଉପନୀତ ହେବାରୁ ଅନେକ ଖୋଜାଖୋଜି କରି ସେ ହରଙ୍କ ପରି ସୁପାତ୍ର ହାତରେ ଟେକି ଦେଇଥିଲେ ରାଧାଙ୍କୁ। ବିଭାଘର ପରଠାରୁ ହର ମଧ୍ଯ ମାଉସୀଙ୍କୁ ନିଜର ମାଆ ପରି ସମ୍ମାନ ଦେଉଥିଲେ। ଚାହୁଁ ଚାହୁଁ କେତେ ବର୍ଷ ଚାଲିଗଲା ସେକଥା ଜାଣି ମଧ୍ଯ ହେଲାନି। ହର ନିଜେ ବୃଦ୍ଧତ୍ବର ଦ୍ବାର ଦେଶରେ ପହଞ୍ଚି ସାରିଥିଲେ; ତଦନୁରୂପେ ମାଉସୀ ମଧ୍ଯ କାଳର କରାଳ ପ୍ରହାରରେ ଚଳତଶକ୍ତି ବିହୀନ ହୋଇ ପଡିଥିଲେ। ସେହି ମାଉସୀ ଆଜି ଜୀବନ ଓ ମରଣ ସହିତ ଚଳାଇଥିଲେ।

କିନ୍ତୁ ଏପରି ଅଚାନକ ଘର ଛାଡି ସେମାନେ ଚାଲିଯିବେ ବା କିପରି। ଫେରିଲା ବେଳକୁ କେତେ ବେଳ ହେବ କିଏ ଜାଣିଲା। ସେତିକିବେଳେ ପବନା କହିଲା ହଜୁର୍ ଆପଣ ମାନେ ନିଶ୍ଚିନ୍ତ ହୋଇ ମାଉସୀଙ୍କୁ ଦେଖିବାକୁ ଯାଆନ୍ତୁ। ମୁଁ ଘର ଜଗି ରହିଥିବି। ଯେତେ ବିଳମ୍ବ ହେଲେ ପରବାୟ ନାହିଁ। ମାଆଙ୍କ ମାଉସୀ ମାନେ ସେ ମୋର ଆଈ ହେବେ। ତାଙ୍କ ପାଇଁ ମୁଁ କଣ ଏତିକି କରି ପାରିବି ନାହିଁ। ସେହି ପରିସ୍ଥିତି ରେ ପବନାର କଥାବାର୍ତ୍ତା ବିରକ୍ତିକର ଥିଲେ ମଧ୍ଯ ହର ନୀରବ ରହିଲେ।

ରାଧା କହିଲେ ହଁ ପୁଅ, ଆମକୁ ଏତିକି ସାହାଯ୍ଯ କର। ମୋ ବାପାମାଆଙ୍କୁ ମୁଁ କେବେ ଦେଖିନାହିଁ। ମାଉସୀ ହିଁ ଉଭୟଙ୍କର କର୍ତ୍ତବ୍ଯ ନିଭାଇଛନ୍ତି। ତାଙ୍କର ଏ ଦୁର୍ଦ୍ଦିନରେ ମୁଁ ପାଖରେ ଛିଡା ନ ରହି ପାରିଲେ ମୋତେ ପାପ ଲାଗିବ। ତୁମେ କଣ ଗଣ୍ଡେ ଫୁଟାଇ ଖାଇ ନେବ ପୁଅ। କିନ୍ତୁ ଘର ଛାଡି କୁଆଡେ ଯିବନି କି ଘରେ କାହାକୁ ପୁରେଇବନି। ଆଲମାରିରେ ଟଙ୍କା ପଇସା,ସୁନାଗହଣା ସବୁ ଅଛି। ସେଥିପାଇଁ ଆମେ ଘର ଛାଡି ଦଣ୍ଡେ ବାହାରକୁ ଯାଉନୁ। ଆଜିକାଲି ଯୁଗରେ କାହାକୁ ବିଶ୍ବାସ କରିବ। ହର ବାରମ୍ବାର ରାଧାଙ୍କୁ ଚୁପ୍ କରିବାକୁ ଚେଷ୍ଟା କଲେ। ମାତ୍ର ରାଧା ଗୋଟିଏ ନିଶ୍ବାସରେ ଘରର ଗୁପ୍ତ କଥାମାନ ପବନା ଆଗରେ କହି ଚାଲିଥିଲେ। ପବନା ସେସବୁ ନ ଶୁଣିଲା ପରି ଅଭିନୟ କରି ହର ଓ ରାଧାଙ୍କ ପାଇଁ କିଛି ଶୁଖିଲା ଖାଦ୍ଯ ଓ ପାଣି ବୋତଲ ପୁରାଇବାରେ ଲାଗି ପଡିଥିଲା। ଘରର ଦାୟିତ୍ବ ପବନା ହାତରେ ଛାଡି ଯିବା ପାଇଁ ହରଙ୍କ ମନ ଆଦୌ ନ ଥିଲା। କିନ୍ତୁ ସେ ନାଚାର ଥିଲେ।ପବନାକୁ ଦେଖିଲେ ତାଙ୍କୁ ଗତରାତିର ସ୍ବପ୍ନ କଥା ମନେ ପଡିଯାଉଥିଲା।

ହର ଓ ରାଧାଙ୍କୁ ଗେଟ୍ ପାଖରେ ବିଦାୟ ଦେବା ବେଳକୁ ସେମାନଙ୍କ ଗୋଡ ଛୁଇଁ ପବନା କହିଲା- - ଆପଣ ନିଶ୍ଚିନ୍ତ ହୋଇ ସେଠାକୁ ଯାଆନ୍ତୁ। ମୁଁ ଘର ଜଗି ରହିଲି। ଆପଣ ଦୁଇଜଣ ମୋର ସବୁଠାରୁ ବଡ ସମ୍ପତ୍ତି। ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ। ଏପରି କଥା ଶୁଣି ହରଙ୍କ ମନରେ ପୁଣି ସନ୍ଦେହ ଜାତ ହେଲା। ଭାବିଲେ,ଲୋକଟା ଏମିତି କଣ କହୁଛି। ତା ମନରେ କିଛି ଅଭିସନ୍ଧି ନାହିଁ ତ ? କିନ୍ତୁ ମନର ଭାବନା ମନରେ ରହିଲା। ରାଧାଙ୍କ ଆଗରେ ପ୍ରକାଶ କରିବାର ସତସାହାସ ତାଙ୍କ ପାଖେ ନଥିଲା। ଏମିତି ବି ଅନେକ ଥର ପବନା ସାମନାରେ ରାଧା ଆଲମାରି ଖୋଲି ସୁନା ଗହଣା ଓ ଟଙ୍କା କାଢିଛନ୍ତି। ଘରର ପ୍ରତ୍ଯେକ ଟି କୋଣ ଅନୁକୋଣ ସହିତ ପବନା ପରିଚିତ ହୋଇ ସାରିଥିଲା ଓ ତା ପାଖରେ କୌଣସି କଥା ଉହ୍ଯ ରହିବାର ସୁଯୋଗ ରାଧା ଦେଇ ନଥିଲେ।

ନିଜ ଜନ୍ମକଲା ପୁଅ ବିଦେଶରେ ଜଣେ ବିଦେଶିନୀ ସହ ବିବାହ କରି ବାପାମାଆଙ୍କୁ ଭୁଲି ସାରିଥିଲା। ସେମାନେ ବଞ୍ଚିଛନ୍ତି ନା ମରି ଗଲେଣି ସେ ବିଷୟ କେବେ ବୁଝିବା ତାର କର୍ତ୍ତବ୍ଯ ବୋଲି ଭାବୁଥିଲା କି ନା ଭଗବାନଙ୍କୁ ଜଣା।କେବେ କେମିତି ଘରକୁ ବୁଲି ଆସୁଥିବା ଲୋକେ ପୁଅ ବିଷୟରେ ପଚାରିଲେ ହର ଗମ୍ଭୀର ହୋଇ ଯାଆନ୍ତି ଓ ରାଧାଙ୍କ ଆଖିରେ ଲୁହ ଜକେଇ ଆସେ। କେମିତି ସେମାନେ କହିବେ ଯେ ପୁଅ ଏବେ ସେମାନଙ୍କୁ ସାତପର କରିଦେଇଛି। ହରଙ୍କ ନଇଁ ଆସୁଥିବା ମେରୁଦଣ୍ଡକୁ ଭରା ଦେବା ପାଇଁ ସେ ହାତ ବଢାଉନାହିଁ। ଜୀବନସାରା କାମ କରିକରି ଥକି ପଡିଥିବା ରାଧାଙ୍କୁ ଆଦରରେ ଆଉଁସି ଦୁଇପଦ ମିଠା କଥା କହିବା ପାଇଁ ବୋହୂ ପାଖରେ ନାହିଁ। ଏତେ ବଡ ଘର ଭିତରେ ନାତିନାତୁଣୀଙ୍କ ଖେଳର ଆସର ମେଲିବ ବୋଲି କେତେ ଆଶା କରିଥିଲେ ସେମାନେ। କିନ୍ତୁ ଏତେ ସ୍ବପ୍ନ କୁ ରାତି କାହିଁ। ସବୁ ସ୍ବପ୍ନ,ଆଶା ଓ ଆକାଂକ୍ଷା ପାଣି ଫୋଟକା ପରି ମିଳେଇ ଚାଲିଥିଲା। ହର ଓ ରାଧା ଉଭୟ ଜାଣି ସାରିଥିଲେ,ଏମିତି ଦିନେ ହଠାତ୍ ନିଶ୍ବାସ ଅଟକି ଯିବ। ସବୁ ସଂପର୍କ,ମାନ ଅଭିମାନ,ଆଶା,ନିରାଶା ଶରୀର ସହିତ ପଞ୍ଚଭୂତରେ ଲୀନ ହୋଇଯିବେ। ହରଙ୍କୁ ଏକଥା ଅଛପା ନଥିଲା ଯେ ପୁତ୍ରମୋହରେ ମ୍ରିୟମାଣ ରାଧା, ତାଙ୍କର ସମସ୍ତ ସ୍ନେହ,ପ୍ରେମ ଓ ବିଶ୍ବାସର ବର୍ଷା ପବନା ଉପରେ କରି ଚାଲିଛନ୍ତି। ସେ ଏତେ ମାତ୍ରାରେ ମୋହଗ୍ରସ୍ତ ହୋଇ ପଡିଛନ୍ତି ଯେ ତାଙ୍କୁ ପବନା ବିପକ୍ଷରେ କିଛିି କହିଲେ ସେ ଭୀଷଣ ପ୍ରିତିକ୍ରିୟାଶୀଳ ହୋଇ ଉଠୁଛନ୍ତି।

ନର୍ସିଂହୋମ୍ ରେ ରାଧାଙ୍କ ମାଉସୀ ମୃତ୍ଯୁ ସହିତ ସଂଗ୍ରାମ କରୁଥିଲେ ଓ ହରଙ୍କ ମାନସପଟ୍ଟରେ ତାଣ୍ଡବ ରଚି ଚାଲିଥିଲା ନାନା ଦୁଶ୍ଚିନ୍ତାର ଚକ୍ରବାତ। ଶେଷରେ ମାଉସୀ ଯୁଦ୍ଧରେ ହାରିଗଲେ। ବ୍ୟଥିତ ହୃଦୟ ଓ କ୍ରନ୍ଦନରତା ରାଧାଙ୍କୁ ବଡକଷ୍ଟରେ ସାଷ୍ଟାମ କରି ହର ଘରକୁ ରାତି ପ୍ରାୟ ଦଶ ଟା ବେଳକୁ ଫେରିଲେ। ପବନା ସେତେବେଳକୁ ବାରଣ୍ଡାରେ ବସିଥାଏ। ରାଧା କାନ୍ଦିକାନ୍ଦି ଘର ଭିତରକୁ ଚାଲିଗଲେ ଓ ବୈଠକଖାନାରେ ହର ଗୁମ୍ ମାରି କିଛି ସମୟ ବସି ରହିଲେ। ସେମାନଙ୍କ ଭାବଭଙ୍ଗୀରୁ ପବନା ଘଟଣା ବିଷୟରେ ସୂଚନା ପାଇ ସାରିଥିଲା। ସେ ଅସ୍ପଷ୍ଟ ସ୍ବରରେ କହିଲା - - ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। କୌଣସି ପ୍ରତିକ୍ରିୟା ନ ଦେଖାଇ ହର ପବନାକୁ ଯିବାକୁ କହିଲେ। ହରଙ୍କ ମୁହଁରେ ରୁକ୍ଷତା ଦେଖି ପବନା ଅଧିକ କିଛି ନ ପଚାରି ହରଙ୍କ ପାଦ ତଳେ ମୁଣ୍ଡିଆ ମାରି ବିଦାୟ ନେଲା। ସ୍ବାଭାବିକ ଭାବରେ ହରଙ୍କ ମନରେ ସନ୍ଦେହ ଜାତ ହେଲା।

ସେ ଉଦବିଗ୍ନ ହୋଇ ପଚାରିଲେ କିରେ, କାଲି ଆସିବୁନି କି?

ନିଶ୍ଚୟ ଆସିବି ହଜୁର୍। କିନ୍ତୁ ଏ ମରଣଶୀଳ ଦୁନିଆଁରେ ଭବିଷ୍ଯତ ଅନିଶ୍ଚିତ। ଆପଣ ପରା ନିଜେ ତାହା ପ୍ରତ୍ଯକ୍ଷ ଦେଖି ଆସିଲେ। ଆଜି ଯିଏ ଅଛି କାଲି କି ନାହିଁ।

ତୁ ଟା ପ୍ରକୃତରେ ମହା ପବନା। ବିରକ୍ତିରେ କହିଲେ ହର।

ସେଦିନ ରାତିରେ ପେଟରେ ଭୋକ ନଥିଲା କି ରାଧାଙ୍କ ସହ କିଛି କଥାବାର୍ତ୍ତା ହେବାର ସମ୍ଭାବନା ନଥିଲା। ଅଗତ୍ଯା, ଡ୍ରୟରରୁୁ ସିଗାରେଟ ପ୍ଯାକେଟ ନେଇ ହର ଛାତ ଉପରକୁ ଚାଲିଗଲେ। କିଛି ସମୟ ଅସ୍ଥିର ପଦଚାରଣ କରିବାପରେ ଭାବିଲେ ମାଉସୀ ଚାଲିଯିବା ଖବରଟା ପୁଅକୁ ଜଣାଇଦେବା ନିତାନ୍ତ ଆବଶ୍ଯକ। ମାଉସୀ ପିଲାଟାକୁ କେତେ ଯେ ଭଲ ପାଉଥିଲେ ତାହା ଦେଖିବା ଲୋକ ହିଁ ଜାଣିବ। ତାକୁ ସେ ସ୍ନେହରେ ରାଜକୁମାର ବୋଲି ଡାକୁଥିଲେ। ବେଳକାଳ ଉଣ୍ଡି ହାତରେ କିଛି ଟଙ୍କା ଗୁଞ୍ଜି ଦେଇ କହୁଥିଲେ ଆହେ କୁନି ରାଜକୁମାର, ମୋ ପାଖରେ ଏତିକି ସମ୍ବଳ ଥିଲା, ନିଅ ମିଠାଇ ଖାଇଦେବ। କୁନି ହାତରେ ଟଙ୍କାକୁ ଜାକି ପୁଅ ଖୁସିରେ ନାଚି ନାଚି କହୁଥଲା ହେଇ ଦେଖ ବାପା, ମୋତେ ଆଈ ଟଙ୍କା ଦେଲେ। କହିଚନ୍ତି ମିଠାଇ କିଣିବାକୁ।

ଦୋ ଦୋ ପାଞ୍ଚ ହୋଇ ସେ ଫୋନ ଲଗାଇଲେ ପୁଅପାଖକୁ। ଏମିତି ସେ ଅନେକ ଥର ପୁଅ ପାଖକୁ ଫୋନ ଲଗାଇଛନ୍ତି। ଅଧିକାଂଶ ସମୟ ସେ ଉଠାଏନି। ଦୈବାତ୍ କେବେ ଉଠାଇଲେ ରାଗରେ ଗର୍ଜନ କରି କୁହେ ତୁମ ମାନଙ୍କର ସମୟଜ୍ଞାନ ବୋଲି କିଛି ନାହିଁ ବୋଧେ? ଯେତେବେଳେ ପାରୁଛ ଫୋନ ଲଗେଇ ଦଉଛ। ମୁଁ କଣ ପାନ ଦୋକାନ ଖୋଲି ବସିଛି ବୋଲି ଭାବିଛ? ପୁଅର କୁତ୍ସାରଟନା ଶୁଣିବା ହରଙ୍କ ପାଇଁ ଅସହ୍ଯ ହେଲେ ମଧ୍ଯ ସେ ରାଧାଙ୍କ ଲୁହ ଛଳଛଳ ଆଖି ଦେଖି ଚୁପ ରହିବାକୁ ବାଧ୍ଯ ହୁଅନ୍ତି। କିଛିକ୍ଷଣ ନୀରବ ରହି ସେ ଫୋନ ଲାଇନ କାଟି


ଦିଅନ୍ତି। କିନ୍ତୁ ସେପଟୁ ଆଉ ଫୋନ ଆସେ ନାହିଁ ଓ ହର ତାହାର ପ୍ରତୀକ୍ଷା ମଧ୍ଯ କରନ୍ତି ନାହିଁ। ଏମିତି ଦିନଦିନ ମାସମାସ ଚାଲିଯାଏ। ପୁଣି କେବେ ପୁଅକୁ ମନେ ପକାଇ ରାଧା କନ୍ଦାକଟା କଲେ ହର ଫୋନ ଲଗାନ୍ତି।

ଫୋନ ରିସିଭର କାନ ପାଖେ ଦେଇ ହର ଅପେକ୍ଷା କରିଥାନ୍ତି ପୁଅର ସ୍ବର ଟିକେ ଶୁଣିବାକୁ। ଖବର ଟା ଶୁଣି ପୁଅର ପ୍ରତିକ୍ରିୟା କଣ ହେବ ସେହି ବିଷୟ ତାଙ୍କୁ ବିଚଳିତ କରୁଥାଏ। ସେପଟୁ ଉତ୍ତର ଆସିଲା

ହଁ କଣ ହେଲା । କାହିଁକି ଫୋନ କଲ।

ଇଶ୍ବର ତୋର ମଙ୍ଗଳ କରନ୍ତୁ। ପୁଅ ତୁ ଭଲରେ ଅଛୁ ତ? ବୋହୂ ଓ ପିଲା ମାନେ କେମିତି ଅଛନ୍ତି।

ହଁ ସେମିତି ଅଛି, ଆଜ୍ ୟୁଜୁଆଲ୍। ତୁମ ସହ ଗପ କରିବାକୁ ମୋ ପାଖେ ସମୟ ନାହିଁ। ଘରେ ଗେଷ୍ଟ ମାନେ ଅଛନ୍ତି। ଗୋଟେ ଗେଟ୍ ଟୁ ଗେଦର ଚାଲିଛି। କଣ କହିବାକୁ ଚାହୁଁଛ ଜଲଦି କୁହ।

କିଛି ନାଇଁ ରେ ପୁଅ। ସେମିତି କିଛି ଜରୁରୀ କାମ ନଥିଲା। ତୋତେ ଖବର ଦେବାକୁ ଫୋନ କରିଥିଲି ଯେ ତୋ ଆଈ ଆଜି ଚାଲିଗଲେ। ତୋତେ ସେ କେତେ ଭଲ ପାଉଥିଲେ ମନେ ଅଛି ଟି ? ସେଥିପାଇଁ ତୋତେ ଜଣାଇ ଦେବାକୁ ଫୋନ କରିଦେଲି। କିଛି ଖରାପ ଭାବିବୁନି

ବୁଝିଲ ବାପା ୟୁଆର ରିଏଲି କିଲିଙ୍ଗ୍ ମାଇଁଟାଇମ୍। କିଏ କୁଆଡେ ମଲା କିଏ ବଞ୍ଚିଲା ମୋର କେତେ ଯାଏ ଆସେ। ଯାହାର ମରିବାର ଥିବ ସେ ମରିବ। ଏମିତି ଫାଲତୁ କଥା ପାଇଁ ମୋତେ ଡିଷ୍ଟର୍ବ କରିବା କଣ ନିହାତି ଦରକାର ଥିଲା। ତୁମେ ଫୋନ ରଖ। ବାଜେ କଥା କହି ମୋ ମୁଡ୍ ଅଫ କରନି।

ରିସିଭର ରଖିବା ପୂର୍ବରୁ ହର ଶୁଣି ପାରିଲେ ଏକ ନାରୀ କଣ୍ଠର ପ୍ରଶ୍ନ ହୁ ଇଜ୍ ଦେୟାର୍।

ଉତ୍ତର ଶୁଣି ତାଙ୍କ ଛାତି ଫାଟିଯିବା ପରି ଲାଗିଲା। ପୁଅର ଉତ୍ତର ଥିଲା ଏ ବେଗର୍ ଫ୍ରମ୍ ଇଣ୍ଡିଆ ଇଜ୍ ବେଗିଙ୍ଗ୍ ଫର ମନି ଆଜ୍ ହିଜ୍ ମଦର ଡାଏଡ୍ । ହାଃ ହାଃ ହାଃ ।

ପୁଅବୋହୂଙ୍କ ବିଷାକ୍ତ ହସରେ ଅଞ୍ଚଳ ଟା ଫାଟିବା ପରି ମନେହେଲା। ସେ ବିଷାକ୍ତ ହସ ଫୋନ ରିସିଭର ଦେଇ ହରଙ୍କ କର୍ଣ୍ଣ,ହୃଦୟ ଓ ମସ୍ତିଷ୍କ ଭିତରେ ପଶି ଚାଲିଥିଲା। ଉତ୍ତପ୍ତ ଲାଭା ଯେମିିତି କିଏ କାନ ଭିତରେ ଢାଳି ଦେଉଛି। ମୁଣ୍ଡକୁ ଜାବୁଡି ଧରି ହର ସୋଫା ଉପରେ ଟଳି ପଡିଲେ।

ତା ପର ଦିନ ସକାଳୁ ରାଧାଙ୍କ ଡାକରେ ହର ଆଖି ଖୋଲିଲେ। ସେ ପର୍ଯ୍ଯନ୍ତ ପବନାର ଦେଖା ନ ଥିଲା। ରାଧାଙ୍କ ଆଖି ଦୁଇଟି କାନ୍ଦିକାନ୍ଦି ଫୁଲି ଯାଇଥିଲା। ହରଙ୍କୁ କହିଲେ ମାଉସୀ ଚାଲିଯିବା ଖବର ଟା ପୁଅକୁ ଜଣାଇଦେବା ଉଚିତ୍ ହେବ। ହର ମୁହଁରେ ନୀରସ ହସ ଫୁଟାଇ କହିଲେ ହଁ ଜଣାଇଥିଲି କାଲି ରାତିରେ ଓ ପୁଅର ଉତ୍ତର ଶୁଣିବା ପରେ ଚେତାଶୂନ୍ଯ ହୋଇ ସାରାରାତି ଏଇ ସୋଫା ଉପରେ ପଡି ରହିଥିଲି। ସେକଥା ଛାଡ, ଆଜି ତୁମର ଆଜ୍ଞାବହ ଭୃତ୍ଯ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲା। ଏ ପର୍ଯ୍ଯନ୍ତ ସେ ଆସିଯିବା କଥା।

କାଲି ଏତେ ରାତିରେ ଯାଇଛି। ଶୋଇ ପଡିଥିବ। ସବୁଦିନ ତ ସକାଳ ସାତ ଟା ସୁଦ୍ଧା ଆସିଯାଏ। ଦେହ ପା ଖରାପ ଲାଗୁଥିବ ବୋଧେ, ସେଥିପାଇଁ ଆସିନି। ଅତି ସାଧାରଣ ଭାବରେ କହିଲେ ରାଧା।

ଚାହିଁଚାହିଁ ଦିନ ଗୋଟାଏ ହେଲା। କିନ୍ତୁ ପବନାର ଦେଖା ମିଳିଲାନି। ଉଭୟ ସେଦିନ ଅସୁସ୍ଥ ଅନୁଭବ କରୁଥିଲେ । ତେଣୁ ଦିନ ତମାମ ଶୋଇ ରହିଲେ। ପବନାର ଅନୁପସ୍ଥିତି ସେତେଟା ଗୁରୁତ୍ବପୂର୍ଣ୍ଣ ଲାଗିଲା ନାହିଁ। ତା ପରଦିନ ମଧ୍ଯ ସମାନ ଅବସ୍ଥା। ପବନା ଆସିଲା ନାହିଁ। ଏଥର ହରଙ୍କ ମନରେ ସନ୍ଦେହ ଜନ୍ମ ନେଲା। ସେଦିନ ସେ ଦେଖିଥିବା ସ୍ବପ୍ନ ବାରମ୍ବାର ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ରାଧା ଙ୍କ ମୁହଁରେ ଚିନ୍ତାର ରେଖା ସ୍ପଷ୍ଟ ପଢି ପାରୁଥିଲେ ହର, କିନ୍ତୁ କିଛି କହିବାକୁ ସାହାସ କରି ପାରୁନଥିଲେ। ମାଉସୀଙ୍କ ବିୟୋଗରେ ମ୍ରିୟମାଣ ଥିଲେ ରାଧା, ଏପରି ସ୍ଥଳେ ତାଙ୍କୁ ପବନା ବିରୁଦ୍ଧରେ କିଛି କହି ଚିଡାଇବା ସମୀଚିନ ମନେ ହେଉ ନଥିଲା। ସାମାନ୍ଯ ଦିନଚର୍ଯ୍ଯା ଆରମ୍ଭ ହେଲା। ଉଭୟ ନୀରବ ଥିଲେ ଓ ମନରେ ଚାଲିଥିଲା ପବନାର ଅଚାନକ ଅନ୍ତର୍ଧ୍ଧାନ ହୋଇଯିବା କଥା।

ମୁଁ ଜାଣିଛି ତୁମକୁ ମୋ କଥାଟା ଅସଙ୍ଗତ ଲାଗପାରେ। ମାତ୍ର ତୁମେ ଥରେ ସବୁ ଜିନିଷ ପରଖିନେବା ଦରକାର। ଆଲମାରିରେ ଯାହା ରଖିଥିଲ ସବୁ ଅଛି କି ନାହିଁ ଥରେ ଦେଖିନେଲେ ଭଲ ହୁଅନ୍ତା। ରାଧାଙ୍କୁ ବଡ ସଙ୍କୋଚରେ କହିଲେ ହର।

ତୁମର ତ ସବୁବେଳେ ସେଇ ବେକାର ବାକ୍ଯ ସମାପ୍ତ ନ କରି ରାଧା ଶୋଇବାଘରକୁ ବିଜୁଳି ବେଗରେ ଦୌଡିଗଲେ ଓ ତାଙ୍କ ପଛେପଛେ ହର।

ସର୍ବନାଶ ହୋଇଗଲା କହି ରାଧା ଆଲମାରି ପାଖରେ ବସି ପଡିଲେ। ମୋର ଭଲରେ ମନେ ଅଛି ମୁଁ ସେଦିନ ତାଲା ପକେଇଥିଲି, ଆଲମାରି ଖୋଲିଲା କେମିତି। ବ୍ଯସ୍ତ ହୋଇ ହର ଆଲମାରିକୁ ଭଲରେ ଦେଖିଲା ବେଳକୁ ଲକର ଖୋଲା ଥିଲା ଓ ରାଧାଙ୍କର ସର୍ବସ୍ବ ଉଭାନ ହୋଇ ଯାଇଥିଲା। ପଛକୁ ବୁଲି ଚାହିଁବା ବେଳକୁ ରାଧା ବିକଳ ହୋଇ ଖଟରୁ ଗଦି ଉଠାଇବାରେ ଲାଗିଥିଲେ।

ହେ ଭଗବାନ, ଗଦିତଳେ ମୁଁ ରଖିଥିବା ତିରଶ ହଜାର ଟଙ୍କା ମଧ୍ଯ ନାହିଁ। ରାଧା କାନ୍ଦକାନ୍ଦ ହୋଇ ଚାହିଁ ରହିଥିଲେ ହରଙ୍କୁ। ଦୁଇଜଣ ଲାଗିପଡି ଘରର କୋଣ ଅନୁକୋଣ ଖୋଜିବାରେ ଲାଗିଗଲେ। ହରଙ୍କ ଆଶଙ୍କା ସତ୍ଯତାର ରୂପ ନେଇ ସାରିଥିଲା। ଘରୁ ସମସ୍ତ ଦାମିକା ଜିନିଷ ଉଭାନ ହୋଇ ଯାଇଥିଲା।

ତୁ କଣ କଲୁରେ ପବନା,ତୋତେ ନିଜ ପୁଅ ପରି ଭଲ ପାଉଥିଲି,ଶେଷରେ ମୋ ଘରେ କଳାକନା ବୁଲାଇଦେଲୁ। ଛାତି ପିଟି କାନ୍ଦି ଚାଲିଥିଲେ ରାଧା ଓ ଗୁମ୍ ମାରି ବସି ରହିଥିଲେ ହର। ତା ପରର ଘଟଣା ଚିରାଚରିତ ଥିଲା। ପବନାର ସନ୍ଧାନ ନେବାକୁ ହର ରତ୍ନାକରଙ୍କ ପାଖରୁ ଆରମ୍ଭ କରି ଦୋକାନ ବଜାର ଚାରିଆଡେ ବୁଲିଲେ। କିନ୍ତୁ ସବୁ ଦିଗରୁ ରିକ୍ତ ହସ୍ତରେ ଫେରିବାକୁ ପଡିଲା। ବେଶି ବ୍ଯଥିତ କଲା ରତ୍ନାକରଙ୍କ କଟାକ୍ଷ। ସେ ଆଖି ନଚେଇ କହିଲେ କଣ ଆଜ୍ଞା,ଚାକରପିଲା କୁ ପୁଅ ସୁଆଗ ଦେଖେଇ ଆମ ମାନଙ୍କୁ ପର କରିଦେଲେ। ଏବେ ବୁଦ୍ଧି ପଶିଲା ଟି ?

ଉତ୍ତର ଦେବାକୁ ଭାଷା ପାଉ ନଥିଲେ ହର। ପବନା ଯେଉଁ ସବୁ ଦୋକାନରୁ ଜିନିଷ କିଣାକିଣି କରିୁଥିଲା ଅଧା ଦୋକାନିଙ୍କୁ ଟଙ୍କା ଦେଇନଥିଲା। ସେସବୁ ଯାଗାରେ ହରଙ୍କ ନାମରେ ବାକି ଖାତା ଖୋଲି ଯାଇଥିଲା ଓ ବକେୟାର ଅର୍ଥର ପରିମାଣ ଢେର ବଢି ଯାଇଥିଲା। ସତରେ,ପବନା ହରଙ୍କୁ ଏକ ଅଜଗର ସାପ ପରି ଗିଳି ଦେଇଥିଲା। ଚାରିଆଡୁ ନିରାଶ ହୋଇ ହର ପୋଲିସ ପାଖକୁ ଗଲେ। ସେଠାରେ ଅଜସ୍ର ପ୍ରଶ୍ନବାଣ ଓ ଟାହିଟାପରା ସହିବା ପରେ ତାଙ୍କୁ ପବନାର ଫଟୋ ଦେଖେଇବାକୁ ହୁକୁମ ଆସିଲା। କିନ୍ତୁ ପବନାର ଫଟୋ ଆସିବ କୁଆଡୁ? ମୁଣ୍ଡ ପୋତି ନିଜର ଅସମର୍ଥତା ପ୍ରକାଶ କରିବାରୁ ପୋଲିସ ମାନେ ତାଙ୍କୁ ଅଜସ୍ର ଅସଭ୍ଯ ଭାଷାରେ ଧିକ୍କାର କରି ଫେରାଇଦେଲେ।

ବୈଠକଖାନାରେ ମୁହଁ ତଳକୁ କରି ବସି ରହିଥିଲେ ହର ଓ ରାଧା। ସେମାନେ ବେସାହାରା ହୋଇ ସାରିଥିଲେ। ଜୀବନରେ ଏପରି ଏକ ଭୟଙ୍କର ବିପତ୍ତି ବାଟଛପି ବସିଥିବ ବୋଲି ସେମାନେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ। ଯେତେବେଳେ ଜନ୍ମ କଲା ପୁଅ ମୁହଁ ଚାହିଁଲାନି ପରପିଲାକୁ ସ୍ନେହ ଦେଇ ପୁଅର ଆସନ ଅଳଙ୍କୃତ କରିବାର ସୁଯୋଗ ଦେଲେ ଅବସ୍ଥା ଯାହାହେବା କଥା ତାହା ହିଁ ହେଲା। ସବୁ ଜିନିଷ ଚୋରି ହୋଇଯିବାର ଦୁଃଖ ଯେତିକି ନଥିଲା ତାହାଠାରୁ ଅଧିକ ଦେବନାଦାୟକ ଥିଲା ପବନାର ବିଶ୍ବାସଘାତକତା। ହର ଇଶ୍ବରଙ୍କ ଉଦ୍ଦେଶ୍ଯରେ ପ୍ରାର୍ଥନା କରି କହିଲେ ହେ ପ୍ରଭୋ, ବିଚାର ତୁମେ କରିବ। ଯଦି ଏହା ତୁମର ନ୍ଯାୟ ତେବେ ଆପତ୍ତି କରିବି କାହାକୁ। କିନ୍ତୁ ବିଶ୍ବାସ କରିବାର ଫଳ ଯଦି ଏତେ ବିଷାକ୍ତ ଓ ଭୟାବହ ତେବେ ମୁଁ ଦୋଷୀ । ଅନ୍ଯଥା ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡ ତୁମେ ହିଁ ଦେବ।

ବେଶ୍ କିଛିଦିନ ବିତିଗଲା। ଅନେକ ବନ୍ଧୁବାନ୍ଧବଙ୍କ ପାଖରେ ହାତଗୋଡ ଯୋଡି କିଛି ଟଙ୍କା ଯୋଗାଡ କରି ହର ସେହି ଦାରୁଣ ବିପତ୍ତିରୁ ଜୀବନନୌକାକୁ ଉଦ୍ଧାର କଲେ। କିନ୍ତୁ ଗୋଟିଏ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରି ଚାଲିଥାଏ। ପବନା ସିନା ଆଇନର ଲମ୍ବା ହାତରୁ ଖସି ଯିବାରେ ସମର୍ଥ ହେଲା କିନ୍ତୁ ଇଶ୍ବରଙ୍କ ଦରବାରରେ ସେ କଣ ନିଜକୁୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିବ? ସେ କଣ କୌଣସି ଦଣ୍ଡ ନ ପାଇ ଚୋରିଧନକୁ


ଆତ୍ମସାତ୍ କରି ଆରାମରେ ରହି ପାରିବ? ହରଙ୍କ ମନରେ ଉଠୁଥିବା ଅଜସ୍ର ପ୍ରଶ୍ନ ଇଶ୍ବରଙ୍କ ପାଖରେ ପହଞ୍ଚୁଥିଲା କି ନାହିଁ ତାହା କେବଳ ସେହି ଇଶ୍ବରଙ୍କୁ ହିଁ ଜଣା।

ସମୟର ଚକ ଗଡି ଚାଲିଲା,ଧିରେଧିରେ ହରଙ୍କ ଅବସ୍ଥା ସ୍ବଚ୍ଛଳ ହେଲା। ପବନା କରିଥିବା ଭୀଷଣ ପ୍ରହାରର ବେଦନା ଉପଶମ ହୋଇ ସାରିଥିଲା କିଛି ମାତ୍ରାରେ। ଚୋରମାଆ ଲୁଚାଇ କାନ୍ଦିବା ପରି ଏବେ ମଧ୍ଯ ରାଧା ଅନେକ ସମୟରେ ଆଲମାରିକୁ ଲୁହ ଛଳଛଳ ଆଖିରେ ଚାହିଁ ରହୁଥିଲେ। ଗହଣା ଯାହା ଗଲା ସେଥିପାଇଁ ଯେତିକି ଦୁଃଖ ନଥିଲା, ବେଶି ଦୁଃଖ ଥିଲା ତାଙ୍କ ବାହାଘର ବେଳେ ରାଧା ମାଉସୀ ଦେଇଥିବା ସୁନାର ହାର ଖଣ୍ଡିକ ପାଇଁ। ରାଧା କେତେ ମନ କରିଥିଲେ ସେହି ହାରଟି ତାଙ୍କ ବୋହୂକୁ ଦେବା ପାଇଁ। କିନ୍ତୁ ଭାଗ୍ଯ ଏପରିି ଯେ ସେ କେବେ ବୋହୂକୁ ସ୍ବଚକ୍ଷୁରେ ଦେଖିବାର ସୁଯୋଗ ପାଇ ନଥିଲେ, ହାର ଦେବା ତ ଦୂରର କଥା।

ସେଦିନ ବଜାରରୁ ଫେରି ହର ଟିଭି ଖୋଲି ଖବର ଦେଖୁଥିଲେ। ଟିଭି ପରଦାରେ କାହାର ଚିିହ୍ନା ମୁହଁ ଓ ସ୍ବର ଶୁଣି ସେ ଚଷମାକୁ ଭଲରେ ପୋଛି ମନଯୋଗ ସହକାରେ ଦେଖିବାରେ ଲାଗିଲେ।

ଆଜ୍ଞା,ଆପଣ ମାନେ ଆଜିଯାଏ ଅନେକ ନେତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥିବେ। କିନ୍ତୁ ଥରେ ଜିତିଗଲା ପରେ ସେମାନେ ଆପଣଙ୍କ ସହ କିପରି ବ୍ଯବହାର କରନ୍ତି ସେ କଥା ମଧ୍ଯ ଭଲରେ ହୃଦୟଙ୍ଗମ କରି ସାରିଥିବେ। ମୁଁ ମାଟିର ମଣିଷ ଆଜ୍ଞା,ମୁଣ୍ଡ ଝାଳ ତୁଣ୍ଡରେ ମାରି ରାଜନୀତି ମଇଦାନକୁ ଓହ୍ଲାଇଛି। ବିଲରେ ଖଟିଛି,ମୂଲ ଲାଗିଛି,ରାସ୍ତା କଡରେ ଶେଯ ପାରି ଶୋଇଛି। ଭୋକର ଜ୍ବାଳା କଣ, ମୋ ଠାରୁ ଭଲରେ କିଏ ଜାଣିଛି। ଆହାର ଟିକେ ଯୋଗାଡ କରି ନ ପାରି ଅନେକ ରାତି ପେଟରେ ଓଦା କନା ମାଡି ଶୋଇଛି ; କିନ୍ତୁ କାହା ପାଖରେ ହାତ ପତେଇ ନାହିଁ ବା ବେଇମାନି କରିନାହିଁ। ମୁଁ ଆପଣଙ୍କ ପରି ଜଣେ ଦରଦୀ ମଣିଷ। ଥରେମାତ୍ର ମୋତେ ସେବା କରିବାର ସୁଯୋଗ ଦିଅନ୍ତୁ। ତାପରେ ଦେଖିବେ ମୁଁ କେମିତି ସୁନାର ସଂସାର ଗଢିଦେବି। ମଇଦାନରେ ଅନେକ ଧନୀ,ପ୍ରତିପତ୍ତିଶାଳୀ ପ୍ରାର୍ଥୀ ଅଛନ୍ତି। ସେମାନେ ପାଣି ପରି ଟଙ୍କା ଖର୍ଚ୍ଚ କରି ପାରିବେ। ମାତ୍ର ମୁଁ ଦୀନହୀନ ଦରିଦ୍ର ମଣିଷଟିଏ। ପ୍ରଥମଥର ପାଇଁ ରାଜନୀତିର ପଙ୍କିଳ ପୁଷ୍କରିଣୀରେ ପାଦ ଥାପିଛି କେବଳ ଦେଶମାତୃକାର ସେବା କରିବାପାଇଁ। ଆପଣ ମାନଙ୍କ ଭଲପାଇବା ଓ ଆଶିର୍ବାଦ ପାଇଲେ ହିଁ ଜୟଯୁକ୍ତ ହୋଇ ପାରିବି।

ହରଙ୍କ ମୁହଁରୁ ରାଗରେ ବାହାରିଗଲା ଶଳା ମା ପବନା। ଚୋରି କରି ଶେଷରେ ରାଜନୀତି କରିବାକୁ ବାହାରିଲୁ। ରାଧା ସେତେବେଳକୁ ହରଙ୍କ ପାଖରେ ଛିଡା ହୋଇଥାନ୍ତି। ଦୋ ଦୋ ପାଞ୍ଚ ହୋଇ କହିଲେ ଥରେ ତା ପାଖକୁ ଯାଇ ଆମ ଜିନିଷ ଫେରେଇ ଦେବାକୁ କହିଲେ ହୁଅନ୍ତାନି? ହଁ, ମୁଁ ଯିବି ନିହାତି ଯିବି। କିନ୍ତୁ ତା ପାଖକୁ ନୁହଁ। ପୋଲିସ ପାଖକୁ ଯିବି, ମିଡିଆବାଲାଙ୍କ ପାଖକୁ ଯିବି। ।ଏପରି ଲୋକ ରାଜନୀତି କଲେ ଦେଶର ଅବସ୍ଥା କଣ ହେବ ଭାବିି ପାରୁଛ ତ?

ଟେଲିଭିଜନ ପର୍ଦ୍ଦାରେ ପବନା ଭାଷଣର ନିର୍ଝରିଣୀ ଝରାଇବାରେ ଲାଗିଥିଲା ଓ ହର ରମାଙ୍କୁ ଧରି ପୋଲିସ ପାଖକୁ ଯିବାକୁ ବାହାରୁଥଲେ। ବୋଧହୁଏ ଇଶ୍ବର ହରଙ୍କୁ ଏହି ଉପାୟରେ ନ୍ଯାୟ ଦେବାକୁ ସ୍ଥିର କରିଥିଲେ।



Rate this content
Log in

Similar oriya story from Drama