Rajib Gopal Swain

Drama Tragedy Others

3  

Rajib Gopal Swain

Drama Tragedy Others

ଇଡିୟଟ୍

ଇଡିୟଟ୍

12 mins
513





(୧)-

ସେ ଭଲ ପଢୁଥିଲା । ଶ୍ରେଣୀରେ ପ୍ରଥମ ତିନିଜଣଙ୍କ ଭିତରେ ନିଶ୍ଚୟ ରହୁଥିଲା । ସେଥିପାଇଁ ଶ୍ରେଣୀ ଶିକ୍ଷକ ତାକୁ ଭଲ ପାଉଥିଲେ । ତା ପାଖାପାଖି ଥିବା ପିଲାମାନଙ୍କ ଭିତରୁ ସେ ଥିଲା ସ୍ପଷ୍ଟବାଦୀ, ଜୀବନବାଦୀ । ଜୀବନର ପ୍ରତିଟି ଖୁସିକୁ ବାଣ୍ଟିବା ଓ ଉପଭୋଗ କରି ବଞ୍ଚିବା ଥିଲା ତା ଜୀବନର ଗୋଟିଏ ସ୍ୱତନ୍ତ୍ର ନିଷ୍ପତି । ସେ ଏମିତି କେମିତି ହେଲା ତାର କୌଣସି ନିର୍ଦ୍ଧିଷ୍ଟ ଉତ୍ତର ନଥିଲା, କିନ୍ତୁ ସେ ସେମିତି ହିଁ ଥିଲା । ଗୋଟେ କଥା ପାଇଁ ତା ପାଖରେ ଥିଲା ଅନେକ ପ୍ରଶ୍ନ ଓ ଅନେକ ପ୍ରକାରର ଉତ୍ତର , ଆଉ ତାକୁ ପ୍ରମାଣ କରିବା ପାଇଁ ସେ ତା’ପାଖରେ ରଖିଥିଲା ଅନେକ ସଫଳ ଯୁକ୍ତି ।


ଶ୍ରେଣୀରେ ମଧ୍ୟମ ଧରଣର କି ତା’ଠୁଁ କମ୍ ନମ୍ବର ରଖୁଥିବା ପିଲାମାନଙ୍କ ସହିତ ସାଙ୍ଗ ହେବା ପାଇଁ ତାକୁ ଭଲ ଲାଗୁଥିଲା । ବେଳେବେଳେ ସ୍କୁଲ ପାଚେରୀ ଡେଇଁ ଗାଁ ଡ୍ରାମା କି ରାମଲୀଳା ଦେଖିବା ପାଇଁ ସେହି ପିଲାଙ୍କ ସହିତ ସେ ଚାଲିଯାଉଥିଲା । ଥରେ ଏମିତି ହୋଇଥିଲା ଯେ, ସେମାନେ ପାଚେରୀ ଡେଇଁ ଗଲାବେଳେ ଦୁର୍ବଳଥିବା ମାଙ୍କଡା କାନ୍ଥଟା ଭୂଷୁଡି ପଡିଥିଲା, ଆଉ ସେ ଦିନ ସେମାନଙ୍କ ଭିତରୁ ଗୋଟେ ପିଲା ମରୁମରୁ ବଞ୍ଚି ଯାଇଥିଲା କହିଲେ ଚଳେ । ରାତିରେ ଥରେ ହଷ୍ଟେଲ ପଛ ପାଖ ଆମ୍ବ ଗଛରୁ ଆମ୍ବ ଚୋରୀ କଲାବେଳେ ସେ ଧରା ପଡୁ ପଡୁ ସାଙ୍ଗ ସମୀର ଧରାପଡିଯାଇଥିଲା ଆଉ ସମୀର ଟା ଖାଇଥିଲା ନିସ୍ତୁକ ମାଡ । ସେଦିନ ଦୌଡି ପଳାଇ ଆସିଥିବା ପିଲାଟିର ପିଛା କରିଥିବା ହଷ୍ଟେଲ ଅଧୀକ୍ଷକ ନିରାଶ ହୋଇଥିଲେ । ଆଉ ସେଇ ପିଲାଟି ଥିଲା ସୂର୍ଯ୍ୟନାରାୟଣ । ଯାହାକୁ ସମସ୍ତେ ଆଦରରେ ସୂର୍ଯ୍ୟ ବୋଲି ଡାକୁଥିଲେ ।


ସ୍କୁଲ ବେଳ ଗୁଡାକ ପାଣି ପରି ବହି ଯାଇଥିଲେ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପାଇଁ ସେ ସେତେବେଳେ ବିଦ୍ୟାଳୟକୁ ଯାଇଥିଲା, ସେତେବେଳେ ସାର ତାକୁ ଇଡିୟଟ୍ ବୋଲି କହିଥିଲେ । କାରଣ ସମସ୍ତ ଦକ୍ଷତା ସତ୍ବେ ସେ ପ୍ରଥମ ତିନିଜଣଙ୍କ ଭିତରେ ରହି ପାରିନଥିଲା ।


(୨)-


ଆଖପାଖ ନମ୍ବର ରଖିଥିବା ପ୍ରଥମ ଚାରିଜଣ ସମାନ କଲେଜ ଗୁଡିକରେ ଆବେଦନ ପତ୍ର ରଖିଥିଲେବି ସେମାନଙ୍କ ସହିତ ନାମ ଲେଖାଇ ନଥିଲା ସୁର୍ଯ୍ୟ । ସେ ଗାଁ ପାଖରେ ଥିବା କଲେଜରେ ନାମ ଲେଖାଇଥିଲା, ଯେଉଁଠି ନମ୍ବର ରଖିବାର ମିଛ ପ୍ରତିଯୋଗିତା ପଛରେ ଦୌଡିବାର ଆବଶ୍ୟକତା ନଥିବ । ଅନ୍ତତଃ ତାକୁ ସ୍କୁଲବେଳର ସାଙ୍ଗମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ପଡିନପାରେ ।


ସେଇଠି ସେ ଯୁକ୍ତ ଦୁଇ ବିଜ୍ଞାନ ଶେଷକରି ପରେ ପରେ ବିଜ୍ଞାନରେ ସ୍ନାତକ ପାଇଁ ନାମ ଲେଖାଇଥିଲା । ସେହି ସ୍ନାତକର ଦ୍ୱିତୀୟ ବର୍ଷରେ ହିଁ ସେ ପାଇଥିଲା ଇଂଜିନିୟରିଙ୍ଗ ପଢିବାର ସୁଯୋଗ ।

ଇଂଜିନିୟରିଙ୍ଗ୍ ପାଠପଢା ଭିତରେ ସେ ଜୀବନକୁ ପୂର୍ଣ୍ଣ ଉପଭୋଗର ସୁଯୋଗ ଲଭିଥିଲା । ସିନେମା ଦେଖା, ଖଟି କରିବା, ଖେଳକୁଦ, ମଦ, ସିଗାରେଟ୍ ସବୁକିଛି ହୋଇଥିଲା ଆପଣାର । ପାଠପଢା ଅପେକ୍ଷା ଆନନ୍ଦ ସାଉଁଟିବାରେ ବିତୁଥିଲା ସମୟ । ଘରୁ ବାପା ପଠାଉଥିବା ଟଙ୍କା ହାତକୁ ଆସିବା ପୂର୍ବରୁ ଦୋକାନ, ସାଙ୍ଗସାଥୀଙ୍କ ପାଖରେ ସେ ହୋଇ ପଢୁଥିଲା ଋଣି । ଗୋଟିଏ ମାସର ଖର୍ଚ୍ଚରୁ ଅଧିକ ଆସୁନଥିଲା ଟଙ୍କା । ବେଳେବେଳେ ନିଜ ସୀମାକୁ ନେଇ ଦୁଃଖିତ ହେଉଥିଲା ସୂର୍ଯ୍ୟ ।


ସେ କୌଣସି ପ୍ରକାରେ ଇଂଜିନିୟରିଙ୍ଗ ଶେଷ କରିଥିଲା । ସେଇ ପାଠ ପଢାବେଳେ ବାନ୍ଧବୀ ସ୍ମୃତିରେଖା ସହିତ ଗଢି ଉଠିଥିବା ନିବିଡତାର ଅନ୍ୟ ନାମ ପ୍ରେମ ହୋଇସାରିଥିଲା ।ଚର୍ଚ୍ଚା ଥିଲା ସବୁ ମହଲରେ । କିନ୍ତୁ ସବୁ ପ୍ରକାରର ସୁଯୋଗ ଥାଇବି ତାର ମନକଥା ସ୍ମୃତିରେଖା ପାଖରେ ରଖି ପାରିଲା ନାହିଁ । ସବୁବେଳେ ନିଜ ଜୀବନ ପ୍ରତି ସଚେତନ ସୂର୍ଯ୍ୟ ଆନନ୍ଦ ଉପଭୋଗ ଭିତରେ ବି ନିଜ ଘର ପରିବାର ପ୍ରତିଥିଲା ଯଥେଷ୍ଟ ସଚେତନ ।


ବାପା ସୌମ୍ୟକାନ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ମାଆ ଶ୍ରୀଜୟା ଥିଲେ ଗୃହିଣୀ । ବାପାଙ୍କ ସୀମିତ ରୋଜଗାର ଭିତରେ ଚଳୁଥିଲା ଘର । ଭାଇ ଓ ଭଉଣୀ ମାନଙ୍କର ପାଠପଢା ବି ଚାଲୁଥିଲା ସେଇଥିରୁ । ଘରର ବଡ ପୁଅ ହିସାବରେ ସୂର୍ଯ୍ୟ ହିଁ ଥିଲା ପରିବାରର ଆଶା ଭରଷା । ପାଠପଢା ଶେଷରେ ପୁଅ ଭଲ ଚାକିରୀ ଖଣ୍ଡେ କରି ଘରର ଆର୍ତିକ ସ୍ଥିତିକୁ ସୁଧାରୀ ଦେବ ବୋଲି ବାପା-ମାଆଙ୍କର ଥିଲା ଆଶା ଓ ବିଶ୍ୱାସ । ଆଉ ସେଇ ବିଶ୍ୱାସକୁ କେବେ ହେଲେବି ହୃଦୟ ଭିତରୁ ଲିଭାଇ ପାରିନଥିଲା ସୁର୍ଯ୍ୟ । ପ୍ରତି ମୁହୂର୍ତ୍ତରେ ଏହା ତାର ଅବଚେତନ ମନ ଭିତରେ ରହିସାରିଥିଲା । ତେଣୁ ସବୁ ମନୋରଞ୍ଜନ ପରେ ପରେ ସତର୍କ କଲା ପରି ମନରେ ବିଜୁଳୀଟିଏ ଚମକୁଥିଲା । ସେ ହେଉଥିଲା ସଚେତନ ।


ଶେଷ ସେମିଷ୍ଟାର ପରେ, ଗୋଟେ ଦିନ ସେମାନେ କ୍ୟାମ୍ପସ୍ ଭିତରେ ଥିବା ସିମେଣ୍ଟ ବେଞ୍ଚରେ ବସିଥିଲେ । ଜାତି ଜାତି ଫୁଲ ଆଉ ସବୁଜ ଘାସ ଗାଲିଚା ଭିତରେ ଦୁଇଟି ରଂଗୀନ ପ୍ରଜାପତି ପରି । ସେତେବେଳେ ସ୍ମୃତିରେଖା ସୂର୍ଯ୍ୟର ଖୁବ୍ ପାଖକୁ ଲାଗି ଆସି ଅନ୍ତରଙ୍ଗ ସ୍ୱରରେ କହିଥିଲା - ଏବେ ଲେଉଟାଣୀ ବେଳ । କେବେ ଦେଖାହେବ କିଏ କହିବ? ଭବିଷ୍ୟତ ପାଇଁ କିଛି ଭାବିଛ ନା ନାହିଁ?


ଚୁପ୍ ରହିଥିଲା ସୁର୍ଯ୍ୟ । ସ୍ମୃତିରେଖାର ମୁହଁକୁ ଚାହିଁ ମୁରୁକି ହସିଦେଲା ବେଳେ ଭବିଷ୍ୟତକୁ ପହଁରି ଆସିଥିଲା ତା ଆଖି । ଉଦାସ ହୋଇଥିଲା ମୁହଁ ... କେବେ ଦେଖା ହେବ? କିଏ ଜାଣେ? ସତରେ କଣ ସଂପର୍କଟା କ୍ଷୀଣସ୍ଥାୟୀ ! ସ୍ମୃତିରେଖା ସହ ସଂପର୍କ ଆଉ ଆଗକୁ ବଢିବନି? ନିଜ ଗୋଡରେ ଠିଆ ନହୋଇ ସେ କ’ଣ ଗୋଟେ ପାଦ ଆଗକୁ ବଢି ପାରିବ? ନିଜ ପରିବାର ପ୍ରତିଥିବା କର୍ତ୍ତବ୍ୟ ଓ ଏ’ସଂପର୍କର ସମ୍ପୂର୍ଣ୍ଣତାରେ କି ସମୀକରଣ ବନିପାରେ ? ସେ’ସେଇ କଥା କୁ ଭାବୁଥିଲା ବେଳେ , ତାକୁ ବର୍ତ୍ତମାନକୁ ଟାଣିଥିଲା ସ୍ମୃତିରେଖ ।


-କଣ ଏତେ ଭାବୁଛ? ଗୋଟି ଗୋଟି କରି ସବୁକଥା କହିଥିଲା ସୁର୍ଯ୍ୟ । ଏମିତି ଅନେକବାର ଆଗରୁ ବି କଥା ହୋଇଛନ୍ତି । ହେଲେ ଆଜି ପୁଣି ସେଇ କଥା ? ହୁଏତ ସ୍ମୃତିରେଖା ସୁର୍ଯ୍ୟଠାରୁ ଭିନ୍ନ କିଛି ଚାହୁଁଥିଲା, ଯାହା ପାଇଁ ବୁଝିବି ଅବୁଝା ହୋଇଥିଲା ସୁର୍ଯ୍ୟ । 


 -ତମେ ଆଉ କେବେ ବୁଝିବ ଯେ, ଆମ ଭିତରର ସଂପର୍କ ଆଉ ସାଧାରଣ ବଂଧୁତ୍ୱ ଭିତରେ ସୀମିତ ନାହିଁ ! ତାହା ଭିନ୍ନ କିଛି ରୂପକୁ ରୂପାନ୍ତରିତ ହେଲାଣି । ତମେ କ’ଣ କିଛି ବି ବୁଝି ପାରୁନ? ଷ୍ଟୁପିଡ୍ !! ଆମ ଭିତରେ ଅନ୍ୟକିଛି ଚାଲିଛି । ତମେ ନିଜକୁ ପଚାର !

 ସୂର୍ଯ୍ୟ ତଥାପି ନିରବ “ ଜାଣିଶୁଣି କି ଭିନ୍ନ ଚିନ୍ତାକୁ ନେଇ ଜଣା ପଡୁନଥିଲା । ଅନେକ ସମୟ ବିତିଥିଲା ସେଦିନ । କିନ୍ତୁ ..... ସ୍ମୃତିରେଖା ଶୁଣିବାକୁ ଚାହୁଁଥିବା ଶବ୍ଦ ଗୁଡିକୁ ସୁର୍ଯ୍ୟ ପାଖରୁ ଶୁଣିପାରି ନଥିଲା । ସେଥିପାଇଁ କ୍ୟାମ୍ପସ ଭିତରେ ଶେଷ ଦିନ, ଶେଷ ଦେଖାରେ ସୂର୍ଯ୍ୟ ହାତକୁ ତା ହାତ ମୁଠାରେ ଚାପିଧରି କହିଥିଲା - ଇଡିୟଟ୍ !


(୩)-


 ଇଞ୍ଜିନିୟରିଂ ପାଠ ପଢାର ଡିଗ୍ରୀ ଧରି ଘରକୁ ଫେରିଥିଲା ସୂର୍ଯ୍ୟ । ସ୍ମୃତିରେଖା ସ୍ମୃତିଟିଏ ହୋଇ ରହିବାକୁ ଚେଷ୍ଟା କରିଥିଲା ମନ ଭିତରେ । କେଉଁ ଏକ କୋଣରେ । ଆଜିବି ତାର ଶେଷ ଶବ୍ଦ ‘ଇଡିୟଟ୍’ ମନେ ଅଛି । ଗାଁକୁ ଫେରିବା ପରେ ସେ ବୁଲିଥିଲା ... ଯେମିତି, ପିଞ୍ଜରାରୁ ମୁକ୍ତି ପାଇଛି ପକ୍ଷୀଟିଏ ପରି । ସାଙ୍ଗସାଥୀ, ପରିବାର, ପରିଜନ ସବୁଠି ଚର୍ଚ୍ଚା ତାର । ହେଲେ ତାର ବେପରୁୱା ମନୋବୃତ୍ତିକୁ ସମସ୍ତଙ୍କର ଭ୍ରୁକୁଞ୍ଚନ ।

 ସେଦିନ ବାପାଙ୍କ ଆଖି ଆଗରେ ବାଉରୀ ସାହିର ସାଙ୍ଗପିଲା ଗୋବିନ୍ଦ ସହିତ ସେ ବିଡି ଟାଣିଲା ବେଳେ ଧରା ପଡିଗଲା । ଘରେ ପହଞ୍ଚିଲା ପରେ ବାପା ତାକୁ ବହେ ଶୁଣାଇବା ପରେ କହିଥିଲେ - ‘ଇଡିୟଟ୍’ କୋଉଠିକାର । 

 ତା ପ୍ରତି ସଦା ସଦାୟ ବାପାଙ୍କ ମୁହଁରୁ ଏ କଥା ଶୁଣି ସେ ଯେତିକି ଦୁଃଖିତ ହୋଇନଥିଲା ତାଠୁଁ ଅଧିକ ଦୁଃଖିତ ହୋଇଥିଲା ମାଆର ବ୍ୟବହାରରେ ।

 -ନିଜ ପେଟରୁ କାଟି କ’ଣ ଏଇ ସବୁଦିନ ଦେଖିବା ପାଇଁ ତୋତେ ପାଠ ପଢେଇଥିଲୁ ? ଭଲ ପଢୁଥିଲେ ବି ତୋ ସାଙ୍ଗମାନେ ତୋଠୁଁ ଭଲ ନମ୍ବର ରଖିଲେ । ଭଲ କଲେଜରେ ପଢିଲେ । ଭଲ ଭବିଷ୍ୟତ ପାଇଁ ଭଲ ସାଙ୍ଗ କଲେ । ଆଉ ତୁ ଶେଷର ବାଉରୀ ପଲାଙ୍କ ସହିତ ଖଇନୀ, ତାଡି, ବିଡି ସବୁ ପିଇଲୁ । ତୋତେ ପାଠ ପଢେଇ ଆମେ ଏ ଘର ପାଇଁ ମେରୁଦଣ୍ଡ ହେବୁ ବୋଲି ଭାବିଥିଲୁ, ହେଲେ ତୁ.... … ତୁ’ତ ଆମ ମେରୁଦଣ୍ଡ ଭାଙ୍ଗି ଦେଲୁଣି ! ଯେଉଁ ବୟସରେ ଅନ୍ୟମାନେ ରୋଜଗାର କରି ଘର ଚଳେଇଲେଣି ସେହି ବୟସରେ ତୁ ଲଫଙ୍ଗାଗିରି କରୁଛୁ ? ଘରେ ବସିଛୁ ... ।


 ମାଆର ଏହିକଥା ଗୁଡାକ ତା ଛାତି ଭିତରେ ଗଳିଯାଇଥିଲା । ସେ ରାଗ, ଅଭିମାନରେ ଥରି ଉଠିଥିଲା ସତ, ହେଲେ ନିଜ ଅସହାୟତା ବିଷୟରେ ସଚେତନ ହେଲା । ଚାକିରୀ ହେଉ କି ନହେଉ ସେ ଘରେ ମୋଟେ ରହିବନି ବୋଲି ପ୍ରତିଜ୍ଞା କରୁଥିଲା ମନୁମନ । ସେହି ରାଗ ରାଗ ଅବସ୍ଥାରେ ସେ ପିଲାବେଳର ସାଙ୍ଗ ମାର୍କଣ୍ଡର ଘର ଆଡକୁ ମୁହାଁଇଲା । ମୁହଁ ସଞ୍ଜ ବେଳ, ଯୋଗକୁ ଘରେ ହିଁ ଥିଲା ମାର୍କଣ୍ଡ । ତା ସହିତ ଆଗରୁ ଗୁଡାଏ ଦିନ ହେବ ରାଗ ରୁଷା ରେ କଥା ହେଉନଥିବା ସୂର୍ଯ୍ୟକୁ ନିଜଘରେ ଦେଖି ସେ ପୁରା ଚହଲିଗଲା । ମାର୍କଣ୍ଡ କିଛି କହିବା ପୂର୍ବରୁ ସୂର୍ଯ୍ୟ କହିଲା - ମୁଁ ଆର ସାହି ମେଲଣ ପଡିଆ ଆଡେ ଯାଉଛି, ତୁ ଆସିଲେ ଭଲ ।


 ଏତିକି କହି ବୁଲି ପଡି ଚାଲିବାକୁ ଆରମ୍ଭ କରି ସାରିଥିଲା ସୂର୍ଯ୍ୟ । କଣ ଘଟିଛି ବୁଝିବା ପାଇଁ ଅଳ୍ପ ସମୟ ନେଇଥିବା ମାର୍କଣ୍ଡ - ବଡ ପାଟିରେ ତା ମାଆଙ୍କୁ ଶୁଣେଇ ଶୁଣେଇ କହିଥିଲା - ମାଆ ମୁଁ ସୂର୍ଯ୍ୟ ସହିତ ଆର ସାହି ମେଲଣ ପଡିଆକୁ ଯାଉଛି, ଫେରିବାକୁ ଡେରି ହୋଇପାରେ ।


 ଲମ୍ବା ଲମ୍ବା ପାଦ ପକାଇ ସେ ସୂର୍ଯ୍ୟ ସହିତ ଚାଲିବାକୁ ଆରମ୍ଭ କରିଥିଲା । ଆଗକୁ ଆସୁଥିବା ଫଗୁ ଦଶମୀ ପାଇଁ ଅଭ୍ୟାସ କରୁଥିବା ପିଲାମାନଙ୍କ ଠାରୁ ଅନେକ ଦୂରରେ ବସିଲେ ,ଦୁଇ ପିଲା ବେଳ ର ସାଙ୍ଗ । କାହାରି ମୁହଁରେ କଥା ନାହିଁ ।


 ହଠାତ୍ ନିରବତା ଭାଙ୍ଗିଲା ସୂର୍ଯ୍ୟ - ତୁ ସହରରେ ଗତ ଦୁଇବର୍ଷ ହେବ କାମ କରୁଛୁ । ମୋ ପାଇଁ କଣ ଗୋଟେ କାମ ଦେଖନ୍ତୁନି? ବିସ୍ମୟରେ ମାର୍କଣ୍ଡ ଦେଖୁଥିଲା ସୂର୍ଯ୍ୟକୁ । ସୂର୍ଯ୍ୟ ତାଠୁଁ କାହିଁ କେତେ ଗୁଣରେ ଭଲ ପାଠ ପଢୁଆ ପିଲା । ସେମାନେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପଢିଛନ୍ତି । ତା’ପରେ ସୂର୍ଯ୍ୟ ହଷ୍ଟେଲରେ ରହି ପାଠ ପଢିବ ବୋଲି ଚାଲିଯାଇଥିଲା । ହେଲେ ସେ ଜାଣିଥିଲା ସୂର୍ଯ୍ୟର ପାଠପଢାର ଗୁଣାତ୍ମକ ଦିଗ ବିଷୟରେ । ଦଶମ ଶ୍ରେଣୀରୁ ମାର୍କଣ୍ଡର ପାଠପଢାରେ ଡୋର ବନ୍ଧା ହେଲା ସତ, ହେଲେ ମାର୍କଣ୍ଡକୁ ସୂର୍ଯ୍ୟ କେବେ ହେଲେ ବି ତଳୁଆ ନଜରରେ ଦେଖି ନାହିଁ । ମାର୍କଣ୍ଡ ତା ପରଠୁଁ ପାଖ ସହରରେ ଗୋଟେ କୋଠା ବାଡି ନିର୍ମାଣ କରୁଥିବା କମ୍ପାନୀରେ ଚାକିରୀ ଆରମ୍ଭ କରି ଆଜି ସେଇଠି ସୁପରଭାଇଜର ଭାବେ କାମ କରୁଛି । ଯାହା ପଇସା ମିଳୁଛି ସେଥିରେ ରହିବା ଖାଇବା ପରେ ଅଳ୍ପ କେଇଟା ଟଙ୍କା ଘରକୁ ଦେଉଥିବା ମାର୍କଣ୍ଡ ସହିତ ଖାସ ସେଥିପାଇଁ ପାଟିତୁଣ୍ଡ ହୋଇଥିଲା ସୂର୍ଯ୍ୟର । ସେ ମାର୍କଣ୍ଡକୁ ଆଗକୁ ପଢିବା ପାଇଁ ପ୍ରବର୍ତ୍ତାଇଥିଲା । ଯାହା ଫଳରେ ଆଜି ମାର୍କଣ୍ଡ ପତ୍ର ମାଧ୍ୟମରେ ସ୍ନାତକ ହୋଇ ପାରିଛି । ତା ମାଲିକ ତାର ଏହି ଗୁଣ ପାଇଁ ତାଙ୍କ ବିଶ୍ୱାସୀ ତାଲିକାରେ ରଖିଲେଣି । ବିଦ୍ୱାନ ସର୍ବତ୍ର ପୂଜ୍ୟତେ’ ଉକ୍ତି ଯେ, ଠିକ୍ ତାହା ପ୍ରମାଣିତ ହୋଇଛି ମାର୍କଣ୍ଡ ଜୀବନରେ । ସେଥିପାଇଁ ସେ ସୂର୍ଯ୍ୟକୁ କେବେବି ଭୁଲି ପାରିବନି । ତେବେ ଛଅମାସ ତଳେ ତା ସହିତ ସାଙ୍ଗ ହେବାକୁ ନେଇ ସୂର୍ଯ୍ୟର ମା ଭ୍ରୁକୁଞ୍ଚନ କରିଥିବାରୁ ଜାଣିଶୁଣି ନାଟକ କରି ଦୂରେଇ ଯାଇଥିଲା ମାର୍କଣ୍ଡ । ସଥେିପାଇଁ ମନରେ ଅନେକବାର କାନ୍ଦିଛି ନିଶ୍ଚୟ । ସେଇ ସୂର୍ଯ୍ୟ ଆଜି ତାକୁ ସହରରେ ଗୋଟେ ଚାକିରୀ ଖୋଜି ଦେବାପାଇଁ କହୁଛି । ମୁହଁ ବନ୍ଦ ହୋଇଯାଇଛି ମାର୍କଣ୍ଡର ।

 ତୁ କଣ ମୋ କାମ କରିପାରିବୁ? ତୋତେ ଏସବୁ ଶୋଭା ଦେବନି । ତୁ ବରଂ ଟିଉସନ କରି ତୋ ପାଠ ଅନୁସାରେ ଚାକିରୀ ପାଇଁ ଲାଗିଲେ ଭଲ ହେବ ।

 ଦୁହେଁ ଦୁହିଁଙ୍କ ମୁହଁଙ୍କୁ ଚାହିଁଲେ । ଦୀର୍ଘଶ୍ୱାସ ଛାଡିଲା ସୂର୍ଯ୍ୟ । ତୁ ବୋଧେ ଠିକ୍ କହିଛୁ । କିନ୍ତୁ ମୁଁ ରହିବି କେଉଁଠି, ଖାଇବି କଣ ମୋତେ ଟିଊସନ୍ ଦେବ କିଏ?

 ତୁ ମୋ ଉପରେ ସବୁ ଛାଡି ଦେ । ଆମେ କାଲି ସହର ଯାଉଛେ । ଅନେକ ରାତି ପର୍ଯ୍ୟନ୍ତ ଦୁଇ ସାଙ୍ଗ ମେଲଣ ପଡିଆରେ ଗପିଥିଲେ । ଫେରିଲା ବେଳକୁ ରୋଷେଇ ଘରେ ସୂର୍ଯ୍ୟ ପାଇଁ ଖାଇବା ବଢା ହୋଇଥିଲା । ତାକୁ ଚୁପ୍ ଚାପ୍ ଖାଇନେଇ ଶୋଇ ପଡିଥିଲା ।

 ପରଦିନ ନିତ୍ୟକର୍ମ ଶେଷ କଲା ଅବସରରେ ତାଙ୍କ ଘରକୁ ଆସିଥିଲା ମାର୍କଣ୍ଡ । ସେ’ହିଁ ପୂର୍ବଦିନର ନିଷ୍ପତ୍ତି କୁ ସୂର୍ଯ୍ୟର ମାଆ - ବାପାଙ୍କୁ କହିଥିଲା, ଯାହା ବିଷୟରେ ବିନ୍ଦୁ ବିସର୍ଗ ବି ଜାଣି ନଥିଲା ସୂର୍ଯ୍ୟ । 

ସେମାନେ ଘରୁ ବାହାରି ଆସିଥିଲେ । 

 ଯେଉଁ ସହରରେ ସେ ଦିନେ କଲେଜ ପଢୁଥିଲା, ସେଇଠିକୁ ସେ ଫେରିଥିଲା । ତାହାରି ଅଣଓସାରିଆ ଗଳି ଭିତରେ ଦେଢ ବଖରା ଆଜବେଷ୍ଟସ୍ ଘର ଭିତରେ ମିଳିଲା ତାକୁ ଠିକଣା । ମାର୍କଣ୍ଡର ଭଙ୍ଗା ପୁରୁଣା ସାଇକେଲ ହେଲା ତାର ସାଥୀ । ଫେରିବା ବାଟରେ ବସ ଭଡା ଦେବା ପାଇଁ ପକେଟ୍ ଅଣ୍ଡାଳି ଦେଖିଲା ବେଳକୁ କେଇଖଣ୍ଡ ଶହେ ଟଙ୍କିଆ ନୋଟ୍ ଦେଖି ସେ ଯେଉଁ ଆଚମ୍ବିତ ହୋଇଥିଲା, ତାହା ହୋଇଥିଲା ବଞ୍ଚିବା ପାଇଁ ଏକମାତ୍ର ପୁଞ୍ଜି । ବୁଝି ପାରୁଥିଲା ସେଇ ପଇସାକୁ ତା ବାପା ମାଆଙ୍କ ଭିତରୁ କେଇ ଜଣେ ଗୁଞ୍ଜିଥାଇ ପାରନ୍ତି । ତଥାପି ମାଆ ଉପରୁ ଅଭିମାନର ବାଦଲ ହଟିବାର ନାମ ହିଁ ନେଉନଥିଲା । ମାଆ ତାକୁ କେତେ କେତେ କଡା କଥା ନକହିଲା ସତରେ ! ମନେ ପଡିଲେ ରାଗ ହେଉଛି, ଆଉ ଭାରି ହେଇଯାଉଛି ମନ ।

 ଟିଉସନ୍ ଯୋଗାଡ ହୋଇଯାଇଥିଲା । ନିଜ ପ୍ରଚେଷ୍ଟାରେ ମାର୍କଣ୍ଡ ଖୋଜି ଦେଇଥିବା ଦୁଇଟା ଟିଊସନ ,ଏବେ ପାଞ୍ଚଟା ହୋଇଗଲାଣି । ସକାଳୁ ସକାଳୁ ପ୍ରାୟ ସୂର୍ଯ୍ୟ ଉଦୟ ପୂର୍ବରୁ ସାଢେ ପାଞ୍ଚଟା ହେଲେ ଘରୁ ବାହାରି ଯାଉଥିଲା ସୂର୍ଯ୍ୟ । ଛଅ ଟାରୁ ନଅଟା ଟିଊସନ ସାରି ସେ ଫେରୁଥିଲା । ସୂର୍ଯ୍ୟ ଫେରିଲେ କାମକୁ ବାହାରି ଯାଉଥିଲା ମାର୍କଣ୍ଡ । ରବିବାରକୁ ଛାଡି ଦେଲେ ଆଉ ସବୁଦିନ ଦୁହିଁଙ୍କର ଦେଖା ସାକ୍ଷାତ ସକାଳ ସଞ୍ଜରେ ହେଉଥିଲା । କାରଣ ଉପରବେଳା ତିନିଟାରୁ ରାତି ନଅଟା ପର୍ଯ୍ୟନ୍ତ ଟିଉସନରେ ରହୁଥିଲା ସୂର୍ଯ୍ୟ । ସନ୍ଧ୍ୟାରେ ଫେରୁଥିବା ମାର୍କଣ୍ଡ ତାକୁ ଦେଖିପାରେ ନାହିଁ । ତେଣୁ ସେଇ ନଅଟା ସକାଳ ଓ ରାତି ନଅଟାରେ ଉଭୟଙ୍କ ଦେଖାହୁଏ । ବେଡ ଧରୁ ଧରୁ ନିଦ ଆସେ । ସୁଖ ଦୁଃଖ କରିବାକୁ ବେଳ ନଥାଏ ।


 ସକାଳେ ସଞ୍ଜରେ ରୋଷେଇ କରି ରଖିଥାଏ ମାର୍କଣ୍ଡ । ଘର ଭଡା ବି ମାର୍କଣ୍ଡ ଦିଏ । ଖାଇବା ଜିନିଷ ଜତ୍ କିଞ୍ଚିତ କିଣି ଆଣୁଥିଲା ସୂର୍ଯ୍ୟ । କହିବାକୁ ଗଲେ ମାର୍କଣ୍ଡ ର ଅକୁଣ୍ଠ ସାହାଯ୍ୟରେ କୌଣସି କାର୍ପଣ୍ୟ ନଥିଲା । ଗଡୁଥିଲା ସମୟ ତା ବାଟରେ ....... 


(୪)-


 ତିନିମାସ ହେବ ପରା .... ଠିକ୍ ରେ ମନେ ପଡୁନି ।


ଭଙ୍ଗା ସାଇକେଲରେ ପେଡାଲ୍ ମାରି ମାରି ହାଲିଆ ହୋଇଗଲାଣି ସୂର୍ଯ୍ୟ । କୌଣସି କଥାରେ ନୂତନତ୍ତ୍ୱ ନାହିଁ । ଆଗକୁ ବଢିବାର ରାସ୍ତା ନାହିଁ । ନିଅଣ୍ଟିଆ ସମୟ ଛିଗୁଲେଇବାକୁ ଆରମ୍ଭ କଲାଣି । ବିରକ୍ତିକର ହେଲାଣି ନିତିଦିନିଆ ଜୀବନଚର୍ଯ୍ୟା । କଥା କଥା କେ ଚିଡିଚିଡା ଲାଗୁଛି ତାକୁ ... ତଥାପି ସେ ନିରୁପାୟ । ନିରୁଦ୍ଦିଷ୍ଟ ହେବା ପାଇଁ ଇଛା ତଥାପି କିଂକର୍ତ୍ତବ୍ୟମୂଢ ।

 ସେ ସେଦିନ ଫେରିଲା ବେଳକୁ ପାଖ ଚା’ ବାଲା ତାକୁ ଡାକି ଚାବି ଦେଲା । ଏମିତି ଥରେ ଥରେ ହୁଏ । କାମ ଚାପରେ ମାର୍କଣ୍ଡ ଜଲ୍ଡି ଘରୁ ବାହାରି ଯାଇଥାଏ । ଆଉ ସେଦିନ ଚାବିକୁ ମଦନ ଚା ଦୋକାନୀ ପାଖରେ ଦେଇଯାଇଥାଏ । କେବଳ ସେତିକି ନୁହେଁ ସୂର୍ଯ୍ୟ ସେଦିନ ରୋଷେଇ ନିଜେ କରେ ।

 ଚାବିନେଇ ଘର ଖୋଲିଲା ସୂର୍ଯ୍ୟ । ସକାଳୁ କିଛି ହେଲେ ବି ଖାଇ ନଥିଲା, ପେଟଟା ଗର୍ଜୁଛି । ପାଣି ମୁନ୍ଦେ ପିଇନେଲେ ଭଲ ହେବ ବୋଲି ବୋତଲ ଖୋଲି ପାଣି ପିଇଲା । ତାପରେ କଣ କରିବ ନକରିବ ଦେଖି ଘରଟା ସାରା ଅଣ୍ଡାଳି ପକାଇଲା । ହେଲେ ନିରୁତ୍ସାହିତ ହେଲା ମନ । ଘରେ କିଛି ହେଲେବି ନାହିଁ, କେବଳ ଚାଉଳ ଆଉ ଆଳୁ ପଡିଛି । ତେଲ ଠୋପେ ବି ନାହିଁ । ଭାବିଲା ଭାତ ଗଣ୍ଡେ ଫୁଟେଇ ସେଥିରେ ଆଳୁ ସିଝେଇ ଦେବ । ପାଣି ପଖାଳି କରି ଆଳୁ ସିଝାଇ ଭାତ ଖାଇ ଦେବ । ହେଲେ ଷ୍ଟୋଭଟାକୁ ଲଗାଇବାକୁ ଗଲାବେଳେ ଦେଖିଲା ଷ୍ଟୋଭରେ କିରୋସିନ ନାହିଁ । କ୍ଷୋଭ ଓ ଦୁଃଖରେ ସେ ମୁଣ୍ଡ ଚୁଳକୁ ଟାଣି ପକେଇଲା । ତଥାପି ତ କିରୋସିନ୍ ଯୋଗାଡ କରିବାକୁ ହେବ । ସେଥିପାଇଁ ପାଖ ସବୁଦିନିଆ ଦୋକାନି ପାଖକୁ ଯାଇ ପହଞ୍ଚିଲା ସୂର୍ଯ୍ୟ । ସେ କିରୋସିନ୍ ନେଇ ଘରକୁ ଫେରି ଷ୍ଟୋଭରେ କିରୋସିନ ପୁରାଇଲା ପରେ ସେତେବେଳେ ପକେଟ୍ ଅଣ୍ଡାଳିଲା ଦିଆସିଲି ପାଇଲା ନାହିଁ । ଘରେ ତନ୍ନ ତନ୍ନ କରି ଖୋଜିଲା ତଥାପି ଦିଆସିଲି ମିଳିଲା ନାହିଁ ।


 ପ୍ରଥମଥର ପାଇଁ ସେ ଯେ’ ବହୁତ ବିଡି ପିଛଉି ତାହା ଅନୁଭବ କରିପାରିଲା । ଏଇ କାଲିତ ନୂଆ ଦିଆସିଲିଟା ପକେଟ୍ ରେ ଥିଲା । ହେଲେ ସେଥିରେ କାଠି ନାହିଁ । ନିଜ ନିପାରିଲା ପଣକୁ ଧିକାର କଲା ସୂର୍ଯ୍ୟ । ସେ ମନ ପ୍ରାଣରେ ତାର ଏପରି ଦଶା ପାଇଁ ନିଜକୁ ଦାୟୀ କଲା । ଭଲ ପାଠ ପଢୁଆ ପିଲାରୁ ଏମିତି ଦୟନୀୟ ପରିସ୍ଥିତି ପାଇଁ କବେଳ ଆଉ କେବଳ ସେହିଁ ଦାୟୀ । କାହା ପ୍ରତି ଅଭିଯୋଗ ଓ ଆକ୍ଷେପ କରିବାର ବେଳ ସରିସାରିଛି । ସେ ନିଜର ଆତ୍ମଘୋଷିତ ନିର୍ବାସନ ପାଇଁ ନିଜକୁ ଦାୟୀ କରି ନିରବରେ କାନ୍ଦିବାକୁ ଲାଗିଲା । ଭୋକ, ଦୁଃଖ ଓ ନିରାଶାର ଜ୍ୱାଳରେ ଶରୀର ଓ ମନ ଉପରେ ଆଘାତ ପରେ ଆଘାତ କରି ଚାଲିଥିଲେ ।


 ଆଉ କାହା ପାଖକୁ ଯାଇ ଅଣ୍ଟି ପତେଇ ମାଗିବାର ଇଚ୍ଛା ଶେଷ ହୋଇ ଯାଇଥିଲା । ସେଇ ଆଜବେଷ୍ଟସ୍ ଘରର ତାତି ଭିତରେ ଅଖିଆ ଅପିଆ ଅନେକ ଭାବନାର ସୁଅ ନେଇ ପହଁରୁଥିଲା ସୂର୍ଯ୍ୟ ।

** ***

ବେଳ କେତେ ହେବ କେଜାଣି ? କବାଟ ଧଡ ଧଡ ଶବ୍ଦରେ ସେ ଅନ୍ୟମନସ୍କ ହୋଇ ଶେଜ ଉପରୁ ଉଠି ବସିଲା । ମୁଣ୍ଡଟା ଘୂରେଇ ଦେଉଛି । ଦେହ,ହାତ ଝିମ୍ ଝିମ୍ ଲାଗୁଛି । ବାହାରେ କିଏ ହୋଇପାରେ ? ମାର୍କଣ୍ଡର ଫେରିବା ବେଳ ତ ହୋଇନି !! ତଥାପି ମାର୍କଣ୍ଡ ହୋଇଥିବ ଭାବି ଆଶାର ଆଲୁଅ ନେଇ କବାଟ ଖୋଲିଲା ସୂର୍ଯ୍ୟ ।

 ଦେହ ଆଉ ମନରେ ଚାଲିଥିବା ଅବଶ ଶ୍ଳଥପଣ ଚମକି ଦୌଡି ପଳାଇଲା ପରି ଲାଗୁଥିଲା । କାରଣ ଆଗରେ ଠିଆ ହୋଇଥିଲା ମାଆ । ଜନ୍ମ କଲା ମା । ଯାହା ପାଇଁ ସେ ଆଜି ଏତେ ବଡ । ତଥାପି ମନରେ ଜୋରକରି ଉଠୁଥିଲା ଜିଦ୍ । ମାଆର କଥାକୁ ନେଇ ହିଁ ଘରୁ ଗୋଡ କାଢିଥିଲା ସେ । ଆଉ ଜିଦ୍ କରି ଚାଲିଆସିଥିଲା ନିଜ ଗୋଡରେ ଠିଆ ହେବ ବୋଲି । ଯଦି ତା ଅବସ୍ଥା ମାଆ ଆଜି ଦେଖିଦେବ ତେବେ କଣ ହେବ? ତା ମୁହଁ ରହିବତ ! ତେଣୁ ସେ ଗମ୍ଭୀର ହୋଇ ପଡିଲା । ସଂକୋଚରେ ମାଆକୁ ମୁଣ୍ଡିଆ ମାରି ଭିତରକୁ ଡାକିଲା, ତା ପଛରେ ମାର୍ଗଦର୍ଶକ ହିସାବରେ ମାଆର ପିଲାବୋଳର ସାଙ୍ଗ, ସୂର୍ଯ୍ୟର ସଂପର୍କୀୟା ମାଉସୀ । ଯାହାକୁ ସେ ପିଲାବେଳୁ ସିପି ମାଉସୀ ବୋଲି ଡାକୁଥିଲା । ସେମାନେ ଘର ଭିତର କୁ ଆସି ଭିତରେ ପଡିଥିବା ପଟା ଖଟ ଉପରେ ବସି ପଡିଲେ ।


 କଣ କହିବ ଓ କରିବ ବୁଝି ପାରୁନଥିଲା ସୂର୍ଯ୍ୟ । ତାକୁ ପ୍ରଥମବାର ଲାଗୁଥିଲା ସେ ସତରେ ଗୋଟେ ଇଡିୟଟ୍ ।

 ଏଇଟା ଦେଖିଲୁ, ତୋ ନାଁରେ କଣ ଗୋଟେ ରେଜିଷ୍ଟଡ ପୋଷ୍ଟରେ ଆସିଛି ? 

ପରିବେଶରେ ଖେଳୁଥିବା ନିରବତାକୁ ଭାଙ୍ଗି ଏତିକି କହି ସୂର୍ଯ୍ୟର ମାଆ, ହାତରେ ଧରିଥିବା ଲଫାପାଟିକୁ ସୂର୍ଯ୍ୟ ହାତକୁ ବଢାଇ ଦେଲେ । ସୂର୍ଯ୍ୟ ଚିଠିଟିକୁ ଧରି ଓଲଟ ପାଲଟ କରି ଦେଖିଲା । ଖୋଲି ପଢିବା ପରେ ଆନନ୍ଦ ଓ ଆଶ୍ଚର୍ଯ୍ୟରେ ମାଆ ଓ ମାଉସୀ ମୁହଁକୁ ଚାହିଁ କହିଲା - ମାଆ ତମେ ଦି’ଜଣ ବସିଥାଅ ମୁଁ ଆସୁଛି ।


 ଘରୁ ବାହାରି ଗଲା ବେଳେ ପାଣି ଗ୍ଲାସଟେ ପିଇ ବାହାରିଗଲା ସୂର୍ଯ୍ୟ । ସେଇ ଛୋଟିଆ ସହରଟା ତାକୁ ଆହୁରି ଛୋଟିଆ ଓ ହାତ ମୁଠାରେ ଥିଲା ପରି ଲାଗୁଥିଲା । ପେଟର ଭୋକ, ପଇସାର ଅଭାବ ଦୁଃଖ, ନୈରାଶ୍ୟ, ଅବ୍ୟକ୍ତ ଭାଷାସବୁ ପୁଞ୍ଜିଭୂତ ଶକ୍ତି ପରି ସଂଚରୀ ଚାଲିଥିଲେ ଶରୀରରେ, ଯାହା ସେଇ ଭଙ୍ଗା ଦଦରା ସାଇକେଲର ପେଡାଲକୁ ଘୁରାଇ ଘୁରାଇ ସୂର୍ଯ୍ୟକୁ ସହରର ଏ’ଗଳିରୁ ସେ ଗଳିକୁ ବୁଲାଉଥିଲା । ଯେତେବେଳେ ସେ ବୋରାପଦା ପରି ସହର ଉପାନ୍ତରେ ପହଞ୍ଚଲା, ସେଇଠି ଥିବା ଛୋଟିଆ ରେଳଷ୍ଟେସନ୍ ପାଖ କଳପାଣିରେ ମୁହଁ ଧୋଇଲା ଆଉ ଆଞ୍ଜୁଳାଏ ପାଣି ପିଇ ଶୂନ୍ୟକୁ ଚାହିଁ ମୁରୁକି ହସିଲା । ଯେମିତି ସେ ନିୟତି ଆଡକୁ ଅନାଇ ହସୁଛି ।


 କିଛି ସମୟ ଆଗରୁ ତା ପାଖରେ କେଇଟା ଟିଉସନକୁ ଛାଡି ଦେଲେ କିଛି ନଥିଲା । ଖାଇବା ପାଇଁ ବ୍ୟବସ୍ଥା କରି ପାରି ନଥିଲା ସେ । ଅଥଚ ଏବେ ତା ହାତରେ ଗୋଟେ ଭଲ ଇଂଜିନିୟରିଙ୍ଗ କଲେଜରେ ପାଠ ପଢାଇବାର ଅଫର୍, ଭଲ ଦରମା ଆଉ ସୁବିଧା ସୁଯୋଗ ସହିତ ।


 ବାଃ ବାଃ ରେ ଭଗବାନ, ବିଚିତ୍ର ତୁମ ଲୀଳା । ଗାଳିକରି ପରୋକ୍ଷରେ ବୃତ୍ତି ଅନ୍ୱେଷଣ କରିବା ପାଇଁ ଘରୁ ଗୋଡ କାଢିବାକୁ କହିଥିବା ମାଆ ହାତରେହିଁ ଆସିଛି ସେଇ ଚିଠି !

 ହସୁଥିଲା ସୂର୍ଯ୍ୟ । ଯିବା ଆସିବା କରୁଥିବା ଲୋକମାନେ ତାକୁ ବିସ୍ମିତ ହୋଇ ଚାହୁଁଥାନ୍ତି । ପାଗଳଟାଏ ହୋଇଥିବ ପରା .... ! ହାଃ .... ହାଃ ... ହାଃ !!


 -ଏ କ’ଣ ଏମିତି ହସୁଛ ମ ! ସ୍ୱପ୍ନ ଦେଖୁଛ ନା କଣ ........


 ରେଡମଣ୍ଡ ୱାଶିଙ୍ଗଟନର ସେଇ ଶୀତତାପ ନିୟନ୍ତ୍ରିତ ଶୟନ କକ୍ଷ ଭିତରେ ସୂର୍ଯ୍ୟ ଆଖିଖୋଲି ଦେଖିଲା ପତ୍ନୀ ମୟୂରୀ ତା ବାହୁ ଉପରେ ମୃଦୁଚାପ ଦେଇ ତାକୁ ଉଠାଇବାକୁ ଚେଷ୍ଟା କରୁଛି ।

 ଓଃ ସେ ପଛ କଥା ଭାବୁ ଭାବୁ ଛାଇ ନିଦ ଭିତରେ ଥିଲା ବୋଧେ ! ସେ ପୁଣି ହସିଲା ! ସେଇ ଇଂଜିନିୟରିଂ କଲେଜରେ ପାଠ ପଢେଇବାରୁ ଭାରତୀୟ ବୈଷୟିକ ସଂସ୍ଥାନରୁ ଏମ॰ଟେକ ପରେ ମଲ୍ଟିନେସନାଲ କମ୍ପାନୀରେ ଚାକିରୀ ପୁଣି ଆମେରିକାରେ କାର୍ଯ୍ୟ କରିବାର ସୁଯୋଗ ସବୁ ମନେ ପଡୁଥିଲା !

 ହାଃ --- ହାଃ --- ହାଃ ।


ମୟୂରୀ ହସୁଥିବା ସୂର୍ଯ୍ୟ ଉପରେ ତକିଆ ଫିଙ୍ଗି କହୁଥିଲା-ଇଡିୟଟ୍ କୌଠିକାର ପୁଣି ପାଗଳାମି... ?

********



Rate this content
Log in

Similar oriya story from Drama